Unknown

 

 

 

 

 

 

 

 

 

 

ଆଜିର ବୈଜ୍ଞାନିକ

ଅନୁବାଦକ

ଶ୍ରୀ ଗୋପାଳ ମିଶ୍ର

 

ସୂଚିପତ୍ର

 

ପୃଥିବୀର କାହାଣୀ

୧.

ପ୍ରକୃତିର ସ୍ଵୟଂକ୍ରିୟ ଉଷ୍ଣଶୀତଳ ପ୍ରକ୍ରିୟା

ୱିଲିୟମ୍‍ ମରିସ୍ ଇଉଇଂ

୨.

ସମୁଦ୍ରର ରହସ୍ୟ

ରୋଜର ଆର୍. ରିଭେଲି

୩.

ବିରାଟ ଗର୍ତ୍ତ

ଉଇଲାଡ଼୍ ନେଓୟେଲ୍ ବାସ୍କମ୍‍

୪.

ବାଦାମ ଫଳ ଭାଙ୍ଗିଥିବା ଅଦ୍ଭୁତ ମାନବ

ଲୁଇ. ଏସ୍. ବି. ଲିକେ

ବିଶ୍ଵର ମୌଳିକ ଉପାଦାନ

୫.

ଆଣବିକ ଘଡ଼ି

ଉଇଲାର୍ଡ଼୍ ଏପ୍. ଲିବି

୬.

ଗୁରୁ ଜଳ ଓ ଚାଲୁଣି

ହାରଲ୍‍ଡ଼ କ୍ଲେଟନ୍ ଉରେ

୭.

ପୃଥିବୀର ଅନ୍ୟତମ ଶ୍ରେଷ୍ଠ ବୈଜ୍ଞାନିକ

ଜେ. ରବର୍ଟ ଓପେନହେମର୍‍

୮.

ଅଣୁର ସଙ୍କେତ

ଇସିଡୋର୍‍ ଆଇଜାକ୍ ରବି

୯.

ବିଶ୍ଵସୃଷ୍ଟିର ପୁନଶ୍ଚ

ଗ୍ଳେନ୍ ଥିଓଡ଼ର୍ ସିବର୍ଗ

୧୦.

ବିଜ୍ଞାନର କୁମ୍ଭୀର

ପିଟର ଲିଓନିଡ଼େଭିସ୍ କପିସା

୧୧.

ଅମାନିଆ ମେସନ

ଚେନ୍ ନିଙ୍ଗ୍ ୟାଙ୍ଗ ଓ ସୁଙ୍ଗ ଜାଓ ଲି

ଜୀବନ ବିଜ୍ଞାନ

୧୨.

‘‘ମଲିକ୍ୟୁଲସ” ନିର୍ମାତା

ରବଟ୍ ବି. ଉଡ଼ୱାର୍ଡ଼

୧୩.

ଫିମ୍ପି ଜାତୀୟ ଜୀବର ପରିବର୍ତ୍ତିତ ରୂପ

ଜର୍ଜ ଡବ୍ଲ୍ୟୁ କିଡ଼ଲେ

୧୪.

ଜୀବନର ସଂହିତା

ଆର୍ଥର କର୍ଣ୍ଣବର୍ଗ

୧୫.

ଜୀବନର ଜ୍ୟାମିତି

ଲିନସ୍ କାର୍ଲ ପଲିଙ୍ଗ

୧୬.

ଉତ୍ତମ ରୋଗଜୀବାଣୁ

ସେଲମାନ୍ ଏ. ୱାକ୍ସମ୍ୟାନ୍

୧୭.

ଯେଉଁ ଜୀବାଣୁ ବିଚଳିତ କରିଦେଉଥିଲା

ଆର୍ଣ୍ଣେଷ୍ଟ ବୋରିଷ ଚେନ୍

୧୮.

ଯେଉଁ ରୋଗଜୀବାଣୁ ବିକଳାଙ୍ଗ କରିଦିଏ

ଜୋନାସ ଏଡ଼୍‍ୱାର୍ଡ଼ ସାଲ୍କ

ମହାକାଶ ଯାତ୍ରୀ

୧୯.

ଯାହାଙ୍କ ଯୋଗୁ ସ୍ପୁଟନିକ ସମ୍ଭବ ହେଲା

ଆନାତୋଲି ଏ. ବ୍ଲାଗନ୍‍ରାଭୋଭ

୨୦.

ଚନ୍ଦ୍ରଗ୍ରହରେ ପହଞ୍ଚିବ ପାଇଁ

ୱାର୍ଣ୍ଣର ଭନ୍‍ବ୍ରନ୍‍

୨୧.

ମାରାତ୍ମକ ‘ଡଫଟନ୍‍’

ଜେମ୍ସ ଏ. ଭନ୍. ଏଲେନ୍

ବିରାଟ ବିଶ୍ଵ

୨୨.

ନକ୍ଷତ୍ରମାନଙ୍କ ଆବର୍ତନ

ଜନ୍‍ ଏଚ୍‍. ୱାଟ୍‍

୨୩.

ଅଗଣିତ ଗ୍ରହରେ ଜୀବନ

ଅଟୋ ଷ୍ଟ୍ରୁଭେ

୨୪.

ନକ୍ଷତ୍ରମାନେ ଜନ୍ମ ହେବା ପୂର୍ବରୁ

ସୁବମନ୍ୟନ୍ ଚନ୍ଦ୍ରଶେଖର

୨୫.

ଚିରନ୍ତନ ବିଶ୍ଵ

ଫ୍ରେଡ଼୍. ଆର. ହୋଏଲ୍

Image

 

ଭୂମିକା

 

ବିଜ୍ଞାନ ସମ୍ପର୍କରେ ସ୍ଵତନ୍ତ୍ର ତାଲିମ ନଥିବା ଅଥଚ ସେ ସମ୍ପର୍କରେ ଜାଣିବାର ଆଗ୍ରହ ଥିବା ସାଧାରଣ ପାଠକମାନଙ୍କ ଉଦ୍ଦେଶ୍ୟରେ ଏ ପୁସ୍ତକଟି ଲିଖିତ । ଏ ଯୁଗର କେତେଜଣ ପ୍ରଖ୍ୟାତ ବୈଜ୍ଞାନିକଙ୍କର ଜୀବନ-କାହାଣୀ, ସେମାନଙ୍କର ଆବିଷ୍କାର, କୃତିତ୍ୱ ଏବଂ ସେମାନେ କ’ଣ କରୁଛନ୍ତି ଏବଂ କାହିଁକି କରୁଛନ୍ତି–ଏହି ସବୁ ବିଷୟରେ କେତେକ ସୂଚନା ଦେବା ପୁସ୍ତକଟିର ଲକ୍ଷ୍ୟ ।

 

ବିଭିନ୍ନ ବିଭାଗରେ ବିଜ୍ଞାନର ଭୂମିକା ଆଜିକାଲି ଏତେ ବ୍ୟାପକ ହୋଇଗଲାଣି ଯେ, ଏ ପୁସ୍ତକରେ କେଉଁ ବୈଜ୍ଞାନିକମାନଙ୍କୁ ସ୍ଥାନ ଦିଆଯିବ ତାହା ବାଛିବା ଏକ କଷ୍ଟକର ବ୍ୟାପାର ଭାବରେ ଦେଖାଦେଇଥିଲା । ଭୂ-ବିଜ୍ଞାନଠାରୁ ଆରମ୍ଭକରିଆକାଶର ନକ୍ଷତ୍ର ବିଜ୍ଞାନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ବିସ୍ତୃତ ଗବେଷଣା ଚାଲିଛି ଏବଂ ପ୍ରତ୍ୟହ ବହୁ ନୂଆ ନୂଆ ତଥ୍ୟ ଉଦ୍ଭାବିତ ହେଉଛି । ତେଣୁ ଏହିପରି ଏକ କ୍ଷୁଦ୍ର ପୁସ୍ତକର ଖଣ୍ଡି ମଧ୍ୟରେ ସେ ସବୁକୁ ସ୍ଥାନ ଦେବା ସମ୍ଭବ ନୁହେଁ । ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା କେତେଜଣ ପ୍ରତିନିଧି ସ୍ଥାନୀୟ ବୈଜ୍ଞାନିକଙ୍କୁ ଏହି ପୁସ୍ତକ ଲାଗି ବଛାଯାଇଛି, ଯେଉଁମାନଙ୍କର କି ଗତ ୧୦ବର୍ଷ ମଧ୍ୟରେ ନିଜ ନିଜ କ୍ଷେତ୍ରରେ କିଛି କିଛି ବିଶେଷ ଅବଦାନ ରହିଛି କିମ୍ବା ଯେଉଁମାନେ କୌଣସି ନୂତନ ଦିଗନ୍ତର ଉନ୍ମୋଚନ ଲାଗି ପ୍ରଚେଷ୍ଟା ଚଳାଇଛନ୍ତି । ଫଳରେ ଆଲବର୍ଟ ଆଇନଷ୍ଟାଇନଓ ଅନ୍ୟ କେତେକ ନୋବେଲ ପୁରସ୍କାରପ୍ରାପ୍ତ ବିଶିଷ୍ଟ ବୈଜ୍ଞାନିକମାନଙ୍କୁ ଅଗତ୍ୟା ଏଥିରୁ ବାଦ୍ ଦେବାକୁ ହୋଇଛି ।

 

ସୋଭିଏତ୍‍ ଋଷ ବୈଜ୍ଞାନିକ ତଥା ସେମାନଙ୍କର କୃତି ସମ୍ପର୍କରେ କେତେକ ଲେଖା ଏଥିରେ ଲିପିବଦ୍ଧ କରିବା ଉଚିତ ହୋଇଥାନ୍ତା । କିନ୍ତୁ ଦୁର୍ଭାଗ୍ୟର କଥା, ଏହା ସମ୍ଭବ ହେଲାନାହିଁ । କାରଣ ସୋଭିଏତ୍‍ ସରକାରଙ୍କ ନୀତି ଯୋଗୁ ଋଷ ବୈଜ୍ଞାନିକମାନଙ୍କ ସମ୍ପର୍କରେ କିମ୍ବା ସେମାନଙ୍କର କୃତୀ ସମ୍ପର୍କରେ ଆବଶ୍ୟକୀୟ ନିର୍ଭରଯୋଗ୍ୟ ତଥ୍ୟ ଆଦୌ ମିଳେନାହିଁ ।

 

ଏପରିକି ମୁକ୍ତ ଦୁନିଆର ଆଧୁନିକ ବୈଜ୍ଞାନିକ ଓ ସେମାନଙ୍କ କାର୍ଯ୍ୟକଳାପ ସମ୍ପର୍କରେ ମଧ୍ୟ ସାଧାରଣ ପାଠକଙ୍କ ଲାଗି ଖୁବ୍ କମ୍ ଲେଖା ପ୍ରକାଶ ପାଉଛି । ବ୍ରିଟିଶ୍ ଦ୍ଵୀପପୁଞ୍ଜ ବ୍ୟତୀତ ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ କ୍ଷେତ୍ରରେ ଏହା ଅଧିକ ସତ୍ୟ । ତୁଳନାତ୍ମକ ଭାବରେ ବିଚାର କଲେ ଜଣାଯିବ ଯେ, ଇଂରାଜୀ ଭାଷାଭାଷୀ ଦେଶ ଏବଂ ବିଶେଷତଃ ଯୁକ୍ତରାଷ୍ଟ୍ର ଆମେରିକାରେ ଏଦିଗରେ ଅଧିକ ଆଗ୍ରହ ଦେଖାଯାଏ । ଆମେରିକାରେ ପ୍ରଧାନ ବିଶ୍ଵବିଦ୍ୟାଳୟଗୁଡ଼ିକ ଆବଶ୍ୟକୀୟ ତଥ୍ୟ ଯୋଗାଇଦେଇ ଏଦିଗରେ ଖୁବ୍ ସହଯୋଗ କରନ୍ତି ।

 

ସୀମିତ ପରିସରର ସମସ୍ତ ଅସୁବିଧା ସତ୍ତ୍ୱେ ବର୍ତ୍ତମାନର ବୈଜ୍ଞାନିକମାନଙ୍କ ମନରେ ଯେଉଁ ସବୁ ପ୍ରଶ୍ନ ଉଠୁଛି ବା ସେମାନେ ଯେଉଁସବୁ ଜଟିଳ ପ୍ରଶ୍ନର ସମାଧାନ ଦିଗରେ ବ୍ରତୀ, ସେ ସମ୍ପର୍କରେ ସାଧାରଣ ପାଠକକୁ ଏକ ମୋଟାମୋଟି ଧାରଣା ଦେବାରେ ଏ ପୁସ୍ତକଟି ସକ୍ଷମ ହେବ ବୋଲି ଆମର ଆଶା । ବିଜ୍ଞାନର ବୈଚିତ୍ର୍ୟ ଓ ଆବିଷ୍କାରର ଉତ୍ତେଜନାରେ ପାଠକକୁ ଅଭିଭୂତ କରିବାର ଉଦ୍ୟମ ଏଥିରେ କରିଯାଇଛି । ଆମର ଆଶା, ଏହା ଫଳରେ ଆଧୁନିକ ବିଜ୍ଞାନର ଗତିଧାରା ଏବଂ ବିଶ୍ଵର ବୌଦ୍ଧିକ ସୀମାରେଖାକୁ ଅତିକ୍ରମ କରିଆଗେଇ ଚାଲିବା ପାଇଁ ଯେଉଁମାନେ ଏହାକୁ ଉତ୍ସର୍ଗ କରିଛନ୍ତି, ସେମାନଙ୍କ କାର୍ଯ୍ୟକଳାପର ଅନୁଧ୍ୟାନ ପାଠକ ମନରେ ଅଧିକରୁ ଅଧିକ କୌତୂହଳ ସୃଷ୍ଟି ହେବ ।

 

ପୃଥିବୀର କାହାଣୀ

ପ୍ରକୃତିର ସ୍ଵୟଂକ୍ରୀୟ ଉଷ୍ଣଶୀତଳ ପ୍ରକ୍ରିୟା

-ୱିଲିୟମ୍‍ ମରିସ୍ ଇଉଇଂ

 

ଆଜିକୁ ବହୁବର୍ଷ ଧରି ଲୋକେ କହି ଆସୁଛନ୍ତି ଯେ, ପୃଥିବୀର ଜଳବାୟୁ କ୍ରମେ ଅଧିକରୁ ଅଧିକ ଉତ୍ତପ୍ତ ହେଉଛି । ଏପରିକି ପ୍ରାଚୀନ ସମ୍ବାଦପତ୍ରଗୁଡ଼ିକର ପୃଷ୍ଠା ଓଲଟାଇଲେ ଦେଖାଯିବ, ପ୍ରାୟ ୧୫୦ ବର୍ଷ ପୂର୍ବେ ନ୍ୟୁୟର୍କ ବନ୍ଦର ଭିତରକୁ ପ୍ରବେଶ କରିଥିବା ହଡ୍ସନ୍‍ ପରି ଗଭୀର ନଦୀର ସ୍ରୋତ ମଧ୍ୟ ଶୀତକାଳରେ ସମ୍ପୂର୍ଣ୍ଣ ଘନବସ୍ତୁରେ ପରିଣତ ହୋଇ ନିଃଶେଷ ହୋଇଯାଉଥିଲା । କିନ୍ତୁ ଆଜିକାଲି କେହି ସ୍ଵଚକ୍ଷୁରେ ଏ ପ୍ରକାର ଦୃଶ୍ୟ ଦେଖିନାହାନ୍ତି । ଆବିଷ୍କାରକମାନେ କହନ୍ତି ଯେ, ଉତ୍ତରମେରୁ ଅଞ୍ଚଳକୁ ଆଚ୍ଛାଦିତ କରିରହିଥିବା ପ୍ରକାଣ୍ଡ ବରଫରାଶି ପ୍ରତ୍ୟେକ ବର୍ଷ କିଛି ପରିମାଣରେ ତରଳିଯାଉଛି ।

 

ତା’ହେଲେ କ’ଣ ମେଇନେରେ ନିକଟ ଭବିଷ୍ୟତରେ କମଳା ଗଛ ଲଗାଯାଇ ପାରିବ କିମ୍ବା ଇଲିନଏରେ ନଡ଼ିଆ ବା ତାଳଗଛ ବଢ଼ି ଉଠିବା ସମ୍ଭବ ହେବ ? ହୁଏତ ସାଧାରଣତଃ ତାହାହିଁ ମନେ ହେବ । କିନ୍ତୁ ନ୍ୟୁୟର୍କ ଅନ୍ତର୍ଗତ ପଲିସାଡ଼େସ୍‍ଠାରେ ଥିବା କଲମ୍ୱିଆ ବିଶ୍ଵବିଦ୍ୟାଳୟର ଲାମଣ୍ଟ ଭୂତତ୍ତ୍ଵ ଗବେଷଣାଗାରର ବିଶିଷ୍ଟ ଭୂତତ୍ତ୍ୱବିତ୍ ଡକ୍ଟର ଉଇଲିଅମ୍ ମରିସ୍ ଇଉଇଂଙ୍କ ମତରେ ଜଳବାୟୁ କ୍ରମେ ଅଧିକରୁ ଅଧିକ ଉତ୍ତପ୍ତ ହେବାର କାରଣ ଠିକ୍ ଏହାର ଓଲଟା-। ସେ କହନ୍ତି ଯେ, ପୃଥିବୀ ଅନ୍ୟ ଏକ ନୂତନ ବରଫ ଯୁଗରେ ପ୍ରବେଶ କରୁଛି ।

 

ପୃଥିବୀର ଇତିହାସ ଅନୁଧ୍ୟାନ କରୁଥିବା ଭୂତତ୍ତ୍ୱବିତ୍‍ମାନେ ଜାଣନ୍ତି ଯେ, ବିଗତ ୧୦ ଲକ୍ଷ ବର୍ଷ ମଧ୍ୟରେ ପୃଥିବୀର ଏକ ବିରାଟ ଅଂଶ ପ୍ରକାଣ୍ଡ ତୁଷାର ପ୍ରବାହଦ୍ଵାରା ଆଚ୍ଛାଦିତ ହୋଇଗଲାଣି । ପ୍ରତ୍ୟେକଟି ୪ ହଜାର ବର୍ଷ ବିଶିଷ୍ଟ ଚାରୋଟି ଭିନ୍ନ ଭିନ୍ନ ସମୟରେ ଏହା ସଂଘଟିତ ହେଉଛି । ପ୍ରାୟ ୧୦ ଲକ୍ଷ ବର୍ଷ ପୂର୍ବେ ତୁଷାର ପ୍ରବାହର ଏପ୍ରକାର ପ୍ରଥମ ଆକ୍ରମଣ ଆରମ୍ଭ ହୋଇଥିଲା ।

 

ବିଗତ ବରଫଯୁଗରେ ଉତ୍ତର ଆମେରିକାର ଏକ ବିରାଟ ଅଂଶ, ପୂରାପୂରି ଇଂଲଣ୍ଡ ଏବଂ ଉତ୍ତର ୟୁରୋପ ପ୍ରାୟ ଦୁଇମାଇଲ ବହଳାରେ ତୁଷାର ପ୍ରବାହଦ୍ୱାରା ଆଚ୍ଛାଦିତ ହୋଇଯାଇଥିଲା । ପ୍ରକାଣ୍ଡ ବରଫ ଖଣ୍ଡ ପାହାଡ଼ ପର୍ବତର ଅବସ୍ଥିତିକୁ ବଦଳାଇ ଦେଲା ଏବଂ ବିଭିନ୍ନ ଶ୍ରେଣୀର ଜୀବଶକ୍ତିକୁ ଧୂଳିସାତ୍ କରିଦେଲା । ପୁଣି ହଜାର ହଜାର ବର୍ଷ ପରେ ଏହି ବରଫ ଖଣ୍ଡ ଯେତେବେଳେ ତରଳିବାକୁ ଆରମ୍ଭ କଲା, ସେତେବେଳେ ‘ଗ୍ରେଟ୍ ଲେକ୍ସ’, ହଡ୍ସନ୍‍ ଓ ସେଣ୍ଟ୍‍ ଲରେନ୍ସ ନଦୀମାନଙ୍କର ସୃଷ୍ଟି ହେଲା । ଏବେ ଉତ୍ତରମେରୁ ଅଞ୍ଚଳରେ ଏଗୁଡ଼ିକର ସାମାନ୍ୟ ଅବଶେଷ ମାତ୍ର ରହିଛି । ପ୍ରାୟ ୨୫ ହଜାର ବର୍ଷ ପୂର୍ବେ ଏହି ଶେଷ ବରଫ ଯୁଗର ଅବସାନ ଘଟିଥିଲା ବୋଲି ଭୂତତ୍ତ୍ୱବିତ୍‍ମାନେ ଖୁବ୍ ଅଳ୍ପଦିନ ତଳେ ବିଶ୍ଵାସ କରୁଥିଲେ ।

 

ପ୍ରଥମ ବରଫଯୁଗ ପୂର୍ବରୁ ଲକ୍ଷ ଲକ୍ଷ ବର୍ଷ ମଧ୍ୟ ପୃଥିବୀର ଜଳବାୟୁ ସମଶୀତୋଷ୍ଣ ଥିଲା । ପ୍ରାୟ ୧୦ ଲକ୍ଷ ବର୍ଷ ପୂର୍ବେ କିପରି ପ୍ରଥମ ବରଫଯୁଗର ସୃଷ୍ଟି ହେଲା ଏବଂ କାହିଁକି ସେହିକାଳରୁ ପୃଥିବୀ କ୍ରମପର୍ଯ୍ୟାୟରେ ଉତ୍ତପ୍ତ ଜଳବାୟୁ ଓ ବରଫାବୃତ୍ତ ହିମ ଶୀତଳ ପାଗ ମଧ୍ୟଦେଇ ଗତି କରିଆସୁଅଛି ?

 

୧୯୫୮ ସାଲରେ ଡକ୍ଟର ଉଇଲିଅମ୍ ମରିସ୍ ଇଉଇଂ ତାଙ୍କର ଚମକପ୍ରଦ ତଥ୍ୟ ବ୍ୟାଖ୍ୟାନ କରିବା ପର୍ଯ୍ୟନ୍ତ ଏହି ପ୍ରଶ୍ନଟି କେବଳ ପ୍ରଶ୍ନ ଭାବରେହିଁ ରହିଯାଉଥିଲା । କେହି ତା’ର ଉତ୍ତର ଦେଇ ପାରିନଥିଲେ ।

 

ଡଃ ଇଉଇଂ ହେଉଛନ୍ତି ଜଣେ ବିଶିଷ୍ଟ ଭୂତତ୍ତ୍ୱବିତ୍ । ପୃଥିବୀ ଗ୍ରହର ବିବର୍ତ୍ତନ ଓ ପରିବର୍ତ୍ତନକୁ ନିୟନ୍ତ୍ରଣ କରୁଥିବା ପ୍ରାକୃତିକ ଶକ୍ତି ସମ୍ପର୍କରେ ଅଧ୍ୟୟନ କରିବା ତାଙ୍କର କାମ । ପୃଥିବୀର ଭୂଭାଗର ଚାରିଭାଗରୁ ତିନିଭାଗ ଅଂଶ ଜଳାବୃତ୍ତ ହୋଇଥିବାରୁ ସେ ଅଧିକାଂଶ ସମୟ ସମୁଦ୍ରତୀରରେ ହିଁ କଟାନ୍ତି । ସ୍ରୋତର ଗତିବିଧି ପର୍ଯ୍ୟବେକ୍ଷଣ ଏବଂ ସମୁଦ୍ରର ଅତଳ ଗର୍ଭରୁ ବିଭିନ୍ନ କିସମର ନମୁନା ନେଇ ଭେମା (vema) ନାମକ ନିଜର ପାଲତୋଲା ଜାହାଜରେ ଗବେଷଣା ଚଳାଇବାରେ ସେ ସର୍ବଦା ବ୍ୟସ୍ତ ।

 

ତାଙ୍କ ଗବେଷଣାର ରୀତି ମଧ୍ୟ ଅଦ୍ଭୁତ । ଉତ୍ତରମେରୁର ତୁଷାର ପ୍ରବାହ ସମ୍ପର୍କରେ ଗ୍ରୀଷ୍ମମଣ୍ଡଳସ୍ଥିତ କାରିବିଆନ ସମୁଦ୍ର ଅଞ୍ଚଳର ସେ ଅଧ୍ୟୟନ ଚଳାଇଥିଲେ । ଅବଶ୍ୟ ସେଠାରେ ସେ ତୁଷାର ପ୍ରବାହ ଖୋଜି ନଥିଲେ । ୧୯୫୬ ସାଲରେ ଡଃ ଇଉଇଂ ଓ ସମୁଦ୍ର ଗବେଷଣାକାରୀ ଆଉ କେତେଜଣ ବୈଜ୍ଞାନିକ “କୋରର୍” ନାମକ ଏକ ନୂତନ ମେସିନ୍ ସାହାଯ୍ୟରେ କାରିବିଆନ୍ ଉପକୂଳର ପ୍ରବଳ ଗ୍ରୀଷ୍ମ ମଧ୍ୟରେ ନିଜର ଗବେଷଣା ଚଳାଇଥିଲେ । ଏହି ମେସିନ ଦ୍ଵାରା ସମୁଦ୍ରର ନିମ୍ନଦେଶରେ ଥିବା ବାଲି ଓ ଅନ୍ୟାନ୍ୟ କଠିନ ଅଞ୍ଚଳ ଖନନ କରିତଳେ କୋଟି କୋଟି ବର୍ଷଧରି ଅପରିବର୍ତ୍ତିତ ଅବସ୍ଥାରେ ଥିବା ବିଭିନ୍ନ ଧରଣର କଠିନସ୍ତର ସମୂହରୁ ଉପରକୁ ନମୁନାମାନ ଆଣି ସେମାନେ ପରୀକ୍ଷା କରୁଥିଲେ ।

 

ଏହି ପ୍ରକ୍ରିୟାରେ ‘‘କୋରର” ସାହାଯ୍ୟରେ ଏପରି ଏକ ତଥ୍ୟ ଉଦ୍‍ଘାଟିତ ହେଲା, ଯାହା କି କେହି କେବେ ଆଶା କରିନଥିଲେ । କାରିବିଆନ୍ ସମୁଦ୍ରର ନିମ୍ନଦେଶରେ ପ୍ରାୟ ଏକଫୁଟ ତଳେ ହଠାତ୍ ଆଉ ପାଟଳ ବର୍ଣ୍ଣର କଠିନ ସ୍ତର ଦେଖାଗଲା ନାହିଁ । ତା’ ପରିବର୍ତ୍ତେ ଗାଢ଼ ଧୂସର ରଙ୍ଗର ସ୍ତର ବାହାରିଲା । ଏହି ଧୂସର ବର୍ଣ୍ଣର ତାତ୍ପର୍ଯ୍ୟ ହେଉଛି, ଶୀତଳ ଜଳବାୟୁର (“Cold-water life”) ସୂଚନା

 

ଡଃ ଇଉଇଂ ହତବାକ୍ ହୋଇଗଲେ । ଗ୍ରୀଷ୍ମମଣ୍ଡଳସ୍ଥିତ କାରିବିଆନ୍ ଅଞ୍ଚଳରେ ଶୀତ ଜଳବାୟୁର ଜୀବଜନ୍ତୁ କ’ଣ କରୁଥିଲେ ? ସେ ଅନୁମାନ କଲେ ଯେ, ଏଠାର ଜଳ ନିଶ୍ଚୟ ଏକ ସମୟରେ ଖୁବ୍ ଶୀତଳ ହୋଇଥିବ । କିନ୍ତୁ ଏପରି ହଠାତ୍ ତାହା ବଦଳିଗଲା କିପରି ? କେବେ ଏହା ବଦଳିଲା ? ଏହି ସବୁ ପ୍ରଶ୍ନ ତାଙ୍କୁ ବିଶେଷ ଭାବରେ ବିଚଳିତ କରିପକାଇଲା ।

 

“କୋରର୍” ସାହାଯ୍ୟରେ ସଂଗୃହୀତ ନମୁନା ରସାୟନବିତ୍ ଡଃ ଉଇଲାଡ଼୍ ଲିବିଙ୍କ ଗବେଷଣାଗାରକୁ ପରୀକ୍ଷାଲାଗି ପଠାଗଲା । ସେଠାରେ ତେଜଷ୍କ୍ରିୟ କାର୍ବନ୍ ସାହାଯ୍ୟରେ ଏହି ନମୁନାଗୁଡ଼ିକର ପ୍ରାଚୀନତା କଳନା ଲାଗି ଅତ୍ୟାଧୁନିକ ପ୍ରଣାଳୀରେ ପରୀକ୍ଷା କରାଗଲା (ପରବର୍ତ୍ତୀ ପରିଚ୍ଛେଦରେ ଏ ସମ୍ପର୍କରେ ବିଶଦଭାବରେ ବର୍ଣ୍ଣନା କରାଯିବ) । ଏହି ପରୀକ୍ଷାରୁ ଜଣାଗଲା ଯେ, ପ୍ରାୟ ୧୧ହଜାର ବର୍ଷ ପୂର୍ବେ ଏହି ପରିବର୍ତ୍ତନ ସଂଘଟିତ ହୋଇଥିଲା ।

 

ଏହାପରେ ପରେ ପାଣି କିପରି ଥଣ୍ଡାରୁ ଗରମ ହୁଏ ତା’ର ତଥ୍ୟ ଉଦ୍‍ଘାଟନ୍‍ କରିବା ଲାଗି ଡଃ ଇଉଇଂ ସ୍ଥିର କଲେ । ପରବର୍ତ୍ତୀ ଦୁଇବର୍ଷ ସେ ଓ ଜଳବାୟୁ ଅଧ୍ୟୟନ କ୍ଷେତ୍ରରେ ଜଣେ ବିଶେଷଜ୍ଞ ଡଃ ଇଉଲିଅମ୍ ଏଲ୍. ଡନ ମିଳିତଭାବେ ତଥ୍ୟ ଉପସ୍ଥାପିତ କରି, ନାନା କିସମର ନମୁନା ସଂଗ୍ରହ କରିଏବଂ ଉତ୍ତରମେରୁ ଆବିଷ୍କାରକମାନଙ୍କଦ୍ୱାରା ଉଦ୍‌ଘାଟିତ ତଥ୍ୟ ଅନୁଧ୍ୟାନ କରିସେମାନଙ୍କର ସିଦ୍ଧାନ୍ତ କଲେ ।

 

ସେମାନେ ଜାଣିପାରିଲେ ଯେ, ପ୍ରତ୍ୟେକ ବର୍ଷ ପୃଥିବୀର ମହାସାଗରଗୁଡ଼ିକ କ୍ରମେ କିଛି ପରିମାଣରେ ଅଧିକରୁ ଅଧିକ ଉଷ୍ଣ ହେଉଛି । ଏହା ଉଷ୍ଣତା ବୃଦ୍ଧିଯୋଗୁ ଉତ୍ତରମେରୁର ଜମାଟବନ୍ଧା ତୁଷାର କ୍ରମେ ତରଲୁଛି ଏବଂ ଏହି ତରଳିବା ସଙ୍ଗେ ସଙ୍ଗେହିଁ ସମୁଦ୍ରର ପତନ କ୍ରମାଗତ ଭାବରେ ବଢ଼ିଚାଲିଛି । ଆକାଶବକ୍ଷରୁ ଝରିପଡ଼ି ଥିବା ବରଫରାଶିର ସମ୍ମିଶ୍ରଣରେହିଁ ତୁଷାରପ୍ରବାହର ସୃଷ୍ଟି । କିନ୍ତୁ ଆଜି ଉତ୍ତରମେରୁ ଅଞ୍ଚଳରେ ଆଦୌ ବରଫପାତ ହେଉନାହିଁ ବୋଲି କହିଲେ ଚଳେ । କାରଣ ଏକ ଖୋଲା ଜଳଭଣ୍ଡାରରୁ ନିର୍ଗତ ଆର୍ଦ୍ରତା ବାୟୁମଣ୍ଡଳରେ ମିଶିଲେ ଯାଇ ବରଫପାତ ହୋଇଥାଏ । ଉତ୍ତରମେରୁର ବରଫପାତ କେଉଁ ଅନାଦି କାଳରୁ ଜମାଟ ବାନ୍ଧିଗଲାଣି । କିନ୍ତୁ–ଯଦି ଉତ୍ତରମେରୁ ତରଳିବା ଆରମ୍ଭ କରି ଏକ ବିରାଟ ସମୁଦ୍ରରେ ପରିଣତ ହୁଏ ?

 

ଏ ସମ୍ପର୍କରେ ଆଉ ତିନୋଟି ଅଧିକା ତଥ୍ୟ ମଧ୍ୟ ଜଣାପଡ଼ିଛି : (୧) ଭୂତତ୍ତ୍ୱବିତ୍‍ମାନେ ନିକଟରେ ଆବିଷ୍କାର କରିଛନ୍ତି ଯେ, ବିଗତ ବରଫ ଯୁଗରେ ଉତ୍ତରମେରୁ ଜମାଟ ବାନ୍ଧି ରହିବା ପରିବର୍ତ୍ତେ ଏକ ପ୍ରକାଣ୍ଡ ଖୋଲା ଜଳଭଣ୍ଡାର ଭାବରେ ରହିଥିଲା ।

 

(୨) ନର୍‍ୱେ ଓ ଗ୍ରୀନ୍‍ଲାଣ୍ଡ ମଧ୍ୟରେ ଥିବା ଏକ ସ୍ୱଳ୍ପଗଭୀର ପଥ ଉତ୍ତରମେରୁକୁ ପୃଥିବୀର ଅନ୍ୟାନ୍ୟ ସମୁଦ୍ର ସହିତ ସଂଯୋଗ କରୁଛି । ଏହାର ଗଭୀରତା ପ୍ରାୟ ୩୦୦ ଫୁଟ ହେବ । ଉତ୍ତରମେରୁରେ ପହଞ୍ଚୁଥିବା ଯେ କୌଣସି ଉଷ୍ଣ ଜଳପ୍ରବାହ ନିଶ୍ଚୟ ଏହି ପଥ ଦେଇ ଯିବ-

 

(୩) ବିଗତ ବରଫଯୁଗ ଯେତେବେଳେ ଶୀର୍ଷ ଅବସ୍ଥାରେ ପହଞ୍ଚିଥିଲା ସେତେବେଳେ ଭୂତତ୍ତ୍ୱବିତ୍‍ମାନେ ସମଗ୍ର ପୃଥିବୀରେ ମହାସମୁଦ୍ରଗୁଡ଼ିକର ଜଳପତ୍ତନ କମିଯାଇଥିଲା ବୋଲି ପ୍ରକାଶ କରିଥିଲେ । କିନ୍ତୁ କେତେ ? ୩୦୦୦ ରୁ ୪୦୦ ଫୁଟ ପର୍ଯ୍ୟନ୍ତ !

 

ଡଃ ଇଉଇଂ ଯେଉଁ ତଥ୍ୟ ପାଇଁ ଖୋଜି ବୁଲୁଥିଲେ ତା’ର ମୂଳମନ୍ତ୍ର ପାଇଗଲେ । ୧୯୫୮ ସାଲରେ ଓ ଡଃ ଡନ୍ ସେମାନଙ୍କ ଦ୍ୱାରା ଆବିଷ୍କୃତ ତଥ୍ୟ ପୁଥିବୀ ସମକ୍ଷରେ ଉପସ୍ଥାପିତ କଲେ । ସେମାନଙ୍କ ମତରେ, ପୃଥିବୀ ବର୍ତ୍ତମାନ ଦୁଇଟି ବରଫଯୁଗର ମଧ୍ୟବର୍ତ୍ତୀ ଉଷ୍ଣଯୁଗର ଶେଷଭାଗରେ ଆସି ପହଞ୍ଚିଲାଣି । ଉତ୍ତରମେରୁକୁ ଆସ୍ୱାଦନ କରିଥିବା ବରଫରାଶି ତରଳିବାକୁ ଆରମ୍ଭ, କଲାଣି ଏବଂ ଯେ କୌଣସି ସମୟରେ ଏହା ନିଃଶେଷ ହୋଇ ଯାଇପାରେ । ପରବର୍ତ୍ତୀ ଶହେବର୍ଷ ମଧ୍ୟରେ ଏହା ଘଟିବା ପ୍ରାୟ ନିଶ୍ଚିତ ବୋଲି ସେମାନଙ୍କର ମତ । ଉତ୍ତରମେରୁ ଏକ ଖୋଲା ସମୁଦ୍ରରେ ପରିଣତ ହେବାପରେ ପୁଣି ବରଫପାତ ଆରମ୍ଭ ହୋଇଯିବ-ଏହି ଜମାଟବନ୍ଧା ବରଫ ତରଳିବ ନାହିଁ । ଏହା ଫଳରେ ଯେଉଁ ପ୍ରକାଣ୍ଡ ତୁଷାର ପ୍ରବାହଗୁଡ଼ିକର ସୃଷ୍ଟି ହେବ, ତାହା ଦକ୍ଷିଣ ଦିଗକୁ ଗତିକରି ଆଗାମୀ ଅଳ୍ପ କେତେ ଶତାବ୍ଦୀ ମଧ୍ୟରେ ନ୍ୟୁୟର୍କ, ଲଣ୍ଡନ ଓ ପ୍ୟାରିସରେ ପହଞ୍ଚିବ । ସମଗ୍ର ପୃଥିବୀର ଜଳବାୟୁ ଶୀତଳ ହୋଇଯିବ ।

 

କିନ୍ତୁ ତରଳ ପଦାର୍ଥକୁ ଇଚ୍ଛାମତେ ଥଣ୍ଡା ବା ଗରମ ରଖିବା କ୍ଷେତ୍ରରେ ପ୍ରକୃତିର ଏକ ସ୍ଵୟଂକ୍ରିୟ ପ୍ରକ୍ରିୟା ରହିଛି ବୋଲି ସେମାନେ କହନ୍ତି । ତୁଷାର ପ୍ରବାହର ବୃଦ୍ଧି ସଙ୍ଗେ ସଙ୍ଗେ ଜଳ ବରଫଖଣ୍ଡରେ ପରିଣତ ହୋଇଯିବ ଏବଂ କ୍ରମେ ସମୁଦ୍ରର ପତନ ହ୍ରାସ ପାଇବ । ଏପରିକି ଅବଶେଷରେ ନରୱେ ଏବଂ ଗ୍ରୀନ୍‍ଲାଣ୍ଡ ମଧ୍ୟରେ ୩୦୦ ଫୁଟ ଗଭୀରତା ସମ୍ପନ୍ନ ଯେଉଁ ଗିରିପଥ ଅଛି ତା’ ତଳକୁ ମଧ୍ୟ ଜଳପତନ ଖସି ଆସିବ । ଏହା ଫଳରେ ଆଟଲାଣ୍ଟିକ ଅଞ୍ଚଳରେ ଆପେ ଆପେ ଉଷ୍ଣ ଜଳପ୍ରବାହ ରହିବ ଏବଂ ପୁଣି ହଠାତ୍ ଉତ୍ତରମେରୁ ଜମାଟ ବାନ୍ଧିଯିବ । ବରଫପାତ ବନ୍ଦ ହୋଇଯିବ, ତୁଷାର ପବାହ ଖେଳିବାକୁ ଆରମ୍ଭ କରିବ ଏବଂ ପୁଣିଥରେ ପୃଥିବୀର ଅବଶିଷ୍ଟାଂଶ ଉଷ୍ଣ ହେବ । ଆଉ ଗୋଟିଏ ବରଫଯୁଗ ଆସି ଚାଲିଯିବ ।

 

ଶେଷଥର ପାଇଁ କେବେ ପ୍ରଥମେ ଏହି ପ୍ରକ୍ରିୟା ସଙ୍ଘଟିତ ହୋଇଥିଲା ? ଇଉଇଂ ଓ ଡନଙ୍କ ମତରେ ପ୍ରାୟ ୧୧ ହଜାର ବର୍ଷ ପୂର୍ବେ ଏହା ହୋଇଥିଲା । ସେତିକିବେଳେ କାରିବିଆନ୍ ସମୁଦ୍ର ହଠାତ୍ ଉଷ୍ଣ ହୋଇଉଠିଲା ।

 

ଏହି ପ୍ରକ୍ରିୟା କିପରି ଆରମ୍ଭ ହେଲା ? ପ୍ରାୟ ୧୦ ଲକ୍ଷ ବର୍ଷ ଆଗେ ପ୍ରଥମ ବରଫ ଯୁଗର ସୂତ୍ରପାତ ହେବା ପୂର୍ବରୁ ପୃଥିବୀର ଜଳବାୟୁ କାହିଁକି ସମଶୀତୋଷ୍ଣ ଥିଲା ? ଡଃ ଇଉଇଂ ବିଶ୍ଵାସ କରନ୍ତି ଯେ, ମୂଳରୁ ସୁମେରୁ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଏବଂ ଦକ୍ଷିଣମେରୁ ଆଟଲାଣ୍ଟିକ ମହାସାଗର ଅଞ୍ଚଳରେ ଅବସ୍ଥିତ ଥିଲା । ଫଳରେ ତୁଷାର ପ୍ରବାହ ସୃଷ୍ଟିର ଅବକାଶ ନଥିଲା । ତାଙ୍କର ଅନୁମାନ ଯେ, ପ୍ରାୟ ୧୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀର କଠିନ ବାହ୍ୟ ଆବରଣ ବା ଭୂତ୍ଵକ୍ ହଠାତ୍ ପରିବର୍ତ୍ତନ ହୋଇଗଲା ଯାହାଫଳରେ କି ସୁମେରୁ ଅଞ୍ଚଳରେ ଉତ୍ତରମେରୁ ଏବଂ କୁମେରୁ ଅଞ୍ଚଳରେ ଦକ୍ଷିଣମେରୁ ଅବସ୍ଥାପିତ ହୋଇଗଲା । ନିକଟରେ ଅନ୍ୟ ବୈଜ୍ଞାନିକମାନେ ମଧ୍ୟ ଜାଣିପାରିଛନ୍ତି ଯେ, ସେହି ସମୟରେ ମେରୁଗୁଡ଼ିକର ସ୍ଥିତିରେ ପରିବର୍ତ୍ତନ ଘଟିଲା ।

 

ଡଃ ଇଉଇଂଙ୍କର ଜନ୍ମ ୧୯୦୬ ସାଲରେ ଟେକ୍ସାସ ଅନ୍ତର୍ଗତ ଲକନେଠାରେ । ସ୍ୱାସ୍ଥ୍ୟବାନ୍ ଏବଂ ୬ ଫୁଟ ଉଚ୍ଚତା ସମ୍ପନ୍ନ ଏହି ପ୍ରସିଦ୍ଧ ବୈଜ୍ଞାନିକଙ୍କ ପିତା ଜଣେ କୃଷକ ଥିଲେ । ଟେକ୍ସାସ୍ ଓ ଲୁଇସିଆନାରେ ଚାକିରୀ କରି ସେ ପାଠ ପଢ଼ିଥିଲେ । ପରେ ପେନ୍‍ସିଲ୍‍ଭାନିଆର ବେଥେଲହୋମ ଅନ୍ତର୍ଗତ ଲେହାଇ ବିଶ୍ଵବିଦ୍ୟାଳୟରେ ସେ ଭୂତତ୍ତ୍ଵ-ବିଦ୍ୟା ଅଧ୍ୟୟନ କରିଥିଲେ । ସେଠାରେ ଥିବା ଚୁନପଥର ଖଣିଗୁଡ଼ିକରେ ଡଃ ଇଉଇଂ ଲକ୍ଷ୍ୟ କଲେ ଯେ, ବାଲି, ମାଟି ଓ ପଥର ମଧ୍ୟରେ ବିସ୍ଫୋରଣର ଶବ୍ଦ ଭିନ୍ନ ଭିନ୍ନ ବେଗରେ ଗତିକରେ । ଏଇଥିରୁ ପୃଥିବୀର ଗଠନପ୍ରଣାଳୀ ସମ୍ପକରେ ଅନୁଧ୍ୟାନ ଉଦ୍ଦେଶ୍ୟରେ ସେ ଏକ ନୂତନ ଉପାୟ ଉଦ୍ଭାବନ ଲାଗି ଅନୁପ୍ରାଣିତ ହେଲେ । ବର୍ତ୍ତମାନ ଭୂତତ୍ତ୍ଵବିତ୍ମାନେ ଏହି ଉପାୟର ବିଶେଷ ସୁଯୋଗ ନେଉଛନ୍ତି ।

 

୧୯୪୦ରେ ଦ୍ଵିତୀୟ ମହାଯୁଦ୍ଧ ସମୟରେ ସେ ଜାହାଜଗୁଡ଼ିକୁ ସଂକେତ ଦେବାଲାଗି ପାଣି ଭିତରେ ଏକପ୍ରକାର ସ୍ଵୟଂକ୍ରିୟ ବିସ୍ଫୋରଣ ଦ୍ଵାରା ଶବ୍ଦ ସୃଷ୍ଟିର ଉପାୟ ବାହାର କରିଥିଲେ । ଏଥିପାଇଁ ନୌବାହିନୀର ‘ସର୍ବୋଚ୍ଚ ସମ୍ମାନ ଓ ପୁରସ୍କାର ତାଙ୍କୁ ମିଳିଥିଲା । ମହାଯୁଦ୍ଧ ପରେ ଡଃ ଇଉଉଂ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଯୋଗଦେଲେ ଏବଂ ୧୯୪୯ ସାଲରେ ପୃଥିବୀର ଗଠନପ୍ରାଣଳୀ ସମ୍ପର୍କରେ ଅଧିକ ଗବେଷଣା ଚଳାଇବା ଉଦ୍ଦେଶ୍ୟରେ ଲାମଣ୍ଟ ଭୂତତ୍ତ୍ଵ ପର୍ଯ୍ୟବେକ୍ଷଣାଗାର ସ୍ଥାପନ କଲେ ।

 

୧୯୫୪ ସାଲରେ ବିଜ୍ଞାନର ଅଗ୍ରଗତି ପାଇଁ କାର୍ଯ୍ୟ କରିଥିବାବେଳେ ଡଃ ଇଉଇଂ ଅଳ୍ପକେ ନିଜେ ମୃତ୍ୟୁମୁଖରୁ ରକ୍ଷା ପାଇପାଇଥିଲେ । ସେ ତାଙ୍କର ପାଲାଟଣା ଜାହାଜ ‘‘ଭେମା”(Vema)ରେ ସମୁଦ୍ର ଭିତରେ ଗବେଷଣା ଉଦ୍ଦେଶ୍ୟରେ ବୁଲୁଥାନ୍ତି । ଏହି ସମୟରେ ବର୍ମୁଡ଼ା ନିକଟରେ ଜାହାଜଟି ଏକ ପ୍ରବଳ ଝଡ଼ ମଧ୍ୟରେ ପଡ଼ିଗଲା । ଜାହାଜରେ ଥିବା ବହୁ ମଲ୍ୟବାନ ଯନ୍ତ୍ରପାତିକୁ ସମ୍ଭାଳି ରଖିବା ଅସମ୍ଭବ ହୋଇ ପଡ଼ିଲା । ଡଃ ଇଉଇଂ, ତାଙ୍କର ଭାଇ ଜନ୍ (ସେ ମଧ୍ୟ ଲାମଣ୍ଟର ଜଣେ ବୈଜ୍ଞାନିକ) ଓ ଦୁଇଜଣ ଜାହାଜଚାଳକ ଏହି ଯନ୍ତ୍ରପାତିଗୁଡ଼ିକୁ ରକ୍ଷାକରିବାଲାଗି ଆପ୍ରାଣ ଚେଷ୍ଟା ଚଳାଇଲେ; କିନ୍ତୁ ସମସ୍ତେ ସ୍ରୋତମୁଖରେ ପଡ଼ିଗଲେ । ସୌଭାଗ୍ୟକ୍ରମେ ପ୍ରାୟ ୪୦ମିନିଟ୍ ପରେ ଏମାନଙ୍କୁ ଉଦ୍ଧାର କରାଗଲା । ଏହି ପ୍ରଚଣ୍ଡ ଆଘାତ ଫଳରେ ଡଃ ଇଉଈଂଙ୍କୁ ପ୍ରାୟ ଦୁଇ ସପ୍ତାହ କାଳ ଅଚଳ ହୋଇ ପଡ଼ିରହିବାକୁ ହୋଇଥିଲା ।

 

ଦୁଃସାହସିକ କାର୍ଯ୍ୟରେ ଡଃ ଇଉଇଂ ଅଭ୍ୟସ୍ତ । ମହାସମୁଦ୍ରର ଅନାବିଷ୍କୃତ ସତ୍ୟର ସନ୍ଧାନରେ ପୃଥବୀର ଅଧିକାଂଶ ଅଞ୍ଚଳ ସେ ଏହି ‘‘ଭେମା’ ଜାହାଜରେହିଁ ପରିକ୍ରମା କରିଛନ୍ତି । କିନ୍ତୁ ଆଜିକାଲି ତାହା ତାଙ୍କ ପକ୍ଷରେ ଯଥେଷ୍ଟ ନୁହେଁ । ବର୍ତ୍ତମାନ ତାଙ୍କ ନେତୃତ୍ଵରେ ଗୋଟିଏ ବୈଜ୍ଞାନିକ ଦଳ ଏପରି ଏକ ଭୂମିକମ୍ପ ପରିମାପକ “ସିସ୍ମୋଗ୍ରାଫ” (Seismograph) ଯନ୍ତ୍ର ଉଦ୍ଭାବନରେ ଲାଗିଛନ୍ତି, ଯାହାକି ଚନ୍ଦ୍ରଲୋକର କମ୍ପନ ପରିମାପ କରିବା ଉଦ୍ଦେଶ୍ୟରେ ନିକଟ ଭବିଷ୍ୟତରେ ଚନ୍ଦ୍ରଲୋକକୁ ପ୍ରେରଣ କରାଯିବ ।

 

ପାଇପ୍‍ରୁ ଧୂଆଁ ଟାଣି ଟାଣି ଡଃ ଇଉଇଂ କହନ୍ତି, “ଜଣେ ସଚ୍ଚୋଟ ବିଦ୍ଵାନର ଦୃଷ୍ଟିକୋଣ କେବେହେଲେ ସଂକୀର୍ଣ୍ଣ ହୋଇ ନପାରେ ।”

Image

 

ୱିଲିୟମ୍‍ ମରିସ୍ ଇଉଇଂ

ସମୁଦ୍ରର ରହସ୍ୟ

ରୋଜର ଆର୍.ରିଭେଲି

 

୧୯୫୨ ସାଲର ଡିସେମ୍ବର ମାସ । ଦୁଇଟି ଛୋଟ ଜାହାଜରେ ବାହାରି ବୈଜ୍ଞାନିକମାନେ ପ୍ରଶାନ୍ତ ମହାସାଗରର ଦକ୍ଷିଣ ଅଞ୍ଚଳରେ ପରିକ୍ରମା କରୁଥାନ୍ତି । ଏହି ଅଞ୍ଚଳଟି ଫିଜିର ପୂର୍ବବର୍ତ୍ତୀ ଟଙ୍ଗାଟାଟା ନାମକ ଏକ କ୍ଷୁଦ୍ରଦ୍ଵୀପଠାରୁ ପ୍ରାୟ ୧୮୦ ମାଇଲ ଦୂରରେ ଅବସ୍ଥିତ-। ଏମାନେ ପାଣି ଭିତରକୁ ବୋମା ନିକ୍ଷେପ କରୁଥାନ୍ତି । ଖୁବ୍ ଅଳ୍ପ ସମୟର ବ୍ୟବଧାନରେ ଗୋଟିଏ ଜାହାଜର ଲୋକେ ବିସ୍ଫୋରଣ କରୁଥାନ୍ତି ଏବଂ ଅନ୍ୟ ଜାହାଜର ଲୋକେ ସମୁଦ୍ରପୃଷ୍ଠରୁ ୬୦/୭୦ ଫୁଟ ତଳେ ରହି ତା’ର ପ୍ରତିଧ୍ଵନୀ ଶୁଣୁଥାନ୍ତି ।

 

‘‘ହୋରାଇଜନ୍”(Horizon) ଓ “ସ୍ପେନ୍ସର ଏଫ୍.ବେଡ଼୍”(Spencer F. Baird) ନାମକ ଏହି ଦୁଇଟି ଜାହାଜକୁ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ବ୍ୟବହାର ଲାଗି କାଲିଫର୍ଣ୍ଣିଆର ସାନ୍ ଡିଏଗୋଠାରୁ ଅଣାଯାଇଥିଲା । ପ୍ରଶାନ୍ତ ମହାସାଗରସ୍ଥିତ “ଟଙ୍ଗାଟ୍ରେଞ୍ଚ”ର (Tonga Trench) ଅତଳ ଗହ୍ଵର କେବେ ଆଗରୁ ସର୍ଭେ ହୋଇନଥିଲା । ତେଣୁ ଏହି ସର୍ଭେ କରାଇ ବିସ୍ଫୋରଣର ଶବ୍ଦକୁ ଧରି ରଖିବାଥିଲା ଏହାର ଉଦ୍ଦେଶ୍ୟ । ଏହି ଅଭିଯାନ ମକରକ୍ରାନ୍ତି ଅଭିଯାନ ଭାବରେ ସୁବିଦିତ । ଏହାର ନେତୃତ୍ୱ ନେଇଥିଲେ ରୋଜର୍ ଆର୍ ରେଭିଲି-ସୁଦୃଶ୍ୟ ଏବଂ ୬ଫୁଟ ୪ଇଞ୍ଚ ଉଚ୍ଚତା ବିଶିଷ୍ଟ ଜନୈକ ବିଶିଷ୍ଟ ବୈଜ୍ଞାନିକ । ବୈଜ୍ଞାନିକ ଉପାୟରେ ସମୁଦ୍ର ସମ୍ବନ୍ଧୀୟ ବିବରଣୀ ସଂଗ୍ରହକାରୀମାଙ୍କ ମଧ୍ୟରେ ସେ ଅନ୍ୟତମ । ସେ ଥିଲେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଭିତ୍ତିରେ ସମୁଦ୍ର ବିବରଣୀ ସଂଗ୍ରହ ସମ୍ପର୍କୀୟ ସ୍କ୍ରିପ୍ସ ଅନୁଷ୍ଠାନର ଡିରେକ୍ଟର ।

 

ଡଃ ରେଭିଲି ହେଉଛନ୍ତି ଏକାଧାରରେ ସମୁଦ୍ର ବିବରଣୀ-ସଂଗ୍ରହକାରୀ, ଉତ୍ତମ ନାବିକ, ଭୂତତ୍ତ୍ୱବିତ୍, ସାମୁଦ୍ରିକ ଜୀବତତ୍ତ୍ୱବିଦ୍, ଭୂଗୋଳବିଦ୍, ପାଣିପାଗତତ୍ତ୍ୱବିଶାରଦ, ଶକ୍ତିଶାଳୀ ବକ୍ତା ଏବଂ ଲେଖକ । ଜଣେ ସୁଲେଖକ ଭାବରେ ସଂକ୍ଷେପରେ ଅଳ୍ପ କେତୋଟି ଶବ୍ଦ ମଧ୍ୟରେ ସେ ବହୁ ଅର୍ଥ ପ୍ରକାଶ କରିପାରନ୍ତି ।

 

ଅନ୍ୟାନ୍ୟ ସମୁଦ୍ର ବିବରଣୀ ସଂଗ୍ରହକାରୀଙ୍କ ପରି ରେଭେଲି ବିଶ୍ୱାସ କରନ୍ତି ଯେ, ଆମେ ବିଭିନ୍ନ ଗ୍ରହ ଉପଗ୍ରହ ଆବିଷ୍କାର କରିବାପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଯେଉଁ ପୃଥିବୀରେ ବାସ କରୁଛୁ ତା ବିଷୟରେ ଅଧିକ ତଥ୍ୟ ଜାଣିବା ଲାଗି ଉଦ୍ୟମ କରିବା ଉଚିତ-। ଏହି ପୃଥିବୀର ପ୍ରାୟ ତିନିଭାଗ ପାଣି ତଳେ ରହିଛି । ଏହି ମହାସମୁଦ୍ର ଯେଉଁଠାରୁ କି ସମସ୍ତ ଜୀବନ ପ୍ରଥମେ ସୃଷ୍ଟି ହେଉଥିଲା ସେଠାରେ ମଣିଷ ତା’ର ବୃହତ୍ତମ ସମ୍ପଦ ଅର୍ଥାତ୍ ଖଣିଜ ପଦାର୍ଥ, ଖାଦ୍ୟ, ଶକ୍ତି ଏବଂ ଜଳବାୟୁକୁ ଆୟତ୍ତ କଲାଭଳି ସମସ୍ତ ଉପାୟ ଖୋଜି ପାଇପାରେ । ମାତ୍ର ଏହି ସମୁଦ୍ର ଏବେ ମଧ୍ୟ ଏକ ପ୍ରହେଳିକା ଭଳି ରହିଛି । ନ୍ୟୁୟର୍କ ଓ ଲଣ୍ଡନ ଭିତରେ ଯେତେ ପର୍ବତ ରହିଛି ନ୍ୟୁୟର୍କ ଓ ସାନ୍‍ଫ୍ରାନ୍ସିସ୍କୋ ଭିତରେ ତା’ ଅପେକ୍ଷା ବହୁ ଅଧିକ ସଂଖ୍ୟକ ପର୍ବତ ଅଛି କିନ୍ତୁ ସେଗୁଡ଼ିକ ସମୁଦ୍ର ଭିତରେ ରହିଥିବାରୁ ତାର ବିବରଣୀ ସଂଗ୍ରହ କରାଯାଇ ପାରିନାହିଁ । ରେଭେଲି କହନ୍ତି ଯେ, ‘‘ହଜାର ବର୍ଷ ପୂର୍ବେ ପୃଥିବୀ ଯେଉଁ ପରିମାଣରେ ଅନାବିଷ୍କୃତ ଅବସ୍ଥାରେ ରହିଥିଲା ବର୍ତ୍ତମାନ ପ୍ରଶାନ୍ତ ମହାସାଗର ସେହିଭଳି ରହସ୍ୟାବୃତ୍ତ ଓ ଅନାବିଷ୍କୃତ ଅବସ୍ଥାରେ ରହିଛି-।’’

 

ଡଃ ରେଭେଲି ୱାଶିଂଟନ୍‍ର ସିଟ୍ଲିଠାରେ ୧୯୦୯ ସାଲରେ ଜନ୍ମଗ୍ରହଣ କରିଥିଲେ । ପୃଥିବୀ ଓ ଜୀବନ ବିଷୟରେ ଜାଣିବାପାଇଁ ତାଙ୍କର ବିଶେଷ କୌତୂହଳ ଥିଲା । ତେଣୁ ସେ ହାଇସ୍କୁଲରେ ବିଜ୍ଞାନ ଅଧ୍ୟୟନ କଲେ । ୧୯୨୯ ସାଲରେ ରେଭେଲି କାଲିଫର୍ଣ୍ଣିଆର ପୋମୋନା କଲେଜରୁ ବି. ଏ. ପାସ୍ କଲେ । ତା’ପରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ବର୍କଲେଠାରେ ଥିବା ଗବେଷଣାଗାରରେ ସେ ଭୂତତ୍ତ୍ୱ ବିଷୟରେ ଗବେଷଣା ଚଳାଇଲେ ।

 

ଦ୍ୱିତୀୟ ମହାଯୁଦ୍ଧ ସମୟରେ ଡଃ ରେଭେଲି ଆମେରିକା ଯୁକ୍ତରାଷ୍ଟ୍ର ନୌବିଭାଗ ରିଜର୍ଭର କମାଣ୍ଡର ପାହ୍ୟା ପାଇ ଓ୍ୱାଶିଂଟନ୍‍ଠାରେ ଜଳବିଜ୍ଞାନ ଅଫିସରେ କାମ କରୁଥିଲେ । ୧୯୪୬ ସାଲରେ ଯେତେବେଳେ ପ୍ରଶାନ୍ତ ମହାସାଗରସ୍ଥିତ ବିକିନିଷ୍ଟ୍ରୋଲ୍ ଦ୍ୱୀପ ନିକଟରେ ପରମାଣୁ ବୋମା ପରୀକ୍ଷା କରାଗଲା, ସେତେବେଳେ ବିସ୍ଫୋରଣ ଫଳରେ ସମୁଦ୍ରର ଢେଉ ବିରାଟ ଆକାର ଧାରଣ କରିଥିଲା । ରେଭେଲି ଏହାକୁ ମାପିବା କାର୍ଯ୍ୟର ତତ୍ତ୍ଵାବଧାନ କରିଥିଲେ ।

 

୧୯୫୨ ସାଲରେ ଟଙ୍ଗାଟ୍ରେଞ୍ଚ ଗର୍ଭ ଆବିଷ୍କାର ନିମନ୍ତେ ମକରକ୍ରାନ୍ତି ଅଭିଯାନ ଆରମ୍ଭ ହେଲା । ପ୍ରଶାନ୍ତ ମହାସାଗରରେ ଏହିପରି ସାଗରଗର୍ଭସ୍ଥ ଗହ୍ୱର ବା ଶୂନ୍ୟସ୍ଥାନମାନ ରହିଥିବାର ଦେଖାଯାଇଥିଲା । ଉତ୍ତର ପଶ୍ଚିମରେ ୯ ହଜାର ମାଇଲ ଦୂରରେ ଅବସ୍ଥିତ ଗୁଆମ ନିକଟରେ ବିଖ୍ୟାତ ମାରିଆନା ଟ୍ରେଞ୍ଚ ଅବସ୍ଥିତ । ୫୮୮୨ ଓ ୫୯୪୦ ଫାଦମ୍ (୧ ଫାଦମ ୬ଫୁଟ ସଙ୍ଗେ ସମାନ) ଭିତରେ ଏକ ସମୁଦ୍ରଗର୍ଭସ୍ଥ ସ୍ରୋତ ସହ ଏହା ଗୋଟିଏ ବିରାଟ ଖଣ୍ଡ । ଏହା ଏତେ ଗଭୀର ଯେ ପୃଥିବୀର ବୃହତ୍ତମ ପର୍ବତ ଶୃଙ୍ଗ ଏଭରେଷ୍ଟକୁ ଯଦି ଏହା ଭିତରେ ରଖିଦିଆଯାଏ ତା’ହେଲେ ଏହାର ଶୀର୍ଷଭାଗ ପ୍ରଶାନ୍ତ ମହାସାଗରର ଉପରି ଭାଗର ୬ ହଜାର ଫୁଟ ତଳେ ରହିଯିବ । ଫିଲିପାଇନ୍ ଦ୍ଵୀପ ନିକଟରେ ସେହି ଆକାରର ଆଉ ଏକ ଗଭୀର ଗହ୍ୱର ବା ଗଣ୍ଡ ରହିଛି । ଅଥଚ ଟଙ୍ଗାଟ୍ରେଞ୍ଚର ଗଭୀରତା କିମ୍ବା ଏହାର ଅତଳ ଗର୍ଭରେ କ’ଣ ଅଛି ତାହା କେହି ଜାଣନ୍ତି ନାହିଁ ।

 

ଗଭୀର ଶକ୍ତି ସଂଚାଳନକ୍ଷମ ଅଧ ପାଉଣ୍ଡିଆ ବିଧ୍ୱଂସକ ବ୍ଳକ୍ ପ୍ରୟୋଗ ଦ୍ଵାରା ସମୁଦ୍ରରେ ପ୍ରଚଣ୍ଡ ଆଘାତ ସୃଷ୍ଟି କରିଯାଇଥାଏ ଏବଂ ସେଥିରୁ ସ୍ରୋତର ସୃଷ୍ଟି ହୁଏ । କେତେ ସୂକ୍ଷ୍ମ ଯନ୍ତ୍ରପାତିଦ୍ଵାରା ସେଗୁଡ଼ିକର ଦୈର୍ଘ୍ୟ ଓ ସ୍ଥାୟିତ୍ଵ ମପାଯାଇଥାଏ । ଲାମ୍ର ଭୂତତ୍ଵ ପର୍ଯ୍ୟବେକ୍ଷଣାଗାରର ଡଃ ମରିସ୍ ଇଉଇଂ ଦ୍ଵାରା ଆବିଷ୍କୃତ ଏହି ପ୍ରଣାଳୀ ‘‘ସେସ୍ମିକ୍ ସାଉଣ୍ଡିଂ ବା “ଭୂକମ୍ପନ ଶବ୍ଦ” ବୋଲି ଅଭିହିତ ।

 

ଏହି ସର୍ଭେ ୧୯୫୩ ସାଲ୍ ପର୍ଯ୍ୟନ୍ତ ଚାଲିଲା । ଉପରୋକ୍ତ ଶବ୍ଦ ବନ୍ଦ ନହୋଇ ଚାଲିଥିବାରୁ ବୈଜ୍ଞାନିକମାନେ ଜାଣିଥିଲେ ଯେ, ସେମାନେ ଗଭୀରତାରେ ମିଣ୍ଡାନାଓ, ଏପରିକି ମେରିଆନା ଟ୍ରେଞ୍ଚକୁ ବଳି ପଡ଼ିବା ଭଳି ଏକ ଗର୍ତ୍ତର ସନ୍ଧାନ ପାଇଛନ୍ତି । ଯେଉଁ ‘‘ହୋରାଇଜନ୍” ଜାହାଜ ଏଥିରେ ଶବ୍ଦ ସଂଯୋଗ କରିଥିଲେ ତା’ର ନାମ ଅନୁସାରେ ସେମାନେ ତାଙ୍କର ଏହି ନୂତନ ଆବିଷ୍କାରର ନାମକରଣ କରିଥିଲେ । ହୋରାଇଜନ୍ ଡିପ୍ ୫୮୫୪ ଫାଦମ୍ ତଳେ ରହିଥିଲା । ମହାସାଗରର ଏହି ଗଭୀରତମ ପ୍ରଦେଶ ମିଣ୍ଡନାଓଠାରୁ ଅଧିକ ଗଭୀର ଏବଂ ମେରିଆନା ସହିତ ଗଭୀରତାରେ ସମାନ । ଏ ଅଞ୍ଚଳରେ ଏହାଠାରୁ ଆହୁରି ଗଭୀର ଭାଗ ଥାଇପାରେ କିନ୍ତୁ ସମୁଦ୍ର ବିବରଣୀ ସଂଗ୍ରହକାରୀଙ୍କ ପାଇଁ ସର୍ବାପେକ୍ଷା ଉତ୍ତେଜନାମୂଳକ ଆବିଷ୍କାର ହେଲା-ତିନୋଟି ଯାକ ଟ୍ରେଞ୍ଚ ବା ଗର୍ତ୍ତ (ଯାହାକି ପୃଥିବୀ ବକ୍ଷର ଗଭିରତମ ଗହ୍ଵର) ଗଭୀରତାରେ ପ୍ରାୟ ସମାନ । ଏମାନଙ୍କ ଗଭୀରତାରେ ବ୍ୟବଧାନ ୨୦୦ ଫାଦମ୍ ବା ୧ ହଜାର ଫୁଟରୁ କମ୍ । ଏହି ଗଭୀର ଗହ୍ୱରଗୁଡ଼ିକ ଯଦି ଆକସ୍ମିକ ନ ହୋଇଥାଏ ତେବେ ତା’ପଛରେ ନିଶ୍ଚୟ କିଛି କାରଣ ଥିବ । କିନ୍ତୁ ଏହି ଟ୍ରେଞ୍ଚଗୁଡ଼ିକର ପ୍ରକୃତି ଏପର୍ଯ୍ୟନ୍ତ ପୂରାପୂରି ଜଣାପଡ଼ିନାହିଁ ।

 

ଭୂତତ୍ତ୍ୱବିଦମାନେ ଜାଣନ୍ତି ଯେ, ବିରାଟ ଭୂକମ୍ପନ, ଜୁଆର ଏବଂ ପର୍ବତ ଓ ଆଗ୍ନେୟଗିରି ଭଳି ଭୂପୃଷ୍ଠର ପରବର୍ତ୍ତନ ସହିତ ଏଗୁଡ଼ିକ ସଂପୃକ୍ତ । ଯେପରି ଭୂପୃଷ୍ଠର ଅପେକ୍ଷାକୃତ ହାଲୁକା ଗ୍ରାନାଇଟ୍ ପଥର ଉତ୍ଥିତ ହୋଇ ପାହାଡ଼ର ସୃଷ୍ଟି ହୁଏ, ସେହିପରି ଏହା ସମୁଦ୍ରର ନିମ୍ନଭାଗକୁ ଠେଲି ହୋଇଯାଇ ସମ୍ଭବତଃ ବିରାଟ ଗର୍ତ୍ତମାନ ସୃଷ୍ଟି କରେ । ଗ୍ରାନାଇଟ୍ ତଳେ ଅପେକ୍ଷାକୃତ ଶକ୍ତ ପଥର ସ୍ତରରହିଛି । ଏହାକୁ ବାସଲ୍ଟ ବା ମୁଗୁନିପଥର କହନ୍ତି । ତା’ତଳେ ପୃଥିବୀର ‘ମାଣ୍ଟଲ୍’ ବା ଧାରକପାତ୍ର ରହିଛି-ଏହା ଆହୁରି ଏକ କଠିନ ବସ୍ତୁ ଏବଂ ଏହା ଏବେ ମଧ୍ୟ ରହସ୍ୟମୟ ହୋଇ ରହିଛି ।

 

ଏହି ଗର୍ତ୍ତ ନାନାପ୍ରକାର ପ୍ରହେଳିକା ସୃଷ୍ଟି କରୁଛି । ପ୍ରଥମତଃ ଗର୍ତ୍ତଗୁଡ଼ିକର ନିମ୍ନଦେଶରେ କୌଣସି ଜିନିଷ ଜମିଥିବାର ଜଣାପଡ଼ୁ ନାହିଁ । ଏଗୁଡ଼ିକ ସଫାରହୁଛି । ଦ୍ଵିତୀୟରେ ଗର୍ତ୍ତଗୁଡ଼ିକରେ “ଗ୍ରାଭିଟି” ବା ପୃଥିବୀରେ ଆକର୍ଷଣଶକ୍ତି କମିଯିବାଭଳି ଜଣାପଡ଼ୁଛି । ସେଗୁଡ଼ିକ ସତେ ଯେପରି ଏକ ଶୂନ୍ୟ ସ୍ଥାନରେ ଅବସ୍ଥିତ । ଆମ ଗ୍ରହ ଭିତରେ ଏଗୁଡ଼ିକ ସର୍ବାପେକ୍ଷା ରହସ୍ୟମୟ ଅବସ୍ଥାରେ ରହିଛି ।

 

ମକରକ୍ରାନ୍ତି ଅଭିଯାନରେ ବାହାରିଥିବା ବୈଜ୍ଞାନିକମାନେ ସାବଧାନତା ସହ ଏହାର ମାପଚୁପ କରିଥିଲେ । ଏ ଦୁଇଟି ଜାହାଜ ସାନ୍ଦିଆଗେକୁ ଫେରିଆସିବା ପୂର୍ବରୁ ସେମାନେ ୧୦ ହଜାର ମାଇଲ ରାସ୍ତାରେ ଲୁକ୍କାୟିତ ପାହାଡ଼, ଉପତ୍ୟକା ମାଳଭୂମି ଓ ସ୍ରୋତ ଚାଲିଥିବା ଗଭୀର ଗଣ୍ଡର ଉପରି ଭାବରେ ଶଦ୍ଦଧରି ରଖି ଥିଲେ । ଶବ୍ଦ ଧରି ରଖିବା ସମୟରେ ସମୁଦ୍ରର ନିମ୍ନତମ ଦେଶର ନମୁନା ରଖିବା ପାଇଁ ଗୋଟିଏ ପାଖରେ ଗୋଟିଏ “କୋରର୍” ବା ଚୁମ୍ବକ ଥିବା ଲୁହାଛଡ଼ ପକାଇଦେଇଥିଲେ । ତା’ପରେ ସମୁଦ୍ରର ନିମ୍ନ ଦେଶରେ ତାପ ମାପ କରିବା ପାଇଁ ଏକ ଯନ୍ତ୍ର ମଧ୍ୟ ନିକ୍ଷେପ କରାଯାଇଥିଲା ।

 

ରିଭେଲି ଓ ତାଙ୍କ ସହକର୍ମୀମାନେ ଆଉ ଏକ ଗୁରୁତ୍ଵତ୍ପୂର୍ଣ୍ଣ ଆବିଷ୍କାର କରିଥିଲେ । ସେମାନେ ଆଉ ଏକ ପ୍ରହେଳିକାମୟ ପର୍ବତମାଳା ଗଏଟସ୍‍କୁ ପରୀକ୍ଷା କରିଥିଲେ । ସମୁଦ୍ରର ୫ ହଜାର ଫୁଟ ତଳେ ଥିବା ଏହି ପର୍ବତମାଳାର ଉପରିଭାଗ ଟେବୁଲର ଉପରିଭାଗ ଭଳି ସମତଳ । ଏହି ଗଏଟସ୍କୁ ନିର୍ବାଚିତ ଆଗ୍ନେୟଗିରି ବୋଲି ବିଶ୍ଵାସ କରିଯାଉଛି । କିନ୍ତୁ ଏହାର ଉପରିଭାଗ କାହିଁକି ସମତଳ ହେଲା ସେଥିରେ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଥାନ୍ତି । ଏହାର ଗୋଟିଏ କାରଣ ସୁରୂପ କୁହାଯାଇଥାଏ ଯେ, ଏକସମୟରେ ୧୦ହଜାର କୋଟି ବର୍ଷ ପୂର୍ବେ ସମୁଦ୍ରଗୁଡ଼ିକ ବର୍ତ୍ତମାନ ଅପେକ୍ଷା ଯଥେଷ୍ଟ ଅଧିକ ଅଗଭୀର ଥିଲା ଏବଂ ଗଏଟସ୍‍ଗୁଡ଼ିକ ତା’ଉପରେ ବିକ୍ଷିପ୍ତ ଭାବରେ ଆଗ୍ନେୟଗିରି ଦ୍ଵୀପ ଭଳି ଉଠିଥିଲା । ଅଶାନ୍ତ ସମୁଦ୍ରର ଢେଉ ଅପେକ୍ଷାକୃତ ନରମ ଆଗ୍ନେୟଗିରି ପଥରଗୁଡ଼ିକୁ ଭସାଇ ନେଇଯିବା ଫଳରେ ଦ୍ଵୀପଗୁଡ଼ିକ ସମତଳ ଓ ସମୁଦ୍ର ଜଳପତ୍ତନ ନିକଟବର୍ତ୍ତୀ ହୋଇଗଲା । ତା’ପରେ କ୍ରମଶଃ ସହରର ନିମ୍ନତମ ଦେଶରେ କ୍ଷୟ ହୋଇ ଆସୁଥିବା ଜିନିଷ ଓ ପଶୁମାନଙ୍କର ଅବଶେଷ ଗୁଡ଼ିକ ଜମା ହୋଇଗଲା । ଫଳରେ ଶେଷରେ ପାଣି ଉପରକୁ ଉଠିଗଲା ଏବଂ ଗଏଟସ୍ ପାଣିତଳେ ରହିଗଲା । ମାତ୍ର ଗଏଟସ୍‍ର ଉପରିଭାଗ ସମତଳ ହେବାର ଏହି ଯେଉଁ କାରଣ କେତେକ ଦର୍ଶାଇଛନ୍ତି ସେଥିରେ ଅନେକ ଭୂତତ୍ତ୍ଵବିଦଙ୍କର ହୃଦ୍‍-ବୋଧ ହୋଇନାହିଁ । ସେମାନେ କହନ୍ତି ଯେ, ସମୁଦ୍ରର ନିମ୍ନତମ ଦେଶରେ ଯେଉଁସବୁ ଜିନିଷ ଜମା ହୋଇଯାଇଥାଏ ତା’ର ପରିମାଣ ଏତେ ଅଧିକ ନୁହେଁ, ଯାହା ଫଳରେ କି ସମୁଦ୍ରର ଜଳପତ୍ତନ ଏତେ ଉପରକୁ ଉଠିଯାଇ ପାରିବ । ଜମା ହୋଇ ଯାଉଥିବା ଦ୍ରବ୍ୟର ପରିମାଣ ଅତି ସାମାନ୍ୟ । ସେମାନେ ଆହୁରି ମଧ୍ୟ ଯୁକ୍ତି କରନ୍ତି ଯେ, ପୃଥିବୀ ଆରମ୍ଭ ହେଲା ଦିନଠାରୁ ଯଦି ସମୁଦ୍ରତଳେ ନିରବଚ୍ଛିନ୍ନ ଭାବରେ ବିଭିନ୍ନ ଦ୍ରବ୍ୟ ଜମା ହୋଇ ରହୁଛି ତା’ହେଲେ ବର୍ତ୍ତମାନ ଏହା ଯେତେ ବହଳ ହୋଇଛି ତା’ଅପେକ୍ଷା ଯଥେଷ୍ଟ ବେଶି ବହଳ ହୋଇଥାନ୍ତା । ଏଥିରୁ ଅଧିକାଂଶ ଭାଗ ଖଣିଜ ପଦାର୍ଥ ଜାତୀୟ ଲାଇମ୍‍ଷ୍ଟୋନ ବା ଚୂନପଥର । ୧୦ କୋଟି ବର୍ଷ ପୂର୍ବେ “କ୍ରୋଟାସିଅସ୍” ବା ସରୀସୃପ ଯୁଗରୁ ଏହା ଜମା ହୋଇ ଆସୁଛି ।

 

ଡଃ ରେଭେଲି ଏବଂ ଅନ୍ୟାନ୍ୟ ମକରକ୍ରାନ୍ତି ବୈଜ୍ଞାନିକମାନେ ସମତଳ ଉପରିଭାଗର କେତେକ ନମୁନା ନେଇଥିଲେ । ସମତଳ ଉପରିଭାଗରେ ସେମାନେ ଜୀବଜନ୍ତୁଙ୍କ ହାଡ଼, କ୍ଳାମ୍, ସମୁଦ୍ରଗେଣ୍ଡା, ଅନ୍ୟାନ୍ୟ ସାମୁଦ୍ରିକ ଛୋଟ ଛୋଟ ଜୀବ ଓ ସମୁଦ୍ରପ୍ରବାଳ ଦେଖିବାକୁ ପାଇଥିଲେ । ଏହିସବୁ ଜୀବଜନ୍ତୁ ସମୁଦ୍ର ଉପରଭାଗର ୧ହଜାର ଫୁଟ ତଳେ ରହିପାରିବେ, କିନ୍ତୁ ୫ହଜାର ଫୁଟ ତଳେ ରହିପାରିବେ ନାହଁ । ମାତ୍ର ପ୍ରକୃତରେ ୫ହଜାର ଫୁଟ ତଳେ ଉପରୋକ୍ତ ଜୀବଜନ୍ତୁଗୁଡ଼ିକ ରହିଥିବାର ଜଣାପଡ଼ିଥିଲା ଏବଂ ସେମାନେ କ୍ରୋଟାସିଅସ୍ ବା ସରୀସୃପ ଯୁଗର ପ୍ରାୟ ଶେଷଭାଗର ବୋଲି ଜଣାଗଲା ।

 

ଏହି ପ୍ରମାଣ ଦେଖାଇ ରେଭେଲି ଭୂତତ୍ତ୍ଵବିଦମାନଙ୍କ ନିକଟରେ ଏକ ସମ୍ପୂର୍ଣ୍ଣ ନୂତନ କାରଣ ଉପସ୍ଥିତ କଲେ । ସେ କହିଲେ ଯେ, ୧୦କୋଟି ବର୍ଷ ପୂର୍ବେ ସମଗ୍ର ପୃଥିବୀରେ ଯେତେବେଳେ ଆଗ୍ନେୟଗିରିରୁ ପ୍ରଚଣ୍ଡ ବିସ୍ଫୋରଣ ଉଦ୍ଗୀରଣ ହୋଇଚାଲିଥିଲା, ସେହି ସମୟରେ ପ୍ରଶାନ୍ତ ମହାସାଗରର ନିମ୍ନତମ ଦେଶ ଅଚାନକ ଭାବରେ ଦବିଗଲା । ଏହା ଫଳରେ ଏହି ମହାସାଗରର ନିମ୍ନତମ ଦେଶରେ ଜମାହୋଇ ରହିଥିବା ସମସ୍ତ ଦ୍ରବ୍ୟ ସଫା ହୋଇଗଲା । ସମୁଦ୍ର ତଳେ ଥିବା ପଥରରୁ ଗ୍ୟାସ୍ ବା ବାଷ୍ପ ବାହାରି ଯିବାରୁ ସମୁଦ୍ରର ନିମ୍ନତମ ଭାଗ ତଳକୁ ଦବିଯାଇଥିଲା ଏବଂ ଗଏଟସ୍ ସମୁଦ୍ର ପତନ ତଳକୁ ଖସିଗଲା ।

 

ସେହି ସମୟରେ ଆଗ୍ନେୟ ବିସ୍ଫୋରଣ ଜନିତ ଧୂଆଁ ଓ ଗ୍ୟାସ୍ ପାଣିରେ ଘନୀଭୂତ ହୋଇଯିବାରୁ ସମୁଦ୍ରର ସ୍ତର ଉପରକୁ ଉଠିଯାଇଥିଲା ଏବଂ ପ୍ରଶାନ୍ତ ମହାସାଗରରୁ ନିମ୍ନତମ ଦେଶରେ ଆଗ୍ନେୟ ଝରଣାମାନ ବାହାରିପଡ଼ିଥିଲା । ମହାସାଗର ଗୁଡ଼ିକରେ ଆଗେ ଯେତେ ପରିମାଣର ଜଳଥିଲା ଏବେ ତା’ ଅପେକ୍ଷା ଶତକଡ଼ା ୨୫/୩୦ ଭାଗ ଅଧିକା ଜଳ ରହିଛି ବୋଲି ରେଭେଲି କହନ୍ତି । ସେ ସମୟରେ କାହିଁକି ଅଧିକ ପରିମାଣର ଚୂନପଥର ଜମା ହୋଇଥିଲା ତାହା ମଧ୍ୟ ତାଙ୍କ ପ୍ରଦର୍ଶିତ ତଥ୍ୟରୁ ପ୍ରମାଣିତ ହେଉଛି । ଚୂନପଥର ଜମା ହେବା ପାଇଁ ବିସ୍ତୃତ ପରିମାଣର କାର୍ବନ୍ ଡାଇଅକ୍ସାଇଡ଼୍ ଆବଶ୍ୟକ । ବହୁ ଆଗ୍ନେୟଗିରିରୁ ବିସ୍ଫୋରଣ ଫଳରେ ଏହି ଗ୍ୟାସ୍ ବହୁପରିମାଣରେ ନିର୍ଗତ ହୋଇ ଚୂନପଥରର ପରିମାଣକୁ ବୃଦ୍ଧିକରିଥାଏ ।

 

ରେଭେଲିଙ୍କ ନୂତନ ତଥ୍ୟ ବର୍ତ୍ତମାନ ବିସ୍ତୃତ ଭାବରେ ଗୃହୀତ ହୋଇଛି । ପ୍ରଶାନ୍ତ ମହାସାଗରର ପ୍ରାଚୀନତା ବିବେଚନା କଲେ ଏହାର ନିମ୍ନତମ ଦେଶରେ ଯେତେ ପରିମାଣରେ ଜିନିଷ ଜମା ହେବାର କଥା ତାହା ହୋଇନାହିଁ । ଆଶ୍ଚର୍ଯ୍ୟର କଥା ଯେ, ଏହାର ନିମ୍ନଦେଶରେ ପ୍ରାୟ କୌଣସି ଜିନିଷ ଜମାହୋଇ ରହିନାହିଁ । ଏହା ମଧ୍ୟ ଭୂତତ୍ତ୍ୱବିଦମାନଙ୍କପାଇଁ ପୃଥିବୀର ଇତିହାସ ଓ ଜୀବନର ଅଭ୍ୟୁଦୟ ସମ୍ପର୍କରେ ନୂତନ ଆଲୋକପାତ କରିଛି ।

 

ମକରକ୍ରାନ୍ତି ଅଭିଯାନର ଅନୁସନ୍ଧାନ ଫଳରେ ଅନ୍ୟାନ୍ୟ ବହୁ ମୂଲ୍ୟବାନ ବିବରଣୀ ମଧ୍ୟ ମିଳିଛି । ବୈଜ୍ଞାନିକମାନେ ବହୁକାଳଧରି ଅନୁମାନ କରିଆସିଥିଲେ ଯେ ପୃଥିବୀ ପୃଷ୍ଠର ଉତ୍ତାପର ବିକିରଣ ସମୁଦ୍ର ତଳଦେଶ ଅପେକ୍ଷା ସ୍ଥଳଭାଗରେ ଅଧିକ ତେଜୀୟାନ୍ । ପ୍ରଥମେ ବିଶ୍ଵାସ କରିଯାଉଥିଲା ଯେ ପୃଥିବୀର କେନ୍ଦ୍ରଭାଗରେଥିବା ତରଳଧାତୁ ସ୍ରୋତରୁ ଏହି ବିକିରଣ ବା ତେଜ ନିର୍ଗତ ହେଉଛି । ଏହା ଯଦି ସତ୍ୟ ହୋଇଥାନ୍ତା ତା’ହେଲେ ପୃଥିବୀର ବୟସ ୧କୋଟି ବର୍ଷରୁ ଅଧିକ ହେବ ନାହିଁ କିମ୍ବା ପୃଥିବୀର ଆଭ୍ୟନ୍ତରୀଣ ଭାଗରେ ଆଉ ମୋଟେ ଉତ୍ତାପ ରହନ୍ତା ନାହିଁ । ଏବେ ଭୂତତ୍ତ୍ୱବିଦମାନେ ଜାଣିପାରିଛନ୍ତି ଯେ, ପୃଥିବୀର ଆୟୁଷ ଏହା ଅପେକ୍ଷା ପ୍ରାୟ ୫୦୦ ଗୁଣ ଅଧିକ, ଅର୍ଥାତ୍, ୪ହଜାର କୋଟି ବର୍ଷ । ସେମାନେଏକଥା ମଧ୍ୟ କହନ୍ତି ଯେ, ଆମ ଗ୍ରହର ଗର୍ଭରୁ ଚାପଯୋଗୁ ଏବଂ ଏହାର କଠିନ ବହିରାବରଣରେ ଥିବା ତେଜସ୍କ୍ରିୟ ଉପାଦାନରୁ ଉତ୍ତାପ ବିକିରଣ ହୋଇଥାଏ ।

 

ଜଣାଯାଇଥିଲା ଯେ, ଭୂଭାଗ ଯେଉଁ ଗ୍ରାନାଇଟ୍ ପଥରଦ୍ଵାରା ଗଠିତ ସେଥିରେ ସମୁଦ୍ରର ନିମ୍ନଭାଗ ଗଠିତ ହୋଇଥିବା ବାସଲ୍ଟ ବା ମୁଗୁନି ପଥର ଅପେକ୍ଷା ତିନିଗୁଣ ଅଧିକ ତେଜସ୍କ୍ରିୟ ଶକ୍ତି ରହିଛି । ଏହା ମଧ୍ୟ ୫ଗୁଣ ଅଧିକ ବହଳା । ତେଣୁ ଭୂତତ୍ତ୍ୱବିଦମାନେ ଅନୁମାନ କରିଥାନ୍ତି ଯେ, ସମୁଦ୍ରର ନିମ୍ନତମ ଦେଶ ଅପେକ୍ଷା ଭୂଭାଗ ଅଧିକ ପରିମାଣ ଉତ୍ତାପ ବିକିରଣ କରିବାର କଥା ।

 

କିନ୍ତୁ ଅନ୍ୟାନ୍ୟ ବୈଜ୍ଞାନିକ ବିଶେଷତଃ ବ୍ରିଟେନର ସାର୍ ଏଡ଼୍ୱାଡ଼୍ ବୁଲାର୍ଡ଼ ଏବଂ ଆମେରିକା ଯୁକ୍ତରାଷ୍ଟ୍ରର ନୌଗବେଷଣା ବିଭାଗର ଆର୍ଥର୍ ମାକ୍ସଓୟେଲ୍ ଏ ସମ୍ପର୍କରେ ଯେଉଁ ପର୍ଯ୍ୟବେକ୍ଷଣ କରିଥାନ୍ତି ସେଥିରୁ ଭୂଭାଗ ଓ ସମୁଦ୍ର ନିମ୍ନଦେଶର ଉତ୍ତାପ ଭିତରେ କୌଣସି ପ୍ରଭେଦ ଥିବାର ସୂଚନା ମିଳୁନଥିଲା । ମକରକ୍ରାନ୍ତି ଅଭିଯାନର ଏକ ଗୁରୁତ୍ଵପୂର୍ଣ୍ଣ ଫଳାଫଳ ହେଲା ଏଇ ଯେ, ଉପରୋକ୍ତ ବୈଜ୍ଞାନିକମାନଙ୍କ ମତ ଏହାଦ୍ଵାରା ପ୍ରମାଣିତ ହୋଇଗଲା । ରେଭେଲିଙ୍କ ଅଭିଯାନ ଫଳରେ ଜଣାପଡ଼ିଲା, ପ୍ରଶାନ୍ତ ମହାସାଗରର ନିମ୍ନତମ ଦେଶର ଉତ୍ତାପ ସ୍ରୋତ ଭୂଭାଗର ଉତ୍ତାପ ସଙ୍ଗେ ପ୍ରାୟ ସମାନ । ଏହି ରହସ୍ୟପୂର୍ଣ୍ଣ ବିଷୟଟିର ଏପର୍ଯ୍ୟନ୍ତ ସନ୍ତୋଷଜନକ ଉତ୍ତର ଦିଆଯାଇ ପାରିନାହିଁ ଏବଂ ଏହା ଆମ ପୃଥିବୀ-ଗ୍ରହର ଅନ୍ୟତମ ପ୍ରହେଳିକା ଭାବରେ ଏପର୍ଯ୍ୟନ୍ତ ରହିଛି ।

 

୧୯୫୨-୫୩ ସାଲ ମକରକ୍ରାନ୍ତି ଅଭିଯାନପରେ ରକ୍‍ଫେଲର୍ ଫାଉଣ୍ଡେସନ୍ ସମୁଦ୍ରର ସମ୍ପଦ ସମ୍ପର୍କୀୟ ଅନୁଧ୍ୟାନ ଉଦ୍ଦେଶ୍ୟରେ ୧୦ଲକ୍ଷ ଡଲାର ସ୍କିପ୍ସ ଅନୁଷ୍ଠାନକୁ ଦେଇଥିଲେ । ସମୁଦ୍ରର ଖଣିଜ ପଦାର୍ଥ ଯେ କେବଳ ପ୍ରଚୁର ତା’ନୁହେଁ–ସମୁଦ୍ରରୁ ଆମେ ଅଧିକାଂଶ ଭାଗ ବ୍ରୋମାଇନ୍ ଓ ମ୍ୟାଗ୍ନେସିୟମ୍ ପାଇଥାଉଁ । ତା’ଛଡ଼ା ଡଃ ରେଭେଲି ଓ ଅନ୍ୟାନ୍ୟ ସମୁଦ୍ର ବିବରଣୀ ସଂଗ୍ରହକାରୀମାନେ ବିଶ୍ୱାସ କରନ୍ତି ଯେ, ମହାସାଗରଗୁଡ଼ିକୁ ଯଦି ଉପଯୁକ୍ତ ଭାବରେ “ଚାଷ” କରାଯାଏ, ତେବେ ଭୂଭାଗରୁ ଏକର ପିଛା ଯେତେ ଖାଦ୍ୟ ପଦାର୍ଥ ମିଳୁଛି ତା’ଅପେକ୍ଷା ଦୁଇଗୁଣ ଅଧିକା ଖାଦ୍ୟପଦାର୍ଥ ମହାସାଗରରୁ ମିଳିବ । ପୃଥିବୀର ଲୋକସଂଖ୍ୟାର ୭ଗୁଣ ଲୋକଙ୍କୁ ମହାସମୁଦ୍ରଗୁଡ଼ିକରୁ ଖାଦ୍ୟପଦାର୍ଥ ସହଜରେ ଯୋଗାଇ ଦେଇ ହେବ ।

 

୧୯୫୭ ସାଲରେ ଆନ୍ତର୍ଜାତୀୟ ଆକାଶ ଅଭିଯାନ ବର୍ଷ ପାଳନ ସଂକ୍ରାନ୍ତରେ ମହାସାଗରଗୁଡ଼ିକର ଅନୁଧ୍ୟାନ ନିମନ୍ତେ ମିଳିତ ହୋଇଥିବା ଅଭିଯାନରେ ସ୍କିପ୍ସ ଅନୁଷ୍ଠାନ ସହିତ ଆମେରିକାର ଆଉ ୪ଟି କେନ୍ଦ୍ର ଯୋଗ ଦେଇଥିଲେ । ଏହି ବର୍ଷ ଡଃ ରେଭେଲି ଦକ୍ଷିଣ ପ୍ରଶାନ୍ତ ମହାସାଗରର ନିମ୍ନଦେଶକୁ ଯାଇଥିବା ଏକ ଅଭିଯାନର ନେତୃତ୍ୱ ନେଇଥିଲେ । ଏହି ଅଭିଯାନର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଇଷ୍ଟର୍ ଦ୍ୱୀପର ଉତ୍ଥାନ ଅନୁଧ୍ୟାନ କରିବା । ଦକ୍ଷିଣ ଆମେରିକାର ପଶ୍ଚିମ ଉପକୂଳ ନିକଟରେ ଏହା ଏକ ସମୁଦ୍ର ଗର୍ଭସ୍ଥ ବିରାଟ ପର୍ବତଶ୍ରେଣୀ । ଏହାର ବିସ୍ତୃତି ସେ ପର୍ଯ୍ୟନ୍ତ ମାପଚୁପ କରାଯାଇ ପାରିନଥିଲା । ରେଭେଲି ଓ ତାଙ୍କର ଅଭିଯାତ୍ରୀଦଳ ଆବିଷ୍କାର କଲେ ଯେ, ଏହି ପର୍ବତମାଳା ୩୫୦୦ ମାଇଲ ଲମ୍ବା ଓ ୨୦୦ ମାଇଲ ଓସାର । ପୂର୍ବେ ଏହାର ଆକାର ଯେଡ଼େ ବୃହତ୍ ବୋଲି ବିଶ୍ୱାସ କରାଯାଇଥିଲା ତା’ଅପେକ୍ଷା ଏହା ଅଧିକ ବୃହତ୍ତର ହେଲା । ତା’ଛଡ଼ା ସେମାନେ ଦେଖିଥିଲେ ଯେ, ଏହି ପର୍ବତମାଳାର ନିମ୍ନତମ ଦେଶରୁ ଏକ ନୂତନ ଆଗ୍ନେୟଗିରି ଉତ୍ଥିତ ହେଉଥାଏ । କେତେକ ସ୍ଥାନରେ ଏହାର ଶୃଙ୍ଗ ସମୁଦ୍ରର ନିମ୍ନତମ ଦେଶରୁ ୧୦ହଜାର ଫୁଟ ଉପରେ ରହିଥିଲା ।

 

ସେମାନେ ମହାସାଗରର ନିମ୍ନଦେଶରେ ଉତ୍ତାପର ସ୍ରୋତକୁ ମାପି ଦେଖିଲେ ଯେ, ବିଭିନ୍ନ ସ୍ଥାନରେ ଏହାର ପରିମାଣ ଭିନ୍ନ ଭିନ୍ନ । ଉତ୍ଥିତ ସାଗର ତଳ ଉପରେ ଏହାର ମାତ୍ରା ସର୍ବାଧିକ ଏବଂ ସାଗର ତଳର ଅନ୍ୟ ଅଂଶ ଠାରୁ ୩୨ ଗୁଣ ଅଧିକ । ଏହି ଆବିଷ୍କାର ଫଳରେ ଭୂତତ୍ତ୍ୱବିଦମାନେ ଆମ ଗ୍ରହର ରୂପରେଖ ବିଷୟରେ ନୂତନ ତଥ୍ୟ ଘେନି ଗବେଷଣା କରୁଛନ୍ତି । ସେମାନେ ମଧ୍ୟ ଆମ ଗ୍ରହ କିପରି ଉତ୍ତାପ ବିକିରଣ କରୁଛି ସେ ସମ୍ପର୍କରେ ଗବେଷଣା କରୁଛନ୍ତି, ଯାହା ଫଳରେ ଆଗ୍ନେୟଗିରିର ଜନ୍ମ ଏବଂ ଭୂମିକମ୍ପର କାରଣ ଜାଣିବା ସମ୍ଭବ ହୋଇପାରିବ ।

 

ଡଃ ରେଭେଲି ବିଶ୍ଵାସ କରନ୍ତି ଯେ ଆମ ସମୁଦ୍ର ଏବଂ ଏହାର ଜଳରାଶିରେ ଯେଉଁ ଢେଉ ଖେଳେ ତାହାର ତଥ୍ୟ ଯେତେବେଳେ ବୁଝିପାରିବୁ ସେତେବେଳେ ଆମେ ଜଳବାୟୁ ନିୟନ୍ତ୍ରଣ କରିବା ଦିଗରେ ମଧ୍ୟ ସକ୍ଷମ ହୋଇପାରିବୁ । ସେହିପରି ଆମେ ଯେତେବେଳେ ସମୁଦ୍ରର ଅତଳ ଗର୍ଭରେ ଥିବା ବିଭିନ୍ନ ଦ୍ରବ୍ୟର ସନ୍ଧାନ ପାଇପାରିବୁ ସେତେବେଳେ ଅସରନ୍ତି କଞ୍ଚାମାଲ୍ ଓ ଖାଦ୍ୟପଦାର୍ଥ ଅକ୍ଲେଶରେ ମିଳିପାରିବ । ଏହା ବ୍ୟତୀତ ଏପରି କେତେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମିଳିପାରିବ, ଯାହାକି ଜୀବତତ୍ତ୍ଵ ବୁଝିବାରେ ଯଥେଷ୍ଟ ସହାୟକ ହେବ । ସେ କହନ୍ତି, “ଜୀବନ ସମୁଦ୍ରରୁ ଆରମ୍ଭ ହୋଇଥିଲା ଏବଂ ସମୁଦ୍ରରୁ ଆମେ ଜୀବନର ମୌଳିକ ଉପାଦାନ ସମ୍ପର୍କରେ ବହୁ ଶିକ୍ଷା ଲାଭ କରିପାରିବା ।”

 

ଏଇ ଦୀର୍ଘକାୟ ବୈଜ୍ଞାନିକ ଅନେକ ସମୟରେ ଗୋଟିଏ ସୁନ୍ଦର କଥା କହିଥାନ୍ତି । ଏହି କଥାଟି ଉଦ୍ଧାର କରିତାଙ୍କ ଜୀବନର ଚିନ୍ତାଧାରା ସଂକ୍ଷେପରେ ବର୍ଣ୍ଣନା କରାଯାଇପାରେ । ସେ କହନ୍ତି, “ସମୁଦ୍ର ନିକଟକୁ ଯିବାକୁ ହେଲେ ସବୁବେଳେ ଏକ ଜିଜ୍ଞାସୁ ମନୋଭାବ ନେଇଯିବାକୁ ହେବ ।”

Image

 

ବିରାଟ ଗର୍ତ୍ତ

-ଉଇଲାଡ଼୍ ନେଓୟେଲ୍ ବାସ୍କମ୍‍

 

ଭୂପୃଷ୍ଠର ନିମ୍ନରେ କ’ଣ ଅଛି ? ପର୍ବତତଳେ, ସମୁଦ୍ର ଏବଂ ମହାସାଗରର ଅତଳ ଗହ୍ୱରରେ କି ସମ୍ପଦ ଲୁଚି ରହିଛି ? ଆମର ଗ୍ରହ ଉପଗ୍ରହ ଗୁଡ଼ିକ କି ଉପାଦାନରେ ଗଢ଼ା ?

 

ଏହାର ଉତ୍ତର ପାଇବାପାଇଁ ଆମେରିକାର ଦଳେ ବୈଜ୍ଞାନିକ ସମଗ୍ର ମାନବ ଇତିହାସରେ ଏକ ଉତ୍ତେଜନାପୂର୍ଣ୍ଣ ଓ ନାଟକୀୟ ଉଦ୍ୟମ କରିବା ଲାଗି ମନସ୍ଥ କରିଛନ୍ତି । ସେମାନେ ଏକ ବିରାଟ ଗର୍ତ୍ତ ଖନନ କରିବେ ଯାହାକୁ ‘‘ମୋହୋଲ” କୁହାଯାଇଛି । ମହାସାଗରର ନିମ୍ନତମ ଦେଶରେ ପୃଥିବୀର ବହିରାବରଣ ତଳେ ଏହି ଗାତ ଖୋଳାଯିବ । ଏହି ଗାତ ତଳେ ସେମାନେ କ’ଣ ଦେଖିବେ ତାହା କିଏ କହିପାରିବ ?

 

ସମୁଦ୍ର ବିବରଣୀ ସଂଗ୍ରହକାରୀ ଏବଂ ଉପରୋକ୍ତ ଯୋଜନାର ଡିରେକ୍ଟର ମିଃ ଉଇଲାଡ଼୍ ଏନ. ବାସ୍କମ୍ ନିଜେ ସ୍ଵୀକାର କରିଛନ୍ତି ଯେ, ସେମାନେ କ’ଣ ଦେଖିବେ ତାହା ସେ ଜାଣନ୍ତି ନାହିଁ । ସେ କହନ୍ତି, ‘‘ଅଜ୍ଞାତର ସନ୍ଧାନ ହିଁ ସବୁଠାରୁ ବଡ଼ ଲକ୍ଷ୍ୟ ।”

 

ପୃଥିବୀ ବିଷୟରେ ଆମେ ବାସ୍ତବିକ୍ କମ୍ ଜାଣୁ । ମଣିଷ ପର୍ବତ ଆରୋହଣ କରିଛି, ସମୁଦ୍ରତଳେ ବୁଡ଼ିଛି, ଆକାଶ ଉପରକୁ ରକେଟ୍ ଓ ଅନ୍ତରୀକ୍ଷ ଯାନ ପଠାଇ ତହିଁରେ ପରିଭ୍ରମଣ କରିଛି । ମାତ୍ର ଆମେ ପୃଥିବୀର ଉପରିଭାଗ ଛଡ଼ା ବେଶି କିଛି ଦେଖିନାହୁଁ । ଏହି ଉପରିଭାଗ ଏବଂ ପତଳା ବହିରାବରଣ, ଖ୍ରୀଷ୍ଟମାସ ବା ବଡ଼ଦିନ ବୃକ୍ଷର ଅଳଙ୍କାର ଉପରେ ଯେଉଁ ରଙ୍ଗ ଦିଆହୁଏ ତା’ ଅପେକ୍ଷା ବହଳା ନୁହେଁ । ବୈଜ୍ଞାନିକମାନେ ଜାଣନ୍ତି ଯେ, ପୃଥିବୀର ଉପରିଭାଗ ଅପେକ୍ଷାକୃତ ଅଳ୍ପ ଓଜନ ବିଶିଷ୍ଟ ଗ୍ରାନାଇଟ ଦ୍ଵାରା ଗଠିତ । ଏଇଥିରେହିଁ ବିରାଟ ଭୂଷଣ ଗଠିତ ହୋଇଛି ଏବଂ ସମୂଦ୍ରର ନିମ୍ନତମ ଦେଶର ତଳେ ବାସଲ୍ଟ ନାମକ ଏକ ପତଳା ଓ ଘନ ପଥର ସ୍ତର ରହିଛି । କିନ୍ତୁ ଭୂଭାଗ ଓ ମହାସାଗର ସମେତ ପୃଥିବୀର ସମସ୍ତ ବହିରାବରଣ ହାରାହାରି ୧୦ମାଇଲ ବହଳ । ଏହା ପୃଥିବୀର କେନ୍ଦ୍ର ପର୍ଯ୍ୟନ୍ତ ଦୂରତ୍ଵର ଶହେଭାଗରୁ ଏକ ଭାଗର ଏକ ଚତୁର୍ଥାଂଶ ମାତ୍ର ।

 

କିନ୍ତୁ “ଗ୍ରାନାଇଟ୍” ଓ “ବାସଲ୍ଟ” ଉଭୟେ “ମାଣ୍ଟଲ୍” ନାମକ ଏକ ଅତ୍ୟନ୍ତ ସ୍ଥୂଳ ପଦାର୍ଥ ଉପରେ “ଭାସୁଛି” । ଏହି “ମାଣ୍ଟଲ୍” ବା ଆଧାର ପାତ୍ରର ଆକାର ପୃଥିବୀର ପ୍ରାୟ ଶତକଡ଼ା ୮୫ଭାଗ ହେବ ବୋଲି ବିଶ୍ଵାସ କରିଯାଉଛି । ଏହା ପୃଥିବୀର ବହିରାବରଣର ଓଜନ ଓ ଚାପକୁ ଧରି ରଖିଛି । କିନ୍ତୁ କେହି ଏପର୍ଯ୍ୟନ୍ତ ଏହାକୁ ଦେଖି ନାହାନ୍ତି ବା ଏହା କେଉଁଥିରେ ତିଆରି ତାହା ଜାଣି ନାହାନ୍ତି ।

 

ଠିକ୍ ଯେପରି “ଆଇସ୍‍ବର୍ଗ” ବା ବରଫ-ପାହାଡ଼ ପାଣି ଉପରକୁ ସାମାନ୍ୟ ଉଠିବାକୁ ହେଲେ ତା’ତଳେ ଥିବା ପାଣିର ବହୁ ତଳକୁ ଠେଲି ହୋଇଯାଏ ସେହପରି ଭୂଭାଗ “ମାଣ୍ଟଲ୍” ବା ଆଧାର-ପାତ୍ର ଉପରେ ରହିଛି । ଯେଉଁଠି ଏକ ବିରାଟ ପର୍ବତଶ୍ରେଣୀ ରହିଛି କିମ୍ଵା ଏକ ବିରାଟ ଦ୍ଵୀପ ବା ଭୂଭାଗ ରହିଛି ସେଠାରେ ପୃଥିବୀର ବହିରାବରଣ ବା ଉପରିଭାଗର ନିମ୍ନାଂଶ ବହଳ ! କୌଣସି ସ୍ଥାନରେ ନୂଆ ପର୍ବତ ଉପରକୁ ଉଠିଲେ ତା’ର ଓଜନକୁ ଧାରଣ କରିବା ପାଇଁ ତା’ତଳେ ଥିବା ଗ୍ରାନାଇଟ୍ “ମାଣ୍ଟଲ୍”କୁ ବହୁ ଗଭୀରକୁ ଠେଲିହୋଇଯାଏ ।

 

ପୃଥିବୀର ବହିରାବଣ ତଳେ ଯାହା ରହିଛି ବୋଲି ଆମର ବିଶ୍ୱାସ ତା’ର ଅଧିକାଂଶ ଭାଗ ଭୂମିକମ୍ପ ସମ୍ପର୍କୀୟ ଅନୁଧ୍ୟାନରୁ ଜଣାପଡ଼ିଛି । ଏହି ଭୂମିକମ୍ପ ପୃଥବୀର ଉପର ଭାଗ ଓଲଟପାଲଟ ହେବା ଫଳରେ ସଂଘଟିତ ହୋଇଯାଏ । ଭୂମିକମ୍ପ ଫଳରେ ଯେଉଁ ଆଘାତର ସ୍ରୋତ ସୃଷ୍ଟି ହୁଏ ତାହା ପୃଥିବୀର ବହିରାବରଣରେ ଥିବା ପଥରଶ୍ରେଣୀ ଭିତର ଦେଇ ଗତି କରେ । ପଥରମାଳା ଯେତେ ଘନ ହୁଏ ଏହା ସେତେ ଅଧିକ ଦ୍ରୁତ ବେଗରେ ଗତିକରିଥାଏ । ସେହିଭଳି ଆଘାତ ସ୍ରୋତରେ ଗତିବେଗ ଅନୁଧ୍ୟାନ କରିକେତେ ପ୍ରକାର ପଥର ମଧ୍ୟ ଦେଇ ତାହା ଗତି କରିଛି ଭୂତତ୍ତ୍ୱବିଦମାନେ ସେ ବିବରଣୀ ସଂଗ୍ରହ କରନ୍ତି ।

 

ଭୂମିକମ୍ପ ହେଲାବେଳେ ସଂପୃକ୍ତ ଅଞ୍ଚଳର ଠିକ୍ ବିପରୀତ ଦିଗରେ ଥିବା ଅଞ୍ଚଳରେ ସାମାନ୍ୟ ଭାବରେ ଆଘାତର ସ୍ରୋତ ଗତିକରେ । ଯେଉଁ ସ୍ରୋତଗୁଡ଼ିକ ତରଳ ପଦାର୍ଥ ଭିତରେ ଗତି ନ କରିବ ସେଗୁଡ଼ିକ “ଛାଣି ହୋଇଯାଏ” । ଏହି କାରଣରୁ ବୈଜ୍ଞାନିକମାନେ ସନ୍ଦେହ ପ୍ରକାଶ କରିଥାନ୍ତି ଯେ, ନିମ୍ନଦେଶରେ, ଏପରି ପୃଥିବୀର “ମାଣ୍ଟଲ୍” ବା ଆଧାର-ପାତ୍ରର ତଳେ ଏକ ତରଳ ଧାତୁ ସ୍ରୋତର ଆବରଣ ରହିଛି ।

 

୧୯୦୯ ମସିହାରେ ଜଣେ ୟୁଗୋସ୍ଲାଭ୍‍ ବୈଜ୍ଞାନିକ ଆଣ୍ଡ୍ରିଜା ମୋହୋରୋଭୋସିକ୍ ନିକଟରେ ଘଟିଥିବା ଭୂମିକମ୍ପର ରେକର୍ଡ଼ ଅନୁଧ୍ୟାନ କରିଥିଲେ । ଭୂମିକମ୍ପ ନିକଟରେ ଥିବା ଯନ୍ତ୍ର ଆଘାତସ୍ରୋତକୁ ଦୁଇଥର ରେକର୍ଡ଼ କରିଥିଲା । ଭୂମିକମ୍ପ ଘଟିଥିବା ସ୍ଥାନର ଦୂରରେ ବିଭିନ୍ନ ସ୍ଥାନରେ ରଖାଯାଇଥିବା ଯନ୍ତ୍ରରେ ମଧ୍ୟ ଦୁଇଥର ରେକର୍ଡ଼ିଂ ହୋଇଥିଲା । ମୋହୋରୋଭୋସିକ୍ ଆବିଷ୍କାର କଲେ, ଭୂମିକମ୍ପ ଘଟିଥିବା ସ୍ଥାନର କେନ୍ଦ୍ରଠାରୁ ଦୂରତମ ସ୍ଥାନମାନଙ୍କରେ ଯେଉଁ ରେକର୍ଡ଼ିଂ ହୋଇଥିଲା ସେଥିରୁ ଜଣାଗଲା ଯେ ପ୍ରଥମ ଥର ରେକର୍ଡ଼ିଂ ଓ ଦ୍ୱିତୀୟ ଥର ରେକର୍ଡ଼ିଂ ଭିତରେ ଦୀର୍ଘ ବ୍ୟବଧାନ ରହିଥିଲା । ଏ ସମ୍ପର୍କରେ ସେ ଯୁକ୍ତି ଦର୍ଶାଇ ଉପସ୍ଥାପିତ କଲେ ଯେ, ଆଘାତ ସ୍ରୋତ ଏକ ସମୟରେ ସୃଷ୍ଟି ହୋଇଥିଲା । କିନ୍ତୁ ତା’ ଭିତରୁ କେତେକ ସ୍ରୋତ ଏପର୍ଯ୍ୟନ୍ତ ଅନାବିଷ୍କୃତ ଏକ ପଦାର୍ଥ ଭିତର ଦେଇ ଗତି କରିଥିଲା । ଉପରୋକ୍ତ ସ୍ରୋତ ପୃଥିବୀର ବହିରାବରଣ ଦେଇ ଗତି କରିଥିବା ସ୍ରୋତ ଅପେକ୍ଷା ଶୀଘ୍ର ଆସି ପହଞ୍ଚିଥିଲା ।

 

ଏହିପରି ଭାବରେ “ମାଣ୍ଟଲ” ବା ପୃଥିବୀର ଆଧାରପାତ୍ରର ଅସ୍ତିତ୍ଵ ଆବିଷ୍କୃତ ହେଲା । ପୃଥିବୀର ବହିରାବରଣ ଓ ଏହା ଭିତରେ ଭିତରେ ଥିବା ସୀମା ରେଖାକୁ “ମୋହୋରୋଭେସିକ୍ ଡିସ୍କଣ୍ଟିନିଉଟି” ବା ବିଚ୍ଛିନ୍ନତା ବୋଲି କୁହାଯାଏ । ସଂକ୍ଷେପରେ ଏହାକୁ “ମୋହୋ” ବୋଲି ମଧ୍ୟ କୁହାଯାଏ । ତେଣୁ ବାସ୍କମ୍‍ ଏବଂ ତାଙ୍କ ସହଯୋଗୀ ବୈଜ୍ଞାନିକମାନେ “ମୋହୋ” ଭିତରକୁ ଯେଉଁ ଗାତ ଖୋଳୁଥାନ୍ତି ତାର ନାମ “ମୋହୋଲ” ହେଲା ।

 

“ମାଣ୍ଟଲ” ବିଷୟରେ ଆମେ ଯାହା ଜାଣୁ ବୋଲି ମନେକରୁ ତାହା କେବଳ କଳ୍ପନା ଉପରେ ପ୍ରତିଷ୍ଠିତ । ଏହା କେହି କେବେ ଦେଖି ନାହାନ୍ତି । ଭୂତତ୍ତ୍ୱବିଦମାନେ ପୃଥିବୀର ଆଧାର ପାତ୍ରର ଅଗ୍ରଭାଗରେ ପହଞ୍ଚିବା ପାଇଁ ପୃଥିବୀର ବହିରାବରଣ ଭେଦକରି ଗାତ ଖୋଳି ଖୋଳି ଯିବାଲାଗି କଳ୍ପନା କରିଆସିଛନ୍ତି । ସେମାନେ ସେଠାରେ କ’ଣ ଦେଖିବେ ତାହା କେହି ଜାଣନ୍ତି ନାହିଁ । ଏ ବିଷୟରେ ଯେଉଁ ନୂତନ ତଥ୍ୟ ମିଳିବ ତାହା ହୁଏତ ପୂର୍ବରୁ ମିଳିଥିବା ତଥ୍ୟ ସହିତ ମିଳିଯାଇପାରେ କିମ୍ଵା ତା’ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ । ଏହା ଜାଣିବାର ଏକମାତ୍ର ଉପାୟ ହେଉଛି, ନିଜେ ଯାଇ ଦେଖିବା ।

 

ପ୍ରଥମେ ୧୯୫୭ ସାଲ ମାର୍ଚ୍ଚ ମାସରେ ଏହି ‘ମୋହୋଲ” ଗର୍ତ୍ତ ଗୁରୁତ୍ଵର ସହିତ ବିଚାର କରାଗଲା । ଏହା ଆମେରିକାର ଏକ ଅସାଧାରଣ ଅନୁଷ୍ଠାନ “ଆମେରିକା ବିବିଧ ସମାଜ” ଠାରୁ ଉତ୍ସାହ ଓ ସମର୍ଥନ ପାଇଲା । ଏହି ଅନୁଷ୍ଠାନଟି କେତେକ ବିଶିଷ୍ଟ ବୈଜ୍ଞାନିକକୁ ନେଇ ଗଠିତ-। ସେମାନେ ସାମୟିକ ଭାବରେ “ବୁଲ୍ ସେସନ୍” ଦେଖିବା ପାଇଁ ଏକତ୍ର ହୋଇଥାନ୍ତି-। ଡଃ ରୋଜର୍ ରେଭେଲି ଏବଂ ଡଃ ମରିସଙ୍କ ସମେତ କେତେକ ବିଶିଷ୍ଟ ଭୂତତ୍ତ୍ଵବିଦ୍ ଓ ଆକାଶତତ୍ତ୍ଵବିଦ୍ ଯେଉଁମାନେ କି ବହୁବର୍ଷ ଧରି ଅନୁରୂପ ମତପ୍ରକାଶ କରିଥିଲେ ସେମାନେ ତାଙ୍କ ସହିତ ଯୋଗ ଦେଇଥିଲେ । ୧୯୫୮ ସାଲ ଏପ୍ରିଲ ମାସରେ ଜାତୀୟ ବିଜ୍ଞାନ ଏକାଡ଼େମୀ ଆର୍ଥିକ ସାହାଯ୍ୟ ଦେବାପାଇଁ ସମ୍ମତ ହେଲେ ଏବଂ ଉଇଲାଡ଼୍ ବାସ୍କମ୍‍ ଏହି ଗର୍ତ୍ତ ଖନନର ଡିରେକ୍ଟର ନିଯୁକ୍ତ ହେଲେ-

 

ବାସ୍କମ୍‍ ଜଣେ ପ୍ରଭାବଶାଳୀ ବ୍ୟକ୍ତି । ତାଙ୍କର ଏକାଧିକ ବିଷୟରେ ଆଗ୍ରହ ରହିଥିଲା । ସେ ଜଣେ ବିଶିଷ୍ଟ ସମୁଦ୍ର ତଥ୍ୟ ସଂଗ୍ରହକାରୀ ଏବଂ ସମୁଦ୍ରଢେଉର ଗତି, ପ୍ରକୃତି ଓ ସମୁଦ୍ର କୂଳ ଗଠନ ସମ୍ବନ୍ଧୀୟ ଗବେଷଣାରେ ସେ ଜଣେ ବିଶେଷଜ୍ଞ ଥିଲେ । ପ୍ରଥମେ ସେ ଖଣି ଶ୍ରମିକ ଭାବରେ ଓ ପରେ ଖଣି ଇଞ୍ଜିନିୟର୍ ଭାବରେ ଭୂମି ଖନନ କରିନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ ।

 

୧୯୪୫ ମସିହାରେ ଜଣେ ବିଶିଷ୍ଟ ଗବେଷଣାକାରୀ ଇଞ୍ଜିନିୟର୍ ଭାବରେ ସେ ବର୍କଲେଠାରେ କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟରେ ଯୋଗ ଦେଇଥିଲେ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଶାନ୍ତ ମହାସାଗର ଉପକୂଳବର୍ତ୍ତୀ ସମୁଦ୍ରତୀର ବିଷୟ ଅଧ୍ୟୟନ କରିବା କାର୍ଯ୍ୟରେ ଡଃ ଜନ୍ ଡ଼ି ଆଇଜାକଙ୍କ ସଙ୍ଗେ ଯୋଗ ଦେଇଥିଲେ । ୧୯୫୦ ସାଲରେ ଜାତୀୟ ବିଜ୍ଞାନ ଏକାଡ଼େମୀ ଓ ନୌ-ଇଲେକ୍ଟ୍ରୋନିକ୍ ଗବେଷଣାଗାର ଉଦ୍ୟମରେ ଏକ ବୈଜ୍ଞାନିକ ଦଳ ଗଠିତ ହୋଇଥିଲା । ଯୁଦ୍ଧରେ ଜାହାଜ ଫୁଟାଇଦେବା ପାଇଁ ଯେଉଁ ବିସ୍ଫୋରକ ବିଛାଇ ଦିଆହୁଏ ସେଥିରୁ ଜାହାଜଗୁଡ଼ିକୁ ରକ୍ଷା କରିବା ପାଇଁ ଉପାୟ ଉଦ୍ଭାବନ କରିବା ଥିଲା ତାଙ୍କର କାମ । ୧୯୫୧ ସାଲରେ ସମୁଦ୍ର ସମ୍ପର୍କୀୟ ବିବରଣୀ ସଂଗ୍ରହ ଅନୁଷ୍ଠାନରେ ସେ ଯୋଗ ଦେଲେ ଏବଂ ସେହିବର୍ଷ ପ୍ରଶାନ୍ତ ମହାସାଗରରେ ପରମାଣୁ ବୋମା ବିସ୍ଫୋରଣ ପରୀକ୍ଷା ହୋଇଥିଲା । ସେ ସମ୍ପର୍କୀୟ ତଥ୍ୟ ଯେଉଁମାନେ ରେକର୍ଡ଼ କରିଥିଲେ, ବାସ୍କମ୍‍ ଥିଲେ ସେମାନଙ୍କ ମଧ୍ୟରେ ଅନ୍ୟତମ । ୧୯୫୩ ସାଲରେ ଏକ ଉଚ୍ଚ ବୈଜ୍ଞାନିକ ପାହ୍ୟା ଲାଭ କରି ଦକ୍ଷିଣ ପ୍ରଶାନ୍ତ ମହାସାଗରକୁ ଆଂଶିକ ଭାବରେ ମକରକ୍ରାନ୍ତି ଅଭିଯାନରେ ଯାଇଥିବା “ସ୍ପେନ୍ସର୍ ବେଆର୍ଡ଼” ନାମକ ଗବେଷଣା ଜାହାଜରେ ଡଃ ରୋଜର୍ ରେଭେଲିଙ୍କ ସହିତ ସେ ଯାତ୍ରା କରିଥିଲେ । ଗଭୀର ସମୁଦ୍ରର ଶବ୍ଦ ଧରି ରଖିବା ଓ ଅନ୍ୟାନ୍ୟ ମାପଚୁପ କରିବା ଇତ୍ୟାଦି କାର୍ଯ୍ୟରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଗ୍ରହଣ କରିଥିଲେ ।

 

ଆନ୍ତର୍ଜାତୀୟ ଭୂକେନ୍ଦ୍ରିକ ବର୍ଷ ଭିତରେ (୧୯୫୭) ସୁଇଡ଼େନରେ ଅନୁଷ୍ଠିତ ସମୁଦ୍ର ବିବରଣୀ ସଂଗ୍ରହ ସମ୍ବନ୍ଧୀୟ ସମ୍ମିଳନୀରେ ଏବଂ ହଲାଣ୍ଡରେ ଅନୁଷ୍ଠିତ ବାୟୁମଣ୍ଡଳୀୟ ତେଜସ୍କ୍ରିୟତା ସମ୍ପର୍କୀୟ ସମ୍ମିଳନୀରେ ଆମେରିକାର ପ୍ରତିନିଧିଭାବରେ ମଧ୍ୟ ସେ ଯୋଗ ଦେଇଥିଲେ । ଆନ୍ତର୍ଜାତକ ଭୂକେନ୍ଦ୍ରିକ ବର୍ଷ ଉପଲକ୍ଷେ ସମୁଦ୍ର ଢେଉ ମାପ ଲାଗି ଯନ୍ତ୍ର ସ୍ଥାପନ ଉଦ୍ଦେଶ୍ୟରେ ସେ ପ୍ରାୟ ଏକ ବର୍ଷ ଟାହିଟିରେ କାର୍ଯ୍ୟ କରିଛନ୍ତି ଏବଂ ଅବସର ସମୟରେ ପଲିନେସିଆ ଦ୍ୱୀପର ଇତିହାସରେ ଗବେଷଣା କରିଥିଲେ । ତା’ ପରବର୍ଷ ୧୯୫୮ ସାଲରେ ଜାତୀୟ ବିଜ୍ଞାନ ଏକାଡ଼େମୀର ସାମୁଦ୍ରିକ ଗବେଷଣା ପରାମର୍ଶଦାତା କମିଟିର କାର୍ଯ୍ୟକାରୀ ସମ୍ପାଦକ ଏବଂ ‘‘ମୋହୋଲ” ଯୋଜନାର ଡିରେକ୍ଟର ଭାବରେ ନିଯୁକ୍ତ ହେଲେ । ବୈଜ୍ଞାନିକ କୃତୀ ଓ ଇଞ୍ଜିନିୟରିଂ ବିଦ୍ୟାର ଉତ୍କୃଷ୍ଟ ପୃଷ୍ଠଭୂମି ଯୋଗୁ ତାଙ୍କୁ ଉପରୋକ୍ତ କାର୍ଯ୍ୟ ଲାଗି ଆଦର୍ଶ ବ୍ୟକ୍ତି ବୋଲି ବିବେଚନା କରିଯାଉଥିଲା ।

 

ପୃଥିବୀର ବହିରାବରଣ ଯେଉଁଠି ସବୁଠାରୁ ପତଳା ସେଇଠି ଅର୍ଥାତ୍ ସମୁଦ୍ରର ନିମ୍ନଭାଗରେ ଗାତ ଖୋଳାଯିବ । ଭୂ-ଭାଗର ତଳେ ବରଫ ପାହାଡ଼ ଯୋଗୁ ପୃଥିବୀର ବହିରାବରଣ ୨୦/୩୦ ମାଇଲ ପର୍ଯ୍ୟନ୍ତ ବହଳା । କିନ୍ତୁ ମହାସାଗରଗୁଡ଼ିକର ନିମ୍ନଭାଗରେ ଅଳ୍ପ ପରିମାଣ ବହନ କରୁଥିବାରୁ ବହୁ ପରିମାଣରେ ପତଳା । ପୁଟୋରୀକୋ ନିକଟରେ ଗୋଟିଏ ସ୍ଥାନରେ ସମୁଦ୍ରର ୧୮୦୦୦ ଫୁଟ ନିମ୍ନରେ ଏହା ମୋଟେ ୨୧/୨ ମାଇଲ ବା ୧୩୫୦୦ ଫୁଟ ବହଳା । ସେଠାରେ ଗର୍ତ୍ତ ଖୋଳାଯାଇପାରେ କିମ୍ଵା ସମ୍ଭବତଃ ପ୍ରଶାନ୍ତ ମହାସାଗରରେ, ଯେଉଁଠାରେ ପୃଥିବୀର ବହିରାବରଣ ମୋଟେ ଅଳ୍ପ କେତେ ହଜାର ଫୁଟ ବହଳା ସେଠାରେ ଖୋଳାଯାଇପାରେ । ୧୯୫୯ ସାଲରେ ଗବେଷଣା ଜାହାଜମାନ ଗର୍ତ୍ତ ପାଇଁ ଉପଯୁକ୍ତ ସ୍ଥାନର ଅନୁସନ୍ଧାନ କରିଥିଲେ ।

 

ଗର୍ତ୍ତ ଖୋଳିବା ପାଇଁ ସ୍ଥାନ ନିରୂପଣ ଉଦ୍ଦେଶ୍ୟରେ ଅନ୍ୟାନ୍ୟ ବିଷୟ ଭିତରେ ସମୁଦ୍ରସ୍ରୋତର ବେଗ ବାତ୍ୟାର ବିପଦ ଏବଂ ସମୁଦ୍ରର ନିମ୍ନଭାଗ ଉପରେ ଚାଲୁଥବା ଉତ୍ତାପର ସ୍ରୋତ ପ୍ରଭୃତି ବିଚାରକୁ ନିଆଯାଇଥାଏ । ଅତିରିକ୍ତ ଉତ୍ତାପ ଥିଲେ ଖୋଳିବା ଅସମ୍ଭବ ହୋଇପଡ଼େ । ତେଣୁ ଏପରି ହୁଏତ ଗୋଟିଏ ସ୍ଥାନ ଖୋଜିବାକୁ ପଡ଼ିବ ଯେଉଁଠାରେ କି ସମୁଦ୍ରର ନିମ୍ନତମ ସ୍ଥାନରେ ସାଧାରଣ ଭାବରେ ଯେଉଁ ଅବସ୍ଥା ରହିଥାଏ ସେହି ଭଳି ଅବସ୍ଥା ରହିଥିବ । ଏଥିରୁ ଆମେ ପ୍ରଥମେ ଅନ୍ତତଃ ପୃଥିବୀର ଗଠନ ସମ୍ପର୍କରେ ଅଧିକାଂଶ ବିଷୟ ଜାଣିପାରିବା ।

 

ସମୁଦ୍ର ଉପକୂଳ ନିକଟବର୍ତ୍ତୀ ସ୍ଥାନରେ ଗଭୀର ତୈଳଗର୍ତ୍ତଗୁଡ଼ିକ ଯେପରି ଖୋଳଯାଏ ସେହିପରି ରିଗ୍ ବା ଖନନ ଯନ୍ତ୍ର ପ୍ରୟୋଗ କରି ଉପରୋକ୍ତ ଗର୍ତ୍ତ ବୋଧହୁଏ ଖୋଳାଯିବ । ଭୂମି ଉପରେ ଏ ପର୍ଯ୍ୟନ୍ତ ଯେଉଁ ଗଭୀରତମ ଗର୍ତ୍ତ ଖନନ କରାଯାଇଛି, ତାହାର ଗଭୀରତା ପ୍ରାୟ ୨୫ ହଜାର ଫୁଟ । ମୋହୋଲ ବୋଧହୁଏ ଏତେଦୂର ଯିବା ଦରକାର ହେବ ନାହିଁ କିନ୍ତୁ ସମୁଦ୍ରତଳେ ଗର୍ତ୍ତଖନନ କରିବା ଏକ କଠିନ କାର୍ଯ୍ୟ । ଏଥିପାଇଁ ପ୍ରକୃତରେ କେଉଁ ପ୍ରକାରର ଖନନ, ଖନନଯନ୍ତ୍ର, ଜାହାଜ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ଦରକାର ହେବ, ତାହା ସ୍ଥିର କରିବା ଲାଗି ବର୍ତ୍ତମାନ ପରୀକ୍ଷା ମୂଳକ ଭାବରେ ଖନନ ଚାଲିଛି ।

 

ମାଣ୍ଟଲ୍ ବା ପୃଥିବୀର ଆଧାର ପାତ୍ରରେ ପହଞ୍ଚିବାର ବହୁ ପୂର୍ବରୁ ଏହି ଗର୍ତ୍ତ ଫଳରେ ବହୁ ଉତ୍ତେଜନାପୂର୍ଣ୍ଣ ତଥ୍ୟ ମିଳିପାରିବ । ଖୋଳିବା କାର୍ଯ୍ୟ ଚାଲିବା ସଙ୍ଗେ ସଙ୍ଗେ ଯେଉଁ ପଥର ଭିତରେ ଦେଇ ଖୋଳା ହେଉଥିବ ସେଥିରୁ ସମସ୍ତ ପ୍ରକାର ନମୁନା ବିଶେଷଜ୍ଞମାନଙ୍କ ପରୀକ୍ଷା ପାଇଁ ମିଳିଯିବ । ପୃଥିବୀ ଉପରେ ଜୀବନର ଆରମ୍ଭ ହେବା ଦିନଠାରୁ ସମୁଦ୍ରର ନିମ୍ନତମ ଭାଗରେ ଅଧମାଇଲ ବହଳରେ ଯେଉଁ ସବୁ ଜିନିଷ ଜମା ହୋଇ ରହିଛି ପ୍ରଥମେ ତା’ ଭିତରେ ଦେଇ ଖନନ କରାଯିବ । ଏହି ସ୍ତରଟି ପ୍ରାଚୀନତମ ଜୀବଜନ୍ତୁଙ୍କ ଅବଶେଷକୁ ନେଇ ଗଠିତ ହୋଇଥିବ ଏବଂ ଥାକଥାକ ହୋଇ ରହିଥିବ । ପ୍ରତ୍ୟେକ ଥାକରେ ଦ୍ରବ୍ୟଗୁଡ଼ିକ ବୃକ୍ଷଲତା ଓ ଜୀବଜନ୍ତୁମାନଙ୍କର ପ୍ରାଚୀନତମ ଇତିହାସ ଉଦ୍‍ଘାଟନ୍‍ କରିଦେଇ ପାରିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ମିଳୁଥିବା ଜୀବଜନ୍ତୁଙ୍କ ଅବଶେଷରୁ ସେମାନଙ୍କର ଯେଉଁ ଇତିହାସ ମିଳୁଛି ଉପରୋକ୍ତ ଅବଶେଷରୁ ତା’ର ଦୁଇଗୁଣ ତଥ୍ୟ ମିଳିପାରିବ । ସମୁଦ୍ରର ନିମ୍ନତମ ଦେଶରେ ଜମା ହୋଇଥିବା ଜିନିଷଗୁଡ଼ିକ କେତେ ସମୟ ଭିତରେ ଜମା ହୋଇଥିଲା ଏବଂ ଗଭୀରତା ଓ ସମୟ ଉପରେ ଏହା ପ୍ରଭାବ କ’ଣ ତାହା ମଧ୍ୟ ଭୂତତ୍ତ୍ୱବିଦମାନେ ଜାଣିପାରିବେ । ତା’ପରେ ସମୁଦ୍ରର ନିମ୍ନତମ ଭାଗରେ ଯେଉଁ ସବୁ ଜିନିଷ ଜମାହୋଇଛି ତାହା ୧୦ କୋଟି ବର୍ଷ ପରେ ଯେତେ ଗଭୀର ହେବା କଥା ତା’ଅପେକ୍ଷା କାହିଁକି ବହୁ ଅଧିକ ଅଗଭୀର ହୋଇଛି ତା’ର ରହସ୍ୟ ମଧ୍ୟ ସେମାନେ ଉଦ୍‍ଘାଟନ୍‍ କରିଦେଇ ପାରନ୍ତି ।

 

ବାସ୍କମ୍ କହନ୍ତି ଯେ, ଗାଢ଼ ଯେତେ ଗଭୀର ହୋଇଯିବ ପୃଥିବୀ ପୃଷ୍ଠରେ ଜୀବନର ଆରମ୍ଭ “ସମୟ ଓ ସ୍ଥାନ”ର ରହସ୍ୟ ତାହା ସେତିକି ଅଧିକ ଭେଦ କରିପାରିବ । ଏହିସବୁ ଜିନିଷ ତଳେ ଘନ ପଥର ମିଳିବ । ଏହା ପୃଥିବୀ-ଗ୍ରହର ମୌଳିକ ବହିରାବରଣ । ଏହାର ଆକାର ପ୍ରକାର କ’ଣ ? ଭୂତତ୍ତ୍ୱବିଦ୍ ଓ ପଦାର୍ଥ-ବିଜ୍ଞାନବିଦ୍‍ମାନେ କେବଳ ଏ ବିଷୟରେ କଳ୍ପନା ଜଳ୍ପନା କରିପାରିବେ । କେତେକଙ୍କର ବିଶ୍ୱାସ ଯେ, ଏହା ଚନ୍ଦ୍ରର ଉପରଭାଗ ପରି ଏବଂ ଏହାର ମଝିରେ ମଝିରେ ଗର୍ତ୍ତ ଓ କ୍ଷୁଦ୍ର ଉପଗ୍ରହଗୁଡ଼ିକର ଆବର୍ଜନା ରହିଛି । ଏଇଥିରୁ ହିଁ ପୃଥିବୀ ଓ ସୌରଜଗତର ମୂଳତଥ୍ୟର ସନ୍ଧାନ ମିଳିପାରିବ । ଏହି ଗର୍ତ୍ତଖନନରୁ ପୃଥିବୀର କ୍ରମବିକାଶ ଯେଉଁସବୁ ଉପାଦାନ ଘେନି ଏହା ଗଠିତ ଏବଂ ଏହାର ଚୁମ୍ବକୀୟ କ୍ଷେତ୍ର ବା ପରିସର ଇତ୍ୟାଦି ସମ୍ପର୍କରେ ବହୁ ତଥ୍ୟ ମିଳିପାରିବ ।

 

ଶେଷରେ ଏହି ଗର୍ଭ ଦିନେ ଯାଇ ସେହି ରହସ୍ୟମୟ ପୃଥିବୀର ଆଧାର-ପାତ୍ରରେ ପହଞ୍ଚିବ । ବାସ୍କମ୍ କହନ୍ତି, ଏହା କିପରି ଦେଖାଯିବ ସେ ବିଷୟରେ ତାଙ୍କର ଧାରଣା ନାହିଁ । ସମ୍ଭବତଃ ଏହା ଯେପରି ହୋଇଥିବ ବୋଲି ଆଶା କରାଯାଉଛି ପ୍ରକୃତରେ ସେପରି ହୋଇନଥିବ । ଯେଉଁ କଳ୍ପନାତୀତ ନୂତନ ଆବିଷ୍କାର ଆମର ବିଶ୍ୱାସକୁ ମିଥ୍ୟା ପ୍ରମାଣିତ କରିଦିଏ, ନୂତନ କର୍ମଯୋଜନାରେ ତାହାହିଁ ସବୁଠାରୁ ଅଧିକ ମୂଲ୍ୟବାନ ।

 

ଉଇଲାଡ଼୍ ବାସ୍କମ୍ ବୈଜ୍ଞାନିକ ପତ୍ର ପତ୍ରିକାରେ ସମୁଦ୍ରର ଲହରୀ, ଢେଉ ଓ ମୋହୋଲ ବିଷୟରେ ବହୁ ନିବନ୍ଧ ଲେଖିଛନ୍ତି । ୧୯୬୧ ସାଲରେ ପୃଥିବୀର ଆଧାରଗାତ୍ର ପର୍ଯ୍ୟନ୍ତ ଖୋଳା ହେବା ଗର୍ତ୍ତ ବିଷୟରେ ସେ ଏକ ପୁସ୍ତକ ପ୍ରଣୟନ କରିଥିଲେ । ଏହି ପୁସ୍ତକର ନାମ- “ସମୁଦ୍ରର ନିମ୍ନତମ ଭାଗରେ ଏକ ଗର୍ତ୍ତ” । ଅବସର ସମୟରେ ସମୁଦ୍ରର ନିମ୍ନଭାଗରେ ସନ୍ତରଣ କରିବା ତାଙ୍କର ଏକ ସଉକ୍ । ଏହାହିଁ ବୋଧହୁଏ ତାଙ୍କ ପକ୍ଷରେ ସ୍ୱାଭାବିକ । ତାଙ୍କର ବିଶ୍ଵାସ ଯେ, ଯେଉଁ ଯୁବକମାନେ ସାହସିକ କାର୍ଯ୍ୟ, ଭ୍ରମଣ ଏବଂ ବୌଦ୍ଧିକ କାର୍ଯ୍ୟ ଚାହାନ୍ତି ସେମାନେ ପୃଥିବୀ ବିଜ୍ଞାନରେ ସେ ସମସ୍ତର ସମାବେଶ ପାରିପାରିବେ । ସେ ଆହୁରି କହନ୍ତି, ଆମେ ଯଦି ସୌରଜଗତ ବିଷୟରେ ବୈଜ୍ଞାନିକ ତଥ୍ୟ ଚାହୁଁ ତା’ହେଲେ ଅନ୍ୟଗ୍ରହକୁ ରକେଟ୍ ପ୍ରେରଣ କରିବା ଅପେକ୍ଷା ଆମ ନିକଟତମ ଗ୍ରହ ପୃଥିବୀକୁ ଖୋଳିଲେ ତହିଁରୁ ଅଧିକ ତଥ୍ୟ ପାଇପାରିବା ।

Image

 

ବାଦାମ ଫଳ ଭାଙ୍ଗିଥିବା ଅଦ୍ଭୁତ ମାନବ

-ଲୁଇ ଏସ୍‍. ବି. ଲିକେ

 

୧୯୬୧ ସାଲ ମଇ ୨୦ତାରଖ ଦିନ ଭୂତତ୍ତ୍ୱବିଦ୍ ଡଃ ଗାର୍ଣ୍ଣିସ ଏଚ୍. କୁଟିସ୍ କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟର ବର୍କଲେ କ୍ୟାମ୍ପସ୍‍ଠାରୁ ଆଫ୍ରିକାର କେନିଆ ଅନ୍ତର୍ଗତ ନାଇରୋବିର କରିଣ୍ଡନ୍ ମ୍ୟୁଜିୟମରେ କାର୍ଯ୍ୟ କରୁଥିବା କିଉରେଟର୍ଙ୍କ ନିକଟକୁ ଏକ ପତ୍ର ଲେଖିଥିଲେ । ପତ୍ରଟି ସେ ଏହିପରି ଆରମ୍ଭ କରିଥିଲେ, “ପ୍ରିୟ ଡଃ ଲିକେ, ଗବେଷଣାର ପ୍ରଥମ ଫଳାଫଳ ଏପରି ଆଶ୍ଚର୍ଯ୍ୟଜନକ ଯେ ମୁଁ ଭାବିଲି ଆପଣ ତୁରନ୍ତ ଏହା ଜାଣିବା ଉଚିତ । ଜିଞ୍ଜନ୍ ଥ୍ରୋପ୍ସ ଏବଂ ପ୍ରାକ୍ଜିଞ୍ଜ ସନ୍ତାନ ବହୁ ପୁରାତନ । ଆପଣ ଓ ଶ୍ରୀମତୀ ଲିକେଙ୍କ ବ୍ୟତୀତ ଅନ୍ୟ କେହି ଏମାନଙ୍କୁ ଯେତେ ପୁରାତନ ବୋଲି ଭାବିଛନ୍ତି ତା’ ଅପେକ୍ଷା ସେମାନେ ଯଥେଷ୍ଟ ଅଧିକ ପ୍ରାଚୀନ ।”

 

ଡଃ ଲୁଇ ଏସ୍. ବି. ଲିକେ ଥିଲେ ଜଣେ କିଉରେଟର୍, ନୃତତ୍ତ୍ଵବିଦ୍‍, ପ୍ରତ୍ନତତ୍ତ୍ଵବିଦ୍, ପ୍ରାଚୀନ ବନସ୍ପତି ବିଶେଷଜ୍ଞ ଏବଂ ‘‘କିକୁଇ” ଜାତିର ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି । ଲିକେ କାଳର ସୀମାନ୍ତକୁ ବହୁଦୂରକୁ ପଛେଇ ଦେଇଥିଲେ ଏବଂ ପୃଥିବୀରେ ମନୁଷ୍ୟର ଜୀବନ କେବେ ଆରମ୍ଭ ହେଲା ସେ ବିଷୟରେ ନୂତନ ତଥ୍ୟ ଉଦ୍‍ଘାଟନ୍‍ କରିଥିଲେ । ଏକ ନୂତନ ପଦ୍ଧତିରେ କେତେଗୁଡ଼ିଏ ସାଧାରଣ ପଥରର କାଳ ନିରୂପଣ କରିବା ପାଇଁ ସେ ପରୀକ୍ଷା କରିଥିଲେ । ବିରାଟ “ରିଫ୍ଟ” ଉପତ୍ୟକା ନିକଟବର୍ତ୍ତୀ ଟାଙ୍ଗାନାଇକାର ଜନବସତିଶୂନ୍ୟ ଅଞ୍ଚଳରେ ଗୋଟିଏ ଶୁଷ୍କଗଣ୍ଡରୁ ଏହି ପଥରଗୁଡ଼ିକ ସଂଗ୍ରହ କରାଯାଇଥିଲା । ଏହି ବିରାଟ ଉପତ୍ୟକା ଏସିଆ ମାଇନର ଜର୍ଡ଼ାନଠାରୁ ଦକ୍ଷିଣ ଆଫ୍ରିକାର ମୋଜାମ୍ବିକ ପର୍ଯ୍ୟନ୍ତ ୪୦୦୦ ମାଇଲ ବ୍ୟାପୀ ଏକ ବିସ୍ତୃତ ଅଞ୍ଚଳ-। “ଓଲଡ଼ୁଭାଇ” ବୋଲି କୁହାଯାଉଥିବା ଏହି ଗଣ୍ଡ ସମ୍ପର୍କରେ ସେ ୩୦ ବର୍ଷ ଧରି ଗବେଷଣା ଚଳାଇଥିଲେ ।

 

ବହୁକାଳପୂର୍ବେ ଏକ ସମୟରେ ଉପରୋକ୍ତ ଗଣ୍ଡ ଉପରେ ଗୋଟିଏ ହ୍ରଦ ଥିଲା ବୋଲି କେତେକ ହିସାବରୁ ଜଣାଯାଏ । ତା’ପରେ ଏକ ଉପଦ୍ଵୀପ ହ୍ରଦ ଭିତରକୁ ପଶିଗଲା ଏବଂ ଉକ୍ତ ଉପଦ୍ଵୀପରେ ମଣିଷ ବସତି ଥିଲା ବୋଲି ମଧ୍ୟ ବିଶ୍ଵାସ କରାଯାଏ । ସେଠାରେ ଥିବା ଆଦିମ ଅଧିବାସୀମାନେ ଦୂରରୁ ନିଜ ବସତିକୁ ପାଣି ବୋହିନେବା ପାଇଁ ପାତ୍ର ତିଆରି କରିଜାଣି ନଥିଲେ ଏବଂ ଏହି ହ୍ରଦ ସେମାନଙ୍କୁ ପକ୍ଷୀ, କଇଁଚ ଓ ମାଛ ଯୋଗାଇ ଦେଇଥିଲା । ଫଳରେ ଖାଦ୍ୟ ଓ ପାଣି ଉଭୟ ସେମାନେ ପାଖରେ ପାଇପାରୁଥିଲେ । ତା’ପରେ ସମୟ ଆସିଲା ଯେତେବେଳେ କି ଅନବରତ ଘୋର ବର୍ଷା ଚାଲିଲା-ଏହାକୁ ଭୂତତ୍ତ୍ୱବିଦମାନେ ‘ପ୍ଲୁଭିଆଲ୍’ ବୋଲି କହିଥାନ୍ତି । ବରଫ ସ୍ରୋତ ଇଉରୋପ, ଉତ୍ତର ଆମେରିକା ଏବଂ ଏସିଆ ପର୍ଯ୍ୟନ୍ତ ବିସ୍ତୃତ ହେବା ପରେ ସେହିଭଳି ବର୍ଷା ସମଗ୍ର ଆଫ୍ରିକାରେ ସାଧାରଣ ଭାବରେ ହୋଇଥିଲା ।

 

ତଳୁ ପୁଣି ସେହି ହ୍ରଦ ଉଠିଲା ଏବଂ ସମଗ୍ର ଉପଦ୍ଵୀପକୁ ପଟୁରେ ଆବୃତ କରିଦେଇଥିଲା । ଦୀର୍ଘକାଳ ଧରି ସମ୍ଭବତଃ ହଜାର ହଜାର ବର୍ଷ ଧରି ବଡ଼ ପରିମାଣର ପଟୁ ଜମା ହୋଇଗଲା । ଶେଷରେ ୩୦୦ ଫୁଟ ବହଳା ପଟୁ ଜମା ହୋଇଗଲା । ତା’ପରେ ହ୍ରଦ ଶୁଖିଗଲା । ହଜାର ହଜାର ବର୍ଷ ପରେ ପୃଥିବୀରେ ଏକ ବିରାଟ ଓଲଟପାଲଟ ସଂଘଠିତ ହେଲା ଏବଂ ବିରାଟ “ରିଫ୍ଟ” ଉପତ୍ୟକାର ସୃଷ୍ଟି ହେଲା । ଏହା ଭିତରକୁ ଜଳସ୍ରୋତ ମାଡ଼ିଆସିଲା । ଆଗେ ଯେଉଁଠି ହ୍ରଦ ଥିଲା ଜଳସ୍ରୋତର ଗୋଟିଏ ଧାର ସେହି ସ୍ଥାନରେ ଖୋଳି ଗଣ୍ଡ କରିପକାଇଲା । ବହୁଦିନ ବିତିଯିବା ପରେ ଜଳସ୍ରୋତ ଅନ୍ତର୍ହିତ ହୋଇଗଲା ଏବଂ ଗଣ୍ଡର ଉପରିଭାଗ ବୃକ୍ଷଲତାରେ ଆଦୃତ ହୋଇଗଲା । ପୁଣି ହଜାର ହଜାର ବର୍ଷ ବିତିଯିବା ପରେ ୧୯୧୧ ସାଲରେ ଜର୍ମାନୀ ବୈଜ୍ଞାନିକମାନେ ଏହି ଗଣ୍ଡ ସମ୍ପର୍କରେ ଅନୁସନ୍ଧାନ ଚଳାଇବା ପାଇଁ ଏକ ଯୋଜନା ପ୍ରସ୍ତୁତ କଲେ-। ୧୯୩୧ ମସିହା ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରିନଥିଲା । ସେହିବର୍ଷ ଡଃ ଲିକେ ଯେତେବେଳେ ମନୁଷ୍ୟର ପୂର୍ବ ବଂଶଧରମାନଙ୍କ ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କଲେ ସେତେବେଳେ “ଓଲ୍ଡ଼ୁଭାଇ” ପ୍ରତି ଗୁରୁତ୍ୱ ଦିଆଯାଇ ଅନୁଧ୍ୟାନ ଚାଲିଲା ।

 

ଲୁଇ ଏସ୍. ବି. ଲିକେ ୧୯୦୩ ସାଲରେ କେନିଆର ଗୋଟିଏ କିକୁୟୂ ପରିବାରର କୁଟୀରରେ ଜନ୍ମଗ୍ରହଣ କରିଥିଲେ ତାଙ୍କ ପିତାମାତା ଥିଲେ ବ୍ରିଟିଶ୍ ମିସନାରୀ ବା ଧର୍ମଯାଜକ ପାଦ୍ରୀ । ସେମାନେ ଏକ କିକୁୟୁ ଜାତିର ଲୋକଙ୍କ ସାଙ୍ଗରେ ବାସ କରୁଥିଲେ । ଫଳରେ ଶୈଶବାସ୍ଥାରୁ ସେ ଇଂରେଜୀ ଭାଷା ବୁଝିବା ପୂର୍ବରୁ କିକୁୟୁମାନଙ୍କ ଭାଷାରେ କଥାବାର୍ତ୍ତା କରିଶିଖିଥିଲେ । ମାତ୍ର ପରେ ଶିକ୍ଷାଲାଭ କରିବାପାଇଁ ସେ ଇଂଲଣ୍ଡ ଗଲେ ଏବଂ କେମ୍ବ୍ରିଜ୍ ବିଶ୍ଵବିଦ୍ୟାଳୟରୁ ପି. ଏଚ୍. ଡ଼ି. ପଦବୀ ଲାଭ କଲେ । ୧୯୨୪ରେ ସେ ପୁଣି ଆଫ୍ରିକାକୁ ଫେରିଆସିଲେ । ଟାଙ୍ଗାନାଇକାକୁ ଏକ ପ୍ରତ୍ନତତ୍ତ୍ଵ ଅଭିଯାନକାରୀ ଦଳର ସଭ୍ୟ ଭାବରେ ଏଥର ସେ ଆଫ୍ରିକା ଆସିଲେ । ସେହିଦିନଠାରୁ ଆଫ୍ରିକାହିଁ ତାଙ୍କର ପ୍ରଧାନ କର୍ମକ୍ଷେତ୍ରରେ ପରିଣତ ହେଲା ।

 

ପ୍ରତ୍ନତତ୍ତ୍ୱବିଦ୍‍ମାନେ ସାଧାରଣତଃ ବିଶ୍ଵାସ କରନ୍ତି ଯେ ପ୍ରଥମେ ଏସିଆରେ ହିଁ ମାନବଜୀବନ ଆରମ୍ଭ ହୋଇଥିଲା । ଡଃ ଲିକେ ଏଥିରେ ଏକମତ ହୋଇନଥିଲେ । ଚାର୍ଲସ୍‍ ଡାର୍ଉଇନଙ୍କ ପରି ସେ ବିଶ୍ଵାସ କରୁଥିଲେ ଯେ, ମଣିଷର ପ୍ରାଚୀନତମ ବାସଭୂମି ହେଉଚି ଆଫ୍ରିକା ଏବଂ “ଓଲ୍ଡ଼ୁଭାଇ” ଗଣ୍ଡ ଏହାର ସାକ୍ଷୀ ବୋଲି ସେ ଅନୁଭବ କରୁଥିଲେ । ଏଠାରେ ୩୦୦ ଫୁଟ ଗଭୀର ଭୂଖଣ୍ଡର ଏକ ସ୍ତର ବାହାର କରି ସେ ତାହା ଦର୍ଶାଇଛନ୍ତି ।

 

ଯେଉଁ ବୈଜ୍ଞାନିକମାନେ ବିବର୍ତ୍ତନ ସମ୍ପକରେ ଅନୁଧ୍ୟାନ କରନ୍ତି ସେମାନଙ୍କର ବିଶ୍ଵାସ ଯେ, ଆଧୁନିକ ମାନବ (ହୋମୋସାପିଏନ୍‍) ଏବଂ ବଡ଼ ବଡ଼ ମଣିଷ ସଦୃଶ ବାନର (ଗରିଲା, ସିମ୍ପାଜି ଓ ଓରାଂଓଟାଂ) ସୁଦୂର ଅତୀତରେ ବାସ କରୁଥିବା ଏକ ବଂଶଧରଙ୍କଠାରୁ ସମ୍ଭୂତ । ଜୀବଜନ୍ତୁଙ୍କ ହାଡ଼ ପ୍ରଭୃତି ଅଧ୍ୟୟନ କରୁଥିବା ବୈଜ୍ଞାନିକ ଯାହାକୁ “ପାଲିଓଣ୍ଟୋଲଜିଷ୍ଟ” ବୋଲି କୁହାଯାଏ ସେମାନେ ଆବିଷ୍କାର କରିଛନ୍ତି ଯେ, ୪ କୋଟି ବର୍ଷ ପୂର୍ବେ ପ୍ରଥମ ମାନବ ସଦୃଶ ବାନର ପୃଥିବୀ ପୃଷ୍ଠରେ ଆବିର୍ଭୂତ ହେଲା । ସେମାନଙ୍କଠାରୁ ବହୁ ପ୍ରକାର ବାନର ଜନ୍ମଲାଭ କଲେ-। ଏମାନଙ୍କ ଭିତରୁ କେତେକ ଏକାବେଳକେ ଲୋପ ପାଇଯାଇଛନ୍ତି ଓ ତାଙ୍କର କୌଣସି ବଂଶଧର ନାହାନ୍ତି । ଅନ୍ୟମାନେ ବିବର୍ତ୍ତନ ପଦ୍ଧତିରେ ଏବକାଳର ବାନରରେ ପରିଣତ ହୋଇଛନ୍ତି-। ତଥାପି ବିଶ୍ଵାସ କରାଯାଉଛି, ଯେ, ଅନ୍ୟମାନେ ହୋମିନିଡ଼େଙ୍କ ବଂଶଧର ଥିଲେ । ଏମାନେ ଆଧୁନିକ ମାନବ ଏବଂ ତା’ ପୂର୍ବରୁ ଯେଉଁ ଧରଣର ଆଦି ମାନବ ଲୋପ ପାଇ ଯାଇଛନ୍ତି ସେମାନଙ୍କର ବଂଶଧର ।

ହୋମୋସାପିଏନ୍‍ ବା ଆଧୁନିକ ମାନବ ପୃଥିବୀ ପୃଷ୍ଠକୁ ପ୍ରଥମେ କେବେ ଆସିଲେ ତାହା କେହି ସଠିକ ଭାବରେ କହିପାରିବେ ନାହିଁ । କେତେକ ବୈଜ୍ଞାନିକ କହନ୍ତି ଯେ ଏହା ମୋଟେ ୫୦ ହଜାର ବର୍ଷ ତଳର କଥା । ଅନ୍ୟମାନଙ୍କର ବିଶ୍ଵାସ ଯେ, ମଣିଷ ଏହା ଅପେକ୍ଷା ଆହୁରି ପୁରାତନ । ଜୀବଜନ୍ତୁଙ୍କ ହାଡ଼ ପ୍ରଭୃତିରୁ ଜଣାଯାଏ ଯେ, ମନୁଷ୍ୟର ଜନ୍ମ ଅନ୍ୟ ଏକ ପ୍ରକାର ଜୀବଠାରୁ ଯାହାର କି ବହୁକାଳରୁ କୌଣସି ଅସ୍ତିତ୍ଵ ନାହିଁ; କିନ୍ତୁ ନିଜ ପାଇଁ ଆବଶ୍ୟକ ଉପକରଣ ତିଆରି କରିବା ଭଳି ବୁଦ୍ଧି ସେହି ଜୀବମାନଙ୍କର ଥିଲା ।

 

୧୯୨୦ ଏବଂ ୧୯୩୦ ସାଲଭିତରେ ଆଫ୍ରିକାରେ ଆଉ ଏକ ପ୍ରକାର ପ୍ରାଣୀର ଅବଶେଷ ମିଳିଥିଲା । ୫ ଫୁଟ ଉଚ୍ଚତା ସମ୍ପନ୍ନ ଏହା ଏକ କ୍ଷୁଦ୍ରକାୟ ଜୀବ । ଏହାସିଧା ହୋଇ ଚାଲୁଥିଲା ଏବଂ ତା’ର ବଡ଼ ବଡ଼ ଦାନ୍ତ ଥିଲା । ଏହାର ଆକୃତି ଥିଲା ବାନର ସଦୃଶ; କିନ୍ତୁ ମଣିଷ ସାଙ୍ଗରେ ଏହାର ସାଦୃଶ୍ୟ ଥିଲା ଅଧିକ । ଫଳରେ ୟାକୁ ବାନର ବୋଲି କୁହାଯାଇ ନପାରେ । କିନ୍ତୁ ଏହା ନିଜ ପାଇଁ ଦରକାରୀ ଉପକରଣ ତିଆରି କରିଥିବାର କୌଣସି ପ୍ରମାଣ ନାହିଁ । ଏହା ବାନର ଥିଲା କି “ହୋମିନିଡ଼୍” (ଆଧୁନିକ ମନୁଷ୍ୟ ଓ ମନୁଷ୍ୟ ଜନ୍ମର ପୂର୍ବ ଏବଂ ଅସ୍ତିତ୍ଵ ହରାଇଥିବା ମଣିଷର ପୂର୍ବ ବଂଶଧର) ଥିଲା ? ପୁରାତନ ଜୀବଜନ୍ତୁଙ୍କ ଅବଶେଷ ସମ୍ପର୍କରେ ଗବେଷଣା କରୁଥିବା ବୈଜ୍ଞାନିକମାନେ ସିଦ୍ଧାନ୍ତ କଲେ ଯେ, ବେକଠାରୁ ତଳକୁ ସେ ମନୁଷ୍ୟ ଆକୃତିର ଥିଲା ଏବଂ ବେକଠାରୁ ଉପରକୁ ବାନର ସଦୃଶ ଥିଲା । ସେମାନେ ତାକୁ “ଅଷ୍ଟ୍ରାଲୋପିଥିକ୍ସ ଆଫ୍ରିକାନ୍ସ” ବା ଦକ୍ଷିଣ ଆଫ୍ରିକାର ଶବର ବୋଲି କହୁଥିଲେ ।

 

ଡଃ ଲିକେ ତାକୁ “ପ୍ରାୟ ମଣିଷ ଭଳି” ବୋଲି ବର୍ଣ୍ଣନା କରିଥିଲେ ଏବଂ ବିଶ୍ୱାସ କରିଥିଲେ ଯେ, ନିଜପାଇଁ ଦରକାରୀ ଉପକରଣ ତିଆରିକ୍ଷମ ମଣିଷ ଓ ତା’ଭିତରେ ସମ୍ପର୍କ ଥିବାର ସନ୍ଧାନ ସେ ପାଇପାରିବେ । ସେ ଏବଂ ତାଙ୍କର ସ୍ତ୍ରୀ ମେରୀ “ଓଲ୍ଡ଼ୁଭାଇ”ର ଚାରିପଟେ ଅନୁସନ୍ଧାନ ଆରମ୍ଭ କଲେ । ଅଳ୍ପଦିନ ଭିତରେ ସେମାନେ ପଥର ତିଆରି ଆଦିମକାଳର ଉପକରଣ ମାନ ସେଠାରୁ ପାଇଲେ । ସେଗୁଡ଼ିକ ମଣିଷଦ୍ୱାରା କଳ୍ପିତ ଓ ନିର୍ମିତ ହୋଇଥିବା ନିଶ୍ଚିତ । ଏପରି ଏକ ସ୍ତରରୁ ଖୋଳାହୋଇ ଏଗୁଡ଼ିକ ବାହାରିଲା ଯାହାକି ପୂର୍ବରୁ ମଣିଷ ତିଆରି ଉପକରଣ ବାହାରିଥିବା ଯେ କୌଣସି ସ୍ତରଠାରୁ ପୁରାତନ । ସେହିଭଳି ଏକ ସ୍ତରରେ ଦକ୍ଷିଣ ଆଫ୍ରିକୀୟ ବାନରର ଅବଶେଷ ମିଳିଲା । ମାତ୍ର ଉପକରଣ ନିର୍ମାଣକାରୀଙ୍କର କୌଣସି ସନ୍ଧାନ ମିଳିଲା ନାହିଁ । ଲିକେ ଓ ତାଙ୍କର ସହଧର୍ମିଣୀ ଅନ୍ୟାନ୍ୟ କେତେକ ଉଲ୍ଲେଖଯୋଗ୍ୟ ଆବିଷ୍କାର ମଧ୍ୟ କରିଥିଲେ । ଅନୁସନ୍ଧାନ ଫଳରେ ସେମାନେ ଜାଣିପାରିଲେ ଯେ, ବହୁକାଳରୁ ଲୋପ ପାଇଯାଇଥିବା ଏକ ଅଦ୍ଭୁତ ପ୍ରକାରର ଜୀବ “ଓଲ୍ଡ଼ୁଭାଇ” ରେ ଏକଦା ବାସକରୁଥିଲେ । ସେଠାରେ ବିରାଟକାୟ ମେଣ୍ଢା ଥିଲେ ଯାହାଙ୍କର ଉଚ୍ଚତା ଥିଲା ୬ ଫୁଟ ଏବଂ ଶିଙ୍ଗର ଚଉଡ଼ା ଥିଲା ୧୨ଫୁଟ । ଆଧୁନିକ ଗଣ୍ଡାର ଆକାରର ଘୁଷୁରୀ ଥିଲେ ଏବଂ ମଣିଷଠାରୁ ଦୁଇଗୁଣ ଅଧିକ ଉଚ୍ଚତା ବିଶିଷ୍ଟ ଓଟପକ୍ଷୀ ଥିଲେ । ସେମାନେ ଛୋଟ ବେକଥିବା ଏକପ୍ରକାର ଜିରାଫର ଅବଶେଷ ମଧ୍ୟ ଦେଖିଥିଲେ । ହରିଣ ଜାତୀୟ ଜୀବ ଦେଖିଥିଲେ “ମୃଦ୍” ପରି ଏମାନଙ୍କ ଶିଙ୍ଗରେ କେଶ ଥିଲା । ଗରିଲା ଅପେକ୍ଷା ବିରାଟ ଆକାରର ବାନରର ମଧ୍ୟ ସେମାନେ ସନ୍ଧାନ ପାଇଥିଲେ; କିନ୍ତୁ କୌଣସି ଉପକରଣ ନିର୍ମାଣକ୍ଷମ ଜୀବଙ୍କର ସନ୍ଧାନ ସେମାନେ ପାଇଲେ ନାହିଁ । ଡଃ ଲିକେ କହନ୍ତି, “ଯେ କୌଣସି ବୈଜ୍ଞାନିକ ଆପଣଙ୍କୁ କହିବେ ଯେ ଅଧ୍ୟବସାୟ ସଙ୍ଗେ ଆଉ କୌଣସି କଥାର ତୁଳନା ନାହିଁ ।” ଫଳରେ ଅନୁସନ୍ଧାନ ଚାଲିଛି ।

 

ଶେଷରେ ଦିନେ ୧୯୫୯ ସାଲ ଜୁଲାଇ ମାସରେ ଶ୍ରୀମତୀ ଲିକେ ଉପରୋକ୍ତ ଗଣ୍ଡର ଗୋଟିଏ ପାଖରେ ଆଖି ବୁଲାଉଥିବା ବେଳେ ଦେଖିଲେ ଯେ, ପଥରରୁ କେତେଗୁଡ଼ିଏ ଦାନ୍ତ ବାହାରିଛି । ସେଗୁଡ଼ିକ ନିଶ୍ଚୟ ମଣିଷ ଦାନ୍ତ ଯଦିଓ ତାହାର ପ୍ରସ୍ଥ ଆଧୁନିକ ମଣିଷ ଦାନ୍ତର ପ୍ରସ୍ଥର ଦୁଇଗୁଣ ।

 

ଆଦିମ ମାନବଦ୍ୱାରା ନିର୍ମିତ ଉପକରଣମାନ ମଧ୍ୟ ସେମାନେ ସେଠାରୁ ପରେ ପାଇଲେ । ଏହିପରି ଅନେକ ଅନୁସନ୍ଧାନ ପରେ ଶେଷକୁ ଡକ୍ଟର ଲିକେ ସିଦ୍ଧାନ୍ତକଲେ ଯେ ସେଠାରେ ଯେଉଁ ଆଦିମ ମନୁଷ୍ୟ ବାସ କରୁଥିଲେ ସେମାନେ ଯେ କେବଳ ଉପକରଣ ତିଆରି କରିପାରୁଥିଲେ, ତା ନୁହେଁ; ସେମାନେ ପ୍ରାଣୀର ଚମଡ଼ାକୁ ପୋଷାକ ଏବଂ ବିଛଣା ରୂପେ ମଧ୍ୟ ବ୍ୟବହାର କରୁଥିଲେ ।

 

ଅନୁସନ୍ଧାନ ଫଳରେ ସେ ଯେଉଁ ତଥ୍ୟ ପାଇଲେ ତା’ର ନାମ ଦେଇଥିଲେ “ଜିଞ୍ଜା ଆନ୍ଥ୍ରୋପସ୍” । ଜିଞ୍ଜା ହେଲା ଆଫ୍ରିକା ପାଇଁ ଏକ ପୁରାତନ ଆରବୀ ଶବ୍ଦ ଏବଂ ଆନ୍ଥ୍ରୋପସ୍ ଏକ ଗ୍ରୀକ୍ ଶବ୍ଦ-ଏହାର ଅର୍ଥ ମଣିଷ । ତେଣୁ “ଜିଞ୍ଜା ଆନ୍ଥ୍ରୋପସ୍”ର ଅର୍ଥ ହେଲା ଆଫ୍ରିକାର ମଣିଷ । ଲିକେ ସେହି ମଣିଷ ଆକୃତିର ପୁନର୍ଗଠନ କରିପାରିଥିଲେ । ସେ ମଣିଷର ଉଚ୍ଚତା ଥିଲା ୫ଫୁଟ ଏବଂ ତା’ର ଛାତି, କାନ୍ଧ ଓ ମାଂସପେଶୀ ଥିଲା । ତା’ର କପାଳ ଥିଲା କ୍ରମଅବନତ ଏବଂ ଗରିଲା ପରି ତା’ର ମୁଣ୍ଡରେ ଗୋଟାଏ ଚୂଳ ଥିଲା । ତା’ର ଆଖିପତା ପ୍ରାୟ ନ ଥିଲା । ମସ୍ତିଷ୍କର ଆକୃତି ଆଧୁନିକ ମଣିଷର ମସ୍ତିଷ୍କର ଏକ ଦ୍ଵିତୀୟାଂଶ ସଙ୍ଗେ ସମାନ ହେବ । ତା’ର କଳ ଦାନ୍ତଗୁଡ଼ିକ ବିରାଟକାୟ ଥିଲା ଏବଂ ମୁଖ୍ୟତଃ ବାଦାମଫଳ ଖାଇ ସେ ଜୀବନ ଧାରଣ କରୁଥିଲା । କିନ୍ତୁ ତା’ର ଦାନ୍ତର ହାଡ଼ଗୁଡ଼ିକ ଭଙ୍ଗା ହୋଇ ମେଲା ହୋଇଯାଇଥିଲା ଏବଂ ସେଥିରୁ ମଜ୍ଜା ବାହାରି ଯାଇଥିଲା-। ଏହି ମଣିଷ ଯେ ମାଂସଆହାର କରୁଥିଲା ଏକଥା ନିଶ୍ଚିତ ଭାବରେ କୁହାଯାଇପାରେ-। ମାଂସହାର ଏକ ଗୁରୁତ୍ତ୍ଵପୂର୍ଣ୍ଣ ତଥ୍ୟ; କାରଣ ମାଂସାହାର ପ୍ରତି ରୁଚିବୋଧ ବାନର ଓ ମଣିଷ ଭିତରେ ମୁଖ୍ୟ ବିଭାଜକ ରେଖା ବୋଲି ବିଶ୍ୱାସ କରାଯାଉଛି ।

 

ଏହି ଅନୁସନ୍ଧାନର ଫଳାଫଳ ପ୍ରକାଶ ପାଇବା ପରେ ସମ୍ବାଦପତ୍ରମାନେ ଏହି ଆବିଷ୍କାରକୁ “ନଟକ୍ରାକର୍‍ମ୍ୟାନ” ବା ବାଦାମ ଫଳ ଭାଙ୍ଗିଥିବା ମନୁଷ୍ୟ ବୋଲି କହିଥିଲେ ଏବଂ ସେଇଥିପାଇଁ ଏ ନାମଟି ସୁପରିଚିତ ହୋଇଯାଉଛି । ଏହି ଯେଉଁ ମଣିଷର ସନ୍ଧାନ ସେ ପାଇଲେ ତାହା କେତେବର୍ଷ ପୂର୍ବର ମଣିଷ ? ଏ ବିଷୟରେ ଡଃ ଲିକେ ଖୁବ୍ ସତର୍କତାର ସହିତ ନିଜର ମତ ଦେଇଥିଲେ । ସେ କହିଥିଲେ ଯେ, ଏ ମଣିଷ ଅନ୍ତତଃ ୬ ଲକ୍ଷ ବର୍ଷ ପୂର୍ବର ହେବ । ଏ ପର୍ଯ୍ୟନ୍ତ ଉପକରଣ ତିଆରି କରୁଥିବା ଯେତେବର୍ଷ ପୂର୍ବର ମଣିଷଙ୍କ କଥା ଜଣାପଡ଼ିଛି, ତା’ର ତୁଳନାରେ ଏ ମଣିଷ ଅଧିକ ପୁରାତନ । ମାତ୍ର ବାଦାମ ଫଳ ଭାଙ୍ଗିଥିବା ମଣିଷଟି ତା’ ଅପେକ୍ଷା ଆହୁରି ପୁରାତନ ବୋଲି ତାଙ୍କର ଅନୁମାନ ଥିଲା ଯଦିଓ ଏହା ସେ କହି ନଥିଲେ । ସେ ଜାଣିଥିଲେ ଯେ, ବିଶେଷ ପ୍ରମାଣ ଉପସ୍ଥାପିତ ନକଲେ କେହି ତାଙ୍କ କଥାରେ ବିଶ୍ଵାସ କରିବେ ନାହିଁ । ଜୀବଜନ୍ତୁଙ୍କ ଅବଶେଷ ରହିଥିବା ସ୍ଥାନର ଠିକ୍ ଉପରୁ ଓ ତଳୁ ସେ ପଥରର ନମୁନା ଖୋଳି ତେଜଃଷ୍କ୍ରିୟ ପଦ୍ଧତିରେ ତା’ର ସମୟ ବା କାଳ ନିର୍ଦ୍ଧାରଣ କରିବାପାଇଁ କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟକୁ ପଠାଇ ଦେଇଥିଲେ ।

 

ଅଳ୍ପ କିଛିଦିନ ପରେ ଡଃ ଲିକେ ଦ୍ଵିତୀୟ ଥର ପାଇଁ ଆଶ୍ଚର୍ଯ୍ୟ ତଥ୍ୟ ପ୍ରକାଶ କଲେ । ଏହା ହେଉଛି, ଗୋଟିଏ ପିଲାର ହାଡ଼ ବିଷୟରେ । ସ୍ତରର ବିଚାର ଦୃଷ୍ଟିରୁ ସେଗୁଡ଼ିକ ବାଦାମ ଫଳ ଭାଙ୍ଗିଥିବା ମଣିଷଠାରୁ ମଧ୍ୟ ପୁରାତନ । ନିକଟରେ ଉପକରଣ ମାନେ ରହିଥିଲା; କିନ୍ତୁ ସେଗୁଡ଼ିକ ସେହି ପିଲା ସହିତ ସଂପୃକ୍ତ ବୋଲି କୌଣସି ପ୍ରତ୍ୟକ୍ଷ ପ୍ରମାଣ ନଥିଲା । କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟକୁ ଅଧିକ ପଥରର ନମୁନା ପଠାଯାଇଥିଲା ।

 

ସେଠାରେ ଡଃ ଗାର୍ଣ୍ଣିସ ଏଚ୍. କୁଟିସ୍ ଓ ଡଃ ଜାକ୍ ଏଭରଣ୍ଡେନ୍ ସେହି ପଥର ସମୟ ବା କାଳ ନିର୍ଣ୍ଣୟ କରିବା ପାଇଁ ନୂତନ ଆଧୁନିକ ପଦ୍ଧତି ପ୍ରୟୋଗ କରିଥିଲେ । ପଟାସିୟମ୍ ୪୦ର ତେଜଃଷ୍କ୍ରିୟ ଶକ୍ତିର ହ୍ରାସକୁ ଭିତ୍ତିକରି ଏହି ପଦ୍ଧତିର ସୃଷ୍ଟି । ପ୍ରଥମେ ଡଃ କୁଟିସ୍ ଓ ଡଃ ଏଭରଣ୍ଡେନ୍ ସେମାନଙ୍କ ପରୀକ୍ଷା ଫଳକୁ ନିଜେ ବିଶ୍ଵାସ କରିପାରି ନଥିଲେ-ସେମାନେ ଅତ୍ୟନ୍ତ ବିସ୍ମିତ ହେଉଥିଲେ । ତେଣୁ ପୁଣିଥରେ ପରୀକ୍ଷା ଚାଲିଲା । ତା’ପରେ ଡଃ କୁଟିସ୍ ଡଃ ଲିକେଙ୍କ ନିକଟକୁ ଏକ ପତ୍ରରେ ଲେଖିଥିଲେ–“ମୋ ସହକର୍ମୀ ଓ ମୁଁ ପଥରର ନମୁନାଗୁଡ଼ିକର ଯେଉଁ ବୟସ ନିର୍ଣ୍ଣୟ କରୁଛୁ ତାହା ହାରାହାରି ୧,୭୫୦,୦୦୦ ବର୍ଷ ହେବ ।”

 

୧,୭୫୦,୦୦୦ ବର୍ଷ । ତା’ହେଲେ ପ୍ରଥମମାନବ ଜୀବନ ଯେତେ ପ୍ରାଚୀନ ହୋଇଥିବ ବୋଲି ଅନୁମାନ କରାଯାଇଥିଲା । ତା’ଅପେକ୍ଷା ଏହା ତିନିଗୁଣ ପୁରାତନ । ପ୍ରଥମେ କେତେକ ପ୍ରତ୍ନତଭୁବିଦ୍ ଏହି ତଥ୍ୟକୁ ଗ୍ରହଣ କରିବା ପାଇଁ ରାଜି ହୋଇନଥିଲେ । ଅନ୍ୟମାନେ ଏହାକୁ ଗ୍ରହଣ କରିନେଇ କହିଥିଲେ ‘ଯେ ପ୍ରାଚୀନତମ ମାନବର ଯେଉଁ ସନ୍ଧାନ ଆଗରୁ ମିଳିଥିଲା, ତାହା ମୋଟେ ୬୦୦,୦୦୦ ବର୍ଷ ପୂର୍ବର । କିନ୍ତୁ ନୂତନ ତଥ୍ୟ ପୂର୍ବ ତଥ୍ୟ ଅପେକ୍ଷା ଅଧିକ ଯୁକ୍ତିଯୁକ୍ତ ଏବଂ ମନୁଷ୍ୟର ବିକାଶ ଖୁବ୍ ଧୀରେ ଧୀରେ ହୋଇଛି ବୋଲି ଯେଉଁ ସନ୍ଧାନ ମିଳିଛି ତା’ସହିତ ଏହା ଅଧିକ ଖାପ ଖାଇଯାଉଛି ।

 

ଡଃ ଲିକେ କେବଳ ବିଶ୍ୱାସ ଉପରେ ନିର୍ଭର କରି କୌଣସି କଥା ଗ୍ରହଣ କରିବାକୁ ରାଜି ନୁହନ୍ତି । ଯେକୌଣସି ତଥ୍ୟକୁ ପରୀକ୍ଷା କରିଗ୍ରହଣ କରିବା ହେଉଛି ତାଙ୍କକ ମୂଳମନ୍ତ୍ର । ଆଦିମ ଯୁଗର ଉପକରଣଗୁଡ଼ିକ ସମ୍ପର୍କରେ ଜ୍ଞାନଲାଭ ନିମିତ୍ତ ସେ ସେଗୁଡ଼ିକୁ ପଥର ଓ ହାଡ଼ରୁ ସଂଗ୍ରହ କରିଆଣି ସେଥିରେ ନିଜ ଜୀବଜନ୍ତୁଙ୍କୁ ମାରିବା ଏବଂ ସେମାନଙ୍କ ଛାଲ ଉତାରିବାରେ ଲଗାଇଥାନ୍ତି । ଯେଉଁ ମଣିଷ ଜୀବଜନ୍ତୁଙ୍କ ଚମଡ଼ା ପିନ୍ଧିପାରୁଥିଲେ ସେମାନେ ନିଶ୍ଚୟ ବିଭିନ୍ନ ହାତହତିଆର ଓ ଉପକରଣର ବ୍ୟବହାର ଜାଣିଥିବେ । କିନ୍ତୁ ଏ ବିଷୟରେ ନିଜର ହୃଦ୍‍-ବୋଧ ପାଇଁ ସେ ତାଙ୍କ ଦାନ୍ତରେ ଗୋଟିଏ ଜୀବର ଚମଡ଼ା ଉତାରିବାକୁ ଚେଷ୍ଟା କରିଥିଲେ; କିନ୍ତୁ ସେଥିରେ ବିଫଳ ହେଲେ । ତା’ପରେ ଉପରୋକ୍ତ ସତ୍ୟକୁ ସେ ସ୍ୱୀକାର କଲେ । ତାଙ୍କର ପୁରାତନ ବନ୍ଧୁ କିକୁୟୁମାନେ ତାଙ୍କୁ ନିଜ ଜାତିର ନେତା ରୂପେ ନିର୍ବାଚିତ କରିଥିଲେ ଏଥିରେ ଅବଶ୍ୟ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

 

ଡଃ ଲିକେ ବିଶ୍ୱାସ କରନ୍ତି ଯେ, ଆମ ପୂର୍ବ-ପୁରୁଷମାନଙ୍କୁ ଜାଣିବା ପାଇଁ ଯେଉଁ ସବୁ ଅନୁସନ୍ଧାନ ଚାଲିଛି ତାହା ଯେ କୌଣସି କଳ୍ପନାଶକ୍ତି ସମ୍ପନ୍ନ ଓ ସାହସୀବ୍ୟକ୍ତି ପକ୍ଷରେ ଏକ ଆହ୍ଵାନ ସ୍ୱରୂପ । ସେ କହିଛନ୍ତି, “ଯେତେସବୁ ରହସ୍ୟପୂର୍ଣ୍ଣ ଓ ଚାତୁରୀ ସମ୍ବଳିତ ଗଳ୍ପମାନ ଏପର୍ଯ୍ୟନ୍ତ ଲେଖାଯାଇଛି, ସେ ସବୁ ଉତ୍ତେଜନା ଦୃଷ୍ଟିରୁ ଆମ ଅନୁସନ୍ଧାନ ଏବଂ ଗବେଷଣାର କାହାଣୀ ସହିତ ତୁଳନୀୟ ହୋଇପାରିବ ନାହିଁ ।”

Image

 

ବିଶ୍ଵର ମୌଳିକ ଉପାଦାନ

Unknown

ଆଣବିକ ଘଡ଼ି

-ଉଇଲାର୍ଡ଼ ଏଫ୍ .ଲିବି.

 

ଆଧୁନିକ ବିଜ୍ଞାନର ଜନ୍ମ ପୂର୍ବରୁ ରସାୟନ ବିଶେଷଜ୍ଞମାନେ (ପୁରାକାଳରେ ସେମାନଙ୍କୁ “ଆଲକେମିଷ୍ଟ” ବା ରସାୟନ ବିଦ୍ୟାରେ ପ୍ରଥମାବସ୍ଥାର ଗବେଷଣାକାରୀ ବୋଲି କୁହାଯାଉଥିଲା) ବହୁ ଅଦ୍ଭୁତ ଅଦ୍ଭୁତ ଜିନିଷକୁ ନେଇ ପରୀକ୍ଷା କରୁଥିଲେ । ବାଦୁଡ଼ିର ଡେଣା, ଅତି ପୁରାତନକାଳରୁ ସଂରକ୍ଷିତ ମନୁଷ୍ୟର ଶବ, ହାଡ଼, ଛତୁ, ଜଳରେ ରହୁଥିବା ଲାଙ୍ଗୁଳ ବିଶିଷ୍ଟ ଏକ ପ୍ରକାର ପ୍ରାଣୀର ଆଖିକୁ ଘେନି ସେମାନେ ପରୀକ୍ଷା ଚଳାଇଥିଲେ । ଏଥିରୁ ଯେଉଁ ସବୁ ତଥ୍ୟ ବା ଫଳାଫଳ ବାହାରୁଥିଲା ତାହା ପ୍ରାୟ ସେପରି ଉଲ୍ଲେଖଯୋଗ୍ୟ ନଥିଲା ।

 

ଆଧୁନିକ ରାସାୟନିକମାନେ “ଆଲକେମିଷ୍ଟ” ମାନଙ୍କର ଉପରସ୍ତରକୁ ଚାଲିଗଲେଣି ବୋଲି ଆମେ ଆଶା କରୁଛୁ । ମାତ୍ର ୧୦ ବର୍ଷ ପୂର୍ବେ ଡ଼ଃ ଉଇଲର୍ଡ଼ ଏଫ୍.ଲିବି ଚିକାଗୋ ଗବେଷଣାଗାରରେ ପୁରାତନ କାଳରୁ ସଂରକ୍ଷିତ ମନୁଷ୍ୟର ଶବ ଉପରେ ଆବୃତ ଜିନିଷ, ସେହି ମମ୍ମିର ଶବାଧାର, ଗୋଟିଏ ରାଜପ୍ରାସାଦର ଅଂଶ ବିଶେଷ, ଲେବାନନର ଦେବଦାରୁ ଗଛ, ପୁରାତନ ପଦ୍ମମଞ୍ଜି, କାଦୁଅ, କାଠ କୋଇଲା ଓ ଭାରତୀୟ ଗୁମ୍ଫାଗୁଡ଼ିକରୁ ମିଳିଥିବା କାଠ ଉପକରଣ ପ୍ରଭୃତିକୁ ଘେନି ପରୀକ୍ଷା ଓ ଗବେଷଣା କରୁଥିଲେ ।

 

ଡଃ ଲିବି “ଆଲକେମିଷ୍ଟ” ନଥିଲେ । ଗୋଟିଏ ପରମାଣୁ ଘଡ଼ି ନିର୍ମାଣରେ ସେ ରତ ଥିଲେ ।

 

ଦ୍ଵିତୀୟ ପୃଥିବୀ ମହାସମର କାଳରେ ଡ଼ଃ ଲିବି କଲମ୍ବିଆ ବିଦ୍ୟାଳୟରେ ଯୁଦ୍ଧ ଗବେଷଣା ବିଭାଗରେ ପରମାଣୁ ବିଭାଜନ (ଫିଜନ୍) ସମ୍ପର୍କରେ ଗବେଷଣା କରୁଥିଲେ । ୟୁରାନିୟମ୍‍ର “ଆଇସୋଟୋପ୍” ବା ସମଗୁଣୀ ଅଣୁ ବିଷୟରେ ଗବେଷଣା କରିବା ଥିଲା ତାଙ୍କର ନିର୍ଦ୍ଦିଷ୍ଟ କାର୍ଯ୍ୟ । ୟୁରାନିୟମ୍ ହେଲା ଏକ ଅତି ସାଧାରଣ ମୌଳିକ ଉପାଦାନ । ପ୍ରାକୃତିକ ଜଗତ ଯେଉଁ ସବୁ ମୌଳିକ ଉପାଦାନଘେନି ଗଠିତ ୟୁରାନିୟମ୍ ତା’ମଧ୍ୟରେ ଅନ୍ୟତମ । ଏକ ମୌଳିକ ଉପାଦାନ ହୋଇଥିବାରୁ ଏହାର କ୍ଷୁଦ୍ରତମ ଅଂଶ ହେଉଛି ଅଣୁ ଯାହାକୁକି କୌଣସି ପ୍ରକାର ରାସାୟନିକ ପ୍ରକ୍ରିୟାରେ ଆଉ ଅନ୍ୟଦ୍ରବ୍ୟରେ ପରିଣତ କରିହେବ ନାହିଁ । ଏହା ସର୍ବଦା ସେଇ ମୌଳିକ ଉପାଦାନ ହୋଇ ରହିବ । ଅନେକ ମୌଳିକ ଉପାଦାନ ଭଳି ୟୁରାନିୟମ୍‍ର ମଧ୍ୟ ସମସ୍ତ ଅଣୁ ଏକାଭଳି ନୁହେଁ । ଅଣୁଗୁଡ଼ିକର ପ୍ରାକୃତିକ ଗଠନ ଅତ୍ୟନ୍ତ ଜଟିଳ । ବହୁ ମୌଳିକ ଉପାଦାନରେ ଏକାଧିକ ପ୍ରକାରର ଅଣୁ ରହିଥିବା ମଧ୍ୟ ସମ୍ଭବ । ଏକା ଉପାଦାନର ସମସ୍ତ ଅଣୁ ଏକାଭଳି ରାସାୟନିକ କାର୍ଯ୍ୟ କରିଥାନ୍ତି; କିନ୍ତୁ ସେଗୁଡ଼ିକର ଓଜନରେ ବା ତେଜସ୍କ୍ରିୟତାରେ ତାରତମ୍ୟ ଥାଇପାରେ । ଯେଉଁଠି ଏକା ମୌଳିକ ଉପାଦାନର ବିଭିନ୍ନ ଆକାର ପ୍ରକାର ରହିଛି ସେଠାରେ ସେଗୁଡ଼ିକୁ ଆଇସୋଟୋପ୍ ବା ସମଗୁଣୀ ଅଣୁ ବୋଲି କୁହାଯାଇଥାଏ । ବିସ୍ମୟର କଥା ଏହି ଯେ, ଇଜିପ୍ଟର ମମ୍ମି କିମ୍ଵା ଭାରତୀୟ ଗୁମ୍ଫାରୁ ମିଳିଥିବା ଉପକରଣ ଗୁଡ଼ିକର ସଂରକ୍ଷଣରେ “ଆଇସୋଟୋପ୍”ର ବିଶେଷ ଭାଗ ରହିଛି ।

 

ଯୁଦ୍ଧପରେ ଡଃ ଲିବି ଚିକାଗୋ ବିଶ୍ଵବିଦ୍ୟାଳୟରେ ପରମାଣୁ ଅଧ୍ୟୟନ ସମ୍ବନ୍ଧୀୟ ଅନୁଷ୍ଠାନରେ ଯୋଗ ଦେଇ, “ଆଇସୋଟୋପ୍” ଓ ତେଜସ୍କ୍ରିୟତା ବିଷୟରେ ଗବେଷଣା କରିଥିଲେ-। ତାଙ୍କୁ ଏହି ସମୟରେ ଗୋଟିଏ ସମସ୍ୟା ବିଶେଷ ଭାବରେ ଆକର୍ଷଣ କରିଥିଲା-। ସେ ଜାଣିଥିଲେ ଯେ, ବାୟୁମଣ୍ତଳରେ ଚାରିଆଡ଼େ ଏକ କ୍ଷୀଣ ପ୍ରାକୃତିକ ତେଜସ୍କ୍ରିୟ ଶକ୍ତି ରହିଛି ଯାହାର କାରଣ ସମ୍ପର୍କରେ ଆଦୌ ଅନୁସନ୍ଧାନ କରାଯାଇ ନାହିଁ । ବାୟୁମଣ୍ଡଳରେ ଏହି ଶକ୍ତି ରହିଲେ କେଉଁଠି ହେଲେ କେତେକ ତେଜସ୍କ୍ରିୟ ଉପାଦାନ ବା ଅସ୍ଥାୟୀଅଣୁ ନିଶ୍ଚୟ ରହିଥିବ । ଏହାର କେନ୍ଦ୍ର ଭାଙ୍ଗିଯିବା ଅବସ୍ଥାରେ ଥିବ । ଅଣୁର କେନ୍ଦ୍ରଭୂମି ଭାଙ୍ଗିଗଲେ ଏଥିରୁ ଅଦୃଶ୍ୟ ରଶ୍ମି ନିର୍ଗତ ହୁଏ–ଏହି ରଶ୍ମିକୁ ତେଜସ୍କ୍ରିୟତା କୁହାଯାଏ । ଏହି “ନିଉକ୍ଳିଅସ” ବା କେନ୍ଦ୍ରଭୂମି ଚ୍ଛିନ୍ନ ବିଚ୍ଛିନ୍ନ (ଏହା ହେଲେ ସମ୍ପୂର୍ଣ୍ଣ ନୂତନ ମୌଳିକ ଉପାଦାନ ଗଠିତ ହୋଇଥାଏ) ହୋଇଯିବ ପର୍ଯ୍ୟନ୍ତ କିମ୍ଵା ଏହା ତେଜସ୍କ୍ରିୟ ହୋଇ ନ ଥିବା ଆଇସୋଟୋପ୍ ବା ସମଗୁଣୀ ଅଣୁକୁ ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ସେହିଭଳି ନିଜର ତେଜସ୍କ୍ରିୟତାକୁ ଧରି ରଖିଥାଏ । ଡଃ ଲିବି ବିଶ୍ୱାସ କରୁଥିଲେ ଯେ, ବାୟୁମଣ୍ତଳର ସାଧାରଣ ମୌଳିକ ଉପାଦାନ ଭିତରେ ଏପର୍ଯ୍ୟନ୍ତ ଆବିଷ୍କୃତ ନ ହୋଇଥିବା କୌଣସି ସାଧାରଣ ଉପାଦାନର “ଆଇସୋଟୋପ୍” ବା ସମଗୁଣୀ ଅଣୁ ଥିବା ଫଳରେ ଏହି ତେଜ ନିର୍ଗତ ହୋଇଛି । ସେ ଏହାକୁ ବାହାର କରିବାକୁ ସ୍ଥିର କରିଥିଲେ ।

 

୧୯୪୭ ସାଲରେ ବାୟୁମଣ୍ଡଳରେ ତେଜ-ବିକିରଣ ମାପିବା ପାଇଁ ସେ ଏକ ସ୍ୱତନ୍ତ୍ର ଯନ୍ତ୍ର ତିଆରି କରିଥିଲେ ଏବଂ ତା’ରି ମାଧ୍ୟମରେ ପରୀକ୍ଷା ଆରମ୍ଭ କରିଥିଲେ । ବହୁ ପରୀକ୍ଷା ପରେ ସେ ଯାହା ଚାହୁଁଥିଲେ ତା’ର ସନ୍ଧାନ ପାଇଲେ । ତାହା ହେଲା-ଯେଉଁ “ଆଇସୋଟୋପ୍” ବା ସମଗୁଣୀ ଅଣୁର ଅସ୍ଥିତ୍ଵ ସମ୍ପର୍କରେ ଏ ପର୍ଯ୍ୟନ୍ତ ସନ୍ଦେହ କରାଯାଇ ନଥିଲା ଏବଂ ଯାହାକି ପୃଥିବୀର ଏକ ଅତି ସାଧାରଣ ଉପାଦାନ । ଅର୍ଥାତ୍ କାର୍ବନ୍-୧୪ । ସେ ଆବିଷ୍କାର କଲେ ଯେ, ୩୦ ହଜାର ଫୁଟ ଉପରେ ବାୟୁମଣ୍ତଳରେ ମହାଜାଗତିକ ରଶ୍ମିର କ୍ରିୟାଦ୍ଵାରା ନିରବଚ୍ଛିନ୍ନ ଭାବରେ ବହୁ ସଂଖ୍ୟାରେ କାର୍ବନ-୧୪ ଉତ୍ପାଦିତ ହୋଇଛି । ଏହି ମହା-ଜାଗତିକ ରଶ୍ମି ମହାଶୂନ୍ୟରୁ ଆସୁଥିବା ଅଦୃଶ୍ୟ ତେଜ କିନ୍ତୁ ଏହା କେଉଁଠୁ ଆସୁଛି ତାହା ସଠିକ୍ ଭାବେ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ମହାଜାଗତିକ ରଶ୍ମି ବାୟୁମଣ୍ଡଳରେ “ନାଇଟ୍ରୋଜିନ୍‍”ର ଅଣୁରେ ଆଘାତ ଦେଇଥାଏ ଯାହା ଫଳରେ କି କାର୍ବନ୍-୧୪ର ସୃଷ୍ଟି ହୁଏ ।

 

କାର୍ବନ୍-୧୪ ବାୟୁମଣ୍ଡଳ ଭିତର ଦେଇ ଛାଣିହୋଇଯାଏ ଏବଂ ଅନ୍ୟାନ୍ୟ କାର୍ବନ୍ ଅଣୁ ପରି ଏହା ଯେତେବେଳେ ଅକ୍ସିଜିନ୍‍ ବା ଅମ୍ଳଜାନ ବାଷ୍ପ ସହିତ ଏକାଠି ହୁଏ ସେତେବେଳେ ଏହା କାର୍ବନ୍ ଡାଇଅକ୍ସାଇଡ଼୍ ବା ଅଙ୍ଗାରାମ୍ଳଜାନରେ ପରିଣତ ହୁଏ । କାର୍ବନ୍ ଡାଇଅକ୍ସାଇଡ଼୍ ପୃଥିବୀରେ ଥିବା ସମସ୍ତ ବୃକ୍ଷଜଗତର ମୂଳଭିତ୍ତି । ପ୍ରତ୍ୟେକ ଜୀବନ୍ତ ପ୍ରାଣୀର ଶରୀରର ଜୀବକୋଷ ଭିତରକୁ ଏହା ପ୍ରବେଶ କରିଥାଏ । ଏହିସବୁ ଦୃଷ୍ଟିରୁ ତାଙ୍କର ହୃଦ୍‍-ବୋଧ ହୋଇଥିଲା ଯେ, ସେ ଏକ ପରମାଣୁ ଘଡ଼ି ଆବିଷ୍କାର କରିଛନ୍ତି ।

 

ଡଃ ଲିବି ଉପଲବ୍ଧି କରିଥିଲେ ଯେ, ପୃଥିବୀର ପ୍ରତ୍ୟେକ ପ୍ରାଣୀ ମୃତ୍ୟୁ ପର୍ଯ୍ୟନ୍ତ କାର୍ବନ୍ ଡାଇଅକ୍ସାଇଡ଼୍ ଆକାରରେ କାର୍ବନ୍-୧୪ ଗ୍ରହଣ କରିଥାନ୍ତି । କିନ୍ତୁ ମରିଗଲେ ଏହା ଗ୍ରହଣ କରିବାର ଆଉ ସମ୍ଭାବନା ନଥାଏ । କାର୍ବନ୍-୧୪ର “ସ୍ଥିରତା ନଥିବାରୁ” ଘଡ଼ିର ଶକ୍ତି କମି କମି ଗଲାଭଳି ଏହା କ୍ରମଶଃ ନିଜର ତେଜସ୍କ୍ରିୟ ଗୁଣ ହରାଇଥାଏ । ୫୫୬ ବର୍ଷରେ ଏହା ଅର୍ଦ୍ଧେକ ଶକ୍ତି ହରାଇ ବସେ । କିଛିକାଳ ପରେ ଆଉ ତେଜ ବିକିରଣ ହୁଏ ନାହିଁ ଏବଂ କାର୍ବନ୍-୧୪ ସାଧାରଣ କାର୍ବନ୍ ହୋଇଯାଏ । ଡଃ ଲିବି ବିଶ୍ଵାସ କରୁଥିଲେ ଯେ, ଯେ କୌଣସି ବସ୍ତୁ ଯଦି କେବେହେଲେ ଜୀବିତ ଥିଲା ତା’ହେଲେ ତାକୁ ପରୀକ୍ଷା କରିବା ସମ୍ଭବ ଏବଂ କେତେ ପରିମାଣରେ ତେଜସ୍କ୍ରିୟ କାର୍ବନ୍-୧୪ ଏଥିରେ ରହିଛି ତାହା ମାପିବା ମଧ୍ୟ ସମ୍ଭବ ହେବ । ଏହା ଫଳରେ ସେହି ବସ୍ତୁଟି କେତେଦିନ ପୂର୍ବେ ସେ ଜୀବିତ ଥିଲା ତାହା ମଧ୍ୟ ଜଣାପଡ଼ିବ ।

 

ମେକ୍ସିକୋର ବିଖ୍ୟାତ ସୂର୍ଯ୍ୟ-ପିରାମିଡ଼ରୁ ସଂଗୃହୀତ ନମୁନାରୁ, ନ୍ୟୁୟର୍କ ର ବାଟ୍ ଗୁମ୍ଫାରୁ ସଂଗୃହୀତ ଯବମାଂସ, ଇଜିପ୍ଟରେ ସଂରକ୍ଷିତ ପୁରାତନ ମନୁଷ୍ୟ ମମ୍ମିର ଶବ ଆବୃତ ହୋଇଥିବା ଜିନିଷ ଏବଂ ଓରେଗାଁସ୍ଥିତ ଭାରତୀୟ ଗୁମ୍ଫାରୁ ସଂଗୃହୀତ ପୁରାତନ ଜୋତା ସମେତ ୭୦୦ଟି ନମୁନା ପରୀକ୍ଷା କରିବା ପରେ ଡଃ ଲିବି ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ, ୨୦୦ ବର୍ଷ ବ୍ୟବଧାନ ଭିତରେ ୫୦ ହଜାର ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ବସ୍ତୁ କେତେବର୍ଷ ପୂର୍ବର ତାହା ସେ କେହି ଦେଇପାରିବେ । କୌଣସି ବସ୍ତୁ ବା ଜୀବର ପ୍ରାଚୀନତା ଜାଣିପାରିବାର ଏହି କୌଶଳ ଭୂତତ୍ତ୍ଵବିଦ୍, ପ୍ରତ୍ନତ୍ତ୍ଵବିଦ୍, ନୃତତ୍ତ୍ଵବିଦ୍ ଏବଂ ଅନ୍ୟମାନଙ୍କୁ ଚମତ୍କୃତ କରିଦେଇଥିଲା । କାରଣ ସେମାନେ ସମାଧାନ କରିବାକୁ ସମର୍ଥ ହୋଇନଥିବା ଅନେକ ସମସ୍ୟାର ସମାଧାନ କରିବାକୁ ସମର୍ଥ ହୋଇ ନ ଥିବା ଅନେକ ସମସ୍ୟାର ସମାଧାନ ପନ୍ଥା ସେମାନେ ପାଇଗଲେ । ଏହି ପଦ୍ଧତି ସାହାଯ୍ୟରେ “ଡେଡ଼୍‍ ସି” ବା ମୃତ ସାଗରରୁ ସଂଗୃହୀତ ମୁଣ୍ଡର ଖପୁରୀ କେତେବର୍ଷ ପୂର୍ବର ତାହା ଜାଣିବା ସମ୍ଭବପର ହୋଇଥିଲା । ଏହି ପଦ୍ଧତି ସାହାଯ୍ୟରେ ଶେଷ ବରଫ ଯୁଗର ପ୍ରାଚୀନତା ମଧ୍ୟ ଜାଣିହେଲା । ପୃଥିବୀର ବିଶେଷ ଗୁରୁତ୍ଵପୂର୍ଣ୍ଣ ଆବିଷ୍କାରମାନଙ୍କ ମଧ୍ୟରେ ଏ ଆବିଷ୍କାର ଅନ୍ୟତମ । ପୂର୍ବେ ବରଫଯୁଗ ୨୫ ହଜାର ବର୍ଷ ପୂର୍ବେ ଶେଷ ହୋଇଥିଲା ବୋଲି ଅନୁମାନ କରାଯାଉଥିଲା; କିନ୍ତୁ ପ୍ରକୃତରେ ଏହାର ୧୪ ହଜାର ବର୍ଷ ପରେ ଏ ଯୁଗ ଶେଷ ହୋଇଥିଲା । ପରମାଣୁ ଘଡ଼ିର ଗୁରୁତ୍ଵ ପୂର୍ବରୁ ବୁଝାଇ ଦିଆଯାଇଛି । କାର୍ବନ୍-୧୪ ଆବିଷ୍କାର ପରେ ଲିବି ଅନ୍ୟ ଏକ ପ୍ରକାରର ପରମାଣୁ ଘଡ଼ି “ଟ୍ରିଟିୟମ୍”ର ଆବିଷ୍କାର କାର୍ଯ୍ୟରେ ଲାଗିପଡ଼ିଲେ ।

 

୬ ଫୁଟ ୨ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି ଖ୍ୟାତାନାମା ବୈଜ୍ଞାନିକ ଡଃ ଲିବିଙ୍କୁ ଅନେକ ସମୟରେ “ୱାଇଲ୍ଡ଼ ବିଲ୍” ବୋଲି କୁହାଯାଇଥାଏ । ସେ ଅତ୍ୟନ୍ତ ସ୍ପଷ୍ଟବାଦୀ ହୋଇଥିବା ଯୋଗୁହିଁ ତାଙ୍କୁ ଏପରି ନାମିତ କରାଯାଇଥାଏ । ସେ କଲରାଡ଼ୋର ଗ୍ରାଣ୍ଡଭାଲିଠାରେ ୧୯୦୮ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ କାଲିଫର୍ଣ୍ଣଆର ସେବାଷ୍ଟପୋଲ୍ ଠାରେ ଲାଳିତ ପାଳିତ ହୋଇଥିଲେ । ହାଇସ୍କୁଲରେ ପଢ଼ିବା ବେଳେ ଲିବି ଫୁଟବଲ୍ ଟିମରେ ମଧ୍ୟ ଖେଳୁଥିଲେ । ଛାତ୍ରାବସ୍ଥାରେ ଏକ ଫଳ ଗୋଦାମରେ କାମ କରିତାଙ୍କୁ କିଛି କିଛି ହାତଖର୍ଚ୍ଚ ସଂଗ୍ରହ କରିବାକୁ ପଡ଼ିଥିଲା । ୧୯୨୭ ସାଲରେ କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟର ବର୍କଲେଠାରେ ସେ ଭର୍ତ୍ତିହେଲେ ଏବଂ ୧୯୩୩ ସାଲରେ ରସାୟନ ବିଦ୍ୟାରେ ଡକ୍ଟରେଟ୍ ଉପାଧି ଲାଭ କଲେ ।

 

୧୯୫୪ ସାଲରେ ପ୍ରେସିଡ଼େଣ୍ଟ ଆଇଜିନ୍‍ ହାୱାର୍ ପରମାଣୁ ଶକ୍ତି କମିଶନ ଅନୁଷ୍ଠାନରେ ଯୋଗଦେବା ଲାଗି ଡଃ ଲିବିଙ୍କୁ ଡାକିଥିଲେ ଏବଂ ତା’ପରେ ସେ ଏହି ଅନୁଷ୍ଠାନରେ ୫ବର୍ଷ କାଳ କାମ କରିଥିଲେ । ୧୯୫୫ରେ ଜେନେଭାଠାରେ ଅନୁଷ୍ଠିତ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବିନିଯୋଗ ସମ୍ପର୍କୀୟ ଆନ୍ତର୍ଜାତିକ ସମ୍ମିଳନୀରେ ସେ ଥିଲେ ଆମେରିକାର ପ୍ରଧାନ ମୁଖପାତ୍ର । ପରମାଣୁ ଶକ୍ତି କମିଶନରେ ପରମାଣୁ ବିସ୍ଫୋରଣକୁ ଭୂଗର୍ଭ-ଖନନ ଓ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ଉପଯୋଗ କରିବା ସମ୍ପର୍କରେ ସେ ବହୁ ପରୀକ୍ଷା କରିଥିଲେ ।

 

ପରମାଣୁ କମିଶନରୁ ଇସ୍ତଫା ଦେବାପରେ ଲିବି କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟର ରସାୟନଶାସ୍ତ୍ର ଅଧ୍ୟାପକ ଭାବରେ ନିଯୁକ୍ତି ପାଇଲେ । ୧୯୬୦ରେ ପରମାଣୁ ଘଡ଼ି ଆବିଷ୍କାର ଯୋଗୁଁ ସେ ରସାୟନ ବିଦ୍ୟାରେ ନୋବେଲ୍ ପୁରସ୍କାର ପାଇଥିଲେ ।

Image

 

ଗୁରୁ ଜଳ ଓ ଚାଲୁଣି

ହାରଲ୍ଡ଼ କ୍ଲେଟନ୍ ଉରେ

 

ସମୟ ସେତେବେଳେ ଠିକ୍ ଭୋର୍ ୫ଟା ୩୦ ମିନିଟ୍ (ରକିମାଉଣ୍ଟେନ୍ ସମୟ) । ସେଦିନ ହେଉଛି, ୧୯୪୫ ସାଲର ଜୁଲାଇ ୧୬ ତାରିଖ । ସ୍ଥାନଟି ଖୁବ୍ ନିଛାଟିଆ-ନିଉ ମେକ୍ସିକୋ ଅନ୍ତର୍ଗତ ଆଲମୋଗୋର୍ଡୋ ନିକଟବର୍ତ୍ତୀ ବିସ୍ତୃତ ମରୁଭୂମି । ଆକାଶ ପ୍ରାୟ ଅନ୍ଧକାର । କିନ୍ତୁ ପୂର୍ବଦିଗରେ ନୂତନ ଦିବସର ପ୍ରଥମ ସଂକେତ ମିଳୁଥିଲା । ହଠାତ୍ ଏକ ଆଲୋକର ଝଲକ ଆଖିକୁ ଝଲସାଇ ଦେଲା–ଏହି ଆଲୋକ ଏକାଧିକ ସୂର୍ଯ୍ୟଙ୍କର ଆଲୋକଠାରୁ ଅଧିକ ଦୀପ୍ତିବାନ୍ ଥିଲା । ଏକ ବିରାଟ ଶବ୍ଦ ସହ ପୃଥିବୀର ୪୧ହଜାର ଫୁଟ ଉପରେ (ଯାହାକି ଏଭରେଷ୍ଟ ଶୃଙ୍ଗଠାରୁ ଆହୁରି ୧୨ହଜାର ଫୁଟ ଅଧିକ ଉଚ୍ଚ) ମେଘର ଏକ ବିସ୍ତୀର୍ଣ୍ଣ ପଟଳ ସମସ୍ତ ଅଞ୍ଚଳକୁ ଛାଇ କରିଦେଇଥିଲା ।

 

ମାନବ ଜାତି ପ୍ରଥମ ପରମାଣୁ ବୋମା ବିସ୍ଫୋରଣ କଲା । ଇତିହାସରେ ପ୍ରଥମଥର ପାଇଁ ମଣିଷ ଏପରି ବିରାଟ ପରିମାଣର ଶକ୍ତି ବିଛାଡ଼ି ଦେଇଥିଲା ଯାହାକି ପ୍ରତ୍ୟକ୍ଷ ବା ପରୋକ୍ଷରେ ସୂର୍ଯ୍ୟଙ୍କଠାରୁ ଆହରଣ କରାଯାଇ ନଥିଲା । ଏହି ଶକ୍ତି ଏତେ ବଳିଷ୍ଠ ଥିଲା ଯେ, ୧୦ବର୍ଷ ପରେ ଅନ୍ୟତମ ଆମେରିକା ବୁଡ଼ା ଜାହାଜ “ନଟିଲସ୍’’ ଟେବୁଲ ଟେନିସ ବଲ ଆକାରର ଖଣ୍ଡେ ଜାଳେଣି ଦ୍ରବ୍ୟଦ୍ୱାରା ପୃଥିବୀ ଚାରିପଟ ଆୟତନର ୨୦ଗୁଣ ଦୁରତ୍ଵ ବୁଲିଆସି ପାରିଥିଲା । ସେଦିନ ଆଲାମୋଗୋର୍ଡୋର ମରୁଭୂମିରେ ଯେଉଁ ସୂର୍ଯ୍ୟ ଉଦୟ ହେଲେ ସେ ସୂର୍ଯ୍ୟ ଏକ ନୂତନ ପୃଥିବୀର ସୂର୍ଯ୍ୟ । ଏହି ନୂତନ ପୃଥିବୀ ହେଉଛି, ପରମାଣୁ ଯୁଗର ପୃଥିବୀ ।

 

“ଜିଗ୍‍ସ ପଜଲ୍‍”ରେ ଯେପରି ବିଭିନ୍ନ ସ୍ଥାନରୁ ଚିତ୍ରକାଟି ଏକତ୍ର କରାଯାଏ ସେହିପରି ପୃଥିବୀର ବହୁ ଦେଶର ଅସଂଖ୍ୟ ନରନାରୀଙ୍କ ଉଦ୍ୟମ ଓ ଆବିଷ୍କାରକୁ ଏକାଠି କରିବହୁ କଷ୍ଟରେ ପରମାଣୁ ବୋମା ପ୍ରସ୍ତୁତ କରାଯାଉଥିଲା । ଏମାନଙ୍କ ଭିତରୁ ଜଣେ ପ୍ରତିଭାଶାଳୀ, ଦୂରଦର୍ଶୀ ଆମେରିକାବାସୀ ହାରଲଡ଼୍ କ୍ଲେଟନ୍ ଉରେ ଅନେକଗୁଡ଼ିଏ ଆବିଷ୍କାର କରିଥିଲେ । ସେ ରସାୟନବିଦ୍ ଥିଲେ ଏବଂ ପଦାର୍ଥ ବିଜ୍ଞାନରେ ମଧ୍ୟ ସେ ଥିଲେ ଜଣେ ବିଶେଷଜ୍ଞ ।

 

ଉରେ ଇଣ୍ଡିଆନାର ୱାକର୍ଟନଠାରେ ୧୮୯୩ ସାଲରେ ଜନ୍ମଗ୍ରହଣ କରିଥିଲେ ଏବଂ କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟରୁ ୧୯୨୩ ସାଲରେ ରସାୟନବିଦ୍ୟାରେ ଡକ୍ଟରେଟ୍ ଉପାଧି ଲାଭ କଲେ । ପରବର୍ତ୍ତୀ ବର୍ଷ ଡେନମାର୍କରେ ପଦାର୍ଥବିଦ୍ୟା ଅଧ୍ୟୟନ କରିଥିଲେ । ରସାୟନବିଦ୍ୟା ଓ ପଦାର୍ଥବିଦ୍ୟା ମଝିରେ ଥିବା ଯେଉଁକ୍ଷେତ୍ରକୁ କେହି ଯିବାକୁ ଉଦ୍ୟମ କରିନଥିଲେ ସେହି କ୍ଷେତ୍ରଟି ତାଙ୍କ ସାରା ଜୀବନର ଅଧ୍ୟୟନ-ଭୂମି ହୋଇ ରହିଥିଲା । ଜନ୍ ହପ୍‍କିନ୍ସ ବିଶ୍ଵବିଦ୍ୟାଳୟରେ ଏବଂ ପରେ କଲମ୍ବିଆ ବିଶ୍ଵବିଦ୍ୟାଳୟରେ ଅଧ୍ୟାପନା କାର୍ଯ୍ୟ କରୁଥିବା ସମୟରେ ସେ ଗ୍ୟାସର ପରମାଣୁଗତ ଗଠନ ଏବଂ ସେମାନଙ୍କର “ଆଇସୋଟପ୍” ବା ସମଗୁଣୀ ପରମାଣୁ ସମ୍ପର୍କରେ ଗବେଷଣା କରିଥିଲେ ।

 

ମୌଳିକ ଉପାଦାନଗୁଡ଼ିକର ପରମାଣୁ ଏକାଧିକ ଆକାରରେ ରହିଛି ଯଦିଓ ଏକା ମୌଳିକ ଉପାଦାନରେ ଗଠିତ ବିଭିନ୍ନ ଆକାରର ପରମାଣୁର (ଯାହାକୁ ଆଇସୋଟୋପ୍ କୁହାଯାଏ) ଏକାଭ ରାସାୟନିକ ପ୍ରତିକ୍ରିୟା ହୋଇଥାଏ । ଓଜନରେ ବା ତେଜସ୍କ୍ରିୟତାର ପରିମାଣରେ ସେଗୁଡ଼ିକର ତାରତମ୍ୟ ରହିଥାଏ । ଉରେ କ୍ରମଶଃ ବିଶ୍ୱାସ କଲେ ଯେ, ସମସ୍ତ ପ୍ରକାର ଅଣୁର ସରଳତମ ଅଣୁ ହାଇଡ୍ରୋଜେନର ସେହିଭଳି ଏକ ଆଇସୋଟୋପ୍ ଥିଲା ।

 

ଅଣୁଗୁଡ଼ିକ ବହୁ କ୍ଷୁଦ୍ରତମ ଉପାଦାନଦ୍ଵାରା ଗଠିତ ହୋଇଛି । ସେମାନଙ୍କ ଭିତରୁ ପ୍ରୋଟନ୍, ଇଲେକ୍ଟ୍ରନ୍ ଓ ନିଉଟ୍ରନହେଲା ମୌଳିକ । ପ୍ରୋଟନ୍‍ଗୁଡ଼ିକ “ପଜିଟିଭ୍” ଭାବରେ ଚାର୍ଜ ହୋଇ ନ୍ୟୁକ୍ଲିଅସ୍ ବା କେନ୍ଦ୍ରଭୂମି ଗଠନ କରେ । ଏହି “ନ୍ୟୁକ୍ଲିଅସ୍” ହେଲା ଅଣୁର ମୂଳକେନ୍ଦ୍ର । ଅଣୁର କୋଷରେ ଇଲେକ୍ଟ୍ରୋନର ନେଗେଟିଭ୍ ଚାର୍ଜ୍ ରହିଛି । ପଦାର୍ଥ ବିଜ୍ଞାନର ଏକ ମୌଳିକ ତଥ୍ୟ ଅନୁସାରେ ପରସ୍ପର ବିରୋଧି ଦୁଇଟି ଚାର୍ଜ ଭିତରେ ଯେଉଁ ଆକର୍ଷଣ ରହିଛି ତାହା ଅଣୁକୁ ଏକାଠି କରିରଖିଛି । ଅଣୁଭିତରେ ଥିବା ପ୍ରୋଟନ୍ ଇଲେକ୍ଟ୍ରୋନ୍ ଦ୍ୱାରା ଭାରସାମ୍ୟ ରଖିଛି । ଅଣୁର ‘ସାଧାରଣ’ ଅବସ୍ଥାରେ ଯେତେ ସଂଖ୍ୟାରେ ଇଲେକ୍ଟ୍ରୋନ୍ ରହିଛି ତାହା କେନ୍ଦ୍ରଭୂମି ବା ନ୍ୟୁକ୍ଳିଅସରେ ଥିବା ପ୍ରୋଟନ୍‍ର ସଂଖ୍ୟା ସଙ୍ଗେ ସମାନ । ତୃତୀୟ ପ୍ରକାର ଉପାଦାନ ନିଉଟ୍ରନର ମୋଟେ ଚାର୍ଜ ନାହିଁ । କିନ୍ତୁ ପ୍ରୋଟନ୍‍ର ଓଜନ ସଙ୍ଗେ ଏହା ସମାନ । ହାଇଡ୍ରୋଜେନ୍‍ ଅଣୁ ହେଲା, ସମସ୍ତଙ୍କ ଭିତରେ ସରଳତମ ଅଣୁ । ଏହା ଗୋଟିଏ ପ୍ରୋଟନ୍ ଓ ଗୋଟିଏ ଇଲେକ୍ଟ୍ରୋନ୍ ଦ୍ଵାରା ଗଠିତ ।

 

୧୯୩୧ ସାଲରେ ଉରେ ଆଉ ଜଣେ ରସାୟନବିଦଙ୍କଠାରୁ କେତେ ବିନ୍ଦୁ ତରଳ ହାଇଡ୍ରୋଜେନ୍‍ ପାଇ ତାକୁ ବିଶ୍ଲେଷଣ କରିଥିଲେ । ସେ ଆବିଷ୍କାର କଲେ ଯେ, ହାଇଡ୍ରୋଜେନ୍‍ ଯେତେ ଓଜନ ହେବାର କଥା ତା’ ଅପେକ୍ଷା ଏହା ବହୁତ ଅଧିକ ଓଜନ । ବହୁ କଷ୍ଟରେ ସେ ଏହି ଓଜନିଆ ହାଇଡ୍ରୋଜେନକୁ ଅଲଗା କରିଦେଖିଲେ ଯେ ‘ସାଧାରଣ’ ହାଇଡ୍ରୋଜେନର ଅଣୁ ଅପେକ୍ଷା ଏହା ଦୁଇଗୁଣ ଭାରି । ଫଳରେ ଗୋଟିଏ ପ୍ରୋଟନ୍ ଓ ଗୋଟିଏ ଇଲେକ୍ଟ୍ରୋନ୍ ଛଡ଼ା ଏଥିରେ ନିଶ୍ଚିତଭାବରେ ଯେ ଗୋଟିଏ ଅଧିକା ନିଉଟ୍ରନ୍ ଅଛି, ଏହି ସିଦ୍ଧାନ୍ତରେ ସେ ଉପନୀତ ହେଲେ । ଆହୁରି ମଧ୍ୟ ସେ ପ୍ରକାଶ କଲେ ଯେ, ଏହା ହାଇଡ୍ରୋଜନର ଏକ ଆଇସୋଟୋପ୍ ବା ସମଗୁଣୀ ଅଣୁ । ଏହି ଆବିଷ୍କାରକୁ ସେ ନିଜେ ‘‘ଡିଉଟେରିୟମ୍’ ବୋଲି ଅଭିହିତ କରିଥିଲେ । ସମସ୍ତ ହାଇଡ୍ରୋଜେନ୍‍ ଭଳି ‘‘ଡିଉଟେରିୟମ୍” ଅମ୍ଳଜାନ ସଙ୍ଗେ ମିଶି ପାଣି ତିଆରି କରିଥାଏ । କିନ୍ତୁ ‘‘ଡିଉଟେରିୟମ୍’’ ଯେଉଁ ପାଣି ତିଆରି କରିଥାଏ ତାହା ହେଉଛି ‘‘ଗୁରୁଜଳ” ବା ଓଜନିଆ ପାଣି । ଏହା ସାଧାରଣ ପାଣି ଭଳି ଦିଶେ ସତ, କିନ୍ତୁ ସାଧାରଣ ପାଣି ଅପେକ୍ଷା ଏହା ଅଧିକ ଭାରି ବା ଓଜନିଆ । ଅଧିକ ଉତ୍ତାପରେ ଏହା ତରଳେ ଏବଂ କେତେକ ପ୍ରକାର ଜୀବ ପକ୍ଷରେ ଏ ପାଣି ଅନୁକୂଳ ନୁହେଁ । ପରମାଣୁ ଗବେଷଣା ଦୃଷ୍ଟିରୁ ଏହାର ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ଗୁଣ ହେଉଛି-ଏହା ନିଉଟ୍ରନର କ୍ରିୟାକୁ ମନ୍ଥର କରିଦେଇଥାଏ ।

 

ପରମାଣୁ ବୋମା ପାଇଁ ନିଉଟ୍ରନ୍ ଗୁଡ଼ିକ ହେଲା ‘‘ଟ୍ରିଗର୍” ବା ବନ୍ଧୁକର ଘୋଡ଼ା ଭଳି । ୟୁରାନିୟମର ଅଣୁକୁ ଲକ୍ଷ୍ୟକରି ନିଉଟ୍ରନ୍ ଛାଡ଼ିଦିଆଗଲେ ଅଣୁର ‘‘ନ୍ୟୁକ୍ଲିଅସ୍” ବା କେନ୍ଦ୍ରଭୂମିରେ ଏପରି ପ୍ରଚଣ୍ଡ କମ୍ପନ ସୃଷ୍ଟି ହୁଏ ଯେ ଏହା ଖଣ୍ଡ ବିଖଣ୍ଡିତ ହୋଇଯାଏ । ଏହାକୁହିଁ ତଥାକଥିତ ଆଣବିକ ବିଭାଜନ ବା ‘‘ଫିଜନ୍’’ କୁହାଯାଏ । ଏହି ପ୍ରକ୍ରିୟାଦ୍ଵାରା ପ୍ରଚଣ୍ଡ ଶକ୍ତି ନିର୍ଗତ ହୋଇଥାଏ । ଏହା ୟୁରାନିୟମ୍ ଅଣୁରେ ଥିବା ଅନ୍ୟାନ୍ୟ ‘‘ନ୍ୟୁଟ୍ରନ୍” ଗୁଡ଼ିକୁ ମଧ୍ୟ ଗତିଶୀଳ କରିପକାଏ । ଫଳରେ ପଛକୁ ପଛ ବିଭିନ୍ନ ପ୍ରତିକ୍ରିୟା ସୃଷ୍ଟି ହୁଏ-ଆଲୋମୋଗୋର୍ଡ଼ୋର “ବିଗ୍ ବ୍ୟାଙ୍ଗ” ବା ବିରାଟ ବାଦ୍ୟ ବୋଲି କୁହାଯାଇଥାଏ ।

 

ଆଣବିକ ବୋମା ପାଇଁ ଏହା ସୁନ୍ଦର କାମ ଦେଇଥାଏ; କିନ୍ତୁ ଏକ କ୍ଷୁଦ୍ର ଗବେଷଣାଗାରରେ ଏହାର ପ୍ରୟୋଗ କରାଯାଇପାରିବ ନାହିଁ । ଏଥିପାଇଁ ଏକ ‘‘ମଡ଼ରେଟର୍” ବା ନିୟନ୍ତ୍ରଣକାରୀ ଯନ୍ତ୍ର ଆବଶ୍ୟକ ଯାହାଦ୍ଵାରା ନ୍ୟୁଟ୍ରନଗୁଡ଼ିକର ଗତିବେଗ ମନ୍ଥର କରାଇ ଏହାର ପ୍ରତିକ୍ରିୟାକୁ ନିୟନ୍ତ୍ରଣ କରାଯାଇପାରିବ । ଉରେଙ୍କ ଭାରି ବା ଓଜନିଆ ଜଳ ଠିକ ଏହି କାମ କରିବାରେ ସମର୍ଥ ହୋଇଥିଲା । ଫଳରେ ପରବର୍ତ୍ତୀ ଆଣବିକ ଗବେଷଣା ସମ୍ଭବପର ହେଲା ।

 

ଏହି ଆବିଷ୍କାର ପାଇଁ ଉରେ ୧୯୩୪ରେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଲାଭ କରିଥିଲେ । ହାଇଡ୍ରୋଜନର ଆଉ ଏକ ‘‘ଆଇସୋଟୋପ୍ ଟ୍ରିଟିୟମ୍” ଉଇଲିଅମ୍ ଲିବିଙ୍କ ଦ୍ଵାରା ପରେ ଆବିଷ୍କୃତ ହୋଇଥିଲା ।

 

ଆମେରିକା ଯୁକ୍ତରାଷ୍ଟ୍ର, ଦ୍ଵିତୀୟ ମହାଯୁଦ୍ଧ ସମୟରେ ଯେତେବେଳେ ପରମାଣୁ ବୋମା ଯୋଜନାର କାର୍ଯ୍ୟ ଆରମ୍ଭ କଲା ସେତେବେଳେ ଡଃ ଉରେଙ୍କୁ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନର ଦାୟିତ୍ଵ ଦିଆଗଲା । ବୋମାପାଇଁ ଯେଉଁ ୟୁରାନିୟମ୍ ବ୍ୟବହୃତ ହେଉଥିଲା ତାହା ହେଉଛି ଆଇସୋଟୋପ୍ ବା ସମଗୁଣୀ ଅଣୁ ୟୁ-୨୩୫ । ଏହି ୟୁ-୨୩୫କୁ ଏହାର ଅଧିକ ଭାରି ଆକାର ୟୁ-୨୩୮ରୁ ଅଲଗା କରିବା ଥିଲା ଏହି ସମସ୍ୟାର ଅସଲ କଥା । ଏ ସମ୍ପର୍କରେ ଉରେ ଯେଉଁ ସମାଧାନ ପଦ୍ଧତି ଉଦ୍ଭାବନ କରିଥିଲେ ତାକୁ “ଗ୍ୟାସ ଡିଫିଉଜନ୍ ପ୍ରସେସ୍” ବୋଲି କୁହାଯାଇଥାଏ । ଏଥିରେ ୟୁରାନିୟମ୍ ଯାହାକି ଏକ ଗ୍ୟାସ ବା ବାଷ୍ପଭାବରେ ରହିଥାଏ, ତାକୁ ଗୋଟିଏ ପ୍ରକାର ମିଶ୍ରିତ ଉପାଦାନରେ ପରିଣତ କରିଦିଆଯାଏ ଏବଂ ତା’ପରେ ଛୋଟ ଛୋଟ କଣା ରହିଥବା ଏକ ଛଣା ଭିତର ଦେଇ ପମ୍ପ କରିଦିଆଯାଏ । ୟୁ-୨୩୫ ହାଲୁକା ହୋଇଥିବାରୁ ଏହି ଛଣା ସାହାଯ୍ୟରେ ସହଜରେ ବାହାରିଆସେ ଏବଂ ଏହି ଛଣା ବା ଚାଲୁଣିର ପଛପଟେ ଗ୍ୟାସରେ ୟୁ-୨୩୮ ଅପେଷା ୟୁ-୨୩୫ ଅଧିକ ମାତ୍ରାରେ ରହିଥାଏ । ଏହି ପଦ୍ଧତି ପ୍ରାୟ ୫ ହଜାର ଥର ପୁନରାବୃତ୍ତି କରାଯାଏ । ଶେଷରେ ମିଶ୍ରିତ ବସ୍ତୁଟି ୟୁ-୨୩୫ ହୋଇଯାଏ । ଏହାଦ୍ୱାରା ପରମାଣୁ ଯୋଜନାର ଏକ ଜଟିଳ ସମସ୍ୟାର ସମାଧାନ ହୋଇପାରିଥିଲା । ଆଇସୋଟୋପର ବିଛିନ୍ନତା ସମ୍ପର୍କରେ ସେ ଯେଉଁ ଉଦ୍ଭାବନ କରିଥିଲେ ସେଥିପାଇଁ “କଙ୍ଗ୍ରେସନାଲ୍” କୃତୀ ପଦକ ତାଙ୍କୁ ମିଳିଥିଲା ।

 

ନିକଟରେ ଏହି ପ୍ରତିଭାଶାଲୀ ବୈଜ୍ଞାନିକ ଆଉ ଏକ ନୂତନ ବିଷୟରେ ଅନୁସନ୍ଧାନ ଚଳାଇଥିଲେ । ସୌରଜଗତ ସମ୍ପର୍କୀୟ ଅନୁଧ୍ୟାନ ଏହି ଅନୁସନ୍ଧାନର ମୂଳଭିତ୍ତି । ୧୯୫୬ ସାଲରେ ସେ ସୂର୍ଯ୍ୟଙ୍କର ଗଠନ ଏବଂ ଏହାର ଗ୍ରହର ଗଠନ ସମ୍ପର୍କରେ ଏକ ନୂତନ ତଥ୍ୟ ପ୍ରକାଶ କଲେ । ବହୁ ଜ୍ୟୋତିର୍ବିଦ୍ ତାଙ୍କ ମତକୁ ସମର୍ଥନ ଜଣାଇଥିଲେ । ଉରେଙ୍କର ଏହି ତଥ୍ୟ ଅନୁସାରେ ମହାଶୂନ୍ୟରେ ଘୁରୁଥିବା ଧୂଳି ପଟଳରୁହିଁ ବିଭିନ୍ନ ସମୟରେ ସୂର୍ଯ୍ୟ ଓ ଗ୍ରହଗୁଡ଼ିକ ଗଠିତ ହୋଇଥିଲା । ଏକ ଆବର୍ତ୍ତମାନ ଧୂଳି ପଟଳରୁ ସୂର୍ଯ୍ୟର ସୃଷ୍ଟି ଏବଂ ଅନ୍ୟ ଗ୍ରହଗୁଡ଼ିକର ଗଠନ ପ୍ରଣାଳୀ ମଧ୍ୟ ସେହିଭଳି । ଉରେଙ୍କର ବିଶ୍ୱାସ ଯେ, ଚନ୍ଦ୍ର ଗ୍ରହ ମଧ୍ୟ ସେହି ପ୍ରକ୍ରିୟାରେ ଗଠିତ ହୋଇଛି । ଚନ୍ଦ୍ର ଗ୍ରହ ସମ୍ପର୍କରେ ଉରେଙ୍କ ମତକୁ ବହୁ ଜ୍ୟୋତିର୍ବିଦ୍ ଅବଶ୍ୟ ସମର୍ଥନ କରନ୍ତି ନାହିଁ, ମାତ୍ର ସୌରଜଗତ ଏହାର ଜନ୍ମ ସମ୍ପର୍କରେ ଉରେଙ୍କ ମୌଳିକ ତଥ୍ୟ ବିଶ୍ଵକୁ ବୁଝିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ।

Image

 

ପୃଥିବୀର ଅନ୍ୟତମ ଶ୍ରେଷ୍ଠ ବୈଜ୍ଞାନିକ

ଜେ. ରବଟ୍ ଓପେନହେମର୍‍

 

୧୯୪୨ ସାଲର ଶେଷ ଭାଗ । ଜଣେ ଦୀର୍ଘକାୟ, ଶୀର୍ଣ୍ଣ ଓ ଶାନ୍ତ ସ୍ଵଭାବବିଶିଷ୍ଟ ବ୍ୟକ୍ତି ମେକ୍ସିକୋର ସାନ୍ତାଫେ ନିକଟବର୍ତ୍ତୀ ପାର୍ବତ୍ୟପଥ ଦେଇ ଗୋଟିଏ ଜିପ୍ ଗାଡ଼ିରେ ବସି ନୀରବରେ ବୁଲୁଥାନ୍ତି । ସେ କହିଥିଲେ ଯେ, ତାଙ୍କର ନାଁ ବ୍ରାଡ଼ଲେ । ତାଙ୍କ ସାଙ୍ଗରେ ଜଣେ ସାମରିକ ଅଫିସର ଥିଲେ । ଦୁଇଜଣଙ୍କ ଭିତରୁ କେହି ବେଶି କଥାବାର୍ତ୍ତା କରୁନଥିଲେ ଏବଂ ଅଚିହ୍ନା ଲୋକଙ୍କଠାରୁ ଉଭୟ ଅଲଗା ରହୁଥିଲେ ।

 

ଦିନେ ସେମାନେ ଗୋଟିଏ ସୌଖୀନ ବାଳକ ସ୍କୁଲଆଡ଼କୁ ଗାଡ଼ିରେ ଗଲେ । ଏହା ବହୁଦୂରରେ ଅବସ୍ଥିତ । ସେମାନେ ଶାନ୍ତଭାବରେ ସ୍କୁଲର ମାଲିକଙ୍କୁ କହିଲେ ଯେ, ସ୍କୁଲଟି ବିକ୍ରି କରିଦେବାକୁ ପଡ଼ିବ । ଏହାପରେ ସାନ୍ତାଫେରେ ଅନେକ ଅଚିହ୍ନା ଅଜଣା ଲୋକ ଆସି ରୁଣ୍ଡ ହୋଇଗଲେ । ଅଳ୍ପଦିନ ପରେ ଜଣାଗଲା ଯେ, ସେହି ପାର୍ବତ୍ୟ ଅଞ୍ଚଳର ଚାରିପଟେ ସୈନ୍ୟ ଜଗୁଆଳ ରଖାଯାଇଛନ୍ତି । କିଛି ଗୋଟାଏ ବଡ଼ କାମ ସେଠାରେ ଚାଲିଥିଲା । ମିଃ ବ୍ରାଡ଼ଲେଙ୍କ ନେତୃତ୍ଵରେ ଏସବୁ ଚାଲିଥାଏ । ପୂର୍ବବର୍ତ୍ତୀ ସହର ସାନ୍ତାଫେଠାରେ ଦଳେ ଅଫିସରଙ୍କ ସାଙ୍ଗରେ ସେ ଚାଲିଥିଲେ । ମାତ୍ର ସହରବାସୀ ଜାଣିନଥିଲେ ଯେ, ଅଦୂରର ସେହି ଜନବିରଳ ପାର୍ବତ୍ୟ ଅଞ୍ଚଳରେ ଏକ ସହର ଗଢ଼ିଉଠୁଥିଲା । ସୁନ୍ଦର ରାସ୍ତା, ବିଜୁଳିବତୀ, କଳପାଣି, ଓ ସ୍କୁଲ ଇତ୍ୟାଦି ସହିତ ସ୍ତ୍ରୀ, ପୁଋଷ ଏବଂ ପିଲାମାନଙ୍କୁ ମିଶାଇ ୪, ୫୦୦ ଲୋକଙ୍କର ଏକ ସହର ସେଠାରେ ଗଢ଼ି ଉଠୁଥାଏ । ସେଠାରେ ଆଗରୁ ଥିବା ବାଳକ ସ୍କୁଲର ନାମ ଅନୁସାରେ ସହରର ନାମ ଲସ୍ ଆଲାମୋସ୍ ରଖାଗଲା । ଏଠାରେ ପରମାଣୁ ବୋମା ତିଆରି ହେଉଥିଲା ।

 

ଏହି ଯୋଜନାର ସଙ୍ଗଠନ ଦାୟିତ୍ଵ ଓ ନେତୃତ୍ୱ ନେଇଥିବା ଦୀର୍ଘକାୟ ବ୍ୟକ୍ତିଜଣକ ( ଯିଏକି ନିଜର ନାମ ବ୍ରାଡ଼ଲେ ବୋଲି କହିଥିଲେ) ଆଉ କେହି ନୁହନ୍ତି; ସେ ହେଉଛନ୍ତି, ପୃଥିବୀର ଅନ୍ୟତମ ଶ୍ରେଷ୍ଠ ପଦର୍ଥବିଜ୍ଞାନବିଦ୍ ଡକ୍ଟର ଜେ. ରବଟ୍ ଓପେନହେମର୍‍ । ପରମାଣୁ ବୋମା ତିଆରି କରିବାପାଇଁ ଯେଉଁସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କରାଯାଇଥିଲା, ସେ ଥିଲେ, ତା’ର ସର୍ବୋଚ୍ଚ କର୍ତ୍ତା ।

 

ପରମାଣୁ ବୋମା ନିର୍ମାଣ ପଛରେ ବହୁ ବୈଜ୍ଞାନିକଙ୍କର ଅବଦାନ ରହିଛି । ଆଲାମୋର୍ଡ଼ୋଠାରେ ୧୯୪୫ ଜୁଲାଇ ୧୬ ତାରିଖରେ ଯେଉଁ ପ୍ରଥମ ପରମାଣୁ ବୋମା ବିସ୍ଫୋରଣ କରାଗଲା ତାକୁ ସଫଳ କରାଇବାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଯେଉଁମାନେ କାର୍ଯ୍ୟ କରିଛନ୍ତି ସେମାନଙ୍କ ସମସ୍ତଙ୍କ ନାମ ଗୋଟି ଗୋଟି କରିପ୍ରକାଶ କରିବା ଏଠାରେ ସମ୍ଭବ ନୁହେଁ ।

୧୯୦୫ ସାଲରେ ସୁଇଜରଲ୍ୟାଣ୍ଡବାସୀ ଆଲବର୍ଟ ଆଇନଷ୍ଟାଇନ ପ୍ରଥମେ ସୂଚନା ଦେଇଥିଲେ ଯେ, ଯଦି ଅଣୁର କେନ୍ଦ୍ରଭୂମି ବା ନ୍ୟୁକ୍ଲିଅସ୍କୁ ଭାଙ୍ଗିଦିଆଯାଇ ପାରିବ ତା’ ହେଲେ ସେଥିରୁ ପ୍ରଚଣ୍ଡ ଶକ୍ତି ନିର୍ଗତ ହେବ । ଯୁଗାନ୍ତକାରୀ ଆଇନଷ୍ଟାଇନଙ୍କ ସୂତ୍ର ଇ=ଏମ.ସି ସ୍କୋୟାର ପରମାଣୁ ଶକ୍ତିର ମୂଳସୂତ୍ର ରୂପେ କାର୍ଯ୍ୟ କରିଥିଲା । ଏହି ସୁତ୍ରରେ ‘ଏମ୍’ ହେଲା ଗ୍ରାମ୍ ହିସାବରେ ଓଜନର ପରିମାଣ, ଏବଂ ‘ସି’ ହେଲା ଆଲୋକର ଗତିବେଗ-ପ୍ରତି-ସେକେଣ୍ଡରେ ୧,୮୬,୦୦୦ ମାଇଲ, ‘ଇ’ ହେଲା-ନିର୍ଗତ ହେଉଥିବା ଶକ୍ତିର ପରିମାଣ । ଏହି ଶକ୍ତି ଅଣୁ ହରାଇଥିବା ୧୮୬,୦୦୦ ଓଜନ ×୨-ଏହା ଏକ ପ୍ରଚଣ୍ତ ଶକ୍ତି ।

 

ଏହା ପୂର୍ବରୁ ୧୮୯୭ ସାଲରେ ଜଣେ ବ୍ରିଟିଶ ପଦାର୍ଥ ବିଜ୍ଞାନବିଦ୍ ଜେ. ଜେ. ଥମ୍ପସନ୍ ଆବିଷ୍କାର କରିଥିଲେ ଯେ, ମୌଳିକ ଉପାଦାନ କ୍ଷୁଦ୍ରତମ ଅଂଶ ଅଣୁ । ତା’ଠାରୁ ଅଧିକ କ୍ଷୁଦ୍ରଅଂଶ ଏହି ଅଣୁର କେନ୍ଦ୍ରଭୂମିକୁ ଘେରିରହିଛି । ଏହି କ୍ଷୁଦ୍ର ଅଣୁଗୁଡ଼ିକୁ ସେ ଇଲେକ୍ଟ୍ରୋନ୍ ବୋଲି ନାମିତ କରିଥିଲେ । କାରଣ ଏଗୁଡ଼ିକରେ ବୈଦ୍ୟୁତିକ ଚାର୍ଜ ବା ଶକ୍ତି ରହିଥିଲା । ୧୯୧୧ ସାଲରେ ଆଉ ଜଣେ ବ୍ରିଟିଶ ପଦାର୍ଥ ବିଜ୍ଞାନବିଦ୍ ଆର୍ଣ୍ଣେଷ୍ଟ ରଦରଫୋର୍ଡ଼ ଦର୍ଶାଇଥିଲେ ଯେ ନ୍ୟୁକ୍ଳିଅସ୍ ବା କେନ୍ଦ୍ରଭୂମି ମଧ୍ୟ ଅତ୍ୟନ୍ତ ଭାରି ବୈଦ୍ୟୁତିକ ଚାର୍ଜଥିବା କ୍ଷୁଦ୍ର ଅଣୁ ପ୍ରୋଟନ୍ ଦ୍ଵାରା ଗଠିତ ହୋଇଛି । ସୂର୍ଯ୍ୟଙ୍କ ଚାରିପଟେ ଗ୍ରହମାନେ ରହିଥିବା ଭଳି ତା’ ଚାରିପଟେ ଅତ୍ୟନ୍ତ ହାଲୁକା ଇଲେକ୍ଟ୍ରୋନ୍ ଏକାଠି ହୋଇ ରହିଛନ୍ତି । ୧୯୩୨ ସାଲରେ ସେଇ ବ୍ରିଟେନର ଆଉ ଜଣେ ପଦାର୍ଥ-ବିଜ୍ଞାନବିଦ୍ ଅନ୍ୟ ଏକ ତୃତୀୟ କିସମ କ୍ଷୁଦ୍ରଅଣୁର ସ୍ଥିତିଥିବା କଥା ଦର୍ଶାଇଥିଲେ । ସେ ଏହାର ନାମ ଦେଇଥିଲେ ନ୍ୟୁଟ୍ରନ୍ । ପ୍ରୋଟନ୍ ଭଳି ନ୍ୟୁଟ୍ରନ୍ ମଧ୍ୟ କେନ୍ଦ୍ରଭୂମି ଭିତରେ ରହିଥିଲା । ପ୍ରୋଟନ୍ ସହିତ ସେଗୁଡ଼ିକର ଓଜନ ସମାନ-କିନ୍ତୁ ଏଗୁଡ଼ିକ ମୋଟେ ବୈଦ୍ୟୁତିକ ଶକ୍ତି ନଥିଲା । ସେ ସର୍ବାପେକ୍ଷା ଯେଉଁ ଗୁରୁତ୍ଵପୂର୍ଣ୍ଣ ଆବଷ୍କାର କରିଥିଲେ ତା’ହେଲା-ନ୍ୟୁଟ୍ରନ୍ ଗୁଡ଼ିକ ଅଣୁର ମୂଳ କେନ୍ଦ୍ର ବା କୋଷ ଭିତରେ ପ୍ରବେଶ କରିପାରିବ ଏବଂ ବିଲିଆଡ଼୍ ଖେଳର ବଲ୍‍ପରି ନ୍ୟୁକ୍ଲିଅସ୍‍ରୁ ଅନ୍ୟାନ୍ୟ ନ୍ୟୁଟ୍ରନକୁ ବାହାର କରିଦେଇ ପାରିବ । ଏହା ଜାଣିବାଫଳରେ ପଦାର୍ଥ ବିଜ୍ଞାନବିଦ୍‍ମାନେ ଏବେ ପରମାଣୁ ଭାଙ୍ଗିବା କିମ୍ଵା ଫଟେଇବାର କୌଶଳ ପାଇଯାଇଥିଲେ ।

 

ତା’ର ଦୁଇବର୍ଷ ପରେ ଇଟାଲୀୟ ପଦାର୍ଥ-ବିଜ୍ଞାନବିଦ୍‍ ଏନ୍ରିକୋ ଫର୍ମି ବର୍ତ୍ତମାନ ପର୍ଯ୍ୟନ୍ତ ଜଣାଥିବା ସମସ୍ତ ଉପାଦାନ ଅପେକ୍ଷା ଭାରି, ୟୁରାନିୟମରୁ କିଛି ନେଇ ମୁକ୍ତ ନ୍ୟୁଟ୍ରନ୍ ଦ୍ୱାରା ତାକୁ ଭାଙ୍ଗିଥିଲେ । ଏଥିରେ କେତେକ ଅପ୍ରମାଣିତ ଘଟଣା ଘଟିଥିଲା । ଏହିଭଳି ଭାଙ୍ଗିବା ଦ୍ଵାରା ୟୁରାନିୟମ ନ୍ୟୁଟ୍ରନକୁ ସେଥିରୁ ବାହାର କରିଦେବ ବୋଲି ଯାହା ଆଶା କରାଯାଇଥିଲା, ତା’ ନ ହୋଇ ସମ୍ପୂର୍ଣ୍ଣ ନୂତନ ମୌଳିକ ଉପାଦାନର ଗଠିତ ଅଣୁକୁ ବାହାର କରିଦେଲା । ହେଲା କ’ଣ-?

 

ଏହାର କାରଣ ଯାହା ଜଣାପଡ଼ିଲା ତାହା ବିଶେଷ ଉତ୍ତେଜନାପୂର୍ଣ୍ଣ । ୧୯୩୮ ସାଲରେ କୋପେନହେଗେନରୁ ଏହା ଜଣାପଡ଼ିଥିଲା । ଜର୍ମାନୀର ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ପଳାଇ ଆସିଥିବା ଇହୁଦୀ ଜାତିର ଜର୍ମାନ୍ ପଦାର୍ଥ-ବିଜ୍ଞାନବିଦ୍ ଲାଇସ୍ ମାର୍ଟିନର-ଏବଂ ତାଙ୍କ ପୁତୁରା ଓ ଆର୍.ପ୍ରିଂସ୍, ଫର୍ମିଙ୍କ ପଦ୍ଧତିରେ ପରୀକ୍ଷା ଚଳାଇଥିଲେ । ଉପରୋକ୍ତ ତଥ୍ୟର କାରଣ ଦର୍ଶାଇ ସେମାନେ କହିଥିଲେ ଯେ ୟୁରାନିୟମରେ ଥିବା ଅଣୁ ‘ନ୍ୟୁକ୍ଲିଅସ୍’ ବା କେନ୍ଦ୍ରଭୂମି ଅସ୍ଥିର ଏବଂ ଏହାର ଦୃଢ଼ତା ନାହିଁ । ଏହା ଏପରି ଅସ୍ଥିର ଓ ଚଂଚଳ ଯେ, ନ୍ୟୁଟ୍ରନର ପ୍ରବାହ ଏଥିରେ ଆଘାତ ଦେଲେ ପ୍ରଚଣ୍ତ କମ୍ପନ ସୃଷ୍ଟି ହୁଏ ଏବଂ ଶେଷରେ ଏହା ବାହାରିଯାଇ ଦୁଇଟି “ନ୍ୟୁକ୍ଳିୟସ୍” ବା କେନ୍ଦ୍ରଭୂମି ଗଠନ କରେ । ସେମାନେ ମିଳିଥିବା ଦୁଇଟି ଅଣୁକୁ ଓଜନ କରିଦେଖିଲେ ଯେ ଦୁଇଟି ଯାକର ମିଳିତ ଓଜନର ପରିମାଣ ମୌଳିକ ୟୁରାନିୟମ୍ ଅଣୁଠାରୁ କମ୍ । ପରମାଣୁ ପ୍ରକୃତରେ ଧ୍ଵଂସ ହୋଇଯାଇଛି ଏବଂ ବସ୍ତୁଟି ଶକ୍ତିରେ ପରିଣତ ହୋଇଯାଇଥିବ । ଏହି ପଦ୍ଧତିକୁ ସେମାନେ ପରମାଣୁ ବିଭାଜନ ପଦ୍ଧତି ବୋଲି ନାମିତ କରିଥିଲେ ।

 

ପରମାଣୁ ବୋମା ଏବେ ତାତ୍ତ୍ୱିକ ଦୃଷ୍ଟିରୁ ସମ୍ଭବ ହେଲା । ସେତେବେଳକୁ ଏନେରିକୋ ଫର୍ମି ଫାସିଷ୍ଟ ଇଟାଲୀରୁ ଆଶ୍ରୟପ୍ରାର୍ଥୀ ଭାବରେ ଆମେରିକାରେ ଆସି ପହଞ୍ଚିଥିଲେ । ସେ ଯୁକ୍ତି ଦର୍ଶାଇ କହିଲେ ଯେ, ଯଦି ନ୍ୟୁଟ୍ରନ୍ ଯୁରାନିୟମର ଗୋଟିଏ ଅଣୁକୁ ଭାଙ୍ଗିଦେଇପାରେ ତା’ହେଲେ ସେହି ପ୍ରକ୍ରିୟାରେ ଅଣୁ ଦେହରୁ ଅନ୍ୟାନ୍ୟ ନ୍ୟୁଟ୍ରନ୍ ନିର୍ଗତ ହେବ ଏବଂ ତା’ଦ୍ଵାରା ଅନ୍ୟାନ୍ୟ ଅଣୁ ମଧ୍ୟ ଭାଙ୍ଗିଯିବ । ଏହି ପ୍ରକ୍ରିୟା କ୍ରମାଗତ ଭାବରେ ଚାଲିବ ଏବଂ ଏକ ପ୍ରଚଣ୍ଡ ବିସ୍ଫୋରଣ ଘଟିବ ।

 

ପାର୍ଲବନ୍ଦର ଘଟଣାର ପୂର୍ବଦିନ ଅର୍ଥାତ୍ ୧୯୪୧ ସାଲ ଡିସେମ୍ବର ୬ ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକା ଡଃ ଆର୍ଥର୍ କ୍ରମ୍ପଟନ୍‍ଙ୍କ ନେତୃତ୍ୱରେ ପରମାଣୁ ବିଭାଜନ ସମ୍ପର୍କରେ ଗବେଷଣା ଆରମ୍ଭ କରିବା ପାଇଁ ଏକ କମିଟି ବସାଇଥିଲେ । ଡଃ ଜେ.ରବର୍ଟ ଓପେନହେମର ପ୍ରକୃତ ବୋମା ଉତ୍ପାଦନ ସମ୍ବନ୍ଧରେ ନିର୍ଦ୍ଦେଶ ଦେବା ପାଇଁ ନିଯୁକ୍ତ ହେଲେ । ପୃଥିବୀର ଯେ କୌଣସି ଦେଶର ବୈଜ୍ଞାନିକଙ୍କୁ ଦିଆଯାଇଥିବା ଦାୟିତ୍ଵ ଅପେକ୍ଷା ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା ।

 

ଫର୍ମି, ଚାଡ଼୍ଉଇକ୍, ଫିସ୍‍, ଉରେ ଏବଂ ଆହୁରି ବହୁ ପ୍ରତିଭାଶାଳୀ ବୈଜ୍ଞାନିକଙ୍କୁ ଏକାଠି କରିସେମାନଙ୍କ କାମ ଭିତରେ ସମନ୍ଵୟ ସ୍ଥାପନ କରିବା ଥିଲା ଓପେନହେମର୍‍ଙ୍କ ଦାୟିତ୍ଵ । ଏହି କାର୍ଯ୍ୟ ଲାଗି ଯେଉଁସବୁ ଜିନିଷ ଦରକାର ତା’ର ହିସାବ ତାଙ୍କୁ ପ୍ରସ୍ତୁତ କରିବାକୁ ପଡ଼ୁଥିଲା । କେଉଁ କାମ ଆଗ କରିବାକୁ ପଡ଼ିବ, ବିଭିନ୍ନ କାମର ନିର୍ଦ୍ଦିଷ୍ଟ ତାରିଖ ଓ କାର୍ଯ୍ୟକ୍ରମ ଏବଂ ଯେଉଁ ପଦ୍ଧତିରେ ଗବେଷଣା ଚାଲିବ ଏ ସମସ୍ତ ବିଷୟ ତାଙ୍କୁ ଧାର୍ଯ୍ୟ କରିବାକୁ ହେଉଥିଲା । ସେଠାରେ ଯେଉଁମାନେ କାମ କରୁଥିଲେ ସେ ସମସ୍ତଙ୍କର ରହିବା ବ୍ୟବସ୍ଥା, ସେମାନଙ୍କ ପରିବାର ବର୍ଗଙ୍କ ଭଲମନ୍ଦ ଇତ୍ୟାଦି ବ୍ୟକ୍ତିଗତ ବ୍ୟାପାରଠାରୁ ଆରମ୍ଭକରିବହୁ ଟିକିନିଖି ବିଷୟ ଅତି ଗୋପନୀୟତା ସହକାରେ ସେ ବୁଝାସୁଝା କରୁଥିଲେ । ପୂର୍ବ-ନିର୍ଦ୍ଧାରିତ ମତେ ୧୯୪୫ ଜୁଲାଇ ୧୬ ତାରିଖରେ ପରମାଣୁ ବୋମା ବିସ୍ଫୋରଣ କରାଗଲା । ଏହି ଯୋଜନାରେ କାମ କରୁଥିବା ପ୍ରତ୍ୟେକ ବୈଜ୍ଞାନିକ ସ୍ଵୀକାର କରିଥିଲେ ଯେ, ଡଃ ଜେ. ରବର୍ଟ ଓପେନହେମରଙ୍କ ଯୋଗୁହିଁ ଏହି ପରୀକ୍ଷା ସଫଳ ହୋଇଥିଲା ଏବଂ ଏ ସମସ୍ତ ତାଙ୍କ କୃତିତ୍ୱର ପରିଣାମ ।

 

ଲସ୍ ଆଲମୋସଠାରେ ସେ ଯେଉଁ କାମ କରିଥିଲେ ସେଥିଯୋଗୁ ସେ ବିଶେଷ ପ୍ରସିଦ୍ଧି ଲାଭ କଲେ । ଡଃ ଓପେନହେମରଙ୍କ ପ୍ରଧାନ କାମଥିଲା ପଦାର୍ଥ ବିଜ୍ଞାନର ନାନା ତାତ୍ତ୍ୱିକ ଗବେଷଣା । ଅନ୍ୟତମ ପ୍ରସିଦ୍ଧ ବୈଜ୍ଞାନକ ଲିଓନର୍ଡ଼ୋ-ଡା-ଭିନ୍ସିଙ୍କପରି କଳା, ସାହିତ୍ୟ, ସମସାମୟିକ ଘଟଣା, ଅର୍ଥନୀତି, ଇତିହାସ ଓ ପ୍ରାଚ୍ୟ ଦର୍ଶନରେ ମଧ୍ୟ ତାଙ୍କର ବିଶେଷ ଆଗ୍ରହ ଥିଲା । ସଂସ୍କୃତ ଭାଷାକୁ ମିଶାଇ ସେ ସାତୋଟି ଭାଷା ଜାଣନ୍ତି । ଏହାଛଡ଼ା ସେ ଜଣେ ପ୍ରତିଭାଶାଳୀ ବକ୍ତା ଓ ଲେଖକ ଏବଂ ଲୋକପ୍ରିୟ ଶିକ୍ଷକ ଓ ଦକ୍ଷଶାସକ ।

 

ଡଃ ଓପେନହେମର୍ଙ୍କୁ ତାଙ୍କର ସହକର୍ମୀମାନେ “ଓପି” ବୋଲି ଡାକନ୍ତି । ସେ ୧୯୦୪ ସାଲରେ ନ୍ୟୁୟର୍କ ନଗରୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଥିଲେ ଜଣେ ବ୍ୟବସାୟୀ ଏବଂ ମାତା ଥିଲେ ଶିଳ୍ପୀ ଓ ଚିତ୍ରକଳା ଶିକ୍ଷୟିତ୍ରୀ । ଶୈଶବାବସ୍ଥାରେ “ଓପି” ନିଜକୁ ଜଣେ ଚିତ୍ରଶିଳ୍ପୀ, କବି ଓ ସ୍ଥପତି ଭାବରେ ଗଢ଼ିବାକୁ ଚାହିଁଥିଲେ ଏବଂ ପ୍ରାଚୀନ କାବ୍ୟର ଦକ୍ଷତା ହାସଲ ପାଇଁ ମଧ୍ୟ ତାଙ୍କର ଇଚ୍ଛା ଥିଲା । କିନ୍ତୁ ପରେ ତାଙ୍କର ପିତାମହ ଯେତେବେଳେ ତାଙ୍କୁ ସଂଗୃହୀତ କେତେକ ପଥରର ନମୁନା ଦେଲେ ସେତେବେଳେ ବିଜ୍ଞାନ ପ୍ରତି ତାଙ୍କର ଆଗ୍ରହ ସୃଷ୍ଟି ହେଲା । ମାତ୍ର ୧୨ ବର୍ଷ ବୟସର “ଓପି” ବିଜ୍ଞାନ ସମ୍ବନ୍ଧୀୟ ପ୍ରଥମ ନିବନ୍ଧ ରଚନା କରିପାଠକରିଥିଲେ । ତାଙ୍କର ବହୁ ବୈଜ୍ଞାନକ ନିବନ୍ଧ ମଧ୍ୟରେ ଏହା ଅନ୍ୟତମ । ନ୍ୟୁୟର୍କସ୍ଥିତ ଖଣିଜ ସମ୍ପଦ ସମ୍ପର୍କୀୟ ଅନୁଷ୍ଠାନର ଏକ ବୈଠକରେ ସେ ଏହା ପାଠ କଲେ । ମାନହାଟନ୍ ଦ୍ୱୀପର ଖଣିଜ ସମ୍ପଦ ଥିଲା ଏ ନିବନ୍ଧର ବିଷୟବସ୍ତୁ । ପରେ ସେ ହାରଭାର୍ଡ଼୍ କଲେଜରେ ରସାୟନ ଓ ପଦାର୍ଥ ବିଜ୍ଞାନ ଅଧ୍ୟୟନ କରିଥିଲେ ଏବଂ ଚାରିବର୍ଷ ପରିବର୍ତ୍ତେ ୩ ବର୍ଷରେ ଗ୍ରାଜୁଏଟ୍ ହୋଇପାରିଥିଲେ । ଗ୍ରାଜୁଏଟ୍ ହେବାପରେ ସେ ଇଂଲଣ୍ଡର କେମ୍ବ୍ରିଜକୁ ଯାଇ ସାର୍ ଥମ୍ପସନ ଓ ପରମାଣୁ ବିଜ୍ଞାନର ଜନ୍ମଦାତା ଆର୍ଣ୍ଣେଷ୍ଟ ରଦରଫୋର୍ଡ଼ଙ୍କ ନିକଟରେ ଅଧ୍ୟୟନ କରିଥିଲେ । ଏହାପରେ ଜର୍ମାନୀର ଗଟିଙ୍ଗେନଠାରେ ଗବେଷଣା କରିସେ ୧୯୨୭ ସାଲରେ ୨୩ ବର୍ଷ ବୟସରେ ଡକ୍ଟରେଟ୍ (ପି.ଏଚ୍.ଡି.) ଉପାଧି ହାସଲ କଲେ । ଏଠାରୁ ସେ ନେଦରଲ୍ୟାଣ୍ଡର ଲେଡ଼େନ୍ ବିଶ୍ୱବିଦ୍ୟାଳୟକୁ ସେ ଗଲେ ଏବଂ ୬ ସପ୍ତାହପରେ ଡଚ୍ ଭାଷାରେ ଏକ ଭାଷଣ ଦେଇ ସେ ସମସ୍ତଙ୍କୁ ବିସ୍ମିତ କରିଦେଇଥିଲେ ।

 

ପରେ ସେ ଆମେରିକା ଫେରିଆସିଲେ ଏବଂ କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟ ଓ କାଲିଫର୍ଣ୍ଣିଆ ଶିଳ୍ପବିଜ୍ଞାନ ଅନୁଷ୍ଠାନରେ ଯୋଗଦେଲେ । ଉଭୟରେ ସେ ଅଧ୍ୟାପନା କରୁଥିଲେ । ଏହି ସମୟ ଭିତରେ ପରମାଣୁର ଗଠନ ସମ୍ପର୍କରେ ସେ ଯେଉଁ ଅଧ୍ୟୟନ କରିଥିଲେ ତାହା ବିଶେଷ ଗୁରୁତ୍ତ୍ୱପୂର୍ଣ୍ଣ ବିବେଚିତ ହୋଇଥିଲା । ୧୯୨୮ ସାଲରେ ଜଣେ ବ୍ରିଟିଶ୍ ପଦାର୍ଥ-ବିଜ୍ଞାନବିଦ୍ ପଲ୍ ଡାଇରାକ୍ ମତ ପ୍ରକାଶ କରିଥିଲେ ଯେ, ଅଣୁରେ ଆଉ ଏକ କ୍ଷୁଦ୍ର ଅଣୁ ଅଛି–ତା’ର ନାମ ସେ ଦେଇଥଲେ, “ଆଣ୍ଟି-ଇଲେକ୍ଟ୍ରୋନ୍” । ଓପେନହେମର ସେହି କ୍ଷୁଦ୍ର ଅଣୁ ଓ ତା’ର ଓଜନ ନିର୍ଦ୍ଧାରଣ କରିବା ପାଇଁ ଏକ ସୂତ୍ର ବାହାର କରିଥିଲେ । ଏ ସମ୍ବନ୍ଧୀୟ ବିବରଣୀ କାର୍ଲାଡ଼ି ଆଣ୍ଡରସନଙ୍କ ଦ୍ଵାରା ଅନୁମୋଦିତ ହୋଇଥିଲା । ସେ ଏହି କ୍ଷୁଦ୍ର ଅଣୁ ସମ୍ପର୍କରେ ଅନୁସନ୍ଧାନ କରୁଥିଲେ । ବର୍ତ୍ତମାନ ଏହି କ୍ଷୁଦ୍ର ଅଣୁକୁ ‘ପଜିଟ୍ରନ୍’ ବୋଲି କୁହାଯାଉଛି । “କ୍ଲାଉଡ଼୍ ଚେମ୍ବର୍” ନାମକ ଯନ୍ତ୍ର ସାହାଯ୍ୟରେ ସେ ଏ ସମ୍ପର୍କରେ ଗବେଷଣା କରିଥିଲେ ।

 

ତା’ପରେ ୧୯୩୫ ସାଲରେ ଜାପାନର ପଦାର୍ଥ-ବିଜ୍ଞାନବିଦ୍ ହିଡ଼େକି ୟୁକାୱ୍ୟା ସୂଚନା ଦେଇଥିଲେ ଯେ, ତଥାପି ଆଉ ଏକ କ୍ଷୁଦ୍ର ଅଣୁ ଅଛି, ଯାହାକି ନ୍ୟୁକ୍ଲିଅସ ବା କେନ୍ଦ୍ରଭୂମିକୁ ଏକାଠି କରିରଖିଛି । ଏହି କ୍ଷୁଦ୍ର ଅଣୁର ଆନୁମାନିକ ଓଜନ ଆଦି ସମ୍ପର୍କରେ ସେ ହିସାବ କରିଥିଲେ । ମହାଜାଗତିକ ରଶ୍ମି ସମ୍ବନ୍ଧରେ ଅଧ୍ୟୟନ କରୁଥିବା ଡଃ ଓପେନହେମର ଜାପାନୀ ବୈଜ୍ଞାନିକଙ୍କର ଏହି ତଥ୍ୟକୁ ସତ୍ୟବୋଲି ପ୍ରତିପାଦନ କରିଥିଲେ । ମହାଜାଗତକ ରଶ୍ମି ସମ୍ବନ୍ଧୀୟ ଗବେଷଣା କରି ସେ ସିଦ୍ଧାନ୍ତ କଲେ ଯେ, ଠିକ୍ ଅନୁରୂପ ଏକ କ୍ଷଦ୍ର ଅଣୁଦ୍ଵାରା ସେଗୁଡ଼ିକର କ୍ରିୟା ବୁଝିବା ସମ୍ଭବପର ହେବ । ଡଃ କାର୍ଲ ଡି ଆଣ୍ଡର୍ସନ୍ କେତେମାସ ପରେ ଏହି କ୍ଷୁଦ୍ର ଅଣୁ “ମେସନ୍”ର ସନ୍ଧାନ କରିଥିଲେ-

 

ଓପେନହେମର୍ ପୃଥିବୀର ଅନ୍ୟତମ ବିଶିଷ୍ଟ ପଦାର୍ଥ-ବିଜ୍ଞାନବିଦ୍ ଭାବରେ ପ୍ରସିଦ୍ଧି ଲାଭ କରିଥିବାରୁ ପରମାଣୁ ବୋମା ଯୋଜନାର ନେତୃତ୍ଵ ତାଙ୍କଉପରେ ନ୍ୟସ୍ତ କରାଯାଇଥିଲା । କିନ୍ତୁ ଯୁଦ୍ଧପରେ ଏହି ପରଦୁଃଖେ କାତର ଦୟାର୍ଦହୃଦୟ ଡଃ ଓପେନହେମର୍ ଏ ପ୍ରକାର ଏକ ଭୟାବହ ଅସ୍ତ୍ର ଉଦ୍ଭାବନ କରିବାରେ ଯେଉଁ ଅଂଶଗ୍ରହଣ କରିଥିଲେ ସେଥିରେ ବିଶେଷ ବିଚଳିତ ହୋଇପଡ଼ିଥିଲେ । ଲସ୍ ଆଲମୋସରୁ ଇସ୍ତଫା ଦେବାପରେ ସେ କହିଥିଲେ ଯେ, ସେ ଜଣେ ଶିକ୍ଷକ ଓ ବୈଜ୍ଞାନିକ; ଅସ୍ତ୍ରଶସ୍ତ୍ର ନିର୍ମାଣକାରୀ ନୁହନ୍ତି । ସେହିଦିନଠାରୁ ଏକ ଆନ୍ତର୍ଜାତିକ ନିୟନ୍ତ୍ରଣର ଅଧୀନରେ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବିକାଶ ନିମନ୍ତେ ଯେଉଁ ଆନ୍ଦୋଳନ ଚାଲିଲା ସେଥିରେ ସେ ଅଗ୍ରଣୀ ହୋଇଥିଲେ ।

 

୧୯୪୯ ସାଲରୁ “ଓପି” ନ୍ୟୁଜର୍ସିର ପ୍ରିନ୍ସଟନ୍‍ଠାରେ ଉତ୍ତର ଅଧ୍ୟୟନ ନିମନ୍ତେ ପ୍ରତିଷ୍ଠିତ ଅନୁଷ୍ଠାନର ଡିରେକଟର ଭାବରେ କାର୍ଯ୍ୟ କରୁଛନ୍ତି । ବିଜ୍ଞାନ ଓ କଳାର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରୁଥିବା ପ୍ରତିଭାବାନ୍ ବ୍ୟକ୍ତିମାନଙ୍କୁ ଏକାଠି କରିବା ଉଦ୍ଦେଶ୍ୟରେ ଏହି ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଥିଲା । ତାଙ୍କର ଧିମତ୍ତା ଏବଂ ବିଭିନ୍ନ ବିଷୟରେ ଥିବା ଆଗ୍ରହ ଯୋଗୁ ସହକର୍ମୀମାନେ ତାଙ୍କୁ ବିଶେଷ ଶ୍ରଦ୍ଧା ପ୍ରଦର୍ଶନ କରନ୍ତି ।

 

ଡଃ ଓପେନହେମର୍ ସର୍ବଦା ବିଜ୍ଞାନର ଗୋପନୀୟତା ଲୋପ କରିବା ସପକ୍ଷରେ ଏବଂ ସମସ୍ତ ପ୍ରକାର ତଥ୍ୟ ପ୍ରକାଶର ସ୍ଵାଧୀନତା ସପକ୍ଷରେ ମତ ଦିଅନ୍ତି । ସେ କହନ୍ତି, “ଗୋପନୀୟତା ବିଜ୍ଞାନର ପ୍ରକୃତି ଓ ଉଦ୍ଦେଶ୍ୟର ମୂଳରେ କୁଠାରଘାତ କରୁଛି ।”

Image

 

ଅଣୁର ସଙ୍କେତ

-ଇସିଡ଼ୋର ଆଇଜାକ୍ ରବି

 

ଆଜି ପରମାଣୁ ଗବେଷଣାର ଅଧିକାଂଶ ଭାଗ ଅଣୁକୁ ଭାଙ୍ଗିବା ସମସ୍ୟା ସହିତ ଜଡ଼ିତ-। ସମଗ୍ର ପୃଥିବୀର ଗବେଷଣାଗାରମାନଙ୍କର ବିରାଟ ମେସିନମାନ ପରମାଣୁ ନ୍ୟୁକ୍ଳି ବା କେନ୍ଦ୍ରଭୂମିକୁ ଭାଙ୍ଗି ଦେଇ ଏହି ଅଣୁର କ୍ଷୁଦ୍ରତମ ଅଂଶର ସନ୍ଧାନରେ ଲାଗିଛନ୍ତି । ଅଣୁକୁ ଭାଙ୍ଗି ଦେଇପାରିବାର ଏହି ଶକ୍ତି ମଣିଷ ହାସଲ କରିବା ଫଳରେ ପରମାଣୁ ବୋମା ଓ “ନଟିଲସ୍” ଜାହାଜରେ ପରମାଣୁ ଇଞ୍ଜିନ୍ ଖଞ୍ଜିବା ସମ୍ଭବ ହେଲା ।

ନ୍ୟୁୟର୍କର କଲମ୍ବିଆ ବିଶ୍ୱବିଦ୍ୟାଳୟଠାରେ ପଦାର୍ଥ-ବିଜ୍ଞାନବିଦ୍ ଡଃ ଇସିଡ଼ୋର ଆଇଜାକ୍ ରବିଙ୍କ ଗବେଷଣା ଯୋଗୁ ହିଁ ମୁଖ୍ୟତଃ ଏହି ପଦ୍ଧତିର ଉଦ୍ଭାବନ ସମ୍ଭବ ହୋଇଥିଲା । ଡ଼ଃ ରବି୧୯୩୦ସାଲରେ ଅଣୁକୁ ନଭାଙ୍ଗିବା ପାଇଁ ଏକ ଉପାୟର ସନ୍ଧାନ ପାଇଥିଲେ । ଅଣୁଗୁଡ଼ିକୁ କିଏ ଏକାଠି ଧରି ରଖିଛି । ତାହା ଜାଣିବା ଲାଗି ଗବେଷଣା କରିବାଦ୍ୱାରା ଏହି ଉପାୟର ସନ୍ଧାନ କରିବେ ବୋଲି ସେ ସ୍ଥିର କରିଥିଲେ ।

ସମଗ୍ର ବିଶ୍ୱରେ ବିସ୍ଫୋରଣ ହୋଇ ବିରାଟ ହାଇଡ୍ରୋଜେନ୍‍ ବାଷ୍ପ-ପଟଳ ଆକାର ଧାରଣ ନକରି କିପରି ରହିଛି ? ଯେଉଁ ସବୁ ଅଣୁର ସ୍ଥିତି ରହିଛି, ସେଗୁଡ଼ିକର “କେନ୍ଦ୍ରଭୂମି ‘ପ୍ରୋଟନ୍’ ଦ୍ୱାରା ଗଠିତ । ପ୍ରତ୍ୟେକ ପ୍ରୋଟନ୍‍ର ପଜିଟିଭ୍ ବୈଦ୍ୟୁତିକ ଚାର୍ଜ ରହିଛି । ପଦାର୍ଥ-ବିଜ୍ଞାନର ଗୋଟିଏ ମୌଳିକ ସୂତ୍ର ହେଲା, ଏକାଭଳି ବା ସାମଞ୍ଜସ୍ୟ ଥିବା ଚାର୍ଜ ପରସ୍ପରକୁ ଅଲଗା ଅଲଗା କରିଦେବା । ତେଣୁ ବିଶ୍ଵରେ ଥିବା ପ୍ରତ୍ୟେକ ଅଣୁ ତାତ୍ତ୍ଵିକ ଦୃଷ୍ଟିରୁ ବିସ୍ଫୋରିତ ହୋଇ ହାଇଡ୍ରୋଜେନରେ ପରିଣତ ହୋଇଯିବା କଥା (କାରଣ ଏହାର କେନ୍ଦ୍ରଭୂମିରେ ଗୋଟିଏ ପ୍ରୋଟନ୍ ଥିବା ହେତୁ ଏହା ଅଣୁଗୁଡ଼ିକୁ ଏକାଠି କରି ରଖିଦେଇ ପାରିବ) । କିନ୍ତୁ ଏହା ଘଟୁନଥିବାରୁ ଆମେ ଜାଣୁ ଯେ, ପ୍ରତ୍ୟେକ ଅଣୁର କେନ୍ଦ୍ରଭୂମିକୁ ଏକାଠି କରିରଖିବା ପାଇଁ ନିଶ୍ଚୟ ଏକ ବୃହତ୍ତର ଶକ୍ତିରହିଥିବ । ଏଇଆକୁ ଏବେ ପଦାର୍ଥ-ବିଜ୍ଞାନବିଦ୍ ମାନେ “ମାଗ୍ନେଟିକ ମୋମେଣ୍ଟ” ବା “ଚୁମ୍ବକୀୟ ମୁହୁର୍ତ୍ତ” ବୋଲି ବର୍ଣ୍ଣନା କରୁଛନ୍ତି । କ୍ଷୁଦ୍ର ଡାଇନମୋ ଭଳି ଅଣୁର କେନ୍ଦ୍ରଭୂମି ନିଜର ଅକ୍ଷ ଉପରେ ଘୂର୍ଣ୍ଣନ କରିବାଦ୍ଵାରା ଯେଉଁ ଶକ୍ତି ଜାତ ହୋଇଥାଏ, ତାକୁହିଁ “ଚୁମ୍ବକୀୟ ମୁହୁର୍ତ୍ତ’’ କୁହାଯାଏ । ଅଣୁରେ ଥିବା ପ୍ରୋଟନ୍, ନିଉଟ୍ରନ୍ ଓ ଇଲେକ୍ଟ୍ରୋନ ଭଲି ପ୍ରତ୍ୟେକ କ୍ଷୁଦ୍ର ଅଣୁ ତଥା ସମଗ୍ର ଭାବରେ କେନ୍ଦ୍ରଭୂମିର ଘୂର୍ଣ୍ଣନଦ୍ଵାରା “ଚୁମ୍ବକୀୟ ମୁହୂର୍ତ୍ତ “ର ସୃଷ୍ଟି ହୋଇଥାଏ । କିନ୍ତୁ ସେଭଳି ଶକ୍ତିକୁ କିପରି ପରୀକ୍ଷା କରାଯିବ ? କୌଣସି ପରମାଣୁର କେନ୍ଦ୍ରଭୂମି ଏତେ କ୍ଷୁଦ୍ର ଯେ, ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ମଧ୍ୟ ତାକୁ ଦେଖିହେବ ନାହିଁ । “ସାଇକ୍ଲୋଟ୍ରନ୍” ପରି ଗୋଟିଏ ପରମାଣୁଭଙ୍ଗକାରୀ ଅସ୍ତ୍ର ବ୍ୟବହାର କରାଯାଇପାରେ । କିନ୍ତୁ ଡଃ ରବି ଏଥିରେ ନାରାଜ ହେଲେ । ସେ ମନେକଲେ ଯେ, ତାଜମହଲକୁ ଡିନାମାଇଟ୍ ଦେଇ ଭାଙ୍ଗି ଖଣ୍ଡ ଖଣ୍ଡ କରି ପରୀକ୍ଷା କରିବା ଯେପରି ଏହା ଠିକ୍ ସେହିପରି ହେବ । ତେଣୁ କେନ୍ଦ୍ରଭୂମିକୁ ତା’ର ଯଥାସ୍ଥାନରେ ରଖିବାକୁ ହେବ ଏବଂ ଏଥିପାଇଁ ଅନ୍ୟ ଉପାୟ ବାହାର କରିବାକୁ ହେବ l

ଡଃ ରବି ନିକଟରେ ପଦାର୍ଥ ବିଜ୍ଞାନରେ ପିଏଚ୍.ଡି. ଉପାଧି ଲାଭ କରିଛନ୍ତି । ୧୯୩୦ର ପ୍ରଥମ ଭାଗରେ ସେ ଅବଶ୍ୟ ସୁପରିଚିତ ନଥିଲେ । ୧୮୯୮ସାଲରେ ଅଷ୍ଟ୍ରିଆ-ହଙ୍ଗେରୀରେ ତାଙ୍କର ଜନ୍ମ ଏବଂ ବର୍ଷକର ହୋଇଥିବାବେଳେ ସେ ଆମେରିକା ଆସିଥିଲେ । ତାଙ୍କ ପିତା ଜଣେ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ବ୍ୟବସାୟୀ ଥିଲେ । ରବି ନ୍ୟୁୟର୍କର ଦରିଦ୍ର ଶ୍ରେଣୀ ଲୋକଙ୍କ ଭିତରେ ଲାଲିତପାଳିତ ହୋଇଥିଲେ । ହାଇସ୍କୁଲରେ ଅଧ୍ୟୟନ ଶେଷ କରିସେ କର୍ଣ୍ଣେଲାରେ ଅଧ୍ୟୟନ ଲାଗି ବୃତ୍ତି ପାଇଥିଲେ । ଏଠାରେ ରସାୟନଶାସ୍ତ୍ର ଅଧ୍ୟୟନ କରି୧୯୧୯ ସାଲରେ ସେ ଗ୍ରାଜୁଏଟ୍ ହେଲେ । ୧୯୨୭ରେ କଲମ୍ବିଆ ବିଶ୍ଵବିଦ୍ୟାଳୟରୁ ପିଏଚ୍.ଡି. ଲାଭକଲେ-। ତା’ପରେ ୟୁରୋପରେ ଅଧ୍ୟୟନ କରିବା ପାଇଁ ମଧ୍ୟ ସେ ଏକ ବୃତ୍ତି ପାଇଥିଲେ-। ଜର୍ମାନୀର ହାମବର୍ଗଠାରେ ଗବେଷଣା କଲାବେଳେ ସେ ଏପରି ଏକ ପଦ୍ଧତିର ସନ୍ଧାନ ପାଇଲେ, ଯାହାଫଳରେ ଅଣୁର ଶବ୍ଦ ଶୁଣିବା ତାଙ୍କ ପକ୍ଷରେ ସମ୍ଭବପର ହୋଇଥିଲା ।

ହାମ୍ବର୍ଗଠାରେ ପଦାର୍ଥ-ବିଜ୍ଞାନବିଦ୍ ଅଟୋଷ୍ଟର୍ଣ୍ଣ ଏକ “ଆଟମିକ ବିମ୍” ବା ଆଣବିକ କଡ଼ି ବ୍ୟବହାର କରିକେତେକ ଉତ୍ତେଜନାପୂର୍ଣ୍ଣ ପରୀକ୍ଷା କରିଥିଲେ । ଏକ ଚୁଲ୍ଳାରେ ଗୋଟିଏ ଉପାଦାନକୁ ଉତ୍ତପ୍ତ କରି(ପାଣି ଗରମ ହେଲେ ସେଥିରୁ ଯେପରି ବାଷ୍ପ ବାହାରିଥାଏ) ସେଥିରୁ ଅଣୁକୁ ବାହାର କରିଦେଇପାରିଥିଲେ । ଅଣୁର ସ୍ରୋତକୁ ଏକ ‘ଭାକ୍ୟୁମ୍ ଟ୍ୟୁବ୍’ ବା ଶୂନ୍ୟନଳିରେ ସଂକୀର୍ଣ୍ଣ ପଥ ଦେଇ ଛାଡ଼ିଦିଆଯାଏ । ପ୍ରତ୍ୟେକ ଅଣୁ ସିଧାସଳଖ ବାଟରେ ଚାଲିଯାଏ । ଷ୍ଟର୍ଣ୍ଣ କଡ଼ିରେ ଏକ ଚୁମ୍ବକ ପ୍ରୟୋଗ କରିଦେଖିଲେ ଯେ, କଡ଼ି ବିଚଳିତ ହୋଇ ତା’ର ଗତିପଥ ପରିବର୍ତ୍ତିତ ହୋଇଯାଇଥିଲା । ସେ ଯୁକ୍ତି ଦର୍ଶାଇଲେ ଯେ, ଗୋଟିଏ ଅଣୁର ବିଚଳନର ପରିମାଣ ଏହାର ଚୁମ୍ବକୀୟ ମୁହୂର୍ତ୍ତ ଉପରେ ନିର୍ଭର କରେ । ତେଣୁ ଏହାକୁ ଅଧ୍ୟୟନ ଓ ମାପଚୁପ କରିଯାଇପାରେ ।

ରବି ନିଷ୍ପତ୍ତି କଲେ ଯେ, ନ୍ୟୁକ୍ଲିଅସ୍ ବା କେନ୍ଦ୍ରଭୂମି ଅଧ୍ୟୟନ ପାଇଁ ଷ୍ଟର୍ଣ୍ଣଙ୍କ ପଦ୍ଧତି ମଧ୍ୟ ଅନୁସରଣ କରାଯାଇପାରେ । ସେ ଷ୍ଟର୍ଣ୍ଣଙ୍କ ସଙ୍ଗେ ଘନିଷ୍ଠ ସହଯୋଗ ସ୍ଥାପନ କରିକାମ କରିଥିଲେ-। ତା’ପରେ କଲମ୍ବିଆକୁ ଫେରିଆସି ସେ ତାଙ୍କର ଯନ୍ତ୍ରପାତିକୁ ଏକାଠି କରି ଏକ ପରମାଣୁ କଡ଼ି ତିଆରି କରିଥିଲେ । ନିଜେ ତିଆରି କରିଥିବା ସୂକ୍ଷ୍ମ ଯନ୍ତ୍ରପାତି ଯୋଗେ ସେ ଆବିଷ୍କାର କଲେ ଯେ, ଅଣୁର କେନ୍ଦ୍ରଭୂମି ତା’ର ଅକ୍ଷ ଉପରେ ଘୂରୁଥାଏ । ସେହି ଘୂର୍ଣ୍ଣନ ପ୍ରକ୍ରିୟା ଯଦି ଗୋଟିଏ ଚୁମ୍ବକଦ୍ଵାରା ବାଧାପ୍ରାପ୍ତ ହୁଏ ତା’ହେଲେ ଅଣୁ ଏକ କ୍ଷୀଣ ବେତାର ସଂକେତ ଦିଏ । ଉକ୍ତ ଅଣୁ ଯେଉଁ ଉପାଦାନଦ୍ଵାରା ଗଠିତ ସେହି ଉପାଦାନ ଅନୁସାରେ ବେତାର ସଂକେତ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ରେଡ଼ିଓ ରିସିଭର୍ ବା ବେତାର ଗ୍ରାହକକୁ ଠିକଭାରେ ତିଆରି କରିରବି ଏହି ସଂକେତଗୁଡ଼ିକ ଶୁଣିପାରିଲେ ଏବଂ ଭିନ୍ନ ପ୍ରକାରର ‘‘ନ୍ୟୁକ୍ଲି” ବା କେନ୍ଦ୍ରଭୂମିକୁ ବାରିପାରଲେ-। ୧୯୩୭ ଓ ୧୯୪୦ ସାଲ ଭିତରେ ସେ ତାଙ୍କର ନୂତନ “ରେସୋନାନ୍ସ’’ ବା ଅନୁକମ୍ପନ ପଦ୍ଧତି ସମ୍ପର୍କରେ ଅନେକଗୁଡ଼ିଏ ପ୍ରବନ୍ଧ ପ୍ରକାଶ କରିଥିଲେ । ୧୯୪୪ ସାଲରେ ରବି ତାଙ୍କର ଏହି ଉଦ୍ଭାବନ ପାଇଁ ନୋବେଲ୍ ପୁରସ୍କାର ଲାଭ କରିଥିଲେ ।

ଅଣୁର ଗଠନ ସମ୍ପର୍କରେ ଅନୁଧ୍ୟାନ କରିବାପାଇଁ ରବିଙ୍କ ଗବେଷଣା ଉପରେ ଭିତ୍ତିକରି ନିର୍ମିତ ଯନ୍ତ୍ର ବର୍ତ୍ତମାନ ସମଗ୍ର ପୃଥିବୀରେ ବ୍ୟବହାର କରାଯାଉଛି । ତାଙ୍କର ଏହି ଗବେଷଣା ଫଳରେ ଆଉ ଏକ ଉପାୟ ବା ପଦ୍ଧତିର ମଧ୍ୟ ସନ୍ଧାନ ମିଳିଛି । ତାକୁ ‘‘ମାସେର’’ ବୋଲି କୁହାଯାଏ । ଅତ୍ୟନ୍ତ ସୂକ୍ଷ୍ମ ବେତାର ସଂକେତ ବାରିବାପାଇଁ ଏହା ବ୍ୟବହାର କରାଯାଉଛି । ବେତାର ଦୂରବୀକ୍ଷଣ ଯନ୍ତ୍ରରେ ଏହା ବ୍ୟାପକ ଭାବରେ ବ୍ୟବହୃତ ହୋଇଥାଏ ।

ଦ୍ଵିତୀୟ ମହାଯୁଦ୍ଧ ସମୟରେ ଡଃ ରବି ସୂକ୍ଷ୍ମ ତରଙ୍ଗ ‘ରାଡ଼ର୍’ର ବିକାଶ ଓ ପରିଶୋଧନରେ ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ଗ୍ରହଣ କରିଥିଲେ । ପରମାଣୁ ବୋମା ତିଆରି ନିମନ୍ତେ ଯେଉଁ ଗବେଷଣା ଚାଲିଥିଲା ସେ ବିଷୟରେ ସେ ସରକାରଙ୍କର ମୁଖ୍ୟ ପରମର୍ଶଦାତା ଥିଲେ ଏବଂ ଡଃ ଓପେନହେମରଙ୍କ ସଙ୍ଗେ ଲସ୍ ଆଲାମୋସରେ ମଧ୍ୟ କାମ କରିଥିଲେ ।

ଯୁଦ୍ଧପରେ ଡଃ ରବି ୧୯୫୨ ରୁ ୧୯୫୭ ପର୍ଯ୍ୟନ୍ତ ପରମାଣୁ ଶକ୍ତି କମିଶନଙ୍କ ସାଧାରଣ ପରାମର୍ଶଦାତା କମିଟିର ଚେୟାରମ୍ୟାନ୍ ଥିଲେ । ୧୯୫୫ ସାଲରେ ଜେନେଭାଠାରେ ଅନୁଷ୍ଠିତ “ଶାନ୍ତି ନିମନ୍ତେ ପରମାଣୁର ଉପଯୋଗ” ସମ୍ପର୍କୀୟ ସମ୍ମିଳନୀର ସେ ଜଣେ ପ୍ରଧାନ ଉଦ୍ୟୋକ୍ତା ଥିଲେ ଏବଂ ଏ ସମ୍ମିଳନୀରେ ସେ ଆମେରିକାର ପ୍ରତିନିଧିତ୍ଵ କରିଥିଲେ । ଜାତିସଂଘର ପୂର୍ବତନ ସେକ୍ରେଟାରୀ ଜେନେରାଲ୍ ଡାଗ୍ ହାମର୍ସୋଲ୍ଡ଼ଙ୍କର ବିଜ୍ଞାନ ପରମର୍ଶଦାତା ରୂପେ ମଧ୍ୟ ସେ କାର୍ଯ୍ୟ କରିଥିଲେ ।

ଡଃ ରବି ବର୍ତ୍ତମାନ ପୃଥିବୀର ପ୍ରସିଦ୍ଧ ଓ ସମ୍ମାନିତ ପଦାର୍ଥ ବିଜ୍ଞାନବିଦମାନଙ୍କ ମଧ୍ୟରେ ଅନ୍ୟତମ । ବ୍ୟକ୍ତିଗତ ଭାବରେ ସେଜଣେ ଅପ୍ରତିଭ ଓ ଉତ୍ତମ ପ୍ରକୃତିର ବ୍ୟକ୍ତି । ସାହିତ୍ୟ ଓ କଳା ସମ୍ପର୍କରେ ତାଙ୍କର ବିଶେଷ ଜ୍ଞାନଥିବା ଏକ ଜଣାଶୁଣା କଥା । ସେ ଜଣେ ହାସ୍ୟରସିକ ଏବଂ ଖଣ୍ଡେ କାଗଜ ଓ ଗୋଟିଏ ପାନିଆ ସାହାଯ୍ୟରେ ସେ ସୁନ୍ଦର ବାଦ୍ୟସଂଗୀତ ସୃଷ୍ଟି କରିପାରିଥିଲେ-। ବହୁକାର୍ଯ୍ୟ ମଧ୍ୟରେ ସେ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ମଧ୍ୟ କରିଥାନ୍ତି-। ଛାତ୍ରମାନଙ୍କୁ ଅତ୍ୟଧିକ ଉପଦେଶ ବା ସାହାଯ୍ୟ ଦେବାର ସେ ପକ୍ଷପାତୀ ନୁହନ୍ତି-। ମାତ୍ର ନିଜର ବାଟ ନିଜେ ଖୋଜି ଅନୁସରଣ କରିବାରେ ଛାତ୍ରମାନଙ୍କୁ ବିଶେଷ ସ୍ଵାଧୀନତା ମିଳିବା ଉଚିତ ବୋଲି ତାଙ୍କର ମତ । “ଅମାନିଆ” ଛାତ୍ରମାନେ ସମୟ ସମୟରେ ସମାଜ ପକ୍ଷରେ ଅତ୍ୟନ୍ତ ମୂଲ୍ୟବାନ ବିବେଚିତ ହୋଇଥାନ୍ତି ବୋଲି ସେ ମନ୍ତବ୍ୟ କରନ୍ତି ।

ବିଜ୍ଞାନର ଅଧ୍ୟୟନ ସମ୍ପର୍କରେ ସେ କହିଛନ୍ତି, “ଆମେ ପଶୁମାନଙ୍କ ଭଳି ଏହି ପୃଥିବୀରେ ବାସ କରୁଛୁ । କିନ୍ତୁ ଶିକ୍ଷାଲାଭ ନ କଲେ ଆମେ ପଶୁଙ୍କଠାରୁ କୌଣସି ଗୁଣରେ ଭିନ୍ନ ହୋଇନପାରୁ ।”

Image

 

ବିଶ୍ଵସୃଷ୍ଟିର ପୁନଶ୍ଚ

–ଗ୍ଳେନ୍ ଥିଓଡ଼ର୍ ସିବର୍ଗ

 

ବିଶ୍ଵବ୍ରହ୍ମାଣ୍ଡ କେଉଁଥିରେ ନିର୍ମିତ ହୋଇଛି ? ପୁରାତନ କାଳରେ ମନୀଷୀମାନେ ବିଶ୍ୱାସ କରୁଥିଲେ ଯେ, ମାଟି, ପାଣି, ପବନ ଓ ନିଆଁ ଭଳି ଉପାଦାନରେ ଏହି ବିଶ୍ଵ ନିର୍ମିତ ହୋଇଛି । ଏହାଛଡ଼ା ପୃଥିବୀରେ ଆଉ କିଛି ନାହିଁ । କିନ୍ତୁ ଆଧୁନିକ ବିଜ୍ଞାନ ପ୍ରତିପାଦନ କଲା ଯେ, ବିଭିନ୍ନ ଉପାଦାନଦ୍ଵାରା ପୃଥିବୀ ନିର୍ମିତ ହୋଇଛି । ପୁରାତନୀମାନେ ଯେଉଁ ଚାରୋଟି ଉପାଦାନ କଥା କହିଥିଲେ ତାକୁ ବାଦ ଦେଇ ଆଧୁନିକ ବୈଜ୍ଞାନିକମାନେ କହିଲେ ଯେ, ପୃଥିବୀ ୯୨ଟି ଉପାଦାନଦ୍ଵାରା ନିର୍ମିତ । ପ୍ରତ୍ୟେକ ଉପାଦାନର କେନ୍ଦ୍ରଭୂମିରେ ଯେତେ ସଂଖ୍ୟାରେ ପ୍ରୋଟନ୍ ରହିଛି ସେଗୁଡ଼ିକୁ ଆଗପଛ କରିରଖି ସେମାନେ ୯୨ଟି ଉପାଦାନକୁ ସଜେଇଥିଲେ । ଏହି ଉପାଦାନଗୁଡ଼ିକ ଭିତରୁ ହାଇଡ୍ରୋଜେନରେ ଗୋଟିଏ ମାତ୍ର ପ୍ରୋଟନ୍ ଥିବା ସ୍ଥଳେ ସର୍ବାପେକ୍ଷା ଓଜନିଆ ଉପାଦାନ ୟୁରାନିୟମ୍‍ର ୯୨ଟି ପ୍ରୋଟନ୍ ରହିଛି ।

 

୧୯୪୦ ସାଲରେ ପୁଣି ନୂଆ ଉପାଦାନ ଥିବା କଥା ଜଣାପଡ଼ିଲା । ପୃଥିବୀର ପ୍ରାରମ୍ଭକାଳରୁ ପ୍ରଥମଥର ପାଇଁ ଏକ ନୂତନ ଉପାଦାନ ସୃଷ୍ଟି ହେଲା । ମାତ୍ର କେତେବର୍ଷ ମଧ୍ୟରେ ୯ଟି ଅଧିକା ଉପାଦାନର ସନ୍ଧାନ ମିଳିଲା ଏବଂ ବର୍ତ୍ତମାନ ଉପାଦାନର ସଂଖ୍ୟା ୧୦୨ ବୋଲି କୁହାଯାଉଛି । ଏହି ଯେଉଁ ୧୦ଟି ଉପାଦାନ ପରେ ଯୋଗ କରାଗଲା ସେଥିଭିତରୁ ପ୍ରକୃତିରେ ମାତ୍ର ଗୋଟିକର ସ୍ଥିତି ଥିଲା । ଏହି ୧୦ଟିଭିତରୁ ଗୋଟିକ ଛଡ଼ା ଅନ୍ୟ ସମସ୍ତ ଉପାଦାନ ଆମେରିକାର ବୈଜ୍ଞାନିକ ଗ୍ଲେନ୍ ଟି. ସିବର୍ଗ ଓ ତାଙ୍କ ସହକର୍ମୀମାନେ ଆବିଷ୍କାର କରିଥିଲେ । ଏଥିଭିତରେ ପରମାଣୁ ଶକ୍ତିର ମୌଳିକ ଇନ୍ଧନ ଥିଲା ପ୍ଲଟୋନିୟମ୍ ।

 

କୃଷ୍ଣକେଶ, ୬ଫୁଟ ୨ଇଞ୍ଚ ଉଚ୍ଚତା ସମ୍ପନ୍ନ ଡଃ ସିବର୍ଗ ଉଇସ୍କନ୍ସିନର ଇସପେମିଙ୍ଗଠାରେ ୧୯୧୨ ସାଲରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାଙ୍କର ଜନ୍ମ ସୁଇଡ଼େନରେ ଏବଂ ପିତା ମଧ୍ୟ ସୁଇଡ଼େନର ବିଦେଶାଗତ ଅଧିବାସୀ ଥିଲେ । ତାଙ୍କୁ ୧୦ ବର୍ଷ ହୋଇଥିଲାବେଳେ ତାଙ୍କ ପରିବାର ଲସ୍ ଆଞ୍ଜେଲ୍ସକୁ ଚାଲିଆସିଥିଲେ । ସେଠାରେ ସେ ହାଇସ୍କୁଲରେ ଅଧ୍ୟୟନ କଲେ ଏବଂ ୧୯୨୯ରେ ଗ୍ରାଜୁଏଟ୍ ହୋଇଥିଲେ ।

 

ଏହାପରେ ସେ ଲସ୍ ଆଞ୍ଜେଲ୍ସଠାରେ କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟରେ ଯୋଗଦେଲେ-। ସେତେବେଳକୁ ମୂଲ୍ୟ ହ୍ରାସଯୋଗୁ ଆର୍ଥିକ ପରିସ୍ଥିତି ଭଲ ନଥିଲା । ତେଣୁ ସ୍କୁଲ ଜରିଆରେ ସେ ଜୀବିକା ନିର୍ବାହ କରିବା ପାଇଁ ବାଧ୍ୟ ହୋଇଥିଲେ । ସେଥିପାଇଁ ସଞ୍ଜୋକୁଇନ୍ ଉପତ୍ୟକାରେ ସେ ଫଳ ସଂଗ୍ରହ କରିଥିଲେ ଓ ଜଣେ କାରିଗରଙ୍କ ସାହାଯ୍ୟକାରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ-। କଲେଜରେ ପଢ଼ିବାର ଶେଷବର୍ଷ ସେ ସ୍ଥିର କଲେ ଯେ, ପରମାଣୁ ରସାୟନ ଗବେଷଣା ବିଭାଗରେ ସେ ଯୋଗଦେବେ ।

 

୧୯୩୪ ସାଲରେ ବି. ଏ. ଡିଗ୍ରୀ ହାସଲ କରିବର୍କଲେଠାରେ କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟକୁ ସେ ଡିଗ୍ରୀ ପାଠ୍ୟ ଅଧ୍ୟୟନ ପାଇଁ ଗଲେ । ପରବର୍ତ୍ତୀ ଦୁଇବର୍ଷ ସ୍କୁଲ ଗବେଷଣାଗାରର ଜଣେ ସହକାରୀ ରୂପେ କାମ କଲେ ଏବଂ ୧୯୩୯ ରେ ସେଠାରେ ଜଣେ ଶିକ୍ଷକ ଭାବରେ ନିଯୁକ୍ତି ପାଇଲେ । ୧୯୪୧ ରେ ସେ ଅଧ୍ୟାପକ ହେଲେ ।

 

ଶିକ୍ଷକ ଥିଲାବେଳେ ବିଶ୍ଵର ଗଠନପ୍ରଣାଳୀ ଓ ବିଭିନ୍ନ ଉପାଦାନ ସମ୍ପର୍କରେ ଗବେଷଣା ଲାଗି ତାଙ୍କର ଆଗ୍ରହ ଜାତ ହେଲା । ଏହିସବୁ ଉପାଦାନ ଭିତରୁ ଯେଉଁ ଓଜନିଆ ୟୁରାନିୟମ୍ ବିଷୟରେ ସେ ବିଶେଷ ଆଗ୍ରହ ପ୍ରକାଶ କରିଥିଲେ ନିଜ ସହକର୍ମୀମାନଙ୍କ ସହଯୋଗରେ ଏହି ଉପାଦାନରେ ସେ ବହୁ ସଂଖ୍ୟକ ଆଇସୋଟୋପ ବା ସମଗୁଣୀ ଅଣୁ ଥିବାର ଆବିଷ୍କାର କରିଥିଲେ ।

 

ତାଙ୍କର ଅନ୍ୟତମ ସହକର୍ମୀ ଡକ୍ଟର ଏଡ଼୍‌ୱାର୍ଡ଼ ମ୍ୟାକମିଲନ ଆଲ୍‍ଫା ନାମକ କ୍ଷୁଦ୍ରଅଣୁ ଦ୍ଵାରା ୟୁରାନିୟମକୁ ଫଟେଇ ଏକ ନୂଆ ଉପାଦାନ ଉଦ୍ଭାବନ କରିଥିଲେ । ଏହା ପ୍ରକୃତିର ଚିରାଚରିତ କ୍ରିୟାର ପରିପତ୍ନୀ ବା ବିରୋଧୀ । କାରଣ ଆଲ୍‍ଫା କ୍ଷୁଦ୍ର ଅଣୁ “ଭାଙ୍ଗିଗଲା” ବେଳେ ତେଜସ୍କ୍ରିୟ ଶକ୍ତିଦ୍ୱାରା ହିଲିୟମର କେନ୍ଦ୍ରଭୂମି ବାହାରି ପଡ଼ିଥାଏ । ଯଦି ସେହିଭଳି କ୍ଷୁଦ୍ର ଅଣୁ କେନ୍ଦ୍ରଭୂମି ସଙ୍ଗେ ଯୋଗ କରିଦିଆଯାଏ ତା’ହେଲେ ତା’ର କ’ଣ ହେବ ସେ କଥା ମ୍ୟାକମିଲନ ଜାଣିବାକୁ ଚାହିଁଥିଲେ ।

 

ଏହି ଅନୁସନ୍ଧାନ ଫଳରେ ପ୍ରଥମ ନୂଆ ଉପାଦାନର (୯୩ ନମ୍ବର) ସୃଷ୍ଟି ହେଲା । ଏହି ଉପାଦାନଟି ୟୁରାନିୟମ ଅପେକ୍ଷା ଅଧିକ ଓଜନିଆ (ୟୁରାନସ୍ ଗ୍ରହର ନାମ ଅନୁଯାୟୀ ଏହା ନାମିତ ହୋଇଛି) । ମ୍ୟାକମିଲନ “ନେପ୍‍ଚୁନ୍‍” ଗ୍ରହର ନାମ ଅନୁସାରେ ଏହାର ନାମ ଦେଇଥିଲେ-ନେପ୍‍ଚୁନିୟମ୍ ।

 

ଏହି ସମୟରେ ସୂକ୍ଷ୍ମ ତରଙ୍ଗ ରାଡ଼ର୍ର ବିକାଶ ନିମନ୍ତେ ଗବେଷଣା କରିବା ପାଇଁ ମାକ୍‍ମିଲାନଙ୍କୁ ନିଆଯାଇଥିଲା ।

 

ସିବର୍ଗ ତାଙ୍କ ସଙ୍ଗେ କାମ କରିଥିଲେ ଏବଂ ମାକ୍‍ମିଲାନଙ୍କ ସହଯୋଗରେ ଗବେଷଣା ଚଳାଇଥିଲେ । ଅଳ୍ପ କେତେମାସ ଭିତରେ ସେ ଏବଂ ତାଙ୍କର ସହଯୋଗୀ ଡଃ ଯୋଶେଫ୍ କେନେଡ଼ି ଓ ଡଃ ଆର୍ଥର ଓହଲ ପ୍ରସିଦ୍ଧ ଉପାଦାନ (୯୪ ନମ୍ବର) ପ୍ଲୁଟୋନିୟମ୍ ଉତ୍ପାଦାନ କରିଥିଲେ । “ନେପଚୁନ୍” ଗ୍ରହଠାରୁ ଦୂରରେ ଥିବା ପ୍ଲୁଟୋ ଗ୍ରହର ନାମ ଅନୁସାରେ ସେ ଏହାକୁ ନାମିତ କରିଥିଲେ ।

 

ତା’ପରେ ୧୯୪୧ ସାଲରେ ସେମାନେ ପ୍ଲୁଟୋନିୟମର ଏକ ଆଇସୋଟେପ୍ ସୃଷ୍ଟି କଲେ ଏବଂ ଦେଖିଲେ ଯେ, ଏହା ବିଭାଜ୍ୟ ଓ ପରମାଣୁ ଶକ୍ତିର ଏକ ନିର୍ଭରଯୋଗ୍ୟ ସମ୍ବଳ । ସିବର୍ଗ ଓ ତାଙ୍କ ସହକର୍ମୀମାନେ ଆହୁରି ଆବିଷ୍କାର କଲେ ଯେ, ପ୍ରାକୃତିକ ପ୍ଲୁଟୋନିୟମର ଅତି କ୍ଷୁଦ୍ର ଅଂଶମାନ ୟୁରାନିୟମ୍ ଧାତୁରେ ରହିଛି । ଏହିସବୁ ଆବିଷ୍କାର ପାଇଁ, ୧୯୪୨ ରେ ସିବର୍ଗଙ୍କୁ ପରମାଣୁ ବୋମା ନିର୍ମାଣ କରୁଥିବା ମାନହାଟନ୍ ଯୋଜନାରେ ଏନରିକୋ ଫାର୍ମିଙ୍କ ସଙ୍ଗେ ଚିକାଗୋଠାରେ କାମ କରିବା ପାଇଁ ନିଆହେଲା ।

 

ପରମାଣୁ ବୋମା ଯୋଜନାରେ କାମ କରୁଥିବା ପଦାର୍ଥ-ବିଜ୍ଞାନବିଦ୍‍ମାନେ ପରମାଣୁ ବୋମା ପାଇଁ ବିଭାଜନଯୋଗ୍ୟ ୟୁରାନିୟମ୍‍ର ଆଇସୋଟେପ୍ ୟ-୨୩୫ ପରିବର୍ତ୍ତେ ପ୍ଲୁଟୋନିୟମ୍ ବ୍ୟବହାର କରିବେ କି ନାହିଁ ସେ ସମ୍ପର୍କରେ ଯୁକ୍ତିତର୍କ ଚଳାଇଥିଲେ । ସେତେବେଳେ ୟୁ-୨୩୫ ଅତ୍ୟନ୍ତ ବିରଳ । ପ୍ଲୁଟୋନିୟମ ଉତ୍ପାଦନ କରାଯାଇପାରିବ କି ? ଏହାର ରାସାୟନିକ ଭାଗଗୁଡ଼ିକୁ ନିର୍ଦ୍ଦିଷ୍ଟ କରିଦିଆଯାଇ ପାରିବ କି ? ୟୁରାନିୟମଠାରୁ ଏହାକୁ ଅଲଗା କରିଦେବାପାଇଁ କୌଣସି ବାସ୍ତବ ପନ୍ଥା ବାହାର କରାଯାଇପାରିବ କି ? ଏହି ସବୁ ବିରାଟ ସମସ୍ୟାମାନ ନେଇ ଯୁକ୍ତିତର୍କ ଚାଲିଥାଏ । ମାତ୍ର ସିବର୍ଗ ବିନାଦ୍ଵିଧାରେ ଘୋଷଣା କଲେ ଯେ-ହଁ ଏହା କରାଯାଇପାରିବ । ଏହା କହିବାବେଳେ ସେ ଜାଣିଥିଲେ, ଏତେ ଅଳ୍ପ ପରିମାଣର ବିଶୁଦ୍ଧ ପ୍ଲୁଟୋନିୟମ ଉତ୍ପାଦନ କରାଯାଇଛି ଯେ, ତାହା ସେ ନିଜେ ମଧ୍ୟ ଖାଲି ଆଖିରେ ଦେଖିପାରିନାହାନ୍ତି । ଏହିଭଳି ଭାବରେ ଇତିହାସରେ ବିଶ୍ଵର ଅନ୍ୟତମ ସର୍ବାପେକ୍ଷା ବିସ୍ମୟକର ଗବେଷଣା ଯୋଜନାର କାମ ଆରମ୍ଭ ହେଲା ।

 

“ଅଲ୍ଟ୍ରା-ମାଇକ୍ରୋ କେମିକାଲ” ଗବେଷଣା ପାଇଁ ଏକ ସାହସିକ କାର୍ଯ୍ୟକ୍ରମ ସଂଗଠନ ସେ କରିଥିଲେ । ରାସାୟନବିଦମାନଙ୍କୁ କେତେକ ପରିମାଣ ପ୍ଲୁଟୋନିୟମ୍ ସମ୍ପର୍କରେ ଗବେଷଣା କରିବା ପାଇଁ ଦିଆଯାଇଥିଲା । ଏଗୁଡ଼ିକ ଏତେ କ୍ଷୁଦ୍ର ଯେ, ତାହା ଖାଲି ଆଖିରେ ଦେଖାଯାଇନଥିଲା । ଏହାର ପ୍ରତିକିୟା କେତେକ “ଗେଗର୍ କାଉଣ୍ଟର୍” ଯନ୍ତ୍ରଦ୍ଵାରା ଲକ୍ଷ୍ୟ କରାଯାଇପାରୁଥିଲା । ଅଧିକ ପରିମାଣ ପ୍ଲୁଟୋନିୟମ ଉତ୍ପାଦନ କରିବାପାଇଁ ‘‘ସାଇକ୍ଳୋଟ୍ରନ”ର ଉପଯୋଗ କରାଯାଇଥିଲା । ସିବର୍ଗ ଓ ତାଙ୍କ ଦଳ ବହୁ ସପ୍ତାହପରେ ମାତ୍ର କେତେ ଶହ ମାଇକ୍ରୋଗ୍ରାମ୍ ପରିମାଣର ଉପାଦାନ ସଂଗ୍ରହ ଲାଗି ସମର୍ଥ ହେଲେ । ଏହି ଉପାଦାନ ଏତେ ଅଳ୍ପ ଯେ, ଏହା ଗୋଟିଏ ଛୁଞ୍ଚିମୁନକୁ ମଧ୍ୟ ନିଅଣ୍ଟ ହେବ (ଗୋଟିଏ ମାଇକ୍ରୋଗ୍ରାମ୍ ହେଲା– ୧/୧୦୦୦୦୦୦ ଗ୍ରାମ-ଏକ ଡାଇମର ଓଜନ ସଙ୍ଗେ ସମାନ ହେବାପାଇଁ ୨ ,୫୦୦,୦୦୦ ମାଇକ୍ରୋଗ୍ରାମ୍ ଦରକାର ହେବ) । ସିବର୍ଗଙ୍କ ନିର୍ଦ୍ଦେଶରେ ରାସାୟନିକବିଦ୍‍ମାନେ ଶକ୍ତିଶାଳୀ ଅଣୁବୀକ୍ଷଣଯନ୍ତ୍ର, କ୍ଷୁଦ୍ର ସରୁ ଚୁମୁଟା, କାଚକୁଂପି ଓ ଛୋଟ ଚୁଲ୍ଲୀ ପ୍ରଭୃତି ବ୍ୟବହାର କରି ପରୀକ୍ଷା ଚଳାଇଲେ । ଅଣୁ ରସାୟନ ବିଜ୍ଞାନରେ ଯାହାକୁ ଷ୍ଟାଣ୍ଡାର୍ଡ଼୍ ଆକାର ବୋଲି ଧରାଯାଇଛି ତା’ ଅପେକ୍ଷା ହଜାର ଗୁଣ କ୍ଷୁଦ୍ର ପରିମାଣ ଉପାଦନକୁ ସେମାନେ ପରୀକ୍ଷା କରିଥିଲେ । ଏକ ଆଉନ୍ସ ବିଶୁଦ୍ଧ ପ୍ଲୁଟୋନିୟମ୍ ମିଳିବାର ବହୁ ପୂର୍ବରୁ ଏହି ନୂତନ ଉପାଦାନ ବିଷୟରେ ସେମାନେ କେତେକ ଗୁରୁତ୍ଵପୂର୍ଣ୍ଣ ଜ୍ଞାନ ହାସଲ କରିଥିଲେ ।

 

ସାଇକ୍ଲୋଟ୍ରନର ଘୂର୍ଣ୍ଣନ ଚାଲିଲା ଏବଂ ଏ ବିଷୟରେ ନୂଆ ନୂଆ ଜ୍ଞାନର ସନ୍ଧାନ ମିଳିଲା । ପ୍ଲୁଟୋନିୟମର ମାଇକ୍ରୋଗ୍ରାମରୁ ସିବର୍ଗ ଓ ତାଙ୍କ ଦଳ ତେଜସ୍କ୍ରିୟ ଶକ୍ତିର ଯେଉଁ ଅଂଶ କିଛି କାମରେ ଲାଗୁନାହିଁ ସେଥିରୁ କିପରି ଅଧିକ ପରିମାଣରେ ଏହା ବାହାର କରିପାରିବେ ତାହା ଜାଣିଲେ । ୧୯୪୨ ସାଲ ଶେଷ ଭାଗରେ ୫୦୦ମାଇକ୍ରୋଗ୍ରାମ୍ ବିଶୁଦ୍ଧ ପ୍ଲୁଟୋନିୟମ ଉତ୍ପାଦନ କରାଯାଇପାରିଥିଲା । କିନ୍ତୁ ଏହାର ଦୁଇବର୍ଷ ପରେ ୧୯୪୪ର ଶେଷଭାଗକୁ ଏହି ମୂଲ୍ୟବାନ ଉପାଦାନ ଏତେ ପରିମାଣରେ ଉତ୍ପାଦିତ ହେଲା ଯେ ଏହାକୁ ଉଠାଇବାପାଇଁ କ୍ରେନ୍ ଦରକାର ହେଲା ଏବଂ ଟନ୍ ହିସାବରେ ଏହାକୁ ଓଜନ କରାଗଲା । ୧୯୪୫ ସାଲରେ ଜାପାନରେ ଯେଉଁ ପରମାଣୁ ବୋମା ବିସ୍ଫୋରଣ କରାଗଲା ତାହା ପ୍ଲୁଟୋନିୟମ ଦ୍ଵାରା ହିଁ ନିର୍ମିତ ହୋଇଥିଲା ।

 

ସିବର୍ଗ ଓ ତାଙ୍କ ସହକର୍ମୀମାନେ ଆଉ ଦୁଇଟା ଅଧିକ ଉପାଦାନ ଉଦ୍ଭାବନ କଲେ । ଏ ଦୁଇଟି ହେଲା–୯୫ ଓ ୯୬ ନମ୍ବର ଉପାଦାନ । ୟୁରାନିୟମ-୨୩୮କୁ ଆଲ୍ଫା କ୍ଷୁଦ୍ର ଅଣୁଦ୍ଵାରା ଭାଙ୍ଗି ୯୫ ନମ୍ବର ଉପାଦାନ ଓ ପ୍ଲୁଟୋନିୟମକୁ ଭାଙ୍ଗି ୯୬ ନମ୍ବର ଉପାଦାନ ସେ ଉଦ୍ଭାବନ କରିଥିଲେ । ଆଉ ଗ୍ରହର ନାମ ନଦେଇ ସିବର୍ଗ ତାଙ୍କ ନିଜ ଦେଶର ନାମ ଅନୁସାରେ ୯୫ ନମ୍ବର ଉପାଦାନର ନାମ ଦେଇଥିଲେ “ଆମେରିସିୟମ୍” ଓ ୯୬ ନମ୍ବର ଉପାଦାନର ନାମ ୧୯୫୦ ସାଲରେ ରେଡ଼ିଅମ୍ ଆବିଷ୍କାର କରିଥିବା ମାଡ଼ାମ୍ କ୍ୟୁରିଙ୍କ ନାମାନୁସାରେ “କ୍ୟୁରିଅମ୍” ଦେଲେ-

 

୧୯୪୬ ମାର୍ଚ୍ଚ ମାସରେ ସିବର୍ଗ ବର୍କଲେକୁ ଫେରି ଆସିଲେ ଏବଂ ତାଙ୍କ ସହକର୍ମୀଙ୍କ ସହଯୋଗରେ ପୁଣି ନୂତନ ଉପାଦାନ ସୃଷ୍ଟି କରିବାରେ ଲାଗିପଡ଼ିଲେ । ୧୯୪୯ ସାଲ ଭିତରେ ୯୭ ନମ୍ବର ଉପାଦାନ “ବର୍କେଲିୟମ” ସୃଷ୍ଟି ହେଲା । ତାଙ୍କ କଲେଜ ଅବସ୍ଥିତ ଥିବା ସହର ଅନୁଯାୟୀ ଏହା ନାମିତ ହେଲା । ୧୯୫୦ରେ ୯୮ନମ୍ବର ଉପାଦାନ-”କାଲିଫର୍ଣ୍ଣିୟମ୍” ଉଦ୍ଭାବିତ ହେଲା । ୧୯୫୨ରେ ୯୯ ନମ୍ବର ଉପାଦାନ “ଆଇନଷ୍ଟେନିୟମ୍” ଏବଂ ୧୯୫୩ରେ ୧୦୦ ନମ୍ବର ଉପାଦାନ “ଫାର୍ମିୟମ୍” (ଏନ୍ରିକୋ ଫାର୍ମିଙ୍କ ନାମାନୁସାରେ) ବାହାରିଲା । ତା’ପରେ ୧୯୫୫ ମସିହାରେ ସେ ୧୦୧ ନମ୍ବର ଉପାଦାନ “ମେଣ୍ଡେଲିଭିଅମ୍” (ଋଷ୍‍ ରସାୟନବିଦ୍ ଡ଼ି ମେଣ୍ଡେଲିଭଙ୍କ ନାମାନୁସାରେ) ଓ ୧୯୫୮ରେ ୧୦୨ ନମ୍ବର ଉପାଦାନ “ନୋବେଲିଅମ୍” ଆବିଷ୍କାର କଲେ ।

 

ସିବର୍ଗ ଓ ତାଙ୍କ ସହକର୍ମୀମାନେ ମଧ୍ୟ ୟୁରାନିୟମ୍ ୟୁ-୨୩୩ର ଗୋଟିଏ ନୂଆ ଆଇସୋଟେପ୍ ସୃଷ୍ଟି କରିଥିଲେ । “ଥୋରିୟମ” (୯୦ ନମ୍ବର ଉପାଦାନ)କୁ ନ୍ୟୁଟ୍ରନ୍ ଦ୍ଵାରା ଫଟାଇ ସେମାନେ ଏହା ତିଆରି କରିଥିଲେ । ୟୁରାନିୟମ୍ ଅପେକ୍ଷା ଥୋରିୟମ ଯଥେଷ୍ଟ ପରିମାଣରେ ପ୍ରକୃତିରୁ ମିଳୁଥିବାରୁ ଏହା ପରମାଣୁ ଶକ୍ତିର ଆଉ ଏକ ନିର୍ଭରଯୋଗ୍ୟ ସମ୍ବଳ ବୋଲି ଜଣାପଡ଼ିଥିଲା ।

 

୧୯୫୧ ସାଲରେ ପରମାଣୁ କେନ୍ଦ୍ରଭୂମିର ଆକାର ପରିବର୍ତ୍ତନ ସମ୍ପର୍କରେ ପଥପ୍ରଦର୍ଶକର କାମ କରିଥିବାରୁ ଡଃ ସିବର୍ଗ ଓ ଡଃ ମାକ୍‍ମିଲନଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ପରମାଣୁ ଇନ୍ଧନର ବିକାଶଦିଗରେ ଅବଦାନ ଯୋଗୁଁ ୧୯୫୯ରେ ସିବର୍ଗ ଯୁକ୍ତରାଷ୍ଟ୍ରର ପରମାଣୁ ଶକ୍ତି କମିଶନଙ୍କ ପ୍ରଦତ୍ତ ଏନ୍ରିକ୍ ଫାର୍ମି ପୁରସ୍କାର ଲାଭ କରିଥିଲେ । ୧୯୫୮ରୁ ୧୯୬୧ ପର୍ଯ୍ୟନ୍ତ ସେ ବର୍କଲେଠାରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ କାର୍ଯ୍ୟ କରିଥିଲେ ।

 

ଡଃ ସିବର୍ଗଙ୍କ ବିଶ୍ଵାସ ଯେ, ଶିଳ୍ପ କାରଖାନାମାନଙ୍କ ପାଇଁ ଦରକାର ହେଉଥିବା ବହୁପରିମାଣର ଶକ୍ତି ଉତ୍ପାଦନ ନିମନ୍ତେ ପ୍ଲୁଟୋନିୟମ ବ୍ୟବହାର କରାଯିବ । ଏହି ଶକ୍ତି ଭବିଷ୍ୟତରେ ପୃଥିବୀରେ ସର୍ବତ୍ର ଦରକାର ହେବ । ୧୯୬୧ ଅକ୍ଟୋବର ମାସରେ ସେ ଭବିଷ୍ୟତବାଣୀ ଶୁଣାଇ କହିଲେ ଯେ, ମନୁଷ୍ୟ ସୁଦୂରବର୍ତ୍ତୀ ଗ୍ରହରେ ଭ୍ରମଣ କଲାବେଳେ ପରମାଣୁ ଶକ୍ତିହିଁ ଇନ୍ଧନ ଭାବରେ ବ୍ୟବହୃତ ହେବ ।

 

ନମ୍ରତା ଓ ବନ୍ଧୁଭାବ ସିବର୍ଗଙ୍କ ଚରିତ୍ରର ବୈଶିଷ୍ଟ୍ୟ । ସେ ଖୁବ୍ ଧୀରେ ଧୀରେ କଥା କହନ୍ତି । “କୁହାଳିଆ ଲୋକ” ଭାବରେ ନୁହେଁ ଜଣେ ‘‘କାମିକା ଲୋକ’ ଭାବରେ ସେ ପରିଚିତ । କିନ୍ତୁ ସେ ଯେତେବେଳେ କୌଣସି ବିଷୟରେ କଥାବାର୍ତ୍ତା କରନ୍ତି ତାହା ଏପରି ଆକର୍ଷଣକ୍ଷମ ଯେ ଯେକୌଣସି ବ୍ୟକ୍ତି ନିଶ୍ଚୟ ଖୁବ୍ ମନଯୋଗ ସହକାରେ ତାହା ଶୁଣିବ । ସେ କହନ୍ତି ଯେ, ଯେଉଁମାନଙ୍କର ‘‘ଜିଜ୍ଞାସୁ ମନୋବୃତ୍ତି ରହିଛି” ସେହିଭଳି ଲୋକଙ୍କ ଭିତରୁ ଶ୍ରେଷ୍ଠ ଆବିଷ୍କାରକ ବାହାରିଛନ୍ତି । ଏହି ଜିଜ୍ଞାସୁ ମନୋବୃତ୍ତିକୁ ‘‘ମାନବ ଜାତିର ଶ୍ରେଷ୍ଠଗୁଣ” ବୋଲି କୁହାଯାଇପାରେ ।

Image

 

ବିଜ୍ଞାନର କୁମ୍ଭୀର

-ପିଟର୍ ଲିଓନିଡ଼େଭିସ କପିସା

 

ଆଧୁନିକ ସୋଭିଏତ୍‍ ବିଜ୍ଞାନ ସମ୍ପର୍କୀୟ ଯେକୌଣସି ଆଲୋଚନା ସହିତ ପିଟର୍ ଲିଓନିଡ଼େଭିସ୍ କପିସାଙ୍କ ନାମ ଅଭିନ୍ନ ଓ ଅବିଚ୍ଛେଦ୍ୟ । ଏହି ପ୍ରତିଭାଶାଳୀ ବୈଜ୍ଞାନିକ ଜଣେ ଅଦ୍ଭୁତ ତାତ୍ତ୍ୱିକ ପଦାର୍ଥ-ବିଜ୍ଞାନବିଦ୍ ଭାବରେ ସୁପରିଚିତ । ତାଙ୍କୁ କେନ୍ଦ୍ର କରି କେତେକ ବାଦନୁବାଦ ମଧ୍ୟ ଚାଲିଛି । ତାଙ୍କ ସକାଶେ ସୋଭିଏତ୍‍ ଋଷରେ ହାଇଡ୍ରୋଜେନ୍‍ ବୋମାର ଉଦ୍ଭାବନ ସମ୍ଭବ ହୋଇଛି । ଋଷର ରକେଟକୁ ମହାଶୂନ୍ୟକୁ ପ୍ରେରଣ କରିବାରେ ସେ ସାହାଯ୍ୟ କରିଛନ୍ତି ଏବଂ ବିଜ୍ଞାନରେ ଏକ ନୂଆ ଶାଖା “କ୍ରିଓଜେନିକ୍ସ”ରେ ସେ ହେଉଛନ୍ତି ଅଗ୍ରଣୀ । ଅତ୍ୟନ୍ତ ନିମ୍ନ ଉତ୍ତାପରେ ବିଭିନ୍ନ ପଦାର୍ଥର ଅଧ୍ୟୟନକୁ “କ୍ରିଓଜେନିକ୍ସ” କୁହାଯାଏ ।

 

କପିସାଙ୍କ ମୁଖମଣ୍ଡଳ ପ୍ରଶାନ୍ତ ଓ ପ୍ରୀତିକର । ସେ ଇଂରେଜମାନଙ୍କ ଭଳି ପୋଷାକ ପିନ୍ଧନ୍ତି । ଇଂରେଜମାନଙ୍କ ଭଳି ବାସଗୃହରେ ରହନ୍ତି । ସେ କନାଟୋପି ପିନ୍ଧନ୍ତି ଓ ପାଇପରେ ଧୂମପାନ କରନ୍ତି । ତାଙ୍କର ବନ୍ଧୁମାନେ କହନ୍ତି, “ତାଙ୍କର ଗୋଟିଏ ପାଦ ପାଶ୍ଚାତ୍ୟ ଦେଶରେ ଅଛି”-। ମାତ୍ର ସୋଭିଏତ୍‍ ଋଷର ସାମରିକ ଓ ଶିଳ୍ପ ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ-। ସୋଭିଏତ୍‍ ଋଷର ଦୁଇଟି ସର୍ବୋଚ୍ଚ ସମ୍ମାନ-ଷ୍ଟାଲିନ୍ ପ୍ରାଇଜ୍ ଓ ଅର୍ଡ଼ର ଅଫ୍ ଲେନିନ୍ ସେ ପାଇଛନ୍ତି । ତଥାପି ସେ ଏପରି ସ୍ଵାଧୀନଚେତା ଯେ, ଷ୍ଟାଲିନଙ୍କ ଆଦେଶ ଅନୁସାରେ କାମ କରିବାପାଇଁ ଅସ୍ଵୀକାର କରିସେ ସାତବର୍ଷ କାଳ “ଗୃହବନ୍ଦୀ” ହୋଇ ରହିଥିଲେ ।

 

ପିଟର୍ କପିସା ୧୮୯୪ ସାଲରେ ଋଷର କ୍ରୋନଷ୍ଟାଟଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଜାର୍‍ଙ୍କ ସୈନ୍ୟବାହିନୀରେ ଜଣେ ସେନାପତି ଥିଲେ । ଜାର୍ ଶାସିତ ‘ଋଷରେ ସେ ପ୍ରାଥମିକ ଶିକ୍ଷାଲାଭ କରିଥିଲେ । ୧୯୧୭ ସାଲରେ କମ୍ୟୁନିଷ୍ଟ ଦଳ ଯେତେବେଳେ କ୍ଷମତା ହାସଲ କଲେ ସେତେବେଳେକୁ ସେ ପେଟ୍ରୋଗ୍ରାଡ଼୍ ପଲିଟେକନିକ୍ ଅନୁଷ୍ଠାନରେ ପଦାର୍ଥ ବିଜ୍ଞାନ ଅଧ୍ୟୟନ କରୁଥିଲେ । ଏହି ବିପ୍ଲବ ପରେ ପରେ ଯେଉଁ ଭୀଷଣ ଦୁର୍ଭିକ୍ଷ ପଡ଼ିଲା, ସେଥିରେ ତାଙ୍କର ଯୁବତୀ ସ୍ତ୍ରୀ ଓ ପିଲା ଖାଇବାକୁ ନପାଇ ୧୯୧୯ରେ ମରିଯାଇଥିଲେ । ସେହି ବର୍ଷ ସେ ଗ୍ରାଜୁଏଟ୍ ହେଲେ ।

 

କମ୍ୟୁନିଷ୍ଟଙ୍କ ଶାସନାଧୀନରେ ରହିବାକୁ ଚାହାନ୍ତି ନାହିଁ ବୋଲି କହି ସେ ଇଂଲଣ୍ଡ ଚାଲିଯାଇଥିଲେ ଏବଂ ୧୯୨୧ରେ ଅକ୍ସଫୋର୍ଡ଼ଠାରେ କ୍ଳାଭେଣ୍ଡିସ ଅନୁଷ୍ଠାନରେ ବିଖ୍ୟାତ ବୈଜ୍ଞାନିକ ସାର୍ ଅର୍ଣ୍ଣେଷ୍ଟ ରଦରଫୋର୍ଡ଼ଙ୍କ ଅଧୀନରେ ରହି ପଦାର୍ଥ ବିଜ୍ଞାନ ଅଧ୍ୟୟନ କରିଥିଲେ । ଏହି ଅଯତ୍ନବର୍ଦ୍ଧିତକେଶ ଓ ସହାସବଦନ ବୈଜ୍ଞାନିକ କପିସା ଜଣେ ପ୍ରତିଭାଶାଳୀ ଓ କଠିନ ପରିଶ୍ରମୀ ଛାତ୍ର ଭାବରେ ଅଳ୍ପଦିନ ମଧ୍ୟରେ ତାଙ୍କର ଶିକ୍ଷକ ଏବଂ ସହପାଠୀମାନଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ରଦରଫୋର୍ଡ଼ ପରେ ତାଙ୍କ ବିଷୟରେ କହିଥିଲେ-”ତାଙ୍କର ପଦାର୍ଥ ବିଜ୍ଞାନରେ ମନ ଥଲା ଓ କାରୀଗରିରେ ଦକ୍ଷତା ଥିଲା” ।

 

ପରମାଣୁର କ୍ଷୁଦ୍ରତମ ଅଣୁର ଚୁମ୍ବକୀୟ ଗୁଣ ଅଧ୍ୟୟନ କ୍ଷେତ୍ରରେ ତାଙ୍କର କୃତୀ ଏତେ ଉଚ୍ଚକୋଟୀର ବୋଲି ବିବେଚିତ ହୋଇଥିଲା ଯେ, ୧୯୨୯ ମସିହାରେ ସେ ବ୍ରିଟେନର ଅନ୍ୟତମ ଶ୍ରେଷ୍ଠ ସମ୍ମାନ-ରୟଲ ସୋସାଇଟି ସଭ୍ୟପଦ ଲାଭ କରିଥିଲେ । ବିଗତ ୨୦୦ ବର୍ଷ ଭିତରେ କପିସାଙ୍କ ଛଡ଼ା ବ୍ରିଟେନର ଏହି ସମ୍ମାନ ଅନ୍ୟ କୌଣସି ବିଦେଶୀ ବ୍ୟକ୍ତି ଲାଭ କରିନାହାନ୍ତି । ୧୯୩୦ ରେ ତରଳ ହିଲିୟମର ବିଭିନ୍ନ ଧର୍ମ ବା ଗୁଣ ବିଷୟରେ ଗବେଷଣା କରିବା ନିମନ୍ତେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ଗବେଷଣାଗାର ନିର୍ମାଣ କରିବାକୁ ସୋସାଇଟି କାମ୍ବ୍ରିଜକୁ ଅର୍ଥଦାନ କରିଥିଲେ ।

 

ତାଙ୍କ ଗବେଷଣାଗାରର କାନ୍ଥରେ ଏକ କୁମ୍ଭୀରର ବିରାଟ ଚିତ୍ର ଅଙ୍କିତ ହୋଇଥିବାର ଦେଖି ଦର୍ଶକମାନେ ବିସ୍ମିତ ହୋଇଥାନ୍ତି । କପିସା ଏହାର କାରଣ ବୁଝାଇ କହନ୍ତି-”ଏହା ବିଜ୍ଞାନର କୁମ୍ଭୀର । ସବୁବେଳେ ପାଟି ଆଁ କରିଏହା ବୁଲୁଥାଏ ଏବଂ ସବୁବେଳେ ଏହା ଆଗକୁ ଆଗକୁ ଗତିକରେ । ପଛକୁ କେବେ ହେଲେ ମୁହଁ ଫେରାଏ ନାହିଁ ।”

 

କପିସାଙ୍କର ଋଷ ଯିବା ପାଇଁ ଗୋଟିଏ ପାସପୋର୍ଟ ଥିଲା ଏବଂ ସେ ଅନେକ ସମୟରେ ସୋଭିଏତ୍‍ ଋଷକୁ ଯାଉଥିଲେ । ସେଠାରେ ସେ ବକ୍ତୃତା ଦେଇଥିଲେ ଓ ବୈଜ୍ଞାନିକ ସମ୍ମିଳନୀମାନଙ୍କରେ ଯୋଗ ଦେଇଥିଲେ । ଏହିପରି ଥରେ ୧୯୩୪ରେ ଋଷ ଯାଇଥିବା ବେଳେ ସୋଭିଏତ୍‍ ସରକାର ଘୋଷଣା କଲେ ଯେ, ତାଙ୍କଠାରୁ ପାସପୋର୍ଟ ପ୍ରତ୍ୟାହାର କରିନିଆଯିବ । ତାଙ୍କୁ ସେଠାରେ ରହିବାକୁ ବାଧ୍ୟ କରାଯାଇଥିଲା କି ନାହିଁ ତାହା କେବେହେଲେ କୁହାଯାଇ ନାହିଁ । କିନ୍ତୁ ୧୯୩୪ରୁ ସେ ସୋଭିଏତ୍‍ ଋଷରୁ ଆଉ ଅନ୍ୟ କେଉଁଠିକୁ ଯାଇନାହାନ୍ତି ।

 

ମସ୍କୋଠାରେ ଅବସ୍ଥିତ ବିଜ୍ଞାନ ଏକାଡ଼େମୀର ପଦାର୍ଥ ବିଜ୍ଞାନ ସମ୍ପର୍କୀୟ ସମସ୍ୟାମାନଙ୍କର ଗବେଷଣା ନିମନ୍ତେ ପ୍ରତିଷ୍ଠା କରାଯାଇଥିବା ନୂତନ ଅନୁଷ୍ଠାନରେ କପିସା ଡିରେକ୍ଟରଭାବରେ ନିଯୁକ୍ତ ହୋଇଥିଲେ । କପିସାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ସ୍ଵରୁପ କେମ୍ବ୍ରିଜ୍ ତାଙ୍କ ଗବେଷଣାଗାରଟିକୁ ସୋଭିଏତ୍‍ ଋଷକୁ ବିକ୍ରି କରିଦେବା ପାଇଁ ରାଜି ହୋଇଥିଲେ । ଏହା ଜାହାଜ ଯୋଗେ ମସ୍କୋ ପଠାଇ ଦିଆଯାଇଥିଲା । କାରଣ ତା’ ଦ୍ଵାରା କପିସାଙ୍କ ପକ୍ଷରେ ଗବେଷଣା ଚଳାଇବା ପାଇଁ ସୁବିଧା ହେବ । ଏହାର ଅଳ୍ପଦିନ ପରେ ହିଲିୟମର ଗୁଣ ବିଷୟରେ ତାଙ୍କ ଅନୁସନ୍ଧାନରୁ ଯେଉଁ ତଥ୍ୟ ପ୍ରକାଶ ପାଇଲା ସେଥିରେ ସମଗ୍ର ବିଶ୍ୱରେ ସେ ଖ୍ୟାତି ଅର୍ଜନ କରିଥିଲେ ।

 

୧୯୦୮ ସାଲରେ ଡଚ୍ ବୈଜ୍ଞାନିକ ହିକେ କାମରଲିଙ୍ଗ ଓନସ୍ ଯେତେବେଳେ ପ୍ରଥମେ ତରଳ ହିଲିୟମ୍ ଉତ୍ପାଦନ କଲେ ସେତେବେଳେ ପଦାର୍ଥ ବିଜ୍ଞାନର ଏକ ପ୍ରଧାନ ସମସ୍ୟାର ସମାଧାନ ବାଟ ଫିଟିଯାଇଥିଲା । ଏହା ଫଳରେ ନିମ୍ନ ଉତ୍ତାପରେ ପଦାର୍ଥର ଗତି ବିଧି ସମ୍ବନ୍ଧରେ ବହୁ ନୂଆ ନୂଆ ଉଦ୍ଭାବନ ସମ୍ଭବ ହୋଇଥିଲା । ୧୯୧୩ରେ ପୂର୍ବରୁ ପ୍ରତିଷ୍ଠିତ ପୁରାତନ ପଦାର୍ଥ ବିଜ୍ଞାନବିଦ୍‍ମାନେ କହିଥିଲେ ଯେ, ନିମ୍ନତମ ଉତ୍ତାପରେ “ଆବସଲିଉଟ୍ ଜିରୋ” ବା ସମ୍ପୂର୍ଣ୍ଣ ଶୂନ୍ୟ (-୨୭୩° ସେଣ୍ଟିଗ୍ରେଡ୍ ବା–୪୫୯.୬୭° ଫାରେନ୍‍ହିଟ୍‍) ସମସ୍ତ ପଦାର୍ଥ ଘନୀଭୂତ ହୋଇଯିବ ଏବଂ ତା’ର “ମଲିକ୍ୟୁଲ୍ସ” ନିଜ ନିଜ ସ୍ଥାନରେ ସ୍ଥିର ହୋଇ ରହିଯିବ ।

 

ଦେଖାଗଲା ଯେ, ହିଲିୟମ କ୍ଷେତ୍ରରେ ଏହି ନିୟମ କାର୍ଯ୍ୟକାରୀ ହୋଇପାରୁନାହଁ । ଏହା ଘନୀଭୁତ ହେଉନାହିଁ । ଅନ୍ୟ ସମସ୍ତ ବାଷ୍ପପରି ଏହା ନିମ୍ନତା’ପରେ ତରଳିଯାଏ । କିନ୍ତୁ ହିଲିୟମ ୪.୨° ପୂର୍ଣ୍ଣ–୨୬୮.୯ ସେଣ୍ଟିଗ୍ରଡ଼୍ ଭିତରେ ଉତ୍ତପ ନହେଲେ ଘନୀଭୂତ ହେଉନାହିଁ । ଏହା ପୂର୍ବରୁ ଅନ୍ୟାନ୍ୟ ସମସ୍ତ ଉପାଦାନ ଘନୀଭୂତ ହୋଇଯାଇଥିବ । କିନ୍ତୁ ବୈଜ୍ଞାନିକମାନେ ସମ୍ପୂର୍ଣ୍ଣ ଶୂନ୍ୟର ନିକଟବର୍ତ୍ତୀ ଯେତିକି ଉତ୍ତାପରେ ଗବେଷଣାଗାରରେ ପରୀକ୍ଷା କରିବା ପାଇଁ ସମର୍ଥ ହୋଇଛନ୍ତି ସେଥିରେ ହିଲିୟମ ତରଳ ଅବସ୍ଥାରେ ରହୁଛି । ଘନ ପଦାର୍ଥରେ ପରିଣତ ହେବା ଦୂରେଥାଉ ଉତ୍ତାପ କମିଗଲେ ଏବଂ ସମ୍ପୂର୍ଣ୍ଣ ଶୂନ୍ୟ ଉତ୍ତାପରେ ଏହା ଅଧିକ ତରଳ ହୋଇଯାଉଛି । ସମ୍ପୂର୍ଣ୍ଣ ଶୂନ୍ୟ ଉତ୍ତାପର ଠିକ୍ ନିକଟବର୍ତ୍ତୀ ଅବସ୍ଥାରେ ଏହା ଗ୍ୟାସ ଭଳି କାମ କରୁଛି ।

 

ହିଲିୟମର ଏଭଳି ଅଦ୍ଭୁତ ପ୍ରକାର ଗତିର ଅର୍ଥ ହେଉଛି, ହୁଏତ ଅନ୍ୟାନ୍ୟ ପ୍ରତିଷ୍ଠିତ ପଦାର୍ଥମାନଙ୍କ ଛଡ଼ା ହିଲିୟମ୍ ପଦାର୍ଥ-ବିଜ୍ଞାନର ନିୟମ ଅନୁସାରେ କାମ କରୁଛି । ପଦାର୍ଥ-ବିଜ୍ଞାନର ଅନ୍ୟ ପ୍ରକାର ନିୟମ ଅନୁସାରେ ଏହାର ଗୁଣର ଅସ୍ଵାଭାବିକତା ମଧ୍ୟ ପ୍ରତିପାଦନ କରାଯାଇପାରେ । ଆଧୁନିକ ପଦାର୍ଥ ବିଜ୍ଞାନରେ ସେହି ନିୟମକୁ “କ୍ଵାଣ୍ଟମ୍ ମେକାନିକ୍ସ” ବା “ମାଇକ୍ରୋ ମେକାନିକ୍ସ”ବୋଲି କୁହାଯାଉଛି । ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖାଯାଉଥିବା ଜିନିଷ ଅପେକ୍ଷା ଅଣୁର ଅଧିକ କ୍ଷୁଦ୍ରତର କଣିକା ସମ୍ବନ୍ଧରେ ଜ୍ଞାନ ହାସଲ କରିବାପାଇଁ ଆଧୁନିକ ପଦାର୍ଥ ବିଜ୍ଞାନରେ ଯେଉଁସବୁ ତଥ୍ୟ ଉଭାବନ କରାଯାଇଛି ତାକୁଇ “କ୍ଵାଣ୍ଟମ୍ ମେକାନିକ୍ସ” ବା “ମାଇକ୍ରୋ ମେକାନିକ୍ସ” ବୋଲି କୁହାଯାଏ ।

 

୧୯୧୩ ସାଲ ପରେ କ୍ଵାଣ୍ଟମ୍ ତଥ୍ୟ ବିକାଶ ଲାଭ କରିଥିଲା । ସେହିବର୍ଷ ଡେନମାର୍କ ଅଧିବାସୀ ପ୍ରତିଭାଶାଳୀ ପଦାର୍ଥ ବିଜ୍ଞାନବିଦ୍ ନେଲସ୍ ବୋଲର ପରୀକ୍ଷା କରିଦେଖାଇ ଦେଇଥିଲେ ଯେ, ଆମ ପୃଥିବୀର ନିତ୍ୟ ପରିଚିତ ପଦାର୍ଥ ପ୍ରତି ଯେଉଁ ନିୟମ ପ୍ରଯୁଜ୍ୟ ପରମାଣୁ ସମ୍ପର୍କୀୟ ତଥ୍ୟ ପ୍ରତି ସେହି ନିୟମ ପ୍ରଯୁଜ୍ୟ ନହୋଇ ଅନ୍ୟ ନିୟମ ପ୍ରଯୁଜ୍ୟ ହେବ । କ୍ଵାଣ୍ଟମ୍ ମେକାନିକସ ବା ତଥ୍ୟରେ ସମ୍ପୂର୍ଣ୍ଣ ଶୂନ୍ୟ ଉତ୍ତାପରେ ଅଣୁର ଗତି ରହିଥାଏ ।

 

ସମସ୍ତ ପଦାର୍ଥ କ୍ୱାଣ୍ଟମ୍ ନିୟମ ଅନୁସାରେ କାମ କରିଥାନ୍ତି । କିନ୍ତୁ ସାଧାରଣ ଉତ୍ତାପରେ ମଲିକ୍ୟୁଲ୍ସର ସାମୟିକ ଉତ୍ତାପ ଗତିରେ ଏହାର ଏହି ଗୁଣ ଲୁଚି ରହିଯାଇଥାଏ । କେବଳ ସମ୍ପୂର୍ଣ୍ଣ ଶୂନ୍ୟ ଉତ୍ତାପରେ କ୍ଵାଣ୍ଟମ୍ ଗୁଣ ଜଣାପଡ଼େ-କିନ୍ତୁ ଏହାଛଡ଼ା ଅନ୍ୟ ସମସ୍ତ ପଦାର୍ଥ ଉତ୍ତାପର ଏହି ଅବସ୍ଥାରେ ଘନୀଭୂତ ହୋଇ କଠିନ ହୋଇଯାଏ । ତେଣୁ ହିଲିଅମ୍ ହେଲା ଆମର ଏକମାତ୍ର କ୍ଵାଣ୍ଟମ୍ ତରଳ ପଦାର୍ଥ । କ୍ୱାଣ୍ଟମ୍ ନିୟମ ବା ସୂତ୍ରକୁ ପରୀକ୍ଷା କରିଆଖିରେ ଦେଖିବା ପାଇଁ ଏହା ହେଲା ଏକମାତ୍ର ଉପାଦାନ ।

 

ମସ୍କୋଠାରେ ୧୯୩୭ ସାଲରେ ତାଙ୍କର ସର୍ବାପେକ୍ଷା ଉଲ୍ଲେଖଯୋଗ୍ୟ ଆବିଷ୍କାର ପ୍ରକାଶ ପାଇଥିଲା-ତାହାହେଉଛି ତରଳ ହିଲିୟମର “ଫ୍ଲୁଇଡ଼ିଟି” ବା ଦ୍ରବଣ । ତା’ ପୂର୍ବବର୍ଷ ଓନେସ୍ ଦର୍ଶାଇଥିଲେ ଯେ, ତରଳ ହିଲିୟମ୍ ହେଲା “ସୁପର କଣ୍ଡକ୍ଟିଭ୍” ଅର୍ଥାତ୍ ବୈଦ୍ୟୁତିକ ପ୍ରବାହକୁ ପ୍ରତିରୋଧ କରିବାଭଳି ଶକ୍ତି । ତେଣୁ କାର୍ଯ୍ୟତଃ ଏହାର ଶକ୍ତି ନାହିଁ । ତା’ପରେ ୧୯୩୫ରେ ଦୁଇଜଣ ଡଚ୍ ବୈଜ୍ଞାନିକ ଡବ୍ଲ୍ୟୁ.ଏଚ୍.ଏ.ପି. କିସମ୍ ଜାଣିପାରିଥିଲେ ଯେ ଉତ୍ତାପର ପ୍ରତିରୋଧ କଲାଭଳି ଏହାର ଅଦ୍ଭୁତ ଶକ୍ତି ରହିଛି । ଏ ବିଷୟରେ ତମ୍ବା ଅପେକ୍ଷା ଏହା ୨୦୦ ଗୁଣ ଅଧିକ କାର୍ଯ୍ୟକ୍ଷମ ।

 

କପିସା ବିଶ୍ୱାସ କରିଥିଲେ ଯେ, ତରଳପଦାର୍ଥ ଭିତରେ ଗତି ବା ସ୍ପନ୍ଦନ ଥିବା ଯୋଗୁ ଏହାର ଏଭଳି ଅସ୍ୱାଭାବିକ ଉତ୍ତାପ ପରିବାହକତା ବା ଉତ୍ତାପ ପରିବହନ କରିବାର ଶକ୍ତି ରହିଥିବା ନିଶ୍ଚିତ । ସାମୟିକ ଗତି ବନ୍ଦ ହୋଇଗଲେ ମଲିକ୍ୟୁଲ୍ସ ଭିତରେ କାର୍ଯ୍ୟତଃ କୌଣସି ସମ୍ପର୍କ ହେବନାହିଁ ଏବଂ ଏହି ପଦାର୍ଥଟି ଅସାଧାରଣ ଭାବରେ ତଳ ହୋଇଯିବ ।

 

ଏହାକୁ ପରୀକ୍ଷା କରିବା ପାଇଁ ଦୁଇଟି ଚିକ୍କଣ କାଚପାତ୍ରରେ ଏହାର ପ୍ରବାହକୁ ସେ ମାପି ଦେଖିଥିଲେ । ଏଥିରୁ ଜଣାଗଲା ଯେ, କାରପାତ୍ର ତଳେ ୧/୨ ମାଇକ୍ରୋନ୍ (୧/୫୦୦୦୦ ଇଞ୍ଚ) ଓସାରର ପଟୁ ବସିଯାଇଛି । ଅନ୍ୟ କୌଣସି ତରଳ ପଦାର୍ଥ ଏହି ଆକାରର କାଚପାତ୍ରର କଣା ଭିତର ଦେଇ ପ୍ରବାହିତ ହେବନାହିଁ । ମାତ୍ର ତରଳ ହିଲିୟମ୍ ସଙ୍ଗେ ସଙ୍ଗେ ଏହା ଭିତର ଦେଇ ଗତି କରିଗଲା । ବିନା ସଂଘର୍ଷରେ ପ୍ରବାହ ତଥ୍ୟକୁ ପରୀକ୍ଷା କରିଦେଖାଇ ଦେବା ଫଳରେ ସମଗ୍ର ପୃଥିବୀରେ ତାଙ୍କର ମୁଖ୍ୟାତି ବୃଦ୍ଧି ପାଇଥିଲା ।

 

ତାଙ୍କ ଗବେଷଣାଗାର ଉପଜାତ ତଥ୍ୟ ସ୍ୱରୂପ ୧୯୩୮ ମସିହାରେ କପିସା ଦିଆସିଲି ଆକାରର ଗୋଟିଏ କ୍ଷୁଦ୍ର ଟର୍ବାଇନ୍ ପ୍ରସ୍ତୁତ କରିଥିଲେ, ଯାହାକି ଅଳ୍ପ ଖର୍ଚ୍ଚରେ ତରଳ ଅକ୍ସିଜିନ୍‍ ଉତ୍ପାଦନ କରିପାରିବ । ଅଧପାଉଣ୍ତ ଓଜନର ଏହି ଯନ୍ତ୍ରଟି ଘଣ୍ଟାକୁ ୬୦ପାଉଣ୍ଡ ତରଳବାୟୁ ଉତ୍ପାଦନ କରିଥିଲା । ଅନ୍ୟାନ୍ୟ ପଦ୍ଧତିଦ୍ଵାରା ତରଳ ଅକ୍ସିଜିନ୍‍ ଉତ୍ପାଦନ କରିବାପାଇଁ ଯେତେ ଖର୍ଚ୍ଚ ହେବ ତା’ଠାରୁ ବହୁ କମ୍ ଖର୍ଚ୍ଚରେ ଏଥିରୁ ତରଳ ଅକ୍ସିଜିନ୍‍ ଉତ୍ପାଦନ କରାଯାଇ ପାରିବ । ଏହି ଆବିଷ୍କାର ଋଷର ଇସ୍ପାତ୍ ଶିଳ୍ପକୁ ବିଶେଷ ସାହାଯ୍ୟ କରିଥିଲା । କାରଣ ସାଧାରଣ ବାୟୁ ଚାପ ଅପେକ୍ଷା ତରଳ ଅକ୍ସିଜେନର ବ୍ୟବହାର ଫଳରେ ଇସ୍ପାତର ଉତ୍ପାଦନ ପରିମାଣ ୫/୬ଗୁଣ ବୃଦ୍ଧିପାଇଲା ଓ ଖର୍ଚ୍ଚ ମଧ୍ୟ ପ୍ରାୟ ତୃତୀୟାଂଶ କମିଗଲା । ୧୯୪୧ରେ କପିସା ଷ୍ଟାଲିନ୍ ପୁରସ୍କାରରେ ଭୂଷିତ ହୋଇଥିଲେ ।

 

ଯୁଦ୍ଧ ଚାଲିଥିବା ସମୟରେ ଇସ୍ପାତ୍ ଉତ୍ପାଦନ ବୃଦ୍ଧି ଓ ଋଷର ଜାତୀୟ ରାଜ୍ୟରକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାରେ କପିସା ତାଙ୍କର ପ୍ରତିଭା ବିନିଯୋଗ କରିଥିଲେ । ୧୯୪୩ରେ ତାଙ୍କୁ ଆଉଥରେ ଷ୍ଟାଲିନ୍ ପୁରସ୍କାର ଓ ଅର୍ଡ଼ର୍ ଅଫ୍ ଲେନିନ୍ ଉପାଧି ପ୍ରଦାନ କରାଯାଇଥିଲା ଏବଂ ୧୯୪୫ରେ ସେ “ସୋସାଲିଷ୍ଟ ଶ୍ରମିକଙ୍କ ବୀର” ଉପାଧି ଲାଭ କରିଥିଲେ । ଅନ୍ୟାନ୍ୟ ଦେଶରୁ ମଧ୍ୟ ସେ ପୁରସ୍କାର ଓ ଉପାଧି ପାଇଥିଲେ । ୧୯୪୨ରେ ଇଂଲଣ୍ଡର ଇଲେକ୍ଟ୍ରିକାଲ ଇଞ୍ଜିନୟରିଂ କାଉନ୍ସିଲଙ୍କଦ୍ଵାରା ପ୍ରଦତ୍ତ ଫାରାଡ଼େ ପଦକ, ୧୯୪୪ରେ ବୋଷ୍ଟନରେ ଅବସ୍ଥିତ ଆମେରିକାନ୍ ଫ୍ରାଙ୍କ୍ଲିନ୍ ଅନୁଷ୍ଠାନର ଫ୍ରାଙ୍କଲିନ୍ ପଦକ ମଧ୍ୟ ସେ ପାଇଥିଲେ । ୧୯୪୬ରେ କପିସା ଆମେରିକା ଯୁକ୍ତରାଷ୍ଟ୍ରର ଜାତୀୟ ବିଜ୍ଞାନ ଏକାଡ଼େମୀର ସଭ୍ୟ ନିର୍ବାଚିତ ହେଲେ ।

 

୧୯୪୫ ସାଲ ପ୍ରାରମ୍ଭରେ କପିସା ଆର୍ମେନିଅରେ ମହାଜାଗତିକ ରଶ୍ମି (ମହାଶୂନ୍ୟରୁ ଆସୁଥିବା ପରମାଣୁ ପ୍ରବାହ) ଅଧ୍ୟୟନ କରିବା ପାଇଁ ଋଷ ପଦାର୍ଥବିଜ୍ଞାବିଦ୍‍ମାନଙ୍କର ଏକ ଅଭିଯାନରେ ନେତୃତ୍ଵ ନେଇଥିଲେ । ସେ ୩ ଟନ୍ ଓଜନର ଏକ “ପାୱାର୍ ମାଗ୍ନେଟ୍” ବା ଶକ୍ତିଚାଳିତ ଚୁମ୍ବକ ନିର୍ମାଣ କରିଥିଲେ । ଏହାଦ୍ୱାରା ମହାଜାଗତିକ ରଶ୍ମିର ବିଭିନ୍ନ ଅଂଶକୁ ଅଲଗା ଅଲଗା କରିବା ଓ ବିଭିନ୍ନ ଉପାଦାନ ଉପରେ ଏହାର ପ୍ରଭାବ ଅଧ୍ୟୟନ କରିବା ସମ୍ଭବପର ହେଲା-। ଏହି ଅଭିଯାନରୁ ମିଳିଥିବା ଅଭିଜ୍ଞତା ସୋଭିଏତ୍‍ ଋଷରେ ପରମାଣୁ ଶକ୍ତିର ବିକାଶ ନିମନ୍ତେ ବ୍ୟବହୃତ ହୋଇଥିଲା ।

 

ଆମେରିକା ଯୁକ୍ତରାଷ୍ଟ ତାହାର ପରମାଣୁ ବୋମା ଜାପାନରେ ବିସ୍ଫୋରଣ କଲା । ସେତେବେଳକୁ ସୋଭିଏଟ୍‍ ଋଷ ଏ କ୍ଷେତ୍ରରେ ଆମେରିକାର ସମକକ୍ଷ ହେବାଲାଗି ଉଦ୍ୟମ ଚଳାଇଥିଲା । ପରମାଣୁ ବୋମା ତିଆରି କରିବା ନିମନ୍ତେ ତାଙ୍କର ସମସ୍ତ ଶକ୍ତି ନିୟୋଜିତ କରିବାପାଇଁ କପିସାଙ୍କୁ କୁହାଗଲା ଏବଂ ସେ କେଉଁ ପ୍ରକାର ଗବେଷଣା କରିବେ ସେ ନିର୍ଦ୍ଦେଶ ମଧ୍ୟ ଦିଆଗଲା ।

 

କପିସା ଏହା ପ୍ରତ୍ୟାଖ୍ୟାନ କରିଥିଲେ । ଜଣେ ବୈଜ୍ଞାନିକ ଭାବରେ କେଉଁ ବିଷୟରେ ସେ ତାଙ୍କର ଗବେଷଣା ଚଳାଇବେ ତାହା ସେ ନିଜେ ନିଷ୍ପତ୍ତି କରିବେ-ଏଇଆ ଥିଲା ତାଙ୍କର ମତ-। ତାତ୍ତ୍ଵିକ ବିଜ୍ଞାନକୁ ବ୍ୟାବହାରିକ ବିଜ୍ଞାନରୁ ଅଲଗା କରିବା ତଥା ବିଜ୍ଞାନର ସାମାଜିକ ଦିଗ ସମ୍ପର୍କରେ ତାଙ୍କର ଋଷ ସରକାରଙ୍କ ସହିତ ବହୁବାର ବିବାଦ ହୋଇଛି, ଏବଂ ବୈଜ୍ଞାନିକମାନେ ନିଜେ ଯେପରି ଚାହିଁବେ ସେହିପରି ଭାବରେ ଗବେଷଣା ଚଳାଇ; କି ସରକାର ଯେତିକି ଚାହିଁବେ ସେତିକି କରିବେ ସେ ବିଷୟରେ ମଧ୍ୟ ତାଙ୍କର ସରକାରଙ୍କ ସହିତ ମତଭେଦ ଘଟିଥିଲା-। ଏହା ଫଳରେ ପଦାର୍ଥ ବିଜ୍ଞାନ ସମସ୍ୟା ସମ୍ପର୍କୀୟ ଅନୁଷ୍ଠାନର ଡିରେକ୍ଟର ପଦରୁ ସେ ବିତାଡ଼ିତ ହୋଇଥିଲେ ଏବଂ ତାଙ୍କୁ ମସ୍କୋଠାରେ “ଗୃହବନ୍ଦୀ” ଭାବରେ ରଖାଯାଇଥିଲା ।

 

ଷ୍ଟାଲିନଙ୍କ ମୃତ୍ୟୁ ପରେ ୧୯୫୩ ସାଲ ପର୍ଯ୍ୟନ୍ତ ତାଙ୍କୁ ଖଲାସ କରାଯାଇନଥିଲା । ସେ ଖଲାସ ହୋଇ ତାଙ୍କର ପୂର୍ବ ସ୍ଥାନକୁ ଫେରି ଆସିଲେ ଏବଂ ନିଜ ଇଚ୍ଛାମତେ ଗବେଷଣା କରିବାର ସୁବିଧା ପାଇଲେ । ୧୯୫୩ ସେପ୍ଟେମ୍ବର ମାସରେ ସୋଭିଏତ୍‍ ଋଷରେ ହାଇଡ୍ରୋଜେନ୍‍ ବୋମା ତିଆରି ଯେ ସଫଳହେଲା ତାହା କପିସାଙ୍କ ଆବିଷ୍କାର ଯୋଗୁ ସମ୍ଭବ ହୋଇଥିଲା ବୋଲି ବିଶ୍ୱାସ କରାଯାଏ । ବର୍ତ୍ତମାନ ଦକ୍ଷିଣ ସାଇବେରିଆର ଆଲ୍ଟାଇ ପର୍ବତମାଳାର ପାଦଦେଶ ନିକଟରେ ପ୍ରତିଷ୍ଠିତ ଋଷର “ପରମାଣୁ ସହର” ଭିତରେ ତାଙ୍କର ଗୋଟିଏ ସ୍ୱତନ୍ତ୍ର ଗବେଷଣାଗାର ଅଛି ।

 

୧୯୫୫ ସାଲରେ କୃତ୍ରିମ ଉପଗ୍ରହ ଓ ମହାଶୂନ୍ୟଯାନ ନିର୍ମାଣ ସମସ୍ୟା ସମ୍ପର୍କରେ ଯେଉଁ ବୈଜ୍ଞାନିକଦଳ କାର୍ଯ୍ୟ ଆରମ୍ଭ କରିଥିଲେ । କପିସା ସେମାନଙ୍କ ମଧ୍ୟରେ ଅନ୍ୟତମ । ସେ ଯେଉଁ ସ୍ୱୟଂକ୍ରିୟ ଗବେଷଣାଗାରର ନକ୍ସା କରିତାହା ନିର୍ମାଣ କରିଥିଲେ ତା’ଫଳରେ ମହାଶୂନ୍ୟ ସମସ୍ୟା ସମ୍ପର୍କୀୟ ସୋଭିଏତ୍‍ ଋଷର ଗବେଷଣା ସମ୍ଭବପର ହୋଇଥିଲା । ସ୍ପୁଟନିକ୍, ଲୁନିକ୍ ଓ ମନୁଷ୍ୟବାହୀ ମହାକାଶଯାନର ସଫଳତା ପାଇଁ ତାଙ୍କୁ ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନର ସହିତ ସ୍ମରଣ କରାଯାଇଥାଏ । “କ୍ରାଇଓଜେନିକ୍ସ” କ୍ଷେତ୍ରରେ ତାଙ୍କର ଗବେଷଣା ମହାଶୂନ୍ୟଯାତ୍ରୀ ରକେଟ୍ ଓ ଯନ୍ତ୍ରପାତି ନିର୍ମାଣରେ ବିଶେଷ ମୂଲ୍ୟବାନ ଅବଦାନ ରୂପେ ସାହାଯ୍ୟ କରିବ ବୋଲି ଆଶା କରାଯାଏ ।

 

ଏହି ମିଷ୍ଟାଳାପୀ ସୋଭିଏତ୍‍ ଅଧିବାସୀ ପୃଥିବୀର ଅନ୍ୟତମ ଶ୍ରେଷ୍ଠ ବୈଜ୍ଞାନିକ ଭାବରେ ଖ୍ୟାତ । ତାଙ୍କ କାନ୍ଥର କୁମ୍ଭୀର ପରି ପିଟର୍ କପିସା ଏବେ ମଧ୍ୟ ଆଗେଇ ଚାଲିଛନ୍ତି–ଗବେଷଣା ତାଙ୍କୁ ଯେଉଁ ଦିଗରେ ପରିଚାଳିତ କରିବ, ସେ ସେ ଦିଗକୁ ଆଗେଇ ଚାଲିଥିବେ ।

Image

 

ଅମାନିଆ ମେସନ୍

–ଚେନ୍ ନିଙ୍ଗ୍ ୟାଙ୍ଗ୍ ଓ ସୁଙ୍ଗ୍ ଜାଓ ଲି

 

ସ୍କଟଲାଣ୍ଡରେ ଗୋଟିଏ କିମ୍ବଦନ୍ତୀ ଅଛି, “ଭୂତ ଶବଭକ୍ଷକ ରାକ୍ଷସ, ଦୀର୍ଘପଦବିଶିଷ୍ଟ ପଶୁ ପ୍ରଭୃତି ରାତିରେ ବିଚରଣ କରିଥାନ୍ତି ।” ୧୯୫୦ ଶତକର ପ୍ରଥମ ଭାଗରେ ଯେତେବେଳେ ଅଣୁ ବିଭାଜକ ମେସିନରୁ ନିର୍ଗତ ହେଉଥିବା ଅଦ୍ଭୁତ କଣିକା ପଦାର୍ଥ ବିଜ୍ଞାନବିଦ୍‍ମାନେ ଦେଖିଲେ, ସେମାନଙ୍କର ସେତେବେଳର ଅନ୍ତରର କଥା ସ୍କଟଲାଣ୍ଡରେ ପ୍ରଚଳିତ ପୁରାତନ କିମ୍ବଦନ୍ତୀ ହିଁ ପ୍ରକାଶ କରିପାରିଥାନ୍ତା ।

 

୧୯୫୬ ସାଲରେ ସେହିଭଳି “ପଶୁ” ଥିବାରୁ ଚୀନରେ ଜନ୍ମଗ୍ରହଣ କରିଥିବା ଦୁଇଜଣ ପଦାର୍ଥ-ବିଜ୍ଞାନବିଦ୍–ପ୍ରିନ୍ସଟନ୍ ଅନୁଷ୍ଠାନର ଚେନ୍ ନିଙ୍ଗ୍ ୟାଙ୍ଗ୍ ଏବଂ କଲମ୍ବିଆ ବିଶ୍ୱବିଦ୍ୟାଳୟର ସୁଙ୍ଗ୍ ଜାଓ ଲି ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଏକ ନୂତନ ଚିନ୍ତାଧାରା ପ୍ରକାଶ କରିଥିଲେ । ଏହି ଚିନ୍ତାଧାରା ବିଜ୍ଞାନର ଏକ ଗୁରୁତ୍ଵପୂର୍ଣ୍ଣ ସୂତ୍ରର ଓଲଟ ପାଲଟ କରିଦେଇଥିଲା ଏବଂ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଏକ ନୂତନ ତଥ୍ୟର ପ୍ରବର୍ତ୍ତିତ ହୋଇଥିଲା ।

 

ଗୋଟିଏ “ଅମାନିଆ” ଉପାଦାନ ମେସନରୁ ଏହା ଆରମ୍ଭ ହୋଇଥିଲା । ମେସନର ଅସ୍ତିତ୍ଵ ସମ୍ପର୍କରେ ୧୯୩୫ରେ ହିଡ଼େକି ୟୁକାଓ ପ୍ରଥମେ ସୂଚନା ଦେଇଥିଲେ । ଏହା ଏକ ମହାଜାଗତିକ ସିମେଣ୍ଟ-ଅଣୁର କେନ୍ଦ୍ରଭୂମିରେ ଥିବା ଏକପ୍ରକାର କଣିକା, ଯାହାକି “ଚୁମ୍ବକୀୟ ମୁହୂର୍ତ୍ତ” ଯୋଗାଇ ଦେଇଥାଏ, କେନ୍ଦ୍ରଭୂମିକୁ ଏକାଠି ରଖିଥାଏ ଏବଂ ଏଥିରୁ ନିର୍ଗତ କମାଇଦିଏ ନାହିଁ । ପରେ ଜେ. ରବଟ୍ ଓପେନ୍ ହୋମର ଏବଂ କାର୍ଲ ଆଣ୍ଡର୍ସନ୍‍ ଏହାର ଅସ୍ତିତ୍ଵକୁ ପରୀକ୍ଷା କରିଦେଇଥିଲେ ।

 

ଏହିପରି ଭାବରେ ପଦାର୍ଥ-ବିଜ୍ଞାନବିଦ୍‍ମାନେ ମେସନ୍ ସମ୍ବନ୍ଧରେ ଅଧ୍ୟୟନ କରିବାପାଇଁ ସୁବିଧା ପାଇଲେ । ବିରାଟ ମେସିନ ଦ୍ଵାରା ପରମାଣୁ କେନ୍ଦ୍ରଭୂମିରୁ କଣିକାଗୁଡ଼ିକ ବାହାରି ଆସୁଥିଲା । ଦକ୍ଷିଣ କଲମ୍ବିଆ ବିଶ୍ଵବିଦ୍ୟାଳୟରେ ଥିବା ବେଭାଟ୍ରେନ୍ ଓଲଙ୍ଗ୍ ଦ୍ଵୀପର ବ୍ରକ୍ ହାଭେନ୍ ଜାତୀୟ ଗବେଷଣାଗାରର କସ୍ମୋଟ୍ରନ୍ ଭଳି ମେସିନରୁ ଉକ୍ତ କଣିକା ନିର୍ଗତ ହେଉଥିଲା । ଏହି ମେସିନଗୁଡ଼ିକ ଚାରିପଟେ ପ୍ରୋଟନ୍‍ଗୁଡ଼ିକୁ ଘୁମାଇଥାନ୍ତି ଏବଂ ବୃହତ୍ତର ପରମାଣୁର କେନ୍ଦ୍ରଭୂମିରେ ପ୍ରଚଣ୍ଡ ଶକ୍ତି ସହିତ ସେସବୁକୁ ବାହାର କରିଦେଇଥାନ୍ତି ।

 

କିନ୍ତୁ ଏହି ମେସିନରୁ ମହାଜାଗତିକ “ସିମେଣ୍ଟ” ବାହାରିବା ପରିବର୍ତ୍ତେ ଯେଉଁ ପଦାର୍ଥ ବାହାରିଲା ତାକୁ ପଦାର୍ଥ-ବିଜ୍ଞାନବିଦ୍‍ମାନେ ଅଦ୍ଭୁତ “ପଶୁ” ବୋଲି ଆଖ୍ୟା ଦେଇଥିଲେ । ଏହି କଣିକାଗୁଡ଼ିକ ପଦାର୍ଥ ବିଜ୍ଞାନର ନିୟମ ଅନୁସାରେ କାର୍ଯ୍ୟ କରିନଥିଲେ । ଏଥିଭିତରୁ ଗୋଟିଏ ହେଲେ କେ’ ମେସନ୍ ଯାହାକି ସଙ୍ଗେ ସଙ୍ଗେ ମିଳାଇଯାଏ ଏବଂ ଅନ୍ୟ କଣିକା ଗଠନ କରେ । ଏହାକୁ ପି’ ମେସନ୍ କୁହାଯାଏ । ଏଥିରେ ଏକ ସମସ୍ୟା ଦେଖାଦେଲା-ସମସ୍ତ କେ’ ମେସନ୍ ସର୍ବତୋଭାବରେ ଏକାଭଳି ଦେଖାଯାଉଥିଲେ । ମାତ୍ର ଏତିକି ପ୍ରଭେଦ ଥିଲା ଯେ, ସେମାନଙ୍କ ଭିତରୁ କେତେକ ଦୁଇଟି ପି’ ଉତ୍ପାଦନ କରୁଥିଲେ ଏବଂ ଆଉ କେତେକ ତିନୋଟି ‘ପି’ ଉତ୍ପାଦନ କରୁଥିଲେ । ଆଧୁନିକ ପଦାର୍ଥ-ବିଜ୍ଞାନର ଏକ ମୌଳିକ ନୀତି ହେଉଛି, “ପାରିଟି ଲଙ୍ଗ୍” ସାଦୃଶ୍ୟ ନିୟମ । କିନ୍ତୁ ଏହା ତା’ର ବିରୁଦ୍ଧାଚରଣ କରୁଥିଲା ।

 

ଏହି ନିୟମ ବା ସୂତ୍ରଟିକୁ “ଦର୍ପଣର ପ୍ରତିମୂର୍ତ୍ତି” ନିୟମ ବା ସମାନୁପାତ ନିୟମ ବୋଲି କୁହାଯାଇପାରେ । ଏହା ହେଲା, ଯେଉଁ କଣିକାଗୁଡ଼ିକର ପରସ୍ପର ସହିତ ସାମଞ୍ଜସ୍ୟ ରହିଛି, ଅଥଚ ସେଗୁଡ଼ିକର ଖୁଣ୍ଟ ବା ରେଖା ଓଲଟିଯାଇଛି–ଠିକ୍ ଦର୍ପଣର ପ୍ରତିମୂର୍ତ୍ତି ପରି । ସେମାନେ ଏହି ନିୟମର ଅଧୀନ ସୁତରାଂ ଯଦି ଗୋଟିଏ କଣିକା ଡାହାଣରୁ ବାମକୁ ଘୂରୁଥାଏ ଏବଂ ଏହାର ଦର୍ପଣ ପ୍ରତିମୂର୍ତ୍ତି ବାମରୁ ଡାହାଣକୁ ଘୂରୁଥାଏ, ତା’ହେଲେ ସେମାନେ ବାଁ ହାତ ବା ଡାହାଣ ହାତ ଗ୍ଲୋଭ ପରି ସର୍ବତୋଭାବରେ ଏକାଭଳି କାମ କରିବେ । କିନ୍ତୁ ‘କେ’ ଓ ‘ପି’ କଣିକାଗୁଡ଼ିକ ଏହି ନିୟମ ଅନୁସାରେ କାମ କଲାଭଳି ଜଣା ପଡ଼ୁନାହିଁ ।

 

୧୯୫୬ ସାଲ ଗ୍ରୀଷ୍ମକାଳରେ ପଦାର୍ଥ-ବିଜ୍ଞାନବିଦ୍ ୟାଙ୍ଗ୍ ଏବଂ ଲି ବ୍ରୁକ୍‌ହାଭେନ ପରିଦର୍ଶନରେ ଆସିଥିଲେ । ସେଠାରେ ଶକ୍ତିଶାଳୀ କସ୍ଲୋଟ୍ରନରୁ ଅବାଧ୍ୟ ବା ଆମାନିଆ କେ’ ମେସନ୍ କଣିକା ନିର୍ଗତ ହେଉଥିଲା । ବ୍ରୁକ୍‌ହାଭେନଠାରେ ପଦାର୍ଥ-ବିଜ୍ଞାନବିଦ୍‍ମାନେ ଧରିନେଇଥିଲେ ଯେ, ଯଦି ସେହିଭଳି ଅଭୁତଜୀବ ସାଦୃଶ୍ୟ ନିୟମ ମାନୁନଥିବା ଭଳି ଦେଖାଯାଉଛି । ତେବେ ତା’ର କାରଣ ହେଉଛି ଯେ, ଏଥିରେ କିଛି ଜିନିଷ ଉପେକ୍ଷା କରାଯାଇଛି ବା ବୁଝିବାର ଭୁଲ୍‍ ରହିଛି ।

 

ଦୁଇଜଣ ଯାକ ଚୀନ୍ ବୈଜ୍ଞାନିକ କହିଥିଲେ ଯେ, ତା’ ନୁହେଁ,ଏହି ସାଦୃଶ୍ୟ-ନିୟମରେ ହିଁ ତ୍ରୁଟି ରହିଛି । କେତେକ କ୍ଷେତ୍ରରେ ଏହି ନିୟମ ଆଦୌ ପ୍ରଯୁଜ୍ୟ ହୋଇପାରିବ ନାହିଁ । କଣିକାଗୁଡ଼ିକର କ୍ଷୟ ଭଳି, ତଥାକଥିତ ଦୁର୍ବଳ ପାରସ୍ପରିକ କ୍ରିୟା ପ୍ରତିକ୍ରିୟା କ୍ଷେତ୍ରରେ ଏହି ନିୟମ ଖାଟେ ନାହିଁ । ପ୍ରକୃତ ପକ୍ଷେ ଦୁଇଟି ଭିନ୍ନ ପ୍ରକାରର ‘କେ’ ମେସନ୍ ଅଛି । କିନ୍ତୁ ସାଦୃଶ୍ୟ ନିୟମ ସେମାନଙ୍କ ପ୍ରତି ପ୍ରଯୁଜ୍ୟ ନ ହେବାରୁ ସେମାନେ ବିଭିନ୍ନ ପ୍ରକାର କାମ କରୁଛନ୍ତି । ଯଦି ଆଧୁନିକ ପଦାର୍ଥ-ବିଜ୍ଞାନବିଦମାନଙ୍କୁ କୁହାଯିବ ଯେ, କେତେକ କ୍ଷେତ୍ରରେ ମାଧ୍ୟାକର୍ଷଣ ଶକ୍ତି କାର୍ଯ୍ୟ କରିବ ନାହିଁ କିମ୍ବା ପୃଥିବୀ ସାଧାରଣ ଭାବରେ ଗୋଲ; କିନ୍ତୁ କେତେକ ସ୍ଥାନରେ ଚେପେଟା ତାହା ଯେପରି ବୋଧ ହେବ, ଏହା ଠିକ୍ ସେହିପରି ବୋଧ ହୋଉଥିଲା ।

 

ଫଳରେ ୟାଙ୍ଗ ଓ ଲିଂ ସେମାନଙ୍କର ତଥ୍ୟକୁ ପରୀକ୍ଷା କରି ପ୍ରତିପାଦନ କରିବା ନିମନ୍ତେ ଲାଗିପଡ଼ିଲେ । ଏହା କିପରି ପରୀକ୍ଷା କରାଯାଇପାରିବ ସେମାନେ ତା’ର ଏକ ସୂଚନା ଦେଇ କହିଥିଲେ–ହୁଏତ ଏ ପରୀକ୍ଷାଦ୍ଵାରା ସାଦୃଶ୍ୟ-ନିୟମ ପ୍ରମାଣିତ ହେବ କିମ୍ବା ଏକାବେଳକେ ଅପ୍ରମାଣିତ ଅବସ୍ଥାରେ ରହିଯିବ । ଚୀନର ଜଣେ ପ୍ରତିଭାଶାଳୀ ବୈଜ୍ଞାନିକ ଡକ୍ଟର ଚେନ୍ ସିଙ୍ଗ୍ ଉ ୧୯୫୭ ସାଲ ଶେଷଭାଗରେ ଏହି କଠିନ ପରୀକ୍ଷା ଚଳାଇଥିଲେ । ‘ୟୁ’ ପଦାର୍ଥ ଘନୀଭୂତ ହୋଇଯାଇଥିବା ମେସିନ୍ ଭିତରେ କେତେକ ପରିମାଣର ତେଜସ୍କ୍ରିୟ କୋବାଲ୍ଟ-୬୦ ସେ ରଖିଦେଇଥିଲେ ଏବଂ ତା’କୁ ସମ୍ପୂର୍ଣ୍ଣ ଶୂନ୍ୟ (-୪୫୯.୬°ଏଫ୍) ଡିଗ୍ରୀ ଉତ୍ତାପ ଉପରେ ୦.୧° ପର୍ଯ୍ୟନ୍ତ ଥଣ୍ଡା କରିଦେଇଥିଲେ । ଏହି ଉତ୍ତାପରେ ଉପରେ କେବାଲ୍ଟ-୬୦ର ତାପଜ ଗତିରେ ଅଣୁଗୁଡ଼ିକ କାର୍ଯ୍ୟତଃ ନିଶ୍ଚିହ୍ନ ହୋଇଯାଏ । କିନ୍ତୁ ପରମାଣୁ କେନ୍ଦ୍ରଭୂମିର ଘୂର୍ଣ୍ଣନ ବା ପରମାଣୁ ତେଜସ୍କ୍ରିୟତା ଥଣ୍ଡାଦ୍ୱାରା ପ୍ରଭାବିତ ହୁଏନାହିଁ । ସେଥିରୁ ଇଲେକ୍ଟ୍ରୋନ୍ ନିର୍ଗତ ହେଉଥାଏ । ପଦାର୍ଥ-ବିଜ୍ଞାନବିଦମାନଙ୍କ ଗଣନା ଅନୁସାରେ ସାଦୃଶ୍ୟ-ନିୟମ ଯଦି ଠିକ୍ ବୋଲି ଧରାଯାଏ ତା’ହେଲେ ତେଜସ୍କ୍ରିୟ ପରମାଣୁଗୁଡ଼ିକ ଅକ୍ଷ ଉପରେ ଘୂର୍ଣ୍ଣାୟମାନ କେନ୍ଦ୍ରଭୂମିର ଚାରିପଟେ ବିଭିନ୍ନ ଦିଗରେ ସମାନ ସଂଖ୍ୟାରେ ଇଲେକ୍ଟ୍ରୋନ୍ ନିର୍ଗତ କରିବ ।

 

ସେଭଳି କିଛି ଘଟିଲା ନାହିଁ । ଇଲେକ୍ଟ୍ରୋନଗୁଡ଼ିକ ଗୋଟିଏଆଡ଼େ ବହୁସଂଖ୍ୟାରେ ବାହାରିଗଲା । ପଦାର୍ଥ-ବିଜ୍ଞାନର ସାଦୃଶ୍ୟ ନିୟମ ବିଫଳ ହେଲା । କଲମ୍ବିଆର ସାଇକ୍ଲୋଟ୍ରନ୍ ମେସିନ୍ ବ୍ୟବହାର କରିଡଃ ଲି ଏସମ୍ପର୍କରେ ସ୍ଵତନ୍ତ୍ର ପରୀକ୍ଷା ନିମନ୍ତେ ଏକ ପ୍ରସ୍ତାବ ଦେଇଥିଲେ । ସେ ଏହାର ଏକ ନାମ ମଧ୍ୟ ଦେଇଥିଲେ । ବହୁ ପରିମାଣର ‘ପି’ ମେସନ୍ ଉତ୍ପାଦିତ ହେଉଥିବାରୁ ଏହାର ନାମ “ପାଇ କାରଖାନା” ରଖିଥିଲେ । ପୁଣିଥରେ ଦେଖାଗଲା ଯେ, ଏ କ୍ଷେତ୍ରରେ ‘‘ମୁଁ ମେସନ୍” ବୋଲି କୁହାଯାଉଥିବା କଣିକାରୁ (ପି ମେସନ୍ ବିଭାଜିତ ହୋଇଯିବା ପରେ ଯେଉଁ କଣିକା ଗଠିତ ହୋଇଯାଏ) ଇଲେକ୍ଟ୍ରୋନ୍ ଗୋଟିଏ ଆଡ଼େ ଯେତେ ପରିମାଣରେ ନିର୍ଗତ ହୋଇଥିଲା, ଅନ୍ୟଆଡ଼େ ତା’ର ଦୁଇଗୁଣ ପରିମାଣରେ ନିର୍ଗତ ହୋଇଥିଲା । କଲମ୍ବିଆ ବିଶ୍ଵବିଦ୍ୟାଳୟର ଡଃ ରୁବି ୧୯୫୭ ସାଲ ଜାନୁଆରୀ ମାସ ୧୫ତାରିଖରେ ବିଶ୍ଵବାସୀଙ୍କ ନିକଟରେ ଘୋଷଣା କଲେ ଯେ, ସାଦୃଶ୍ୟ-ନିୟମ ବ୍ୟର୍ଥ ହୋଇଛି ।

 

ଆଗେ ମୋଟେ ବୁଝି ହେଉନଥିବା ଅନେକ ଅଦ୍ଭୁତ କଥା ବୁଝାଇବା ପାଇଁ ପଦାର୍ଥ ବିଜ୍ଞାନର ନୂତନ ତଥ୍ୟଗୁଡ଼ିକ ଏବେ ଏକତ୍ର କରାଯାଇଛି । ଲି ଏବଂ ୟଙ୍ଗ୍ ନିଜେ ପଦାର୍ଥ-ବିଜ୍ଞାନ କ୍ଷେତ୍ରରେ ଏକ ନୂତନ ତଥ୍ୟ ଉଦ୍ଭାବନ କରିଛନ୍ତି-ଏହାକୁ ସମାନୁପାତ ତଥ୍ୟ ବୋଲି କୁହାଯାଇଛି । ସେମାନଙ୍କର ବିଶ୍ଵାସ ଯେ, ଆମର ଦୃଶ୍ୟମାନ ବିଶ୍ଵଛଡ଼ା ଠିକ୍ ଏହା ସହିତ “ଆଣ୍ଟିମାଟର” ବା ପଦାର୍ଥର ବିପରୀତତ୍ମକ ଦ୍ରବ୍ୟର ଏକ ଜଗତ ରହିଛି । ଏହା ଆମ ନିଜର ଦର୍ପଣ ପ୍ରତିମୂର୍ତ୍ତି ପରି । ଏହା ବିଶ୍ଵ କଣିକାର ବିପରୀତାତ୍ମକ ଦ୍ରବ୍ୟଦ୍ଵାରା ନିର୍ମିତ ହେବ । କଣିକାର ବିପରୀତାତ୍ମକ ଅନେକ ପଦାର୍ଥ ଏବେ ଆବିଷ୍କୃତ ହୋଇଛି–ଯଥା “ଆଣ୍ଟି-ପ୍ରୋଟନ୍‍”(ଋଣାତ୍ମକ ବିଦ୍ୟୁତ୍‍ ସହିତ ପ୍ରୋଟନ୍‍ର ବିପରୀତ ପଦାର୍ଥ) “ପଜିଟ୍ରନ୍” (ଇଲେକ୍ଟ୍ରୋନର ବିପରୀତ ପଦାର୍ଥ) ଏବଂ “ଆଣ୍ଟି-ନିଉଟ୍ରନ” (ନିଉଟ୍ରନର ବିପରୀତ ଏବଂ ବିଦ୍ୟୁତ୍‍ ଶକ୍ତି ନଥିବା ଇଲେକ୍ଟ୍ରୋନ୍ ଅପେକ୍ଷା ହାଲୁକା କଣିକା) ।

 

ୟଙ୍ଗ ଏବଂ ଲି ସେହିଭଳି କଣିକା ଭିତରେ ପାରସ୍ପରିକ କ୍ରିୟା ସମ୍ବନ୍ଧରେ ବର୍ତ୍ତମାନ ଅନୁସନ୍ଧାନ ଚଳାଇଛନ୍ତି । ପଦାର୍ଥର ବିପରୀତ ବସ୍ତୁ ବିଷୟରେ ଅଧିକ ଜ୍ଞାନ ହାସଲ କରିବା ଏବଂ ଆମେ ଜାଣିଥିବା କଣିକାର ଯୁଗ୍ମରୂପ ଆବିଷ୍କାର କରିବା ପାଇଁ ସେମାନେ ଅନୁସନ୍ଧାନ ଚଳାଇଛନ୍ତି-

 

୧୯୫୭ ସାଲରେ, ଠିକ୍ ଯେଉଁ ବର୍ଷ ସାଦୃଶ୍ୟ ନିୟମ ବିଫଳ ହେଲା ସେହିବର୍ଷ ଡଃ ଲି ଓ ଡଃ ୟଙ୍ଗଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ଏବର ବହୁ ବିଶିଷ୍ଟ ବୈଜ୍ଞାନିକଙ୍କ ପରି ଏହି ଦୁଇଜଣଯାକ ଚୀନ୍ ବୈଜ୍ଞାନିକ ଯୁବକ । ଡଃ ୟଙ୍ଗ୍ ଚୀନର ହାନୋଇ ପ୍ରଦେଶରେ ୧୯୨୩ ସାଲରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଜଣେ ଗଣିତଜ୍ଞ ଏବଂ ଏବେ ମଧ୍ୟ ସେ ସାଙ୍ଘାଇ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଛନ୍ତି । ୟଙ୍ଗ୍ ୧୯୪୫ରେ କୁମିଙ୍ଗଠାରେ ଅବସ୍ଥିତ ଜାତୀୟ ସିଙ୍ଗୁଆ ବିଶ୍ଵବିଦ୍ୟାଳୟରୁ ଏମ୍. ଏ. ଡିଗ୍ରୀ ହାସଲ କରିଥିଲେ । ସେ ଚିକାଗୋ ବିଶ୍ୱବିଦ୍ୟାଳୟରେ ଯୋଗଦେଇ ୧୯୪୮ରେ ସେଠାରୁ ପିଏଚ୍. ଡ଼ି ଉପାଧି ଲାଭକଲେ । ତା’ ପରବର୍ଷ ପ୍ରିନ୍ସଟନ୍‍ଠାରେ ଉଚ୍ଚତର ଅଧ୍ୟୟନ ସମ୍ପର୍କୀୟ ଅନୁଷ୍ଠାନରେ ନିଯୁକ୍ତ ହୋଇଥିଲେ ଏବଂ ୧୯୬୦ ସାଲରେ ଏହି ଅନୁଷ୍ଠାନର ଗଣିତ ବିଭାଗରେ ଅଧ୍ୟାପକ ହେଲେ ।

 

ଡଃ ଲି ୧୯୨୭ ସାଲରେ ଚୀନରେ ଜନ୍ମଗ୍ରହଣ କରିଥିଲେ । ୧୯୪୬ରେ ଚୀନ୍‍-ଜାତୀୟବାଦୀ ସରକାରଙ୍କଠାରୁ ବୃତ୍ତିପାଇ ଆମେରିକାରେ ପହଞ୍ଚିଲେ ଏବଂ ଚିକାଗୋ ବିଶ୍ଵବିଦ୍ୟାଳୟରେ ଯୋଗଦେଲେ । ସେଠାରେ ଆନ୍ତର୍ଜାତିକ ଭବନରେ ରହୁଥିବାବେଳେ ସେ ଡଃ ୟଙ୍ଗଙ୍କୁ ଭେଟିଥିଲେ । ଦୁଇଜଣ ଯୁବକଙ୍କ ଭିତରେ ବନ୍ଧୁତା ବୃଦ୍ଧି ପାଇଲା ଏବଂ ଆଜିପର୍ଯ୍ୟନ୍ତ ସେମାନଙ୍କ ଭିତରେ ଘନିଷ୍ଠତା ରହିଛି । ସେ ବର୍ତ୍ତମାନ ଛୁଟିରେ ରହି ଉଚ୍ଚତର ଅଧ୍ୟୟନ ସମ୍ପର୍କୀୟ ଅନୁଷ୍ଠାନରେ ଡଃ ୟଙ୍ଗଙ୍କ ସହିତ ପୁଣି ଏକାଠି ଗବେଷଣା ଚଳାଇଛନ୍ତି ।

Image

 

ଜୀବନ ବିଜ୍ଞାନ

Unknown

“ମଲିକ୍ୟୁଲସ” ନିର୍ମାତା

-ରବଟ୍ ବି. ଉଡ଼୍‍ୱାର୍ଡ଼

 

ଗବେଷଣାଗାରର ପରୀକ୍ଷାନଳୀରେ ଜୀବନର ସୃଷ୍ଟି ସମ୍ଭବ କି ? ଏହି ପ୍ରଶ୍ନ ପ୍ରଥମରୁ ରସାୟନ ବିଜ୍ଞାନ ପ୍ରତି ଏକ ଆହ୍ଵାନ ସ୍ୱରୂପ ରହିଛି । ରସାୟନବିଦ୍‍ମାନେ ଜାଣନ୍ତି ଯେ, ସମସ୍ତ ଜୀବନ ଜୀବକୋଷଦ୍ୱାରା ଗଠିତ ଏବଂ ଏହି କୋଷକୁ ଭାଙ୍ଗି ରାସାୟନିକ ମଲିକ୍ୟୁଲ୍ସରେ ପରିଣତ କରିଦିଆଯାଇପାରିବ । ଏହି ମଲିକ୍ୟୁଲ୍ସକୁ ମଧ୍ୟ ଭାଙ୍ଗି ଆହୁରି କ୍ଷୁଦ୍ର ଆକାରରେ ପରିଣତ କରାଯାଇପାରେ ଯାହାକି ଏହା ନିର୍ମିତ ହୋଇଥିବା ଉପାଦାନର ଅଣୁ । କିନ୍ତୁ ଏହାର ବିପରୀତ ପଦ୍ଧତିର ସଠିକ୍ ଭାଗ ଅନୁସାରେ ଏଗୁଡ଼ିକୁ ଏକାଠି କରିଦେଲେ ଜୀବକୋଷର ମଲିକ୍ୟୁଲ୍ସ ମଧ୍ୟ ଗଠିତ ହୋଇପାରିବ-ଅବଶ୍ୟ ଏହା ସଫଳ କରିବାରେ ବିଜ୍ଞାନ ଏ ପର୍ଯ୍ୟନ୍ତ ସମର୍ଥ ହୋଇନାହିଁ ।

 

ହାର୍ଭାଡ଼୍ ବିଶ୍ୱବିଦ୍ୟାଳୟର ଗୋଟିଏ ଗବେଷଣାଗାରରେ ଜଣେ ଯୁବକ ଜୀବ-ରସାୟନବିଦ୍ ଏହି ରହସ୍ୟ ଭେଦ କରିବାପାଇଁ ଚେଷ୍ଟା ଚଳାଇଛନ୍ତି । ତାଙ୍କ ନାମ ହେଲା, ରବର୍ଟ ବି. ଉଡ଼୍‍ୱାର୍ଡ଼ । କୌଣସି ଗୋଟିଏ ଜୀବନ୍ତ ବସ୍ତୁକୁ ତା’ର ଅଣୁରେ ଗଠନ କରିଅନୁରୂପ ଜୀବନ୍ତ ବସ୍ତୁ ନିର୍ମାଣ କରିବା କ୍ଷେତ୍ରରେ ଅନ୍ୟାନ୍ୟ ବୈଜ୍ଞାନିକଙ୍କ ଅପେକ୍ଷା ସେ ଅଧିକ ସଫଳତା ହାସଲ କରିପାରିଛନ୍ତି । ଉଡ଼୍‍ୱାର୍ଡ଼ “ମଲିକ୍ୟୁଲ୍ସ”ର ଜଣେ ନିର୍ମାତା । ସେ ଅପକ୍ଷାକୃତ ସରଳ ବସ୍ତୁକୁ ଏପରି ଭାବରେ ଏକାଠି ଯୋଡ଼ିଦିଅନ୍ତି ଯେ ତାହା ଜୀବନ୍ତ ବସ୍ତୁରେ ରହିଥିବା ବଡ଼ ଆକାରର ଜଟିଳ “ମଲିକ୍ୟୁଲ୍ସ” ସଦୃଶ ଦେଖା ଯାଉଥାଏ ।

 

ବାଲ୍ୟକାଳରୁ ତାଙ୍କର ଏହି ଯୋଜନା କାମ ଆରମ୍ଭ ହୋଇଥିଲା । ଉଡ଼୍‍ୱାର୍ଡ଼ ୧୯୧୭ ସାଲରେ ବୋଷ୍ଟନଠାରେ ଜନ୍ମଗ୍ରହଣ କରିଥିଲେ । ୧୦ ବର୍ଷ ବୟସ ହୋଇଥିବାବେଳେ ତାଙ୍କର ପିତାମାତା ତାଙ୍କୁ ଗୋଟିଏ ସରଳ ରସାୟନ ବିଜ୍ଞାନ ଯନ୍ତ୍ରପାତିର ସେଟ୍ ଆଣିଦେଲେ ଏବଂ ମାସାଚୁସେଟ୍ସରେ କୁଇନ୍ସଠାରେ ଅବସ୍ଥିତ ତାଙ୍କ ବାସଭବନରେ ଗୋଟିଏ ଛୋଟ ଗବେଷଣାଗାର ସ୍ଥାପନ ପାଇଁ ଅନୁମତି ଦେଲେ । ହାଇସ୍କୁଲରେ ପଢ଼ିବାବେଳେ କୃତ୍ରିମ ଉପାୟରେ କୁଇନାଇନ୍ ତିଆରି କରିବାପାଇଁ ସେ ଉଦ୍ୟମ ଚଳାଇଥିଲେ । କୃତ୍ରିମ ଉପାୟରେ କୁଇନାଇନ ତିଆରି କରିବା ସମସ୍ୟା ଗତ ଅର୍ଦ୍ଧଶତାବ୍ଦୀ ଧରି ପୃଥିବୀର ବିଶିଷ୍ଟ ବୈଜ୍ଞାନିକମାନଙ୍କ ପକ୍ଷରେ ସମାଧାନ କରିବା ସମ୍ଭବ ହୋଇପାରି ନଥିଲା । ଏ ବିଷୟରେ ଯାହାକିଛି ଲେଖା ମିଳିଲା ତାକୁ ସେ ପଢ଼ିଲେ ଏବଂ ନିଜ ଘରେ ଥିବା ଗବେଷଣାଗାରରେ ସେ ସବୁ ଉପରେ ପରୀକ୍ଷା ଚଳାଇଲେ; ମାତ୍ର କୁଇନାଇନ୍ ପ୍ରସ୍ତୁତ କରିବାରେ ସେ ସଫଳ ହୋଇଥିଲେ । ପରେ ସେ ଏ ସମ୍ପର୍କରେ କହିଥିଲେ ଯେ, ରସାୟନ ବିଜ୍ଞାନ ବିଷୟରେ ସେ ଯାହାକିଛି ଜାଣନ୍ତି ତା’ର ଅଧିକାଂଶ ଭାଗ ସେ ଏଇ ଯୋଜନା ପାଇଁ କାର୍ଯ୍ୟ କରିବା ଫଳରେ ହିଁ ଶିଖିପାରିଥିଲେ । ୧୬ ବର୍ଷ ବୟସରେ କେମ୍ବ୍ରିଜରେ ଅବସ୍ଥିତ ମାସାଚୁସେଟ୍ସ ଶିଳ୍ପ-ବିଜ୍ଞାନ ଅନୁଷ୍ଠାନରେ ସେ ନିଜର ଯୋଜନାକୁ ସାଙ୍ଗରେ ନେଇ ପ୍ରବେଶ କଲେ ।

 

ଉଡ଼୍‍ୱାର୍ଡ଼ଙ୍କ ଅଧ୍ୟାପକମାନେ ତାଙ୍କୁ ପରୀକ୍ଷା କରିଦେଖିଲେ ଯେ, ଅଣ୍ଡର ଗ୍ରାଜୁଏଟ୍ ସ୍ତରରେ ଅଧିକାଂଶ ଛାତ୍ର ଦୈନିକ ରସାୟନ ବିଜ୍ଞାନ ସମ୍ବନ୍ଧରେ ଯାହା ଶିଖନ୍ତି ସେ ତାହା ଶିଖିସାରିଛନ୍ତି । ତେଣୁ ସେମାନେ ତାଙ୍କୁ ଗୋଟିଏ ସ୍ଵତନ୍ତ୍ର ଗବେଷଣାଗାର ଦେଇଥିଲେ ଏବଂ ଶ୍ରେଣୀକୁ ଯିବାଲାଗି ତାକୁ ଛାଡ଼ ମିଳିଥିଲା । ଚାରିବର୍ଷ ପରିବର୍ତ୍ତେ ତିନିବର୍ଷ ଭିତରେ ସେ ସେଠାରେ ଅଧ୍ୟୟନ ଶେଷ କରିଥିଲେ ଏବଂ ୧୯୩୬ ଜୁନ୍‍ ମାସରେ ଅନର୍ସ ସହିତ ଗ୍ରାଜୁଏଟ୍ ହୋଇଥିଲେ । ପରବର୍ତ୍ତୀ ବର୍ଷ ମାତ୍ର ୨୦ ବର୍ଷ ବୟସରେ ସେ ପିଏଚ୍‍.ଡ଼ି ଉପାଧି ଲାଭ କଲେ ଏବଂ ହାଭାର୍ଡ଼ର ଫାକଲ୍ଟିରେ ଯୋଗଦେଲେ ।

 

୧୯୪୪ ସାଲରେ କଲମ୍ବିଆର ଡଃ ୱିଲିୟମ୍‍ ବି. ଡୁରଗ୍‍ଙ୍କ ସହଯୋଗରେ ତାଙ୍କ ବାଲ୍ୟଜୀବନର ସ୍ଵପ୍ନ ସଫଳ ହେଲା । ସେମାନେ ଦୁଇଜଣ ମିଶି ସରଳ ପଦାର୍ଥରୁ ପୃଥିବୀର ସର୍ବପ୍ରଥମ କୃତ୍ରିମ କୁଇନାଇନ୍ ପ୍ରସ୍ତୁତ କଲେ । ତା’ପରେ ଉଡ଼୍‍ୱାର୍ଡ଼ ଜୀବନର ସାର ଓ ପ୍ରୋଟିନ୍ ତିଆରି ଦିଗରେ ମନୋନିବେଶ କରିଥିଲେ । “ପ୍ରୋଟିନ୍” ହେଲା ପ୍ରକୃତିର ନିର୍ମାଣକାରୀ ବସ୍ତୁ । ସରଳତମ କୀଟାଣୁଠାରୁ ଜଟିଳତମ ମନୁଷ୍ୟକୋଷ ପର୍ଯ୍ୟନ୍ତ ପୃଥିବୀରେ ଯେଉଁଠି ଜୀବନରେ ସତ୍ତା ଅଛି ତାହା ପ୍ରୋଟିନରେ ତିଆରି । ଯେଉଁସବୁ ରାସାୟନିକ ପଦାର୍ଥ ନେଇ ଏହା ଗଠିତ ତାହା ଆଉ ଗୋପନୀୟ ହୋଇ ରହିନାହିଁ । ପ୍ରୋଟିନରେ ଆମିନୋ ଏସିଡ଼୍ ଏବଂ ନାଇଟ୍ରୋଜିନ୍‍, ଅକ୍ସିଜିନ୍‍, କାର୍ବନ୍, ହାଇଡ୍ରୋଜେନ୍‍ ଏବଂ ଅନ୍ୟାନ୍ୟ ସାଧାରଣ ଅଣୁଗୁଡ଼ିକ କେତେକ ପର୍ଯ୍ୟାୟରେ ଏକାଠି ହୋଇଥାନ୍ତି । ମାତ୍ର ପ୍ରୋଟିନ୍ ଗଠନ କରିବା ନିମନ୍ତେ ସେଗୁଡ଼ିକୁ ଠିକ୍ ଭାବରେ ଏକାଠି କରିବା ଏକ ଭିନ୍ନ କଥା । ରସାୟନ ବିଜ୍ଞାନରେ ପ୍ରୋଟିନ୍ ମଲିକ୍ୟୁଲ ଏକ ବିଶେଷ ଜଟିଳ ବିଷୟ । ଏପର୍ଯ୍ୟନ୍ତ ଏହାର ରୂପ କେହି ଦେଖି ନାହାନ୍ତି । ସର୍ବାପେକ୍ଷା ଶକ୍ତିଶାଳୀ ଅଣୁବୀକ୍ଷଣ ଯନ୍ତ୍ର ପାଇଁ ମଧ୍ୟ ଏହା ଅତିକ୍ଷୁଦ୍ର । ଉଡ଼୍‍ୱାର୍ଡ଼ ଆଗ କୌଣସି ନକ୍ସା ନକରି ଓ ଟେଲିଫୋନ୍ ତାର ନଦେଖି ଯେପରି ଗୋଟିଏ ସୁଇଚ୍‍ ବୋର୍ଡ଼ ନିର୍ମାଣ କରୁଛନ୍ତି ଏହା ଠିକ୍ ସେହିଭଳି । ମାତ୍ର ତାଙ୍କର ବିଶ୍ଵାସ ଥିଲା ଯେ, ଏଥିରେ ସଫଳତା ହାସଲ ସମ୍ଭବ ।

 

ବାରମ୍ବାର ସେ ବିଫଳକାମ ହୋଇଥିଲେ । ଅସଂଖ୍ୟ ପରୀକ୍ଷା ନିରୀକ୍ଷା ଚାଲିଲା ଏବଂ ବାରମ୍ବାର ସେ ହତାଶ ମଧ୍ୟ ହୋଇଥିଲେ । କିନ୍ତୁ ୧୯୪୭ ସାଲରେ ସେ ଘୋଷଣା କଲେ ଯେ, ସେ ସଫଳକାମ ହେଇଛନ୍ତି । ପ୍ରକୃତିରେ ଦେଖାଯାଉଥିବା ଜୀବନ୍ତ ପ୍ରୋଟିନ୍ ସହିତ ତାଙ୍କ ନିର୍ମିତ ପ୍ରୋଟିନର ବହୁ ସାମଞ୍ଜସ୍ୟ ରହିଛି । ଏହା ଠିକ୍ ଜୀବନ୍ତ ପ୍ରୋଟିନ୍ ନୁହେଁ । ମାତ୍ର ଉଡ଼୍‍ୱାର୍ଡ଼ଙ୍କ ପ୍ରୋଟିନର ଏହା ସହିତ ଏତେ ସାମଞ୍ଜସ୍ୟ ରହିଛି ଯେ, ଅଳ୍ପଦିନ ଭିତରେ ବୈଜ୍ଞାନିକମାନେ ସାଧାରଣ ପଦାର୍ଥ କିମ୍ବା କୃତ୍ରିମ ଉପାୟରେ ନିର୍ମିତ ମାଂସପେଶୀ ବା ଅନ୍ୟାନ୍ୟ କୋଷରୁ ଏପରି କୋଷ ତିଆରି କରିଦେଇ ପାରିବେ ଯାହାକି ଅସ୍ତ୍ରୋପଚାର ବା ଔଷଧ ପ୍ରୟୋଗ ଦ୍ଵାରା ଜୀବନ୍ତ କୋଷ ଭଳି କାମ କରିବ । ଏହା ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ରୋଗାଣୁ ବା ବିଷାଣୁ ଭଳି କେତେକ ପ୍ରକାର ପ୍ରୋଟିନ୍ ଯଦି ଆମେ ନିର୍ମାଣ କରିପାରୁ ତା’ହେଲେ ଶରୀରରେ ଅନିଷ୍ଟ ସାଧନ କରୁଥିବା “ଆମିନୋ ଏସିଡ଼”ରେ ଏହା କିପରି ମିଶିଯିବ ତାହା ଜାଣିବା ସମ୍ଭବ ହେବ । ଏହାଦ୍ଵାରା ରୋଗକୁ ଆୟତ୍ତ କରିବା ଦିଗରେ ମାନବ ଜାତି ବହୁଦୂର ଅଗ୍ରସର କରିପାରିବ-

 

ତା’ପରେ ୧୯୫୧ରେ ଉଡ଼୍‍ୱାର୍ଡ଼ ଏବଂ ତାଙ୍କ ଛାତ୍ରମାନେ ପିଚୁଦ୍ଵାରା “ଷ୍ଟେରୋଡ଼େ” ନାମକ ଆଉ ଗୋଟିଏ ବୃହତ୍ “ମଲିକ୍ୟୁଲ” ଗଠନରେ ସଫଳକାମ ହୋଇଥିଲେ । ଏହି “ମଲିକ୍ୟୁଲ”ଟି ଏପରି ଜଟିଳ ଯେ, ଏହାକୁ ରସାୟନ ବିଜ୍ଞାନରେ ସର୍ବାପେକ୍ଷା ଅଧିକ ପ୍ରତିଭାର ପରିଚାୟକ ବୋଲି କୁହାଯାଇଥାଏ । ଏହାଦ୍ଵାରା କୃତ୍ରିମ ପଦ୍ଧତିରେ “କୋର୍ଟିସନ୍” ଉତ୍ପାଦନ ସମ୍ଭବ ହୋଇପାରିଥିଲା । ଏହା ବାତରୋଗ, ଶ୍ଵାସ ଓ ଚର୍ମରୋଗର ଚିକିତ୍ସାରେ ବ୍ୟବହୃତ ହେଉଥିବା ଏକ ଔଷଧ । ପୃଥିବୀରେ ଏହି ଜିନିଷଟି ଖୁବ୍ କମ୍ ପରିମାଣରେ ମିଳେ । ଡଃ ଉଡ଼୍‍ୱାର୍ଡ଼ “କ୍ଲୋଲେଷ୍ଟୋରୋଲ୍” ନାମକ ଆଉ ଏକ ମୂଲ୍ୟବାନ ସାର ପଦାର୍ଥ ପ୍ରସ୍ତୁତ କରିଥିଲେ । ସେ ମଧ୍ୟ କେତେକ ସାଧାରଣ ଜିନିଷକୁ ଆଧାର କରିଷ୍ଟ୍ରିକ୍ନାଇନ୍, ଲିସର୍-ଜିନ୍ ଏବଂ ନିଦ୍ରାକାରକ ରିଜର୍ ପାଇନ ପ୍ରଭୃତି ତିଆରି କରିଥିଲେ ।

 

ଏହି ଅଦ୍ଭୁତକର୍ମା ବୈଜ୍ଞାନିକ ବର୍ତ୍ତମାନ ତାଙ୍କର ସର୍ବାପେକ୍ଷା ବିରାଟ ଉଦ୍ଭାବନରେ ଲାଗିଛନ୍ତି । ଏହା ହେଉଛି, କ୍ଲୋରୋଫାଇଲର ସଂଶ୍ଳେଷଣ । ବୃକ୍ଷମାନଙ୍କଠାରେ ଥିବା ବିରାଟ ଓ ଜଟିଳ ମଲିକ୍ୟୁଲ ଏହି କ୍ଲୋରୋଫାର୍ମ ଯାହାକି ଫଟୋସିନ୍ଥେସିସ କରିଥାଏ ଅର୍ଥାତ୍ ସୂର୍ଯ୍ୟଙ୍କ ଶକ୍ତି ବ୍ୟବହାର କରି ପ୍ରୋଟିନ୍ ଉତ୍ପାଦନ କରିଥାଏ । ଯଦି ଉଡ଼୍‍ୱାର୍ଡ଼ କ୍ଲୋରୋଫାଇଲର୍ ରହସ୍ୟ ଭେଦ କରିପାରିବେ ତେବେ ପରୀକ୍ଷାନଳୀ ବା “ଟେଷ୍ଟଟ୍ୟୁବ୍”ରେ ଜୀବନ ସୃଷ୍ଟି କରିବାର ସମସ୍ୟା ସମାଧାନ ହୋଇଯିବ ।

Image

 

ଫିମ୍ପି ଜାତୀୟ ଜୀବର ପରିବର୍ତ୍ତିତ ରୂପ

-ଜର୍ଜ ଡ଼ବ୍ଲୁ. ବିଡ଼ଲେ

 

ଜୀବନର ରହସ୍ୟ କ’ଣ ? ଜୀବନ୍ତ କୋଷଟିଏ କିପରି ବିଭାଜିତ ହୁଏ ଓ ବହୁଗୁଣ ହୋଇଯାଏ ଏବଂ ଜୀବନ ପ୍ରବାହ କିପରି ବଂଶାନୁକ୍ରମେ ଗତି କରେ ?

 

ଯେଉଁମାନେ ଏହିଭଳି ସମସ୍ୟା ସମ୍ପର୍କରେ ଅଧ୍ୟୟନ କରନ୍ତି ସେମାନଙ୍କୁ ଜୀବତତ୍ତ୍ଵବିଦ୍ କୁହାଯାଏ । ଯେଉଁ ଜୀବତତ୍ତ୍ଵବିଦ୍‍ମାନେ ବଂଶଗତ ଗୁଣ ସଞ୍ଚାରଣ (ଅର୍ଥାତ୍ ପିତାମାତାଙ୍କ ଗୁଣ ସନ୍ତାନ ସନ୍ତତିଙ୍କ ଠାରେ ସଞ୍ଚାରିତ ହୋଇଥାଏ) ସମ୍ପର୍କରେ ଅଧ୍ୟୟନ କରିବିଶେଷ ଜ୍ଞାନ ହାସଲ କରିଥାନ୍ତି ସେମାନଙ୍କୁ ପ୍ରଜନନ ବିଜ୍ଞାନବିଦ୍ ବୋଲି କୁହାଯାଏ । ସେମାନେ ପ୍ରଜନନ ବିଜ୍ଞାନର ମଧ୍ୟ ଅଧ୍ୟୟନ କରନ୍ତି ।

 

୧୯୪୦ ପର୍ଯ୍ୟନ୍ତ ପ୍ରଜନନ ବିଜ୍ଞାନ ଓ ରସାୟନ ବିଜ୍ଞାନ ସମ୍ପୂର୍ଣ୍ଣ ଭାବରେ ଦୁଇଟି ସ୍ୱତନ୍ତ୍ର ବିଷୟ ଭାବରେ ବିବେଚିତ ହେଉଥିଲା । ତା’ପରେ ସେହିବର୍ଷ ପ୍ରଜନନ ବିଜ୍ଞାନବିଦ୍ ଡଃ ଜର୍ଜ ବିଡ଼େନ୍ ଯେଉଁ ଦୀର୍ଘ ପରୀକ୍ଷା ଚଳାଇଥିଲେ ସେଥିରୁ ଜଣାଗଲା ଯେ, ଏଦୁଇଟି ମଧ୍ୟରେ ବହୁ ସାମଞ୍ଜସ୍ୟ ରହିଛି । ସେ ପ୍ରଜନନ ଓ ଜୀବନ୍ତ କୋଷର ରାସାୟନିକ ପଦ୍ଧତି ଭିତରେ ସମ୍ପର୍କ ଥିବାର ଦର୍ଶାଇଥିଲେ । ବଂଶଗତ ଗୁଣର ରସାୟନିକ ପ୍ରକୃତି ମଧ୍ୟ ପ୍ରତିଷ୍ଠିତ କରିଥିଲେ ଏବଂ ତଦ୍ଦ୍ଵାରା ଏ ସମ୍ପର୍କୀୟ ପରବର୍ତ୍ତୀ ଆବିଷ୍କାରର ପଥ ଉନ୍ମୁକ୍ତ କରିଦେଇଥିଲେ । ପରବର୍ତ୍ତୀ ଆବିଷ୍କାର ମଣିଷ ଜୀବନ ସମ୍ପର୍କୀୟ ସମସ୍ତ ଧାରଣାକୁ ବଦଳାଇ ଦେଇଥିଲା ।

 

ରସାୟନ ବିଜ୍ଞାନ, ଗଣିତ-ଜ୍ୟୋତିଷ ବିଜ୍ଞାନ ବା ପଦାର୍ଥ ବିଜ୍ଞାନ ତୁଳନାରେ ପ୍ରଜନନ ବିଜ୍ଞାନ ଏକ ନୂତନ ବିଜ୍ଞାନ । ଏହା ୧୮୬୦ ଶତକର ପ୍ରଥମ ଭାଗରେ ଆରମ୍ଭ ହେଲା । ଏହି ସମୟରେ ଜଣେ ଅଷ୍ଟ୍ରିଆବାସୀ ସନ୍ନ୍ୟାସୀ ଜର୍ଜ ମେଣ୍ଡଲ୍ ମଟର ଜାତୀୟ ଗଛର ଫୁଲର ବିଭିନ୍ନ ପ୍ରାକୃତିକ ଲକ୍ଷଣ, ଏହାର ରଙ୍ଗ ଓ ଆକାର ପ୍ରଭୃତି ବଂଶାନୁକ୍ରମେ କିପରି ଗୋଟିକରୁ ଅନ୍ୟଟିରେ ସଞ୍ଚାରିତ ହେଉଛି ସେ ସମ୍ପର୍କରେ ଅଧ୍ୟୟନ କରିଥିଲେ । ଏହି ଅଧ୍ୟୟନରେ ଫଳୟରେ ଜଣାଗଲା ଯେ, ଏଥିଭିତରୁ ପ୍ରତ୍ୟେକଟି ଲକ୍ଷଣ ଦୁଇଟି ନିର୍ଦ୍ଦିଷ୍ଟ ଅଦୃଶ୍ୟ ‘ବିଷୟ’ ବା ଉପାଦାନ ଦ୍ଵାରା ନିୟନ୍ତ୍ରିତ ହେଉଛି । ପ୍ରତ୍ୟେକ ପିତାମାତାଠାରୁ ଗୋଟିଏ ଗୋଟିଏ ଗୁଣ ସନ୍ତାନଠାରେ ସଞ୍ଚାରିତ ହୋଇଥାଏ-

 

୧୯୦୦ ସାଲ ପର୍ଯ୍ୟନ୍ତ ମେଣ୍ଡେଲଙ୍କ ଗବେଷଣା ପ୍ରତି ଗୁରୁତ୍ଵ ଦିଆଯାଇ ନଥିଲା-ଏହା ସମସ୍ତେ ଭୁଲିଯାଇଥିଲେ । ଏହା ଭିତରେ ଜୀବବିଜ୍ଞାନବିଦ୍‍ମାନେ ଜାଣିସାରିଥିଲେ ଯେ, ପ୍ରତ୍ୟେକ ଜୀବନ୍ତ କୋଷ ଭିତରେ ଗୋଟିଏ ନ୍ୟୁକ୍ଲିଅସ୍ ବା କେନ୍ଦ୍ରଭୂମି ଅଛି ଏବଂ ଏହି କେନ୍ଦ୍ରଭୂମି ପ୍ରଜନନକୁ ନିୟନ୍ତ୍ରଣ କରୁଛି । କେନ୍ଦ୍ରଭୂମି ଭିତରେ ବହୁ ସଂଖ୍ୟକ ସୂତାଭଳି କୀଟାଣୁ ରହିଛନ୍ତି ଯାହାଙ୍କୁ ‘କ୍ରୋମୋସମ୍’ ବୋଲି କୁହାଯାଏ । ଏଗୁଡ଼ିକ ବଂଶଗତ ଗୁଣ ସଞ୍ଚରଣ କରିବା କାମ କରିଥାନ୍ତି ବୋଲି ବିଶ୍ଵାସ କରାଯାଉଛି । ଯାହା ହେଉ ଉକ୍ତ ‘କ୍ରୋମୋସମ୍’ ବା ବଂଶଗତ ଗୁଣ ସଂଚାରକ କ୍ଷୁଦ୍ର କୀଟାଣୁ ସହିତ ମେଣ୍ଡଲଙ୍କ ତଥ୍ୟର ଯେ ସମ୍ପର୍କ ଥିଲା ତାହା ନିଶ୍ଚିତ କଥା ।

 

୧୯୦୨ ସାଲରେ ଜନୈକ ଆମେରିକା ଜୀବବିଜ୍ଞାନବିଦ୍ ଏସ୍.ସଟନ୍ ସୂଚନା ଦେଇଥିଲେ ଯେ, ପ୍ରତ୍ୟେକ କ୍ରୋମୋଜୋମରେ ଏକାଧିକ ବଂଶଗତ ଲକ୍ଷଣ ସଞ୍ଚାରକ ଗୁଣ ରହିଥାଏ । ଆଉଜଣେ ଆମେରିକା ବୈଜ୍ଞାନିକ ଥୋମାସ୍ ହଣ୍ଟ ମର୍ଗାନ ଫଳମାଛିମାନଙ୍କୁ ନେଇ ପରୀକ୍ଷା କରିଥିଲେ ଏବଂ ୧୯୧୧ ସାଲରେ ସେ ପ୍ରତିପାଦନ କଲେ ଯେ, ମେଣ୍ଡେଲ ଯେଉଁ ଅଦୃଶ୍ୟ ଉପାଦାନ କଥା କହିଥିଲେ ତାହା କୌଣସି ମାଳାରେ ମାଳି ରହିଲା ପରି ‘‘କ୍ରୋମୋଜୋମ” ବା ବଂଶଗତ ଗୁଣ ସଂଚାରକ କୀଟାଣୁ ସହିତ ଗୁନ୍ଥି ହୋଇ ରହିଥାଏ । ଏଗୁଡ଼ିକୁ ‘ଜିନ୍‍’ ବୋଲି କୁହାଯାଏ ।

 

ମୂଷା ଉପରେ ରଞ୍ଜନରଶ୍ମି ପକାଇ ଦେଲେ ତାହା ଅସମୟରେ ଜନ୍ମ କରିଥାଏ ବୋଲି ୧୯୨୩ ସାଲରେ ଜଣାଗଲା । ଏହା ଜାଣିବା ପରେ ଜୀବତତ୍ତ୍ଵବିଦ୍ ହର୍ମାନ୍ ମୁଲର୍ କେତେକ ସାଧାରଣ ଫଳ ମାଛି ସଂଗ୍ରହ କରିଥିଲେ ଏବଂ ସେଗୁଡ଼ିକ ଉପରେ ବିଭିନ୍ନ ପ୍ରକାରର ରଞ୍ଜନରଶ୍ମି ପକାଇଥିଲେ । ସେ ଦେଖିପାରିଲେ ଯେ, ଏହିପରି ରଞ୍ଜନରଶ୍ମି ବିସ୍ତାର କରାଯାଇଥିବା କେତେକ ମାଛି ଯେଉଁ ପିଲା ଜନ୍ମ କରୁଛନ୍ତି ସେଗୁଡ଼ିକ ଅସାଧାରଣ ପ୍ରକାରର; କିନ୍ତୁ ସେ ସେମାନଙ୍କର ବଂଶଗତ ଗୁଣର ସଞ୍ଚାରକ କୀଟାଣୁକୁ ଅଣୁବିକ୍ଷଣ ଯନ୍ତ୍ର ସାହାଯ୍ୟରେ ପରୀକ୍ଷା କରିଦେଖିଲେ ଯେ, ଉକ୍ତ କୀଟାଣୁରେ କୌଣସି ପରିବର୍ତ୍ତନ ଘଟିନାହିଁ । ତେଣୁ ସେ ପ୍ରତିପାଦନ କଲେ ଯେ, ଜିନ୍‍ ବା ବଂଶଗତ ଗୁଣ ସଂଚାରକ କୀଟାଣୁ ସାଙ୍ଗରେ ଗୁନ୍ଥିହୋଇ ରହିଥିବା ଉପାଦାନରେ କିଛି ପରିବର୍ତ୍ତନ କିମ୍ବା ବିକୃତି ଘଟିଥିବ । ଏହିପରି ଏକ ନୂତନ ତଥ୍ୟ ପରବର୍ତ୍ତୀ ବଂଶଧରଙ୍କ ପାଇଁ ସେ ନିର୍ଦ୍ଧାରଣ କରିଦେଇ ଯାଇଥିଲେ । ମୁଲର୍ ତାଙ୍କ ଗବେଷଣା ସମ୍ପର୍କୀୟ ତଥ୍ୟ ୧୯୨୭ ସାଲରେ ପ୍ରକାଶ କଲେ ।

 

କିନ୍ତୁ ଉପରୋକ୍ତ ଉପାଦାନ “ଜିନ୍‍”କୁ ଏପର୍ଯ୍ୟନ୍ତ କେହି ଦେଖିନାହାନ୍ତି କିମ୍ବା ଚିହ୍ନାଇଦେଇ ପାରିନାହାନ୍ତି । କେତେକ ଜୀବତତ୍ତ୍ୱବିଦ୍ ଯୁକ୍ତି ଦର୍ଶାଇଥାନ୍ତି ଯେ, କୋଷରେ ଏହାଛଡ଼ା ଆଉ କିଛି ଜିନିଷ ଅଛି ଯାହା ହୁଏତ ଜାଣିହେଉ ନାହିଁ । ବଂଶଗତ ଗୁଣ ସଞ୍ଚାରରେ ତାହାହିଁ ହୁଏତ କାର୍ଯ୍ୟ କରୁଛି । ନିର୍ଦ୍ଦିଷ୍ଟ ଭାବରେ ଏହାକୁ ଜାଣିବା ପାଇଁ କିଛି ଉପାୟ ଉଦ୍ଭାବନ କରିବାକୁ ହେବ-ଯାହା ଫଳରେ ଏହା କିପରି ଭାବରେ କାର୍ଯ୍ୟ କରୁଛି ତାହା ଜାଣିବା ସମ୍ଭବ ହେବ ।

ଡଃ ଜର୍ଜ ବିଡ଼ଲ୍ ଅନୁଭବ କରିଥିଲେ ଯେ ‘ଜେନ’, ‘ଏଞ୍ଜାଇମ’ ଉପାଦାନକୁ ଯେପରି ଭାବରେ ନିୟନ୍ତ୍ରଣ କରିଥାଏ ସେଇଥିରେ ହିଁ “ଜିନ୍‍’’ ସ୍ଵରୂପ ରହସ୍ୟ ରହିଛି । ରାସାୟନିକମାନଙ୍କ ମତରେ ଠିକ୍ ଯେପରି ଗୋଟିଏ ଚାମୁଚ କୌଣସି ଜିନିଷମାନକୁ ଘାଣ୍ଟି ମିଶାଇ ଦେବାରେ ବ୍ୟବହୃତ ହେଲେ ମଧ୍ୟ ତାହା ସେହିଭଳି ଚାମୁଚ ହୋଇ ରହିଥାଏ, ସେପରି ଉପରୋକ୍ତ ଉପାଦାନ ‘ଏଞ୍ଜାଇମ’ ଅନ୍ୟାନ୍ୟ ଜିନିଷ ଭିତରେ ରାସାୟନିକ ପ୍ରତିକ୍ରିୟା ଘଟାଇ ଥାଏ ସତ୍ୟ ମାତ୍ର ନିଜେ ତା’ଦ୍ୱାରା ପ୍ରଭାବିତ ହୁଏନାହିଁ । ଜୀବନ୍ତ ଜୀବ ସେହିଭଳି ବହୁ ସଂଖ୍ୟକ ‘ଏଞ୍ଜାଇମ’ ଉତ୍ପାଦନ କରିଥାଏ ଏବଂ ସେହି ‘ଏଞ୍ଜାଇମ’ ଗୁଡ଼ିକ ଯୋଗୁହିଁ ଜୀବନ ପ୍ରକ୍ରିୟାର ଅଧିକାଂଶ ଭାଗ ସମ୍ଭବ ହୋଇଥାଏ ।

 

କୌଣସି ଦୁଇଟି ‘ଏଞ୍ଜାଇମ’ ଏକାଭଳି ନୁହେଁ । ପ୍ରତ୍ୟେକଟି ‘ଏଞ୍ଜାଇମ’ କୋଷର ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥାଏ । ସଂଖ୍ୟା ଅନୁସାରେ କୋଷଗୁଡ଼ିକ ପରସ୍ପରଠାରୁ ଭିନ୍ନ ଏବଂ କ୍ଷେତ୍ରଭିତରେ ଯେଉଁ ପ୍ରକାର ‘ଏଞ୍ଜାଇମ’ ଥାଏ ସେଗୁଡ଼ିକ ମଧ୍ୟ ପରସ୍ପରଠାରୁ ଭିନ୍ନ । ବିଡ଼ଲେ ବିଶ୍ଵାସ କରୁଥିଲେ ଯେ, ‘କ୍ରୋମୋଜୋମ’ରେ ଥିବା ପ୍ରତ୍ୟେକ ‘ଜିନ୍‍’ ‘ଏଞ୍ଜାଇମ’ର ଆକାର ପ୍ରକାର ନିର୍ଦ୍ଦିଷ୍ଟ କରିଥାଏ । ସେ କହିଥିଲେ-ଗୋଟିଏ ଜିନ୍‍ ଗୋଟିଏ ଏଞ୍ଜାଇମ ।

 

ବିଡ଼ଲେ ଏବେ ଚିକାଗୋ ବିଶ୍ୱବିଦ୍ୟାଳୟର କୁଳପତିରୂପେ କାର୍ଯ୍ୟ କରୁଛନ୍ତି । ସେ ଯେତେବେଳେ ତାଙ୍କ ଗବେଷଣାର ତଥ୍ୟକୁ ପ୍ରମାଣ କରିବା ଲାଗି ବାହାରିଲେ ସେତେବେଳେ ସେପରି ସୁପରିଚିତ ନଥିଲେ । ୧୯୦୩ ସାଲରେ ନେବ୍ରାସ୍କାର ୱାହୁଠାରେ ତାଙ୍କର ଜନ୍ମ ଏବଂ ୧୯୩୧ରେ ନ୍ୟୁୟର୍କର ଇଥାକାସ୍ଥିତ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରୁ ସେ ପିଏଚ୍.ଡ଼ି ଡିଗ୍ରୀ ଲାଭ କରିଥିଲେ । ୧୯୩୭ରେ ଷ୍ଟାନ୍‍ଫୋର୍ଡ୍ ବିଶ୍ୱବିଦ୍ୟାଳୟରେ ଆଉ ଜଣେ ତରୁଣ ରସାୟନବିଦ୍ ଏଡ଼୍‌ଓ୍ୱ୍ୟାର୍ଡ଼୍‌ ଟାଟମ୍‍ଙ୍କ ସଙ୍ଗେ ଏକାଠି ସେ ଗବେଷଣା ଆରମ୍ଭ କଲେ । ଏଡ଼୍‌ଓ୍ୱ୍ୟାର୍ଡ଼୍‌ ଟାଟାମଜିନ୍‍ ଓ ଏଞ୍ଜାଇମ ସମ୍ପର୍କରେ ତାଙ୍କ ତଥ୍ୟ ପ୍ରକାଶ ଦିଗରେ ତାଙ୍କୁ ସାହାଯ୍ୟ କରିବା ପାଇଁ ସ୍ଥିର କରିଥିଲେ ।

 

ଦୁଇଜଣଯାକ ବୈଜ୍ଞାନିକ ରୁଟିର ମୋଲ୍ଡ଼ ବା ଫିମ୍ପି ନେଇ ପରୀକ୍ଷା କରିବାକୁ ନିଷ୍ପତ୍ତି କଲେ । ଏହି ଫିମ୍ପି ଜାତୀୟ ଜୀବକୁ ‘ନିଉରୋସ୍ପରା’ ବୋଲି କୁହାଯାଇଥାଏ । ନିକଟରେ ଉଦ୍ଭାବନ କରାଯାଇଥିଲା ଯେ, ଫିମ୍ପି ବା କୀଟାଣୁ ଭଳି “ସରଳ” ଜୀବ “ଉଚ୍ଚସ୍ତର” ଜୀବମାନେ ଚାହୁଁଥିବା ଅଧିକାଂଶ ଖାଦ୍ୟପଦାର୍ଥ ଚାହାନ୍ତି ନାହିଁ । ସେମାନେ ଯେଉଁ ଖାଦ୍ୟପଦାର୍ଥ ଚାହାନ୍ତି ତାହା କେତେକ ସାଧାରଣ ଖାଦ୍ୟପଦାର୍ଥରୁ ନିଜେ ଉତ୍ପାଦନ କରିଥାନ୍ତି । ବିଡ଼ଲେ ଓ ଟାଟାମ୍ ପ୍ରକାଶ କରିଥିଲେ ଯେ, ‘ନିଉରୋସ୍ପର’, ବା ଫିମ୍ପି ଜାତୀୟ ଜୀବ ଭିତରେ ନିଜ ପାଇଁ ଦରକାର ହେଉଥିବା ଖାଦ୍ୟପଦାର୍ଥ ଉତ୍ପାଦନ କଲାଭଳି ସମସ୍ତ ‘ଏଞ୍ଜାଇମ’ ରହିଛି । ଯଦି ସେମାନଙ୍କର ପ୍ରକାଶିତ ତଥ୍ୟ ଠିକ୍ ହୋଇଯାଏ ଏବଂ ଯଦି ସେମାନେ ଫିମ୍ପିଜାତୀୟ ଜୀବ ଉପରେ ରଞ୍ଜନରଶ୍ମି ବିସ୍ତାର କରି ଏହାର ‘ଜିନ୍‍’ରେ ପରିବର୍ତ୍ତନ ଘଟାଇପାରନ୍ତି ତାହେଲେ ଏହି ଜାତୀୟ ଜୀବର ଖାଦ୍ୟ ପାଇଁ ଅଧିକା କିଛି ଜିନିଷ ଯୋଗ କରିବାକୁ ହେବ । ନଚେତ୍ ଫିମ୍ଫିରୁ ଜନ୍ମହେଉଥିବା ଜୀବ ବଞ୍ଚିବା ପାଇଁ ଯେଉଁ ଏଞ୍ଜାଇମ ଦରକାର ତାହା ପଠାଇପାରିବେ ନାହିଁ ।

 

ଏହି ପରୀକ୍ଷା ସଫଳ ହୋଇଥିଲା । ବିଡ଼ଲେ ଓ ଟାଟମ୍ ଯେଉଁ ୨୯୯ ତମ ବୀଜାଣୁ ବିକିରଣ କରିଥିଲେ ତା’ଫଳରେ ଜନ୍ମ ହୋଇଥିବା ଜୀବ ବଞ୍ଚିବା ପାଇଁ ଭିଟାମିନ୍ ଦରକାର ପଡ଼ିଥିଲା । ପ୍ରାୟ ଏକ ହଜାର ବିଭିନ୍ନ ପରୀକ୍ଷାପରେ ସେମାନେ ଯେଉଁ ବୀଜାଣୁ ଉତ୍ପାଦନ କରିଥିଲେ ତାହା ବଞ୍ଚିବା ଲାଗି ଭିଟାମିନ୍ ‘ବି୧’ ଦରକାର ହେଲା । ପରେ ସେମାନେ ବହୁ ସଂଖ୍ୟକ ମ୍ୟୁଟାଣ୍ଟ ବା ପରିବର୍ତ୍ତିତ ରୂପର ଜୀବ ଉତ୍ପାଦନ କରିଥିଲେ ଯେଉଁମାନେ କି ‘ନିଉ ରୋସ୍କାର’ ବା ଫିମ୍ଫି ଜାତୀୟ ଜୀବ ସହଜରେ ଯେଉଁସବୁ ଖାଦ୍ୟପଦାର୍ଥ ତିଆରି କରିଥାନ୍ତି ତା’ସାଙ୍ଗରେ ଆଉ କିଛି ଖାଦ୍ୟସାର ମିଶିଥିବା ପଦାର୍ଥ ବିନା ବଞ୍ଚିପାରିବେ ନାହିଁ । ଏହାଦ୍ୱାରା ‘ଜିନ୍‍’ ଗୁଡ଼ିକ ‘ଏଞ୍ଜାଇମ’ର ଉତ୍ପାଦନକୁ ନିୟନ୍ତ୍ରଣ କରିଥାନ୍ତି ବୋଲି ସେମାନେ ଯେଉଁ ତଥ୍ୟ ବୟାନ କରିଥିଲେ ତାହା ପ୍ରମାଣିତ ହୋଇଗଲା । ବିଡ଼ଲେ ଓ ଟାଟମ ସେମାନଙ୍କ ତଥ୍ୟକୁ ୧୯୪୧ସାଲରେ ପ୍ରକାଶ କରିଥିଲେ ଏବଂ ୧୯୫୮ ରେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିଲେ

 

ବଂଶଗତ ଗୁଣ ସଂଚାରଣ ରାସାୟନିକ ଭିତ୍ତି ପ୍ରମାଣିତ ହୋଇଯିବା ପରେ ପ୍ରଜନନତତ୍ତ୍ଵବିଦ୍‍ମାନେ ନୂତନ ଦିଗରେ ଗବେଷଣା ଆରମ୍ଭ କରିଥିଲେ । ଏହି ଅଭିଯାନରେ ସେମାନେ କୋଷର ରାସାୟନିକ ପ୍ରକ୍ରିୟା ସମ୍ପର୍କୀୟ ଗବେଷଣା ଚଳାଇଥିବା ବିଶେଷଜ୍ଞମାନଙ୍କ ସଙ୍ଗେ ଯୋଗଦେଲେ । କୋଷ ସମ୍ପର୍କରେ ବିଶେଷ ଅଧ୍ୟୟନ କରିଥିବା ରସାୟନ ବିଦମାନଙ୍କ ଭିତରେ ଡକ୍ଟର ଆର୍ଥର କର୍ଣ୍ଣବର୍ଗ ଅନ୍ୟତମ । ପରବର୍ତ୍ତୀ ପ୍ରବନ୍ଧରେ ତାଙ୍କ ସମ୍ପର୍କରେ ଆଲୋଚନା କରାଯିବ ।

Image

 

ଜୀବନର ସଂହିତା

-ଆର୍ଥର କର୍ଣ୍ଣବର୍ଗ

 

୧୯୪୧ ସାଲରେ ଜର୍ଜ ବିଡ଼୍ଲ ଓ ଆର୍ଥର୍ ଟାଟମ ପ୍ରମାଣ କରିଦେଇଥିଲେ ଯେ ଜୀବନର ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବା ପାଇଁ “ଜିନ୍‍”ଗୁଡ଼ିକ ରାସାୟନିକ ଧର୍ମରେ କାର୍ଯ୍ୟ କରିଥାନ୍ତି । କିନ୍ତୁ ‘ଜିନ୍‍’ଗୁଡ଼ିକ ‘ଏଞ୍ଜାଇମ’ ର ଉତ୍ପାଦନକୁ ‘କିପରି’ ନିୟନ୍ତ୍ରଣ କରିଥାନ୍ତି ? ଗୋଟିଏ ଗୋଟିଏ ଜିନ୍‍ କାହିଁକି ଗୋଟିଏ ପ୍ରକାରର ‘ଏଞ୍ଜାଇମ’ ଗଠନ କରିଥାନ୍ତି ? –ଅନ୍ୟ କୌଣସି ପ୍ରକାର ଏଞ୍ଜାଇମ ଗଠନ କରନ୍ତି ନାହିଁ କାହିଁକି ? ଏବଂ ଏହି ଜିନ୍‍ କ’ଣ ?

 

୧୯୫୬ ସାଲରେ ଆମେରିକାର ଅନ୍ୟତମ ଜୀବ ରସାୟନ ବିଦ୍ ଡଃ କର୍ଣ୍ଣବର୍ଗ ତାଙ୍କର ପରୀକ୍ଷାରେ ଏପରି ଏକ ସଫଳତା ହାସଲ କଲେ ଯାହା ଫଳରେ କି ମନୁଷ୍ୟ ଦିନେ ତା’ ନିଜର ବଂଶଗତ ଗୁଣର ସଂଚାରଣ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବ । ସେ ତାଙ୍କ ଗବେଷଣାଗାରରେ ଜୀବନ୍ତ କୋଷଛଡ଼ା ଆଉ ଏକ ପଦାର୍ଥ ସୃଷ୍ଟିକଲେ ଯାହାକି “ଜୀବ” ଓ “ନିର୍ଜୀବ”; ଏହି ଦୁଇଟିର ସୀମାରେ ରହିଥିବା ଏକ ପଦାର୍ଥ । ଜିନ୍‍ ସହିତ ଏହାର ବହୁ ସାମଞ୍ଜସ୍ୟ ରହିଥିଲା ।

 

ଡଃ ଆର୍ଥର୍ କର୍ଣ୍ଣବର୍ଗ ନ୍ୟୁୟର୍କ ଅନ୍ତର୍ଗତ ବ୍ରୁକ୍ଲିନଠାରେ ୧୯୧୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ନ୍ୟୁୟର୍କର ସିଟି ଅଫ୍ ନ୍ୟୁୟର୍କ କଲେଜରେ ଯୋଗ ଦେଇଥିଲେ ଏବଂ ୧୯୪୧ ସାଲରେ ରଚେଷ୍ଟସ୍ଲିତ ବିଶ୍ଵବିଦ୍ୟାଳୟରୁ ଏମ୍. ଡି. ଡିଗ୍ରୀ ଲାଭ କରିଥିଲେ । ଚିକିତ୍ସାଶାସ୍ତ୍ର ଅଧ୍ୟୟନ କରୁଥିବା ବେଳେ ସେ ଏନଜାଇମର କାମ ସମ୍ପର୍କରେ ଆଗ୍ରହ ପ୍ରକାଶ କରିଥିଲେ ଏବଂ ୧୯୪୭ରେ ଛୁଟି ନେଇ ନ୍ୟୁୟର୍କ ବିଶ୍ଵବିଦ୍ୟାଳୟରେ ଏ ସମ୍ପର୍କରେ ଅନ୍ୟତମ ବିଶେଷଜ୍ଞ ଡଃ ଓକୋଆଙ୍କ ଅଧୀନରେ ଅଧ୍ୟୟନ କରିଥିଲେ । ଏଞ୍ଜାଇମ କିପରି ତିଆରି ହୁଏ ସେହି ସମସ୍ୟା ସମ୍ପର୍କରେ ସେମାନେ ଗବେଷଣା କରିବାକୁ ଚାହିଁଲେ ।

 

୧୯୪୦ ଶତକ ଭିତରେ କି କି ରାସାୟନିକ କୋଷର ମିଶ୍ରଣରେ କୋଷ ନିର୍ମିତ ହୋଇଛି ସେ ସମ୍ବନ୍ଧରେ ରସାୟନବିଦ୍‍ମାନେ ବହୁ ଗବେଷଣା କରିଥିଲେ । ଜୀବନ୍ତ କୋଷର ଦୁଇଟି ପ୍ରଧାନ ଭାଗ ରହିଛି । କୋଷର ବଡ଼ ଅଂଶର ବେଶୀ ଭାଗକୁ “ସାଇଟୋପ୍ଲାଜମ୍” କୁହାଯାଏ-। କ୍ଷୁଦ୍ରଅଂଶର କେନ୍ଦ୍ରଭୂମିରେ ‘କ୍ରୋମୋଜମ୍’ ଥାଏ ଏବଂ ଏଥିରୁ ଏଞ୍ଜାଇମ ଉତ୍ପାଦିତ ହୁଏ-। ରାସାୟନବିଦ୍‍ମାନେ ଜାଣିପାରିଥିଲେ ଯେ, ଏହି କେନ୍ଦ୍ରଭୂମି ପ୍ରୋଟିନ୍ ଓ “ନ୍ୟୁକ୍ଲିଆଇକ୍ ଏସିଡ଼୍‍” ନାମକ ଜିନିଷରେ ଗଠିତ ହୋଇଛି । “ନ୍ୟୁକ୍ଲିଆଇକ୍ ଏସିଡ଼” ଦୁଇ ପ୍ରକାରର–‘‘ରିବୋ ନ୍ୟୁକ୍ଲିଆଇକ୍ ଏସିଡ଼୍‍” (RNA) ଏବଂ “ଡିଓକ୍ଲିରିକୋ ନ୍ୟୁକ୍ଲିକ୍ ଏସିଡ଼୍” (DNA) । ପ୍ରଥମୋକ୍ତଟି (RNA) “ସାଇଟୋପ୍ଳାଜମ୍”ରେ ଅଧିକାଂଶ ଭାଗ ଦେଖାଯାଏ ଏବଂ ଏଥିରୁ ଅଳ୍ପ ଅଂଶ ହେଉଛି କେନ୍ଦ୍ରଭୂମି । କିନ୍ତୁ ଡି.ଏନ୍.ଏ. (DNA) କେବଳ କେନ୍ଦ୍ରଭୂମିରେ ହିଁ ଥାଏ ଏବଂ ବାହାରେ ଅନ୍ୟତ୍ର କେଉଁଠି ଦେଖାଯାଏ ନାହିଁ ।

 

ଡି.ଏନ୍.ଏ.(DNA) ଗୁରୁତ୍ଵ ବହୁଦିନପରେ ଉପଲବ୍ଧି କରାଯାଇଥିଲା । ୧୯୪୪ ସାଲ ପର୍ଯ୍ୟନ୍ତ ଅଧିକାଂଶ ଜୀବ-ରସାୟନବିଦ୍ ଅନୁମାନ କରୁଥିଲେ ଯେ, କେନ୍ଦ୍ରଭୂମିରେ ଅବା ପ୍ରୋଟିନ୍ ଉତ୍ପାଦନ ଯୋଗ ବଂଶଗତ ଗୁଣର ସଂଚାର ହୋଇଥାଏ-ନ୍ୟୁକ୍ଲିକ୍ ଏସିଡ଼୍ ଦ୍ଵାରା ନୁହେଁ । କିନ୍ତୁ ୧୯୪୪ ସାଲରେ ପ୍ରଜନନ ବିଜ୍ଞାନବିଦମାନଙ୍କର ଚିନ୍ତା କ୍ଷେତ୍ରରେ ବିପ୍ଲବ ସଂଘଟିତ ହେଲା । ୧୯୨୮ରେ ଇଂରେଜ ଚିକିତ୍ସକ ଫେଡ଼େରିକ୍ ଗ୍ରିଫିଥ୍ ଯେଉଁ ପରୀକ୍ଷା ଚଳାଇଥିଲେ ତାରି ଯୋଗୁଁ ଏହା ସମ୍ଭବ ହୋଇଥିଲା । ସେ ନିମୋକୋକସ୍ ବୋଲି କୁହାଯାଉଥିବା ଏକ ପ୍ରକାର ରୋଗ କୀଟାଣୁକୁ (ଯାହାକୁ ସେ ‘ଆର୍’ ଟାଇପ୍ ବୋଲି ଅଭିହିତ କରିଥିଲେ ) ଅନ୍ୟ ଏକ ପ୍ରକାରର ମୃତ କୋଷ ଥିବା ରକ୍ତର ଜଳୀୟ ଅଂଶରେ ଛାଡ଼ିଦେଲେ । ଏହାକୁ ସେ ‘ଏସ୍’ ଟାଇପ୍ ବୋଲି କହୁଥିଲେ-। ସେ ଦେଖିଲେ ଯେ, “ଆର୍” ଟାଇପ୍ ରୋଗକୀଟାଣୁ “ଏସ୍” ଟାଇପ କୀଟାଣୁରେ ପରିବର୍ତ୍ତିତ ହୋଇଯାଉଛି । ଏହି ଉଦ୍ଭାବନରେ ସେ ନିଜେ ମଧ୍ୟ ବିସ୍ମିତ ହୋଇଯାଇଥିଲେ ।

 

୧୯୪୪ ସାଲରେ ଆମେରିକାର ଦଳେ ଜୀବରସାୟନବିଦ୍ ଚିକିତ୍ସକ ଓସୱାଲ୍ଡ଼ ଟି. ଆଭେରିଙ୍କ ଅଧୀନରେ ଗବେଷଣା କରିଉପରୋକ୍ତ ପରିବର୍ତ୍ତନ ଘଟାଇଥିବା ଜିନିଷକୁ ଅଲଗା କରିବାରେ ସଫଳ ହୋଇଯାଇଥିଲେ । ସେ ଏବଂ ତାଙ୍କ ସହକର୍ମୀମାନେ ଏହା ବିଶ୍ଳେଷଣ କରି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଏହା ଥିଲା ଶୁଦ୍ଧ ନ୍ୟୁକ୍ଲିକ୍ ଏସିଡ଼୍-ଡି.ଏନ୍. ଏ. ଏବଂ ଏହା ସଙ୍ଗେ ପ୍ରୋଟିନର କୌଣସି ସମ୍ପର୍କ ନଥିଲା ।

ଯଦିଓ ପ୍ରଜନନ ବିଜ୍ଞାନବିଦ୍‍ ମାନେ କ୍ରମଶଃ ଡି. ଏନ୍. ଏ ହିଁ ବଂଶଗତ ଗୁଣ ସଂଚାରଣ ଓ ଜୀବନ ନିୟନ୍ତ୍ରଣ କରୁଛି ବୋଲି ଗ୍ରହଣ କରିନେଇଥିଲେ ତଥାପି ଏହା କିପରି କାମ କରୁଛି ତାହା ସେମାନେ ଜାଣିପାରି ନଥିଲେ । ଡି. ଏନ୍. ଏ. ଏକ ଜଟିଳ ମଲିକ୍ୟୁଲ-ଏଥିରେ ହଜାର ହଜାର ୟୁନିଟ୍‍ର ସୁଗାର (ଚିନି ଜାତୀୟ ଦ୍ରବ୍ୟ), ଡିଓକ୍କି ସରିବୋସ୍, ଫସ୍ଫେଟସ୍ ଏବଂ ଆଡ଼େନାଇନ୍, ସାଇଟୋସାଇନ୍, ଗୁଆନାଇନ୍ ଓ ଥାଇମାଇନ ପରି ଚାରିପ୍ରକାର ନାଇଟ୍ରୋଜନ୍ କମ୍ପାଉଣ୍ଡ ଗୁନ୍ଥିହୋଇ ରହିଛି । ସଂକ୍ଷେପରେ ଏହାକୁ ଏ, ସି, ଜି, ଟି (A, C, G, T) କୁହାଯାଇଥାଏ । ଏହି ସବୁ ୟୁନିଟ୍ କିପରି ଗୁନ୍ଥିହୋଇ ରହିଛି ?

 

୧୯୫୩ ସାଲରେ ବ୍ରିଟିଶ ଜୀବରସାୟନବିଦ୍‍ ଏଫ୍.ଏଚ୍ .ସି. କ୍ରିକ୍ ଓ ଜେ.ଡ଼ି. ୱାଟସନ୍ ରଞ୍ଜନରଶ୍ମି ସାହାଯ୍ୟରେ “ଡି.ଏନ୍.ଏ” କୁ ଅଧ୍ୟୟନ କରିଥିଲେ । ସେମାନେ ଏକ ରେଖାଚିତ୍ର ପ୍ରସ୍ତୁତ କରିଥିଲେ ଏବଂ ଭାବିଥିଲେ ଯେ, ମଲିକ୍ୟୁଲ ଏହିପରି ଦେଖାଯାଏ । ସେମାନେ ମଧ୍ୟ କହିଥିଲେ ଯେ, ଏହି ରେଖାଚିତ୍ରଟି ଦୁଇଟି ସୁତା ଦ୍ଵାରା ତିଆରି ଏବଂ ଅକ୍ଷ ଚାରିପଟେ ଏହା ଗୁଡ଼ା ହୋଇଛି । ଏହା ଏ, ସି, ଜି, ଟି, ଉପାଦାନଗୁଡ଼ିକ ଦ୍ୱାରା ସଂଯୁକ୍ତ ହୋଇଛି । ଯଦି ଏହି ଦୁଇଟି ସୁତା ପରସ୍ପରଠାରୁ ଅଲଗା ହୋଇଯାଏ, ତା’ହେଲେ ଗୋଟିଏ ଅନ୍ୟଟିକୁ ଦ୍ଵିଗୁଣିତ କରିଦେବ ।

 

ଏହା ଭିତରେ ଡଃ କର୍ଣ୍ଣବର୍ଗ ଏ, ସି, ଜି, ଟି, କିପରି ଉତ୍ପାଦିତ ହୁଏ ତାହା ନିଜେ ପରୀକ୍ଷା କରିଦେଖିଥିଲେ । ଏ ସମ୍ପର୍କରେ ୱାଟସନ-ତ୍ରିନ୍ ପନ୍ଥାକୁ ଆଦର୍ଶ ଭାବରେ ବ୍ୟବହାର କରିବା ଲାଗି ସେ ସ୍ଥିର କରିଥିଲେ ଏବଂ ‘ଡି.ଏନ୍.ଏ’ ର ଗୋଟିଏ ମଲିକ୍ୟୁଲ ତିଆରି କରିବାକୁ ଚେଷ୍ଟା କରିଥିଲେ । “ଡି.ଏନ୍.ଏ” ଉତ୍ପାଦନ କରିବାପାଇଁ କୋଷ ଯେଉଁ ଏଞ୍ଜାଇମ ବ୍ୟବହାର କରିଥାଏ ଡଃ କର୍ଣ୍ଣବର୍ଗ ଓ ତାଙ୍କ ସହଯୋଗୀମାନେ ସେହି ଏଞ୍ଜାଇମର ସନ୍ଧାନ ପାଇଥିଲେ । ତା’ପରେ ସେମାନେ ଏ, ସି, ଜି, ଟି, ରାସାୟନିକ ଉପାଦାନ ଗୁଡ଼ିକୁ ସାମାନ୍ୟ ପ୍ରାକୃତିକ, ଡି.ଏନ୍.ଏ ସହିତ ମିଶାଇ ପରୀକ୍ଷାନଳି ଭିତରେ ରଖିଥିଲେ ଏବଂ ତା’ ସହିତ ଏଞ୍ଜାଇମ ମିଶାଇଥିଲେ ।

 

ଏଥିରେ ନୂତନ ପ୍ରକାରର “ଡି.ଏନ୍.ଏ” ଗଠିତ ହେଲା । କର୍ଣ୍ଣବର୍ଗ ଜୀବନ୍ତ କୋଷ ଛଡ଼ା ବଂଶଗତ ଗୁଣ ସଂଚାରକ ପଦାର୍ଥ ସୃଷ୍ଟି କରିବାରେ ମଧ୍ୟ ସଫଳ ହୋଇଥିଲେ । ପୂର୍ବବର୍ଷ ତାଙ୍କର ପୂର୍ବତନ ଶିକ୍ଷକ ଡ଼ଃ ଓକୋଆ ଅନ୍ୟ ଆକାରର ନ୍ୟୁକ୍ଳିକ୍ ଏସିଡ଼୍‍ ଆର୍. ଏନ୍. ଏ କୁ ଦ୍ୱିଗୁଣିତ କରିବାରେ ସଫଳ ହୋଇଥିଲେ । ସେମାନେ ଦୁଇଜଣ ୧୯୫୯ରେ ନିଜ ନିଜର ଉଦ୍ଭାବନ ପାଇଁ ନୋବେଲ୍ ପୁରସ୍କାର ପାଇଲେ ।

 

ବର୍ତ୍ତମାନ ବିଶ୍ୱାସ କରାଯାଉଛି ଯେ, କୋଷର ସାଇଟୋପ୍ଲାଜମ ପ୍ରୋଟିନ୍ ଓ ଏଞ୍ଜାଇମର ସୃଷ୍ଟି ପାଇଁ ଦାୟୀ । ଡି. ଏନ୍.ଏ.ରେ ହିଁ ମୂଳସୂତ୍ର ରହିଛି ଏବଂ କି ପ୍ରକାର ଓ କେତେ ପରିମାଣରେ ତିଆରି କରିବାକୁ ହେବ ତାହା “ଆର୍.ଏନ୍.ଏ.” କୁ କହିଦେଇଥାଏ । ଉକ୍ତ ମୂଳସୂତ୍ର ବା ନିୟମାବଳୀରେ ଏ, ସି, ଜି, ଟି-ଏହି ଅକ୍ଷରଗୁଡ଼ିକର ଅନୁକ୍ରମ ଓ ପ୍ରତ୍ୟେକ ଅନୁକ୍ରମର କେତେଥର ପୁନରାବୃତ୍ତି ହୁଏ ସେ ସମସ୍ତ ରହିଛି । ଯଦି ଏହି ସୂତ୍ର ବା ନିୟମାବଳୀର କୌଣସି କ୍ଷୁନ୍ଦ୍ର ଅଂଶରେ ପରିବର୍ତ୍ତନ ଘଟେ ତେବେ ଫଳାଫଳ ବିକୃତ ହୋଇଯିବ ।

 

ଡି.ଏନ୍.ଏ. ଏକ ନିର୍ଜୀବ ରାସାୟନିକ ପଦାର୍ଥ କି ଏହା ସଜୀବ ? ବୋଧହୁଏ ଏହାର ସର୍ବାପେକ୍ଷା ସନ୍ତୋଷଜନକ ଉତ୍ତର ହେବ ଯେ, ଏହା ଉଭୟେ । ଡ଼ି.ଏନ୍ ଏ. ହେଲା ଏକ ରାସାୟନିକ ମଲିକ୍ୟୁଲ-ଏଥିରେ ଗୋଟିଏ ଜୀବନ୍ତ ପଦାର୍ଥର “ଉଚ୍ଚତମ” ଠାରୁ “ନିମ୍ନତମ” ଆକାର ପର୍ଯ୍ୟନ୍ତ ଏକ ନକ୍ସା ତିଆରି କରିବା ପାଇଁ ଯେଉଁ ସମସ୍ତ ବିବରଣୀ ଆବଶ୍ୟକ ତାହା ରହିଛି ।

 

ତାଙ୍କ ମୌଳିକ ଉଦ୍ଭାବନ ପରେ କର୍ଣ୍ଣବର୍ଗ ବହୁପ୍ରକାରର ରୋଗ ଜୀବାଣୁ ଓ ଡ଼ି.ଏନ୍.ଏ. ପ୍ରସ୍ତୁତ କରିଛନ୍ତି । ପ୍ରଜନନ ବିଜ୍ଞାନବିଦ୍ ଓ ଜୀବରସାୟନବିଦ୍‍ମାନେ ଆଶା କରୁଛନ୍ତି ଯେ, ସେମାନେ ଉକ୍ତ ମୂଳସୂତ୍ର ବା ନିୟମାବଳି ସମ୍ପର୍କରେ ଯେତେ ଅଧିକ ଅଧ୍ୟୟନ କରିବେ ସେତେ ପରିମାଣରେ କର୍କଟ ରୋଗକୁ ଆୟତ୍ତ କରିପାରିବେ । ମନୁଷ୍ୟକୁ ଏ ରୋଗ ଯେପରି ଆକ୍ରମଣ କରିପାରିବ ନାହିଁ ସେ ଦିଗରେ ମଧ୍ୟ ବିହିତ ଉପାୟ ସ୍ଥର ହୋଇପାରିବ । ସେମାନେ କହନ୍ତି ଯେ, ଶେଷରେ ସେମାନେ ପଶୁ ବା ମନୁଷ୍ୟ ଭିତରେ ଏପରି ଡ଼ି.ଏନ୍.ଏ. ସ୍ଥାପନ କରିବାରେ ସମର୍ଥ ହେବେ ଯେଉଁଥିରେ କି ଉନ୍ନତ ଗୁଣ ରହିଥିବ ଏବଂ ହେମୋଫିଲିଆ ବଂଶାନୁକ୍ରମିକ ମାନସିକ ରୋଗର ସଂଚାରଣ ବନ୍ଦ କରାଯାଇପାରିବ । ମନୁଷ୍ୟର ବଂଶଗତ ଗୁଣକୁ ଉନ୍ନତ ମଧ୍ୟ କରାଯାଇପାରିବ । ଡଃ କର୍ଣ୍ଣବର୍ଗ ଓ ଅନ୍ୟ ବୈଜ୍ଞାନିକମାନଙ୍କ ଯୋଗୁ ସମଗ୍ର ମାନବଜାତି ଏକ ନୂତନ ଓ ଉତ୍ତେଜନାପୂର୍ଣ୍ଣ ଯୁଗରେ ପଦାର୍ପଣ କରିବାର ସମ୍ଭାବନା ରହିଛି ।

Image

 

ଜୀବନର ଜ୍ୟାମିତି

-ଲିନସ କାର୍ଲ ପଲିଙ୍ଗ

 

୧୯୩୧ ମସିହାରେ ଲିନସ୍ ପଲିଙ୍ଗ ନାମକ ଜଣେ ରସାୟନ ବିଜ୍ଞାନବିଦ୍ ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଓ ଜୀବ ବିଜ୍ଞାନ ଯେଉଁ ସୀମାରେଖାରେ ଯାଇ ମିଶିଛନ୍ତି ସେଠାରେ ଉପନୀତ ହୋଇ ଜୀବନର ନିର୍ମାଣ ପଦ୍ଧତି ସମ୍ବନ୍ଧରେ ବହୁ କଳ୍ପନା କରିଥିଲେ–ଶରୀରର କୋଷଗୁଡ଼ିକର ଆକାର ଏମିତି କାହିଁକି ହେଲା ? କୋଷଗୁଡ଼ିକ ଯେପରି ଭାବରେ କାମ କରନ୍ତି-ରକ୍ତ କୋଷଗୁଡ଼ିକ ରୋଗ ବିରୁଦ୍ଧରେ ଯେପରି ଲଢ଼େଇ କରନ୍ତି ତା ସହିତ କୋଷଗୁଡ଼ିକର ନିର୍ଦ୍ଦିଷ୍ଟ ଆକାରର କି ସମ୍ବନ୍ଧ ଅଛି, ଶରୀରର ଅଣୁ ଓ ମଲିକ୍ୟୁଲ କିପରି ଏକାଠି ହୁଅନ୍ତି ଏବଂ ତା ସହିତ ଜୀବନ ପ୍ରକ୍ରିୟାର କି ସମ୍ବନ୍ଧ ରହିଛି ?

 

ଡକ୍ଟର ପଲିଙ୍ଗ ୧୯୩୧ ମସିହାରେ ପ୍ରଥମେ ଯେତେବେଳେ ଜୀବନ୍ତପ୍ରାଣୀ ପ୍ରତି ମନୋନିବେଶ କଲେ ସେତେବେଳେ ତାଙ୍କର ବୟସ ୩୦ ବର୍ଷ ସେତେବେଳକୁ ସେ ପୃଥିବୀର ଅନ୍ୟତମ ବିଶିଷ୍ଟ ବୈଜ୍ଞାନିକ ଭାବରେ ସୁଖ୍ୟାତି ଲାଭ କରିସାରିଥିଲେ ।

 

ଲିନସ୍ କାର୍ଲ ପଲିଙ୍ଗ ଓରେଗ ଅନ୍ତର୍ଗତ ପୋଟଲାଣ୍ଡଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ଔଷଧ ପ୍ରସ୍ତୁତକାରୀ ଥିଲେ । ବାଲ୍ୟକାଳରେ ଜଣେ ରାସାୟନବିଜ୍ଞାନବିଦ୍ ହେବେ ବୋଲି ଲିନସ୍ ସ୍ଥିର କରିଥିଲେ । ମାତ୍ର ୯ ବର୍ଷ ବୟସରେ ଏକ ବୈଜ୍ଞାନିକ ତଥ୍ୟ ବିଷୟରେ ସେ ପ୍ରଥମେ ପରୀକ୍ଷା ଆରମ୍ଭ କରିଥିଲେ ବୋଲି ତାଙ୍କର ମନେ ଅଛି । ତାଙ୍କ ବାସଭବନରେ ଗୋଟିଏ କ୍ଷୁଦ୍ର ଗବେଷଣାଗାର ଥିଲା । ପ୍ରଥମେ ସେ ତାଙ୍କ ଗବେଷଣାଗାରରେ ଏକ ପାଉଡ଼ର ପ୍ରସ୍ତୁତ କରିଥିଲେ ଏବଂ ତାକୁ ରାସ୍ତା ଉପରେ ପକାଇ ଦେଇଥିଲେ । ସେହି ରାସ୍ତା ଉପରେ ଦେଇ ଯାଉଥିବା ଗୋଟିଏ ମଟରଗାଡ଼ି ତା’ ଉପର ଦେଇ ଚାଲିଯିବା ପରେ ବିସ୍ଫୋରଣ ଘଟିଥିଲା ।

 

ପଲିଙ୍ଗ ଓରେଗଁ ଷ୍ଟେଟ୍ କୃଷି କଲେଜରେ ରାସାୟନିକ ଇଞ୍ଜିନିୟରିଂ ଅଧ୍ୟୟନ ଶେଷ କରିଥିଲେ । ତାଙ୍କୁ ୧୮ ବର୍ଷ ହୋଇଥିବା ସମୟରେ ସେ ଏକ ପୁସ୍ତକ ଅଧ୍ୟୟନ କଲେ, ଯାହାକି ତାଙ୍କ ଜୀବନର ଲକ୍ଷ୍ୟ ସ୍ଥିର କରିଦେଇଥିଲା ।

 

ସେହି ପୁସ୍ତକଟି ହେଲା “ଇଲେକ୍ଟ୍ରୋନ ବଣ୍ଡ୍‍” । ଏହାର ଅନ୍ୟ ନାମ “କେମିକାଲ ବଣ୍ଡ୍‍”-। ବିଭିନ୍ନ ଉପାଦାନର ଅଣୁ ଏକାଠି ହୋଇ ଏକ ସମ୍ପୂର୍ଣ୍ଣ ନୂତନ ଉପାଦାନ–ମଲିକ୍ୟୁଲ ଗଠିତ ହେବାର ପଦ୍ଧତି (ଦୃଷ୍ଟାନ୍ତ ସ୍ୱରୂପ ଦୁଇଟି ହାଇଡ୍ରୋଜେନ ଅଣୁ ଅକ୍ସିଜେନର ଗୋଟିଏ ଅଣୁ ସହିତ ମିଶି ପାଣି ଗଠିତ ହୁଏ) ବିଷୟରେ ଉକ୍ତ ପୁସ୍ତକରେ ଆଲୋଚନା କରାଯାଇଛି । ଅଣୁଗୁଡ଼ିକ ସେମାନଙ୍କର ଧନାତ୍ମକ ଋଣାତ୍ମକ ବିଦ୍ୟୁତ୍‍ ଶକ୍ତି ଅନୁସାରେ ଏକାଠି ମିଳିତ ହୋଇଥାନ୍ତି-। ଏହା ମଧ୍ୟ ସେମାନଙ୍କର ଇଲେକ୍ଟ୍ରୋନର ସଂଖ୍ୟା ଓ ଗଠନ ପ୍ରଣାଳୀ ଉପରେ ନିର୍ଭର କରେ ।

 

ଡକ୍ତରେଟ୍‍ ଡିଗ୍ରୀ ପାଇଁ ଗବେଷଣା କରୁଥିବାବେଳେ ପଲିଙ୍ଗ” “ରାସାୟନିକ ସଂହତି” ର ପ୍ରକୃତ ବିଷୟରେ ଅଧ୍ୟୟନ କରିଥିଲେ । କ୍ଵାଣ୍ଟମ୍‍ ମେକାନିକ୍ସ ସୂତ୍ର ଅର୍ଥାତ୍ ଅଣୁ କଣିକାର ଗୁଣକୁ ନିୟନ୍ତ୍ରଣ କରୁଥିବା ନିୟମକୁ ସ୍ଫଟିକ ବା ସ୍ଫଟିକ ନିର୍ମିତ ଦାନା ଓ ଧାତୁ ତିଆରି କରିବାରେ ରାସାୟନିକ ସଂହତି ସମ୍ବନ୍ଧୀୟ ଅଧ୍ୟୟନ ପ୍ରତି ପ୍ରୟୋଗ କରି ସେ ପ୍ରସିଦ୍ଧ ଲାଭ କରିଥିଲେ । ସେ ଦେଖାଇ ଦେଇଥିଲେ ଯେ ଅଣୁର ଅନ୍ତର୍ନିହିତ କମ୍ପନ (ଯାହାକୁ ସେ ରେଜୋନାସ୍ ବୋଲି କହିଥିଲେ) ଯେଉଁ ଶକ୍ତି ସୃଷ୍ଟି କରେ ତାହାହିଁ ମଲିକ୍ୟୁଲକୁ ବାନ୍ଧି ରଖିଥାଏ । ସେ କହିଥିଲେ ଯେ ଉକ୍ତ ନିୟମ ଅନୁସାରେ ଅଣୁଗୁଡ଼ିକ କେତେକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ନିଶ୍ଚୟ ଏକାଠି ହୋଇ ରହିବେ ଏବଂ ସେମାନେ ଯେଉଁ ମଲିକ୍ୟୁଲ ଗଠନ କରିବେ ତାହା ଏକ ଜ୍ୟାମିତିକ ଆକାର ଧାରଣା କରିବ-। ଏହା କି ଆକାର ଧାରଣ କରିବ ତାହା ଆଗରୁ କହିଦେଇ ହେବ ।

 

ପଲିଙ୍ଗଙ୍କ ଉଦ୍ଭାବିତ ଅନୁକମ୍ପନ ନିୟମ ଅଧ୍ୟୟନ ଫଳରେ ରସାୟନ ବିଜ୍ଞାନର ଗଠନ ସମ୍ବନ୍ଧରେ ସମଗ୍ର ଭାବରେ ଏକ ନୂତନ କ୍ଷେତ୍ର ପ୍ରସ୍ତୁତ ହୋଇପାରିଥିଲା । ମଲିକ୍ୟୁଲର ଜ୍ୟାମିତି ସମ୍ବନ୍ଧୀୟ ବିଜ୍ଞାନ ରସାୟନବିଜ୍ଞାନବିଦମାନଙ୍କୁ ପଦାର୍ଥର ଗୁଣ ବୁଝିବାପାଇଁ ଏକ ନୂତନ ଦିଗ୍‍ଦର୍ଶନ ଦେଇଛି ଏବଂ ସେମାନେ କୌଣସି ନୂତନ ପରୀକ୍ଷା ନଳୀରେ ସୃଷ୍ଟି କରିବା ପୂର୍ବରୁ ଏହାର ଗୁଣ କ’ଣ ହେବ ତାହା କହିଦେବା ସେମାନଙ୍କ ପକ୍ଷରେ ସମ୍ଭବ ହେବ ।

 

ପଲିଙ୍ଗ କହିଥିଲେ ଯେ ଦାନା ପ୍ରତି ଯେଉଁ ନିୟମ ପ୍ରଯୁଜ୍ୟ ଜୀବନ୍ତ କୋଷ ପ୍ରତି ନିଶ୍ଚୟ ସେହି ନିୟମ ପ୍ରଯୁଜ୍ୟ ହେବ ଏବଂ ମଲିକ୍ୟୁଲର ଜ୍ୟାମିତି ଉପରେ ଜୀବନ ନିର୍ଭର କରେ । ଏ କ୍ଷେତ୍ରରେ ତାଙ୍କର ପ୍ରଥମ ଗୁରୁତ୍ଵପୂର୍ଣ୍ଣ ଆବିଷ୍କାର ହେଲା–ରକ୍ତରେ ମଲିକ୍ୟୁଲର ପ୍ରତିକ୍ରିୟା । ରୋଗ ଜୀବାଣୁ ଓ କୀଟାଣୁର ଅଧିକାଂଶ ଭାଗ ହେଲା ପ୍ରୋଟିନ । ସେଗୁଡ଼ିକ ଯେତେବେଳେ ରକ୍ତରେ ପ୍ରବେଶ କରନ୍ତି, ସେତେବେଳେ ତାଙ୍କୁ “ଆଣ୍ଟିଜେନ” ଅର୍ଥାତ୍ “ଜୀବନ ବିରୋଧୀ” ବୋଲି କୁହାଯାଏ-। ରକ୍ତ ଅନ୍ୟାନ୍ୟ ପ୍ରୋଟିନ ସୃଷ୍ଟି କରିସେମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିଥାଏ । ସେହି ପ୍ରୋଟିନକୁ “ଆଣ୍ଟିବଡ଼ି” ବୋଲି କୁହାଯାଏ । ଏମାନେ ଆକ୍ରମଣକାରୀକୁ ନଷ୍ଟ କରିଦିଅନ୍ତି ବା ସେମାନଙ୍କର ଅନିଷ୍ଟକାରୀ ଗୁଣକୁ ଲୋପ କରିଦିଅନ୍ତି । ଆଣ୍ଟିବଡ଼ିଗୁଡ଼ିକ କିପରି ସୃଷ୍ଟି ହୁଏ ଏବଂ ସେମାନେ କିପରି କାମ କରନ୍ତି ତାହା ଏପର୍ଯ୍ୟନ୍ତ ରହସ୍ୟମୟ ହୋଇ ରହିଥିଲା ।

 

୧୯୪୨ ମସିହାରେ ଡକ୍ଟର ପଲିଙ୍ଗ ଓ ତାଙ୍କର ଦୁଇଜଣ ସହଯୋଗୀ ଡକ୍ଟର ଡନ୍ କ୍ୟାମ୍ପବେଲ୍ ଓ ଡକ୍ଟର ଡାଭିଡ଼ ପ୍ରେସ୍‍ମାନ୍ ପରୀକ୍ଷାକରି ଦେଖାଇଦେଇଥିଲେ ଯେ ଆଣ୍ଟିବଡ଼ିଗୁଡ଼ିକର ଉତ୍ପାଦନ ରକ୍ତରେ ପ୍ରୋଟିନ ମଲିକ୍ୟୁଲ ଆକାରର ପରିବର୍ତ୍ତନ ଉପରେ ନିର୍ଭର କରେ–ଏହାକୁ ସେରମ୍ ଗ୍ଳୋବିନ ବୋଲି କୁହାଯାଇଥାଏ । ‘ଆଣ୍ଟିବଡ଼ିଗୁଡ଼ିକ’ ‘ଜୀବନବିରୋଧୀ’ ଅନିଷ୍ଟକାରୀ ଜୀବାଣୁଗୁଡ଼ିକ ଉପର ଭାଗକୁ ସେହି ଆକ୍ରମଣକାରୀ ଜୀବାଣୁଗୁଡ଼ିକଦ୍ୱାରା ବନ୍ଦ କରି ତା’ ବିରୁଦ୍ଧରେ ଲଢ଼େଇ କରିଥାନ୍ତି ଏବଂ ତାର ଅନିଷ୍ଟକାରୀ-ଗୁଣ ନଷ୍ଟ କରିଦିଅନ୍ତି । ‘ଆଣ୍ଟିବଡ଼ି’, ଏବଂ ଜୀବନ ବିରୋଧୀ’ ଜୀବାଣୁ ଭିତରେ “ତାଲା ପକାଇ ବନ୍ଦ କରିଦେବା” ସମ୍ବନ୍ଧ ରହିଛି । ଡକ୍ଟର ପଲିଙ୍ଗ ଏକ ଦୃଷ୍ଟାନ୍ତ ଦେଇ କହିଥିଲେ ଯେ ମିଳିମିଳା ଜୀବାଣୁ ବିରୁଦ୍ଧରେ ଲଢ଼େଇ କରିବାପାଇଁ ତିଆରି ହୋଇଥିବା ପ୍ରତି ଜୀବାଣୁ ଅନ୍ୟ କୈଣସି ଆକ୍ରମଣକାରୀ ରୋଗ ଜୀବାଣୁର ସାମାନ୍ୟ ବା କିଛି ଅନିଷ୍ଟ କରିପାରିବ ନାହିଁ । ଡକ୍ଟର ପଲିଙ୍ଗ ଓ ତାଙ୍କ ସହଯୋଗୀମାନେ ରକ୍ତରେ ଥିବା ପ୍ରୋଟିନ ମଲିକ୍ୟୁଲର ଆକାରକୁ ପରିବର୍ତ୍ତନ କରିଦେଇ ପରୀକ୍ଷାନଳୀରେ ରୋଗ ଜୀବାଣୁ ନଷ୍ଟକାରି ବା ‘ଆଣ୍ଟିବଡ଼ି’ ପ୍ରତିଜୀବାଣୁ ଉତ୍ପାଦନ କରିବାକୁ ମଧ୍ୟ ସକ୍ଷମ ହୋଇଥିଲେ ।

 

୧୯୪୫ ମସିହାରେ ଡକ୍ଟର ପଲିଙ୍ଗ ଓ ଡକ୍ଟର କ୍ୟାମ୍ପବେଲଙ୍କ ନେତୃତ୍ଵରେ ଦଳେ ରସାୟନବିଜ୍ଞାନବିଦ୍ ଗେଲାଟିନ୍ ବା ଶିରିଷରୁ ରକ୍ତର ଜଳୀୟ ଅଂଶର ପ୍ରତିବଦଳରେ ଏକ ଜିନିଷ ଉତ୍ପାଦନ କରିବାପାଇଁ ସମର୍ଥ ହୋଇଥିଲେ । ଏହାକୁ ଅକ୍ସିପୋଲିଗେଲାଟିନ୍ କୁହାଯାଏ । ଏହାକୁ ରକ୍ତ ସଂଚାର ପାଇଁ ସଫଳତା ସହିତ ବ୍ୟବହାର କରାଯାଉଛି ଏବଂ ଏଥିରେ ଅତି ଅଳ୍ପ ବ୍ୟୟରେ ଏବଂ ସରଳ ଉପାୟରେ ପ୍ରାକୃତିକ ରକ୍ତର ଜଳୀୟ ଅଂଶ ମିଳିପାରିବ ।

 

ଡକ୍ଟର ପଲିଙ୍ଗଙ୍କର ପରବର୍ତ୍ତୀ ପ୍ରଧାନ କୃତିତ୍ଵ ସିକଲ୍-ସେଲ ଆନେମିଆ ରୋଗର କାରଣ ଆବିଷ୍କାର । ୧୯୪୯ ମସିହାରେ ସେ ଏହି ଆବିଷ୍କାର କରିଥିଲେ । ଏହି ଅଦ୍ଭୁତ ରୋଗ ନିଗ୍ରୋମାନଙ୍କ ଭିତରେ ଏକ ବଂଶଗତ ରୋଗ । ରକ୍ତରେ ଥିବା ଲାଲ ରକ୍ତକଣିକା ଶରୀରର କୋଷକୁ ଅକ୍ସିଜେନ ବହନ କରିନେବାପାଇଁ ଅକ୍ଷମ ହେବା ଏବଂ କାର୍ବନ ଡାଇଅକ୍ସାଇଡ଼୍ ଭଳି ପରିତ୍ୟକ୍ତ ପଦାର୍ଥକୁ ବାହାର କରିବାପାଇଁ ଅକ୍ଷମ ହେବା ଫଳରେ ଏହି ରୋଗ ଜନ୍ମିଥାଏ । ପଲିଙ୍ଗ ନିଶ୍ଚିତ ଭାବରେ ଜାଣିପାରିଥିଲେ ଯେ ରକ୍ତର ଲାଲ କୋଷର ଆଣବିକ ଗଠନରୁହିଁ ଏହି ରୋଗ ଆରମ୍ଭ ହୋଇଥାଏ-ତେଣୁ ଏହା ମଲିକ୍ୟୁଲ ସମ୍ବନ୍ଧୀୟ । ସେ ଏବଂ ତାଙ୍କ ସହଯୋଗୀମାନେ ଏହି ରୋଗ ଭୋଗୁଥିବା ଲୋକଙ୍କ ରକ୍ତରୁ ଉକ୍ତ ପ୍ରୋଟିନ୍ ବା ରକ୍ତର ଲାଲ କଣିକା ସଂଗ୍ରହ କରିଥିଲେ ଏବଂ ସାଧାରଣ ଲୋକଙ୍କ ରକ୍ତର ଲାଲ କଣିକା ସହିତ ଏହାକୁ ତୁଳନା କରିଥିଲେ । ସେମାନେ ଦେଖିଲେ ଯେ ଏହି ଉଭୟଙ୍କ ରକ୍ତର ଲାଲ ରଙ୍ଗ ଠିକ୍ ଏକାଭଳି କିନ୍ତୁ ଏହାର ପ୍ରୋଟିନ୍ ଅଂଶ ବା ଗ୍ଳୋବିନ୍ ଭିତରେ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରଭେଦ ରହିଥିଲା । ବୈଦ୍ୟୁତିକ ପରୀକ୍ଷାରେ ରୋଗୀଠାରୁ ସଂଗ୍ରହ କରାଯାଇ ରକ୍ତର ପ୍ରୋଟିନ ଅଂଶର ମଲିକ୍ୟୁଲରେ ଧନାତ୍ମକ ବିଦ୍ୟୁତ୍‍ ରହିଥିଲା ଏବଂ ସାଧାରଣ ରକ୍ତ ଅପେକ୍ଷା ଏଥିରେ ଅଧିକ ଧନାତ୍ମକ ବିଦ୍ୟୁତ୍ ଥିଲା । ସମସ୍ତ ରାସାୟନିକ ପ୍ରତିକ୍ରିୟା ଧନାତ୍ମକ ଓ ଋଣାତ୍ମକ ବିଦ୍ୟୁତ୍ ଶକ୍ତି ଉପରେ ନିର୍ଭର କରୁଥିବାରୁ ଏହା କାରବନ ଡାଇଅକ୍ସାଇଡ଼ ଓ ଅକ୍ସିଜେନ ସହିତ ମିଶିଯିବାପାଇଁ ମଲିକ୍ୟୁଲର ଶକ୍ତିକୁ ହ୍ରାସ କରିଦିଏ । ଅଧିକ ବିଶ୍ଳେଷଣ ଫଳରେ ଅସାଧାରଣ ଧରଣର ମଲିକ୍ୟୁଲରେ କାହିଁକି ଏହି ଧନାତ୍ମକ ବିଦ୍ୟୁତ୍ ରହିଛି ତାହା ଜଣାପଡ଼ିଥିଲା । ଅନ୍ୟାନ୍ୟ ସମସ୍ତ ପ୍ରୋଟିନ ପରି ଏହା ଆମିନୋ ଏସିଡ଼ଦ୍ଵାରା ଗଠିତ କିନ୍ତୁ ଡକ୍ଟର ପଲିଙ୍ଗ ପରୀକ୍ଷା କରିଦେଖାଇ ଦେଇଥିଲେ ଯେ ବିକୃତ ଜୀବାଣୁ ମଲିକ୍ୟୁଲ ତିଆରି କରିବା ନିମନ୍ତେ ଏସିଡ଼୍‍ ଗୁଡ଼ିକୁ ଏକାଠି କରିବାପାଇଁ ଏକ ତ୍ରୁଟିପୂର୍ଣ୍ଣ “ଆଣବିକ ପଦ୍ଧତି” ଅନୁସରଣ କରିଥିଲା । ରକ୍ତର ପ୍ରୋଟିନ ଅଂଶ ତିଆରି କରିବାରେ ସାଧାରଣ ଭାବରେ ଶତ ଶତ ଆମିନୋ ଏସିଡ଼୍ ଦରକାର ହୁଏ-ସେଥିରୁ ଦୁଇଟି ବାଦ ପଡ଼ିଯାଇଛି ଏବଂ ଏହି ଦୁଇଟି ଆମିନୋ ଏସିଡ଼୍ ପାଇଁ ସାଧାରଣତଃ ରକ୍ତର ପ୍ରୋଟିନ ଅଂଶରେ ଋଣାତ୍ମକ ବିଦ୍ୟୁତ୍ ଶକ୍ତି ଥାଏ ଓ ତଦ୍ଦ୍ଵାରା ଏହା ଅକ୍ସିଜେନ ଓ କାରବନ ଡାଇଅକ୍ସାଇଡ଼କୁ ବହନ କରିନେଇପାରିବ । ସେମାନଙ୍କର ଆବିଷ୍କାର ଫଳରେ ନିଗ୍ରୋମାନଙ୍କ ସିକଲ୍ ସେଲ ଆନେମିଆ ରୋଗ ଆରୋଗ୍ୟ କରିବା ସମ୍ଭବ ହୋଇପାରେ । ରାସାୟନିକ ଦୂତ ପ୍ରେରଣ କରି ଅସାଧାରଣ ଧରଣର ମଲିକ୍ୟୁଲକୁ ପରିବର୍ତ୍ତନ କରିଦେଇ ଉକ୍ତ ରୋଗକୁ ଆରୋଗ୍ୟ କରାଯାଇପାରିବ ।

 

ପ୍ରୋଟିନର ଆଣବିକ ରୂପ ଆବିଷ୍କାର ତାଙ୍କ ପକ୍ଷରେ ଥିଲା ସର୍ବାପେକ୍ଷା ବିରାଟ ଆହ୍ୱାନ-ଜୀବନ୍ତ ପଦାର୍ଥର ବିଭିନ୍ନ ଅଣୁ କିପରି ଏକାଠି ମିଳିତ ହୁଅନ୍ତି ? କେଉଁ କ୍ରମରେ ସେମାନେ ମିଳିତ ହୁଅନ୍ତି ଏବଂ କେତେ ବ୍ୟବଧାନରେ ମିଳିତ ହୁଅନ୍ତି ତାହା ପରୀକ୍ଷା କରିଦେଖାଇ ଦେବାପାଇଁ ସେ ଅନୁସନ୍ଧାନ ଚଳେଇଥିଲେ । ଏହା ବହୁକାଳରୁ ବିଜ୍ଞାନର ଏକ ବିରାଟ ପ୍ରହେଳିକା ହୋଇ ରହିଛି, କାରଣ ପ୍ରୋଟିନ୍ ଅତି ଜଟିଳ । ଅଧିକାଂଶ ରାସାୟନିକ ଯୁଗ୍ମ ପଦାର୍ଥରେ କେତେ ଶତ ମାତ୍ର ଅଣୁ ଥିଲେ ମଧ୍ୟ ପ୍ରୋଟିନ୍ ମଲିକ୍ୟୁଲର ସହସ୍ର ସହସ୍ର ବା ଲକ୍ଷ ଲକ୍ଷ ଅଣୁ ରହିଥିଲା-ପ୍ରତ୍ୟେକଟି ଅଣୁ ମଲିକ୍ୟୁଲର, ଆଧାର ଭିତରେ ନିର୍ଦ୍ଦିଷ୍ଟ ସ୍ଥାନରେ ରହିଥାନ୍ତି । ମନୁଷ୍ୟର ଶରୀର ଭିତରେ ବହୁ ସହସ୍ର ବିଭିନ୍ନ ପ୍ରକାରର ପ୍ରୋଟିନ ଅଛି । ଏଗୁଡ଼ିକ ନିର୍ଦ୍ଦିଷ୍ଟ ଆକାରରେ ନିର୍ଦ୍ଦିଷ୍ଟ କାମ ପାଇଁ ରହିଥାନ୍ତି । ୧୯୦୦ ମସିହାରେ ଜର୍ମାନ ବୈଜ୍ଞାନିକ ଏମିଲ ଫିସର ଆବିଷ୍କାର କରିଥିଲେ ଯେ, ପ୍ରୋଟିନଗୁଡ଼ିକ କାରବନ୍, ନାଇଟ୍ରୋଜେନ, ହାଇଡ୍ରୋଜେନ, ଅକ୍ସିଜେନ ଓ ଅନ୍ୟାନ୍ୟ ଉପାଦାନର ଅଣୁଦ୍ଵାରା ଗଠିତ । ଏଗୁଡ଼ିକ ଆମିନୋ ଏସିଡ଼୍ ଦ୍ଵାରା ଏକାଠି ମିଳିତ ହୋଇଛନ୍ତି । ମୋଟରେ ୨୪ଟି ଆମିନୋ ଏସିଡ଼୍ ଅଛି-ଏହାକୁ ଜୀବନର ବର୍ଣ୍ଣମାଳା ବୋଲି କୁହାଯାଏ । ଏହି ଏସିଡ଼୍‍ଗୁଡ଼ିକ ଭିତରୁ ଭିନ୍ନ ଭିନ୍ନ ଏସିଡ଼୍ ଏକାଠି ହୋଇ ବୃହତ୍ତର ଗୁପ୍ ହୋଇଥାଏ ଏବଂ ଏହାକୁ ପେପଟାଇଡ଼୍ ବା ପାଚେୟ ବୋଲି କୁହାଯାଇଯାଏ । ଏହି ପେପଟାଇଡ଼୍ ବା ପାଚେୟ ଏକାଠି ମିଶି ପଲି- ପେପଟାଇଡ଼୍ ଗଠନ କରିଥାନ୍ତି । ପ୍ରତ୍ୟେକଟି ପ୍ରୋଟିନର ଲକ୍ଷଣ ଦୁଇଟି ବିଷୟ ଉପରେ ନିର୍ଭର କରେ-ଯେଉଁ ଆମିନୋ ଏସିଡ଼ରୁ ଏହା ତିଆରି ହୋଇଥାଏ-ଏବଂ ଯେଉଁ ଢ଼ାଞ୍ଚାରେ ଏହି ଏସିଡ଼୍‍ଗୁଡ଼ିକ ଏକାଠି ମିଳିତ ହୁଅନ୍ତି । ରସାୟନବିଜ୍ଞାନବିଦ୍‍ମାନେ ପ୍ରଥମ ସମସ୍ୟା ସମାଧାନ କରିଛନ୍ତି ମାତ୍ର କିପରି ଭାବରେ ସେମାନେ ଏକାଠି ମିଳିତ ହୁଅନ୍ତି ଏ ପର୍ଯ୍ୟନ୍ତ ରହସ୍ୟମୟ ହୋଇ ରହିଛି ।

 

କାଲଟେକ୍‍ର ଡକ୍ଟର ରବର୍ଟ ବି. କୋରେ ଓ ୧୦ ଜଣ ସହକାରୀଙ୍କ ସହିତ ଏକାଠି ଗବେଷଣା କରିଡକ୍ଟର ପଲିଙ୍ଗ ତାଙ୍କ ପରୀକ୍ଷିତ ତଥ୍ୟ ରାସାୟନିକ ସଂହତିକୁ ପ୍ରୋଟିନ ପ୍ରତି ପ୍ରୟୋଗ କରିଥିଲେ । ଏହା ପରୋକ୍ଷ ଉପାୟରେ ପ୍ରୟୋଗ କରାଯାଇଥିଲା । ସେମାନେ ପ୍ରଥମେ ଆମିନୋ ଏସିଡ଼୍ ଓ ପେପଟାଇଡଇଡ଼୍ର ଗଠନ ସମ୍ବନ୍ଧରେ ଅଧ୍ୟୟନ କରିଥିଲେ ଏବଂ ସେଥିରୁ ପରସ୍ପରର ସମ୍ବନ୍ଧ ସ୍ଥିର କରିଦେଇଥିଲେ । ଏହା କରିବାପାଇଁ ସେମାନେ “ଏକ୍ସରେ ଡିଫ୍ରାକସନ” ପଦ୍ଧତିର ଆଶ୍ରୟ ନେଇଥିଲେ । ଏହି ପଦ୍ଧତି ୧୯୧୨ ମସିହାରେ ଜର୍ମାନ ରସାୟନ ବିଜ୍ଞାନବିଦ୍ ମାକ୍ସ ଭନ୍‍ ଲେ ଆବିଷ୍କାର କରିଥିଲେ । ଭନ୍‍ ଲେ ଏକ୍ସରେ ବା ରଞ୍ଜନରଶ୍ମିକୁ ସ୍ଫଟିକ ଉପରେ ପକାଇଥିଲେ ଏବଂ ଲକ୍ଷ୍ୟ କରିଥିଲେ ଯେ ଏହି ରଶ୍ମି ସ୍ଫଟିକଦ୍ୱାରା ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯାଇ ବିଭିନ୍ନ ଭାଗରେ ପରିଣତ ହୋଇଯାଉଛି-ଏହାଦ୍ଵାରା ହିଁ ମଲିକ୍ୟୁଲରେ ପ୍ରତ୍ୟେକ ଅଣୁରେ ଅବସ୍ଥିତି ଚିହ୍ନିତ ହୋଇଥାଏ ।

 

୧୪ ବର୍ଷ ଗବେଷଣା ପରେ ୧୯୫୧ ମସିହାରେ ଡକ୍ଟର ପଲିଙ୍ଗ ଓ ତାଙ୍କ ସହକର୍ମୀମାନେ ଘୋଷଣା କରିଥିଲେ, ସେମାନେ କୋଲାଜିନ୍‍ ସମେତ ବହୁ ପ୍ରୋଟିନର ଆଣବିକ ଗଠନ ପଦ୍ଧତି ବାହାର କରିଛନ୍ତି । ଯେଉଁ ପ୍ରୋଟିନ୍ ପେଶୀବନ୍ଧନୀ ଗଠନ କରେ ଏବଂ ହାଡ଼ ଓ ଚମରେ ଥାଏ ତାକୁ କୋଲାଜେନ କୁହାଯାଇଥାଏ । ଯେଉଁସବୁ ପ୍ରୋଟିନ୍ ମାଂସପେଶୀ, ବାଳ ଏବଂ ନିଶ ଗଠନ କରିଥାଏ ତା’ର ଗଠନ ପଦ୍ଧତି ସେମାନେ ୧୯୫୩ ମସିହାରେ ଆବିଷ୍କାର କରିଥିଲେ-। ରଞ୍ଜନରଶ୍ମି ପ୍ରୟୋଗଦ୍ଵାରା ଜଣାଯାଇଛି, ଯେ ସେମାନଙ୍କର ଅଣୁ ସର୍ପିଳ ଗତିରେ ଗଠିତ ହୋଇ ପରସ୍ପର ବିପରୀତ ଦିଗରେ ମୋଡ଼ି ମୋଡ଼ି ହୋଇ ଦଉଡ଼ିଭଳି ରହିଥାନ୍ତି । ଖୋଲି ହୋଇ ନଯିବାପାଇଁ ଏଗୁଡ଼ିକ ଏଭଳି ହୋଇଥାଏ ।

 

ଏହି ଆବିଷ୍କାର ବିଜ୍ଞାନର ପ୍ରଗତି ପାଇଁ ବିଶେଷ ସାହାଯ୍ୟ କରିଥିଲେ । ଏହାଫଳରେ ପ୍ରଜନନବିଜ୍ଞାନବିଦ୍‍ମାନେ ବଂଶଗତ ଗୁଣର ସଂଚାରଣ ପ୍ରକ୍ରିୟା ସମ୍ବନ୍ଧରେ ଗବେଷଣା କାର୍ଯ୍ୟ କରିବା ପାଇଁ ଏକ ନୂତନ ସୂତ୍ର ପାଇଯାଇଥିଲେ । ଏହାଛଡ଼ା ଗବେଷଣାକାରୀମାନେ କ୍ୟାନ୍ସର ବା କର୍କଟ ରୋଗର କୋଷଭଳି ଅନ୍ୟ ପ୍ରୋଟିନଗୁଡ଼ିକର ଗଠନ ପଦ୍ଧତି ସମ୍ବନ୍ଧରେ ଗବେଷଣା କରିବାପାଇଁ ସମର୍ଥ ହୋଇଥିଲେ । ଏହି ପ୍ରୋଟିନଗୁଡ଼ିକ ସାଧାରଣ ପ୍ରୋଟିନଠାରୁ କିପରି ଭିନ୍ନ ତାହା ଆବିଷ୍କାର କରିବାର ବିରାଟ ସମ୍ଭାବନା ମଧ୍ୟ ଏହାଦ୍ଵାରା ଦେଖାଦେଇଥିଲା ।

 

ଡାକ୍ତର ପଲିଙ୍ଗଙ୍କର ବିଶ୍ୱାସ ଯେ, ଔଷଧ ପ୍ରସ୍ତୁତ କରିବାପାଇଁ ମଲିକ୍ୟୁଲର ଗଠନ ପଦ୍ଧତି ଏକ ନୂତନ ଯୁଗ ସୃଷ୍ଟି କରିବ । ଏଥିରେ ରସାୟନ ବିଜ୍ଞାନବିଦ୍‍ମାନେ ଅସାଧାରଣ ମଲିକ୍ୟୁଲ ପ୍ରତି ପ୍ରଯୁଜ୍ୟ ହେବାଭଳି ଔଷଧ ପ୍ରସ୍ତୁତ କରିପାରିବେ । ଯେଉଁ ନିୟମରେ ହିମସ୍ଫୁଟିକ, ସ୍ଫୁଟିକମଣି ଓ ଅନ୍ୟାନ୍ୟ ପ୍ରସ୍ତର ନିର୍ମିତ ହୁଏ ସେହି ନିୟମ ମନୁଷ୍ୟର ବଂଶଗତ ଗୁଣ ସଂଚାରଣ ରୋଗଜୀବାଣୁ ନଷ୍ଟକାରୀ ପ୍ରତି ଜୀବାଣୁ ଗଠନ, ଶରୀର କୋଷ ନିର୍ମାଣ ଓ ଜୀବନର ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ମଧ୍ୟ ପ୍ରଯୁଜ୍ୟ ।

 

ତାଙ୍କର ବିଶ୍ୱାସ ଯେ ଶରିର ତ୍ରୁଟିପୂର୍ଣ୍ଣ ବଂଶଗତ ଗୁଣ ସଂଚାରକ ଜୀବାଣୁଦ୍ଵାରା ପ୍ରଭାବିତ ହୋଇ ତ୍ରୁଟିପୂର୍ଣ୍ଣ ଗଠନ ପଦ୍ଧତିରେ ମଲିକ୍ୟୁଲ ଗଠନ କରୁଥିବାରୁ ଅଧିକାଂଶ ମାନସିକ ରୋଗ ଓ ମାନସିକ ବିକୃତି ଘଟିଥାଏ । ୧୯୫୬ ମସିହାରେ ଫୋର୍ଡ଼ ଫାଉଣ୍ଡେସନ୍ ଅନୁଷ୍ଠାନଙ୍କ ପ୍ରଦତ୍ତ ଏକ ଗ୍ରାଣ୍ଡ ସାହାଯ୍ୟରେ ଦୁର୍ବଳ ବା କ୍ଷୀଣ ମାନସିକ ଶକ୍ତି ଓ ମଲିକ୍ୟୁଲ ସମ୍ବନ୍ଧୀୟ ଜ୍ୟାମିତି ଭିତରେ ଯେଉଁ ସମ୍ପର୍କ ରହିଛି ସେ ସମ୍ବନ୍ଧରେ ସେ କାଲ୍ଟେକଠାରେ ଏକ ଦୀର୍ଘକାଳସ୍ଥାୟୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଗବେଷଣା ଚଳାଇଥିଲେ । ଜନ୍ମ ସମୟରେ ରାସାୟନିକ ଚିକିତ୍ସାଦ୍ୱାରା ଅସାଧାରଣ ଧରଣର ମଲିକ୍ୟୁଲକୁ ପରିବର୍ତ୍ତନ କରିଦେଇ ବଂଶଗତ ମାନସିକ ବ୍ୟାଧିର ସଂଚାରଣକୁ କିପରି ବନ୍ଦ କରିହେବ ତାହା ସେ ଆବିଷ୍କାର କରିପାରିବେ ବୋଲି ଆଶା କରନ୍ତି ।

 

ଲିନସ୍ ପଲିଙ୍ଗ୍ ଆସ୍ତେ ଆସ୍ତେ କଥା କହନ୍ତି । ଏହି ପକ୍ଵକେଶ ବୈଜ୍ଞାନିକ ତାଙ୍କର ଅତିଥିପରାୟଣତା ଓ ଉଦାରତା ପାଇଁ ବିଶେଷ ପ୍ରସିଦ୍ଧି ଲାଭ କରିଛନ୍ତି । ଅର୍ଥାଭାବ ଯୋଗୁଁ ଅସୁବିଧା ଭୋଗୁଥିବା ତରୁଣ ଛାତ୍ର ଓ ଅଧ୍ୟାପକମାନଙ୍କ ପ୍ରତି ସେ ବିଶେଷ ଉଦାରତା ଦେଖାଇଥାନ୍ତି । ଅବସର ସମୟରେ ବୈଜ୍ଞାନିକ ସମ୍ବନ୍ଧୀୟ ବିଷୟ ପ୍ରତିହିଁ ତାଙ୍କର ଆଗ୍ରହ ଥାଏ । ସେ ସର୍ବଦା କେତେକ ନିର୍ଦ୍ଦିଷ୍ଟ ନୀତି ଅନୁସରଣ କରିଥାନ୍ତି । ମାନବ ଜାତିର ଉନ୍ନତି ପ୍ରତି ତାଙ୍କର ସର୍ବଦା ଲକ୍ଷ୍ୟ ରହିଥାଏ । ସାମାଜିକ ଓ ରାଜନୈତିକ ସମସ୍ୟା ସମ୍ପର୍କରେ ସେ ସବୁବେଳେ ଖୋଲାଖୋଲି ତାଙ୍କର ମତ ପ୍ରକାଶ କରିଥାନ୍ତି-ଯାହା ଫଳରେ ଅନେକ ସମୟରେ ତାଙ୍କୁ ଅସୁବିଧାରେ ପଡ଼ିବାକୁ ହୋଇଥାଏ । ଜଣେ ବୈଜ୍ଞାନିକ ଭାବରେ ପରମାଣୁ ଯୁଦ୍ଧରେ ତେଜଷ୍କ୍ରିୟତାର ବିପଦ ସମ୍ବନ୍ଧରେ ତାଙ୍କର ଦୃଢ଼ ଅଭିମତ ରହିଛି ଏବଂ ପରମାଣୁ ବିସ୍ଫୋରଣ ବନ୍ଦ କରିବା ବିଷୟରେ ସେ ପୃଥିବୀର ବିଶିଷ୍ଟ ବୈଜ୍ଞାନିକମାନଙ୍କ ମଧ୍ୟରୁ ଅନ୍ୟତମ ।

 

୧୯୪୦ ମସିହାରେ ସେ ଆମେରିକା ଯୁକ୍ତରାଷ୍ଟ୍ରର ଏବଂ ସମ୍ଭବତଃ ପୃଥିବୀର ବିଶିଷ୍ଟ ତାତ୍ତ୍ଵିକ ରସାୟନବିଜ୍ଞାନବିଦ୍ ଭାବରେ ସୁଖ୍ୟାତି ଅର୍ଜନ କରିଥିଲେ l ୨୦ ବର୍ଷ ପରେ ମଧ୍ୟ ଡକ୍ଟର ଲିନସ୍ ପଲିଙ୍ଗଙ୍କୁ ପୃଥିବୀର ବିଶିଷ୍ଟ ଆଧୁନିକ ବୈଜ୍ଞାନିକମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଇପାରେ ।

Image

 

“ଉତ୍ତମ” ରୋଗ ବୀଜାଣୁ

-ସେଲମାନ୍ ଏ ୱାକ୍ସମାନ

 

ଦ୍ଵିତୀୟ ମହାଯୁଦ୍ଧ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ରଜର୍‍ ସ ବିଶ୍ଵବିଦ୍ୟାଳୟର କୃଷି କଲେଜରେ ମୃତ୍ତିକା ପରୀକ୍ଷା କରୁଥିବା ବୀଜାଣୁବିଜ୍ଞାନବିଦ୍ ମନ ଭିତରେ ଯେଉଁ କଳ୍ପନା କରିଥିଲେ ତାହା ଶେଷରେ ରୋଗ ବିରୁଦ୍ଧରେ ମାନବର ଅତ୍ୟନ୍ତ ଶକ୍ତିଶାଳୀ ଅସ୍ତ୍ର ହୋଇପାରିଥିଲା-। ସେ ଏହାର ନାମ ଦେଇଥିଲେ ଆଣ୍ଟିବାଓଟିକ୍ସ ଅର୍ଥାତ ରୋଗବୀଜାଣୁନାଶକ ବୀଜାଣୁ-। ଏହି ଶବ୍ଦଟି ବର୍ତ୍ତମାନ ବିଶେଷ ପ୍ରସିଦ୍ଧି ଲାଭ କରିଅଛି ।

 

ଏହି ବୈଜ୍ଞାନିକ ହେଉଛନ୍ତି ଡକ୍ଟର ସେଲମାନ ଓ ଓକ୍ସମାନ । ମୃତ୍ତିକାରେ ରହୁଥିବା ଜୀବାଣୁ ସମ୍ବନ୍ଧୀୟ ଅଧ୍ୟୟନରେ ତାଙ୍କର ସାରା ଜୀବନ ଅତିବାହିତ ହୋଇଥିଲା ।

 

ଡକ୍ଟର ୱାକ୍ସମାନ ଇଉକ୍ରେନର ଗୋଟିଏ ଚାଷୀ ପରିବାରରେ ୧୮୮୮ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ଏହା ସୋଭିଏତ୍‍ ଇଉନିଅନର ଅନ୍ତର୍ଭୁକ୍ତ । ବାଲ୍ୟାବସ୍ଥାରେ ସେ ଆମେରିକା ଯୁକ୍ତରାଷ୍ଟ୍ରକୁ ଯିବାପାଇଁ କଳ୍ପନା କରିଥିଲେ ଏବଂ ତାଙ୍କୁ ୨୨ ବର୍ଷ ହେବା ପୂର୍ବ ପର୍ଯ୍ୟନ୍ତ ସେ ଏଥିପାଇଁ ସୁବିଧା ପାଇପାରି ନଥିଲେ । ୧୯୧୦ ମସିହାରେ ସେ ଋଷରୁ ଚାଲିଆସି ଥିଲେ ଏବଂ ତାଙ୍କ ଦାଦାଙ୍କ ସଙ୍ଗେ ବାସ କରିବା ପାଇଁ ଚାହିଁଥିଲେ । ତାଙ୍କ ଦାଦାଙ୍କର ଫିଲାଡ଼େଲଫିଆ ନିକଟରେ ଗୋଟିଏ ଫାର୍ମ ବା ଚାଷଘର ଥିଲା । ତାଙ୍କ ଦାଦାଙ୍କ ଫାର୍ମରେ ଯୁବକ ଓକ୍ସମାନ ମୃତ୍ତିକାରେ ଜୀବାଣୁମାନଙ୍କର ଜୀବନସମ୍ବନ୍ଧରେ ବିଶେଷ ଆଗ୍ରହ ପ୍ରକାଶ କରିଥିଲେ ଏବଂ ନିଉଜର୍ସିର ରଜର୍‍ ସ ବିଶ୍ଵବିଦ୍ୟାଳୟର କୃଷି କଲେଜରେ ଜୀବାଣୁବିଜ୍ଞାନ ସମ୍ବନ୍ଧରେ ଅଧ୍ୟୟନ କରିବା ପାଇଁ ସ୍ଥିର କରିଥିଲେ ।

 

୧୯୧୫ ମସିହାରେ ସେ ରଜର୍‍ ସ କୃଷି କଲେଜରୁ ଗ୍ରାଜୁଏଟ୍ ହୋଇଥିଲେ, ଏବଂ ତା ପର ବର୍ଷ ଏମ୍.ଏ. ଡିଗ୍ରୀ ଲାଭ କରିଥିଲେ । ତା’ପରେ କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟରେ ଯୋଗଦେଇ ୧୯୧୮ ମସିହାରେ ପିଏଚ୍.ଡ଼ି. ଡିଗ୍ରୀ ଲାଭ କଲେ । ୧୯୨୫ ମସିହାରେ ସେ ରଜର୍‍ ସ କଲେଜରେ ଜଣେ ଅଧ୍ୟାପକ ଭାବରେ ନିଯୁକ୍ତ ହେଲେ ଏବଂ ବିଭିନ୍ନ ମୃତ୍ତିକା ଜୀବାଣୁମାନଙ୍କ ଗୁଣ ସମ୍ବନ୍ଧରେ ଅଧ୍ୟୟନ କରିବାକୁ ଲାଗିଲେ । ଏହି ଅଧ୍ୟୟନ ସମୟରେ ମୃତ୍ତିକାର ଜୀବାଣୁ ମାନଙ୍କ ସିମ୍ବିଓସିସ୍ ବା ସହଜୀବନର ଅସ୍ତିତ୍ଵ ଥିବାର ସନ୍ଧାନ ପାଇ ଡକ୍ଟର ୱାକ୍ସମାନଙ୍କ ମନରେ ବିଶେଷ ଆଗ୍ରହ ସୃଷ୍ଟି ହୋଇଥିଲା । ସିମ୍ବିଓସିସ୍ ବା ସହଜୀବନର ଅର୍ଥ ବିଭିନ୍ନ ପ୍ରକାର ଜୀବ ପରସ୍ପର ଉପରେ ନିର୍ଭର କରି ଏକାଠି ବାସକରିବାର ଶକ୍ତି । ସେ ଦେଖିଲେ ଯେ, ଅନେକ କ୍ଷେତ୍ରରେ ଦୁଇ ବା ତିନୋଟି ଜୀବ ପରସ୍ପରଠାରୁ ଅଲଗା ହୋଇଗଲେ ବଞ୍ଚି ପାରୁନାହାନ୍ତି । ଏହି ଗବେଷଣା ଫଳରେ ଅନେକଗୁଡ଼ିଏ ପ୍ରବନ୍ଧ ପ୍ରକାଶ ପାଇଲା ଯାହାକି କୃଷି ବିଜ୍ଞାନ ପକ୍ଷରେ ଅତ୍ୟନ୍ତ ମୂଲ୍ୟବାନ ବୋଲି ବିବେଚିତ ହୋଇଥିଲା । ୧୯୨୭ ରେ ଡକ୍ଟର ୱାକ୍ସମାନଙ୍କ ଦ୍ଵାରା ଲିଖିତ “ମୃତ୍ତିକାର ଜୀବାଣୁ ବିଜ୍ଞାନର ବାଇବେଲ” ଏ ବିଷୟରେ ଏ ପର୍ଯ୍ୟନ୍ତ ଏକ ମୌଳିକ ଗ୍ରନ୍ଥ ରୂପେ ବିବେଚିତ ହେଉଛି ।

 

ଡକ୍ଟର ୱାକ୍ସମାନ ଆବିଷ୍କାର କରିଥିଲେ ଯେ, ମୃତ୍ତିକାର ସମସ୍ତ ଜୀବାଣୁ ସହ-ଜୀବନ ଯାପନ କରନ୍ତି ନାହିଁ । କେତେକ ଜୀବ ସେମାନଙ୍କର ପଡ଼ୋଶୀ ବିଷୟରେ ବିଶେଷ ଆଗ୍ରହୀ ଥିବାର ଜଣାଯାଏ । ସେମାନେ ଏପରି ମାରାତ୍ମକ ରାସାୟନିକ ପଦାର୍ଥ ଉତ୍ପାଦନ କରନ୍ତି ଯାହାକି କେତେଗୁଡ଼ିଏ ମୃତ୍ତିକା ଜୀବାଣୁକୁ ବାଛି ବାଛି ମାରିପକାନ୍ତି । ମାତ୍ର ଅନ୍ୟ ଜୀବଗୁଡ଼ିକର କିଛି କରନ୍ତି ନାହିଁ । ଏହା କିପରି ହୁଏ ବୋଲି ଜଣା ପଡ଼ିଗଲେ ତାହା କୃଷକଙ୍କ ପକ୍ଷରେ ବିଶେଷ ମୂଲ୍ୟବାନ ହେବ ବୋଲି ଡକ୍ଟର ୱାକ୍ସମାନ ଜାଣିଥିଲେ, କିନ୍ତୁ ସେ ଅନୁଭବ କରିଥିଲେ ଯେ, ସେ ଏହାଠୁ ଉତ୍ତେଜନାପୂର୍ଣ୍ଣ ବିଷୟର ସନ୍ଧାନରେ ଅଛନ୍ତି । ଧରନ୍ତୁ ଉପରୋକ୍ତ “ହତ୍ୟାକାରୀ” ଜୀବାଣୁଗୁଡ଼ିକୁ ସେ ମନୁଷ୍ୟର ରୋଗ ଜୀବାଣୁ ବିରୁଦ୍ଧରେ ବ୍ୟବହାର କରିପାରିବେ କି ? ‘ଅନିଷ୍ଟକାରୀ’ ଜୀବାଣୁକୁ ‘‘ଭଲ ଜୀବାଣୁ” ଦ୍ଵାରା ମାରିପାରିବେ କି ? ମୃତ୍ତିକାର ଜୀବାଣୁଗୁଡ଼ିକ ସେମାନଙ୍କର ଲଢ଼େଇରେ ଯେଉଁ ରାସାୟନିକ ପଦାର୍ଥ ବ୍ୟବହାର କରିଥାନ୍ତି ଡକ୍ଟର ୱାକ୍ସମାନ ତାକୁ ଆଣ୍ଟିବାଓଟିକ ବା ରୋଗଜୀବାଣୁନାଶକ ବୋଲି କହିଲେ ।

 

ସେ ଏପରି ଏକ ରୋଗ-ଜୀବାଣୁ-ନାଶକ ଜୀବାଣୁ ବାହାର କରିବାକୁ ସ୍ଥିର କରିଥିଲେ ଯେ କି ମନୁଷ୍ୟ ପକ୍ଷରେ ଅନିଷ୍ଟକାରୀ ହେବନାହିଁ ଅଥଚ ମନୁଷ୍ୟର ରୋଗର କାରଣ ହେବାଭଳି ଜୀବାଣୁକୁ ଖୋଜି ତାକୁ ଆକ୍ରମଣ କରିପାରିବ । ବହୁକାଳ ସେ ଏଥିପାଇଁ ଅନୁସନ୍ଧାନ ଚଳେଇଥିଲେ ଏବଂ ଏଥିରେ ବହୁ ହତାଶଜନକ ପରସ୍ଥିତି ଭିତର ଦେଇ ତାଙ୍କୁ ଅଗ୍ରସର ହେବାକୁ ପଡ଼ିଥିଲା । ମୋଟରେ ସେ ୧୦,୦୦୦ରୁ ଅଧିକ ପ୍ରକାର ଜୀବାଣୁ ପରୀକ୍ଷା କରିଥିଲେ । ଏଥିଭିତରୁ ୧୦ରୁ ୯ଟି ରୋଗ ନଷ୍ଟକାରୀ ପ୍ରଭାବ ନଥିଲା । ଅନ୍ୟମାନଙ୍କ ଭିତରୁ କେତେକ ଗବେଷଣାଗାର ପରୀକ୍ଷାରେ ବଞ୍ଚି ରହିପାରିଥିଲେ । ଏଥି ଭିତରୁ ଗୋଟିଏ ହେଲା ଆକ୍ଟିନୋମାଇସିନ୍ (ଡକ୍ଟର ୱାକ୍ସମାନ ଓ ତାଙ୍କ ସହକର୍ମୀମାନେ ପ୍ରଥମେ ଏହି ଜୀବାଣୁକୁ ପରୀକ୍ଷା ଦ୍ଵାରା ବାଛି ଅଲଗା କରିପାରିଥିଲେ) କୃଷି ପାଇଁ ବିଶେଷ ମୂଲ୍ୟବାନ ବୋଲି ବିବେଚିତ ହେଉଥିଲା-। କିନ୍ତୁ ମନୁଷ୍ୟର ରୋଗପାଇଁ କୌଣସି କାମରେ ଆସୁ ନ ଥିଲା । ସେ ଦେଖିଥିଲେ ଯେ ଅନ୍ୟ ଜୀବାଣୁଗୁଡ଼ିକ ରୋଗ ଧ୍ଵଂସ କରିପାରନ୍ତି ମାତ୍ର ସେଗୁଡ଼ିକ ମନୁଷ୍ୟ ପକ୍ଷରେ ମଧ୍ୟ କ୍ଷତିକାରକ । ଧୈର୍ଯ୍ୟ ସହକାରେ ସେ ତାଙ୍କର ଅନୁସନ୍ଧାନ ଚଳେଇଥିଲେ ।

 

ତା’ପରେ ୧୯୪୩ ମସିହାରେ ରଜର୍‍ ସ ବିଶ୍ଵବିଦ୍ୟାଳୟ ନିକଟରେ ବାସ କରୁଥିବା ଜଣେ କୁକୁଡ଼ା ପାଳକର ବହୁ କୁକୁଡ଼ା ଏକ ଅଚିହ୍ନା ରୋଗରେ ମରିଯାଇଥିଲେ । ସେ ତା’ର ଗୋଟିଏ ରୋଗଗ୍ରସ୍ତ କୁକୁଡ଼ାକୁ ବିଶେଷଜ୍ଞଙ୍କଦ୍ଵାରା ପରୀକ୍ଷା କରିବା ପାଇଁ ରଜର୍‍ ସ କୃଷି କଲେଜକୁ ଆଣିଥିଲା । ସେତେବେଳେ ସେଠାରେ କାମ କରୁଥିବା ଚିକିତ୍ସକମାନେ ଏହି କୁକୁଡ଼ାର ତଣ୍ଟିରେ ଗୋଟିଏ ଅସାଧାରଣ ପ୍ରକାରର ଜୀବାଣୁ ଥିବାର ଦେଖିଥିଲେ । ସେମାନେ ଏହି ଜୀବାଣୁକୁ ଭଲଭାବରେ ପରୀକ୍ଷା କରିଥିଲେ ଏବଂ ଏହାକୁ ଚିହ୍ନିବା ପାଇଁ ୱାକ୍ସମାନଙ୍କ ନିକଟକୁ ପଠାଇ ଦେଇଥିଲେ ।

 

ଡକ୍ଟର ୱାକ୍ସମାନ ତାଙ୍କ ଗ୍ରାଜୁଏଟ୍ ଛାତ୍ରମାନଙ୍କ ସାହାଯ୍ୟରେ ଏ ସମ୍ବନ୍ଧରେ ବହୁ ପରୀକ୍ଷା କରି ଆବିଷ୍କାର କରିଥିଲେ ଯେ ବହୁ ପରିମାଣରେ ସାର ଦିଆହୋଇଥିବା କେତେକ ମାଟିରେ ସେମାନେ ଯେଉଁ ଜୀବାଣୁ ଦେଖିଥିଲେ ତା’ ସହିତ ଉକ୍ତ ଜୀବାଣୁଗୁଡ଼ିକର ବହୁ ସାମଞ୍ଜସ୍ୟ ରହିଛି । ଉଭୟ ଜୀବ ଏକ ସ୍ଵତନ୍ତ୍ର ପ୍ରକାରର ‘‘ଅଣହତ୍ୟାକାରୀ” ଜୀବାଣୁ ‘‘ଷ୍ଟେପଟୋମାଇସ୍ ଗ୍ରେସସ୍” ୱାକ୍ସମାନ ପ୍ରଥମେ ୧୯୧୫ ମସିହାରେ ଏହାକୁ ବାଛି ଅଲଗା କରିଥିଲେ । କିନ୍ତୁ ୱାକ୍ସମାନ କୌଣସି କଥା ଧରିନେଇ ନଥିଲେ । ସେ ଏହି ନୂଆ ପ୍ରକାରର ଜୀବାଣୁକୁ ପରୀକ୍ଷା କରିଥିଲେ ଏବଂ ଦେଖିଥିଲେ ଯେ ଏଗୁଡ଼ିକ “ହତ୍ୟାକାରୀ” ରୋଗକୀଟାଣୁ ନଷ୍ଟକାରୀ । ଏହି ଜୀବାଣୁଗୁଡ଼ିକ କେବଳ ଯେ ପେନସିଲିନକୁ ପ୍ରତିରୋଧ କରୁଥିବା ଜୀବାଣୁକୁ ନଷ୍ଟ କରିଦେବ ତା ନୁହେ । ଏଗୁଡ଼ିକ ମନୁଷ୍ୟ ଶରୀରର ଯକ୍ଷ୍ମା କୀଟାଣୁ ଧ୍ଵଂସ କରିବା ଦିଗରେ ମଧ୍ୟ ଫଳପ୍ରଦ ।

 

୧୯୪୪ରେ ୱାକ୍ସମାନ ଓ ତାଙ୍କ ସହକାରୀମାନେ ରୋଗ ବୀଜାଣୁ ନଷ୍ଟକାରୀ ଜୀବାଣୁ ବାଛି ଅଲଗା କରିପାରିଥିଲେ ଏବଂ ଏହାର ନାମ ଦେଇଥିଲେ “ଷ୍ଟେପ୍ଟୋମାଇସିନ୍” । ମିନୋସୋଟାର ରଚେଷ୍ଟରଠାରେ ମେୟୋ ଚିକିତ୍ସାଳୟରେ ଏହାର ପରୀକ୍ଷା ଚାଲିଥିଲା । ଏହା କେବଳ ଧବଳ-ପ୍ଳେଗ୍‍ ବିରୁଦ୍ଧରେ ଫଳପ୍ରଦ ଭାବରେ ଯେ ପ୍ରୟୋଗ କରାଯାଇପାରିବ ତା ନୁହେଁ । ପ୍ଲେଗ ବା (ତଥାକଥିତ କୃଷ୍ଣମୃତ୍ୟୁ) ବା “ଠେକୁଆ ଜର” ଏବଂ ଇନଫ୍ଲୁଏଞ୍ଜା ଜନିତ ମେନେନ୍ଞ୍ଜାଇଟିସ୍ ବିରୋଧରେ ମଧ୍ୟ ପ୍ରୟୋଗ କରାଯାଇପାରିବ । ତିନିବର୍ଷ ଭିତରେ ଷ୍ଟେପ୍ଟୋମାଇସିନକୁ ଡାକ୍ତରମାନେ ଚିକିତ୍ସା ସ୍ୱରୂପ ତାଙ୍କ ବ୍ୟବସ୍ଥା ପତ୍ରରେ ଲେଖିଲେ । ଗତ ମହାଯୁଦ୍ଧରେ ଯେତେ ଲୋକ ପ୍ରାଣ ହରାଇଥିଲେ ଏହି ଔଷଧଟି ସେତିକି ଲୋକଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିପାରୁଛି । ଷ୍ଟେପ୍ଟୋମାଇସିନ୍ ଔଷଧର ସେ ଏକମାତ୍ର ଅଧିକାରୀ ବୋଲି ୱାକ୍ସମାନ ଘୋଷଣା କରିଥିଲେ ମାତ୍ର ଉଦାରତାର ସହିତ ତାଙ୍କ ଅଧିକାର ପତ୍ର ରଜର୍‍ ସ ବିଶ୍ଵବିଦ୍ୟାଳୟକୁ ଦେଇଦେଇଥିଲେ । ଏହି ବିଶ୍ଵବିଦ୍ୟାଳୟ ଉକ୍ତ ଔଷଧ ଉତ୍ପାଦନ କରି, ଅନୁଷ୍ଠାନ ମାନଙ୍କଠାରୁ ଯେଉଁ ରଏଲଟି ବା ରାଜଭାଗ ପାଇଥାଆନ୍ତି, ସେଥିରେ ୧୦ ଲକ୍ଷ ଡଲାର ମୂଲ୍ୟରେ ଏକ ବିଜ୍ଞାନ ଅନୁଷ୍ଠାନ ନିର୍ମାଣ କରିଥିଲେ ।

 

ଡକ୍ଟର ୱାକ୍ସମାନ ଜଣେ ବିନୟୀ ପିତୃ-ପ୍ରତିମ ବ୍ୟକ୍ତି–ବର୍ତ୍ତମାନ ସେ ପୃଥିବୀର ଶ୍ରେଷ୍ଠ ସମ୍ମାନିତ ବୈଜ୍ଞାନିକମାନଙ୍କ ମଧ୍ୟରୁ ଅନ୍ୟତମ । ସେ ମାନବଜାତିର ଯେଉଁ ସେବା କରିଯାଇଛନ୍ତି ସେଥିପାଇ ବହୁ ପୁରସ୍କାର ଲାଭ କରିଥିଲେ-ଏଥିଭିତରୁ ୧୯୫୨ରେ ଲାଭ କରିଥିବା ନୋବେଲ ପୁରସ୍କାର କମ୍ ଗୌରବ ଜନକ ନୁହେଁ । ଯକ୍ଷ୍ମା ବିରୁଦ୍ଧରେ ସର୍ବପ୍ରଥମ ରୋଗ ବୀଜାଣୁ ନଷ୍ଟ କାରକ” ଷ୍ଟେପ୍ଟୋମାଇସିନ” ଆବିଷ୍କାର କରିଥିବାରୁ ତାଙ୍କୁ ଏହି ପୁରସ୍କାର ଦିଆଯାଇଥିଲା ।

 

ତା’ପରଠାରୁ ଏହି ଅକ୍ଲାନ୍ତ ଗବେଷଣାକାରୀ ଗବେଷଣାଗାରରେ ମୃତ୍ତିକାରେ ଥିବା ‘ଉତ୍ତମ’ ଜୀବାଣୁଦ୍ୱାରା ଅନ୍ୟାନ୍ୟ ରୋଗ ଜୀବାଣୁ ନଷ୍ଟକାରୀ ଜୀବାଣୁ ଉତ୍ପାଦନ କରିଛନ୍ତି । ଏଥିଭିତରୁ କେତେକ କୃଷି ଓ ଔଷଧ ପାଇଁ ବ୍ୟାପକ ଭାବରେ ବ୍ୟବହାର କରାଯାଇଥିଲା । ଶେଷରେ ଉତ୍ପାଦନ କରାଯାଇଥିବା ଅନ୍ୟତମ ରୋଗ ଜୀବାଣୁନଷ୍ଟକାରକ କାନ୍‍ସିଡ଼ିନ୍ ୧୯୬୧ରେ ଘୋଷଣା କରାଗଲା । ଏହା ମନୁଷ୍ୟ ଓ ବୃକ୍ଷର ପରାଙ୍ଗପୃଷ୍ଟ ରୋଗ ବିରୋଧରେ ଫଳପ୍ରଦ । ଓକ୍ସମାନ ଯେଊଁ ସବୁ ଗବେଷଣାରେ ନେତୃତ୍ଵ ନେଇଥିଲେ ଅନ୍ୟ ଗବେଷଣାକାରୀମାନେ ତାକୁ ଅନୁସରଣ କରିଛନ୍ତି-ରୋଗ ବୀଜାଣୁ ନଷ୍ଟକାରକ ବା ଆଣ୍ଟିବାଇଓଟିକ୍ ଆଦି ଔଷଧ କ୍ଷେତ୍ରରେ ଅତ୍ୟନ୍ତ ଫଳପ୍ରଦ । ଏହା ଏତେ ବ୍ୟାପକ ହୋଇଛି ଯେ କେତେକ ବୈଜ୍ଞାନିକ ବର୍ତ୍ତମାନରଯୁଗକୁ “ଆଣ୍ଟିବାଇଓଟିକ୍ ଯୁଗ’’ “ରୋଗଜୀବାଣୁ ନଷ୍ଟକାରୀ ଔଷଧର ଯୁଗ” ବୋଲି ଅଭିହିତ କରିଥାନ୍ତି ।

Image

 

ଯେଉଁ ଜୀବାଣୁ ବିଚଳିତ କରିଦେଇଥିଲା

-ଆର୍ଣ୍ଣେଷ୍ଟ ବୋରିଷ ଚେନ

 

ମନୁଷ୍ୟର ଲୁହରୁ ବଡ଼ ଧରଣର ବୈଜ୍ଞାନିକ ଆବିଷ୍କାର ହେବା ଦୃଷ୍ଟାନ୍ତ ପୃଥିବୀରେ ବିରଳ । କବି ଟେନିସନ ଲେଖିଥିଲେ “ଅଶ୍ରୁ, ବୃଥା ଅଶ୍ରୁ,” “ବୁଝେନା ମୁଁ କବିତାର ଅର୍ଥ” କିନ୍ତୁ ୧୯୩୬ ମସିହାରେ ଜର୍ମାନ ଯୁବକ ଏବଂ ରସାୟନବିଜ୍ଞାନବିଦ୍ ଆର୍ଣ୍ଣେଷ୍ଟ ବି.ଚେନ୍ ଇଂଲଣ୍ଡର ଅକ୍‌ସ୍ଫୋର୍ଡ଼ ବିଶ୍ଵବିଦ୍ୟାଳୟରେ ଉପସ୍ଥିତ ହୋଇ ଲୁଣିଆ ଲୁହ ବିନ୍ଦୁର କାରଣ ଅନୁସନ୍ଧାନ କରିଥିଲେ-। ଏହି ଅନୁସନ୍ଧାନ ଫଳରେ ଧୂଳିର ଦାଗ ଏବଂ ଏକ ନୂତନ ଔଷଧ-ପେନ୍ସିଲିନ୍ ଆବିଷ୍କୃତ ହୋଇଥିଲା । ଏହି ପେନ୍ସିଲିନ୍ ଯାହାକୁ-”ଯାଦୁ ଔଷଧ” ବୋଲି କୁହାଯାଏ, ପ୍ରତିବର୍ଷ ହଜାର ହଜାର ଲୋକଙ୍କୁ ମୃତ୍ୟୁମୁଖରୁ ରକ୍ଷା କରୁଛି ।

 

ଚେନ୍ ଏଞ୍ଜାଇମ ସମ୍ବନ୍ଧରେ ଜଣେ ବିଶେଷଜ୍ଞ ଥିଲେ । ଶରୀରର ଜୀବନ୍ତ କୋଷଗୁଡ଼ିକଦ୍ୱାରା ଏକ ପ୍ରକାର ରାସାୟନିକ ପଦାର୍ଥ ପ୍ରସ୍ତୁତି ହୁଏ, ତାକୁ ଏଞ୍ଜାଇମ ବୋଲି କୁହାଯାଏ । ରୋଗବିଜ୍ଞାନବିଦ୍ ଡାକ୍ତର ହାୱାର୍ଡ଼ ୱାଲ୍ଟର ଫ୍ଲରେଙ୍କ ନିମନ୍ତ୍ରଣ କ୍ରମେ ଅକ୍ସଫୋର୍ଡ଼କୁ ଯାଇଥିଲେ । ଡାକ୍ତର ଫ୍ଲରେ ଲାଇସୋଜୋମ ନାମକ ଏକ ଏଞ୍ଜାଇମ ବିଷୟରେ ଅନୁଧ୍ୟାନ କରୁଥିଲେ ଏବଂ ତାଙ୍କୁ କାର୍ଯ୍ୟରେ ସାହାଯ୍ୟ କରିବାପାଇଁ ସେ ଜାଣେ ରସାୟନବିଦଙ୍କ ସାହାଯ୍ୟ ଚାହିଁଥିଲେ । ଲଣ୍ତନର ସେଣ୍ଟମେରି କଲେଜର ଜୀବାଣୁ ବିଜ୍ଞାନର ଅନ୍ୟତମ ଶିକ୍ଷକ ଆଲେକଜାଣ୍ଡର ଫ୍ଳେମିଙ୍ଗଙ୍କଦ୍ଵାରା ୧୯୨୨ ମସିହାରେ ଲାଇସୋଜୋମ ଆବିଷ୍କୃତ ହୋଇଥିଲା । ମନୁଷ୍ୟର ରୋଗ ଘଟାଉଥିବା ଜୀବାଣୁ ବିରୁଦ୍ଧରେ ଲଢ଼େଇ କରିବାର ନୂତନ ଉପାୟ ଉଦ୍ଭାବନ କରିବା ନିମନ୍ତେ ଫ୍ଳେମିଙ୍ଗ ଅନୁସନ୍ଧାନ ଚଳେଇଥିଲେ । କାରଣ ସେତେବେଳେ ଯେଉଁସବୁ ରାସାୟନିକ କୀଟଣୁନାଶକ ଔଷଧ ବ୍ୟବହାର କରାଯାଉଥିଲା ସେସବୁ ମନୁଷ୍ୟର ପେଶି ପକ୍ଷରେ ଅନିଷ୍ଟ ଘଟାଉଥିଲା । ଦିନେ ସେ ତାଙ୍କ ଗବେଷଣାଗାରରେ ଗୋଟିଏ ଜୀବାଣୁକୁ ପରୀକ୍ଷା କରୁଥିବା ସମୟରେ ତାଙ୍କ ଆଖିରେ କ’ଣ ପଡ଼ିଗଲା ଏବଂ ତାଙ୍କ ଆଖିରୁ ଲୁହ ବୋହିଗଲା । ସେ ଦେଖିଲେ ଯେ ସେହି ଲୁହରେ ପରୀକ୍ଷା କରୁଥିବା ଜୀବାଣୁ ମିଳେଇ ଯାଇଛି । ଏହା ଫଳରେ ସେ ଆବିଷ୍କାର କରିଥିଲେ ଯେ ମନୁଷ୍ୟର ଲୁହରେ ଶକ୍ତିଶାଳୀ ଜୀବାଣୁ ନଷ୍ଟକାରୀ ଶକ୍ତି ରହିଛି । ସେ ଏହାକୁ ଲାଇସୋଜୋମ ବୋଲି ନାମ ଦେଇଥିଲେ ଏବଂ ଶରୀରର ଅନ୍ୟାନ୍ୟ ତରଳ ପଦାର୍ଥରେ ଏବଂ ଅଣ୍ଡାର ଧଳା ଅଂଶରେ ଏହା ରହିଥିବାର ସେ ଜାଣିପାରିଥିଲେ । କିନ୍ତୁ ଲାଇସୋଜୋମ ସବୁ ପ୍ରକାର ଜୀବାଣୁକୁ ନଷ୍ଟ କରିପାରୁ ନଥିବାରୁ ଏବଂ ମନୁଷ୍ୟ ପକ୍ଷରେ ଅତ୍ୟନ୍ତ ବିପଜ୍ଜନକ ରୋଗକୁ ଆରୋଗ୍ୟ କରିବାରେ ଫଳପ୍ରଦ ହେଉନଥିବାରୁ ଚିକିତ୍ସା ଜଗତରେ ତାଙ୍କର ଆବିଷ୍କାର ଫଳରେ ବିଶେଷ ଆଗ୍ରହ ସୃଷ୍ଟି ହୋଇ ନଥିଲା ।

 

୧୯୨୮ରେ ଫ୍ଲରେ ଲାଇସୋଜୋମ୍ ବିଷୟରେ ନିଜେ ଗବେଷଣା ଆରମ୍ଭ କରିଥିଲେ ଏବଂ ୧୯୩୬ରେ ତାଙ୍କୁ ଏ କାର୍ଯ୍ୟରେ ସାହାଯ୍ୟ କରିବାପାଇଁ ଡକ୍ଟର ଚେନଙ୍କୁ ନିମନ୍ତ୍ରଣ କରିଥିଲେ ।

 

ଚେନ୍ ୧୯୦୬ ମସିହାରେ ବର୍ଲିନରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ଜଣେ ରସାୟନବିଦ୍ । ୧୯୩୦ ରେ ସେ ଫ୍ରେଡ଼ରିକ ୱିଲହେଲ୍ମ ବିଶ୍ଵବିଦ୍ୟାଳୟରୁ ହନର୍ଷ ଗ୍ରାଜୁଏଟ୍ ହୋଇଥିଲେ ଏବଂ ଦୁଇ ବର୍ଷ ପର୍ଯ୍ୟନ୍ତ ବର୍ଲିନର ଚେରାଇଟ୍ ହାସପାତାଳର ରୋଗ ବିଜ୍ଞାନ ଅନୁଷ୍ଠାନରେ ଏଞ୍ଜାଇମ ସମ୍ପର୍କରେ ଗବେଷଣା କରିଥିଲେ । ୧୯୩୩ରେ ହିଟଲର କ୍ଷମତାକୁ ଆସିବାର ଅଳ୍ପଦିନ ପରେ ସେ ଇଂଲଣ୍ଡକୁ ଚାଲି ଆସିଥିଲେ । ଅକ୍ସଫୋର୍ଡ଼ଠାରେ ଫ୍ଲରେଙ୍କ ସଙ୍ଗେ ଏକାଠି କାମ କରିବା ପୂର୍ବରୁ ସେ କେମ୍ଭ୍ରିଜଠାରେ ଜୀବରସାୟନ ବିଜ୍ଞାନ ବିଦ୍ୟାଳୟରେ ଦୁଇ ବର୍ଷ କାମ କରିଥିଲେ ।

 

ଚେନ୍ ଓ ଫ୍ଲରେ ଏକାଠି ଗବେଷଣା କରି୧୯୩୭ ମସିହାରେ ଶୁଦ୍ଧ ଲାଇସୋଜୋମକୁ ବାଛି ଅଲଗା କରିଦେବାରେ ସମର୍ଥ ହୋଇଥିଲେ ଏବଂ ଏହାର ରାସାୟନିକ ଗୁଣ ବିଷୟରେ ପରୀକ୍ଷା କରିଥିଲେ । ତା’ପରେ ସେମାନେ ଅନ୍ୟାନ୍ୟ ପଦାର୍ଥ (ଲାଇଟିକ୍ ଏଜେଣ୍ଟ)–ଏକାଭଳି ଗୁଣ ଥିବା ପଦାର୍ଥ ବିଷୟରେ ଅନୁସନ୍ଧାନ ଚଳେଇଥିଲେ । ଗତ କେତେ ବର୍ଷ ଭିତରେ ଯେଉଁସବୁ ବୈଜ୍ଞାନିକ ପୁସ୍ତକମାନ ପ୍ରକାଶିତ ହୋଇଥିଲା ତାହା ସେ ତହିଁରେ ଅନୁଧ୍ୟାନ କରିଥିଲେ । ଦିନେ ଗୋଟିଏ ବୈଜ୍ଞାନିକ ପ୍ରବନ୍ଧ ପଢ଼ୁ ପଢ଼ୁ ମୁଗ୍ଧ ହୋଇଯାଇଥିଲେ । ଲାଇସୋଜୋମ୍ ଉଦ୍ଭାବନ କରିଥିବା ସେହି ଆଲେକ୍‍ଜାଣ୍ଡର ଫ୍ଲେମିଙ୍ଗ ଏହି ପ୍ରବନ୍ଧଟିର ଲେଖକ ।

 

ଏହି ପ୍ରବନ୍ଧରେ ସେ ଘଟଣାକ୍ରମେ ଉଦ୍ଭାବନ କରିଥିବା ଜୀବାଣୁ ନଷ୍ଟକାରୀ ଗୋଟିଏ ଫିମ୍ଫିଜାତୀୟ ଜୀବର ଜୀବାଣୁ ନଷ୍ଟକାରୀ ଶକ୍ତି ସମ୍ବନ୍ଧରେ ଆବିଷ୍କାର କରିଥିଲେ । ୧୯୨୮ ରେ ଦିନେ ସେ ତାଙ୍କ ଗବେଷଣାଗାରରେ କାମ କରୁଥିଲାବେଳେ ଦେଖିଲେ ଯେ ତାଙ୍କ ପରୀକ୍ଷାଗାରରେ ତାଙ୍କର ଜୀବାଣୁଗୁଡ଼ିକ ଅନ୍ୟ ଜୀବାଣୁଦ୍ଵାରା ଆକ୍ରାନ୍ତ ହୋଇପଡ଼ିଛନ୍ତି । କେତେକ ଫିମ୍ଫି ଜାତୀୟ ପଦାର୍ଥର ଜୀବାଣୁ ତାଙ୍କ ଝରକା ବାଟ ଦେଇ ବାହାରିଯାଇ ଥାଳିଆର ଘୋଡ଼ଣୀ ନଥିବା ବେଳେ ସେଥିରେ ବସିଯାଇଥିଲେ । ଗବେଷଣାଗାରରେ ଅନେକ ସମୟରେ ଏପରି ଘଟିଥାଏ । ଫ୍ଲେମିଙ୍ଗ୍ ଫିମ୍ଫି ଜାତୀୟ ପଦାର୍ଥର ଜୀବାଣୁକୁ କାଢ଼ିଦେଇ ଆଉ ନୂଆ ଜୀବାଣୁ ରଖିଦେଇ ଥାଆନ୍ତେ । କିନ୍ତୁ ଏହି ଫିମ୍ଫିଜାତୀୟ ପଦାର୍ଥରେ କେତେକ ଅସାଧାରଣ ଗୁଣ ସେ ଲକ୍ଷ୍ୟ କରିଥିଲେ । ଏହା ରୋଗଜୀବାଣୁକୁ ନଷ୍ଟ କରିଦେଉଥିବା ଭଳି ଜଣାପଡ଼ୁଥିଲା ।

 

ଏହି ଫିମ୍ଫି ସାଧାରଣ ଫିମ୍ଫିଭିତରୁ ସଂଗ୍ରହ କରାଯାଇଥିଲା । ଏହାକୁ “ପେନ୍‌ସିଲିୟମ୍” ବୋଲି କୁହାଯାଇଥିଲା । କାରଣ ଅଣୁବୀକ୍ଷଣ ଯନ୍ତ୍ରରେ ଏହା ପେନ୍‍ସିଲ୍‍ ଗୋନ୍ଥାଭଳିଆ ଦେଖାଯାଉଥିଲା । ପେନ୍‍ସିଲ୍‍କୁ ଲାଟିନରେ ପେନ୍‍ସିଲ୍‍ୟସ୍ ବୋଲି କୁହାଯାଏ । ୬୫୦ ପ୍ରକାର ପେନ୍ସିଲିଅମ ଅଛି । ବାସୀ ଛେନା ବା ରୁଟିରେ ଯେଉଁ ସାଗୁଆ ଫିମ୍ପି ଦେଖାଯାଏ ତାହା ସେଥିଭିତରୁ ଗୋଟିଏ, କିନ୍ତୁ ସେଥିଭିତରୁ କେହି ରୋଗଜୀବାଣୁକୁ ଆକ୍ରମଣ କରିଥିବାର ଜଣାପଡ଼ି ନଥିଲା । ଉପରୋକ୍ତ ଫିମ୍ପି ଏକ ଅସାଧାରଣ ପେନ୍ସିଲିୟର ନୋଟାଟମ୍-ସୌଭାଗ୍ୟବଶତଃ ଏଥିଭିତରୁ ଗୋଟିଏ ଜୀବାଣୁ ବିଜ୍ଞାନବିଦ୍ ଆଲେକ୍‍ଜାଣ୍ଡର ଫ୍ଲେମିଙ୍ଗଙ୍କ ଗବେଷଣାଗାରରେ ପ୍ରବେଶ କରି ମାନବ ଜାତିପକ୍ଷରେ ଏକ ବିରାଟ ବରଦାନ ପରି କାର୍ଯ୍ୟ କରୁଥିଲା ।

 

ଫ୍ଲେମିଙ୍ଗ ଅନ୍ୟାନ୍ୟ ଗବେଷଣାକୁ ବନ୍ଦ ରଖି ଏହି ଫିମ୍ପି ଜାତୀୟ ପଦାର୍ଥ ସମ୍ୱନ୍ଧରେ ଗବେଷଣା ଚଳାଇଥିଲେ । ଏହି ଗବେଷଣା ଭିତରେ ଏପର୍ଯ୍ୟନ୍ତ ମନୁଷ୍ୟକୁ ଜଣାଥିବା ଅତ୍ୟନ୍ତ ମାରାତ୍ମକ ଜୀବାଣୁ ନଷ୍ଟ କରିଦେବାର ଶକ୍ତି ଏହାର ରହିଛି ବୋଲି ଯେତେବେଳେ ସେ ଦେଖିଲେ, ସେଥିରେ ସେ ବିଶେଷ ଉତ୍ତେଜିତ ହୋଇ ଉଠିଥିଲେ । ସେ ଅନ୍ୟାନ୍ୟ ବହୁ ପରୀକ୍ଷା ପରେ ଜାଣିଲେ ଯେ ଏହି ପଦାର୍ଥଟି ମନୁଷ୍ୟ ପଷରେ କ୍ଷତିକାରକ ନୁହେଁ । କିନ୍ତୁ ଫ୍ଳେମିଙ୍ଗ ରସାୟନ ବିଜ୍ଞାନବିଦ୍ ନଥିଲେ । ସେ ଥିଲେ ଜଣେ ଜୀବଣୁ ବିଜ୍ଞାନବିଦ୍ । ସେ ଚେଷ୍ଟା କରି ମଧ୍ୟ ଜୀବାଣୁନଷ୍ଟକାରୀ ବୀଜାଣୁ, ଯାହାକୁ ସେ ପେନ୍ସିଲିନ୍ ବୋଲି ମନ ଦେଇଥିଲେ, ତାକୁ ବାଛି ଅଲଗା କରିପାରିନଥିଲେ । ସେ ଜାଣିଥିଲେ ଯେ, ଏହା ବାଛି ଅଲଗା କରାନଗଲେ ଏବଂ ବ୍ୟବହାରର ଉପଯୋଗୀ ପଦାର୍ଥରେ ପରିଣତ କରାନଗଲେ ତାଙ୍କ ଆବିଷ୍କାର ଚିକିତ୍ସାବିଜ୍ଞାନର କୌଣସି କାମରେ ଆସିପାରିବ ନାହିଁ ।

 

୧୯୩୭ ରେ ଫ୍ଳେମିଙ୍ଗଙ୍କ ପ୍ରବନ୍ଧପାଠ କରିବା ପୂର୍ବରୁ ଚେନ୍ ପେନ୍ସିଲିନର ନାମ ଜାଣିନଥିଲେ । କିନ୍ତୁ ସେ ଏହି ପ୍ରବନ୍ଧ ପାଠ କରିବା ସଙ୍ଗେ ସଙ୍ଗେ ଏ ବିଷୟରେ ତାଙ୍କର ଆଗ୍ରହ ବୃଦ୍ଧି ପାଇଥିଲା । ସେ ଏବଂ ଫ୍ଲରେ ଉପରୋକ୍ତ ରହସ୍ୟଜନକ ଫିମ୍ପି ବିଷୟରେ ଅନୁସନ୍ଧାନ କରିବା ନିମନ୍ତେ ସମସ୍ତ ଶକ୍ତି ବିନିଯୋଗ କରିବା ନିମନ୍ତେ ସ୍ଥିର କରିଥିଲେ । ସେ ଦେଖିଲେ ଯେ ଅକ୍ସଫୋର୍ଡ଼ଠାରେ ଫ୍ଳେମିଙ୍ଗଙ୍କ ମୌଳିକ ଫଳପ୍ରଦ ବୀଜାଣୁରୁ ଜନ୍ମିଥିବା ପେନ୍ସିଲିୟମ୍ “ନୋଟାଟମ୍‍ର’’ ଏକ ନମୁନା ରହିଛି । ସେମାନେ ନୂଆ ନୂଆ ବୀଜାଣୁ ବାହାର କରିଥିଲେ ।

 

ତା’ପରେ ଚେନ୍ ପେନ୍ସିଲିନକୁ ବାଛି ଅଲଗା କରିବା କାମରେ ମନୋନିବେଶ କରିଥିଲେ । ସେ ପ୍ରଥମେ ଏହିପରି ଏକ ଦ୍ରାବକ ପଦାର୍ଥ ଆବିଷ୍କାର କରିବାକୁ ଚାହିଁଥିଲେ ଯାହାକି ଫିମ୍ପିରୁ ଅନ୍ୟାନ୍ୟ ଗୁଣଗୁଡ଼ିକୁ ନଷ୍ଟ ନକରି ସେ ବୀଜାଣୁ ନଷ୍ଟକାରୀ ପ୍ରଦାର୍ଥକୁ ଅଲଗା କରିଦେଇ ପାରିବ । ତା’ପରେ ସେ ଏପରି ଆହୁରି ଏକ ରାସାୟନିକ ପଦାର୍ଥ ଚାହିଁଥିଲେ, ଯାହାକି ଦ୍ରାବକ ପଦାର୍ଥରୁ ଏହାକୁ କାଢ଼ିନେଇ ଦାନାଭଳି ଜିନିଷରେ ପରିଣତ କରିଦେଇ ପାରିବ ।

 

ସଫଳତା ହାସଲ ପାଇଁ ତାଙ୍କୁ ବହୁମାସ ପର୍ଯ୍ୟନ୍ତ ପରୀକ୍ଷା ଚଳେଇବାକୁ ହୋଇଥାଲା । ଦିନେ ସେ ବାଦାମି ରଙ୍ଗର ଚିନି ପରି ଦେଖା ଯାଉଥିବା ହଳଦିଆ-ବାଦାମି ରଙ୍ଗର ପାଉଡ଼ର ବା ଚୂର୍ଣ୍ଣର ଏକ ଦାଗ ଲକ୍ଷ୍ୟ କରିଥିଲେ । ଏହା ହେଉଛି ଘନିଭୂତ ପେନ୍ସିଲିନ୍ । ଫ୍ଲରେ ଓ ତାଙ୍କ ସହଯୋଗୀମାନେ ଏହାର ଗୁଣ ପରୀକ୍ଷା କରିଥିଲେ । ସେମାନେ ମୂଷା ଦେହରେ ଅତ୍ୟନ୍ତ ମାରାତ୍ମକ ରୋଗ ଜୀବାଣୁ ଇଂଜେକ୍ସନ୍ ଦେଇଥିଲେ ଏବଂ ପେନ୍ସିଲିନ୍ ଇଂଜେକ୍ସନ୍ ଦେଇଥିଲେ । ବୀଜାଣୁଗୁଡ଼ିକ ନଷ୍ଟ ହୋଇଯାଇଥିଲା । ସେମାନେ ପେନ୍ସିଲିନ୍‍କୁ ଶତ ସହସ୍ର ଥର ଜଳଦ୍ୱାରା ମିଶ୍ରିତ କରି ଏହାର ପରିମାଣକୁ କମେଇ କମେଇ ପରୀକ୍ଷା କରିଦେଖିଲେ ଯେ ଏହା ତଥାପି ରୋଗ ବିରୁଦ୍ଧରେ ଫଳପ୍ରଦ । ସର୍ବାପେକ୍ଷା ଗୁରୁତ୍ଵପୂର୍ଣ୍ଣ କଥା ଯେ ଏହା ମନୁଷ୍ୟର କୌଣସି କ୍ଷତି କରିନଥିଲା । ଚେନ୍‍ ଓ ଫ୍ଲରେ ସ୍ଥିର କଲେ ଯେ ସେମାନଙ୍କର ପାଉଡ଼ର ବା ଚୂର୍ଣ୍ଣ ଶୁଦ୍ଧ ପଦାର୍ଥ । ଆଜି ଆମେ ଜାଣୁ ଯେ ଶୁଦ୍ଧ ପେନ୍ସିଲିନ୍ ଶକ୍ତିର ବହୁ କମ ଅଂଶ ମାତ୍ର ଏଥିରେ ଥିଲା । ମନୁଷ୍ୟଠାରେ ଏହାକୁ ପରୀକ୍ଷା କରିବା ପୂର୍ବରୁ ବହୁ ଅଧିକ ପରିମାଣ ପେନ୍ସିଲିନ୍ ଉତ୍ପାଦନ କରିବା ଦରକାର ପଡ଼ିଥିଲା । ମାସ ମାସ ଧରି କାମକରିବା ପରେ ସେମାନେ ଚାମୁଚରେ ଚାମୁଚେ ପର୍ଯ୍ୟନ୍ତ ପେନ୍ସିଲିନ୍ ଉତ୍ପାଦନ କରିବାକୁ ସମର୍ଥ ହୋଇଥିଲେ ।

 

୧୯୪୧ ମସିହା ଶୀତ ଦିନେ ଲଣ୍ତନର ଜଣେ ପୋଲିସ କର୍ମଚାରୀଙ୍କ ଦେହରେ ସେମାନେ ଏହାକୁ ପରୀକ୍ଷା କରିଥିଲେ । ରୋଗବୀଜାଣୁହାରା ତାଙ୍କ ରକ୍ତ ଦୂଷିତ ହୋଇଯିବା ଫଳରେ ସେ ମରଣାପନ୍ନ ଅବସ୍ଥାରେ ପଡ଼ିଥିଲେ । ସେତେବେଳେ ଯେଉଁସବୁ ଔଷଧ ଜଣାଥିଲା ସେଥିଭିତରୁ କୌଣସି ଔଷଧ ତାଙ୍କ ଜୀବନକୁ ରକ୍ଷା କରିବାକୁ ସମର୍ଥ ହୋଇନଥିଲା । ୨୪ ଘଣ୍ଟା ପରେ ରୋଗୀର ଅବସ୍ଥା ଭଲ ଆଡ଼କୁ ଆସିଥିଲା । ପାଞ୍ଚଦିନ ପରେ ଜର ଭଲହୋଇଗଲା । କିନ୍ତୁ ପେନ୍ସିଲିନ୍ ଶେଷ ହୋଇଗଲା, ତେଣୁ ସେ ପୁଣି ଥରେ ରୋଗ ବୀଜାଣୁଦ୍ୱାରା ସେ ଆକ୍ରାନ୍ତ ହୋଇ ପ୍ରାଣ ହରେଇଲେ । ଅଧିକ ପରିମାଣରେ ପେନ୍ସିଲିନ୍ ଉତ୍ପାଦନ କରିବା ପାଇଁ ଅନେକ ଦିନ ଲାଗିଯାଇଥିଲା । ଏହାପରେ ସେମାନେ ଯେଉଁ ରୋଗୀର ଚିକିତ୍ସା କରିଥିଲେ ତାହାର ମଧ୍ୟ ସେଇ ଫଳ ହୋଇଥିଲା । ହଳଦିଆ ରଙ୍ଗର ପାଉଡ଼ର ଯଥେଷ୍ଟ ପରିମାଣରେ ନଥିଲା । ଶେଷରେ ଏହାର ଆଉ କେତେମାସ ପରେ ଗୋଟିଏ ବାଳିକାର ଅସ୍ତ୍ରୋପୋଚାର ପରେ ରୋଗ ବୀଜାଣୁ ଦ୍ଵାରା ତାର ରକ୍ତ ଦୂଷିତ ହୋଇଥିଲା । ସେ ମୃତ୍ୟୁ ମୁଖରେ ପଡ଼ିଥିଲା ବେଳେ ତା’ର ଚିକିତ୍ସା ପାଇଁ ଦରକାର ହେବାଭଳି ଯଥେଷ୍ଟ ପରିମାଣରେ ପେନ୍‍ସିଲ୍‍ନ୍ ସେମାନଙ୍କ ନିକଟରେ ଥିଲା । ଏହା ଫଳରେ ବାଳିକାଟି ବଞ୍ଚିଯାଇଥିଲା ।

 

ଡାକ୍ତରଖାନାମାନଙ୍କରେ ଏହି ନୂଆ ଔଷଧ ବହୁ ପରିମାଣରେ ଖୋଜିଲେ । ଦ୍ଵିତୀୟ ମହାଯୁଦ୍ଧ ଚାଲିଥାଏ । ରୋଗବୀଜାଣୁଦ୍ୱାରା ରକ୍ତ ଦୂଷିତ ହୋଇ ହଜାର ଲୋକ ପ୍ରାଣ ହରାଉଥାନ୍ତି, ପେନ୍‍ସିଲିନ୍ ସେହି ରୋଗ ବୀଜାଣୁକୁ ଧ୍ଵଂସ କରିପାରିବ । ବହୁ ପରିମାଣରେ ଏହାକୁ ଉତ୍ପାଦନ କରିବାକୁ ପଡ଼ିବ । ବହୁ ପରିମାଣ ଫିମ୍ପିଜାତୀୟ ପଦାର୍ଥ ବାହାର କରିବା ପାଇଁ ବେଜ୍ଞାନିକମାନଙ୍କୁ ଉପାୟ ଉଦ୍ଭାବନ କରିବାକୁ ହେବ । ଅଳ୍ପକାଳ ଭିତରେ ଏହା କରିବାକୁ ହେବ ଏବଂ ବହୁପରିମାଣ ପାଉଡ଼ର ବା ଚୂର୍ଣ୍ଣ ବାହାର କରିବାକୁ ପଡ଼ିବ । ଏଥିପାଇଁ ଫ୍ଲରେ ଓ ଚେନ୍ ବ୍ରିଟିଶ୍ ଓ ଆମେରିକା ଔଷଧ ଉତ୍ପାଦନକାରୀ କମ୍ପାନୀମାନଙ୍କ ସାହାଯ୍ୟ ଲୋଡ଼ିଥିଲେ

 

ପ୍ରଥମେ ଗୋଟିଏ ବ୍ରିଟିଶ କମ୍ପାନୀ ବହୁ ପରିମାଣରେ ପାଉଡ଼ର ଉତ୍ପାଦନ କରିଥିଲେ ଏବଂ ଆମେରିକାର ବୈଜ୍ଞାନିକମାନେ ଶେଷରେ ପ୍ରଚୁର ପରିମାଣରେ ଉତ୍ପାଦନ ପାଇଁ ଏକ ପଦ୍ଧତି ଉଦ୍ଭାବନ କରିଥିଲେ । ଇଲିଅନସ୍ଥ ପିଓରିଆଠାରେ ଗବେଷଣାଗାରରେ କାମ କରୁଥିବା ଜଣେ ଗବେଷକ–ଯାହାକୁ “ମୋଲଡ଼ିମାରି” ବୋଲି କୁହାଯାଇଥାଏ-ଆମେରିକା ଯୁକ୍ତରାଷ୍ଟ୍ରରେ ମିଳୁଥିବା ଏକ ପଚା ଫଳ ‘କାଣ୍ଟାଲେପ’ ଦେଖିଥିଲେ । ସେଥିରେ ସିନ୍ଦୁର ଭାବରେ ଫିମ୍ପି ଉଠିଥିଲା । ଏଥିରୁ ଯେଉଁ ଯେଉଁ ନୂତନପ୍ରକାରର ପେନ୍ସିଲିନର ଉତ୍ପନ୍ନ ହେଲା ତା’ର ପରିମାଣ ଫ୍ଲେମିଙ୍ଗଙ୍କ ପ୍ରଥମ ଫିମ୍ଫିଠାରୁ ୨୦୦ଗୁଣ ଅଧିକ ହୋଇଥିଲା ।

 

ତା’ପରେ ଆମେରିକାର ବୈଜ୍ଞାନିକମାନେ ଆବିଷ୍କାର କରିଥିଲେ ଯେ, ଗହିରିଆ ପାଣିକୁଣ୍ଡରେ ପାଣି ପୁରାଇ ସେଥିରେ ଖାଦ୍ୟଶସ୍ୟ ଭର୍ତ୍ତି କରିଦେଲେ ଅତି ଦ୍ରୁତଗତିରେ ଫିମ୍ପ ଉଠିଯିବ । ଏହି ଉଦ୍ଭାବନ ଫଳରେ ୧୯୪୪ ମସିହାରେ ନର୍ମାଣ୍ଡି ଆକ୍ରମଣ ସମୟରେ ଅତି ଅଳ୍ପ ସମୟ ଭିତରେ ବହୁ ପରିମାଣରେ ପେନ୍ସିଲିନ ମିଳିପାରିଥିଲା ଏବଂ ତା’ଦ୍ୱାରା ମିତ୍ରପକ୍ଷର ହଜାର ହଜାର ଲୋକଙ୍କ ପ୍ରାଣରକ୍ଷା କରାଯାଇ ପାରିଥିଲା । ୧୯୪୫ ମସିହାର ଶେଷଭାଗରେ କେବଳ ଆମେରିକା ଯୁକ୍ତରାଷ୍ଟ୍ର ୭୦ ଲକ୍ଷ ଲୋକଙ୍କ ପ୍ରାଣରକ୍ଷା ପାଇଁ ପେନ୍ସିଲିନ୍ ଉତ୍ପାଦନ କରୁଥିଲା ।

 

ପେନ୍ସିଲିନ ପୃଥିବୀର ସର୍ବ ପ୍ରଥମ ରୋଗଜୀବାଣୁ ନଷ୍ଟକାରୀ ଔଷଧ । ଏବେ ଏହାକୁ ମେନେନ୍ଞ୍ଜାଇଟିସ୍ ବା ମସ୍ତିଷ୍କର ଝିଲ୍ଲୀପ୍ରଦାହ, ଉପଦଂଶ ସ୍କାରଲେଟ ବା ଆରକ୍ତା ଜର, ଡିପ୍‍ଥେରିଆ, କେତେପ୍ରକାର ନିମୋନିଆ, ରକ୍ତ ଦୂଷିତ ହେବା ଫଳରେ କେତେକ ରୋଗଜୀବାଣୁ ଆକ୍ରମଣ ବିରୁଦ୍ଧରେ ପ୍ରୟୋଗ କରାଯାଉଛି । ଆଧୁନିକ ଔଷଧ ଭିତରେ ଏହା ସର୍ବାପେକ୍ଷା ଅଧିକ ଆଶ୍ଚର୍ଯ୍ୟଜନକ ଔଷଧ ।

 

୧୯୫୧ ମସିହାଠାରୁ ଡକ୍ଟର ଚେନ୍ ଜୀବରସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ଏବଂ ରୋମରେ ଅବସ୍ଥିତ ରାସାୟନିକ ଜୀବାଣୁ ବିଜ୍ଞାନ ପାଇଁ ଆନ୍ତର୍ଜାତୀୟ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଡିରେକ୍ଟର ରୂପେ କାର୍ଯ୍ୟ କରୁଛନ୍ତି । ସେଠାରେ ସେ ଏହି ଔଷଧ ବିଷୟରେ ଗବେଷଣା ଚଳେଇଛନ୍ତି । ୧୯୫୯ରେ ନ୍ୟୁୟର୍କର ସିରାକମ୍‍ଠାରେ ବ୍ରିଷ୍ଟଲ ଗବେଷଣାଗାରରେ ଦଳେ ବୈଜ୍ଞାନିକ ତାଙ୍କ ସହଯୋଗରେ କୃତ୍ରିମ ଉପାୟରେ ଏକପ୍ରକାର ପେନ୍ସିଲିନ୍ ଉତ୍ପାଦନ କରିଥିଲେ, ଯାହାକୁ ସିନ୍ସିଲିନ୍ ବୋଲି କୁହାଯାଉଥିଲା । ସାଧାରଣ ପେନ୍ସିଲିନ୍ ବ୍ୟବହାର ଫଳରେ ସମୟ ସମୟରେ ଏହା ଯେପରି ଏକପ୍ରକାର ପ୍ରତିକ୍ରିୟା ଫଳପ୍ରଦ ହୁଏ ନାହିଁ । ସିନ୍ସିଲିନରେ ତାହା ହୁଏନାହିଁ ।

 

ଡକ୍ଟର ଚେନ୍ ତାଙ୍କ ବନ୍ଧୁଙ୍କ ନିକଟରେ ଜଣେ ଖୁବ୍ ଉତ୍ସାହୀ ଏବଂ ସହଜରେ ଉତ୍ତେଜିତ ହୋଇଯିବାଭଳି ବ୍ୟକ୍ତି ଭାବରେ ପରିଚିତ । ସଙ୍ଗୀତ ପ୍ରତି ତାଙ୍କର ବିଶେଷ ଶ୍ରଦ୍ଧା ଥାଏ, କିନ୍ତୁ ଗବେଷଣାଗାରରେ ସେ ଖୁବ ଧୀରସ୍ଥିର ଅନାସକ୍ତ ଭାବରେ ଗବେଷଣାରେ ନିରତ ଥାନ୍ତି ।

 

୧୯୪୫ ମସିହାରେ ପେନ୍ସିଲିନ୍ ଆବିଷ୍କାର ପାଇଁ ମିଳିତ ଭାବରେ ଡକ୍ଟର ଫ୍ଲେମିଙ୍ଗଙ୍କୁ, ପେନ୍ସିଲିନ୍ ଚିକିତ୍ସା ଉପଯୋଗୀ କରିପ୍ରସ୍ତୁତ କରିଥିବାରୁ ଡକ୍ଟର ଚେନ୍ ଓ ଡକ୍ଟର ଫ୍ଲରେଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା ।

Image

 

ଯେଉଁ ରୋଗବୀଜାଣୁ ବିକଳାଙ୍ଗ କରିଦିଏ

-ଜୋନାସ ଏଡ଼୍‌ଓ୍ୱ୍ୟାର୍ଡ଼୍‌ ସାଲ୍‍କ

 

ପୋଲିଓ ବା ଶିଶୁପକ୍ଷାଘାତ ପୃଥିବୀର ଅତ୍ୟନ୍ତ ଭୟାବହ ରୋଗମାନଙ୍କ ମଧ୍ୟରୁ ଅନ୍ୟତମ । ଏହା ପ୍ରଥମେ ଶିଶୁମାନଙ୍କୁ ଆକ୍ରମଣ କରିଥାଏ ମାତ୍ର ବୟସ୍କ ଲୋକମାନେ ଏହାଦ୍ଵାରା ଆକ୍ରାନ୍ତ ହେଲେ ପରିଣାମ ମାରାତ୍ମକ ହୋଇଥାଏ । ପକ୍ଷାଘାତର ଜୀବାଣୁ ମେରୁଦଣ୍ଡ ଭିତରେ ଥିବା ଧୂସର ପଦାର୍ଥ । ଏହା ସ୍ନାୟୁକୋଷକୁ ଆକ୍ରମଣ କରି ମୃତ୍ୟୁ ଘଟାଇଥାଏ ବା ବିକଳାଙ୍ଗ କରିଦିଏ । ଏଇଥିରୁ ଏହାର ପୂରା ନାମ ହୋଇଛି-ପୋଲିଓ ମାଲାଇଟିସ୍ (ଗ୍ରୀକ୍ ଭାଷା) ଅର୍ଥାତ୍ ଧୂସର ହାଡ଼ର ମଜ୍ଜା ।

 

ପୋଲିଓ ଅତି ପ୍ରାଚୀନ କାଳରୁ ରହିଛି । ଇଜିପ୍ଟରେ ଅତି ପ୍ରାଚୀନ କାଳରୁ ସଂରକ୍ଷିତ ଅବଶ ଦେହରେ ମଧ୍ୟ ପୋଲିଓ ଆକ୍ରମଣର ଚିହ୍ନ ମିଳୁଛି । ମାତ୍ର ଅଳ୍ପକାଳ ପର୍ଯ୍ୟନ୍ତ ପୋଲିଓ ଜୀବାଣୁ ଦ୍ୱାରା ବହୁ କମ୍ ଲୋକ ଆକ୍ରାନ୍ତ ହେଉଥିଲେ । ତା’ପରେ ହଠାତ୍ ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଏହା ସଂକ୍ରାମକ ରୋଗ ଭଳି ବ୍ୟାପିଯାଇଥିଲା ।

 

୧୯୧୬ ମସିହାରେ ନ୍ୟୁୟର୍କ ନଗରରେ ଏହି ରୋଗ ଅତି ମାରାତ୍ମକ ଭାବରେ ବ୍ୟାପି ଯାଇଥିଲା । ଏହି ନଗରର ଇତିହାସରେ ଏହି ସାଂଘାତିକ ସଂକ୍ରାମକ ରୋଗ ବ୍ୟାପିବାର ପୂର୍ବରୁ କେବେ ଦେଖାଯାଇନଥିଲା । ନ୍ୟୁୟର୍କର ଦୁଇହଜାର ଶିଶୁ ଓ ଦୁଇ ହଜାର ଏକଶହ ଅନ୍ୟଲୋକ ଏହି ରୋଗରେ ପ୍ରାଣ ହରାଇଥିଲେ I ତା’ପରେ ଏହି ରୋଗ ଅନ୍ୟଦେଶମାନଙ୍କରେ ମଧ୍ୟ ବ୍ୟାପିଯାଇଥିଲା ଏବଂ ଏହି ରୋଗ ଦ୍ଵାରା ବହୁ ଦେଶର ଶିଶୁ ପ୍ରାଣ ହରାଇଥିଲେ । ଚିକିତ୍ସା ବିଜ୍ଞାନ ଏହି ରୋଗକୁ ଆୟତ୍ତ କରିବାରେ ଅକ୍ଷମ ହେଲାଭଳି ଜଣାଗଲା ! ୧୯୫୫ ମସିହା ପର୍ଯ୍ୟନ୍ତ ମାନବଜାତି ପୋଲିଓ ଆକ୍ରମଣ ବିରୁଦ୍ଧରେ ଲଢ଼େଇ କରିବା ପାଇଁ କୌଣସି ଫଳପ୍ରଦ ଅସ୍ତ୍ର ପାଇପାରି ନଥିଲା ।

 

୧୯୪୯ ମସିହାରେ ପିଟସ୍‍ବର୍ଗ ବିଶ୍ଵବିଦ୍ୟାଳୟର ଡକ୍ଟର ଜୋନାସ୍ ଇ. ସାଲ୍କ ଇନ୍‍ଫ୍ଲୁଏଞ୍ଜା ବା ସର୍ଦ୍ଦିଜ୍ୱର ନିମନ୍ତେ ଏକ ପ୍ରତିଷେଧକ ଟୀକା ପ୍ରସ୍ତୁତ କରିବାରେ ଲାଗିଥିଲାବେଳେ ଶିଶୁ ପକ୍ଷାଘାତ ନିବାରଣ ସମ୍ବନ୍ଧୀୟ ଜାତୀୟ ପ୍ରତିଷ୍ଠାନ ଏ ସମ୍ପର୍କୀୟ ଏକ ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ତାଙ୍କ ସାହାଯ୍ୟ ଲୋଡ଼ିଥିଲେ । ପକ୍ଷାଘାତ ରୋଗ ଘଟାଉଥିବା ବିଭିନ୍ନ ୧୦୦ ପ୍ରକାର ବୀଜାଣୁକୁ ଶ୍ରେଣୀବିଭାଗ କରିବା, ପରୀକ୍ଷା କରିବା ଓ ତୁଳନା କରିବା ପାଇଁ ସେମାନଙ୍କୁ କୁହାଯାଇଥିଲା । ଡକ୍ଟର ସାଲ୍ ଏହି ଯୋଜନାରେ କାମ କରିବାପାଇଁ ରାଜି ହୋଇଥିଲେ । ଏହି ଯୋଜନା ଅନୁସାରେ ସେ ଯେଉଁ ଗବେଷଣା ଚଳେଇଥିଲେ ତା’ଫଳରେ ପକ୍ଷାଘାତ ରୋଗ ବିରୁଦ୍ଧରେ ଲଢ଼େଇ କରିବାପାଇଁ ପ୍ରଥମ ଫଳପ୍ରଦ ଅସ୍ତ୍ର ମିଳିଥିଲା ।

 

ଡକ୍ଟର ସାଲ୍ ରୋଗବୀଜାଣୁ ବିଷୟରେ ଜଣେ ବିଶେଷଜ୍ଞ ଥିଲେ । ସେ ନ୍ୟୁୟର୍କରେ ସର୍ବାପେକ୍ଷା ମାରାତ୍ମକ ପୋଲିଓ ବା ପକ୍ଷାଘାତ ସଂକ୍ରାମକ ରୋଗ ବ୍ୟାପିଯିବାର ଠିକ୍ ଦୁଇବର୍ଷ ପୂର୍ବରୁ ୧୯୧୪ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ପୋଷାକ ଉତ୍ପାଦନକାରୀ ଥିଲେ । ସାଲ୍ ପ୍ରତିଭାଶାଳୀ ଛାତ୍ରମାନଙ୍କ ପାଇଁ ନିର୍ମିତ ହାଇସ୍କୁଲ ଟାଉନ୍ସେଣ୍ଡ ହାରିଶରେ ଅଧ୍ୟୟନ କରିଥିଲେ ଓ ଲିବରାଲ ଆର୍ଟସରେ କୃତିତ୍ଵ ହାସଲ କରିଥିଲେ । ଆର୍ଥିକ ମାନ୍ଦା ଅବସ୍ଥା ଚାଲିଥିଲା ବେଳେ ସେ ନ୍ୟୁୟର୍କ ସିଟି କଲେଜରେ ଅଧ୍ୟୟନ କରିଥିଲେ । ଜଣେ ଆଇନଜୀବୀ ହେବା ପାଇଁ ତାଙ୍କର ଇଚ୍ଛା ଥିଲା ମାତ୍ର କୌତୂହଳବଶତଃ କେତୋଟି ବିଜ୍ଞାନ ବିଷୟରେ ଅଧ୍ୟୟନ କରିବା ପରେ ଚିକିତ୍ସା ବିଜ୍ଞାନ ବିଷୟରେ ଗବେଷଣା କରିବା ନିମନ୍ତେ ସେ ନିଷ୍ପତ୍ତି କରିଥିଲେ ।

 

୧୯୩୪ ମସିହାରେ ସେ ନ୍ୟୁୟର୍କ ବିଶ୍ଵବିଦ୍ୟାଳୟର ମେଡ଼ିକାଲ ସ୍କୁଲରେ ପ୍ରବେଶ କଲେ ଏବଂ ପ୍ରୋଟିନ ବିଷୟରେ ଗବେଷଣା କରିବା ପାଇଁ ଏକ ବୃତ୍ତି ଲାଭ କରିଥିଲେ । ମେଡ଼ିକାଲ ସ୍କୁଲରେ ଚାରିବର୍ଷ ଅଧ୍ୟୟନ କରିସାରିବା ପରେ ସେ ରୋଗ ବୀଜାଣୁ ଗବେଷଣା ବିଷୟରେ ଆଗ୍ରହ ପ୍ରକାଶ କଲେ ଏବଂ ଏ ବିଷୟରେ ଅନ୍ୟତମ ବିଶେଷଜ୍ଞ ଡାକ୍ତର ଥୋମାସ ଫ୍ରାନ୍ସିସଙ୍କ ଅଧୀନରେ ଗବେଷଣା କରିଥିଲେ । ସାଲ୍କ ୧୯୩୯ ମସିହାରେ ଏସ.ଡ଼ି. ଡିଗ୍ରୀ ଲାଭ କଲେ ଏବଂ ନ୍ୟୁୟର୍କ ନଗରରେ ଅବସ୍ଥିତ ମାଉଣ୍ଟ ସିନାଇ ହାସ୍ପିଟାଲ୍ ରେ ଇନ୍ଟର୍ଣ୍ଣି ଭାବରେ ନିଯୁକ୍ତ ହୋଇଥିଲେ ।

 

ଏହା ଭିତରେ ଡାକ୍ତର ଫ୍ରାନ୍‌ସିସ୍ ପିଟସ୍‍ବର୍ଗ ବିଶ୍ଵବିଦ୍ୟାଳୟର ପବ୍ଲିକ୍‍ ହେଲ୍‍ଥ ବିଭାଗର ମୁଖ୍ୟଭାବରେ ନିଯୁକ୍ତ ହୋଇଥିଲେ । ଇନ୍‍ଫ୍ଲୁଏଞ୍ଜା ଘଟାଇଥିବା ରୋଗ ବୀଜାଣୁ ବିଷୟରେ ଗବେଷଣା କରିବାପାଇଁ ଡ଼ାକ୍ତର ସାଲ୍କ ସେଠାରେ ତାଙ୍କ ସଙ୍ଗେ ଯୋଗ ଦେଇଥିଲେ । ଏହି ଗବେଷଣା ଚାଲିଥିବା ବେଳେ ୧୯୪୯ ମସିହାରେ ପୋଲିଓ ଗବେଷଣା ପ୍ରତି ଦୃଷ୍ଟିଦେବାପାଇଁ ତାଙ୍କୁ କୁହାଯାଇଥିଲା ।

 

ରୋଗ ବୀଜାଣୁ ଏକ ଅଦ୍ଭୁତ ଜୀବ । ଏହା ଜୀବନ୍ତ ପଦାର୍ଥ ନୁହେଁ କି ନିର୍ଜୀବ ନୁହେଁ । ଏହା ଗୋଟିଏ ମଝିମଝିକିଆ ପଦାର୍ଥ । ବିଜ୍ଞାନରେ ଯାହାକୁ ‘‘ନୋମାନ୍ସ ଲାଣ୍ଡ’’ ବା “କେହି ଯିବା ଆସିବାକରୁ ନ ଥିବା ସ୍ଥାନ” ବୋଲି କୁହାଯାଉଛି ସେହିଭଳି ସ୍ଥାନରେ ଏମାନେ ଥାଆନ୍ତି । ଏମାନଙ୍କ ଭିତରୁ କେତେଗୁଡ଼ିଏ ଜୀବାଣୁ ଏତେ କ୍ଷୁଦ୍ର ଯେ ସେମାନେ ଚୀନାମାଟି ତିଆରି ଜିନିଷର ସୂକ୍ଷ୍ମଜଳ ବାଟେ ଗଳିଯାଆନ୍ତି-କିନ୍ତୁ ଅନେକ ସମୟରେ ଅଣୁବୀକ୍ଷଣୀୟ ଜୀବାଣୁ ଏହିବାଟେ ଯାଇନପାରି ରହିଯାଆନ୍ତି । ଏହି ଜୀବାଣୁମାନଙ୍କୁ ବାଛି ଅଲଗା କରିଦିଆଗଲେ ଏମାନେ ନିର୍ଜୀବ ଦାନା ଭଳି ଆକାର ଧାରଣ କରନ୍ତି । କିନ୍ତୁ ସେମାନେ ଯେତେବେଳେ କୌଣସି ଜୀବନ୍ତ କୋଷରେ ସଂସ୍ପର୍ଶରେ ଆସନ୍ତି ସେହି କୋଷଗୁଡ଼ିକୁ ଅଚଳ କରିଦେଇ ତାଙ୍କ କାମ ନିଜେ କରନ୍ତି । ନିଜର ଜାତି ଉତ୍ପାଦନ କରିବା ନିମନ୍ତେ କୋଷକୁ ବ୍ୟବହାର କରନ୍ତି ଏବଂ ଶେଷରେ କୋଷଗୁଡ଼ିକୁ ଧ୍ଵଂସ-କରିଦିଅନ୍ତି ।

 

ରୋଗ ଜୀବାଣୁ ଏତେ କ୍ଷୁଦ୍ର ଯେ ସେମାନଙ୍କ ଭିତରୁ ପ୍ରାୟ ୧୦ ଲକ୍ଷ ପର୍ଯ୍ୟନ୍ତ ଜୀବାଣୁ ଏକାଠି ହେଲେ ଯାଇ ତା’ର ଆୟତନ ଏକ ଇଞ୍ଚ ହେବ । ୧୯୩୦ ଶତକରେ ଇଲେକ୍ଟ୍ରୋନ୍ ଅଣୁବୀକ୍ଷଣ ଯନ୍ତ୍ର ଉଦ୍ଭାବିତ ନ ହେବା ପର୍ଯ୍ୟନ୍ତ ରୋଗବୀଜାଣୁର ରୂପ ଦେଖିବା ସମ୍ଭବ ହେଉନଥିଲା । ଇଲେକ୍ଟ୍ରୋନ୍ ଅଣୁବୀକ୍ଷଣ ଯନ୍ତ୍ର ଠିକ୍ ଟେଲିଭିଜନ ରିସିଭର୍‍ ପରି ଇଲେକଟ୍ରୋନ୍ ବିମ୍ ବ୍ୟବହାର କରି ନଳିରେ ବୀଜାଣୁ ରୂପର ସନ୍ଧାନ କରିଥାଏ ।

 

କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟର ଉଇଣ୍ଡେଲ୍‍ ଷ୍ଟାନଲେ ପ୍ରଥମ ରୋଗ ବୀଜାଣୁ “ଟବାକୋ ମୋଜାଇକ”କୁ ସଫଳତାର ସହିତ ବାଛି ଅଲଗା କରିପାରିଥିଲେ । ଏହି ମାରାତ୍ମକ କ୍ଷୁଦ୍ରକଣିକା ମାନଙ୍କର ରସାୟନ ସମ୍ପର୍କରେ ଜ୍ଞାନ ହାସଲ କରିବାରେ ଏହା ଥିଲା ଏକ ସାହସିକ ପଦକ୍ଷେପ । ସେ ପରୀକ୍ଷାକରି ଦେଖାଇ ଦେଇଥିଲେ ଯେ ରୋଗ ଜୀବାଣୁ ନିଉକ୍ଲି ଆଇକ୍ ଏସିଡ଼୍ ଓ ପ୍ରୋଟିନ୍ ଦ୍ଵାରା ଗଠିତ ।

 

୧୯୩୮ ମସିହାରେ ଆମେରିକା ଯୁକ୍ତରାଷ୍ଟ୍ରର ସଭାପତି ରୁଜଭେଲ୍‍ଟ ଯେ କି ନିଜେ ପୋଲିଓ ଦ୍ଵାରା ଆକ୍ରାନ୍ତ ହୋଇଥିଲେ–ଶିଶୁ ପକ୍ଷାଘାତ ସମ୍ବନ୍ଧୀୟ ଏକ ଜାତୀୟ ଅନୁଷ୍ଠାନ ସ୍ଥାପନ କରିଥିଲେ ଏବଂ ଆମେରିକା ଅଧିବାସୀ ଏଥିପାଇଁ ଅର୍ଥଦାନ କରିଥିଲେ । ଚିକିତ୍ସା ବିଜ୍ଞାନ ଗବେଷକମାନେ ଏହି ଆନୁଷ୍ଠାନରେ ସମବେତ ଭାବରେ ଗବେଷଣା ଚଲେଇଥିଲେ । ଫଳରେ ପୋଲିଓ ବା ଶିଶୁ ପକ୍ଷାଘାତ ବିରୁଦ୍ଧରେ ଏକ ବିରାଟ ଅଭିଯାନ ଆରମ୍ଭ ହୋଇଥିଲା ।

 

ଆଧୁନିକ ଯୁଗରେ ପୋଲିଓ ବା ପକ୍ଷାଘାତ ରୋଗ କାହିଁକି ସଂକ୍ରାମକ ରୋଗ ଭାବରେ ବ୍ୟାପିଲା ?

 

ଗବେଷଣାକାରୀମାନେ ଜାଣିପାରିଥିଲେ ଯେ,ଏହି ରୋଗ ବୀଜାଣୁ ଅନ୍ୟାନ୍ୟ ଜିନିଷ ଭିତରେ ମନୁଷ୍ୟର ମଳରୁ ଆସିଥାଏ । ପ୍ରାଚୀନ କାଳରେ ଶୈଶବାବସ୍ଥାରେ ଲୋକଙ୍କୁ ପୋଲିଓ ବୀଜାଣୁ ଆକ୍ରମଣ କରୁଥିଲା ଏବଂ ସଙ୍ଗେ ସଙ୍ଗେ ଏହି ରୋଗ ବୀଜାଣୁକୁ ପ୍ରତିରୋଧ କରିବା ପାଇଁ ରୋଗ ବୀଜାଣୁ ନଷ୍ଟକାରୀ ରାସାୟନିକ ପଦାର୍ଥ ସେମାନଙ୍କ ଶରୀରରେ ଗଠିତ ହୋଇଯାଉଥିଲା । ଅଳ୍ପବୟସ୍କ ଲୋକଙ୍କୁ ସହଜରେ ଏହି ଜୀବଣୁ ଆକ୍ରମଣ କରିଥାଏ ମାତ୍ର ଏହି ଆକ୍ରମଣ ମାରାତ୍ମକ ହୁଏ ନାହିଁ ଏବଂ ସେମାନଙ୍କ ଶରୀରରେ ଏହି ରୋଗବୀଜାଣୁ ନଷ୍ଟକାରୀ ବୀଜାଣୁ ଗଠିତ ହୋଇଯିବାର ସମ୍ଭାବନା ଅଧିକ ଥାଏ । ତେଣୁ ଭବିଷ୍ୟତରେ ଏହି ରୋଗ ବୀଜାଣୁ ଆକ୍ରମଣ କରିବାର ସମ୍ଭାବନା କମିଯାଏ । ଊନବିଂଶ ଶତାବ୍ଦୀ ଭିତରେ ସ୍ୱାସ୍ଥ୍ୟୋନ୍ନତିର ଆଧୁନିକ ବ୍ୟବସ୍ଥାମାନ କାର୍ଯ୍ୟକାରୀ ହେବାରୁ ଏହି ରୋଗ ଜୀବାଣୁ ଆକ୍ରମଣ କରିବାର ସମ୍ଭାବନା କମିଯାଇଥିଲା । କିନ୍ତୁ ପରେ ଯେତେବେଳେ ଏହି ରୋଗ ପୁଣି ଆକ୍ରମଣ କଲା, ଏହାର ପରିଣାମ ମାରାତ୍ମକ ହୋଇଥିଲା ।

 

୧୯୪୯ ମସିହାରେ ଏ ଦିଗରେ ଉଦ୍ୟମ ଆରମ୍ଭ କରାଯାଇଥିଲା । ସେ ପର୍ଯ୍ୟନ୍ତ ବୈଜ୍ଞାନିକମାନଙ୍କର ବିଶ୍ୱାସ ଥିଲା ଯେ, ପୋଲିଓ ବା ଶିଶୁ ପକ୍ଷାଘାତ ରୋଗର ଜୀବାଣୁ କେବଳ ସ୍ନାୟୁତନ୍ତୁରେ ବୃଦ୍ଧି ପାଇଥାଏ । ତେଣୁ ପରୀକ୍ଷା ପାଇଁ ଏହି ରୋଗର ବୀଜାଣୁ ସଂଗ୍ରହ କରିବାର ପଦ୍ଧତି ଅତି ମନ୍ଥର ଓ ବ୍ୟୟସାପେକ୍ଷ ହୋଇଥିଲା । କିନ୍ତୁ ୧୯୪୯ରେ ଡାକ୍ତର ଜନ୍ ଏଫ୍. ଏଣ୍ଡର୍ସ ଏବଂ ହାଭାର୍ଡ଼ ମେଡ଼ିକାଲ ସ୍କୁଲର ତାଙ୍କର ସହଯୋଗୀ ଥୋମାସ୍ ଓଏଲଟ୍ ଏବଂ ଫ୍ରେଡ଼ରିକ୍‍ ସି.ରବିନ୍ସ ଅଳ୍ପ ବ୍ୟୟରେ ବହୁ ପରୀକ୍ଷାନଳୀରେ ବହୁପରିମାଣରେ ପୋଲିଓ ରୋଗଜୀବାଣୁ ବୃଦ୍ଧି କରିବାର ଏକ ପଦ୍ଧତି ଆବିଷ୍କାର କରିଥିଲେ ଏବଂ ସ୍ନାୟୁତନ୍ତୁ ଅନ୍ୟ ତନ୍ତୁରେ ବ୍ୟବହାର କରିଥିଲେ-। (ଏହି ଗବେଷଣା ପାଇଁ ୧୯୫୪ ମସିହାରେ ସେମାନଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା ।)

 

ତେଣୁ ଡକ୍ଟର ସାଲ୍କ ଯେତେବେଳେ ଶିଶୁପକ୍ଷାଘାତ ରୋଗ ଗବେଷଣା ନିମନ୍ତେ ଗଠିତ ଜାତୀୟ ଅନୁଷ୍ଠାନର ଗବେଷଣା ଯୋଜନାରେ ଯୋଗଦେଲେ, ସେତେବେଳେକୁ ଏହି ରୋଗବୀଜାଣୁନାଶକ ବୀଜାଣୁ ଉଦ୍ଭାବନ ନିମନ୍ତେ ଅନେକ ପରିମାଣରେ ପ୍ରାଥମିକ କାମ ହୋଇସାରିଥିଲା । କିନ୍ତୁ ତଥାପି ଏ ଦିଗରେ ବିରାଟ ସମସ୍ୟାମାନ ସମାଧାନ କରିବାକୁ ରହିଥିଲା । କେବଳ ଏକ ଶହ ପ୍ରକାର ପୋଲିଓ ବୀଜାଣୁ ମିଳିଥିଲା । ଗୋଟିଏ ବୀଜାଣୁନାଶକ ବୀଜାଣୁ କଣ ସବୁ ବୀଜାଣୁ ବିରୁଦ୍ଧରେ ଫଳପ୍ରଦ ହୋଇପାରିବ ? କିନ୍ତୁ ପ୍ରତ୍ୟେକ ପ୍ରକାରର ବୀଜାଣୁ ପାଇଁ ଅଲଗା ଅଲଗା ରୋଗ ବୀଜାଣୁନାଶକ ବୀଜାଣୁ ଦରକାର ହେବେ ? ଏହି ପ୍ରକାର ଉତ୍ତର ଦେବାପାଇଁ ଉପରୋକ୍ତ ଅନୁଷ୍ଠାନ ୪ଟି ବିଶ୍ଵବିଦ୍ୟାଳୟର ଗବେଷଣାଗାର ଓ ଶତ ଶତ ଗବେଷଣାକାରୀଙ୍କ ସହଯୋଗ ଲୋଡ଼ିଥିଲେ । ଡକ୍ଟର ସାଲ୍କ ସେମାନଙ୍କ ଭିତରୁ ଜଣେ ।

 

୧୯୪୯ ମସିହା ଓ ୧୯୫୧ ମସିହା ଭିତରେ ଏହି ଯୋଜନାର କାମ ସମ୍ପୂର୍ଣ୍ଣ ହେଲା ଏବଂ ଫଳାଫଳ ଉତ୍ସାହପୂର୍ଣ୍ଣ ବୋଲି ମନେହେଉଥିଲା । ଗବେଷଣାକାରୀମାନେ ଆବିଷ୍କାର କରିଥିଲେ ଯେ, ବିଭିନ୍ନ ଏକ ଶହ ପ୍ରକାର ରୋଗ ବୀଜାଣୁକୁ ତିନୋଟି ଗ୍ରୁପ୍‍ର ଅନ୍ତର୍ଭୁକ୍ତ କରାଯାଇପାରେ । ତେଣୁ ଏହି ତିନିପ୍ରକାରର ରୋଗ ବୀଜାଣୁନାଶକ ବୀଜାଣୁ ସମସ୍ତ ପ୍ରକାର ପୋଲିଓ ବିରୁଦ୍ଧରେ ଫଳପ୍ରଦ ହେବ ।

 

ଚିକିତ୍ସା ବିଜ୍ଞାନରେ ବହୁକାଳୁ ବିଶ୍ୱାସ ହୋଇ ଆସିଛି ଯେ, କେବଳ ଜୀବନ୍ତ ବୀଜାଣୁ ରୋଗ ବିରୁଦ୍ଧରେ ଫଳପ୍ରଦ ହୋଇପାରିବ । କିନ୍ତୁ ସାଲ୍କ ଏହି ଅବୈଜ୍ଞାନିକ ବିଶ୍ୱାସକୁ ପୁଣିଥରେ ପରୀକ୍ଷା କରିମତ ପ୍ରକାଶ କରିଥିଲେ ଯେ ଜଣେ ଲୋକକୁ ଜୀବନ୍ତ ବୀଜାଣୁ ଇଂଜେକ୍ସନ ଦେବା ଅତ୍ୟନ୍ତ ବିପଜ୍ଜନକ । ଏହା ଫଳରେ ଏହି ବୀଜାଣୁର ପରିବର୍ତ୍ତନ ଘଟିବାର ଆଶଙ୍କା ରହିଛି ଏବଂ ଯେଉଁ ନୂତନ ବୀଜାଣୁ ଜନ୍ମିବ ତାହା ଶରୀରର ଆତ୍ମରକ୍ଷାମୂଳକ ଶକ୍ତିର ପ୍ରତିରୋଧ କରିପାରେ । କିନ୍ତୁ ମୃତ ରୋଗ-ବୀଜାଣୁ ଉତ୍ପାଦନ କରିବା ପାଇଁ ରକ୍ତପ୍ରବାହରେ ଜୀବନୀଶକ୍ତିର ସଂଚାର କରିପାରିବ କି ? ଏହା ଜାଣିବାପାଇଁ ସେ ତାଙ୍କ ଗବେଷଣାଗାରରେ ତିନିପ୍ରକାର ପୋଲିଓ ରୋଗବୀଜାଣୁନାଶକ ବୀଜାଣୁରେ ତାହା ପରୀକ୍ଷା କରିଥିଲେ ।

 

ଏହି ପରୀକ୍ଷାଦ୍ଵାରା ସେ ଯେଉଁ ଫଳ ପାଇଥିଲେ ତାହା ତାଙ୍କୁ ନୈରାଶ୍ୟଜନକ ବୋଧ ହୋଇଥିଲା । ସେ ଯେଉଁ ବୀଜାଣୁ ପ୍ରସ୍ତୁତ କରିଥିଲେ ତାହା ଅତ୍ୟନ୍ତ ଦୁର୍ବଳ ଥିଲା । ତା’ପରେ ନ୍ୟୁୟର୍କ ନଗରର ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଜୁଲ୍ସ ଫ୍ରେଣ୍ଡ୍‍ଙ୍କ ଦ୍ୱାରା ୧୯୪୨ରେ କାର୍ଯ୍ୟକାରୀ କରାଯାଇଥିବା ପଦ୍ଧତି ସାହାଯ୍ୟରେ ପରୀକ୍ଷା କରିବାକୁ ଚେଷ୍ଟା କରିଥିଲେ । ଫ୍ରେଣ୍ଡ୍‍ ଆବିଷ୍କାର କରିଥିଲେ ଯେ, ଯେତେବେଳେ ସେ ଗୋଟିଏ ରୋଗ ବୀଜାଣୁକୁ ସରଯୁକ୍ତ ଦୁଧଭଳି ତରଳ ପଦାର୍ଥରେ ଛାଡ଼ିଦେଲେ ଏବଂ ସେଥିରେ ଖଣିଜ ତେଲ ମିଶାଇ ଦେଲେ, ଏହା ଫଳପ୍ରଦ ହୋଇଥିଲା । କେତେକ ପଶୁଙ୍କଠାରେ, ମୃତ ପୋଲିଓ ବୀଜାଣୁକୁ ଖଣିଜ ତେଲ ସହିତ ମିଶାଇ ଯେଉଁ ଇଂଜେକ୍ସନ ଦେଇଥିଲେ ତାହା ପୋଲିଓ ବୀଜାଣୁ ନାଶକ ବୀଜାଣୁ ଉତ୍ପାଦନ କରିଥିଲା ।

 

ଉପରୋକ୍ତ ତିନିପ୍ରକାର ପୋଲିଓ ବୀଜାଣୁ ନାଶକ ଗୋଟିଏ ବୀଜାଣୁ ପ୍ରସ୍ତୁତ କରିବା ହେଲା ଏହାର ପରବର୍ତ୍ତୀ ଉଦ୍ୟମ । ୧୮ ମାସ କାଳ ଗବେଷଣା ପରେ ସେ ଯାହା ଚାହିଁଥିଲେ ତାହା ପାଇବାକୁ ଆରମ୍ଭ କଲେ । ଏହି ସମୟ ଭିତରେ ସେ ଅନେକ ସମୟରେ ସପ୍ତାହ ୬ ଦିନ କାମ କରିଥିଲେ ଏବଂ ଦିନକୁ ୧୬ ଘଣ୍ଟା ବା ଅଧିକ ସମୟ ଗବେଷଣା କରିଥିଲେ । କିନ୍ତୁ ଶୀଘ୍ର ଫଳ ପାଇବା ନିମନ୍ତେ ସେ ତରତରରେ କିଛି କରିବାକୁ ଚାହିଁନଥିଲେ । ସେ ସାବଧାନତା ସହିତ ପକ୍କା କାମ କରିବାକୁ ଚାହିଁଥିଲେ । ମନୁଷ୍ୟ ଦେହରେ ଏହି ରୋଗ ନାଶକ ବୀଜାଣୁ ପ୍ରବେଶ କରାଇବା ସମ୍ପୂର୍ଣ୍ଣ ନିରାପଦ ବୋଲି ନିଶ୍ଚିତ ଭାବରେ ନଜାଣିବା ପର୍ଯ୍ୟନ୍ତ ସେ ତାହା କରିନଥିଲେ ।

 

୧୯୫୨ ମସିହା ଭିତରେ ମନୁଷ୍ୟଠାରେ ଏହା ପରୀକ୍ଷା କରିବାପାଇଁ ସେ ପ୍ରସ୍ତୁତ ହୋଇଥିଲେ । ପ୍ରଥମେ ଡକ୍ଟର ସାଲ୍କ ପୋଲିଓ ଦ୍ଵାରା ଆକ୍ରାନ୍ତ ହୋଇସାରିଥିବା ପିଲାଙ୍କଠାରେ ପରୀକ୍ଷା କରିଥିଲେ । ଯେଉଁ ପିଲାମାନେ ପୋଲିଓଦ୍ଵାରା ଆକ୍ରାନ୍ତ ହୋଇସାରିଥିଲେ ସେମାନଙ୍କୁ ଆଉ ପୋଲିଓ ଆକ୍ରମଣର ଆଶଙ୍କା ନଥିଲା । ଏହି ପରୀକ୍ଷା ଫଳରେ ଜଣାପଡ଼ିଥିଲା ଯେ, ସେମାନଙ୍କ ଦେହରେ ଏହି ବୀଜାଣୁ ବରଂ ଅଧିକ ରୋଗନାଶକ ବୀଜାଣୁ ଉତ୍ପାଦନ କରିଥିଲା । ତେଣୁ ଏହା ପରୀକ୍ଷାପାଇଁ କୌଣସି କ୍ଷତିକାରକ ହୋଇନଥିଲା । ଶେଷରେ ଯେଉଁ ପିଲାମାନେ କେବେହେଲେ ପୋଲିଓଦ୍ଵାରା ଆକ୍ରାନ୍ତ ହୋଇନଥିଲେ ସେମାନଙ୍କଠାରେ ସେ ଏହା ପରୀକ୍ଷାକଲେ-। ଏହି ପିଲାଙ୍କ ଭିତରେ ତାଙ୍କର ତିନି ପୁଅ ମଧ୍ୟ ଥିଲେ । ଏହି ପରୀକ୍ଷା ସନ୍ତୋଷଜନକ ହୋଇଥିଲା-। ୧୯୫୩ରେ ୫୦୦ ପିଲାଙ୍କୁ ଓ ୧୯୫୪ରେ ୫୦୦୦,୦୦ ପିଲାଙ୍କୁ ଏହି ଟୀକା ଦିଆହୋଇଥିଲା । ପରବର୍ଷ ବୀଜାଣୁ ବୀଜ ଉତ୍ପାଦନକାରୀ ବିଶେଷଜ୍ଞ ନିଜେ ଏହାକୁ ପରୀକ୍ଷା କରିଥିଲେ, ଏବଂ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଏହା ନିରାପଦ ବୋଲି ଘୋଷଣା କରିଥିଲେ । ଏହାପରେ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଏହା ମିଳିଥିଲା ।

 

ଏହା ପରଠାରୁ ପୋଲିଓ ବା ଶିଶୁ ପକ୍ଷାଘାତ ରୋଗ କମାଇଦେବାରେ ଏହି ବୀଜାଣୁନାଶକ ପଦାର୍ଥ ବିଶେଷ ଫଳପ୍ରଦ ହୋଇଛି । ୧୯୫୪ ମସିହାରେ ଆମେରିକା ଯୁକ୍ତରାଷ୍ଟ୍ରର ୪୦,୦୦୦ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ସ୍ଥଳେ ପରବର୍ତ୍ତୀ ବର୍ଷ ଏହି ସଂଖ୍ୟା ୩୦,୦୦୦କୁ କମି ଆସିଥିଲା । ୧୯୫୮-୫୯ ଭିତରେ ୧୦,୦୦୦ରୁ କମ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବାର ଜଣାପଡ଼ିଥିଲା ଏବଂ ୧୯୬୦ରେ ଏହି ସଂଖ୍ୟା ୫,୦୦୦ରୁ ତଳକୁ ଖସି ଆସିଥିଲା ।

 

୧୯୫୫ ମସିହାରେ ପୋଲିଓ ରୋଗ ବୀଜାଣୁ ନାଶକ ଏହି ବୀଜାଣୁ ବାହାରିବାର ଅଳ୍ପଦିନ ପରେ ଜୋନାସ୍ ସାଲ୍କ ଲୋକବନ୍ଧ ଭାବରେ ସର୍ବତ୍ର ସୁପରିଚିତ ହୋଇଥିଲେ । ଆମେରିକା ଯୁକ୍ତରାଷ୍ଟ୍ରର ସଭାପତିଙ୍କଠାରୁ ପ୍ରଶଂସାପତ୍ର, ୨୦ରୁ ଅଧିକ ପୁରସ୍କାର ଓ ୪ଟି ଅନରାରି ଡିଗ୍ରୀ ଲାଭ କରିଥିଲେ । ତାଙ୍କ ଜୀବନ କାହାଣୀ ସମବଦ୍ଧ ଫିଲ୍ମ ପ୍ରସ୍ତୁତ କରିବାପାଇଁ ହଲିଉଡ଼୍ ଷ୍ଟୁଡ଼ିଓ ଚାହିଁଥିଲେ ଏବଂ ସର୍ବୋପରି ସମଗ୍ର ପୃଥିବୀର ପିତାମାତାଙ୍କଠାରୁ ହଜାର ହଜାର ପତ୍ର ପାଇଥିଲେ-

 

ତାଙ୍କ ବିଷୟରେ ପ୍ରଚାର ଫଳରେ ନିଜ କାମରେ ବାଧାପ୍ରାପ୍ତ ହୋଇଛି ବୋଲି ସେ ଅନୁଭବ କରିଥିଲେ । ସେ ବିନୟୀ ଥିଲେ; ତାଙ୍କର ଏହି ସଫଳତା ମୂଳରେ ଅନ୍ୟ ବହୁ ଗବେଷଣାକାରୀଙ୍କ ଆବିଷ୍କାର ଓ କାର୍ଯ୍ୟରୁ ସେ କେତେ ସାହାଯ୍ୟ ପାଇଥିଲେ ତାହା ସେ ନିଜେ ଭଲରୂପେ ଜାଣିଥିଲେ । ସେ ଅନୁଭବ କରିଥିଲେ ଯେ, ଏହି ଖ୍ୟାତି ସିନେମା ଅଭିନେତା, ଅଭିନେତ୍ରୀ ଓ ବେସ୍‍ବଲ୍‍ ଖେଳାଳୀଙ୍କ ପାଇଁ ଉପଯୋଗୀ ହୋଇପାରେ ମାତ୍ର ବୈଜ୍ଞାନିକମାନଙ୍କ ପାଇଁ ଏହା ଅନୁକୂଳ ନୁହେ । ଗବେଷଣାଗାରଟି ତାଙ୍କର ଅତି ପ୍ରିୟ । ୧୯୫୩ ମସିହାରେ ପ୍ରଥମେ ଗୋଟିଏ ସମ୍ବାଦପତ୍ରରେ ତାଙ୍କ ଉଦ୍ଭାବିତ ପୋଲିଓ ରୋଗନାଶକ ବୀଜାଣୁ ବିଷୟ ଯେତେବେଳେ ପ୍ରକାଶ ପାଇଲା-ଡାକ୍ତର ସାଲ୍କ ସେଥିରେ ବିରକ୍ତ ହୋଇ କହିଥିଲେ-କୌଣସି ବିଷୟରେ ନିଶ୍ଚିତ ନହେବା ପର୍ଯ୍ୟନ୍ତ ମୁଁ ସେ ବିଷୟରେ କିଛି କହେନାହିଁ । ଏହାହିଁ ତାଙ୍କର ଜୀବନର ନୀତି ।

 

ବ୍ୟକ୍ତିଗତ ଜୀବନରେ ଡକ୍ଟର ସାଲ୍କଙ୍କ ବ୍ୟବହାର ଅତ୍ୟନ୍ତ ବନ୍ଧୁତ୍ଵପୂର୍ଣ୍ଣ । ସେ ବହୁ ବିଷୟରେ ଅଧ୍ୟୟନ କରନ୍ତି ଓ ଲୋକମାନଙ୍କ ସଙ୍ଗେ କଥାବାର୍ତ୍ତା କରିବାକୁ ଭଲପାଆନ୍ତି । ସେ ଦର୍ଶନ, ସଙ୍ଗୀତ ଓ କଳା ବିଷୟରେ ଆଲୋଚନା କରନ୍ତି । ସେ ମଧ୍ୟଭଳି ଉଚ୍ଚ, ସାବଧାନତା ସହ ନିଜକୁ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରଖିଥାନ୍ତି ଏବଂ ରିମ୍ ନଥିବା ଚଷମା ପିନ୍ଧନ୍ତି ।

 

୧୯୫୮ ମସିହାରେ ସ୍ନାୟୁମଣ୍ଡଳୀକୁ ଆକ୍ରାନ୍ତ କରୁଥିବା ସମସ୍ତ ରୋଗବୀଜାଣୁନାଶକ ଗୋଟିଏ ବୀଜାଣୁ ଉଦ୍ଭାବନ କରିବା ନିମନ୍ତେ ତାଙ୍କୁ ଆଉ ଏକ ଗ୍ରାଣ୍ଟ ଦିଆଯାଇଛି । ଏହି ଗବେଷଣା ଯୋଜନାରେ ଅଂଶସ୍ୱରୂପ କର୍କଟ ରୋଗର ପରିଣାମ ବିଷୟରେ ଅଧ୍ୟୟନ କରୁଛନ୍ତି ମାତ୍ର ସେ ପରୀକ୍ଷା କରି ଦେଖାଇ ପାରିବା ଭଳି ଅବସ୍ଥାକୁ ନଆସିବା ପର୍ଯ୍ୟନ୍ତ ତାଙ୍କ ଗବେଷଣା ବିଷୟରେ କୌଣସି ଆଲୋଚନା କରିବା ପାଇଁ ରାଜି ନୁହନ୍ତି ।

Image

 

ମହାକାଶଯାତ୍ରୀ

Unknown

ଯାହାଙ୍କ ଯୋଗୁ ସ୍ଫୁଟନିକ ସମ୍ଭବ ହେଲା

–ଆନାତୋଲି ଏ. ବ୍ଲାଗନରାଭୋଭ

 

୧୯୫୭ ମସିହା ଅକ୍ଟୋବର ୪ ତାରିଖ ଦିନ ଏକ ମନୁଷ୍ୟ ତିଆରି ଯନ୍ତ୍ର ହଠାତ୍ ଆକାଶ ଉପରକୁ ଉଠିଗଲା ଏବଂ ପୃଥିବୀ ପୃଷ୍ଠରୁ ୬୦୦ ମାଇଲ ଉପରେ ଘଣ୍ଟାକୁ ୧୮,୦୦୦ ମାଇଲ ବେଗରେ ଆକାଶରେ ଘୁରିଲା-ଏହା ମହାଶୂନ୍ୟ ଯୁଗର ସୂଚନା ଦେଇଥିଲା । ଏହାର କେତେ ଘଣ୍ଟା ପରେ ଜଣେ, ଶୁକ୍ଳକେଶ କ୍ଷୁଦ୍ରକାୟ ବ୍ୟକ୍ତି ହାସ୍ୟମୁଖରେ ୱାସିଙ୍ଗଟନ୍‍ଠାରେ ଥିବା ସୋଭିଏତ୍‍ ଦୂତାବାସରେ ବସି ଆମେରକା ରେଡ଼ିଓ କେନ୍ଦ୍ରରେ ଶୁଣାଯାଉଥିବା “ବିପ୍‍ ବିପ୍‍” ଶବ୍ଦ ଶୁଣୁଥିଲେ । ସେ ପାଟିକରି ଉଠିଲେ-ଠିକ୍ ତା’ରି ସ୍ଵର । ଏ ଠିକ୍ ତାରି ସ୍ଵର ।

 

ଏହି ସଙ୍କେତ ଋଷର ‘‘ପ୍ରଥମ ସ୍ଫୁଟନିକ”ରୁ ଆସୁଥିଲା ଏବଂ ଏହାର ଚାଳକ ଥିଲେ ଋଷ ସୈନ୍ୟ ବିଭାଗର ଲେଫ୍ଟନାଣ୍ଟ ଜେନେରାଲ୍ ଆନାତୋଲି ଆର୍ବାଡ଼େରିଚ ବ୍ଲାଗନରାଭୋଭ । ଋଷ ମହାଶୂନ୍ୟ ଯାନରେ ଭ୍ରମଣ କରି ସେ ସୁଖ୍ୟାତି ଅର୍ଜନ କରିଥିଲେ ।

 

ଋଷ ଅଧିବାସୀ ପ୍ରଥମେ କାହିଁକ ମହାଶୂନ୍ୟରେ ଭ୍ରମଣ କଲେ ? ପ୍ରଥମ ସ୍ଫୁଟନିକର ବହୁପୂର୍ବରୁ ଋଷବାସୀ ରକେଟ ସମ୍ବନ୍ଧରେ ଆଗ୍ରହ ପ୍ରକାଶ କରିଥିଲେ । ଋଷରେ ୧୬ଶ ଶତାବ୍ଦୀରେ ଗୋଟିଏ ରକେଟ କାରଖାନା ଥିଲା । ୧୮୨୮ ମସିହାରେ ଚାଲିଥିବା ଋଷ-ତୁର୍କୀ ଯୁଦ୍ଧରେ ଋଷ ହଜାର ହଜାର ରକେଟ ତୁର୍କୀ ବିରୁଦ୍ଧରେ ପ୍ରୟୋଗ କରିଥିଲା । (ଯୁଦ୍ଧରେ ପ୍ରଥମଥର ପାଇଁ ସେମାନେ ରକେଟ ବ୍ୟବହାର କରିନଥିଲେ; ୧୮୧୨ ମସିହାରେ ପ୍ରଥମେ ଏହା ବ୍ୟବହାର କରାଯାଇଥିଲା ।)

 

ଋଷବାସୀ କନ୍‍ଷ୍ଟାଣ୍ଟିନ ଜେନୋଭସ୍କିଙ୍କୁ ଆଧୁନିକ ରକେଟ ବିଜ୍ଞାନର ପଥପ୍ରଦର୍ଶକ ବୋଲି ସ୍ଵୀକାର କରାଯାଇଥାଏ । ୧୮୭୬ ମସିହାରେ ବୈଜ୍ଞାନିକ ଗବେଷଣା ନିମନ୍ତେ ରକେଟ ବ୍ୟବହାର ପାଇଁ ସେ ପ୍ରଥମ ପ୍ରସ୍ତାବ ଦେଇଥିଲେ ଏବଂ ଏବେ ଯେଉଁସବୁ ନୀତି ଉପରେ ରକେଟ ନିର୍ମିତ ହୋଇଛି ସେଥିଭିତରୁ ଅଧିକାଂଶ (ତରଳ କ୍ଷେପଣାସ୍ତ୍ର ସମେତ) ସେ କାର୍ଯ୍ୟକାରୀ କରିଥିଲେ । ୧୯୩୨ରେ ଅନ୍ୟଜଣେ ଋଷବାସୀ ଏଫ୍.ଏ. ସାଣ୍ଡର୍‍ ତରଳ ଅକ୍ସିଜେନ କିରୋସିନ ଇନ୍ଧନ ବ୍ୟବହାର କରିଏକ ଆଗୁଆ ରକେଟ ପ୍ରସ୍ତୁତ କରି ନିକ୍ଷେପ କରିଥିଲେ ।

 

୧୯୩୫ ମସିହାରେ ଗୋଟିଏ ସୋଭିଏତ୍‍ ରକେଟ ଅକାଶରେ ଛ’ ମାଇଲ ଉପରକୁ ଯାଇଥିଲା । ସେତେବେଳକୁ ଋଷ ରକେଟ ବିଜ୍ଞାନର ବିଶେଷ ଅଗ୍ରଗତି ହୋଇସାରିଥିଲେ । ଋଷ ସରକାର ଯୁଦ୍ଧ ପାଇଁ ବହୁଦୂର ଯିବାଭଳି ରକେଟ ନିର୍ମାଣର ସମ୍ଭାବନା ସମ୍ବନ୍ଧରେ ଆଗ୍ରହ ପ୍ରକାଶ କରିଥିଲେ । ଦ୍ଵିତୀୟ ମହାଯୁଦ୍ଧର ଅବ୍ୟବହିତ ପୂର୍ବରୁ ରକେଟ ଗବେଷଣା ପାଇଁ ସେମାନେ ମସ୍କୋ ନିକଟରେ ଏକ ବିରାଟ ଗବେଷଣାଗାର ନିର୍ମାଣ କରିଥିଲେ । ଏଇଥିରୁ ଆମେ ଦେଖିପାରିବା ଯେ ଦ୍ଵିତୀୟ ମହାଯୁଦ୍ଧ ପରେ ଋଷ ଯେ ରକେଟ ନିର୍ମାଣ କରିଥିଲେ ତା’ ନୁହେ, ଏହାର ଦୀର୍ଘ ଇତିହାସ ଥିଲା । ଆମେରିକା ଯୁକ୍ତରାଷ୍ଟ୍ର ଓ ଜର୍ମାନୀ ପରି ଋଷ ମଧ୍ୟ ‘‘ମହାଶୂନ୍ୟ ପ୍ରତିଯୋଗିତାରେ” ପ୍ରଥମରୁ ଭାଗ ନେଇଥିଲା ।

 

ଋଷର ରକେଟ ଗବେଷଣା ଦ୍ଵିତୀୟ ମହାଯୁଦ୍ଧ ଯୋଗୁ ବନ୍ଦ ହୋଇ ଯାଇଥିଲା କିନ୍ତୁ ୧୯୪୫ରେ ଯେତେବଳେ ଋଷ ସୈନ୍ୟବାହିନୀ ଜର୍ମାନୀ ଭିତରେ ପ୍ରବେଶ କଲେ ପିନିମୁଣ୍ଡେ ଓ ଅନ୍ୟାନ୍ୟ ରକେଟ ନିର୍ମାଣ ସ୍ଥାନମାନ ସେମାନଙ୍କ ଦଖଲକୁ ଆସିଯାଇଥିଲା । ଡକ୍ଟର ଭନବ୍ରନ୍ ଓ ଅନ୍ୟାନ୍ୟ ରକେଟ ନିର୍ମାଣକାରୀ ମିତ୍ରପକ୍ଷକୁ ଚାଲିଆସିଥିଲେ ମଧ୍ୟ ଋଷ-ସରକାର ଅନ୍ୟ ୧୪୦ଜଣ ରକେଟ୍ ବିଶେଷଜ୍ଞ ଓ ଜର୍ମାନୀର ଯେଉଁଠାରେ ରକେଟ ନିର୍ମିତ ହେଉଥିଲା ସେହି ସବୁ ସ୍ଥାନ ପାଇଯାଇଥିଲେ । ଏହି ସମୟରେ ଋଷ ସରକାର ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି କରିଥିଲେ । ସେମାନେ ସ୍ଥିର କରିଥିଲେ ଯେ ଜର୍ମାନମାନେ ଯେଉଁ ପର୍ଯ୍ୟନ୍ତ ରକେଟ ସମ୍ବନ୍ଧରେ ଗବେଷଣା କରିଛନ୍ତି ସେମାନେ ସେଇଠୁ ଆଗକୁ ଗବେଷଣା ଚଳେଇବେ । ସୋଭିଏତ୍‍ ଋଷ ପୃଥିବୀର ରକେଟ ଅଧିକାରୀ ଶକ୍ତିଙ୍କ ଭିତରେ ସର୍ବପେକ୍ଷା ଅଧିକ ଶକ୍ତିଶାଳୀ ହେବ ।

 

ସେମାନେ ଜାଣିଥିଲେ ଯେ, ଭନବ୍ରନ୍ ଓ ଅନ୍ୟ ବିଶେଷଜ୍ଞମାନେ ପଶ୍ଚିମ ଇଉରୋପକୁ ଚାଲିଯାଇଥିଲେ । ତେଣୁ ଆମେରିକା ଯୁକ୍ତରାଷ୍ଟ୍ରରେ ଶୀଘ୍ର ହେଉ ବା ବିଳମ୍ବରେ ହେଉ ଆଗୁଆ ରକେଟ ନିର୍ମାଣ କାର୍ଯ୍ୟକ୍ରମ ବିକାଶ ଲାଭ କରିବ । ତେଣୁ ସୋଭିଏଟ୍ ଋଷ ଅଳ୍ପକାଳ ଭିତରେ ରକେଟ କାର୍ଯ୍ୟକ୍ରମର ବିକାଶ ଘଟାଇ ପ୍ରଥମେ ସଫଳତା ହାସଲ କରିବା ପାଇଁ ଉଦ୍ୟମ କରିଥିଲା-

 

ଦରକାର ଥିଲା କେବଳ ରକେଟ ଇଞ୍ଜିନ୍ । ଯାହାକି ହଜାର ହଜାର ପାଉଣ୍ଡ ଉତ୍‍-କ୍ଷେପ ନିକ୍ଷେପ କରିପାରିବ । ସେହିଭଳି ଏକ ରକେଟ ଯେ କୌଣସି ଶତ୍ରୁପକ୍ଷ ଦେଶର ଯେକୌଣସି ସୁଦୂର ସ୍ଥାନରେ କ୍ଷେପଣାସ୍ତ୍ର ନିକ୍ଷେପ କରିଦେଇପାରିବ ଏବଂ ସଙ୍ଗେ ସଙ୍ଗେ “ମହାଶୂନ୍ୟ ଅଭିଯାନରେ ଋଷ ଏକ ପ୍ରଭାବଶାଳୀ ଶକ୍ତି ହୋଇପାରିବ ।

 

ଏହି ଦାୟିତ୍ଵ ସୋଭିଟ୍ ସାମରିକ ଅସ୍ତ୍ରଶସ୍ତ୍ର ବିଜ୍ଞାନ ଏକାଡ଼େମିର ମୁଖ୍ୟ ଏବଂ ସୋଭିଏତ୍‍ ବିଜ୍ଞାନ ଏକାଡ଼େମିର ସଭ୍ୟ ଜେନେରାଲ ବ୍ଲାଗନ ରାଭୋଭଙ୍କ ଉପରେ ନ୍ୟସ୍ତ କରିଯାଇଥିଲା ।

 

ଜେନେରାଲ ବ୍ଲାଗନ ରାଭୋଭ ଏହି କାମପାଇଁ ସର୍ବାପେକ୍ଷା ଉପଯୁକ୍ତ ବ୍ୟକ୍ତି ଥିଲେ । ବାଲିଷ୍ଟିକ୍ ବିଜ୍ଞାନ ବା ପୃଥିବୀ ପୃଷ୍ଠରୁ ନିକ୍ଷେପ କରାଯାଇଥିବା ପଦାର୍ଥର ଅନୁଧ୍ୟାନରେ ସେ ସୋଭିଏତ୍‍ ଋଷର ଶ୍ରେଷ୍ଠ ବିଶେଷଜ୍ଞ ଥିଲେ । ଜାର୍ ଶାସନକାଳରେ ସେ ଯୁଦ୍ଧାସ୍ତ୍ର ବିଦ୍ୟାଳୟରେ ଯୋଗ ଦେଇଥିଲେ । ୧୯୧୭ ମସିହାରେ ବଲ୍‍ସେଭିକ ବିପ୍ଲବ ଚାଲିଥିଲା ବେଳେ ସେ କମ୍ୟୁନିଷ୍ଟ ଦଳରେ ଯୋଗ ଦେଲେ ଏବଂ ଲାଲ ସୈନ୍ୟବାହିନୀର କେତେକ ୟୁନିଟ୍‍ର ସେନାପତିତ୍ଵ କରିଥିଲେ । ଏହି ଯୁଦ୍ଧରେ ସେ ଏପରି ସୁଖ୍ୟାତି ଅର୍ଜନ କରିଥିଲେ ଯେ, ନୂତନ ସୋଭିଏତ୍‍ ସରକାର ତାକୁ ରେଡ଼୍‍ ବ୍ୟାନର ବା ଲାଲ ନିଥାନ ଉପାଧିରେ ଭୂଷିତ କଲେ ଏବଂ ଯୁଦ୍ଧାସ୍ତ୍ର ସମ୍ବନ୍ଧୀୟ ଇଞ୍ଜିନିଅରଙ୍କ ଅନୁଧ୍ୟାନ କରିବା ନିମନ୍ତେ ତାଙ୍କୁ ଗୋଟିଏ ଏକାଡ଼େମୀକୁ ପଠାହୋଇଥିଲା-। ୧୯୩୧ରେ ତାଙ୍କ ପ୍ରଣୀତ “ସ୍ଵୟଂକ୍ରୀୟ ଅସ୍ତ୍ରଶସ୍ତ୍ର ନିର୍ମାଣର ଭିତ୍ତି” ପୁସ୍ତକ ଏବେ ମଧ୍ୟ ଏ ବିଷୟରେ ଋଷର ମୌଳିକ ପାଠ୍ୟପୁସ୍ତକ ରୂପେ ପ୍ରଚଳିତ ହେଉଛି । ୧୯୩୮ ମସିହାରେ ସେ ବୈଷୟିକ ବିଜ୍ଞାନରେ ଡକ୍ଟରେଟ ଉପାଧି ଲାଭ କରିଥିଲେ ଏବଂ ସୋଭିଏତ୍‍ ଯୁଦ୍ଧାସ୍ତ୍ର ନିର୍ମାଣ ଦିଗରେ ତାଙ୍କର ଅସାଧାରଣ ଅବଦାନ ନିମନ୍ତେ ତାଙ୍କୁ ଷ୍ଟାଲିନ୍ ପୁରସ୍କାର ପ୍ରଦାନ କରାଯାଇଥିଲା-

 

ଜେନେରାଲ ବ୍ଲାଗନରାଭୋଭ, ରକେଟ-ଆର୍ଟିଲାରୀ ରକେଟ ବିଷୟରେ ବିଶେଷ ଗବେଷଣା କରିଥିଲେ ଏବଂ କ୍ଷେପଣାସ୍ତ୍ରର ନିକ୍ଷେପ ସମ୍ବନ୍ଧୀୟ ନିୟମ ସମ୍ବନ୍ଧରେ ସେ ବିଶେଷଜ୍ଞ ଥିଲେ । ଜଣେ ବୈଜ୍ଞାନିକ ଭାବରେ ସ୍ଫୁଟନିକ୍‌ ନିର୍ମାଣ ଦିଗରେ ତାଙ୍କର ଏକ ଅବଦାନ ରହିଛି, ତାହା ଆମେ ଜାଣୁନା, କାରଣ ଋଷ ସରକାର ଏ ସମ୍ବନ୍ଧୀୟ ଟିକନିକ ବିଷୟ ଗୋପନୀୟ ରଖିଛନ୍ତି ମାତ୍ର ତାଙ୍କରି ନିର୍ଦ୍ଦେଶରେ ଏହାର ବିକାଶ ଘଟିଛି ବୋଲି ସାଧାରଣତଃ ସ୍ୱୀକାର କରାଯାଇଥାଏ-

 

ଜର୍ମାନ ଡିଜାଇନ ସମ୍ବନ୍ଧରେ ଅଧ୍ୟୟନ କରାଯାଇଥିଲା । ଧରାପଡ଼ିଥିବା ଜର୍ମାନ ବୈଜ୍ଞାନିକମାନଙ୍କୁ କାମରେ ଲଗାଇ ଦିଆହୋଇଥିଲା ଏବଂ ଋଷର ବିଶିଷ୍ଟ ବୈଜ୍ଞାନିକମାନଙ୍କୁ ଡକାହୋଇଥିଲା । ଏମାନଙ୍କ ମିଳିତ କାର୍ଯ୍ୟଫଳରେ ଅଳ୍ପକାଳ ଭିତରେ ସଫଳତା ମିଳିଲା ।

 

ପ୍ରଥମେ ତିଆରି ହୋଇଥିବା ଭି-୨ ରକେଟର ୫୬,୦୦୦ ପାଉଣ୍ଡ ଉତ୍‍-କ୍ଷେପ ଶକ୍ତି ଥିଲା । ୧୯୫୦ ଭିତରେ ଋଷ ସରକାର ଜର୍ମାନମାନେ କାର୍ଯ୍ୟକାରୀ କରିଥିବା ପଦ୍ଧତି ଅନୁସରଣ କରି ଏହାର ପରିମାଣକୁ ୪୦,୦୦୦ ପାଉଣ୍ଡକୁ ବୃଦ୍ଧି କରିଥିଲେ । ସମ୍ଭବତଃ ୧୯୫୫ ମସିହା ଭିତରେ ବ୍ଲାଗନରାଭୋଭଙ୍କ ଦଳ ବା ଶକ୍ତିକୁ ୩୦୦,୦୦୦ ପାଉଣ୍ଡ କୁ ବଢ଼ାଇ ଦେଇଥିଲେ । ତେଣୁ ରକେଟଗୁଡ଼ିକ ମହାଶୂନ୍ୟକୁ ନିକ୍ଷିପ୍ତ ହେବା ଭଳି ଅବସ୍ଥାକୁ ଆସିଯାଇଥିଲା । (ଏହି ସମୟ ଭିତରେ ଆମେରିକା ଯୁକ୍ତରାଷ୍ଟ୍ର ବୈଜ୍ଞାନିକ ଉଦ୍ଦେଶ୍ୟରେ ଅତି କ୍ଷୁଦ୍ର ରକେଟ୍ ସମ୍ବନ୍ଧୀୟ ଗବେଷଣାରେ ମନୋନିବେଶ କରିଥିଲେ । ଡକ୍ଟର ଜେମ୍ସ ଭନ୍ ଏଲେନ୍ ଅଧିକ ରକେଟ୍ ଉତ୍ପାଦନ କରିବାକୁ ଚେଷ୍ଟା କରୁଥିଲେ ଏବଂ ଏଇରୋବି ନିର୍ମାଣ ପାଇଁ ଡିଜାଇନ୍ ପ୍ରସ୍ତୁତ କରିଥିଲେ । ମାତ୍ର ୧୯୫୩ ମସିହା ପର୍ଯ୍ୟନ୍ତ ଆମେରିକା ଯୁକ୍ତରାଷ୍ଟ୍ରର ସୁଦୂର ସ୍ଥାନକୁ ନିକ୍ଷିପ୍ତ ହେବା ଭଳି କ୍ଷେପଣାସ୍ତ୍ର ନିର୍ମାଣ କାର୍ଯ୍ୟକ୍ରମ ଆରମ୍ଭ ମଧ୍ୟ ହୋଇନଥିଲା ।)

 

୧୯୫୩ ମସିହା ଭିତରେ ବ୍ଲାଗନରାଭୋଭଙ୍କ ଇଞ୍ଜିନିଅରମାନେ ୮୦୦ ମାଇଲ ଦୂରକୁ ନିକ୍ଷିପ୍ତ ହେବା ଭଳି ଦୁଇଥର ରକେଟ୍ ନିର୍ମାଣ କରିସାରିଥିଲେ । ସେହି ବର୍ଷ କୃତ୍ରିମ ଉପଗ୍ରହ ନିର୍ମାଣ କରିବାରେ ସେ ଲାଗିଛନ୍ତି ବୋଲି ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ଘୋଷଣା କରିଥିଲେ ।

 

୧୯୫୫ରେ ଆମେରିକା ଯୁକ୍ତରାଷ୍ଟ୍ର ଅନ୍ତର୍ଜାତୀୟ ଭୂତାତ୍ତ୍ଵିକ ବର୍ଷରେ ଯୋଗଦେଇ ମହାଶୂନ୍ୟକୁ ଏକ କୃତ୍ରିମ ଉପଗ୍ରହ ପଠାଇବାକୁ ସ୍ଥିର କରିଛି ବୋଲି ଘୋଷଣା କଲା । ଋଷ ସରକାର ଘୋଷଣା କରିଥିଲେ ଯେ ସେମାନେ ଗୋଟିଏ ବଡ଼ ଧରଣର କୃତ୍ରିମ ଉପଗ୍ରହ ପଠାଇବେ । ସେମାନେ ଏହା ପ୍ରଥମେ ପଠାଇପାରିବେ କି ?

 

ବ୍ଲାଗନରାଭୋଭ ଜାଣିଥିଲେ ଯେ, ଆମେରିକା ଯୁକ୍ତରାଷ୍ଟ୍ର ଯେଉଁ ରକେଟ ନିର୍ମାଣ କରିଛି ବା ଆସନ୍ତା କେତେବର୍ଷ ପର୍ଯ୍ୟନ୍ତ ଯେତେକ ରକେଟ ନିର୍ମାଣ କରିପାରିବ ତା ଅପେକ୍ଷା ଋଷ ରକେଟ ନିଶ୍ଚିତ ଭାବରେ ବୃହତ୍ତମ । ସୋଭିଏତ୍‍ ଋଷ ପ୍ରଥମେ ରକେଟ ନିର୍ମାଣ କରିଥିବାରୁ ଏହା ସମ୍ଭବ ହୋଇଛି । କିନ୍ତୁ କ୍ଷେପଣାସ୍ତ୍ର ନିକ୍ଷେପ ଆଉ ଏକ ସ୍ୱତନ୍ତ୍ର ବିଷୟ (ଋଷ ଏ ବିଷୟରେ ସମସ୍ତ ଗୋପନୀୟ ରଖିଥିବାରୁ ସଫଳତା ହାସଲ ପୂର୍ବରୁ ସେମାନେ କେତେଥର ଏହି ଉଦ୍ୟମରେ ବିଫଳ ହୋଇଥିଲେ ତାହା କହିବା ସମ୍ଭବ ନୁହେଁ ।) ସୋଭିଏତ୍‍ କୃତ୍ରିମ ଉପଗ୍ରହ ବୃହତ୍ ଆକାର ବିଶିଷ୍ଟ ହେବ କିନ୍ତୁ ଆମେରିକା ଯୁକ୍ତରାଷ୍ଟ୍ର ମହାଶୂନ୍ୟକୁ ପ୍ରଥମେ କୃତ୍ରିମ ଉପଗ୍ରହ ପଠାଇ ଦେବ କି ? ଋଷର ଗର୍ବ ଖର୍ବ ହୋଇଯାଇପାରେ ।

 

୧୯୫୬ ମସିହା ଅକ୍ଟୋବର ୪ ତାରିଖରେ ଶୁକ୍ରବାର ଦିନ ମସ୍କୋ ରେଡ଼ିଓ ଘୋଷଣା କରିଥିଲା ଯେ, ପ୍ରଥମେ ସ୍ଫୁଟନିକ ମହାଶୂନ୍ୟରେ ଘୁରୁଛି । ସୋଭିଏତ୍‍ ଋଷ ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ।

 

ଏହି ସ୍ଫୁଟନିକର ପରିଧି ଥିଲା ୨ ଇଞ୍ଚ ଏବଂ ଓଜନ ଥିଲା ୧୮୦ ପାଉଣ୍ଡ । ଦୁଇଟି ରେଡ଼ିଓ ଟ୍ରାନ୍ସମିଟରରୁ ଏହା ସମଗ୍ର ବିଶ୍ଵବାସୀଙ୍କ ନିମନ୍ତେ ଘୋଷଣା କରିଥିଲା ଯେ, ମହାଶୂନ୍ୟ ଭ୍ରମଣ ଆରମ୍ଭ ହେଲା । ଜେନେରାଲ ବ୍ଲାଗନରାଭୋଭ ଏକ ବିରାଟ ବିଜୟ ହାସଲ କଲେ । ଆଜି ମଧ୍ୟ ଋଷ ମହାକାଶ ଅଭିଯାନରେ ଅଗ୍ରଣୀ କିନ୍ତୁ ଆମେରିକାର ବୈଜ୍ଞାନିକ ଓ ଇଞ୍ଜିନିଅରମାନେ ବୃହତ୍ତର ଆକାର ବିଶିଷ୍ଟ ଏବଂ ଉନ୍ନତ ଧରଣର ଇଞ୍ଜିନ ନିର୍ମାଣ କରିବାରେ ଋଷ ସହିତ ପ୍ରତିଯୋଗୀତାରେ ଲାଗିଥିବାରୁ ଏହି ପ୍ରତିଯୋଗୀତା ଖୁବ୍ ତୀବ୍ର ହୋଇଉଠିଥିଲା । ଶେଷରେ କ’ଣ ହେବ ତା କେହି କହିପାରିବେ ନାହିଁ । କିନ୍ତୁ ସମ୍ବାଦପତ୍ରରେ ପରବର୍ତ୍ତୀ ସୋଭିଏତ୍‍ ମହାଶୂନ୍ୟ ଅଭିଯାନର ଅଗ୍ରଗତି ପାଠକଲା ବେଳେ ଏ ବିଷୟରେ ଆମେ ନିଶ୍ଚୟ କହିବୁ ଯେ, ସୋଭିଏତ୍‍ ସୈନ୍ୟବାହିନୀର ଯୁଦ୍ଧାସ୍ତ୍ର ନିର୍ଦ୍ଦେଶକ ଜେନେରାଲ ଏ ବ୍ଲାଗନରାଭୋଭଙ୍କ ସଫଳତା ପ୍ରଶଂସନୀୟ ହୋଇ ରହିବ ।

Image

 

ଚନ୍ଦ୍ରଗ୍ରହରେ ପହଞ୍ଚିବା ପାଇଁ

-ୱାର୍ଣ୍ଣର ଭନ୍‍ ବ୍ରନ୍‍

 

୧୯୪୫ ମସିହା ବସନ୍ତ ଋତୁରେ ଇଉରୋପରେ ଯୁଦ୍ଧ ଶେଷ ହୋଇ ଆସୁଥିଲା ବେଳେ ଜଣେ ଜର୍ମାନୀ ଯୁବକ ବେଭେରିଆଠାରେ ଜଣେ ଆମେରିକା ସୈନ୍ୟଙ୍କ ନିକଟକୁ ଯାଇ ଘୋଷଣା କଲେ–ଆମେ ଦଳେ ରକେଟ-ବୈଜ୍ଞାନିକ ପର୍ବତରେ ରହୁଛୁ । ଆମେ ଆପଣଙ୍କ ସେନାପତିଙ୍କ ସଙ୍ଗେ ସାକ୍ଷାତ କରିବାକୁ ଚାହୁଁ ଓ ଆମେରିକା ନିକଟରେ ଆତ୍ମସମର୍ପଣ କରିବାକୁ ଚାହୁଁଛୁ ।

 

ଆମେରିକାର ସେହି ସୈନ୍ୟ ତାହା ଶୁଣି ଚମକି ପଡ଼ିଥିଲେ ମାତ୍ର ତାଙ୍କ ସେନାପତିଙ୍କ ନିକଟକୁ ସେମାନଙ୍କୁ ନେଇଯାଇଥିଲେ । ସେପ୍ଟେମ୍ବର ମାସ ଭିତରେ ସେହି ଜର୍ମାନୀ ବୈଜ୍ଞାନିକମାନଙ୍କୁ ଆମେରିକା ଯୁକ୍ତରାଷ୍ଟ୍ରକୁ ନିଆଯାଇଥିଲା । ସେମାନଙ୍କ ଭିତରୁ ଜଣେ କଳ୍ପନାବିଳାସୀ ଯୁବକ ଚନ୍ଦ୍ର ଗ୍ରହରେ ପହଞ୍ଚିବାକୁ କଳ୍ପନା କରିଥିଲେ । ତାଙ୍କ ନାମ ୱାର୍ଣ୍ଣର ଭନ୍‍ ବ୍ରନ୍‍-। ସେ ସମୟ ପର୍ଯ୍ୟନ୍ତ ସର୍ବାପେକ୍ଷା ଅଧିକ ଶକ୍ତିଶାଳୀ ରକେଟ-ଜର୍ମାନ ଭି-୨ର ନିର୍ମାଣ ଅନେକ ପରିମାଣରେ ତାଙ୍କର ଗବେଷଣା ଯୋଗୁ ସମ୍ଭବ ହୋଇଥିଲା ।

 

ଏହାର କେତେମାସ ଭିତରେ ଭନ୍‍ ବ୍ରନ୍‍ ଓ ତାଙ୍କ ଦଳ ଆମେରିକା ଯୁକ୍ତରାଷ୍ଟ୍ରରେ ଇଞ୍ଜିନିୟରମାନଙ୍କ ସହିତ ମହାଶୂନ୍ୟକୁ ରକେଟ ପ୍ରେରଣ କରିବା ନିମନ୍ତେ ଗବେଷଣା ଚଳେଇଥିଲେ । ଅଳ୍ପ କେତେକାଳ ଭିତରେ ଆମେରିକାର ମହାଶୂନ୍ୟଯାନ ମନୁଷ୍ୟକୁ ଚନ୍ଦ୍ରଗ୍ରହକୁ ନେଇ ପୁଣି ଫେରାଇଆଣିବା ଆରମ୍ଭ କରିବ । ଭନ୍‍ ବ୍ରନ୍‍ ଏହି ମହାକାଶଯାନର ଅନ୍ୟତମ ମହାକାଶଚାରି ହେବେ ବୋଲି ଆଶା କରୁଛନ୍ତି । ଶୈଶବାବସ୍ଥାରୁ ସେ ଯେଉଁ ସ୍ୱପ୍ନ ଦେଖି ଆସିଥିଲେ ସେଦିନ ତାହା ସଫଳ ହେବ । ଯେ କୈଣସି ଜୀବିତ ବୈଜ୍ଞାନିକଙ୍କ ଅପେକ୍ଷା ଭନ୍‍ ବ୍ରନ୍‍ ମିଷ୍ଟର ସ୍ପେସ୍ ବା ଶ୍ରୀ ମହାଶୂନ୍ୟ ନାମରେ ନାମିତ ହେବାର ସର୍ବାପେକ୍ଷା ଅଧିକ ଯୋଗ୍ୟତା ଅର୍ଜନ କରିଛନ୍ତି ।

 

ଭନବ୍ରନ୍ ଆଜି ଆମେରିକାରେ ରକେଟ ସମ୍ବନ୍ଧରେ ଗବେଷଣା କରୁଛନ୍ତି; ଏହା ସଙ୍ଗତ ହୋଇଛି କାରଣ ଆମେରିକା ଯୁକ୍ତରାଷ୍ଟ୍ର ହିଁ ରକେଟ ବିଜ୍ଞାନର ଜନ୍ମସ୍ଥାନ । ସାଧାରଣତଃ ଧାରଣା ରହିଛି ଯେ, ପ୍ରଥମେ ଜର୍ମାନୀରେ ହିଁ ରକେଟ ବିଜ୍ଞାନ ଜନ୍ମଲାଭ କରିଥିଲା ମାତ୍ର ପ୍ରକୃତ ଘଟଣା ହେଉଛି ଏହାର ଠିକ୍ ଓଲଟା । ଜର୍ମାନୀ, ପରେ ଯାଇ ଏହି ବିଜ୍ଞାନ ବିଷୟରେ ଗବେଷଣା ଆରମ୍ଭକଲା । ସର୍ବପ୍ରଥମେ ଭନ୍‍ ବ୍ରନ୍‍ ହିଁ ସ୍ୱୀକାର କରିଥିଲେ ଯେ, ଆମେରିକାରେ ରକେଟ୍ ବିଜ୍ଞାନର ଯେଉଁ ବିକାଶ ଘଟିଥିଲା ସେ ତା’ରି ଉପରେ ଗବେଷଣା ଚଳେଇଥିଲେ ।

 

୧୯୧୯ ମସିହାରେ ଜଣେ ଆମେରିକାନ ବୈଜ୍ଞାନିକ ଡକ୍ଟର ରବର୍ଟ ଏଚ୍ ଗୋଡ଼ାର୍ଡ଼ ଏକ ପ୍ରବନ୍ଧ ପ୍ରକାଶ କରିଥିଲେ-”ମହାଶୂନ୍ୟର ଉଚ୍ଚତମ ସ୍ଥାନରେ ପହଞ୍ଚିବାପାଇଁ ଏକ ପଦ୍ଧତି”-ଏହାରି ଉପରେ ଭିତ୍ତିକରି ପରବର୍ତ୍ତୀ ଜର୍ମାନ ଗବେଷଣ ଚାଲିଥିଲା । ଏହି ପ୍ରବନ୍ଧରେ ସେ ଆଧୁନିକ ରକେଟ ଡିଜାଇନର ମୌଳିକନୀତି ନିର୍ଦ୍ଧାରଣ କରିଦେଇଥିଲେ । ଘଣ୍ଟାକୁ ୨୫,୦୦୦ ମାଇଲ ବେଗରେ ଗତି କରିବା ନିମନ୍ତେ କେତେ ପରିମାଣରେ ତରଳ ଇଞ୍ଜିନ ଦରକାର ତାହା ପ୍ରଥମେ ଗୋଡ଼ାର୍ଡ଼ ନିର୍ଭୁଲ ଭାବରେ ହିସାବ କରିଥିଲେ । ଏହି ବେଗରେ ରକେଟ ଗତି କଲେ ଯାଇ ପୃଥିବୀର ମାଧ୍ୟାକର୍ଷଣ ରହିଥିବା ଉଚ୍ଚତାକୁ ପାର ହୋଇ ଚନ୍ଦ୍ର ବା ଅନ୍ୟଗ୍ରହ ଆଡ଼କୁ ଚାଲିଯିବ ।

 

ଭନ୍‍ ବ୍ରନ୍‍ କହିଥିଲେ-ଗୋଡ଼ାର୍ଡ଼ ଆମ ସମସ୍ତଙ୍କୁ ଟପିଯାଇଛନ୍ତି । ମୋର ତିଳେମାତ୍ର ସନ୍ଦେହ ନାହିଁ ଯେ ତାଙ୍କୁ ଆବଶ୍ୟକୀୟ ସମର୍ଥନ ଓ ସ୍ଵୀକୃତି ମିଳିଲେ ମହାଶୂନ୍ୟ ଅଭିଯାନରେ ଆମେରିକା ଯୁକ୍ତରାଷ୍ଟ୍ର ନିର୍ଦ୍ଵନ୍ଦ୍ଵରେ ନେତୃତ୍ଵ ନେଇପାରିବ ।

 

ମାତ୍ର ବିଳମ୍ବରେ ହିଁ ତାଙ୍କ ଗବେଷଣାର ଫଳାଫଳକୁ ସ୍ଵୀକାର କରାଗଲା ଓ ତାଙ୍କୁ ସମର୍ଥନ ମିଳିଲା । ଦ୍ୱିତୀୟ ମହାଯୁଦ୍ଧ ପର୍ଯ୍ୟନ୍ତ ଆମେରିକାର ସାମରିକ ବିଭାଗ ରକେଟ୍‌ର ବିକାଶ ପ୍ରତି ଗୁରୁତ୍ଵ ଦେଇନଥିଲେ । ତା ସତ୍ତ୍ୱେ ୧୯୨୬ ମସିହାରେ ଡକ୍ଟର ଗୋଡ଼ାର୍ଡ଼ ପୃଥିବୀର ସର୍ବପ୍ରଥମ ତରଳ-ଇନ୍ଧନ-ରକେଟ ସଫଳତାର ସହିତ ନିକ୍ଷେପ କରିଥିଲେ । ଯଦିଓ ଏହା ମୋଟେ ୧୮୪ ଫୁଟ ଉଚ୍ଚ ପର୍ଯ୍ୟନ୍ତ ଉଠିଥିଲା ତଥାପି ଏହା ପ୍ରଥମ ଉଡ଼ାଜାହାଜ ଭ୍ରମଣକାରୀ ରାଇଟ୍ ଭ୍ରାତୃଦ୍ଵୟଙ୍କ ସଫଳତା ପରି ଏକ ବୈପ୍ଳବିକ ଘଟଣା ।

 

୧୯୩୨ ମସିହା ଭିତରେ ଗୋଡ଼ାର୍ଡ଼ ରକେ୍ଟର ଗତିକୁ ଦୃଢ଼ଭାବରେ ରଖିପାରିବାର ଗୁରୁତ୍ଵପୂର୍ଣ୍ଣ ସମସ୍ୟା ସମାଧାନ ନିମନ୍ତେ ଏକ ଉପାୟ ବଢ଼େଇଥିଲେ । ସେ ଏଥିରେ ପଙ୍ଖା ବ୍ୟବହାର କରିଥିଲେ । ଏବଂ ଗାଇରୋସ୍କୋପଦ୍ୱାରା ରକେ୍ଟର ଗତିକୁ ନିୟନ୍ତ୍ରଣ କଲେ । ୧୯୩୬ ରେ ୱାସିଙ୍ଗଟନ୍‍ର ସ୍ମିଥସ୍ନିଆନ ଅନୁଷ୍ଠାନ ଗୋଡ଼ାର୍ଡ଼ଙ୍କଦ୍ୱାରା ଲିଖିତ ଆଉ ଏକ ତଥ୍ୟ ସମ୍ବଳିତ ପୁସ୍ତକ-”ତରଳ ଇନ୍ଧାନଦ୍ୱାରା ଚାଳିତ ରକେଟର ବିକାଶ”-ପ୍ରକାଶ କରିଥିଲେ । ଆଜି ମଧ୍ୟ ରକେଟ ବିଜ୍ଞାନ ବିଷୟରେ ଏହା ଏକ ମୌଳିକ ଗ୍ରନ୍ଥ ରୂପେ ବିବେଚିତ ହେଉଛି ।

 

୧୯୪୦ରେ ଆମେରିକାର ସଶସ୍ତ୍ର ସୈନ୍ୟବାହିନୀ ପୁଣି ରକେଟ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଗ୍ରହ ପ୍ରକାଶ କଲେ । ପର୍ଲ ବନ୍ଦର ଘଟଣାର ଠିକ୍ ପରେ ଯାଇ ଏହାର ଗବେଷଣା ପାଇଁ ଗୁରୁତ୍ଵ ଦିଆଯାଇଥିଲା । ଆମେରିକା ଯୁକ୍ତରାଷ୍ଟ୍ର ଯେତେବେଳ ଦ୍ୱିତୀୟ ମହାଯୁଦ୍ଧରେ ଯୋଗଦେଲା ସେତେବେଳେ ତାହାର ଗୋଟିଏ ହେଲେ ରକେଟ ଅସ୍ତ୍ର ନଥିଲା । ମାତ୍ର ଯୁଦ୍ଧ ଶେଷଭାଗରେ ଯୁକ୍ତରାଷ୍ଟ୍ରର ରକେଟ ଗବେଷଣାରେ ବର୍ଷକୁ ୧୩,୦୦୦,୦୦୦ ଡଲାର ଖର୍ଚ୍ଚ କରୁଥିଲା । ଏହା ଭିତରେ ଜର୍ମାନୀ ଭି-୨ ନିର୍ମାଣ କରିଥିଲା ଏବଂ ରକେଟ ଇଞ୍ଜିନିଅରିଙ୍ଗରେ ଏହା ବିରାଟ ସଫଳତା ହାସଲ କରିଥିଲା ।

 

୬୩ବର୍ଷ ବୟସରେ ୧୯୪୫ ମସିହା ଅଗଷ୍ଟ ମାସରେ ଗୋଡ଼ାର୍ଡ଼ଙ୍କ ମୃତ୍ୟୁ ଘଟିଲା । ଏହାର ମାସକ ପୂର୍ବରୁ ଆମେରିକାର ଇଞ୍ଜିନିଅରମାନଙ୍କୁ ଜର୍ମାନ ଗବେଷଣାର ଫଳଦ୍ଵାରା ଉପ୍ରକୃତ କରିବା ନିମନ୍ତେ ଭନ୍ ବ୍ରନ୍ ଆମେରିକା ଯୁକ୍ତରାଷ୍ଟ୍ରରେ ଆସି ପହଞ୍ଚିଲେ ।

 

ୱାର୍ଣ୍ଣର ଭନ୍ ବ୍ରନ୍ ପୂର୍ବ ଜର୍ମାନୀ ଅନ୍ତର୍ଗତ ଉଇରସିନଠାରେ ୧୯୧୨ ମସିହାରେ ଜନ୍ମଗ୍ରହଣ କରିଥିଲେ । ଏକ ଭୂମ୍ୟାଧିକାରୀ ସମ୍ଭ୍ରାନ୍ତ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ସମ୍ମାନଜନକ ଆବେଷ୍ଟନୀ ଭିତରେ ସେ ଲାଳିତପାଳିତ ହୋଇଥିବାରୁ ସଂଗୀତ, ବହୁ ଭାଷା ଓ ଦର୍ଶନ ଅଧ୍ୟୟନ କରିଥିଲେ । ତାଙ୍କ ମା’ ଜ୍ୟୋତିଷ ବିଦ୍ୟା ଜାଣିଥିଲେ । ସେ ପୁଅକୁ ଗୋଟିଏ ଦୂରବୀକ୍ଷଣ ଯନ୍ତ୍ର ଆଣି ଦେଇଥିଲେ ଏବଂ ନକ୍ଷତ୍ର ଅଧ୍ୟୟନ କରିବାପାଇଁ ଉତ୍ସାହିତ କରିଥିଲେ । ସେହିଦିନଠାରୁ ତାଙ୍କ ଦୃଷ୍ଟି ଆକାଶରେହିଁ ନିବଦ୍ଧ ରହିଛି-ଯଦିଓ ତାଙ୍କ ପାଦ ଭୂପୃଷ୍ଠରେ ହିଁ ରହିଛି ।

 

ତାଙ୍କୁ ୧୫ବର୍ଷ ହୋଇଥିଲା ବେଳେ ଦିନେ ସେ ଗୋଟିଏ ଜ୍ୟୋତିଷ ବିଦ୍ୟା ସମ୍ବନ୍ଧୀୟ ପତ୍ରିକାରେ ଚନ୍ଦ୍ରକୁ ଯାତ୍ରା କରିବା ସମ୍ବନ୍ଧୀୟ ଏକ କାଳ୍ପନିକ ଗଳ୍ପ ପଢ଼ିଥିଲେ । ଏହା ତାଙ୍କ ଭବିଷ୍ୟତ ଜୀବନର ଲକ୍ଷ୍ୟ ନିର୍ଦ୍ଧାରଣ କରିଦେଇଥିଲା । ସେହିଦିନଠାରୁ ମହାଶୂନ୍ୟ ଭ୍ରମଣ ସମ୍ବନ୍ଧରେ ଯେଉଁଠି ଯାହା ପାଉଥିଲେ ପଢ଼ୁଥିଲେ । ତାଙ୍କର ଆଦର୍ଶ ବ୍ୟକ୍ତିଙ୍କ ଭିତରେ, ରବର୍ଟ ଏଚ୍. ଗୋଡ଼ାର୍ଡ଼ ଅନ୍ୟତମ ।

 

ଭନ୍ ବ୍ରନ୍ ୧୯୩୦ରେ ହାଇସ୍କୁଲରେ ଅଧ୍ୟୟନ ଶେଷ କରିବା ପୂର୍ବରୁ ୧୭ ବର୍ଷ ବୟସରେ ମହାଶୂନ୍ୟ ସମ୍ବନ୍ଧରେ ଗବେଷଣା କରିବାପାଇଁ ଗଠନ କରାଯାଇଥିବା ଜର୍ମାନ ରକେଟ ସୋସାଇଟିରେ ଯୋଗ ଦେଇଥିଲେ । ଏହି ଅନୁଷ୍ଠାନର ଗବେଷକଦଳ ସେମାନଙ୍କ ଗବେଷଣା ପାଇଁ ବର୍ଲିନ ନିକଟରେ ଗୋଟିଏ କ୍ଷୁଦ୍ର ମଇଳା ଗଦା ହେଉଥିବା ସ୍ଥାନ ବ୍ୟବହାର କରିଥିଲେ । ସେତେବେଳେ ସେମାନଙ୍କ ଯନ୍ତ୍ରପାତି ଭିତରେ ଥିଲା ଗ୍ୟାସୋଲିନ ଟ୍ୟାଙ୍କ, ତରଳ ଅକ୍ସିଜେନ ଧାରକପାତ୍ର, ଏକ ବୋତଲ ନାଇଟ୍ରୋଜେନ, କେତେଗୁଡ଼ିଏ ସ୍କେଲ ଓ ପାଣି ଭିତରେ ଏକ-ଦାହକ କକ୍ଷ ।

 

୧୯୩୨ ମସିହା ବସନ୍ତ ଋତୁରେ ତିନିଜଣ ଜର୍ମାନ ସାମରିକ ଆଫିସର ସେମାନଙ୍କ ନିକଟରେ ଆସି ପହଞ୍ଚିଗଲେ । ରକେଟକୁ ଅସ୍ତ୍ରଭାବରେ ବ୍ୟବହର କରାଯିବାର ସମ୍ଭାବନା ସମ୍ବନ୍ଧରେ ସୈନ୍ୟ ବିଭାଗ ଆଗ୍ରହ ପ୍ରକାଶ କରିଥିଲେ । ସୈନ୍ୟବିଭାଗ କହିଥିଲେ ଯେ ରକେଟ ଗବେଷଣାକାରୀମାନେ ଯଦି ସୈନ୍ୟବାହିନୀଙ୍କ ପାଇଁ କାମ କରିବେ ତାହାହେଲେ ସେମାନେ ତାଙ୍କୁ ସୈନ୍ୟବାହିନୀଙ୍କ ପାଇଁ ଥିବା ସମସ୍ତ ସୁବିଧା ବ୍ୟବହାର କରିବାକୁ ଦେବେ । ଭନ୍ ବ୍ରନଙ୍କୁ ସେମାନେ ବର୍ଲିନ ବିଶ୍ଵବିଦ୍ୟାଳୟରେ ଡିଗ୍ରୀ ହାସଲ ପର୍ଯ୍ୟନ୍ତ ଅଧ୍ୟୟନ କରିବାପାଇଁ ସୁବିଧା ଦେଇଥିଲେ ।

 

କେତେକ ପରିମାଣରେ ଅନିଚ୍ଛା ସତ୍ତ୍ୱେ ଏହି ବୈଜ୍ଞାନିକ ଦଳ ସୈନ୍ୟବାହିନୀଙ୍କ ପାଇଁ କାମ କରିବାପାଇଁ ରାଜି ହୋଇଥିଲେ । ରକେଟକୁ ଅସ୍ତ୍ରଭାବରେ ବ୍ୟବହାର କରାଯିବା ବିଷୟରେ ସେମାନଙ୍କ ଭିତରୁ କାହାରି ଆଗ୍ରହ ନଥିଲା । ତେଣେ ଗବେଷଣା ପାଇଁ ସେମାନଙ୍କୁ ଅନ୍ୟ କୌଣସି ଉପାୟରେ କାର୍ଯ୍ୟ ମିଳିବାର ସମ୍ଭାବନା ନ ଥିଲା । ତା’ପରେ ସେମାନେ ଉପଲବ୍ଧି କରିଥିଲେ ଯେ ଉଡ଼ାଜାହାଜ ପରି ରକେଟର କୌଣସି ସାମରିକ ସମ୍ଭାବନା ନ ଥିଲେ, ଏହାର ଦ୍ରୁତଗତିରେ ବିକାଶଲାଭ କରିବାର କୌଣସି ସମ୍ଭାବନା ନାହିଁ । (ଠିକ୍ ସେହି କାରଣରୁ ଆମେରିକା ଯୁକ୍ତରାଷ୍ଟ୍ରରେ ଡକ୍ଟର ଗୋଡ଼ାର୍ଡ଼ ଯୁକ୍ତରାଷ୍ଟ୍ର ସୈନ୍ୟବାହିନୀଙ୍କର ଏଥିପ୍ରତି ଆଗ୍ରହ ଜନ୍ମାଇବା ନିମନ୍ତେ ଉଦ୍ୟମ କରି ବିଫଳ ହୋଇଥିଲେ ।) ୧୯୩୨ ମସିହା ନଭେମ୍ବର ପହିଲା ଦିନ ୱାର୍ଣ୍ଣର ଭନ୍ ବ୍ରନ୍ ସୈନ୍ୟବାହିନୀର ଜଣେ ବେସାମରିକ କର୍ମଚାରୀ ରୂପେ ନିଯୁକ୍ତ ହେଲେ । ଦୁଇବର୍ଷ ପରେ ସେ ବର୍ଲିନ ବିଶ୍ୱବିଦ୍ୟାଳୟରୁ ପି.ଏଚ୍‍ଡ଼ି. ଡିଗ୍ରୀ ଲାଭକଲେ ।

 

ତରଳ–ଇନ୍ଧନ–ରକେଟ ନିର୍ମାଣ କରିବା ଥିଲା ଭନ୍ ବ୍ରନ୍‍ଙ୍କ କାମ । ଭନ୍ ବ୍ରନ୍ ଓ ତାଙ୍କ ସହିତ କାମ କରୁଥିବା ବୈଜ୍ଞାନିକମାନଙ୍କର ଯୁଦ୍ଧପାଇଁ ରକେଟ ନିର୍ମାଣ ଦିଗରେ ବିଶେଷ ଆଗ୍ରହ ନଥିଲା । ମେଜର ଜେନେରାଲ ୱାଲ୍ଟର ଡନବର୍ଜର (ଯାହାଙ୍କ ଅଧୀନରେ ସେମାନେ କାମ କରୁଥିଲେ) ଜଣେ କଳ୍ପନାବିଳାସୀ ବୈଜ୍ଞାନିକ ଥିଲେ । ସେ କହୁଥିଲେ ଯେ ଗ୍ରହ ଜଗତରେ ଭ୍ରମଣ କରିବା ପରିବର୍ତ୍ତେ ଯୁଦ୍ଧାସ୍ତ୍ର ବିଷୟରେ ଆଲୋଚନା କରିବାପାଇଁ ଭନ୍ ବ୍ରନ୍ ଓ ତାଙ୍କ ସହକର୍ମୀମାନଙ୍କୁ ପାଇବା ଏକ କଠିନ ବ୍ୟାପାର । ୧୯୩୩ରେ ହିଟଲର କ୍ଷମତାକୁ ଆସିଲେ ଏବଂ ଏହାପରେ କେତେକ ବର୍ଷ ଭିତରେ ଭନ୍ ବ୍ରନଙ୍କ କଳ୍ପନା ବାସ୍ତବରୂପ ନେବାରେ ବାଧାପ୍ରାପ୍ତ ହେଲା । ୧୯୩୯ରେ ସାମରିକ କର୍ତ୍ତୃପକ୍ଷ ଡନବର୍ଜରଙ୍କୁ କହିଥିଲେ ଯେ ଭନ୍ ବ୍ରନ୍ ସାମରିକ ଅସ୍ତ୍ର ନିର୍ମାଣ ପାଇଁ କାମ ନକଲେ ତାଙ୍କୁ ଅର୍ଥ ମିଳିବ ନାହିଁ । କାରଣ ସେମାନେ ଆଉ ମହାଶୂନ୍ୟ ରକେଟ୍ ଚାହାନ୍ତି ନାହିଁ । ଫଳରେ ଏ-୪(ଯାହାକି ଭି-୨ନାମରେ ସୁପରିଚିତ) ଜନ୍ମଲାଭ କଲା ।

 

ଏ-୪ର ନିର୍ମାଣ ଏକ ବିରାଟ ଇଞ୍ଜିନିଅରିଙ୍ଗ୍ କୌଶଳ । ସେତେବେଳେ ପର୍ଯ୍ୟନ୍ତ ନିର୍ମିତ ହୋଇଥିବା ରକେଟ ଭିତରେ ଏହା ଥିଲା ସର୍ବାପେକ୍ଷା ଅଧିକ ଶକ୍ତିଶାଳୀ । ଏହାର ଓଜନ ହେବ ୧୨ ଟନ୍ । ଏହା ଏକ ଟନ୍ ବିସ୍ଫୋରକ ପଦାର୍ଥ ବହନ କରିନେଇପାରିବ, ୨୦୦ ମାଇଲ ଦୂରକୁ ନିକ୍ଷିପ୍ତ ହୋଇ ପାରିବ ଏବଂ ଘଣ୍ଟାକୁ ୩,୪୦୦ ମାଇଲ ବେଗରେ ଗତିକରିପାରିବ । ଏହାର ନିୟନ୍ତ୍ରଣ ଓ ପରିଚାଳନା ପାଇଁ ଏକ ନୂତନ ପଦ୍ଧତି ଅନୁସରଣ କରିବାକୁ ହେବ ଏବଂ ଏକ ନୂତନ ଓ ଅଧିକ ଶକ୍ତିଶାଳୀ ରକେଟ ନିର୍ମାଣ କରିବାକୁ ହେବ । ଭନ୍ ବ୍ରନ୍ ଙ୍କ ଉପରେ ଏହି ଯୋଜନାର ଦାୟିତ୍ୱ ଦିଆଯାଇଥିଲା ।

 

ଏହି ଯୋଜନା ପାଇଁ କାର୍ଯ୍ୟ କରିବା ଭିତରେ ତାଙ୍କୁ ବହୁ ବିଫଳତା ଭିତରେ ଗତି କରିବାକୁ ହୋଇଥିଲା । ୧୯୪୨ ଅକ୍ଟୋବର ମାସ ୩ ତାରିଖରେ ଯେତେବେଳେ ଏ-୪, ୫୩ମାଇଲ ଉପରକୁ ଉଠିଗଲା, ଡନବର୍ଜର ଭନ୍ ବ୍ରନଙ୍କୁ ଚିତ୍କାର କରି ଡାକି କହିଲେ, “ଆପଣ ମହାଶୂନ୍ୟଯାନ ଆବିଷ୍କାର କରିଛନ୍ତି ।”

 

ଭନ୍ ବ୍ରନ୍ ଶେଷରେ ଏହା ନିର୍ମାଣ କଲେ ମାତ୍ର ପ୍ରଥମେ ଏହା ଧ୍ଵଂସମୂଳକ କାର୍ଯ୍ୟରେ ବ୍ୟବହାର କରାଯାଇଥିଲା । ସେତେବେଳେ ପର୍ଯ୍ୟନ୍ତ ଜର୍ମାନ କର୍ତ୍ତୃପକ୍ଷ ଅନୁଭବ କରିଥିଲେ ଯେ ଭନ୍ ବ୍ରନ୍ ଅସ୍ତ୍ର ନିର୍ମାଣ ଶେଷ କରିବା ପୂର୍ବରୁ ଯୁଦ୍ଧ ଶେଷ ହୋଇଯିବ । କିନ୍ତୁ ଏ-୪ ସଫଳ ହେବା ସଙ୍ଗେ ସଙ୍ଗେ ବଲ୍‍ଟିକ ଉପରେ ଅବସ୍ଥିତ ପିନିମୁଣ୍ଡିଠାରେ ନୂତନ ରକେଟ ନିର୍ମାଣ କରାଯଇଥିବା ସ୍ଥାନରେ ଏହି ଏ-୪କୁ ବଡ଼ ସଂଖ୍ୟାରେ ନିର୍ମାଣ କରିବାପାଇଁ ଆଦେଶ ଆସିଥିଲେ ।

 

ଗୋଟିଏ ଭୋଜି ସଭାରେ ଭନ୍ ବ୍ରନ୍ କହିବାର ଶୁଣାଗଲା ଯେ ସେ ଏ-୪କୁ ସାମରିକ ଅସ୍ତ୍ରରୂପେ ନିର୍ମାଣ କରିବାକୁ ଚାହିଁ ନଥିଲେ ତେଣୁ ଏହି ଉଦ୍ଦେଶ୍ୟରେ ଏହା ବ୍ୟବହାର କରାଯାଇଥିବାରୁ ସେ ଦୁଃଖପ୍ରକାଶ କରିଥିଲେ । ସେ ପୁଣି କହିଥିଲେ ଯେ କେବଳ ମହାଶୂନ୍ୟଯାତ୍ରା ପାଇଁ ତାଙ୍କର ଆଗ୍ରହ ରହିଛି । ଏହାର ଅଳ୍ପଦିନ ପରେ ସେ ନାଜି ଗୁପ୍ତ ପୋଲିସଙ୍କଦ୍ଵାରା ଗିରଫ ହେଲେ ଏବଂ ତାଙ୍କ ବିରୁଦ୍ଧରେ ରାଜଦ୍ରୋହ ଅପରାଧ ଆଗତ କରାଯାଇଥିଲା । ଭନ୍ ବ୍ରନ୍ ନ ଥାଇ ଏ-୪ ନିର୍ମାଣ କରିଯାଇ ପାରିବନାହିଁ ବୋଲି ହିଟଲରଙ୍କୁ କହି ଡନବର୍ଜର ତାଙ୍କୁ ଖଲାସ କରିଆଣିଥିଲେ ।

 

୧୯୪୪ରେ ଯେତେବଲେ ବ୍ରିଟେନରେ ପ୍ରଥମେ ଭି-୨ ପଡ଼ିଲା ଭନ୍ ବ୍ରନ୍ ଦୁଃଖ କରି କହିବାର ଶୁଣାଯାଇଥିଲା ଯେ “ଭି-୨ ଅନ୍ୟ ଗୋଟିଏ ଗ୍ରହରେ ପଡ଼ିଗଲା ।” ତାଙ୍କ ମତରେ ରକେଟ ଚନ୍ଦ୍ରଗ୍ରହ ଯାତ୍ରାପାଇଁ ଏକ ଯାନ ।

 

୧୯୪୫ ଜାନୁଆରୀ ମାସ ଭିତରେ ଜର୍ମାନୀ ଯୁଦ୍ଧରେ ପରାସ୍ତ ହୋଇଯାଇଥିଲା ଏବଂ ଋଷ ସୈନ୍ୟବାହନିର ପିନିମୁଣ୍ଡେ ଆଡ଼କୁ ମାଡ଼ିଆସୁଥିଲେ । ଭନ୍ ବ୍ରନ୍ ତାଙ୍କ ସହକର୍ମୀ ବୈଜ୍ଞାନିକମାନଙ୍କୁ ଡାକି ଏକ ଗୁପ୍ତ ବୈଠକରେ ଆଲୋଚନା କରିବାପରେ ଋଷ ନିକଟରେ ଆତ୍ମସମର୍ପଣ ନକରି ଆମେରିକା ନିକଟରେ ଆତ୍ମସମର୍ପଣ କରିବା ପାଇଁ ନିଷ୍ପତ୍ତି କରିଥିଲେ । ତା’ପରେ ସେମାନେ ନାଟକୀୟ ଭାବରେ ଖସି ପଳାଇଯାଇ ମେ’ ମାସରେ ଆମେରିକା ସୈନ୍ୟବାହିନୀଙ୍କ ନିକଟରେ ପହଞ୍ଚିଥିଲେ ।

 

ନିଉ ମେକ୍ସିକୋସ୍ଥିତ ରକେଟ ପରୀକ୍ଷା ପାଇଁ ନିର୍ଦ୍ଦିଷ୍ଟ କରିଯାଇଥିବା ହ୍ଵାଇଟ୍ ସାଣ୍ଡ୍‍ସ୍‍ଠାରେ ଭନ୍ ବ୍ରନ୍ ଆକେରିକାର ରକେଟ ଯୋଜନାରେ ଯୋଗଦେଲେ । ପ୍ରଥମେ ଭି-୨ ଇଂଲଣ୍ଡରେ ପଡ଼ିବା ପୂର୍ବରୁ ଆମେରିକା ଯୁକ୍ତରାଷ୍ଟ୍ର ୧୯୪୩ ମସିହାରେ ସୁଦୂର ସ୍ଥାନକୁ ନିକ୍ଷିପ୍ତ ହେବାଭଳି ରକେଟ ନିର୍ମାଣ କାର୍ଯ୍ୟକ୍ରମ ଆରମ୍ଭ କରିସାରିଥିଲା । ସେହିବର୍ଷ ୧୦୦୦ ମାଇଲ ବା ତହିଁରୁ ଉର୍ଦ୍ଧ ଦୂରବର୍ତ୍ତୀ ସ୍ଥାନକୁ ନିକ୍ଷିପ୍ତ ହେବାଭଳି ରକେଟ ନିର୍ମାଣ କରିବା ନିମନ୍ତେ ଗବେଷଣା କରିବାପାଇଁ ସୈନ୍ୟବିଭାଗ ବେସରକାରୀ କମ୍ପାନୀ ସହିତ ଚୁକ୍ତି କରିଥିଲେ ଏବଂ ୧୯୪୪ ମସିହାରେ ସେମାନେ ହ୍ଵାଇଟ୍ ସାଣ୍ଡ୍‍ସ୍‍ଠାରେ ରକେଟ ନିକ୍ଷେପର ପରୀକ୍ଷା ସ୍ଥାନ ସ୍ଥାପନ କରିଥିଲେ-। ଅତି ଅଳ୍ପ ସମୟ ଭିତରେ ଆମେରିକାର ପ୍ରଥମ ରକେଟ ‘‘ଓର କର୍ପୋରାଲ’’ ପରୀକ୍ଷା କରିବା ଭଳି ଅବସ୍ଥାକୁ ଆସି ଯାଇଥିଲା । ଏହା ଏକ ଅତି ଉଚ୍ଚକୁ ଉଠିବା ଭଳି ତରଳ ଇନ୍ଧନଯୁକ୍ତ ରକେଟ ଏବଂ ୧୯୪୫ ମସିହାରେ ଏହା ଯେତେବେଳେ ପ୍ରଥମେ ପରୀକ୍ଷା କରାଗଲା ଏହା ୪୩ ମାଇଲା ଦୂରକୁ ଉଠିଥିଲା । ଭି-୨ଠାରୁ ଛୋଟ, ମୋଟେ ୬୫୫ ପାଉଣ୍ଡ ଓଜନ ବିଶିଷ୍ଟ ଏହି ରକେଟଟି ଘଣ୍ଟାକୁ ୨,୮୦୦ ମାଇଲ ବେଗରେ ଗତି କରିଥିଲା । ଆମେରିକା ଇଞ୍ଜିନିଅରିଙ୍ଗ କୌଶଳର ଏହା ଏକ ବିରାଟ କୃତିତ୍ୱ ।

 

ହ୍ଵାଇଟ୍ ସାଣ୍ଡ୍‍ସ୍‍ଠାରେ ଭନ୍ ବ୍ରନ ସୈନ୍ୟବାହିନୀଙ୍କ ପରୀକ୍ଷାରେ ସାହାଯ୍ୟ କରିଥିଲେ ଏବଂ ଜର୍ମାନୀ ଭି-୨ ଉନ୍ନତି କରିଥିଲେ । ଏବେ ଏହା ଯୁଦ୍ଧାସ୍ତ୍ର ବହନ କରିବା ପରିବର୍ତ୍ତେ ବୈଜ୍ଞାନିକ ଯନ୍ତ୍ରପାତି ବହନ କରୁଛି । ୧୯୪୯ ମସିହାରେ ପ୍ରଥମ ‘‘ଦୁଇସ୍ତର ବିଶିଷ୍ଟ “ ରକେଟକୁ ଏହାର ‘‘ନିୟନ୍ତ୍ରଣକାରୀ” ଭି-୨ ସହିତ ନିକ୍ଷେପ କରାଯାଇଥିଲା l ଦ୍ଵିତୀୟ ସ୍ତର ଘଣ୍ଟାକୁ ୫,୦୦୦ ମାଇଲ ବେଗରେ ଗତି କରିଥିଲା ଏବଂ ୨୫୦ ମାଇଲ ଉପରକୁ ଉଠିଥିଲା । ମନୁଷ୍ୟ ନିର୍ମିତ କୌଣସି ପଦାର୍ଥ ଏ ପର୍ଯ୍ୟନ୍ତ ଯେତେ ଉପରକୁ ଯାଇଥିଲା ଏହା ସର୍ବାପେକ୍ଷା ଅଧିକ l ୮ ବର୍ଷ ପର୍ଯ୍ୟନ୍ତ ଏହାର ଅଧିକ ଉପରକୁ କେହି ଯାଇପାରି ନଥିଲେ l

 

୧୯୫୦ରେ ଆଲବାମାର ଅନ୍ତର୍ଗତ ହଣ୍ଟଭିଲେଠାରେ ରେଡ଼ଷ୍ଟୋନ ଆର୍ସେନାଲରେ ଏକ ନୂଆ ରକେଟ କେନ୍ଦ୍ର ସ୍ଥାପନ କରାଯାଇଥିଲା । ଡକ୍ଟର ଭନ୍ ବ୍ରନ୍ ଏହାର ସ୍ୱୟଂଚାଳିତ ରକେଟ ବିକାଶ ବିଭାଗର ଡ଼ିରେକ୍ଟର ନିଯୁକ୍ତ ହୋଇଥିଲେ । ସବୁବେଳେ ଉନ୍ନତ ଧରଣର ଓ ବୃହତ୍ ଆକାରରେ ରକେଟ ଏବଂ ନୁତନ ୨୦୦ ମାଇଲ ରେଡ଼ଷ୍ଟୋନ୍ ରକେଟ ଦେଖି ସେ ଆନନ୍ଦ ଅନୁଭବ କରୁଥିଲେ ।

 

୧୯୫୫ରେ କୁତ୍ରିମ ଉପଗ୍ରହ ଜୁପିଟର ନିକ୍ଷେପ କରାଯାଇଥିଲା ଏବଂ ସେଥିରେ ଘନିଭୂତ ଇନ୍ଧନ ସମେତ ଦୁଇସ୍ତର ଥିଲା । ରେଡ଼ଷ୍ଟୋନକୁ ତା’ର ପରବର୍ତ୍ତୀ ଆଗୁଆ ରକେଟ ବୋଲି କୁହାଯାଏ । ୧୯୫୭ରେ ଆଉ ଏକ ଜୁପିଟର ୧୨୦୦ ନାବିକ ମାଇଲ ଉପରକୁ ଉଠିଥିଲା ।

 

କିନ୍ତୁ ଭନ୍ ବ୍ରନ୍ ତଥାପି ଏକ ରକେଟ ନିର୍ମାଣ କରିବାକୁ ଚାହିଁଥିଲେ ଯାହାକି ଚନ୍ଦ୍ର ବା ଅନ୍ୟ ଗ୍ରହରେ ଯାଇ ପହଞ୍ଚିବ । ୧୯୫୨ରେ କର୍ମଚାରୀମାନଙ୍କୁ ବହନ କରିନେଇ ପାରିବା ଭଳି ଏକ ମହାଶୂନ୍ୟ ଯାନ ବା ପୋତ ନିର୍ମାଣ କରିବାପାଇଁ ସେ ଯୋଜନା ପ୍ରସ୍ତୁତ କରିଥିଲେ । ସଙ୍ଗେ ସଙ୍ଗେ ମନୁଷ୍ୟଦ୍ଵାରା ଚାଳିତ ମହାଶୂନ୍ୟ ଷ୍ଟେସନର ପରିକଳ୍ପନା ସେ କରିଥିଲେ । ଏହା ବିଭିନ୍ନ ଋତୁର ପର୍ଯ୍ୟବେଷଣ ଓ ଅନ୍ୟାନ୍ୟ ବୈଜ୍ଞାନିକ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇପାରିବ ।

 

୧୯୫୪ ମସିହାରେ ସେତେବେଳେ ଯେଉଁ ପ୍ରକାରର ରକେଟ ନିର୍ମିତ ହୋଇଥିଲା ତାକୁ ବ୍ୟବହାର କରି ଆମେରିକାର କୃତ୍ରିମ ଉପଗ୍ରହ ମହାଶୂନ୍ୟକୁ ପଠାଇବା ପାଇଁ ସେ ଯୋଜନା ପ୍ରସ୍ତୁତ କରିଥିଲେ । ୧୯୫୫ରେ ସେ ସୈନ୍ୟବାହିନୀଙ୍କୁ କହିଦେଇଥିଲେ ଯେ ବର୍ଷକ ଭିତରେ ପୃଥିବୀ ଚାରିପଟେ ନିଜ ଅକ୍ଷରେ ଘୂରିବା ପାଇଁ ୧୫ ପାଉଣ୍ଡ ଓଜନର ଏକ କୃତ୍ରିମ ଉପଗ୍ରହ ପଠାଇବାକୁ ସେ ସମର୍ଥ ହେବେ । ଋଷ ପ୍ରଥମ ସ୍ଫୁଟନିକ ପଠାଇବାର ୧୫ମାସ ପୂର୍ବରୁ ଏହି କୃତ୍ରିମ ଉପଗ୍ରହ ପଠାଯାଇ ପାରିଥାନ୍ତା । କିନ୍ତୁ ଆମେରିକା ସରକାର ଯେତେବେଳେ, ଏକ କୃତ୍ରିମ ଉପଗ୍ରହ ପଠାଇବାକୁ ସ୍ଥିରକଲେ ସେମାନେ ନୌବାହିନୀଙ୍କ ଉପରେ ଏହି ଦାୟିତ୍ୱ ଦେଇଥିଲେ । ଏକ ସମ୍ପୂର୍ଣ୍ଣ ନୂତନ ରକେଟ ‘ଭ୍ୟାନ୍‍ ଗାର୍ଡ଼’ ନିର୍ମାଣ କରାଯାଇଥିଲା ।

 

୧୯୫୭ ଅକ୍ଟୋବର ୪ ତାରିଖରେ ଋଷ ତା’ର ସ୍ଫୁଟନିକ ମହାଶୂନ୍ୟକୁ ପଠାଇ ମହାଶୂନ୍ୟ ଅଭିଯାନରେ ପ୍ରଥମ ସ୍ଥାନ ଅଧିକାର କରିବାର ଗୌରବ ଲାଭ କଲା । ଆମେରିକାର ‘ଭ୍ୟାନ୍‍ ଗାର୍ଡ଼’ ସେତେବେଳକୁ ପ୍ରାଥମିକ ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇସାରି ନଥିଲା । ଏହା ଜୁପିଟର ଅପେକ୍ଷା ଅଧିକ ଜଟିଳ ଥିଲା । ଏଥିରେ ବହୁସଂଖ୍ୟାରେ “ଅନିଷ୍ଟକାରୀ ଜୀବ” ରହିଥିଲେ-। ସେମାନଙ୍କୁ ସଫା କରାଯାଇ ପାରିନଥିଲା । ଏକ କୃତ୍ରିମ ଉପଗ୍ରହ ପଠାଇବା ପାଇଁ ପ୍ରସ୍ତୁତ ହେବାକୁ ଭନ୍ ବ୍ରନଙ୍କୁ କୁହାଯାଇଥିଲା । ୧୯୫୮ ଜାନୁଆରୀ ୩୧ ତାରିଖରେ “ପ୍ରଥମ ଏକ୍ସପ୍ଲୋରର” ନିଜ କକ୍ଷରେ ଘୂରିଥିଲା–ଏହା ଜୁପିଟର ରକେଟଦ୍ୱାରା ନିକ୍ଷେପ କରାଯାଇଥିଲା-

 

ଏହା ପରଠାରୁ ଭନ୍ ବ୍ରନ୍ ଓ ତାଙ୍କ ସହକର୍ମୀମାନେ ଗ୍ରହ ଜଗତରେ କୃତ୍ରିମ ଉପଗ୍ରହ “ପାଓନିଅର” ପଠାଇବା ସମେତ ଏ କ୍ଷେତ୍ରରେ ବହୁ ସଫଳତା ହାସଲ କରିଛନ୍ତି । ଏବେ ଆମେରିକାର କୃତ୍ରିମ ଉପଗ୍ରହମାନେ ମହାଶୂନ୍ୟ ସମ୍ବନ୍ଧରେ ବହୁ ମୂଲ୍ୟବାନ ତଥ୍ୟ ସଂଗ୍ରହ କରିପାରଛନ୍ତି-ଯାହାକି ଅନ୍ତଃଗ୍ରହ ଜଗତର ଭ୍ରମଣ ସ୍ଵପ୍ନକୁ ସଫଳ କରିପାରିବ ।

 

ବର୍ତ୍ତମାନ ଭନ୍ ବ୍ରନ୍ ‘‘ସଟର୍ଣ୍ଣ ରକେଟ” ନିର୍ମାଣ କରିବାରେ ଲାଗିଛନ୍ତି । ଏହା ଏକ ବିରାଟ ମହାଶୂନ୍ୟଯାନ ଏବଂ ଏହା ୫୦,୦୦୦ ପାଉଣ୍ଡ ଓଜନ ଜିନିଷକୁ ୨୦୦ମାଇଲ କକ୍ଷରେ ଘୂରାଇ ପାରିବ । ୧୯୬୩ ଶେଷ ହେବା ପୂର୍ବରୁ ସେ ଦୁଇତିନିଜଣ ଲୋକଙ୍କୁ ଚନ୍ଦ୍ର ଗ୍ରହକୁ ପଠାଇ ଫେରାଇ ଆଣିବା ପାଇଁ ପ୍ରସ୍ତୁତ ହୋଇପାରିବେ ବୋଲି ଆଶା କରୁଛନ୍ତି ।

 

ଗତ ୩୦ବର୍ଷକାଳ ୱାର୍ଣ୍ଣର ଭନ୍ ବ୍ରନ୍ ସାମରିକ କର୍ତ୍ତୃପକ୍ଷଙ୍କ ଅଧୀନରେ କାମ କରୁଥିଲେ ଏବଂ ମହାଶୂନ୍ୟ ଅଭିଯାନର ସ୍ଵପ୍ନକୁ ସଫଳ କରିବାରେ ଏକନିଷ୍ଠ ଭାବରେ ଲାଗିଥିଲେ-। ଶେଷରେ ୧୯୫୯ରେ ସେ ଏବଂ ତାଙ୍କ ସହକର୍ମୀମାନଙ୍କୁ ସୈନ୍ୟବାହିନୀର ବାଲିଷ୍ଟିକ୍ ମିଶାଇଲ ଏଜେନ୍ସି ଅନୁଷ୍ଠାନରୁ ଅଲଗା କରି ‘‘ସିଭିଲିଆନ୍ ନାସ୍‍ନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍‍ ଆଡ଼୍‍ମିନିଷ୍ଟ୍ରେସନ” ଅନୁଷ୍ଠାନ ଅଧୀନରେ ରଖାଯାଇଛି । ସେମାନେ ଯୁଦ୍ଧାସ୍ତ୍ର ନିର୍ମାଣ ପରିବର୍ତ୍ତେ ମହାଶୂନ୍ୟଯାନ ନିର୍ମାଣ ଦିଗରେ ମନୋନିବେଶ କରିଥିଲେ । ସେ କହିଛନ୍ତି- “ବର୍ତ୍ତମାନ ମୁଖ୍ୟ ଲକ୍ଷ୍ୟ ହାସଲ ଦିଗରେ ନିଷ୍ଠାର ସହିତ ମନୋନିବେଶ କରିବା ପାଇଁ ଆମକୁ ସୁଯୋଗ ମିଳିଲା ।”

 

ଭନ୍ ବ୍ରନ୍ ସମସ୍ତଙ୍କ ସଙ୍ଗେ ମିଳାମିଶା କରିବାକୁ ଭଲ ପାଆନ୍ତି । କଥାବାର୍ତ୍ତା କରୁଥିଲାବେଳେ ଠୋ ଠୋ ହୋଇ ହସି ଉଠନ୍ତି । ସେ ଲୋକଙ୍କୁ ଭଲ ପାଆନ୍ତି । ବିଶିଷ୍ଟ ବୈଜ୍ଞାନିକମାନଙ୍କ ଠାରୁ ଆରମ୍ଭ କରି୧୬ବର୍ଷ ବୟସ୍କ ପିଲାଙ୍କ ଚିଠିର ଏକାଭଳି ଆନ୍ତରିକତା ସହିତ ଉତ୍ତର ଦେଇଥାନ୍ତି । ତାଙ୍କ ସହଯୋଗୀମାନେ ତାଙ୍କୁ “ଅଧ୍ୟାପକ” ବୋଲି ସମ୍ବୋଧନ କରିଥାନ୍ତି, ଅନ୍ୟ ସମସ୍ତଙ୍କ ନିକଟରେ ସେ ମିଷ୍ଟର ସ୍ପେସ୍ ବା ଶ୍ରୀ ମହାଶୂନ୍ୟ ବୋଲି ପରିଚିତ । ୧୯୫୫ମସିହାରେ ଡକ୍ଟର ଭନ୍ ବ୍ରନ୍ ଆଇନ ଅନୁସାରେ ଆମେରିକାର ନାଗରିକ ହେଲେ । ଆମେରିକାରେ ତାଙ୍କର ଦୁଇଟି କନ୍ୟା ଜନ୍ମଗ୍ରହଣ କରିଛନ୍ତି । ଦିନେ ସେ ଚନ୍ଦ୍ରଗ୍ରହକୁ ଯାତ୍ରା କରିବେ ବୋଲି ଆଶା ରଖିଛନ୍ତି ।

 

ସେ କହିଛନ୍ତି, ମନୁଷ୍ୟ ଯେଉଁଠିକି ଯିବାକୁ ଚାହେଁ ସେ ସେହି ସ୍ଥାନର ଅଧିବାସୀ । ଡକ୍ଟର ଭନ୍ ବ୍ରନ୍ ତାଙ୍କ ସ୍ଵପ୍ନକୁ କେବେହେଲେ ଭୁଲିନାହାନ୍ତି ।

Image

 

ମାରାତ୍ମକ ‘‘ଡଫ୍ନଟ୍”

-ଜେମ୍ସ୍ ଏ. ଭନ. ଏଲେନ୍.

 

ଇତିହାସରେ ପର୍ବତ ବା ଦ୍ଵୀପ ବ୍ୟକ୍ତି ବିଶେଷଙ୍କ ନାମ ଅନୁସାରେ ନାମିତ ହୋଇଛି । ମେଜିଲିନ୍ ଓ ହଡ଼ସନଙ୍କ ଭଳ ବ୍ୟକ୍ତିଙ୍କ ନାମ ଅନୁସାରେ ଜଳଭାଗର ନାମକରଣ କରାଯାଇଛି । ଜଣେ ବ୍ୟକ୍ତିଙ୍କ ନାମ–ଆମେରିଗୋ ଭେସ୍‍ପୁସିଙ୍କ ନାମ-ଗୋଟିଏ ମହା ଦେଶପାଇଁ ମଧ୍ୟ ଗ୍ରହଣ କରିଯାଇଛି । କିନ୍ତୁ ବିଂଶ ଶତାବ୍ଦୀରେ ଜଣେ ବ୍ୟକ୍ତିଙ୍କ ପାଇଁ ସର୍ବାପେକ୍ଷା ଅଧିକ ମହତ୍ତ୍ଵପୂର୍ଣ୍ଣ ସମ୍ମାନ ଅର୍ପଣ କରିବାପାଇଁ ରଖାଯାଇଥିଲା-ପୃଥବୀର ସର୍ବାପେକ୍ଷା ଦୁଇଟି ବିରାଟ ଓ ଅତ୍ୟନ୍ତ ଚମତ୍କାର ପଦାର୍ଥର ନାମ ଜଣେ ଜୀବିତ ବ୍ୟକ୍ତିଙ୍କ ନାମ ଅନୁସାରେ ନାମିତ ହୋଇଛି ।*

 

*୧୯୬୨ ଜାନୁଆରୀ ମାସରେ କୃତ୍ରିମ ଉପଗ୍ରହ ଏକ୍ସପ୍ଲୋରର୍‍-୧୨ରେ ରହିଥିବା ଯନ୍ତ୍ରପାତି ସାହାଯ୍ୟରେ ଜଣାପଡ଼ିଥିଲା ଯେ ମହାଶୂନ୍ୟରେ ଦୁଇଟି ବେଷ୍ଟନୀ ରହୀଛି ବୋଲି ଯାହା ପୂର୍ବରୁ ବିଶ୍ୱାସ କରିଯାଉଥିଲା ତାହା ଠିକ୍ ନୁହେଁ–ଗୋଟିଏ ଅଞ୍ଚଳ ଅଛି ଏବଂ ଏହା ୩୦, ୦୦୦ରୁ ୪୦,୦୦୦ ମାଇଲ ବହଳ ।

 

ଏହିଭଳି ସମ୍ମାନ ଅର୍ପଣ କରାଯାଇଥିବା ବ୍ୟକ୍ତିଙ୍କ ନାମ ଡାକ୍ଟର ଜେମ୍ସ ଏ. ଭନ୍ ଏଲେନ୍ । ଆମେରିକାର ପଦାର୍ଥ ବିଜ୍ଞାନବିଦ୍ ଭନ୍ ଏଲେନ୍ ୧୯୧୪ ମସିହାରେ ଆଇଓୱା ଅନ୍ତର୍ଗତ ମାଉଣ୍ଟପ୍ଲେଜାଣ୍ଟଠାରେ ଜନ୍ମଗ୍ରହଣ କରିଥିଲେ । ଯେଉଁ ଦୁଇଟି ପଦାର୍ଥ ତାଙ୍କ ନାମ ଅନୁସାରେ ନାମକରଣ କରାଯାଇଛି ତାହାହେଲ-ମହାଶୂନ୍ୟର ଦୁଇଟି ଚମତ୍କାର ରଶ୍ମି ବିକିରଣ କରୁଥିବା ବେଷ୍ଟନୀ ବା ଅଞ୍ଚଳ । ଏଥିଭିତରୁ ପ୍ରତ୍ୟେକଟି ଏତେ ବିରାଟ ଯେ ଆମ ପୃଥିବୀ ତା ତୁଳନାରେ ଅତିକ୍ଷୁଦ୍ର ଜଣାପଡ଼େ । ସେମାନେ ମହାଶୂନ୍ୟରେ ୧୪୦୦ ଓ ୧୨,୦୦୦ ମାଇଲ ଭିତରେ ରହିଛନ୍ତି । ସେମାନଙ୍କର ଆବିଷ୍କାର ମହାଶୂନ୍ୟ ଯୁଗର ସର୍ବପ୍ରଧାନ ବୈଜ୍ଞାନିକ କୃତି । ସେଥିପାଇଁ ସେମାନଙ୍କର ନାମ ଅମେରିକାବାସୀ ଡକ୍ଟର ଭନ୍ ଆଲେନଙ୍କ ନାମ ଅନୁସାରେ ନାମିତ ହେବା ଯଥାର୍ଥ ହୋଇଛି ।

 

ଭନ୍ ଆଲେନ୍ ୧୯୩୧ ମସିହାରେ ଅଧ୍ୟାପକ ଥୋମାସ ପୋଲଟରଙ୍କ ଅଧୀନରେ ଓସଲେଆନ୍ କଲେଜରେ ପଦାର୍ଥ-ବିଜ୍ଞାନ ଅଧ୍ୟୟନ କରୁଥିଲା ବେଳେ ତାଙ୍କ କୃତିତ୍ଵର ପରିଚୟ ମିଳିଥିଲା । ଡାକ୍ଟର ପୋଲ୍‍ଟର ସେତେବେଳେ ୧୯୩୩-୧୯୩୫ର ଦ୍ଵିତୀୟ ବାୟାର୍ଡ଼ କୁମେରୁ ଅଭିଯାନ ପାଇଁ ବୈଜ୍ଞାନିକ ଯନ୍ତ୍ରପାତି ପ୍ରସ୍ତୁତ କରିବା ଦାୟିତ୍ଵରେ ଥିଲେ । ତାଙ୍କ ନିର୍ଦ୍ଦେଶମତେ ଯେଉଁ ଯନ୍ତ୍ରସବୁ ମହାଜଗତିକ ରଶ୍ମି ମାପ କରିଥିଲେ ସେଗୁଡ଼ିକ ସେ ପରୀକ୍ଷା କରିଥିଲେ ।

 

ମହାଜାଗତିକ ରଶ୍ମି ବିଜ୍ଞାନର ଏକ ଅତି ରହସ୍ୟମୟ ପଦାର୍ଥ ହୋଇ ରହିଥିଲା । ପ୍ରଥମେ ୬୦ ବର୍ଷ ତଳେ ଏହା ଠାବ କରଯାଇଥିଲା ମାତ୍ର ତାହା କେଉଁଠୁ ଆସୁଛି ତାହା କେହି ଜାଣି ନଥିଲେ । ଏହି ରଶ୍ମିର ଅଧିକାଂଶ ଭାଗ ପୃଥିବୀ ଉପରେ ଆଲୋକର ଗତି ବେଗରେ ବିଛୁରିତ ହୋଇଥାଏ । ଏଥିଭିତରୁ ଅନେକ ବାୟୁରେ ଥିବା ଉପାଦାନ ସହିତ ସଂଘର୍ଶରେ ଆସି ଆଇସେଟୋପ୍‍ ବା ସମଗୁଣୀ ଅଣୁ ଉତ୍ପାଦନ କରିଥାଏ ଏବଂ ଅନ୍ୟାନ୍ୟ ପରିବର୍ତ୍ତନ ଘଟାଇଥାଏ । ଦୃଷ୍ଟାନ୍ତ ସ୍ୱରୁପ ମହାଜାଗତିକ ରଶ୍ମିର କ୍ରିୟା ଡକ୍ଟର ଲିବିଙ୍କ ପରାମାଣୁ ଘଡ଼ିରେ ବ୍ୟବହୃତ କାରବନ-୧୪ ସୃଷ୍ଟି କରେ ।

 

୧୯୦୦ ମସିହାରେ ଯେତେବେଳେ ପ୍ରଥମେ ମହାଜାଗତିକ ରଶ୍ମି ଦୃଷ୍ଟିଗୋଚର ହେଲା ଅନେକ ବୈଜ୍ଞାନିକ ବିଶ୍ଵାସ କରିଥିଲେ ଯେ ଏହା ପୃଥବୀରୁ ହିଁ ବିକିରିତ ହେଉଛି । ଏହି ତଥ୍ୟକୁ ପରୀକ୍ଷା କରିବା ପାଇଁ ପ୍ରଥମେ ୧୯୧୧ ମସିହାରେ ମନୁଷ୍ୟବାହୀ ବେଲୁନରେ ରଖାଯାଇଥିବା ଯନ୍ତ୍ର ସାହାଯ୍ୟରେ ମହାଜାଗତିକ ରଶ୍ମି ମପାଯାଇଥିଲା । ଏହି ବେଲୁନ ୧୬,୫୦୦ ଫୁଟ ଉପରକୁ ଉଠଥିଲା । ଏହାଦ୍ଵାରା ଆବିଷ୍କୃତ ହୋଇଥିଲା ଯେ ବେଲୁନ ଯେତେ ଉପରକୁ ଉଠିଛି ଉକ୍ତ ରଶ୍ମି ସେତେ ସାନ୍ଧ୍ର ଜଣାପଡ଼ୁଛି । ତେଣୁ ଏହି ରଶ୍ମି ପୃଥିବୀରୁ ଉଠିନପାରେ । ତା’ହେଲେ ଏହା କେଉଁଠୁ ଆସୁଥିଲା । ବେଲୁନରେ ଥିବା ଯନ୍ତ୍ରରୁ ଜଣାପଡ଼ିଥିଲା ଯେ ଏହି ରଶ୍ମି ଦିନରେ ଯେତିକି ଶକ୍ତିଶାଳୀ ରାତିରେ ମଧ୍ୟ ସେତିକି ଶକ୍ତିଶାଳୀ ଥିଲା । ଏହାର ଅର୍ଥ ସାଧାରଣ ଆଲେକ ରେଖାପରି । ଏହା ସିଧାସଳଖ ସୂର୍ଯ୍ୟଙ୍କଠାରୁ ଆସୁନାହିଁ । ୧୯୩୧ ମସିହା ଭିତରେ ସାଧାରଣ ଭାବରେ ବିଶ୍ଵାସ କରାଯାଇଥିଲା ଯେ ଏହା ସୌରମଣ୍ଡଳରୁ ନକ୍ଷତ୍ରମାନଙ୍କ ମଧ୍ୟବର୍ତ୍ତୀ ଆଲୋକ ସ୍ଥାନରୁ ଆସୁଛି । ଯୁବକ ଭନ୍ ଆଲେନ୍ ଏହି ସ୍ଥାନଗୁଡ଼ିକୁ ମାପି ବିଶ୍ଵବାସୀଙ୍କୁ ବିସ୍ମିତ କରିଦେଇଥିଲେ ।

 

ଡାକ୍ତର ପୋଲ୍ଟର ଏହି ପ୍ରତିଭାଶାଳୀ ଛାତ୍ରଙ୍କ କୃତିତ୍ଵରେ ଏପରି ମୁଗ୍ଧ ହୋଇଯାଇଥିଲେ ଯେ ସୁମେରୁ ଅଭିଯାନରେ ଯିବାପାଇଁ ତାଙ୍କୁ କୁହାଯାଇଥିଲେ ମାତ୍ର ତାଙ୍କୁ କମ୍ ବୟସ ହୋଇଥିବାରୁ ତାଙ୍କ ପିତାମାତା ଏଥିପାଇଁ ଆପତ୍ତି କରିଥିଲେ-ସେତେବେଳକୁ ତାଙ୍କୁ ମୋଟେ ୧୯ବର୍ଷ । ତେଣୁ ସେ ଏହି ଅଭିଯାନରେ ନଯାଇ ସ୍କୁଲରେ ପଢ଼ିଲେ ମାତ୍ର ଭବିଷ୍ୟତ ଜୀବନରେ ସେ କ’ଣ କରିବେ ତାହା ସେ ସ୍ଥିର କରିନେଇଥିଲେ-ଏହା ହେଲା-ମହାଶୂନ୍ୟରେ ରଶ୍ମି ସମ୍ବନ୍ଧରେ ଅଧ୍ୟୟନ ।

 

୧୯୩୫ ମସିହାରେ ଭନ୍ ଆଲେନ୍ ଓହିଓଓଏସ୍ ଲେୟାନରୁ ଗ୍ରାଜୁଏଟ୍ ହେଲେ ଏବଂ ଓ ଆଇଓୱା ବିଶ୍ଵବିଦ୍ୟାଳୟରୁ ୧୯୩୯ରେ ପି.ଏଚ୍ଡ଼ି. ଡିଗ୍ରୀ ଲାଭ କରିଥିଲେ । ତା’ପରେ ସେ ୱାସିଂଟନ୍‍ର କାର୍ଣ୍ଣେରୀ ଅନୁଷ୍ଠାନରେ ଯୋଗଦେଲେ ଏବଂ ପୃଥିବୀର ଚୁମ୍ବକତ୍ଵ ଏବଂ ମହାଜାଗତିକ ରଶ୍ମି ଉପରେ ଏହା ପ୍ରଭାବ ସମ୍ବନ୍ଧରେ ବିଶେଷ ଭାବରେ ଅଧ୍ୟୟନ କରିଥିଲେ ।

 

ଦ୍ଵିତୀୟ ମହାଯୁଦ୍ଧ ସମୟରେ ସେ ନୌବିଭାଗରେ କାମ କରିଥିଲେ । ଯେଉଁ ବୈଜ୍ଞାନିକମାନେ ନୌବାହିନୀର ଆକ୍ରମଣକାରୀ ଉଡ଼ାଜାହାଜର ଆକ୍ରମଣକୁ ପ୍ରତିହତ କରିବା ଶକ୍ତିବୃଦ୍ଧି କରିବାର ଉପାୟ ଉଦ୍ଭାବନ କରିଥିଲେ ସେମାନଙ୍କ ଭିତରେ ସେ ଜଣେ ସଭ୍ୟ ଥିଲେ । ଏଠାରେ ସେ ଯେଉଁ ଅଭିଜ୍ଞତା ଅର୍ଜନ କରିଥିଲେ ପରବର୍ତ୍ତୀ ଜୀବନରେ ସେ ତାକୁ କାମରେ ଲଗାଇଥିଲେ-ଗୋଟିଏ କ୍ଷୁଦ୍ରସ୍ଥାନରେ ସୂକ୍ଷ୍ମ ଯନ୍ତ୍ରପାତିଗୁଡ଼ିକ କିପର ରଖାଯାଇପାରିବ ଏବଂ ସେଗୁଡ଼ିକୁ ଘାତ ପ୍ରତିଘାତରୁ ରକ୍ଷା କରାଯାଇପାରିବ-ଏହାହିଁ ଥିଲା ତାଙ୍କ ଗବେଷଣାର ବିଷୟ । ଏହି ଗବେଷଣାରେ ଭନ୍ ଆଲେନଙ୍କର ପ୍ରତିଭାର ସ୍ଵାତନ୍ତ୍ର୍ୟ ଫୁଟି ଉଠିଛି ।

 

ଦ୍ଵିତୀୟ ମହାଯୁଦ୍ଧ ପରେ ବୈଜ୍ଞାନିକମାନେ ବେଲୁନ ସାହାଯ୍ୟରେ ୮୦ ହଜାର ଫୁଟ ଉପରେ ମହାଜାଗତିକ ରଶ୍ମିକୁ ମାପିବା ନିମନ୍ତେ ସକ୍ଷମ ହୋଇଥିଲେ । ନିଉ ମେକ୍ସିକୋର ହ୍ୱାଇଟ୍ ସ୍ୟାଣ୍ଡ୍‍ସଠାରେ ସୈନ୍ୟବାହିନୀ ଜର୍ମାନୀମାନଙ୍କଠାରୁ ଜବତ କରିଥିବା ୧୦୦ଟି ଭି-୨ରକେଟ ପରୀକ୍ଷା କରିବା ପାଇଁ ପ୍ରସ୍ତୁତ ହେଉଥିଲେ । ଏହି ରକେଟ ଗୁଡ଼ିକରେ ୧୦୦ମାଇଲ ଉପରକୁ ଉଠିଯିବାର ଶକ୍ତି ଥିଲା-ବେଲୁନ ଏପର୍ଯ୍ୟନ୍ତ ଯେତେ ଉପରକୁ ଉଠିଥିଲା ଏହା ତା’ ଅପେକ୍ଷା ୬୦ ଗୁଣ ଅଧିକ । ଏମାନେ ମହାଜାଗତିକ ରଶ୍ମିକୁ ମାପିପାରିବେ କି ? ସୈନ୍ୟବାହିନୀ ଭନ୍ ଆଲେନ୍ (ସେତେବେଳେ ସେ ମେରିଲାଣ୍ଡର ବାଲ୍ଟିମୋରଠାରେ ଅବସ୍ଥିତ ହପକିନ୍ସ ବିଶ୍ଵବିଦ୍ୟାଳୟ ବ୍ୟାବହାରିକ ପଦାର୍ଥ ବିଜ୍ଞାନ ଗବେଷଣାଗାରର ଡିରେକ୍ଟର ଥିଲେ) ରକେଟରେ ରଖିବାଭଳି ଯନ୍ତ୍ରପାତିର ଡିଜାଇନ କରିବା ନିମନ୍ତେ ଦାୟିତ୍ଵ ଦେଇଥିଲେ । ରକେଟ ବ୍ୟବହାର କରିବା ଦିଗରେ ଏହା ପୃଥିବୀର ପ୍ରଥମ ବୈଜ୍ଞାନିକ ପରୀକ୍ଷା ।

 

ଏହିସବୁ ଯନ୍ତ୍ର ମହାକାଶରୁ ଯେଉଁ ତଥ୍ୟ ଆଣିଥିଲା ସେଥିରୁ ଜଣାପଡ଼ିଥିଲା ଯେ ବାୟୁମଣ୍ଡଳ ଉପରେ ମହାଜାଗତିକ ରଶ୍ମି ବୃଦ୍ଧି ପାଇଛି । ଏହାର ଅଳ୍ପଦିନ ପରେ ରକେଟ ସରିଗଲା, ତେଣୁ ଭନ୍ ଆଲେନ୍ “ଆରୋବି” ନାମକ ଏକ ଅଳ୍ପବ୍ୟୟ ସାପେକ୍ଷ ରକେଟର ନକ୍ସା ପ୍ରସ୍ତୁତ କରିତାକୁ ସରକାର ଯେପରି ନିର୍ମାଣ କରିବେ ସେ ସମ୍ପର୍କରେ ସରକାରଙ୍କ ସଙ୍ଗେ କଥାବାର୍ତ୍ତା କରିବା ନିମନ୍ତେ ଏକ କମିଟି ଗଠନ କରିଥିଲେ । ପରବର୍ତ୍ତୀ ଦଶବର୍ଷକାଳ ଭନ୍ ଏଲେନ୍ ପେରୁ ନିକଟବର୍ତ୍ତୀ ମାଗ୍ନେଟିକ ଇକ୍ୱେଟର ବା ଚୁମ୍ବକୀୟ ବିଷୁବରେଖାରୁ ଆଲସ୍କା ଉପସାଗର ପର୍ଯ୍ୟନ୍ତ ଭ୍ରମଣକରି ମହାଶୂନ୍ୟକୁ ରକେଟ ପ୍ରେରଣ କରିବା, ମହାଜାଗତିକ ରଶ୍ମିକୁ ମାପଚୁପ କରିବା, ସୂର୍ଯ୍ୟଙ୍କ ରଶ୍ମି ମାପିବା ଓ ବାୟୁମଣ୍ଡଳର ଉପାଦାନ ସମ୍ବନ୍ଧରେ ଅଧ୍ୟୟନ କରିବାରେ ଲାଗିଥିଲେ ।

 

୧୯୫୧ ମସିହାରେ ସେ ଆଇଓୱା ବିଶ୍ଵବିଦ୍ୟାଳୟର ଅଧ୍ୟାପକ ଓ ପଦାର୍ଥ ବିଜ୍ଞାନର ମୁଖ୍ୟ ନିଯୁକ୍ତ ହୋଇଥିଲେ ।

 

ଏହିଠାରେ ସେ “ରାକୁନ୍‍” ନାମକ ଅଳ୍ପ ବ୍ୟୟସାପେକ୍ଷ ରକେଟ ନିର୍ମାଣ କରିଥିଲେ । ଏହି ରକେଟ ନିକ୍ଷିପ୍ତ ହେବା ପୂର୍ବରୁ ବେଲୁନ୍ ଦ୍ୱାରା ୧୫ମାଇଲ ଉପରକୁ ଉଠିଯାଏ । ଏହାଫଳରେ ଇନ୍ଧନଖର୍ଚ୍ଚ ବହୁପରିମାଣରେ କମିଯାଇଥିଲା ।

 

୧୯୫୩ ମସିହାରେ ଛାତ୍ର ଓ ସହଯୋଗୀ ବୈଜ୍ଞାନିକମାନଙ୍କ ସୁମେରୁପ୍ରଭା ଅଞ୍ଚଳରେ ନିଉଫାଉଣ୍ଡଲାଣ୍ଡ ନିକଟରେ “ରାକୁନ୍‍” ରକେଟ ନିକ୍ଷେପ କରିଥିଲେ । ଆକାଶରେ ଏହି ବିରାଟ ଉଦ୍ଭାଷିତ ଆଲୋକର ସନ୍ତୋଷଜନକ କାରଣ କେହି ଜାଣିପାରି ନଥିଲେ । ଏ ସମ୍ପର୍କରେ ଯନ୍ତ୍ରପାତି ସାହାଯ୍ୟରେ ଯେଉଁସବୁ ତଥ୍ୟ ମିଳିଲା ତାହା ଆଗରୁ ଆଦୌ ଅନୁମାନ କରାଯାଇନଥିଲା । ଉପରୋକ୍ତ ସ୍ଥାନର ୩୦ମାଇଲ ଉପରେ ମହାଜାଗତିକ ରଶ୍ମି ଆଶ୍ଚର୍ଯ୍ୟଜନକ ଭାବରେ ସାନ୍ଧ୍ର କିନ୍ତୁ ଏହି ଅଞ୍ଚଳରେ କେତେ ମାଇଲ ଉତ୍ତର ଓ ଦକ୍ଷିଣକୁ ଯେଉଁ ରାକୁନ୍‍ ନିକ୍ଷେପ କରାଯାଇଥିଲା ସେଥିରୁ ମହାଜାଗତିକ ରଶ୍ମିର ସାଧାରଣ ଅବସ୍ଥା ଜଣାପଡ଼ିଥିଲା । ଏହା କେମିତି ହେଲା ? ତାହେଲେ ହୁଏ ତ ସୁମେରୁପ୍ରଭା ଓ ମହାଜାଗତିକ ରଶ୍ମି ଭିତରେ କିଛି ସମ୍ପର୍କ ରହିଛି । କିନ୍ତୁ ଏହାର ଉତ୍ତର ଦେବାପାଇଁ ରାକୁନ୍ ଆଉ ଅଧିକ ଦୂରକୁ ଯାଇପାରିନଥିଲା । ତା’ ହେଲେ ମହାଶୂନ୍ୟ ଅଭିଯାନର ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ଅପେକ୍ଷା କରିବାକୁ ପଡ଼ିବ । ଏକ କୃତ୍ରିମ ଉପଗ୍ରହ ନିର୍ମାଣ କରିବାକୁ ହେବ ଯାହାକି ପୃଥିବୀ ଚାରିପଟେ ପ୍ରଦକ୍ଷିଣ କରିବ ।

 

୧୯୫୦ ମସିହାରେ ଦଳେ ବୈଜ୍ଞାନିକ ଭନ୍ ଏଲେନଙ୍କ ବାସଭବନରେ ଘରୋଇ ଭାବରେ ମିଳିତ ହୋଇ୧୯୫୭-୫୮ବର୍ଷଟି ଆନ୍ତର୍ଜାତୀୟ ଭୂତାତ୍ତ୍ଵିକ ବର୍ଷରୂପେ ପାଳନ କରିବାପାଇଁ ଏକ ପ୍ରସ୍ତାବ କରିଥିଲେ ଏବଂ ଏହି ସମୟ ଭିତରେ ପୃଥିବୀର ବିଭିନ୍ନ ସରକାର ଏବଂ ବୈଜ୍ଞାନିକମାନେ ପୃଥିବୀ ଓ ଏହାର ବାୟୁମଣ୍ଡଳ ବିଷୟରେ ଏକ ବିରାଟ ଗବେଷଣା କାର୍ଯ୍ୟକ୍ରମରେ ସହଯୋଗ କରିବେ । ପୃଥିବୀର ଅଧିକାଂଶ ଦେଶ ଏହି ପ୍ରସ୍ତାବକୁ ଉତ୍ସାହର ସହିତ ଗ୍ରହଣ କରିଛନ୍ତି । ଭନ୍ ଆଲେନ୍ ଓ ଅନ୍ୟମାନେ ପ୍ରସ୍ତାବ କରିଥିଲେ ଯେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣକରି ଆମେରିକା ଯୁକ୍ତରାଷ୍ଟ୍ର ମହାଶୂନ୍ୟ ଆବିଷ୍କାର ଉଦ୍ଦେଶ୍ୟରେ ଏକ କୃତ୍ରିମ ଉପଗ୍ରହ ପଠାଇବା ଉଚିତ । ୧୯୫୪ରେ ଆମେରିକା ଯୁକ୍ତରାଷ୍ଟ୍ର ଆନ୍ତର୍ଜାତୀୟ ଭୂତାତ୍ତ୍ଵିକ ବର୍ଷ ପାଳନରେ ଯୋଗଦେବାପାଇଁ ସ୍ଥିର କରିଥିଲା କିନ୍ତୁ ସେତେବେଳେକୁ ଯୁକ୍ତରାଷ୍ଟ୍ରର କୃତ୍ରିମ ଉପଗ୍ରହ ନିର୍ମିତ ହୋଇନଥିଲା । ଭନ୍ ଆଲେନ୍ ଓ ତାଙ୍କ ବନ୍ଧୁମାନେ ଏଥିପାଇଁ ଅଧିକ ଚାପଦେଲେ । ଶେଷରେ ୧୯୪୫ ମସିହାରେ ଏଥିପାଇଁ ମଞ୍ଜୁରୀ ମିଳିଲା ଏବଂ ଭନ୍ ଆଲେନଙ୍କୁ କୃତ୍ରିମ ଉପଗ୍ରହ ଭ୍ୟାନ୍‍ ଗାର୍ଡ଼ ପାଇଁ ଯନ୍ତ୍ରପାତି ନକ୍ସା କରିବା ଓ ନିର୍ମାଣ କରିବା ଦାୟିତ୍ଵ ଦିଆଗଲା । ଭନ୍ ଆଲେନଙ୍କ ବିଶ୍ଵବିଦ୍ୟାଳୟରେ ଏଥିପାଇଁ କାମ ଆରମ୍ଭ ହୋଇଥିଲା ।

 

୧୯୫୭ ଅକ୍ଟୋବର ୪ତାରିଖରେ ଭନ୍ ଆଲେନ୍ ଦକ୍ଷିଣ ଚୁମ୍ବକୀୟ ମେରୁ ନିକଟରେ ମହାଜାଗତିକ ରଶ୍ମିକୁ ମାପିବାପାଇଁ ଦକ୍ଷିଣମେରୁ ଦିଗରେ ଯାଉଥିବା ନୌବାହିନୀର ଇଉ.ଏସ.ଏସ. ‘ଗ୍ଲେସିୟର’ ଜାହାଜରେ ଯାଉଥିଲେ । ଏହି ସମୟରେ ଋଷ ପ୍ରଥମ ସ୍ଫୁଟନିକ ନିକ୍ଷେପ କରିଥିବା ସମ୍ବାଦ ରେଡ଼ିଓ ଯୋଗେ ମିଳିଲା । ଭନ୍ ଅଲେନ୍ ସଙ୍ଗେ ସଙ୍ଗେ ଯୁକ୍ତରାଷ୍ଟ୍ରକୁ ଫେରି ଆସିଲେ । ୧୯୫୮ ଜାନୁଆରୀ ମାସ ୩୧ ତାରିଖରେ ଆମେରିକା ଯୁକ୍ତରାଷ୍ଟ୍ରର ପ୍ରଥମ କୃତ୍ରିମ ଉପଗ୍ରହ “ଏକ୍ସପ୍ଲୋରର-୧” ଯେତେବେଳେ ମହାଶୂନ୍ୟରେ ନିଜକକ୍ଷରେ ଘୂରିଲା ସେଥିରେ ମହାଜାଗତିକ ରଶ୍ମି ସମ୍ବନ୍ଧରେ ଜ୍ଞାନ ହାସଲ କରିବା ପାଇଁ ତଥା ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରିବାପାଇଁ ଭନ୍ ଆଲେନଙ୍କଦ୍ଵାରା ନିର୍ମିତ ଯନ୍ତ୍ରପାତିମାନ ଖଞ୍ଜାଯାଇଥିଲା । ଏଇଥିରୁ ମହାଶୂନ୍ୟ ଯୁଗର ପ୍ରଥମ ପ୍ରଧାନ ବୈଜ୍ଞାନିକ ଆବିଷ୍କାରର ସୂଚନା ମିଳିଥିଲା ।

 

କୃତ୍ରିମ ଉପଗ୍ରହ ଏକ୍ସପ୍ଲୋରର-୧ କକ୍ଷରେ ଘୂରିଲାବେଳେ ଯେତେବେଳେ ପୃଥିବୀର ନିକଟବର୍ତ୍ତୀ ହୋଇଥିଲା ସେତେବେଳେ ଏଥିରେ ଥିବା ଯନ୍ତ୍ରପାତି ମହାଜାଗତିକ ରଶ୍ମି ପ୍ରତି ସେକେଣ୍ଡରେ ୩୦ଥର ଥିବା ସମ୍ବାଦ ଦେଇଥିଲା । ୬୦୦ ମାଇଲ ଉଚ୍ଚରେ ପ୍ରତି ସେକେଣ୍ଡରେ ଏହି ରଶ୍ମିର ସଂଖ୍ୟା ୧୪୦କୁ ବୃଦ୍ଧି ପାଇଥାଏ । ଏହା ଆଶା କରାଯାଇଥିଲା । ଆଶାତୀତ ସମ୍ବାଦ ମଧ୍ୟ ମିଳିଥିଲା । କୃତ୍ରିମ ଉପଗ୍ରହ ଯେତେବେଳେ ବହୁତ ଉପରକୁ ଉଠିଥିଲା ଏହି ରଶ୍ମିର ସଂଖ୍ୟା ଶୂନ୍ୟକୁ ଖସିଆସିଥିଲା । ମହାଜାଗତିକ ରଶ୍ମି କ’ଣ ତେବେ ପୃଥିବୀ ନିକଟବର୍ତ୍ତୀ ସ୍ଥାନରେ ସୀମାବଦ୍ଧ ? ବୈଜ୍ଞାନିକମାନଙ୍କୁ ଏବିଷୟରେ ଅଧିକ ପରୀକ୍ଷା ଚଳେଇବାକୁ ହେବ ।

 

କୃତ୍ରିମ ଉପଗ୍ରହ “ଏକ୍ସପ୍ଲୋରର୍‍-୨” ମହାକାଶ କକ୍ଷରେ ଘୂରି ପାରିଲା ନାହିଁ ମାତ୍ର “ଏକ୍ସପ୍ଳୋରର୍‍-୩” ସଫଳ ହେଲା । ଏଥିରେ ଖଞ୍ଜାଯାଇଥିବା ଯନ୍ତ୍ରପାତି ଯୋଗେ ପୂର୍ବଭଳି “ଅସମ୍ଭବ” ଫଳ ଜଣାପଡ଼ିଥିଲା । କୃତ୍ରିମ ଉପଗ୍ରହ ପୃଥିବୀ ପୃଷ୍ଠରୁ ଅଧିକ ଉପରକୁ ଉଠିଲାବେଳେ ଉକ୍ତ ରଶ୍ମି ସଂଖ୍ୟା ଶୂନ୍ୟକୁ ଖସି ଆସିଲା ।

 

ଭନ୍ ଆଲେନ୍ ନୁହନ୍ତି, ତାଙ୍କର ଜଣେ ପୂର୍ବତନ ଛାତ୍ର କାଲି ମାକାଇଲଓନ୍ ଏହି ପ୍ରହେଳିକାକୁ ଭେଦ କରିବାପାଇଁ ଏକ ସୂତ୍ରରେ ସନ୍ଧାନ ନେଇଥିଲେ । ସେ କହିଥିଲେ ଯେ ଯେତେବଳେ କୃତ୍ରିମ ଉପର ଥାନରେ ଖଞ୍ଜାଯାଇଥିବା ଯନ୍ତ୍ରପାତି ବେଶି ହୋଇଯାଉଛି ସେଗୁଡ଼ିକ ଚାପି ହୋଇଯାଉଛି । ତେବେ ମହାଜାଗତିକ ରଶ୍ମିର ସଂଖ୍ୟା ଶୂନ୍ୟ ହୋଇଯିବା ଅର୍ଥ କଣ ଏଇଆ ହୋଇପାରେ ଯେ, ଯନ୍ତ୍ରଗୁଡ଼ିକ ଏହିପରି ଭିଡ଼ିହୋଇ ରହିଥିବା ଅବସ୍ଥାରେ ଏତେ ଅଧିକ ପରିମାଣରେ ରଶ୍ମି ବିକିରଣ ହେଉଛି ଯେ, ଯନ୍ତ୍ରପାତିଗୁଡ଼ିକ ତାକୁ ରେକର୍ଡ଼ କରିପାରୁନାହାନ୍ତି । ଯଦି ତା ହୁଏ ତାହେଲେ ମହାଶୂନ୍ୟ ଭ୍ରମଣ ଅସମ୍ଭବ ହୋଇପଡ଼ିବ ।

 

ଭନ୍ ଏଲେନ୍ ଏପରି ଏକ ଯନ୍ତ୍ର ନିର୍ମାଣ କରିବାରେ ଲାଗିଲେ ଯାହା ଫଳରେ ଯନ୍ତ୍ରପାତିଗୁଡ଼ିକ ଚାପିହୋଇ ରହିବ ନାହିଁ । ଏହା ଏକ୍ସପ୍ଲୋରର-୪ରେ ଖଞ୍ଜାଯାଇଥିଲା । ଏହା ଠିକ୍‍ଭାବେରେ କାମ କରିଥିଲା । ଚନ୍ଦ୍ରଆଡ଼କୁ ଯାଇଥିବା “ଏକ୍ସପ୍ଲୋରର-୩” ପରି ଏହା କାମ କରିଥିଲା ।

 

ଏହି ଯନ୍ତ୍ରପାତିଗୁଡ଼ିକରୁ ଜଣାପଡ଼ିଥିଲା ଯେ ପୃଥିବୀର ବହୁ ଉଚ୍ଚରେ ଡଫ୍ନଟ୍ (ଏକପ୍ରକାର ପିଠା ବା କେକ୍) ଆକାର ବିଶିଷ୍ଟ ଅତ୍ୟଧିକ ପରିମାଣ ଉଚ୍ଚ ରଶ୍ମିଯୁକ୍ତ ଅଞ୍ଚଳ ରହିଛି । ଏଥିଭିତରୁ ଗୋଟିଏ ଅଞ୍ଚଳ ୧୪୦୦ଠାରୁ ୩୪୦୦ ମାଇଲ ଉଚ୍ଚରେ ଏବଂ ଅନ୍ୟଟି ୮୦୦୦ ଠାରୁ ୧୨,୦୦୦ ମାଇଲ ଉଚ୍ଚରେ । ଏହି ଅଞ୍ଚଳ ହଜାର ହଜାର ମାଇଲ ସାନ୍ଧ୍ର ବା ବହଳ ଏହା ଚୁମ୍ବକୀୟ ମେରୁ ନିକଟରେ ପୃଥିବୀ ଆଡ଼କୁ ବଙ୍କେଇ ହୋଇ ଆସିଛି ଏବଂ ସେଇଠି ଏହା ବାୟୁମଣ୍ଡଳ ସହିତ ସଂଘର୍ଷରେ ଆସି ସୁମେରୁପ୍ରଭା ସୃଷ୍ଟି କରିଥାଏ । ପ୍ରଥମେ ବିଶ୍ୱାସ କରାଯାଉଥିଲା ଯେ ଏହି ରଶ୍ମି ଫଳରେ ମନୁଷ୍ୟବାହୀ ମହାଶନ୍ୟଯାତ୍ରା ଅସମ୍ଭବ ହୋଇପଡ଼ିବ କିନ୍ତୁ ବର୍ତ୍ତମାନ ବୈଜ୍ଞାନିକମାନେ ଏକମତ ହେଲେଣି ଯେ, ମନୁଷ୍ୟ ଏହି ରଶ୍ମିର ମାରାତ୍ମକ ପ୍ରଭାବରୁ ରକ୍ଷା ପାଇପାରିବ ।

 

ଉପରୋକ୍ତ ଅଞ୍ଚଳ ମହାଶୂନ୍ୟରେ କିପରି ରହିଛି ଭନ୍ ଆଲେନଙ୍କ ବିଶ୍ୱାସ ଯେ, ସୂର୍ଯ୍ୟଙ୍କଠାରୁ ଆସୁଥିବାରୁ ତେଜସ୍କ୍ରିୟ କଣିକାଦ୍ଵାରା ଏହା ଗଠିତ । ପୃଥିବୀ ଏକ ବିରାଟ ଚୁମ୍ବକ ରୂପେ ଏହାକୁ ଆକର୍ଷଣ କରୁଛି ଏବଂ ବାୟୁମଣ୍ଡଳ ଉପରେ ଧରି ରଖିଛି । ଯେତେବଳେ ଏହି ଅଞ୍ଚଳ ଅଧିକ ଘନ ବା ସାନ୍ଧ୍ର ହୋଇଯାଏ ସେଥିରୁ କେତେକ କଣିକା ବାହାରିଯାଏ ଏବଂ ଏହା ଚୁମ୍ବକୀୟ ମେରୁ ନିକଟରେ ବହୁସଂଖ୍ୟାରେ ଆଘାତ କରିସେହି ରଶ୍ମି ସୁମେରୁପ୍ରଭା ଓ ଚୁମ୍ବକୀୟ ଘୂର୍ଣ୍ଣିବାତ୍ୟା ସୃଷ୍ଟି କରିଥାଏ । ଏହାର ଅଳ୍ପଦିନ ପରେ ସମଗ୍ର ପୃଥିବୀର ବୈଜ୍ଞାନିକ ଏହି ଅଞ୍ଚଳକୁ “ଭନ୍ ଆଲେନ୍ ରଶ୍ମି ଅଞ୍ଚଳ” ବୋଲି ନାମ ଦେଇଥିଲେ ।

 

ଡକ୍ଟର ଭନ୍ ଆଲେନ୍ ସ୍ଵଭାବତଃ ଜଣେ ଶୁଦ୍ଧ ବୈଜ୍ଞାନିକ-ଗାଜେଟ ବା ବ୍ୟାବହାରିକ ଅପେକ୍ଷା ତାତ୍ତ୍ଵିକ ଗବେଷଣା ପ୍ରତି ତାଙ୍କର ଆଗ୍ରହ ଅଧିକ । ସେ ଜଣେ ନିର୍ମାଣକାରୀ । ସେ ଯେଉଁ ଯନ୍ତ୍ରପାତି ଚାହାନ୍ତି ତାହା ନିର୍ମାଣ କରିବାଭଳି ଶକ୍ତି ତାଙ୍କର ଅଛି, ଏବଂ ଏଇଥିପାଇଁ ଆଧୁନିକ ଯୁଗରେ ଅନ୍ୟତମ ଶ୍ରେଷ୍ଠ ବୈଜ୍ଞାନିକ ଭାବରେ ସୁଖ୍ୟାତି ଅର୍ଜନ କରିଛନ୍ତି ।

Image

 

ବିରାଟ ବିଶ୍ଵ

ନକ୍ଷତ୍ରମାନଙ୍କ ଆବର୍ତ୍ତନ

-ଜନ୍‍ ଏଚ୍‍. ୱାଟ୍‍

 

ଆକାଶର ପ୍ରକାଣ୍ଡ ଅଞ୍ଚଳ ବ୍ୟାପୀ ଅଧେ ଦକ୍ଷିଣ ଗୋଲାର୍ଦ୍ଧରେ ଓ ଅଧେ ଉତ୍ତର ଗୋଲାର୍ଦ୍ଧରେ ବିରାଟ ଆକାରରେ ଏକ କ୍ଷୀଣ ଆଲୋକମଣ୍ଡଳ ବିସ୍ତୃତ ହୋଇଛି ଯାହାକୁ ପୃଥିବୀବାସୀ ମିଲ୍‍କି-ୱେ ବା ଛାୟାପଥ ବୋଲି କହିଥାନ୍ତି । ଶୀତ ଓ ଗ୍ରୀଷ୍ମ ଋତୁରେ ପୃଥିବୀ ଯେତେବେଳେ ସୂର୍ଯ୍ୟଙ୍କ ଚାରିପଟେ ଘୂରେ କେବଳ ସେହି ସମୟରେ ଏହା ଦେଖାଯାଏ । ଆକାଶରେ ଏହା ଯେ ଏକ ଭୟାବହ ଦୃଶ୍ୟ, ଏଥିରେ କୌଣସି ସନ୍ଦେହ ନାହିଁ । ଆକ୍ଷରିକ ଭାବରେ ଏହା “ନକ୍ଷତ୍ରମଣ୍ଡଳୀରେ ମେଘ”–ଏଥିରେ ୧୦୦ ମହାପଦ୍ମ ବା ନିୟୁତର ନିୟୁତ ସୂର୍ଯ୍ୟ ପୁଞ୍ଜିତ ହୋଇଛି । ସେଥିଭିତରୁ ଅଧିକାଂଶ ବହୁ ଦୂରରେ ରହିଛନ୍ତି, ଖାଲି ଆଖିରେ ଦେଖାଯାଆନ୍ତି ନାହିଁ । ଏମିତିକି ଅତି ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ରରେ ମଧ୍ୟ ଦେଖାଯାଆନ୍ତି ନାହିଁ । ଏମିତିକି ଅତି ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ରରେ ମଧ୍ୟ ଦେଖାଯାଆନ୍ତି ନାହିଁ । ଏକ ବିରାଟ ଚକ ଅଖ ଚାରିପଟେ ଘୂରିଲା ଭଳି ଏହା ଘୂରୁଛି । ସୂର୍ଯ୍ୟ ଓ ଅନ୍ୟାନ୍ୟ ଯେଉଁ ସମସ୍ତ ନକ୍ଷତ୍ର ଆମେ ଦେଖୁ ଏ ସମସ୍ତ ତା’ର ଗୋଟିଏ ଅଂଶ । ଏହା ଆମର ନିଜର ବିଶ୍ଵ-ବିଶ୍ଵରେ ଆମର ଘରର ଠିକଣା ।

 

ଏହା କେଉଁଠୁ ଆସିଲା ? ଏହାର ରୂପରେଖ କ’ଣ ? ଏହାର ନକ୍ଷତ୍ର ମଣ୍ଡଳୀ କିପରି ସୃଷ୍ଟି ହେଲେ ? ହଲାଣ୍ଡର ସ୍ଵିଡେନ ବିଶ୍ଵବିଦ୍ୟାଳୟର ଦୂରବୀକ୍ଷଣ ଅନୁଷ୍ଠାନର ଡାଇରେକ୍ଟର ଓ ପୃଥିବୀର ଅନ୍ୟତମ ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନବିଦ୍ ଡକ୍ଟର ଜନ୍‍ ଏଚ୍‍. ୱାଟ୍‍ଙ୍କ ମତରେ ଏହା ହେଉଛି ଛାୟାପଥ ଏବଂ ଏହାର ସମସ୍ତ ନକ୍ଷତ୍ର ଏକ ବିରାଟ ଜୀବନ୍ତ ଉଦ୍‍ଜାନ ବାଷ୍ପର ଚାରିପଟେ ଘୂରୁଛନ୍ତି-। ଏହା ଏପରି ବିରାଟ ଯେ ପ୍ରତି ସେକେଣ୍ଡରେ ୧୮୭,୦୦୦ ମାଇଲ ଆଲୋକ ଗତିରେ ଏହାକୁ ଅତିକ୍ରମ କରିବାକୁ ୩୦୦୦ ବର୍ଷ ଲାଗିଯିବ । ଏହି ବାଷ୍ପରୁ ଆମ ସୂର୍ଯ୍ୟ ଓ ଆମେ ଯେଉଁସବୁ ନକ୍ଷତ୍ର ଦେଖୁଛୁ ସେ ସବୁ ଆସିଛନ୍ତି-ଭାଟିର ଅଗ୍ନିକଣା ବାହାରିଲା ପରି ଏଥିରୁ ସବୁବେଳେ ନୂଆ ନୂଆ ନକ୍ଷତ୍ର ସୃଷ୍ଟି ହେଉଛନ୍ତି । ତାଙ୍କ ତଥ୍ୟକୁ ପ୍ରମାଣିତ କରିବାପାଇଁ ଡକ୍ଟର ୱାଟ୍‍ ଆମ ବିଶ୍ଵର ଠିକ୍ କେନ୍ଦ୍ରରେ ବିରାଟ ପରିମାଣ ଉଦ୍‍ଜାନ ବାଷ୍ପ ଥିବାର ଜାଣିପାରିଥିଲେ ।

 

ଜନ୍‍ ୱାଟ୍‍ ଛାୟାପଥ ବିଶେଷଜ୍ଞ ଭାବରେ ସୁପରିଚିତ । ୧୯୨୭ ମସିହାରେ ତାଙ୍କୁ ୩୦ ବର୍ଷ ବୟସ ହେବା ପୂର୍ବରୁ ନକ୍ଷତ୍ର ଜଗତ ଘୂରୁଛି ବୋଲି ସେ ପ୍ରଥମେ ପ୍ରମାଣ କରିଥିଲେ, ଏହାକୁ ମାପିଥିଲେ ଓ ଓଜନ କରିଥିଲେ ।

 

ଡକ୍ଟର ୱାଟ୍‍ ନେଦରଲାଣ୍ଡର ଫ୍ରେସଲାଣ୍ଡ ପ୍ରଦେଶ ଅନ୍ତର୍ଗତ ପ୍ରଠାଙ୍କେନରଠାରେ ୧୯୦୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ହାଇସ୍କୁଲରେ ପଦାର୍ଥ-ବିଜ୍ଞାନ ଓ ଗଣିତ-ଜ୍ୟୋତିଷ ବିଜ୍ଞାନ ଅଧ୍ୟୟନ କରିଥିଲେ । ୧୯୧୭ରେ ସେ ଗ୍ରୋନିଙ୍ଗେନ ବିଶ୍ଵବିଦ୍ୟାଳୟରେ ଯୋଗଦେଲେ । ତାଙ୍କ ଶିକ୍ଷକମାନଙ୍କ ଭିତରେ ଥିଲେ ପ୍ରତିଭାଶାଳୀ ଗଣିତ-ଜ୍ୟୋତିଷ–ବିଜ୍ଞାନବିଦ୍ ଡକ୍ଟର ଜ୍ୟାକବ୍ସ କଣ୍ଣେଲିୟସ୍ କାପଟେୟାନ୍ । ୧୯୦୬ରେ ଡକ୍ଟର କାପ୍‍ଟେୟାନ୍ ନକ୍ଷତ୍ର ଜଗତରେ ଥିବା ନକ୍ଷତ୍ରମାନଙ୍କୁ ଠାବ କରି ଏହାକୁ ମାପିବା ପାଇଁ ଏକ ବିରାଟ ଯୋଜନା ଆରମ୍ଭ କରିଥିଲେ । ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ନକ୍ଷତ୍ର ଜଗତ ବା ଛାୟାପଥର ଆକାର ବା ଗଠନ ସମ୍ବନ୍ଧରେ ବିଶେଷ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଜଣାନଥିଲା, ଗଣିତ-ଜ୍ୟୋତିଷ-ବିଜ୍ଞାନବିଦମାନଙ୍କ ଭିତରୁ ଅନେକଙ୍କର ବିଶ୍ୱାସ ଥିଲା ଯେ, ସୂର୍ଯ୍ୟ ଏହାର କେନ୍ଦ୍ରରେ ରହିଛି ।

 

ୱାଟ୍‍ ଯେତେବେଳେ କାପ୍‍ଟେୟାନଙ୍କ ଜଟିଳ ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ତାଙ୍କ ସଙ୍ଗେ ଯୋଗଦେଲେ ତାଙ୍କୁ ୨୦ ବର୍ଷ ବୟସ ମଧ୍ୟ ହୋଇନଥିଲା । ସମଗ୍ର ପୃଥିବୀର ଗଣିତ-ଜ୍ୟୋତିଷ-ବିଜ୍ଞାନବିଦ୍‍ମାନେ ତାଙ୍କୁ ଏ ସମ୍ବନ୍ଧୀୟ ବିବରଣୀ ଯୋଗାଇ ଦେଇଥିଲେ । ପ୍ରାୟ ୧୫ବର୍ଷ ପର୍ଯ୍ୟନ୍ତ କାମ କରିବା ପରେ ଡକ୍ଟର କାପ୍‍ଟେୟାନ୍ ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ ଛାୟାପଥ ଏକ ବିରାଟ ନକ୍ଷତ୍ରମଣ୍ଡଳ ଏବଂ ଏଥିରେ ପ୍ରାୟ ୪୦,୦୦୦ ନକ୍ଷତ୍ର ବିସ୍ତୃତ ହୋଇ ରହିଛି । ଗୋଟିଏ ଆଲୋକ ବର୍ଷ ହେଉଛି, ଆଲୋକ ପ୍ରତି ସେକେଣ୍ଡରେ ୧୮୬,୦୦୦ ମାଇଲ ହିସାବରେ ବର୍ଷକରେ ଯେତେ ଦୂର ପର୍ଯ୍ୟନ୍ତ ଗତିକରେ ତା’ର ପରିମାଣ ସଙ୍ଗେ ସମାନ । ମୋଟାମୋଟି ଏହା ପ୍ରାୟ ୫୮୬୭ ମହାପଦ୍ମ ବା ନିୟୁତର ନିୟୁତ ମାଇଲ ସଙ୍ଗେ ସମାନ । ଏହି ସଂଖ୍ୟାକୁ ୪୦,୦୦୦ରେ ଗୁଣିଲେ ଯାହାହେବ ତଦ୍ଦ୍ୱାରା କାପ୍‍ଟେୟାନ୍ ସୂଚନା ଦେଇଥିବା ଆମ ନକ୍ଷତ୍ର ଜଗତର ଆକାର ସମ୍ବନ୍ଧରେ କେତେକ ଧାରଣା କରିହେବ । କିନ୍ତୁ ଆମେ ଜାଣୁ ଯେ ଏହି ବିରାଟ ସଂଖ୍ୟା ଅତି ଅଳ୍ପ ।

 

ଡକ୍ଟର କାପ୍‍ଟେୟାନ୍ ୧୯୨୨ ମସିହାରେ ପ୍ରାଣତ୍ୟାଗ କରିଥିଲେ, କିନ୍ତୁ ଜନ୍‍ ୱାଟ୍‍ ତାଙ୍କ ପରେ ଗବେଷଣା ଚଳେଇଥିଲେ । ସେହି ବର୍ଷ ବି.ଏସ୍. ଡିଗ୍ରୀ ଲାଭକଲେ ଏବଂ ଆମେରିକା ଯୁକ୍ତରାଷ୍ଟ୍ର ୟାଲେ ବିଶ୍ୱବିଦ୍ୟାଳୟରେ ଦୁଇ ବର୍ଷ ଅଧ୍ୟୟନ କରିଥିଲେ । ତା’ପରେ ୧୯୨୪ ମସିହାରେ ତାଙ୍କ ନିଜ ଦେଶକୁ ଫେରିଯାଇ ଲେଡ଼େନ୍ ପର୍ଯ୍ୟବେକ୍ଷଣାଗାରର କ୍ୟୁରେଟର ନିଯୁକ୍ତ ହେଲେ । ସେ ୧୯୨୬ରେ ଡକ୍ଟରେଟ ଡିଗ୍ରୀ ଲାଭ କଲେ ଏବଂ ପରବର୍ଷ ୧୯୨୭ରେ ତାଙ୍କର ବିରାଟ ଅବଦାନ ଦେଇଥିଲେ । ସେତେବେଳକୁ ତାଙ୍କର ବୟସ ମୋଟେ ୨୭ ବର୍ଷ ।

 

ତାଙ୍କ ସମସାମୟିକ ଅନ୍ୟ ସମସ୍ତ ଗଣିତ-ଜ୍ୟୋତିଷ-ବିଜ୍ଞାନବିଦମାନଙ୍କପରି କାପ୍ଟେୟାନଙ୍କର ବିଶ୍ୱାସ ଥିଲା ଯେ ସୂର୍ଯ୍ୟ ନକ୍ଷତ୍ର ଜଗତର କେନ୍ଦ୍ରରେ ଅବସ୍ଥିତ । କିନ୍ତୁ ନକ୍ଷତ୍ରମାନଙ୍କୁ ଗଣନା କରି ହିସାବ କଲାବେଳେ ସେ ସେମାନଙ୍କର ଗତିବିଧି ସମ୍ବନ୍ଧରେ କେତେକ ଆଶ୍ଚର୍ଯ୍ୟଜନକ ବିଷୟ ଲକ୍ଷ୍ୟ କରିଥିଲେ । କେତେକ ଯନ୍ତ୍ରପାତି ସାହାଯ୍ୟରେ ସେ ଜାଣିପାରିଥିଲେ ଯେ, ନକ୍ଷତ୍ରମାନେ ମହାଶୂନ୍ୟରେ ବିଚରଣ କରୁଛନ୍ତି-ସମସ୍ତେ ଏକାଠି ହୋଇ ନୁହେଁ ମାତ୍ର ଆକାଶର ଦୁଇଟି ବହୁ ବିସ୍ତୃତ ଦିଗକୁ ସେମାନେ ଦୁଇଟି ପ୍ରବାହରେ ଗତି କରୁଛନ୍ତି । ଏହା କାହିଁକି ହେଉଛି ଡକ୍ଟର କାପ୍ଟେୟାନ୍ ଜାଣିପାରି ନଥିଲେ ।

 

ଅନ୍ୟାନ୍ୟ ଗଣିତ-ଜ୍ୟୋତିଷ-ବିଜ୍ଞାନବିଦମାନଙ୍କ ଗବେଷଣାରୁ କେତେକ ପରିମାଣରେ ଏହାର ଉତ୍ତର ମିଳିଥିଲା । ୧୯୧୮ ମସିହାରେ ଆମେରିକା ଯୁକ୍ତରାଷ୍ଟ୍ରର ହାଭାର୍ଡ଼ ବିଶ୍ଵବିଦ୍ୟାଳୟର ଜଣେ ଆମେରିକାନ୍ ଯୁବକ ହାର୍ଲୋ ସାପ୍ଲେ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ, ସୂର୍ଯ୍ୟ ଆଦୌ ନକ୍ଷତ୍ର ଜଗତର କେନ୍ଦ୍ର ନିକଟରେ ନାହାନ୍ତି ମାତ୍ର ଏହାଠାରୁ ଆହୁରି ୫୦,୦୦୦ ଆଲୋକ ବର୍ଷ ଦୂରରେ ଅଛନ୍ତି । ତା’ପରେ ୧୯୨୫ ମସିହାରେ ସୁଇଡ଼େନର ଗଣିତ-ଜ୍ୟୋତିଷ-ବିଜ୍ଞାନବିଦ୍ ବେର୍ଟିଲ ଲଣ୍ଡବ୍ଲାଡ଼ ସିଦ୍ଧାନ୍ତ କରିଥିଲେ ଯେ ସମଗ୍ର ନକ୍ଷତ୍ରଜଗତ ସୂର୍ଯ୍ୟଠାରୁ ବହୁଦୂରରେ ଗୋଟିଏ କେନ୍ଦ୍ରବିନ୍ଦୁର ଚାରିପଟେ ଘୂରୁଛି । ତାହାହେଲେ ‘ରିମ୍’ରେ ଥିବା ନକ୍ଷତ୍ରମାନେ ଅନ୍ୟ ନିକଟବର୍ତ୍ତୀ ନକ୍ଷତ୍ରମାନଙ୍କ ଅପେକ୍ଷା ଅଧିକ ଦ୍ରୁତ ବେଗରେ ଗତି କରୁଥିବେ । କିନ୍ତୁ ସେ ଜାଣିପାରିଥିଲେ ଯେ ଆମ ସୌରଜଗତ-ଆମ ସୂର୍ଯ୍ୟ ଓ ଏହାର ଗ୍ରହମାନଙ୍କର ଗତି ଥିଲା ଭିନ୍ନ ପ୍ରକାର । ସୂର୍ଯ୍ୟଙ୍କ ନିକଟତମ ଗ୍ରହମାନେ ସର୍ବାପେକ୍ଷା ଅଧିକ ଦ୍ରୁତବେଗରେ ଗତି କରିଥାନ୍ତି ଏବଂ ସୂର୍ଯ୍ୟଙ୍କଠାରୁ ଦୂରତମ ଗ୍ରହଗୁଡ଼ିକର ଗତିବେଗ ସର୍ବାପେକ୍ଷା କମ । ଯଦି ନକ୍ଷତ୍ରଜଗତ ସୌର ଜଗତପରି ଗତି କରୁଥାଏ ତାହେଲେ ଏହାର ଠିକ୍ ନିକଟରେ ଥିବା ଅଳ୍ପ ଗତିବେଗ ବିଶିଷ୍ଟ ନକ୍ଷତ୍ରମାନଙ୍କୁ ଟପି ଯାଆନ୍ତା ଏବଂ ଫଳରେ ସମସ୍ତେ ଗୋଟିଏ ଦିଗରେ ଗତି କରୁଥିବା ଭଳି ଜଣାପଡ଼ନ୍ତେ ଏବଂ କେନ୍ଦ୍ର ନିକଟରେ ଥିବା ନକ୍ଷତ୍ରମାନେ ବିପରୀତ ଦିଗରେ ଗତି କଲାଭଳି ଜଣାପଡ଼ୁଥାନ୍ତେ । ଏହାଦ୍ଵାରା ନକ୍ଷତ୍ରମାନେ ଖସି ଯାଉଥିବାର କାରଣ ମଧ୍ୟ ଜଣାପଡ଼ିଯାନ୍ତା–ଯାହାର କାରଣ ବୁଝିବା କାପ୍ଟେୟାନଙ୍କ ପକ୍ଷରେ କଷ୍ଟକର ହୋଇଥିଲା ।

 

ବହୁ ଜଟିଳ ଗଣନା ଓ ଗବେଷଣା ପରେ ୱାଟ୍‍ ପ୍ରମାଣ କରିବା ପାଇଁ ସକ୍ଷମ ହୋଇଥିଲେ ଯେ ପ୍ରକୃତରେ ତାହାହିଁ ଘଟୁଥିଲା । ଏହା ଜାଣିବା ପରେ ସେ କେପଲର (୧୬୧୮) ଓ ଆଇଜାକ ନିଉଟନ୍ (୧୬୮୭)ଙ୍କ ଦ୍ଵାରା ଆବିଷ୍କୃତ ଗ୍ରହମାନଙ୍କ ଗତି ସମ୍ବନ୍ଧୀୟ ନିୟମର ପ୍ରୟୋଗ କରିଥିଲେ । ସୂର୍ଯ୍ୟଙ୍କଠାରୁ ବିଭିନ୍ନ ଦୂରତ୍ଵରେ ଥିବା ନକ୍ଷତ୍ରମାନଙ୍କ ଗତି ବେଗକୁ ମାପି ନକ୍ଷତ୍ର ଜଗତରେ କେନ୍ଦ୍ରରୁ ସେମାନଙ୍କ ଦୂରତ୍ଵ ପରିମାଣ ହିସାବ କରିଥିଲେ ଏବଂ ତା’ପରେ ନିଉଟନ୍‍ଙ୍କ ମାଧ୍ୟାକର୍ଷଣ ନିୟମ ପ୍ରୟୋଗ କରିସେ ସମଗ୍ର ନକ୍ଷତ୍ରମଣ୍ଡଳର ଆୟତନ ହିସାବ କରିବା ପାଇଁ ସକ୍ଷମ ହୋଇଥିଲେ ।

 

ୱାଟ୍‍ ହିସାବ କରିଥିଲେ ଯେ ଛାୟାପଥର ପରିଧି ପ୍ରାୟ ୧୦୦,୦୦୦ ଆଲୋକ ବର୍ଷ-। ଏହାର ପରିମାଣ ଏଡ଼େ ବିରାଟ ଯେ ଆମେ ଯଦି ମହାପଦ୍ମକୁ (ଗୋଟିଏ ଆଲୋକ ବର୍ଷକୁ ଏକ ମାଇଲ ସଙ୍ଗେ ସମାନ କରି) କମେଇଦେଉ ତା’ହେଲେ ପୃଥିବୀର ଆକାର ଗୋଟିଏ ପରମାଣୁର ଆକାର ସଙ୍ଗେ ସମାନ ହୋଇଯିବ-ଏହା ଅଣୁବୀକ୍ଷଣ ଯନ୍ତ୍ରରେ ଦେଖାଯିବ ନାହିଁ । ସୂର୍ଯ୍ୟ ଏପରି ଗୋଟିଏ କ୍ଷୁଦ୍ର କଣିକା ହୋଇଯିବ ଯେ ୧୦୦ ଟି ସୂର୍ଯ୍ୟରୁ ଅଧିକ ହେଲେ ଯାଇ ଏହାର ପରିମାଣ ମାତ୍ର ଏକଇଞ୍ଚି ହେବ; ତଥାପି ଏହା ନକ୍ଷତ୍ର ଜଗତର କେନ୍ଦ୍ରରୁ ୨,୭୦୦ ମାଇଲ ଏବଂ ରିଙ୍ଗ୍‍ଠାରୁ ବିପରୀତ ଦିଗରେ ୨୩୦୦ ମାଇଲ ଦୂରରେ ରହିବ । ନିକଟତମ ନକ୍ଷତ୍ର ୪ ମାଇଲ ଦୂରରେ ରହିବ ଏବଂ ନକ୍ଷତ୍ର ଜଗତରେ ନକ୍ଷତ୍ରମାନଙ୍କର ମୋଟ ସଂଖ୍ୟା ହେବ– ୧୦୦,୦୦୦,୦୦୦,୦୦୦ ।

 

ୱାଟ୍‍ ହିସାବ କରିଦର୍ଶାଇଥିଲେ ଯେ ସୂର୍ଯ୍ୟ ନକ୍ଷତ୍ର ଜଗତର କେନ୍ଦ୍ର ଚାରିପଟେ ପ୍ରତି ସେକେଣ୍ଡରେ ୧୪୦ ମାଇଲ ବା ପ୍ରତି ଘଣ୍ଟାରେ ୫୦୦,୦୦୦ ମାଇଲ ବେଗରେ ଘୂରୁଛି ଏବଂ ପ୍ରତି ୨୨୫, ୦୦୦,୦୦୦ ପୃଥିବୀ ବର୍ଷରେ ଥରେ ପୂରା ଘୂରି ଯାଉଛି ବା ନକ୍ଷତ୍ର ଜଗତ ବର୍ଷ ହେଉଛି । ସେ ଦେଖିଥିଲେ ଯେ ନକ୍ଷତ୍ର ଜଗତର ବିସ୍ତୃତି ବା ଆୟତନ ସୂର୍ଯ୍ୟଠାରୁ ପ୍ରାୟ ୨୦୦ ମହାପଦ୍ମ ଗୁଣ ହେବ । ଏହି ସଂଖ୍ୟାକୁ ବୁଝିବାକୁ ହେଲେ ଆମକୁ ମନେ ରଖିବାକୁ ହେବ ଯେ ଟନ୍‍ ହିସାବରେ ସୂର୍ଯ୍ୟଙ୍କ ପରିମାଣ ପ୍ରକାଶ କଲେ ଏହା ୨୦ରେ ୩୭ଟି ଶୂନ ଦେଲେ ଯାହା ହେବ ସେତିକି ବା ପୃଥିବୀ ଓଜନର ୩୩୨୦୦୦ ଗୁଣ ।

 

କିନ୍ତୁ ୱାଟ୍‍ ଦେଖିଥିଲେ ଯେ କେବଳ ନକ୍ଷତ୍ରମାନଙ୍କର ବିସ୍ତୃତିରୁ ଏମାନେ କେଉଁ ଦିଗରେ ଗତି କରୁଛନ୍ତି ତାହା ଜାଣି ହେବନାହିଁ । ମାତ୍ର ଏ ସମ୍ପର୍କରେ ଏହି ସିଦ୍ଧାନ୍ତରେ ଉପନୀତ ହେବା ଛଡ଼ା ଅନ୍ୟ ଉପାୟ ନ ଥିଲା ଯେ ବିଭିନ୍ନ ନକ୍ଷତ୍ରର ମଧ୍ୟଭାଗରେ ଯେଉଁ ସ୍ଥାନ ରହିଛି ସେଥିରେ ଅନେକ ପରିମାଣରେ ଅନ୍ୟ ପଦାର୍ଥ ରହିଛି–ଏଥିରେ ରହିଛି ଧୂଳିକଣା-ଯାହାକି ଛାୟାପଥ ବିସ୍ତୃତି ବା ଆୟତନର ଅଧେ ହେବ । ଏବେ ଗଣିତ-ଜ୍ୟୋତିଷ-ବିଜ୍ଞାନବିଦ୍‍ମାନେ ବିଶ୍ୱାସ କରୁଛନ୍ତି ଯେ ଛାୟା ପଥରେ ପ୍ରତି ଘନ ଇଞ୍ଚିରେ ୧୬ଟି ପର୍ଯ୍ୟନ୍ତ “ଅଣୁ” ରହିଛି । କିନ୍ତୁ ନକ୍ଷତ୍ର ଜଗତ ଏଡ଼େ ବିରାଟ ଯେ ଏହାର ବାଷ୍ପ ଓ ଧୂଳିକଣାର ବିସ୍ତୁତି ବା ଆୟତନ ସମଗ୍ର ନକ୍ଷତ୍ରମାନଙ୍କ ଆୟତନ ସଙ୍ଗେ ସମାନ ହୋଇଥିବାରୁ ନକ୍ଷତ୍ର ଜଗତରେ ନିୟୁତ ନିୟୁତ ନକ୍ଷତ୍ର ଥିବା ନିଶ୍ଚିତ । ପୃଥିବୀରେ ବାସ କରୁଥିବା ପ୍ରତି ପୁଋଷ, ସ୍ତ୍ରୀ ଓ ଶିଶୁର ୩୦ଗୁଣ ନକ୍ଷତ୍ର ଅଛନ୍ତି ।

 

ଗଣିତ-ଜ୍ୟୋତିଷ-ବିଜ୍ଞାନବିଦ୍‍ମାନେ ମହାଶୂନ୍ୟରେ ଅନ୍ୟାନ୍ୟ ନକ୍ଷତ୍ରମଣ୍ଡଳୀର ସନ୍ଧାନ ପାଇଛନ୍ତି । ୧୯୨୪ରେ ଆମେରିକାର ଏଡୱିନ ପି.ହବଲ ପ୍ରମାଣ କରିଥିଲେ ଯେ ଆଣ୍ଡ୍ରୋମେଡ଼ାର ନକ୍ଷତ୍ରମଣ୍ଡଳୀର କ୍ଷୀଣ, ଝାପ୍ସା “ନେବୁଲା” ବା ନୀହାରିକା ପ୍ରକୃତରେ ଅନ୍ୟ ଏକ ନକ୍ଷତ୍ରଜଗତ ବା ରାୟାପଥ-ଠିକ୍ ଆମ ନକ୍ଷତ୍ରଜଗତ ପରି । ଏହା ଅନ୍ତତଃ ଦେଢ଼ ନିୟୁତ ଆଲୋକ ବର୍ଷର ଦୂରରେ ରହିଛି । ଛାୟାପଥର ପରିଧିର ଏହା ୧୫୦ ଗୁଣ ଦୂର ହେବ । ଏହି ନକ୍ଷତ୍ରଜଗତ ସର୍ପିଳ ବା ବକ୍ର ଆକାର ବିଶିଷ୍ଟ ଏବଂ ଏହାର ବାହୁ ବହୁଦୂରକୁ ବିସ୍ତୃତ ହୋଇଛି । ବର୍ତ୍ତମାନ ଜଣାଗଲାଣି ସେ ବିଶ୍ଵରେ ନିୟୁତ ଏବଂ ସମ୍ଭବତଃ ମହାପଦ୍ମ ନକ୍ଷତ୍ର ମଣ୍ଡଳୀ ରହିଛି । ଏଥିଭିତରୁ କେତେକ ବକ୍ର ଆକୃତି ବିଶିଷ୍ଟ । କେତେକ ବୃତ୍ତାକାର ଏବଂ ଅନ୍ୟଗୁଡ଼ିକ କୌଣସି ନିର୍ଦ୍ଦିଷ୍ଟ ଆକୃତି ବିଶିଷ୍ଟ ନୁହେ, ଆମ ନିଜ ନକ୍ଷତ୍ର ଜଗତର ଆକାର କିପରି ? ୱାଟ୍‍ ଓ ଅନ୍ୟାନ୍ୟ ଗଣିତ-ଜ୍ୟୋତିଷ-ବିଜ୍ଞାନବିଦ୍‍ମାନେ ଏହା ଜାଣିବା ପାଇଁ ଉଦ୍ୟମ କରିଥିଲେ ।

 

୧୯୩୫ରେ ଜାନ ୱାଟ୍‍ ଲେଡ଼େନ ବିଶ୍ଵବିଦ୍ୟାଳୟର ଗଣିତ-ଜ୍ୟୋତିଷ-ବିଜ୍ଞାନର ପୂରା ଅଧ୍ୟାପକ ନିଯୁକ୍ତ ହୋଇଥିଲେ ୧୯୪୫ ଭିତରେ ସେ ପର୍ଯ୍ୟବେକ୍ଷଣାଗାର ଡାଇରେକ୍ଟର ନିଯୁକ୍ତ ହେଲେ । ଛାୟାପଥ ଘୂରୁଥିବା ପ୍ରମାଣ କରିବାରୁ ଲଣ୍ଡନର ରୟାଲ୍‍ ଗଣିତ-ଜ୍ୟୋତିଷ-ବିଜ୍ଞାନ ପରିଷଦ ତାଙ୍କର ସର୍ବୋଚ୍ଚ ପୁରସ୍କାର ସ୍ୱର୍ଣ୍ଣପଦକ ତାଙ୍କୁ ପ୍ରଦାନ କରିଥିଲେ ।

 

୧୯୫୦ ମସିହାରେ ସେ ଯେତେବେଳେ ଆମ ସୌରଜଗତର କେତେକ ଜ୍ୟୋତିଷ୍କ ଉପଗ୍ରହ ବିଷୟରେ ଏକ ନୂତନ ତଥ୍ୟ ପ୍ରକାଶ କଲେ ସେତେବେଳେ ସେ ସମଗ୍ର ପୃଥିବୀର ଦୃଷ୍ଟି ଆକର୍ଷଣ କରିଥିଲେ । ୱାଟ୍‍ଙ୍କ ବିଶ୍ୱାସ ଯେ, ଏହିସବୁ ଜ୍ୟୋତିଷ୍କ ଯେ କି ସାମୟିକ ଭାବରେ ଆବିର୍ଭାବ ହୁଅନ୍ତି, ସେମାନେ ଗୋଟିଏ ଗୋଟିଏ ଗ୍ରହର ଅବଶେଷ-ସେମାନେ ଦିନେ ସୂର୍ଯ୍ୟଙ୍କ ଚାରିପଟେ ଘୁରୁଥିଲେ ମାତ୍ର ବହୁକାଳ ପୂର୍ବେ ଭାଙ୍ଗିଯାଇଛନ୍ତି ।

 

୧୯୩୮ଠାରୁ ୧୯୪୮ ମସିହା ପର୍ଯ୍ୟନ୍ତ ଗଣିତ-ଜ୍ୟୋତିଷ-ବିଜ୍ଞାନବିଦ୍‍ମାନେ ଜାଣିଥିଲେ ଯେ, ଯେଉଁଠି ଉତ୍ତାପ ରହିଛି ସେଠାରେ ଉଜ୍ଜ୍ୱଳ ନକ୍ଷତ୍ରମାନେ ଅଛନ୍ତି । ସେଠାରେ ଉଦ୍‍ଜାନ ବାଷ୍ପ ଓ ଧୂଳିପଟଳ ଜମାହୋଇ ରହିଛି । ୧୯୪୦ ଶତକରେ ଅଟୋ ଷ୍ଟ୍ରୁଭେ ଓ ଅନ୍ୟମାନେ ଦର୍ଶାଇଥିଲେ ଯେ ମେଘମାଳା ଯୋଗୁ ନକ୍ଷତ୍ରମାନଙ୍କର ବିକାଶ ଘଟୁଛି । ଅଟୋଙ୍କ ପର୍ଯ୍ୟବେକ୍ଷଣାଗାର ଏହାର ପ୍ରତ୍ୟକ୍ଷ ପ୍ରମାଣ ଯୋଗାଇ ଦେଇଥିଲେ ।

 

୧୯୫୧ ମସିହାରେ ଲେଡ଼େନଠାରେ ଅବସ୍ଥିତ ବିରାଟ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ପର୍ସିୟସ ବୋଲି କୁହାଯାଉଥିବା ଆକାଶର ଅଂଶ ପର୍ଯ୍ୟବେକ୍ଷଣ କରାଯାଇଥିଲା । ବିଶିଷ୍ଟ ଗଣିତ-ଜ୍ୟୋତିଷ-ବିଜ୍ଞାନବିଦ୍ ଡକ୍ଟର ଏ. ବ୍ଲାଉ ବାଷ୍ପପଟଳ ଭିତରେ ଅସ୍ୱାଭାବିକ ଭାବରେ ଉତ୍ତପ୍ତ, ନୀଳଧବଳ ବର୍ଣ୍ଣ ଜ୍ୟୋତିଷ୍କମାନଙ୍କ ସମାବେଶ ଅତି କ୍ଷିପ୍ର ଗତିରେ ପ୍ରତି ସେକେଣ୍ଡରେ ପ୍ରାୟ ୩ ମାଇଲ ହିସାବରେ ପ୍ରତ୍ୟେକ ପରସ୍ପରଠାରୁ ବିଚ୍ଛିନ୍ନ ହୋଇଯାଇଥିବା ସମ୍ବନ୍ଧରେ ଅଧ୍ୟୟନ କରୁଥିଲେ । ତାଙ୍କ ଗଣନା ଅନୁସାରେ ସେହି ଜ୍ୟୋତିଷ୍କମାନେ ପ୍ରାୟ ୧,୩୦୦,୦୦୦ ବର୍ଷ ପୂର୍ବେ ନିଶ୍ଚୟ ଏକାଠି ରହିଥିବେ-ଯାହାକି ଗଣିତ-ଜ୍ୟୋତିଷବିଦମାନଙ୍କ ହିସାବରେ ଗତକାଲି ପରି । ସେହିଭଳି ନକ୍ଷତ୍ରମଣ୍ଡଳୀ ଆକାଶରେ ଅନ୍ୟାନ୍ୟ ଅଞ୍ଚଳରେ ଦେଖାଯାଇଥିଲା । ୱାଟ୍‍ ଘୋଷଣା କରିଥିଲେ ଯେ ଏହାଦ୍ୱାରା ତାଙ୍କ ତଥ୍ୟର ସ୍ପଷ୍ଟ ପ୍ରମାଣ ମିଳିଲା-”ନକ୍ଷତ୍ରମାନଙ୍କ ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ମେଘ ପଟଳରୁ ନକ୍ଷତ୍ରମାନେ ଜନ୍ମଲାଭ କରିଥିବାର ପ୍ରତ୍ୟକ୍ଷ ପ୍ରମାଣ ।”

 

ଏହା ଭିତରେ ଡକ୍ଟର ୱାଟ୍‍ ବେତାର ଗଣିତ-ଜ୍ୟୋତିଷ-ବିଜ୍ଞାନ ସାହାଯ୍ୟରେ ଛାୟାପଥରେ ଥିବା ଉଦ୍‍ଜାନ ବାଷ୍ପ ବିଷୟରେ ଅଧ୍ୟୟନ କରୁଥିଲେ । ଦ୍ଵିତୀୟ ମହାଯୁଦ୍ଧ ସମୟରେ ଏହି ଅଧ୍ୟୟନ ପଦ୍ଧତି ବିକାଶ ଲାଭ କରିଥିଲା । ତାଙ୍କର ଜଣେ ଛାତ୍ର ହେନରିକ୍ ସିଭାନ୍ ଡ଼େ ହଷ୍ଟ ୧୯୪୬ ରେ ଭବିଷ୍ୟତବାଣୀ ଶୁଣାଇଥିଲେ ଯେ ମହାଶୂନ୍ୟରେ ଥିବା ହାଇଡ୍ରୋଜେନ୍‍ ବା ଉଦ୍‍ଜାନ ୨୧ ସେଣ୍ଟିମିଟର ଦୀର୍ଘ ତରଙ୍ଗ ନିର୍ଗତ କରିବ ଏବଂ ଏହି ତରଙ୍ଗ ନିର୍ଭୁଲ ଭାବରେ ନିର୍ମାଣ କରାଯାଇଥିବା ରିସିଭର ସାହାଯ୍ୟରେ ଧରାପଡ଼ିବ । ୧୯୫୧ରେ ହାଭାର୍ଡ଼ ବିଶ୍ୱବିଦ୍ୟାଳୟର ଜଣେ ତରୁଣ ଗ୍ରାଜୁଏଟ୍ ଛାତ୍ର ହାରୋଲ୍ଡ଼୍ ଏୱେନ ଏବଂ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଏଡୱିନ ପ୍ରସେଲ ଏକ ସାଧାରଣ ଯନ୍ତ୍ର ଖଞ୍ଜି ତଦ୍ଦ୍ଵାରା ଏହି ଶବ୍ଦ ଶୁଣିଥିଲେ । ଏହାର କେତେମାସ ପରେ ୱାଟ୍‍ ଓ ଭନ୍ ଡ଼େ ହଷ୍ଟ ଏକାଠି କାମ କରି ରେଡ଼ିଓ ସାହାଯ୍ୟରେ ଉଦ୍‍ଜାନ ଠାବ କରିଥିଲେ । ସେହିପରି ଅଷ୍ଟ୍ରେଲିଆର ଦଳେ ବୈଜ୍ଞାନିକ ଏହା ଠାବ କରିଥିଲେ ।

 

ଏହାଦ୍ଵାରା କାପ୍ଟେୟାନଙ୍କ ସ୍ୱପ୍ନକୁ ସଫଳ କରିବା ସମ୍ଭବ ହୋଇଥିଲା । ଡକ୍ଟର ୱାଟ୍‍ ଓ ଡକ୍ଟର ହଷ୍ଟ ସମଗ୍ର ଛାୟାପଥରେ ଏହି ସଙ୍କେତକୁ ଠାବକରି ନକ୍ଷତ୍ର ଜଗତର ଏକ ମାନଚିତ୍ର ପ୍ରସ୍ତୁତ କରିବାପାଇଁ ସମର୍ଥ ହୋଇଥିଲେ । ଆଲୋମୋଡ଼ାରେ ଥିବା ନକ୍ଷତ୍ର ମଣ୍ଡଳୀ ପରି ଏହା ବକ୍ର ଆକାର ବିଶିଷ୍ଟ ଏବଂ ଏହାର ବାହୁଗୁଡ଼ିକ ୧୦,୦୦୦ ଆଲୋକ ବର୍ଷ ଦୀର୍ଘ ଏବଂ ୧୨୦୦ ଆଲୋକ ବର୍ଷ ପ୍ରସ୍ଥ ବିଶିଷ୍ଟ । ଏହା ଭିତରୁ ସୂର୍ଯ୍ୟ ଗୋଟିଏ ଏବଂ ଏପର୍ଯ୍ୟନ୍ତ ସେହିପରି ୧୨ଟି ସୂର୍ଯ୍ୟଙ୍କର ସନ୍ଧାନ ମିଳିଛି ।

 

୧୯୫୯ ରେ ଡକ୍ଟର ୱାଟ୍‍ ଅଷ୍ଟ୍ରେଲିଆର ବେତାର ଗଣିତ-ଜ୍ୟୋତିଷ-ବିଜ୍ଞାନବିଦ୍ ଡକ୍ଟର ଫ୍ରାଙ୍କ୍‍ଙ୍କର ଛାୟାପଥର ମଧ୍ୟସ୍ଥଳ ବିଷୟରେ ଗବେଷଣା କରିଥିଲେ । ସେମାନେ ଏହାର ମଧ୍ୟ ଭାଗରେ ଏକ ସାନ୍ଧ୍ର ଘୁର୍ଣ୍ଣାୟମାନ ଉଦ୍‍ଜାନ ଦେଖିଥିଲେ-ଏହାର ପରିଧି ୩୦୦୦ ଆଲୋକ ବର୍ଷ । ନେଦରଲାଣ୍ଡସର ଡକ୍ଟର ଗାର୍ଟ ଓଷ୍ଟେରଆଉଟ୍‍ଙ୍କ ସଙ୍ଗେ ୱାଟ୍‍ ଛାୟାପଥରେ ନକ୍ଷତ୍ର ମାନେ କିପରି ଗଠିତ ହୁଅନ୍ତି ସେ ସମ୍ବନ୍ଧରେ ଗବେଷଣା କରିଥିଲେ । ସେ ପ୍ରକାଶ କଲେ ଯେ, ବାଷ୍ପର କେନ୍ଦ୍ରଭାଗରୁ ପ୍ରଚୁର ପରିମାଣ ହାଇଡ୍ରୋଜେନ ବା ଉଦ୍‍ଜାନ ମେଘପଟଳ ଏହାର ବାହୁ ବାଟ ଦେଇ ଦ୍ରୁତବେଗରେ ବାହାରି ଆସୁଛନ୍ତି ଏବଂ ସେଠାରେ ସେଗୁଡ଼ିକ ଥଣ୍ଡାହୋଇ ଘନୀଭୂତ ହୋଇ ନକ୍ଷତ୍ର ହୋଇଯାଉଛନ୍ତି । ସଙ୍ଗେ ସଙ୍ଗେ ଏକ ବିରାଟ ଫର୍ଣ୍ଣେସ ବା ଭାଟି ପରି ନକ୍ଷତ୍ରମାନେ ନକ୍ଷତ୍ରମଣ୍ଡଳୀ ମଧ୍ୟ ଭାଗରେ ଥିବା ମହାଶୂନ୍ୟରୁ ହାଇଡ୍ରୋଜେନକୁ ଶୋଷି ନେଉଛନ୍ତି ଏବଂ ନିଜକୁ ପୂରଣ କରୁଛନ୍ତି । ଆମ ନକ୍ଷତ୍ର ଜଗତ ଏକ ବିରାଟ “ ନକ୍ଷତ୍ର ତିଆରି କାରଖାନା “ ଏବଂ ଏଥିରେ ସବୁବେଳେ ନୂଆ ନୂଆ ସୂର୍ଯ୍ୟ ଜନ୍ମ ହେଉଛନ୍ତି । ୱାଟ୍‍ଙ୍କ ବିଶ୍ୱାସ ଯେ କେତେକ ନକ୍ଷତ୍ରମଣ୍ଡଳୀର କାହିଁକି ବାହୁ ନାହିଁ ତାହା ଏଇଥିରୁ ଜଣାପଡ଼ୁଛି । ପ୍ରଥମେ ସେଗୁଡ଼ିକ ଉଦ୍‍ଜାନ ବାଷ୍ପର ସାନ୍ଧ୍ର ମେଘପଟଳ ରୂପେ ଘୂରୁଥିଲେ । ଏଥି ଭିତରୁ କେତେକ ଧୀରେ ଧୀରେ ଘୁରୁଥିଲେ । ତେଣୁ ଏହା ଦ୍ରୁତଗତିରେ ଘନୀଭୂତ ହୋଇପାରୁ ନଥିଲା ଓ ନିଜର ସମସ୍ତ ଉଦ୍‍ଜାନ ବାଷ୍ପ ଶେଷ କରିଦେଇଥିଲେ । ସେହିସବୁ ନକ୍ଷତ୍ର ମଣ୍ଡଳୀମାନ ସମ୍ପୂର୍ଣ୍ଣ ହୋଇଛି ଏବଂ ସେମାନଙ୍କର ବାହୁ ନାହିଁ-। କିନ୍ତୁ ଅନ୍ୟଗୁଡ଼ିକ ଆମ ନିଜ ନକ୍ଷତ୍ର ଜଗତପରି ଏତେ, ଦ୍ରୁତଗତିରେ ଘୁରୁଛନ୍ତି ଯେ ସେମାନଙ୍କର ଉଦଜାନ ବାଷ୍ପ ଧୀରେ ଧୀରେ ଘନୀଭୂତ ହୋଇଯାଉଛି ତଦ୍ଦ୍ଵାରା ବକ୍ରବାହୁ ଗଠିତ ହେଉଛି-। ବିଶ୍ଵରେ ଥିବା ଅଗଣିତ ନକ୍ଷତ୍ର ମଣ୍ଡଳୀ ଭିତରୁ ୪ ଟାରୁ ୩ଟା ବକ୍ର ଆକାର ବିଶିଷ୍ଟ ଏବଂ ଏଥିରୁ ସବୁବେଳେ ନୂତନ ନକ୍ଷତ୍ର ସୃଷ୍ଟି ହେଉଛି ।

 

ଡକ୍ଟର ୱାଟ୍‍ ଜଣେ ବନ୍ଧୁଭାବାପନ୍ନ ବ୍ୟକ୍ତି । ଆକାଶରେ ଆମେ ଯେତେ ଅଧିକ ଅଭିଯାନ ଚଳେଇବୁ ସେତିକି ନୂତନ ନୂତନ ଆବିଷ୍କାର କରିପାରିବୁ ବୋଲି ସେ ଭବିଷ୍ୟତ ବାଣୀ ଶୁଣାଇଛନ୍ତି । ତାଙ୍କର ବିଶ୍ୱାସ ଯେ ବେତାର ଗଣିତ-ଜ୍ୟୋତିଷ-ବିଜ୍ଞାନର ନୂତନ ପଦ୍ଧତି ବିଶ୍ଵସମ୍ବନ୍ଧରେ ଅନେକ ଆଧୁନିକ ତଥ୍ୟକୁ ଓଲଟ ପାଲଟ କରିଦେବ ଏବଂ ଅନେକ ବିସ୍ମୟକର ତଥ୍ୟର ସନ୍ଧାନ ଦେବ । ସେ କହିଛନ୍ତି, “ଅନେକ ସମୟରେ ଆଶାତୀତ ତଥ୍ୟର ସନ୍ଧାନହିଁ ସର୍ବାପେକ୍ଷା ଅଧିକ ମହତ୍ତ୍ଵପୂର୍ଣ୍ଣ ।”

Image

 

ଅଗଣିତ ଗ୍ରହରେ ଜୀବନ

-ଅଟୋ ଷ୍ଟ୍ରୁଭେ

 

ମନୁଷ୍ୟ ଯଦି କେବେ ଛାୟାପଥରେ ବିଭିନ୍ନ ନକ୍ଷତ୍ର ଭିତରେ ଥିବା ମହାଶୂନ୍ୟରେ ଭ୍ରମଣ କରେ ଆମ ପୃଥବୀପରି ବୁଦ୍ଧିମାନଜୀବ ବାସକରୁଥିବା ନିୟୁତ ନିୟୁତ ପୃଥିବୀର ସନ୍ଧାନ ପାଇବ । ପଶ୍ଚିମ ଭର୍ଜିନିଆ ଅନ୍ତର୍ଗତ ଗ୍ରୀନବ୍ୟାଙ୍କଠାରେ ଥିବା ବେତାର ଗଣିତ-ଜ୍ୟୋତିଷ ପର୍ଯ୍ୟବେକ୍ଷଣାଗାରର ଡାଇରେକ୍ଟର ପୃଥିବୀର ଅନ୍ୟତମ ବଶିଷ୍ଟ ଗଣିତ-ଜ୍ୟୋତିଷ ବିଜ୍ଞାନବିଦ୍ ଡକ୍ଟର ଅଟୋ ଷ୍ଟ୍ରୁଭେଙ୍କର ଏହାହିଁ ବିଶ୍ଵାସ ।

 

ନୀଳ ଆଖି, ଛ’ ଫୁଟ ଉଚ୍ଚତା ବିଶିଷ୍ଟ ଡକ୍ଟର ଷ୍ଟ୍ରୁଭେ କେବଳ ଜଣେ ବିଶ୍ଵବଖ୍ୟାତ ବୈଜ୍ଞାନିକ ଓ ପ୍ରତିଭାଶାଳୀ ଶିକ୍ଷକ ନୁହନ୍ତି; ସେ ଜଣେ ଲୋକପ୍ରିୟ ବକ୍ତା । ନାଟକୀୟ ଚିନ୍ତାଧାରା ଗୁଡ଼ିକୁ ସେ ସରଳ ଓ ବୋଧଗମ୍ୟ ଭାଷାରେ ପ୍ରକାଶ କରିଥାନ୍ତି, ସେ ନମ୍ର ଓ ଭଦ୍ର, ନିଜ କାମରେ ସର୍ବଦା ଅତ୍ୟନ୍ତ ଉତ୍ସାହୀ ଓ ଗଣିତ-ଜ୍ୟୋତିଷ ବିଜ୍ଞାନ ବିଷୟରେ ଯେ କୌଣସି ଲୋକ ସହ କଥାବାର୍ତ୍ତା କରିବାପାଇଁ ସେ ପ୍ରସ୍ତୁତ ।

 

ଡକ୍ଟର ଷ୍ଟ୍ରୁଭେଙ୍କ ତଥ୍ୟ ଅନୁସାରେ ଅନେକ ଗ୍ରହ ଥିବା ସୂର୍ଯ୍ୟ ଅଛନ୍ତି । ସେ କହନ୍ତି ଏହାପରେ ୧୦ ବିଲିୟନ ବା ମହାପଦ୍ମ ସୂର୍ଯ୍ୟ ଅଛନ୍ତି । ଅନ୍ତତଃ ପ୍ରତ୍ୟେକ ଅଂଶରେ ୫ଟି ଲେଖାଏଁ ଅଛନ୍ତି । ନିକଟବର୍ତ୍ତୀ ହୋଇ ରହି ଦୁଇଟିକିଆ ନକ୍ଷତ୍ର ପ୍ରତ୍ୟେକ ପ୍ରତ୍ୟେକର ଚାରିପଟେ ପ୍ରଚଣ୍ଡ ବେଗରେ ଘୁରୁଥିବା ସମ୍ବନ୍ଧରେ ଅଟୋ ଷ୍ଟ୍ରୁଭେ ଯେଉଁ ଅଧ୍ୟୟନ କରୁଥିଲେ ଅଂଶିକ ଭାବରେ ସେହି ଅଧ୍ୟୟନ ଫଳରେ ସେ ଉପରୋକ୍ତ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ । ସେ କହନ୍ତି ଯେ ଏହିଭଳି ନକ୍ଷତ୍ର ପିତାମାତା ହୋଇ ଯାଆନ୍ତି ଓ ଗ୍ରହମାନେ ସେମାନଙ୍କ ସନ୍ତାନ ।

 

ନକ୍ଷତ୍ର ସମ୍ବନ୍ଧରେ ଷ୍ଟ୍ରୁଭେଙ୍କ ଆଗ୍ରହ ବଂଶ ପରଂପରା କ୍ରମେ ଚାଲି ଆସିଥିଲା । ଷ୍ଟ୍ରୁଭେ ଋଷ ଅନ୍ତର୍ଗତ ଇଉକ୍ରେନର ଖାରଖୋଭଠାରେ ଜନ୍ମଗ୍ରହଣ କରିଥିଲେ । ତିନିପୁଋଷ ଧରି ଷ୍ଟ୍ରୁଭେ-ବଂଶ ଗଣିତ-ଜ୍ୟୋତିଷ-ବିଜ୍ଞାନବିଦ୍ ଭାବରେ ସୁଖ୍ୟାତି ଅର୍ଜନ କରିଆସିଥିଲେ । ଅଟୋ ଷ୍ଟ୍ରୁଭେଙ୍କର ପିତାମହ ଓ ପ୍ରପିତାମହ ଋଷର ପୋଲ୍‍କୋଭ ରାଜକୀୟ ପର୍ଯ୍ୟବେକ୍ଷଣାଗାରର ଡାଇରେକ୍ଟର ନିଯୁକ୍ତ ହୋଇଥିଲେ । ତାଙ୍କ ପିତା ଖାର୍‍କୋଭ ବିଶ୍ଵବିଦ୍ୟାଲୟଠାରେ ଥିବା ପର୍ଯ୍ୟବେକ୍ଷଣାଗାରର ଡାଇରେକ୍ଟର ଥିଲେ ।

ଅଟୋ ଗଣିତ-ଜ୍ୟୋତିଷ-ବିଜ୍ଞାନ ଅଧ୍ୟୟନ କରିଥିଲେ ଓ ଖାରଖୋଭ ବିଶ୍ଵବିଦ୍ୟାଳୟରୁ ଡିପ୍ଲୋମା ଲାଭ କରିଥିଲେ । ୧୯୧୭ ମସିହାରେ ଯେତେବେଳେ ବଲ୍‍ସେଭିକ୍‍ ବିପ୍ଲବ ସଂଘଠିତ ହେଲା ଅଟୋ ଜାର ସରକାରଙ୍କ ପ୍ରତି ଅନୁରକ୍ତ ରହିଥିଲେ ଏବଂ ଶ୍ୱେତ-ସୈନ୍ୟ ବାହିନୀରେ ଯୋଗଦେଇଥିଲେ ଓ ୧୯୧୯-୨୦ ମସିହାଠାରୁ କମ୍ୟୁନିଷ୍ଟଙ୍କ ବିରୁଦ୍ଧରେ ଗୃହଯୁଦ୍ଧରେ ଲଢ଼େଇ କରିଥିଲେ । ଯେତେବେଳେ କମ୍ୟୁନିଷ୍ଟ ବିରୋଧ ଆଉ ମୁଣ୍ଡଟେକି ନପାରିଲା ସେ ତୁର୍କିକୁ ଲୁଚି ପଳାଇଗଲେ ଏବଂ ସେଠାରେ ଇଟା ତିଆରି ଓ କାଠ ହାଣିବା ମିସ୍ତ୍ରୀଭାବରେ କାମ କରିଥିଲେ । ତା’ପରେ ୧୯୨୧ ମସିହାରେ ଗୋଟିଏ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପତ୍ର ପାଇଲେ । ଗଣିତ-ଜ୍ୟୋତିଷ-ବିଜ୍ଞାନ ବିଭାଗରେ ଜଣେ ଗ୍ରାଜୁଏଟ୍ ଆସିଷ୍ଟାଣ୍ଟ ରୂପେ କାମ କରିବା ପାଇଁ ଚିକାଗୋ ବିଶ୍ୱବିଦ୍ୟାଳୟର ୟର୍କସ୍ ପର୍ଯ୍ୟବେକ୍ଷଣାଗାରରୁ ସେ ଏକ ନିଯୁକ୍ତିପତ୍ର ପାଇଥିଲେ । କେତେମାସ ଭିତରେ ସେ ଆମେରିକା ଯୁକ୍ତରାଷ୍ଟ୍ରରେ ଯାଇ ପହଞ୍ଚିଲେ ।

 

୧୯୨୩ ମସିହା ଭିତରେ ସେ ଚିକାଗୋ ବିଶ୍ୱବିଦ୍ୟାଳୟରୁ ପିଏଚ୍.ଡ଼ି. ଡିଗ୍ରୀ ଲାଭ କଲେ ଓ ୧୯୨୪ରେ ସେଠାରେ ଗଣିତ–ଜ୍ୟୋତିଷବିଜ୍ଞାନର ଇନ୍ସଟ୍ରକ୍ଟର ନିଯୁକ୍ତ ହେଲେ । ୮ବର୍ଷ ପରେ ସେଠାରେ ସେ ପୂରା ଅଧ୍ୟାପକ ନିଯୁକ୍ତ ହେଲେ ଏବଂ ତାଙ୍କ ପରିବାରର ପରମ୍ପରା ଅନୁସରଣ କରି ପର୍ଯ୍ୟବେକ୍ଷଣାଗାରର ଡାଇରେକ୍ଟର ନିଯୁକ୍ତ ହୋଇଥିଲେ । ଏହିଠାରେ ତାଙ୍କ ନେତୃତ୍ୱରେ ପରବର୍ତ୍ତି ୨୫ବର୍ଷ ଧରି କେତେକ ଅତି ଗୁରୁପତପୂର୍ଣ୍ଣ ଆବିଷ୍କାର ସମ୍ଭବ ହୋଇଥିଲା ।

 

୧୯୩୮ ମସିହାରେ ଡକ୍ଟର ଷ୍ଟ୍ରୁଭେ ଯେତେବେଳେ ଘୋଷଣା କଲେ ଯେ, ସେ ଏବଂ ୟର୍କସଠାରେ ଥିବା ତାଙ୍କର ଦୁଇଜଣ ସହଯୋଗୀ ଡକ୍ଟର ଜେରାଲ୍ଡ଼ ପ.କ୍ଵିଇପର ଓ ଡକ୍ଟର ବେଙ୍ଗଟ୍ ଷ୍ଟ୍ରମଗ୍ରେନ୍ ଆକାଶରେ ଏକ ଅତି ଅଦ୍ଭୁତ ପଦାର୍ଥ ଦେଖିଛନ୍ତି–ଏହା ହେଉଛି ଏକ ଅଦୃଶ୍ୟ ‘‘ଭୂତ’’–ଏହାର ପରିଧି ସୂର୍ଯ୍ୟଙ୍କ ପରିଧିର ୩୦୦୦ ଗୁଣ, ସେ ସମଗ୍ର ପୃଥିବୀର ଦୃଷ୍ଟି ଆକର୍ଷଣ କରିଥିଲେ ।

 

ଆକାଶରେ ଦେଖାଯାଇଥିବା ଅନ୍ୟତମ ଉଜ୍ଜ୍ୱଳତମ ନକ୍ଷତ୍ରର ଗତିବିଧି ଅତି ଆଶ୍ଚର୍ଯ୍ୟଜନକ ବୋଲି ଜଣାପଡ଼ିଥିଲା । ପ୍ରତି ୨୭ ବର୍ଷରେ ଏହାର ଆଲୋକ ଅଧେ ମଳିନ ହୋଇଯାଉଥିଲା ଏବଂ ତା’ପରେ ପୁଣି ତାର ଉଜ୍ଜ୍ୱଳତା ଫେରିଆସୁଥିଲା-ଆଉ ଗୋଟିଏ ପଦାର୍ଥ ଏହାକୁ ଗ୍ରାସ କରିଦେଉଥିଲା ଭଳି ଜଣାପଡ଼ୁଥିଲା । ମାତ୍ର କୌଣସି ଗଣିତ-ଜ୍ୟୋତିଷ ବିଜ୍ଞାନବିଦ୍ ଏହା ନିକଟରେ ଅନ୍ୟ କୌଣସି ପଦାର୍ଥ ଦେଖିନଥିଲେ । କିନ୍ତୁ ଷ୍ଟ୍ରୁଭେ ଓ ତାଙ୍କ ସହଯୋଗୀମାନେ ଏକ ସ୍ପେକ୍ଟ୍ରୋସ୍କୋପ ସାହାର୍ଯ୍ୟରେ ଏହି ଘଟଣାକୁ ରେକର୍ଡ଼ କରିଥିଲେ । ସ୍ପେକ୍ଟ୍ରୋସ୍କୋପ ଯନ୍ତ୍ର ଆଲୋକକୁ ବିଭିନ୍ନ ତରଙ୍ଗମାଳାରେ ବିଭକ୍ତ କରିଦିଏ ଏବଂ “ଅଦୃଶ୍ୟ” ଆଲୋକକୁ ଫଟୋଦ୍ଵାରା ରେକର୍ଡ଼ କରିନେଇଥାଏ । ସେମାନଙ୍କ ଗବେଷଣାର ପୂର୍ଣ୍ଣତଥ୍ୟ ସଂଗ୍ରହ କରିବାପାଇଁ ସେମାନଙ୍କୁ ୯ବର୍ଷ ଲାଗି ଯାଇଥିଲା । ୧୯୩୮ ମସିହାରେ ସେମାନେ ଜଣାଇଥିଲେ ଯେ “ଏପସଲନ୍ଅରିଗେ” ଗୋଟିଏ ଦିଟିକିଆ ନକ୍ଷତ୍ର-ଏହା ଗୋଟିଏ ଉଜ୍ଜ୍ୱଳ ଦିଟିକିଆ ନକ୍ଷତ୍ର ଏବଂ ଏକ ଅସ୍ଵାଭାବିକ କୃଷ୍ଣବର୍ଣ୍ଣ ଦିଟିକିଆ ନକ୍ଷତ୍ରଦ୍ଵାରା ଗଠିତ ଏବଂ ଏହା ଲାଲ ଆଲୋକ ବିକିରଣ କରିଥାଏ । କୃଷ୍ଣବର୍ଣ୍ଣ ଦିଟିକିଆ ନକ୍ଷତ୍ର ଏଡ଼େ ବିରାଟ ଯେ ଏହାର ପରିଧି ୪ ବିଲିଆନ ବା ମହାପଦ୍ମ ମାଇଲ–ଏପର୍ଯ୍ୟନ୍ତ ସନ୍ଧାନ ମିଳିଥିବା ନକ୍ଷତ୍ର ଭିତରେ ଏହା ସର୍ବାପେକ୍ଷା ବିରାଟ । ମାତ୍ର ଏହାର ଆୟତନ ଏତେ କମ ଯେ ଅତିକ୍ଷୁଦ୍ର ଦିଟିକିଆ ନକ୍ଷତ୍ରର ଆଲୋକ ଏହା ଭିତର ଦେଇ ଆଲୋକ ବିସ୍ତାର କରିଥାଏ ।

 

ଦିଟିକିଆ ନକ୍ଷତ୍ରର ପରିଧି ଚାରିପଟେ ଷ୍ଟ୍ରୁଭେ ଓ ତାଙ୍କ ସହଯୋଗୀମାନେ ଏକ ବାଷ୍ପର ଆଧାର ଦେଖିଥିଲେ । ଦିଟିକିଆ ଉଜ୍ଜ୍ଵଳ ନକ୍ଷତ୍ରର ଆଲୋକଦ୍ଵାରା ଏଥିରେ ବିଦ୍ୟୁତ୍‍ ଶକ୍ତି ସଂଚାରିତ ହୋଇଥାଏ । ଗଣିତ-ଜ୍ୟୋତିଷ ବିଜ୍ଞାନବିଦ୍‍ମାନେ ଜାଣିଥିଲେ ଯେ, ପୃଥିବୀର ଏହିଭଳି ଏକ ଆଧାର ଅଛି ଏବଂ ଏହା ସୂର୍ଯ୍ୟଙ୍କ ରଶ୍ମିଦ୍ଵାରା ଚୁମ୍ବକଯୁକ୍ତ ହୋଇଯାଏ । ମାତ୍ର ନକ୍ଷତ୍ର ସମ୍ପର୍କରେ ଏହି ତଥ୍ୟ ପ୍ରଥମ ଥର ପାଇଁ ଜଣାପଡ଼ିଥିଲା । ଷ୍ଟ୍ରୁଭେ ବିଶ୍ୱାସ କରିଥିଲେ ଯେ, ଏହି ବାଷ୍ପର ଆଧାର ଦ୍ଵିବର୍ଣ୍ଣ ନକ୍ଷତ୍ରର ଗତିବିଧି ଓ ନକ୍ଷତ୍ରର ବିବର୍ତ୍ତନ କାରଣ ସନ୍ଧାନ ଦିଗରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଯୋଗାଇଥିଲା ।

 

ସେହିବର୍ଷ ୧୯୩୮ରେ ଷ୍ଟ୍ରୁଭେ ଆହୁରି ଏକ ନାଟକୀୟ ଆବିଷ୍କାର କରିଥିଲେ । ଉପରେ ବର୍ଣ୍ଣନା କରାଯାଇଥିବା ପଦ୍ଧତି ଅନୁସରଣ କରିସେ ଏବଂ ତାଙ୍କ ସହଯୋଗୀ ସି.ଟି. ଏଲ୍‍ଭେ ଆବିଷ୍କାର କରିଥିଲେ ଯେ, ବହୁପରିମାଣ ଉଦ୍‍ଜାନ ବାଷ୍ପ ଛାୟାପଥରେ ବିକ୍ଷିପ୍ତ ହୋଇ ରହିଛି । ନକ୍ଷତ୍ରମାନଙ୍କରୁ ଆଲୋକ ଉଦ୍‍ଜାନ ବାଷ୍ପରେ ଆଘାତ କରି ଫ୍ଲରେସେଣ୍ଟ ବା ସ୍ୱୟଂପ୍ରକାଶିତ ଆଲୋକ ସୃଷ୍ଟି କରିଥାଏ ଅର୍ଥାତ୍ ଏହା ଆଲୋକକୁ ସମ୍ପୂର୍ଣ୍ଣରୂପେ ଗ୍ରହଣକରିନେଇ ଅନ୍ୟ ଏକ ତରଙ୍ଗ ଦୈର୍ଘ୍ୟରେ ପୁଣି ସେହି ଆଲୋକକୁ ପ୍ରକାଶ କରିଥାଏ । ଆମ ନକ୍ଷତ୍ର ଜଗତ ବାହାରେ ହାଇଡ୍ରୋଜେନ୍‍ ଅତ୍ୟନ୍ତ ପତଳା ବୋଲି ସେମାନେ ଉଦ୍ଭାବନ କରିଥିଲେ ।

 

ଛାୟାପଥରେ ଉଦ୍‍ଜାନବାଷ୍ପ ରହିଥିବାର ଏହି ଯେଉଁ ପ୍ରଥମ ଆବିଷ୍କାର ହେଲା ତଦ୍ଦ୍ଵାରା ଜନ୍‍ ୱାଟ୍‍ଙ୍କ ତଥ୍ୟ ପ୍ରମାଣିତ ହେଲା ଏବଂ ଏହା ନକ୍ଷତ୍ରର ଜନ୍ମ ସମ୍ବନ୍ଧରେ ଆମକୁ ନୂତନ ଧାରଣା ଦେଇଥିଲା ।

 

ଆସନ୍ତା କେତେବର୍ଷ ପାଇଁ ଡକ୍ଟର ଷ୍ଟ୍ରୁଭେ ଦିଟିକଆ ନକ୍ଷତ୍ର ସମ୍ବନ୍ଧରେ ଗବେଷଣା ଚଳେଇଥିଲେ । ସେ ଦେଖିଥିଲେ ଯେ, ଅନେକ କ୍ଷେତ୍ରରେ ଯେତେବେଳେ ନକ୍ଷତ୍ରମାନେ ପରସ୍ପର ଅପେକ୍ଷାକୃତ ନିକଟବର୍ତ୍ତୀ ହୋଇ ରହିଥାନ୍ତି, ସେତେବେଳେ ସେମାନେ ଉଦଜାନ ବାଷ୍ପର ଆଧାର ବା ବେଷ୍ଟନୀଦ୍ଵାରା ବେଷ୍ଟିତ ହୋଇଥାନ୍ତି । ଏଥିଭିତରୁ ସର୍ବାପେକ୍ଷା ଉଲ୍ଲେଖଯୋଗ୍ୟ ହେଲା “ବାଇନାରି ଅକ୍ସ୍-ମନୋସେରୋଟସ” ବା ଦ୍ଵିୟ ନକ୍ଷତ୍ର । ୧୯୪୭ରେ ସେ ଏହା ଆବିଷ୍କାର କରିଥିଲେ । ପ୍ରତି ସେକେଣ୍ଡରେ ୧୫୦ ମାଇଲ ବେଗରେ ବିରାଟ ମେଘମାଳା ମହାଶୂନ୍ୟ ଭିତରେ ମାଡ଼ିଯାଉଥିବାର ସେ ଦେଖିଥିଲେ । ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ବେଳେ ଆଲୋକର ଲାଲ ଅଂଶ ପରି ଏହା ଦେଖାଯାଇଥାଏ । ସେଗୁଡ଼ିକର ଅଧିକାଂଶ ଭାଗ ହାଇଡ୍ରୋଜେନ ଗ୍ୟାସଦ୍ଵାରା ଗଠିତ ।

 

ଏହା ପରବର୍ଷ ଡକ୍ଟର ଷ୍ଟୁଭେ ଓ ମାକ୍‍ଡୋନାଲ୍ଡ଼ ପର୍ଯ୍ୟବେକ୍ଷଣାଗାରର ଡକ୍ଟର ଏମ୍. ରୁଡ଼୍‍ଜୋବିଙ୍ଗ ଏହି ବିଜ୍ଞାନର ଗାଣିତିକ ପ୍ରମାଣ ଦେଇ କହିଥିଲେ ଯେ, ନକ୍ଷତ୍ରମାନଙ୍କ ମଧ୍ୟବର୍ତ୍ତୀ ସ୍ଥାନରେ ଥିବା “ଧୂଳିପଟଳ” ନକ୍ଷତ୍ରମାନଙ୍କର ବୃଦ୍ଧିରେ ବିଶେଷ ଅଂଶ ଗ୍ରହଣ କରିଥାଏ । ଡକ୍ଟର ଆଲଫ୍ରେଡ଼୍ ଜଏ ଯୋଗାଇଦେଇଥିବା ତଥ୍ୟକୁ ସେ ଅନୁସରଣ କରିଥିଲେ । ଡକ୍ଟର ଆଲଫ୍ରେଡ଼୍ ଜଏ ଆକାଶର ଯେଉଁ ସବୁ ଅଞ୍ଚଳରେ ନୂଆ ନୂଆ ନକ୍ଷତ୍ରମାନ ଗଠିତ ହେଉଥିବାର ବିଶ୍ୱାସ କରାଯାଉଥିଲା ସେହିସବୁ ଅଞ୍ଚଳରେ ନକ୍ଷତ୍ର ବିଷୟରେ ଅନୁଧ୍ୟାନ କରିଥିଲେ । ଜଏଙ୍କର ସ୍ପେକ୍‌ଟ୍ରୋସ୍କୋପ ଯନ୍ତ୍ରରୁ ଉଦ୍‍ଜାନ ବାଷ୍ପର ଅଣୁ ତାର ସର୍ବୋଚ୍ଚତାର ସର୍ବୋଚ୍ଚ ଶକ୍ତିରେ ବିଦ୍ୟମାନ ଥିବା ଜଣା ପଡ଼ିଥିଲା । ଉଦ୍‍ଜାନ ଯେତେ ଉଚ୍ଚସ୍ତରରେ ପହଞ୍ଚିବା କଥା ପହଞ୍ଚିଥିଲା । ମାତ୍ର ନକ୍ଷତ୍ରମାନଙ୍କର ଉପରିଭାଗରେ ଏତେ ଅଧିକ ପରିମାଣରେ ଉତ୍ତାପ ନଥିଲା, ଯଦ୍ଦ୍ଵାରା ଏପରି ଘଟୁଥିଲା । ଏହାର ଅନ୍ୟ କିଛି କାରଣ ଥିଲା ।

 

ଷ୍ଟ୍ରୁଭେ ଓ ରୁଡ଼୍‍ଜୋବିଙ୍ଗ ଏ ସମ୍ବନ୍ଧୀୟ ତଥ୍ୟ ଅନୁଧ୍ୟାନ କରିଥିଲେ, ଆବଶ୍ୟକୀୟ ଗଣନା କରିଥିଲେ ଏବଂ ଏହା କାହିଁକି ଘଟୁଛି ତାର ଏକ କାରଣ ବାହାର କରିଥିଲେ । ନକ୍ଷତ୍ରମାନଙ୍କ ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ଧୂଳିକଣା ନକ୍ଷତ୍ରମାନଙ୍କର ମାଧ୍ୟାକର୍ଷଣ ଶକ୍ତିଦ୍ଵାରା ଧରାପଡ଼ି ଯାଉଛନ୍ତି ବା ଖାପଚରେ ପଡ଼ିଯାଉଛନ୍ତି ଏବଂ ଏହାର ଉପରିଭାଗରେ ପଡ଼ିଯାଉଛନ୍ତି । ତାହେଲେ ସେମାନଙ୍କର ସାକ୍ଷାତ ଶକ୍ତି, ବୈଜ୍ଞାନିକ ଜଏ ଶକ୍ତିର ଯେଉଁ ସ୍ତର ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣ କରିଥିଲେ ସେହିପର୍ଯ୍ୟନ୍ତ ଉଦ୍‍ଜାନ ଅଣୁର ସ୍ତରକୁ ଉଠାଇ ଦେଇପାରିଥାନ୍ତି ।

 

ଷ୍ଟ୍ରୁଭେ ଓ ରୁଡ଼୍‍ଜୋବିଙ୍ଗ କହିଥିଲେ ଯେ ନକ୍ଷତ୍ରମାନଙ୍କର ମଧ୍ୟଭାଗରେ ଥିବା ଧୂଳିପଟଳଦ୍ୱାରା ନକ୍ଷତ୍ରମାନଙ୍କ ବିସ୍ତୃତି ବା ଆୟତ୍ତନ ବୃଦ୍ଧି ପାଇଥାଏ । ଏହି ଧୂଳିପଟଳର ସଂଘାତ ଫଳରେ ନକ୍ଷତ୍ରମାନେ ଅଧିକରୁ ଅଧିକ ଉତ୍ତପ୍ତ ହୋଇଯାଆନ୍ତି ଏବଂ ୧୦,୦୦୦ ସେଣ୍ଟିଗ୍ରେଡ଼୍ ପହଞ୍ଚିବା ପର୍ଯ୍ୟନ୍ତ ଏହିପରି ଉତ୍ତପ୍ତ ହେଉଥାନ୍ତି । ସେମାନଙ୍କର ଗଣନା ଅନୁସାରେ ଗୋଟିଏ ନକ୍ଷତ୍ର ସୂର୍ଯ୍ୟଠାରୁ ୧୦୦ ଗୁଣ ଅଧିକ-ଏହି ଅବସ୍ଥାରେ ଏହାର ରଶ୍ମି ଏତେ ଶକ୍ତିଶାଳୀ ହୋଇଯିବ ଯେ, ଏହି ଧୂଳିପଟଳକୁ ନିର୍ଗତ କରିଦେବ ଏବଂ ନିଜେ ବୃଦ୍ଧି ପାଇବନାହିଁ । ଦୁଇଜଣଯାକ ଗଣିତ-ଜ୍ୟୋତିଷ-ବିଜ୍ଞାନବିଦ୍ କହିଥିଲେ ଯେ, ଆୟତନରେ ସୂର୍ଯ୍ୟଠାରୁ ୧୦୦ ଗୁଣ ଅଧିକ ହୋଇଥିବା ନକ୍ଷତ୍ରମାନେ କାହିଁକି କେବେହେଲେ ଦେଖାଯାଆନ୍ତି ନାହିଁ, ଉପରୋକ୍ତ ଗଣନାରୁ ତା’ର କାରଣ ଜଣାପଡ଼ୁଛି ଏବଂ ଆମ ସୂର୍ଯ୍ୟର ଆୟତନ କାହିଁକି ବୃଦ୍ଧ ପାଉନାହିଁ ତା’ର କାରଣ ମଧ୍ୟ ଏଇଥିରୁ ଜଣାପଡ଼ୁଛି । ପ୍ରାୟ ଧୂଳି ନଥିବା ସ୍ଥାନରେ ଏହି ଅଞ୍ଚଳ ଅବସ୍ଥିତ । ପକ୍ଷାନ୍ତରେ ଆଣ୍ଟାରେସ ଭଳି ବିରାଟ ନକ୍ଷତ୍ର (ସୂର୍ଯ୍ୟଙ୍କ ପରିଧିଠାରୁ ଏହାର ପରିଧି ୪୮୦ ଗୁଣ ଏବଂ ଆୟତନର ୩୦ ଗୁଣ) ଆକାଶର ଏକ ଅତ୍ୟନ୍ତ ଧୂଳିପୂର୍ଣ୍ଣ ଅଞ୍ଚଳରେ ଅବସ୍ଥିତ ।

 

ତା’ପରେ ୧୯୪୯ ମସିହାରେ ଷ୍ଟ୍ରୁଭେ ଗ୍ରହମାନଙ୍କ ଗଠନ ସମ୍ବନ୍ଧରେ ତାଙ୍କ ବୈପ୍ଲବିକ ତଥ୍ୟ ଘୋଷଣା କରିଥିଲେ । ଲୋପ ପାଇଯାଉଥିବା ବାଇନାରି ବା ଦ୍ଵୟି ନକ୍ଷତ୍ର ସମ୍ବନ୍ଧରେ ସେ ଯେଉଁ ଅଧ୍ୟୟନ କରିଥିଲେ ତାର ଉପରେ ଭିତ୍ତି କରିଏହି ତଥ୍ୟ ପ୍ରତିଷ୍ଠିତ ହୋଇଥିଲା । ଛାୟାପଥରେ ଥିବା ନକ୍ଷତ୍ରମାନଙ୍କ ଭିତରୁ ଶତକଡ଼ା ପ୍ରାୟ ୨୫ ଭାଗ ନକ୍ଷତ୍ର ଏକବାରେ ଲଗାଲଗି ହୋଇ ରହିଥିବା ନକ୍ଷତ୍ର ଅଟନ୍ତି । ସେମାନେ ଏପରି ଲଗାଲଗି ହୋଇ ରହିବା ଫଳରେ ସର୍ବଦା ପରସ୍ପରର ସଂସ୍ପର୍ଶରେ ଆସିଥାନ୍ତି । ସେମାନେ ପ୍ରତ୍ୟେକ ପ୍ରତ୍ୟେକର ଚାରିପଟେ ପ୍ରଚଣ୍ଡ ବେଗରେ ଘୂରିବା ଫଳରେ ଯେଉଁ ମାଧ୍ୟକର୍ଷଣ ଶକ୍ତି ସେମାନଙ୍କୁ ଟାଣିନିଅନ୍ତା ତାକୁ ସେମାନେ ଅତିକ୍ରମ କରିଯାଉଛନ୍ତି । ଲଗାଲଗି ହୋଇ ରହିଥିବା ଏହି ସମସ୍ତ ନକ୍ଷତ୍ର ଏକାଭଲି । ସେମାନେ ଅଳ୍ପ ଦିନ ହେଲା ସୃଷ୍ଟି ହୋଇଛନ୍ତି ଏବଂ ସୂର୍ଯ୍ୟଙ୍କଠାରୁ କ୍ଷୁଦ୍ର ବାଷ୍ପ ଓ ଧୂଳି ପାଟଳଦ୍ଵାରା ବେଷ୍ଟିତ । ଏହି ମେଘ ପଟଳ ଅସ୍ଵାଭାବିକ ଭାବରେ ଅସମିତ । ତଦ୍ଦ୍ୱାରା ଜଣାପଡ଼ୁଛି ଯେ ଏହି ସଂଘତି ସ୍ଥାୟୀ ନୁହେ । ଷ୍ଟ୍ରୁଭେ କହିଲେ ଯେ ନକ୍ଷତ୍ରମାନେ ପରସ୍ପର ଚାରିପଟେ ଘୂରିଲାବେଳେ ବାଷ୍ପ ପ୍ରବାହରେ ସେମାନଙ୍କର ଶକ୍ତି କ୍ଷୟ ଘଟେ ଏବଂ କ୍ରମଶଃ ସେମାନଙ୍କ ବେଗ କମିଆସେ । ତା’ପରେ ଅଭିକର୍ଷଣ ଶକ୍ତି ସେମାନଙ୍କୁ ଏକ ବିରାଟ ସଂଘର୍ଷ ଭିତରେ ଏକାଠି କରିଦେଇଥାଏ, ଏହା ଫଳରେ ସେମାନେ ମିଶିଯାଇ ନୂଆ ନକ୍ଷତ୍ର ହୋଇଯାଆନ୍ତି । ଏହା ଯେତେବେଳେ ଘଟେ, ସେତେବେଳେ ବାଷ୍ପ ଓ ଧୂଳି ପଟଳ ମହାଶୂନ୍ୟକୁ ଉଠିଯାଏ, ଉଦ୍‍ଜାନ ବାଷ୍ପ ଭାସିଉଠେ କିନ୍ତୁ ଅନେକ ସମୟରେ ଭାରି ଉପାଦାନମାନ ରହିଯାଏ-ଯାହାକି ପ୍ରାୟ ଶହେ ନିୟୁତ ବର୍ଷ ପରେ କ୍ରମଶଃ ଘନୀଭୂତ ହୋଇ ଗ୍ରହରେ ପରିଣତ ହୋଇଥାଏ ।

 

ସମସ୍ତ ଗଣିତ-ଜ୍ୟୋତିଷ ବିଜ୍ଞାନବିତ୍ ଷ୍ଟ୍ରୁଭେଙ୍କ ତଥ୍ୟକୁ ଗ୍ରହଣ କରିନାହାନ୍ତି । ଏଥିପାଇଁ ଅନ୍ୟାନ୍ୟ ଅନେକ ନୂଆ ନୂଆ କାରଣମାନ ପ୍ରକାଶ କରିଛନ୍ତି । କିନ୍ତୁ ପ୍ରାୟ ସମସ୍ତେ ଏକମତ ହେଉଛନ୍ତି ଯେ, ଗ୍ରହମାନେ ନକ୍ଷତ୍ର ଧୂଳିକଣାରୁ କୌଣସି ନା କୌଣସି ପଦ୍ଧତିରେ ଗଠିତ ହୋଇଥାନ୍ତି ।

 

୧୯୫୯ ମସିହାରେ ଡକ୍ଟର ଷ୍ଟ୍ରୁଭେ ପଶ୍ଚିମ ଭର୍ଜିନିଆର ଗ୍ରୀନ୍ ବ୍ୟାଙ୍କଠାରେ ଅବସ୍ଥିତ ଜାତୀୟ ବେତାର ଗଣିତ–ଜ୍ୟୋତିଷ ବିଜ୍ଞାନ ପର୍ଯ୍ୟବେକ୍ଷଣାଗାରର ମୁଖ୍ୟ ଭାବରେ ନିଯୁକ୍ତ ହେଲେ-। ଏଠାରେ ପୃଥିବୀର ସର୍ବାପେକ୍ଷା ବୃହତ୍ତମ ପର୍ଯ୍ୟବେକ୍ଷଣାଗାର ବର୍ତ୍ତମାନ ନିର୍ମାଣ କରାଯାଉଛି-। ଦ୍ଵିତୀୟ ମହାଯୁଦ୍ଧ ପରେ ଅଧିକ ଗୁରୁତ୍ଵ ଦିଆଯାଉଥିବା ବେତାର ଗଣିତ-ଜ୍ୟୋତିଷ ବିଜ୍ଞାନ ଏହି ଆବିଷ୍କାର ଉପରେ ପ୍ରତିଷ୍ଠିତ ଯେ, ବିଶ୍ଵରେ ଅନେକ ଜ୍ୟୋତିଷ୍କ ଚାକ୍ଷୁଷ ଦୂରବୀକ୍ଷଣ ଯନ୍ତ୍ରରେ ଦେଖାଯାଆନ୍ତି ନାହିଁ ଏବଂ ଆଲୋକ ବେଗରେ ଭ୍ରମଣ କରିବେତାର ତରଙ୍ଗମାନ ନିର୍ଗତ କରିଥାନ୍ତି–ଏଗୁଡ଼ିକ ଦେଖାଯାଇ ପାରିବ । ମହାଶୂନ୍ୟରେ ଉଦ୍‍ଜାନ ବାଷ୍ପ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଉପାଦାନ ମଧ୍ୟରୁ ଅନ୍ୟତମ-। ଏଇଥିଯୋଗୁ ଛାୟାପଥର ମାନଚିତ୍ର ପ୍ରସ୍ତୁତ କରିବା ସମ୍ଭବ ହୋଇଛି-। ବିରାଟ ଧୂଳିପଟଳ ଆକାଶର ବହୁ ବିସ୍ତୃତ ଅଞ୍ଚଳକୁ ଅନ୍ଧକାର କରିପକାଉଥିବାରୁ ସାଧାରଣ ଦୁରବୀକ୍ଷଣ ଯନ୍ତ୍ରରେ ଏହା ଦେଖିବା ସମ୍ଭବ ହୋଇପାରେନାହିଁ ।

 

ବେତାର ଗଣିତ-ଜ୍ୟୋତିଷ ବିଜ୍ଞାନ ସାହାଯ୍ୟରେ ଗଣିତ-ଜ୍ୟୋତିଷ-ବିଜ୍ଞାନବିଦ୍‍ମାନେ ଜ୍ଞାତ ବିଶ୍ୱର ସୀମା ବହାରକୁ ଯାଇ ଅଧ୍ୟୟନ କରିପାରୁଛନ୍ତି । କାଲିଫର୍ଣ୍ଣିଆର ମାଉଣ୍ଟ ପାଲୋମରଠାରେ ରହିଥିବା ପୃଥିବୀର ବୃହତ୍ତମ ଦୂରବୀକ୍ଷଣ ଯନ୍ତ୍ର ପ୍ରାୟ ୨ ବିଲିଅନ ବା ମହାପଦ୍ମ ଆଲୋକବର୍ଷ ଦୂର ପର୍ଯ୍ୟନ୍ତ ଯାଇପାରେ କିନ୍ତୁ ବେତାର ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଗଣିତ-ଜ୍ୟୋତିଷ ବିଜ୍ଞାନବିଦ୍‍ମାନେ ଏହାର ୩ ଗୁଣ ଅଧିକ ଦୂର ପର୍ଯ୍ୟନ୍ତ ଯିବାକୁ ସକ୍ଷମ ହୋଇଛନ୍ତି । ଗ୍ରୀନ୍‍ବ୍ୟାଙ୍କଠାରେ ଥିବା ନୂତନ ପର୍ଯ୍ୟବେକ୍ଷଣାଗାର ସାହାଯ୍ୟରେ ୩୮ ବିଲିଅନ ବା ମହାପଦ୍ମ ଆଲୋକ ବର୍ଷ ପର୍ଯ୍ୟନ୍ତ ପହଞ୍ଚିପାରିବେ ବୋଲି ଆଶା କରୁଛନ୍ତି । ସମ୍ଭବତଃ ଏହାଦ୍ୱାରା ବିଶ୍ୱର ଶେଷ ସୀମାରେ ଯାଇ ପହଞ୍ଚିବା ସମ୍ଭବ ହେବ । ଗ୍ରୀନ୍‍ବ୍ୟାଙ୍କଠାରେ ଯେଉଁ ବେତାର ଦୂରବୀକ୍ଷଣ ଯନ୍ତ୍ର ୧୯୬୪ରେ ନିର୍ମିତ ହେବ ବୋଲି ସ୍ଥିର ହୋଇଛି, ତାର ଏକ ୬୦୦ ଫୁଟ ପରିଧି ବିଶିଷ୍ଟ ଥାଳିଆ ଆକାରର ବିଦ୍ୟୁତ୍‍-ରିସିଭର ରହିବ । ବର୍ତ୍ତମାନ ଇଂଲଣ୍ଡର ଜୋଡ଼ାଲବ୍ୟାଙ୍କଠାରେ ରହିଥିବା ୨୫୦ ଫୁଟବିଶିଷ୍ଟ ଆଣ୍ଟୋନା ବା ବିଦ୍ୟୁତ୍‍ ଗ୍ରାହକ ବର୍ତ୍ତମାନ ପୃଥିବୀର ସର୍ବାପେକ୍ଷା ବିରାଟ ବେତାର ଦୂରବୀକ୍ଷଣ ଯନ୍ତ୍ର । ଗ୍ରୀନ୍‍ବ୍ୟାଙ୍କଠାରେ ନିର୍ମିତ ହେଉଥିବା ବେତାର ଦୂରବୀକ୍ଷଣ ଯନ୍ତ୍ର ଏହାର ୩ ଗୁଣ ହେବ । ୧୯୬୦ରେ ପ୍ରାୟ ଅଧମାଇଲ ବ୍ୟାପି ଥାଳିଆ ଆକାରର ଆଉ ଗୋଟିଏ ବେତାର ଦୂରବୀକ୍ଷଣ ଯନ୍ତ୍ରର ନକ୍ସା ପ୍ରସ୍ତୁତ କରିବା କାମ ଆରମ୍ଭ କରିବା ପାଇଁ ସେ ଆମେରିକା ଯୁକ୍ତରାଷ୍ଟ୍ରକୁ କହିଥିଲେ । ସେ କହିଥିଲେ ଯେ, ଏହିଭଳି ଏକ ଯନ୍ତ୍ର ସାହାଯ୍ୟରେ ଅନ୍ୟଗ୍ରହରେ ଥିବା ଜୀବଙ୍କର ବେତାର ସଙ୍କେତ ପାଇବା ସମ୍ଭବ ହେବ । ଆମେ ସେମାନଙ୍କୁ ଉତ୍ତର ଦେବା କି ନାହିଁ ସେ ବିଷୟରେ ସେ କିଛି କହିନାହାନ୍ତି ।

Image

 

ନକ୍ଷତ୍ରମାନେ ଜନ୍ମ ହେବା ପୂର୍ବରୁ

-ସୁବ୍ରମନ୍ୟନ୍ ଚନ୍ଦ୍ରଶେଖର

 

ନକ୍ଷତ୍ରମାନେ ଆକାଶ ଆଲେକିତ କରିବା ପୂର୍ବରୁ ବିଶ୍ୱର ଆକାର ପ୍ରକାର କିପରି ଥିଲା-?

 

ଚିକାଗୋ ବିଶ୍ୱବିଦ୍ୟାଳୟରେ ଅବସ୍ଥତ ୟର୍କ ପର୍ଯ୍ୟବେକ୍ଷଣାଗାରର ଡକ୍ଟର ସୁବ୍ରମନ୍ୟନ୍ ଚନ୍ଦ୍ରଶେଖର କହନ୍ତି ଯେ, ସର୍ବପ୍ରଥମେ ବିଶ୍ଵର ପ୍ରତ୍ୟେକ ପଦାର୍ଥ ଅଧଃଆଣବିକ କଣିକାର ଗୋଟିଏ ପିଣ୍ଡୁଳାରେ ଏକାଠି ହୋଇ ରହିଥିଲା । ଏହା ଏତେ ସାନ୍ଧ୍ର ଥିଲା ଯେ ଗୋଟିଏ ଚିନିଦାନାର ଘନଭାଗ ଆକୃତିର ଖଣ୍ଡକର ଓଜନ ହେବ ୫୦୦ ନିୟୁତ ଟନ୍‍ । ଏହା ଏତେ ଭାରି ଯେ ଯଦି ଏହା ପୃଥିବୀ ଉପରେ ପଡ଼ିଯାଏ, ତାହେଲେ ଖଣ୍ଡେ ପଥରକୁ ପାଣିରେ ପକାଇଦେଲେ ତା ଯେପରି ସଙ୍ଗେ ସଙ୍ଗେ ବୁଡ଼ିଯାଏ ଏହା ସେହିପରି ପୃଥିବୀ ପୃଷ୍ଠକୁ ଭେଦ କରିତଳକୁ ଚାଲିଯିବ । ସେହି ଜମାଟ ପିଣ୍ଡୁଳାର ଉତ୍ତାପ ଥିଲା ଅନ୍ତତଃ ୮ ବିଲିଅନ ବା ମହାପଦ୍ମ ଡିଗ୍ରୀ ସେଣ୍ଟିଗ୍ରେଡ଼୍ ।

 

ଡକ୍ଟର ଚନ୍ଦ୍ରଶେଖର ଭାରତ ବର୍ଷ ଅନ୍ତର୍ଗତ ଲାହୋରଠାରେ ୧୯୧୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ଅନ୍ୟତମ ଗଣିତ-ଜ୍ୟୋତିଷ ବିଜ୍ଞାନବିଦ୍ ଭାବରେ ଦୂରବୀକ୍ଷଣ ଯନ୍ତ୍ର ଅପେକ୍ଷା ବେଶୀ ପେନ୍‍ସିଲ୍‍ ଓ କାଗଜରେ କାମ କରିଥାନ୍ତି । ଅନ୍ୟାନ୍ୟ ବୈଜ୍ଞାନିକମାନଙ୍କ ପରି ଗଣିତ-ଜ୍ୟୋତିଷ-ବିଜ୍ଞାନବିଦ୍‍ମାନେ ପରୀକ୍ଷା କରିପାରିବେ ନାହିଁ । ଗଣିତ-ଜ୍ୟୋତିଷ-ବିଜ୍ଞାନବିଦ୍‍ମାନେ କେବଳ ଆକାଶରେ କ’ଣ ହେଉଛି ତାହା ଲକ୍ଷ୍ୟ କରିବା ଓ ବୁଝିବାକୁ ଚେଷ୍ଟା କରିପାରିବେ I

 

ଅନ୍ୟାନ୍ୟ ନକ୍ଷତ୍ର ଗଠନ ବିଜ୍ଞାନବିଦମାନଙ୍କ ପରି ଡକ୍ଟର ଚନ୍ଦ୍ରଶେଖର ବିଶ୍ଵାସ କରନ୍ତି ଯେ, ବିଶ୍ଵ ଏକ ଅତି ବିରାଟ ଆଣବିକ ଗବେଷଣାଗାର ପରି । ଯେଉଁ ସବୁ ନିୟମ ଅଣୁ ଓ ମଲିକ୍ୟୁଲ ପ୍ରତି ପ୍ରଜୁଯ୍ୟ, ସେହି ନିୟମ ଦ୍ୱାରା ନକ୍ଷତ୍ରମାନେ ମଧ୍ୟ କାମ କରନ୍ତି । ସେ କହନ୍ତି ଯେ, ଆଣବିକ ପଦାର୍ଥ ବିଜ୍ଞାନର ନିୟମରୁ ଆମେ ନକ୍ଷତ୍ର ଜଗତର ଜନ୍ମ ଓ ମୃତ୍ୟୁ ବୁଝିପାରିବା ।

 

ଗୋଟିଏ ମାତ୍ର ଲକ୍ଷ୍ୟ ହାସଲ ପାଇଁ ଜୀବନ ଉତ୍ସର୍ଗ କରିଥିବା ଏହି ନମ୍ରଭାଷୀ ଭାରତୀୟ ପୃଥିବୀର ଶ୍ରେଷ୍ଠ ପ୍ରତିଭାଶାଳୀ ଓ ପଦାର୍ଥ-ବିଜ୍ଞାନବିଦମାନଙ୍କ ମଧ୍ୟରୁ ଅନ୍ୟତମ । ସୂର୍ଯ୍ୟ ଓ ଅନ୍ୟାନ୍ୟ ନକ୍ଷତ୍ରମାନଙ୍କ ବିଷୟରେ ତାଙ୍କର ଅନୁଧ୍ୟାନ ପାଇଁ ସମଗ୍ର ପୃଥିବୀରେ ସୁଖ୍ୟାତି ଅର୍ଜନ କରିଥିଲେ । ସେ ୧୯୩୦ ରେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରୁ ବି.ଏ. ଡିଗ୍ରୀ ଲାଭ କଲେ ଏବଂ ୧୯୩୩ରେ ଇଂଲଣ୍ଡର କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରୁ ପିଏଚ୍‍.ଡ଼ି. ଉପାଧି ଲାଭ କରିଥିଲେ । ଚାରିବର୍ଷ ପାଇଁ ପ୍ରାୟ କେମ୍ବ୍ରିଜରେ ଗବେଷଣା କରିବା ପାଇଁ ଏକ ବୃତ୍ତି ଲାଭ କରିଥିଲେ । ୧୯୩୭ ରେ ସେ ୟର୍କସ ପର୍ଯ୍ୟବେକ୍ଷଣାଗାରର ଜଣେ କର୍ମକର୍ତ୍ତା ଭାବରେ ନିଯୁକ୍ତି ହେଲେ ଏବଂ ୧୯୪୬ରେ ପୂରା ଅଧ୍ୟାପକ ରୂପେ ନିଯୁକ୍ତ ହୋଇଥିଲେ ।

 

ଡକ୍ଟର ଚନ୍ଦ୍ରଶେଖର ନିଜକୁ ଏହି ପ୍ରଶ୍ନ ପଚାରି ବିଶ୍ଵ ଗଠନର ରହସ୍ୟଭେଦ କରିଥିଲେ-ପୃଥିବୀ ଓ ନକ୍ଷତ୍ରର ବର୍ତ୍ତମାନ ଯେଉଁ ସବୁ ଉପାଦାନ ରହିଛି ସେଗୁଡ଼ିକ କିଭଳି ଅବସ୍ଥାରେ ସୃଷ୍ଟି ହୋଇଥିବ ? ସେ ଯୁକ୍ତି ଦର୍ଶାଇଥିଲେ ଯେ, ସିସା, ସୁନା ଓ ଇଉରାନିଅମ ଭଳି ଭାରି ଉପାଦାନମାନ କେବଳ ଚରମ ଉତ୍ତାପ ଓ ଚାପ ଦ୍ଵାରା ଗଠିତ ହୋଇଥିବ । ୮ ବିଲିଅନ ବା ମହାପଦ୍ମରୁ ଅଧିକ ଡିଗ୍ରୀ ସେଣ୍ଟିଗ୍ରେଡ଼୍ ୧୦,୦୦୦ ଘନଇଞ୍ଚ ଗ୍ରାମ ତାପ ଭିତରେ ଏହା ଗଠିତ ହୋଇଥିବ । ବର୍ତ୍ତମାନ ବିଶ୍ଵରେ ଯେକୌଣସି ସ୍ଥାନରେ ଯେତେ ଅଧିକ ପରିମାଣ ଉତ୍ତାପ ଏକାଠି ରହିଛି ତା ଅପେକ୍ଷା ଏହା ଅଧିକ । ସେହିଭଳି ଅଣୁଗଠନ କରିବା ପାଇଁ ନିଶ୍ଚୟ ମୌଳିକ ଅତ୍ୟନ୍ତ ସାନ୍ଧ୍ର ଓ ଅତ୍ୟନ୍ତ ଉତ୍ତପ୍ତ ପଦାର୍ଥର ସମଷ୍ଟି ଥିବ । ସେ କହନ୍ତି ଯେ, ଏହାପରେ ଏହି ପଦାର୍ଥ ସମଷ୍ଟି ଖଣ୍ଡ ଖଣ୍ଡ ହୋଇ ଚାରିଆଡ଼େ ଛିଡ଼ିକି ପଡ଼ିଲା ଏବଂ ତଦ୍ଦ୍ୱାରା ନକ୍ଷତ୍ର ଜଗତ ଓ ନଷତ୍ର ସୃଷ୍ଟି ହେଲା ।

 

ଡକ୍ଟର ଚନ୍ଦ୍ରଶେଖର କହନ୍ତି ଯେ, ୧୯୩୧ରେ ବେଲ୍‍ଜିୟମବାସୀ ଧର୍ମଯାଜକ ଗଣିତ-ଜ୍ୟୋତିଷ ବିଜ୍ଞାନବିଦ୍ ଆବେ ଜର୍ଜସ୍ ଲାମେତ୍ରୀ ଯେଉଁ ତଥ୍ୟ ପ୍ରକାଶ କରିଥିଲେ, ତା ସହିତ ତାଙ୍କ ଗଣନା ଖାପ ଖାଇଯାଉଛି । ଲାମେତ୍ରି ସୂଚନା ଦେଇଥିଲେ ଯେ, ଏକଦା ଏହି ବିଶ୍ଵ ଗୋଟିଏ ବିରାଟ ଅଣୁଦ୍ଵାରା ଗଠିତ ହୋଇଥିଲା-ତାଙ୍କ ସହକର୍ମୀ ବୈଜ୍ଞାନିକମାନେ କହିଥିଲେ, ଏହା “ଲାମେତ୍ରିଙ୍କ ଅଣ୍ଡା” । ଡକ୍ଟର ଚନ୍ଦ୍ରଶେଖରଙ୍କ ଗଣନା ଯୋଗୁ ଲାମେତ୍ରିଙ୍କ ତଥ୍ୟ ପ୍ରତି ହୃଦବୋଧ ହେବା ଭଳି ସମର୍ଥନ ମିଳିଲା ।

 

ୟର୍କସଠାରେ ପହଞ୍ଚିବାର ଅଳ୍ପଦିନ ପରେ ନକ୍ଷତ୍ରମାନେ ପୋଡ଼ି ଯାଉଛନ୍ତି ଓ ମରିଯାଉଛନ୍ତି, ତା’ର କାରଣ ବୁଝିବା ଦିଗରେ ଚନ୍ଦ୍ରଶେଖର ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଯୋଗାଇଥିଲେ । “ଧବଳବାମନ” (ଯେଉଁ ନକ୍ଷତ୍ରମାନେ ଏତେ କ୍ଷୁଦ୍ର ଯେ, ସେମାନଙ୍କର ଆୟତନ ସୂର୍ଯ୍ୟଙ୍କର ଅତିକ୍ଷୁଦ୍ର ଅଂଶ ସଙ୍ଗେ ସମାନ)କୁ ବୁଝିବା ନିମନ୍ତେ ସେ ଗଣିତ-ଜ୍ୟୋତିଷ-ବିଜ୍ଞାନବିଦ୍‍ମାନଙ୍କୁ ଏକ ଗୁରୁତ୍ଵପୂର୍ଣ୍ଣ ନୂତନ ପଦ୍ଧତି ଯୋଗାଇଥିଲେ ।

 

ଏହି ପ୍ରକାରର ପ୍ରଥମ ନକ୍ଷତ୍ର ୧୮୬୨ ମସିହାରେ ପ୍ରଥମେ ଆବିଷ୍କୃତ ହୋଇଥିଲା । ଏହା ସରିଅସ ବା “କୁକୁର ନକ୍ଷତ୍ର”ର ବନ୍ଧୁ ଥିଲା । ସେଥିପାଇଁ ଏହାକୁ “ସିରିଅସ ବି” ବା “କୁକୁରଛୁଆ” ବୋଲି କୁହାଯାଉଥିଲା । ଏହାର ଆୟତନ ସୂର୍ଯ୍ୟଙ୍କ ସଙ୍ଗେ ପ୍ରାୟ ସମାନ ବୋଲି ଜଣା ଯାଇଥିଲା । କିନ୍ତୁ ଏହା ପ୍ରାୟ ୧/୪୦୦ ଭାଗ ଆଲୋକ ବିକିରଣ କରୁଥିଲା । ନକ୍ଷତ୍ରର ଆଲୋକ ଏହାର ଉପରିଭାଗ ତାପ ଏବଂ ଏହାର ଆକାର ଉପରେ ନିର୍ଭର କରୁଥିବାରୁ ଗଣିତ ଜ୍ୟୋତିଷ ବିଜ୍ଞାନବିଦ୍‍ମାନେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ “କୁକୁରଛୁଆ”ର ଆଲୋକକ୍ଷୀଣ ଓ ଏହା ସୂର୍ଯ୍ୟଙ୍କ ଅପେକ୍ଷା ବହୁପରିମାଣରେ ଥଣ୍ଡା ଥିଲା ।

 

୧୯୧୪ ମସିହାରେ ଜଣେ ଆମେରିକାବାସୀ ସ୍ପେକ୍ଟ୍ରମ୍‍ ଯନ୍ତ୍ର ସାହାଯ୍ୟରେ ଯେତେବେଳେ ଆବିଷ୍କାର କଲେ ଯେ, “ସିରିଅସ ବି ବା କୁକୁରଛୁଆ” ସୂର୍ଯ୍ୟଙ୍କଠାରୁ ଅଧିକ ପରିମାଣରେ ଉତ୍ତପ୍ତ, ସେତେବେଳେ ଡକ୍ଟର ଚନ୍ଦ୍ରଶେଖରଙ୍କ ତଥ୍ୟ ଓଲଟ ପାଲଟ ହୋଇଯାଇଥିଲା । କିନ୍ତୁ ପ୍ରଶ୍ନ ଉଠିଲା ତାହେଲେ ଏହା କାହିଁକି କେବଳ ୧/୪୦୦ ଭାଗ ଆଲୋକ ନିର୍ଗତ କରୁଛି ? ଗଣିତ-ଜ୍ୟୋତିଷ ବିଜ୍ଞାନବିଦ୍‍ମାନଙ୍କୁ ଏହି ସିଦ୍ଧାନ୍ତରେ ଉପନୀତ ହେବାକୁ ପଡ଼ିଲା ଯେ, ଏହାର ଆକାର ଅତିକ୍ଷୁଦ୍ର । ନୂତନ ତଥ୍ୟ ଉପରେ ଭିତ୍ତିକରି ସେମାନେ ଏହାର ପରିଧି ୨୩,୦୦୦ ମାଇଲ ହେବ ବୋଲି ହିସାବ କରିଥିଲେ-ଏହା ସୂର୍ଯ୍ୟ ଆକାରର ୧/୫୦୦୦୦ ଭାଗ ମାତ୍ର ଏହାର ଆୟତନ ସେତିକି । ଏହାର ଅର୍ଥ ହେଉଛି ଯେ, ଏହା ଅସମ୍ଭବ ଭାବରେ ସାନ୍ଧ୍ର । ଏହାର ଉପାଦାନଗୁଡ଼ିକ ଏତେ ଶକ୍ତଭାବରେ ଏକାଠି ରହିଛି ଯେ ଏହାର ଘନଇଞ୍ଚ ପୃଥିବୀରେ ଏକ ଟନ୍‍ ଓଜନ ହେବ ।

 

ଏହାପରେ ଅନ୍ୟାନ୍ୟ ଧବଳ ବାମନ ନକ୍ଷତ୍ରମାନ ଦେଖାଯାଇଛି । ସେମାନଙ୍କ ଭିତରୁ ୪୦୦ “ସିରିଅସ ବି” (କୁକୁର ଛୁଆ) ବହୁ ଅଧିକ ପରିମାଣରେ ସାନ୍ଧ୍ର । ଗଣିତ-ଜ୍ୟୋତିଷ ବିଜ୍ଞାନବିଦ୍‍ମାନେ ଏହାର କାରଣ ସ୍ୱରୂପ ଅନୁମାନ କରିଥାନ୍ତି ଯେ, ସେମାନେ ଜୀବନର ଶେଷଭାଗରେ ପହଞ୍ଚିଛନ୍ତି–ନକ୍ଷତ୍ରମାନ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରୀତିମତ ଏକ ଆବର୍ତ୍ତନ ଭିତରେ ଗତି କରିଥାନ୍ତି ।

 

ନକ୍ଷତ୍ରର ଜୀବନ ପଦ୍ଧତି ବୋଲି ଆମେ ଯାହା ଜାଣିଛୁ ତାହା ଆଣବିକ ପଦାର୍ଥ-ବିଜ୍ଞାନରୁ ହିଁ ଆସୁଛି । ସୂର୍ଯ୍ୟଙ୍କ ସମେତ ସମର୍ଥ ନକ୍ଷତ୍ର ଶକ୍ତିରୂପେ ବ୍ୟବହାର କରିଏବଂ ଏହାକୁ ହିଲିଅମରେ ପରିଣତ କରିଗଠିତ ହୋଇଥାନ୍ତି । କଲମ୍ବିଆ ବିଶ୍ୱବିଦ୍ୟାଳୟର ଡକ୍ଟର ହାନ୍ସ ବେଥେ କହନ୍ତି “ଉଦ୍‍ଜାନ ହେଲା ଇନ୍ଧନ ଓ ହିଲିୟମ ନକ୍ଷତ୍ର ଇଞ୍ଜିନର ପାଉଁଶ” । ଇଞ୍ଜିନ ଚାଲିବା କାମ କିପରି ଆରମ୍ଭ ହୁଏ ? ଆକର୍ଷଣ ଶକ୍ତିଦ୍ଵାରା ପ୍ରଚଣ୍ଡଚାପ ଓ ଉତ୍ତାପ ଉତ୍ପାଦନ ହୋଇଥାଏ । ବହୁ ବିସ୍ତୃତ ପରିମାଣ ପଦାର୍ଥ ନକ୍ଷତ୍ରରେ ପରିଣତ ହୁଏ । ଏହାଛଡ଼ା ଅନ୍ୟ ଉପାୟ ନଥାଏ ।

 

ନକ୍ଷତ୍ର ଉଦ୍‍ଜାନ ବାଷ୍ପକୁ ପୋଡ଼ିଲାକ୍ଷଣି ଏହା ଦବିଯାଏ ଏବଂ ଫଳରେ ଚାପ ବଢ଼ିଯାଏ ଏବଂ ଅଧିକ ପରିମାଣରେ ଉତ୍ତାପ ଉତ୍ପାଦନ ହୋଇଥାଏ । କିନ୍ତୁ ଚନ୍ଦ୍ରଶେଖରଙ୍କ ଗଣନା ଅନୁସାରେ ଗୋଟାଏ ଅବସ୍ଥାରେ ଯେତେବେଳେ ଏହାର ଶତକଡ଼ା ୧୨ଭାଗ ଉଦ୍‍ଜାନ ପୋଡ଼ିଯାଏ, ସେତେବେଳେ ଏହା ତାର ପୂର୍ବ ଆକାର ଅପେକ୍ଷା ହଜାର ହଜାର ଗୁଣ ଅଧିକ ହେବା ପର୍ଯ୍ୟନ୍ତ ସଂପ୍ରସାରିତ ହେଉଥାଏ । ଆମ ନକ୍ଷତ୍ର ଜଗତରେ ଥିବା ବହୁ ବଡ଼ ଆକାରର ନକ୍ଷତ୍ରପରି ଏହା ଗୋଟିଏ “ଲାଲ୍‍ ରାକ୍ଷସ” ହୋଇଯାଏ । ତା’ପରେ ଉଦ୍‍ଜାନ ଶେଷ ହେବା ପର୍ଯ୍ୟନ୍ତ ଏହା ତାକୁ ପୋଡ଼ିବାରେ ଲାଗିଥାଏ, ହିଲିଅମ ପୋଡ଼ିବା ଆରମ୍ଭ କରେ ଏବଂ ପୁଣି ଦବିଯାଏ । ( ସୂର୍ଯ୍ୟ, ଯେ କି ଅନ୍ତତଃ ୫ ବିଲିଅନ୍ ବା ମହାପଦ୍ମ ବର୍ଷ ଧରି ଉଦ୍‍ଜାନକୁ ପୋଡ଼ୁଛି “ଲାଲ ରାକ୍ଷସ” ହେବା ପାଇଁ ଏହାକୁ ୧୦ମହାପଦ୍ମ ବର୍ଷ ଲାଗିଯିବ) ।

 

ନକ୍ଷତ୍ର ବିବର୍ତ୍ତନର ଅନ୍ୟାନ୍ୟ ଅନେକ ସ୍ତର ପାରହୋଇ ଧବଳ ବାମନ ସ୍ତରରେ ପହଞ୍ଚିବା ବେଳକୁ ଏହାର ଅଣୁ ଇଲେକ୍ଟ୍ରୋନ୍‍ଗୁଡ଼ିକୁ ନିଷ୍କାସନ କରିଦେଇଥିବ ଏବଂ ଅଭିକର୍ଷଣଦ୍ୱାରା ନକ୍ଷତ୍ରର ମଧ୍ୟ ବିନ୍ଦୁଆଡ଼କୁ ଟାଣି ହୋଇ ଯାଇଥିବ I ଅଣୁ ଏକ ଶୂନ୍ୟସ୍ଥାନ ହୋଇଥିବାରୁ, ଇଲେକ୍ଟ୍ରୋନ ନଥିବା ହେତୁ କେନ୍ଦ୍ରୀୟ ଘନିଷ୍ଠ ସଂସ୍ପର୍ଶରେ ଆସିବା ପାଇଁ ସୁବିଧା ପାଏ । କେନ୍ଦ୍ରୀୟରେ ଅଧିକାଂଶ ଭାଗ ଅଣୁ ଥାଏ ତେଣୁ ନକ୍ଷତ୍ରର ମୌଳିକ ଆୟତନ ଅପେକ୍ଷାକୃତ ଏକ କ୍ଷୁଦ୍ର ସ୍ଥାନରେ ବାକି ହୋଇ ରହିଯାଏ ।

 

ଚନ୍ଦ୍ରଶେଖର ଧବଳବାମନ ଅଧ୍ୟୟନ ପାଇଁ ଆଣବିକ ପଦାର୍ଥ-ବିଜ୍ଞାନର ଓ ଆଇନଷ୍ଟାଇନଙ୍କ ଆପେକ୍ଷିକ ତଥ୍ୟ ପ୍ରୟୋଗ କରିଥିଲେ । ସେହିପରି ନକ୍ଷତ୍ରମାନଙ୍କର ଆଭ୍ୟନ୍ତରୀଣ ଚାପ ସମ୍ବନ୍ଧରେ ସେ ଯେଉଁ ହିସାବ କରିଥିଲେ ସେଥିରେ ସେ ସିଦ୍ଧାନ୍ତ କରିଥିଲେ ଯେ ଗୋଟିଏ ଧବଳବାମନର ଆୟତନ ସୂର୍ଯ୍ୟଙ୍କର ୧୪୪ ଗୁଣ ଅପେକ୍ଷା ଅଧିକ ହେବନାହିଁ । ତା ନହେଲେ ଭୟାବହ ବିସ୍ଫୋରଣ ଘଟିବ । ଯଦି ଏହାର ଆୟତନ ତା ଅପେକ୍ଷା କମ ହୁଏ, ତା ହେଲେ ଶାନ୍ତିପୂର୍ଣ୍ଣ ଭାବରେ ଏହା ବୃଦ୍ଧତ୍ୱ ପ୍ରାପ୍ତି ହେବ, ଯଦି ଅଧିକ ହୁଏ ତାହେଲେ ଏକ ବିରାଟ ବିସ୍ଫୋରଣରେ ଏହା ଶେଷ ହୋଇଯିବ । ଏହି ନିୟମ ବା ସୂତ୍ରକୁ “ଚନ୍ଦ୍ରଶେଖରଙ୍କ ସୀମା” ବୋଲି କୁହାଯାଇଥାଏ-ଏହା ଗଣିତ ଜ୍ୟୋତିଷ ବିଜ୍ଞାନର ମୌଳିକ ଅଂଶରେ ପରିଣତ ହୋଇଛି । ସୂର୍ଯ୍ୟଙ୍କ ଆୟତନ ଅପେକ୍ଷା ୧୪୪ ଗୁଣ ଅଧିକ ଆୟତନର ଧବଳ ବାମନ କାହିଁକି ଦେଖାଯାଏ ନାହିଁ, ତାର କାରଣ ମଧ୍ୟ ଏଥିରୁ ଜଣାପଡ଼ୁଛି, ବିଶ୍ଵରେ ସମୟ ସମୟରେ ଯେଉଁ ବିରାଟ ବିସ୍ଫୋରଣ ଘଟିଥାଏ ତାର କାରଣ ମଧ୍ୟ ଏଇଥିରୁ ମିଳୁଛି ।

 

୧୯୪୦ ମସିହାଠାରୁ ୧୯୪୫ ମସିହା ଭିତରେ ଚନ୍ଦ୍ରଶେଖର କେବଳ ଗାଣିତିକ ହିସାବ ଦ୍ୱାରା କେତେକ ନକ୍ଷତ୍ରମାନଙ୍କର ବୟସ ନିର୍ଦ୍ଧାରଣ କରିଥିଲେ । କଲମ୍ବିଆ ବିଶ୍ଵବିଦ୍ୟାଳୟର ଜନ୍‍ ସିଲ୍ଟ କାପ୍ଟେୟାନଙ୍କର ଜଣେ ପୂର୍ବତନ ଛାତ୍ର ଥିଲେ । ସେ ୧୯୩୫ ମସିହାରେ ଦେଖିଥିଲେ ଯେ ସପ୍ତର୍ଷିମଣ୍ଡଳରେ ଥିବା ନକ୍ଷତ୍ରମାନେ ପରସ୍ପର ସହିତ ଆପେକ୍ଷିକ ଭାବରେ ଗତି କରୁଛନ୍ତି; ସମସ୍ତେ ଏକାଠି ଗତି କରୁଛନ୍ତି ବୋଲି ପୂର୍ବରୁ ଯେଉଁ ବିଶ୍ୱାସ ଥିଲା ତାହା ଠିକ୍ ନୁହେଁ । ଏହି ନକ୍ଷତ୍ରମାନେ ଏକ ଘନ ନକ୍ଷତ୍ରମଣ୍ଡଳୀ ଗଠନ କରିଛନ୍ତି ଏବଂ ଏଥିରେ ୨୦୦ ନକ୍ଷତ୍ର ୧୦ ଆଲୋକ ବର୍ଷ ଆୟତନରେ ରହିଛନ୍ତି । ଏହା ଅପେକ୍ଷାକୃତ ଘନ ବା ସାନ୍ଧ୍ର ହୋଇଥିବାରୁ ଚନ୍ଦ୍ରଶେଖର ସ୍ଥିର କରିଥିଲେ ଯେ ସେମାନଙ୍କୁ ସ୍ଵତନ୍ତ୍ର ନକ୍ଷତ୍ର ମଣ୍ଡଳୀ ଭାବରେ ବିବେଚନା କରାଯାଇ ପ୍ରତ୍ୟେକଙ୍କର ପ୍ରତ୍ୟେକ ଉପରେ ପ୍ରଭାବ ବିଷୟରେ ଅନୁସନ୍ଧାନ କରାଯିବା ଉଚିତ ।

 

ସେ ଏକ ସାହାସିକ ସିଦ୍ଧାନ୍ତରେ ଉପନିତ ହୋଇଥିଲେ ଯେ ଉପରୋକ୍ତ ନକ୍ଷତ୍ରମାନଙ୍କ ଗତି ସହିତ ଗବେଷଣାଗାରରେ ଲକ୍ଷ୍ୟ କରାଯାଇଥିବା ତଥାକଥିତ “ବ୍ରାଉନିଆନ ମୁଭ୍‍ମେଣ୍ଟ” ବା ବ୍ରାଉନୀୟ ଗତି ସହିତ ସାମଞ୍ଜସ୍ୟ ରହିଛି । ଗବେଷଣାଗାରରେ ଲକ୍ଷ୍ୟ କରାଯାଇଥିଲା ଯେ ଅତି ସୂକ୍ଷ୍ମ କଣିକା ତରଳ ପଦାର୍ଥରେ ଝୁଲି ରହିଲେ, ତରଳ ପଦାର୍ଥରେ ଥିବା ମୋଲେକିଉଲର ବିକ୍ଷିପ୍ତଗତି ଦ୍ଵାରା ଏହି କଣିକାଗୁଡ଼ିକ ଦୂରକୁ ଦ୍ରୁତ ବେଗରେ ଗତି କରନ୍ତି ଏବଂ ମନ୍ଥର ହୋଇ ଆସନ୍ତି । ମଲିକ୍ୟୁଲ୍ସମାନଙ୍କ ଭିତରେ ସଂଘର୍ଷ ଦ୍ୱାରା ଏପରି ହୋଇଥାଏ । ଚନ୍ଦ୍ରଶେଖର ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ ସପ୍ତର୍ଷିମଣ୍ଡଳରେ ନକ୍ଷତ୍ରମାନେ ପ୍ରଥମେ ଲଗାଲଗି ହୋଇ ରହିଥିଲେ ଏବଂ ସେତେବେଳେ ଅଭିକର୍ଷଣ ଓ ସଂଘର୍ଷ ଯୋଗୁ ପରସ୍ପର ଉପରେ ବ୍ରାଉନିୟ ଗତି ଭଳି ପ୍ରଭାବ ରହିଥିଲା ଏବଂ ପ୍ରତ୍ୟେକ ପ୍ରତ୍ୟେକକୁ ଦ୍ୱାରକୁ ଠେଲିଦେଉଥିଲେ । ଗାଣିତିକ ଅନୁମାନ ସୂତ୍ରର କୌଶଳପୂର୍ଣ୍ଣ ପ୍ରୟୋଗଦ୍ୱାରା (ଏହି ଗାଣିତିକ ନିୟମ ଦ୍ୱାରା କୌଣସି ନିର୍ଦ୍ଦିଷ୍ଟ ଘଟଣାରେ କି କି “ନିୟମ ବହିର୍ଭୂତ” ଫଳ ଘଟିବ ତାହା ଜଣାପଡ଼ିଥାଏ) ନକ୍ଷତ୍ରମାନେ ବର୍ତ୍ତମାନ ଯେଉଁଠି ଅଛନ୍ତି ସେଠାରେ ରହିବାକୁ ସେମାନଙ୍କୁ କେତେକାଳ ଲାଗିଥିବ ତାହା ସେ ହିସାବ କରିଥିଲେ ଏବଂ କହିଥିଲେ ଯେ ଏହା ୩ ବିଲିଅନ ବର୍ଷରୁ କମ୍ ଲାଗି ନଥିବ, ୫ ବିଲିଅନ ବା ମହାପଦ୍ମ ବର୍ଷ ହୋଇପାରେ ।

 

ଆଧୁନିକ ଆଣବିକ ତଥ୍ୟକୁ ନକ୍ଷତ୍ରମାନଙ୍କର ଆଭ୍ୟନ୍ତରୀଣ ଗଠନ ପ୍ରତି ପ୍ରୟୋଗ କରିଥିବାରୁ ୧୯୫୩ ମସିହାରେ ଲଣ୍ଡନର ରଏଲ ଆଷ୍ଟ୍ରୋନମିକାଲ୍ ସୋସାଇଟି ଡକ୍ଟର ଚନ୍ଦ୍ରଶେଖରଙ୍କୁ ସ୍ଵର୍ଣ୍ଣପଦକ ପ୍ରଦାନ କରିଥିଲେ । ଗଣିତ-ଜ୍ୟୋତିଷ-ବିଜ୍ଞାନରେ ଏହି ପୁରସ୍କାରକୁ ନୋବେଲ ପୁରସ୍କାର ସହିତ ସମାନ ବୋଲି କୁହାଯାଇଥାଏ ।

 

ଗତ ୧୦ ବର୍ଷ ଧରି ଡକ୍ଟର ଚନ୍ଦ୍ରଶେଖର ବିଶ୍ୱରେ ଚୁମ୍ବକ୍ତ୍ୱର ପ୍ରଭାବ ସମ୍ବନ୍ଧରେ ଅଧ୍ୟୟନ କରୁଛନ୍ତି । ତାଙ୍କର ବିଶ୍ୱାସ ଯେ ଛାୟାପଥ ପରି ନକ୍ଷତ୍ରମଣ୍ଡଳୀମାନ ଚୁମ୍ବକୀୟ କ୍ଷେତ୍ର ଦ୍ୱାରା ବେଷ୍ଟିତ ହୋଇଛି ଏବଂ ତଦ୍ଦ୍ୱାରା କେତେଗୁଡ଼ିଏ ନକ୍ଷତ୍ର ଏପରି ସମତଳ ହୋଇଯାଇଛନ୍ତି ଯେ ସେମାନେ ଉଡ଼ନ୍ତା ଥାଳିଆ ପରି ଦେଖାଯାଉଛନ୍ତି । ଏହି ଚୁମ୍ବକୀୟ କ୍ଷେତ୍ରମାନ ନକ୍ଷତ୍ର ଜଗତକୁ ଘେରି ରହିଥିବା “ବେତାର ହାଲୋ” ସହିତ ସଂପୃକ୍ତ । ଚନ୍ଦ୍ରଶେଖରଙ୍କ ମତରେ ଏହି ଚୁମ୍ବକତ୍ଵ ଏକ ବିରାଟ ସାଇକ୍ଲୋଟ୍ରୋନ ପରି ନକ୍ଷତ୍ରମାନଙ୍କ ମଧ୍ୟବର୍ତ୍ତୀ ସ୍ଥାନର ମହାଜାଗତିକ ରଶ୍ମିଗୁଡ଼ିକ ଅତି ଦ୍ରୁତଗତିରେ ଚଳାଇଥାଏ । ସେ କହନ୍ତି ଯେ ଏହି ରଶ୍ମି କ୍ରମଶଃ ଆମ ନକ୍ଷତ୍ର ଜଗତର ଶକ୍ତିର ହ୍ରାସ ଘଟାଉଛି ଏବଂ ଦିନେ ଏହା ହୁଗୁଳା ହୋଇଯାଇ ଏହାର ଆକାର ଅନ୍ୟ ପ୍ରକାର ହୋଇଯିବ । ଯେତେବେଳେ ଏହା ସମ୍ପୂର୍ଣ୍ଣ ଭାବରେ ହୁଗୁଳା ହୋଇଯିବ-୯୯୯୭ ମହାପଦ୍ମ ବର୍ଷ ଭିତରେ-ସେତେବେଳେ ଏହା ବିଲୁପ୍ତ ହୋଇଯିବ । ଅଧ୍ୟୟନ ପ୍ରତି ଏକାନ୍ତ ଏକାଗ୍ରତା ଓ ଉଚ୍ଚ ସ୍ତରର ଗବେଷଣା ପାଇଁ ଚନ୍ଦ୍ରଶେଖର ଙ୍କୁ “କାଲଭାନିଷ୍ଟ” ବୋଲି କୁହାଯାଇଥାଏ-

 

ସେ ଦିନକୁ ୧୦ଘଣ୍ଟା ବା ତହିଁରୁ ଅଧିକ ସମୟ କାମ କରନ୍ତି । ଅବସର ସମୟରେ ସେ ସାମୂହିକ ସଂଗୀତ ବା ଚେମ୍ବର ସଂଗୀତ ଶୁଣିବାକୁ ଭଲ ପାଆନ୍ତି । ୧୯୫୩ ମସିହାଠାରୁ ସେ ଆମେରିକାର ନାଗରିକ ହୋଇଛନ୍ତି । ସେ ତାଙ୍କ ସହଧର୍ମିଣୀଙ୍କ ସହିତ ୟର୍କସ ଗବେଷଣାଗାର ନିକଟରେ ଉଇଲିୟମସ୍‍ଠାରେ ବାସ କରନ୍ତି ।

Image

 

ଚିରନ୍ତନ ବିଶ୍ଵ

-ଫ୍ରେଡ୍ ଆର. ହୋଏଲ୍

 

ବିଶ୍ୱର କୌଣସି ଆଦି ବା ମୂଳ ଥିଲା କି ? ଏହା ଶେଷ ହୋଇଯିବ କି ? ଆବେ ଜର୍ଜସ୍ ଲାମେତ୍ରୀଙ୍କପରି ଗଣିତ–ଜ୍ୟୋତିଷ-ବିଜ୍ଞାନବିଦମାନଙ୍କର ବିଶ୍ୱାସ ଯେ ଏହା ଏକ ପ୍ରଚଣ୍ଡ ବିସ୍ଫୋରଣରୁ ହିଁ ଆରମ୍ଭ ହୋଇଥିଲା ।

 

କିନ୍ତୁ କେମ୍ଵିଜ ବିଶ୍ୱବିଦ୍ୟାଳୟର ବ୍ରିଟିଶ୍ ଗଣିତ-ଜ୍ୟୋତିଷ-ବିଜ୍ଞାନବିଦ୍ ଫ୍ରେଡ଼୍ ଆର. ହୋଏଲ୍ ଏହା ସହିତ ଏକମତ ନୁହନ୍ତି । ଡକ୍ଟର ହୋଏଲ୍‍ଙ୍କ ମତରେ ବିଶ୍ୱର ଆୟତନ ଓ କାଳ ଅସୀମ ଓ ଅନନ୍ତ । ପୁରାତନ ବସ୍ତୁର ମୃତ୍ୟୁ ଘଟିଲେ ନୂତନ ବସ୍ତୁ ଆରମ୍ଭ ହୋଇଯାଉଛି । ନକ୍ଷତ୍ର ଓ ନକ୍ଷତ୍ରଜଗତ ବିଲୁପ୍ତ ହୋଇଗଲେ ନୂତନ ନକ୍ଷତ୍ର ଓ ନକ୍ଷତ୍ରଜଗତ ପୁଣି ସୃଷ୍ଟି ହୋଇଯାଉଛି ।

 

ହୋଏଲ୍ ତାଙ୍କ ତଥ୍ୟକୁ ଗାଣିତିକ ଓ ପଦାର୍ଥ ବିଜ୍ଞାନଦ୍ଵାରାପ୍ରମାଣ କରିଥିଲେ । ଚନ୍ଦ୍ର ଶେଖରଙ୍କ ପରି ସେ ତାଙ୍କର ଅଧିକାଂଶ ଗବେଷଣା ପେନ୍‍ସିଲ୍‍ ଓ କାଗଜ ସାହାଯ୍ୟରେ କରିଥିଲେ-

 

କୁଞ୍ଚିତ କେଶ ବିଶିଷ୍ଟ ଡକ୍ଟର ହୋଏଲ୍ ସଙ୍ଗୀତ, ପର୍ବତାରୋହଣ ଓ କ୍ରିକେଟ୍ ଖେଳପ୍ରିୟ-। ଗଣିତ-ଜ୍ୟୋତିଷ-ବିଜ୍ଞାନ-ବିଦମାନଙ୍କ ଭିତରେ ଆଜି ସେ ଜଣେ ଅତି ସୁପରିଚିତ ବ୍ୟକ୍ତି-। ସମଗ୍ର ବିଶ୍ୱକୁ ସେ ଅଧ୍ୟୟନ କରିଥାନ୍ତି । ସେ ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ଗ୍ରନ୍ଥ ଛଡ଼ା ସାଧାରଣ ଲୋକଙ୍କ ପାଇଁ ପତ୍ରପତ୍ରିକାରେ ଅସଂଖ୍ୟ ପ୍ରବନ୍ଧ ଓ ବୈଜ୍ଞାନିକ ଗଳ୍ପ ପ୍ରଣୟନ କରିଛନ୍ତି ।

 

ଏହି ପ୍ରତିଭାଶାଳୀ ଲେଖକ ଓ ବୈଜ୍ଞାନିକ ୟର୍କସାୟାରର ବିଙ୍ଗଲେଠାର ୧୯୧୫ ମସିହାରେ ଜନ୍ମଗ୍ରହଣ କରିଥିଲେ । ଶୈଶବାବସ୍ଥାରେ ଗଣିତ ପ୍ରତି ତାଙ୍କର ଆଗ୍ରହ ଥିଲା । ତାଙ୍କୁ ୬ ବର୍ଷ ହେଲା ବେଳକୁ ସେ ୧୨×୧୨ ଖନ୍ଦା ଗୁଣନ ଶିଖିଦେଇଥିଲେ । ତାଙ୍କୁ ଯେତେବେଳେ ୧୩ ବର୍ଷ ତାଙ୍କ ପିତାମାତା ତାଙ୍କୁ ୩ ଇଞ୍ଚ ବିଶିଷ୍ଟ ଏକ ଦୂରବୀକ୍ଷଣ ଯନ୍ତ୍ର ଉପହାର ଦେଇଥିଲେ ଏବଂ ରାତିରେ ସେ ଏହାକୁ ଧରି ଦେଖୁ ବୋଲି ଚାହିଁଥିଲେ । ବିଶ୍ୱର ଆକାର ଓ ରହସ୍ୟରେ ବିସ୍ମତ ହୋଇ ସେ ଏହାର ରହସ୍ୟ-ଭେଦ କରିବାକୁ ଚାହିଁଥିଲେ ।

 

କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ସେଣ୍ଟ ଜନଠାରେ ଜଣେ ବୃତ୍ତିଧାରୀ ଛାତ୍ର ରୂପେ ହୋଏଲ୍ ଅଣୁ-ପଦାର୍ଥ-ବିଜ୍ଞାନ, ଅର୍ଥାତ୍ ଆଣବିକ କଣିକା ଅଧ୍ୟୟନ ଏବଂ ନକ୍ଷତ୍ରମାନେ ପୋଡ଼ିଯାଉଥିବାର କାରଣ ସନ୍ଧାନ ଦିଗରେ ଏହାର ପ୍ରୟୋଗ ସମ୍ବନ୍ଧରେ ବିଶେଷ ଭାବରେ ଆଗ୍ରହ ପ୍ରକାଶ କରିଥିଲେ-। ୧୯୪୧ ମସିହାରେ ଅନ୍ୟମାନଙ୍କ ଭିତରେ ହୋଏଲ୍ ପ୍ରଥମେ ସୂଚନା ଦେଇଥିଲେ ଯେ ଅତ୍ୟନ୍ତ ଉଜ୍ଜ୍ୱଳ ନକ୍ଷତ୍ରମାନେ ହାଇଡ୍ରୋଜେନ ଏବଂ ମହାଶୂନ୍ୟରେ ଥିବା ଧୂଳି ପଟଳଦ୍ଵାରା ‘‘ପୁଷ୍ଟ’’ ହେଉଛନ୍ତି । ପରେ ଡକ୍ଟର ଓଟୋ ଷ୍ଟ୍ରୁଭେ ଓ ଜାନ ୱାଟ୍‍ ଏହାର ସତ୍ୟତା ପ୍ରତିପାଦନ କରିଥିଲେ-

 

ହୋଏଲ୍ ପ୍ରଚଳିତ ପନ୍ଥୀ ଗଣିତ-ଜ୍ୟୋତିଷ-ବିଜ୍ଞାନବିଦଙ୍କର ଅନେକ ତଥ୍ୟ ସହିତ ଏକମତ ହୋଇ ନଥିଲେ । ସେ ଦୃଢ଼ ଭାବରେ କହିଥିଲେ ଯେ ଏମାନେ ବିଜ୍ଞାନର ଅନ୍ୟାନ୍ୟ କ୍ଷେତ୍ରରେ ବିଶେଷକରି ଆଣବିକ ବିଜ୍ଞାନର ଅଗ୍ରଗତି ସହିତ ପରିଚିତ ନୁହନ୍ତି । ସେ କହିଥିଲେ ଯେ ପଦାର୍ଥ ମେସନ୍‍ ଓ ଅନ୍ୟାନ୍ୟ ଆଣବିକ କଣିକା ଦ୍ୱାରା ଯେପରି ଭାବରେ ଗଠିତ ହୋଇଛି ତାହା ନ ବୁଝିଲେ ସେମାନେ ନକ୍ଷତ୍ରମାନଙ୍କ ସମ୍ବନ୍ଧରେ କିଛି ବୁଝାଇପାରିବେ ନାହିଁ । କେମ୍ବ୍ରିଜର ତାଙ୍କ ଅପେକ୍ଷା ବୟସ୍କ ପ୍ରଚଳିତ ପନ୍ଥୀ ଗଣିତ-ଜ୍ୟୋତିଷ-ବିଜ୍ଞାନବିଦ୍‍ମାନେ ତାଙ୍କ ମତର ବିରୋଧ କଲେ ମଧ୍ୟ ୧୯୪୫ ମସିହାରେ ସେ ଗଣିତ ଅଧ୍ୟାପକ ରୂପେ ନିଯୁକ୍ତ ହୋଇଥିଲେ ।

 

ପୃଥିବୀର ଅନ୍ୟତମ ବିଶିଷ୍ଟ ଗଣିତ-ଜ୍ୟୋତିଷ-ବିଜ୍ଞାନବିଦ୍ ଭାବରେ ତାଙ୍କର ସୁଖ୍ୟାତି ଦ୍ରୁତଗତିରେ ପ୍ରସାର ଲାଭ କଲା । ୧୯୫୮ରେ କେମ୍ବ୍ରିଜରେ ଗଣିତ-ଜ୍ୟୋତିଷବିଜ୍ଞାନ ବିଭାଗର ଅଧ୍ୟାପକ ଏବଂ କାଲିଫର୍ଣ୍ଣିଆ ଶିଳ୍ପ-ବିଜ୍ଞାନ ଅନୁଷ୍ଠାନର ସାମୟିକ ଅଧ୍ୟାପକ ରୂପେ ନିଯୁକ୍ତ ହୋଇଥିଲେ । ସେହି ବର୍ଷ ମାସାଚୁସେଟ୍ସ ଶିଳ୍ପ ବିଜ୍ଞାନ ଅନୁଷ୍ଠାନରେ କମ୍ପ୍ୟୁଟର ବା ହିସାବ କରୁଥିବା ଯନ୍ତ୍ର ସାହାଯ୍ୟରେ ନକ୍ଷତ୍ରମାନଙ୍କ ଆଭ୍ୟନ୍ତରୀଣ ଦେଶରେ ଯେଉଁ ଆଣବିକ ପ୍ରତିକ୍ରିୟା ଘଟୁଛି ତାର ଗୁରୁତ୍ଵପୂର୍ଣ୍ଣ ବିସ୍ତୃତ ବିବରଣୀମାନ ସେ ପ୍ରସ୍ତୁତ କରିଥିଲେ ।

 

୧୯୫୦ ମସିହା ପୂର୍ବରୁ ହାଭାର୍ଡ଼ର ଗଣିତଜ୍ଞ ଥୋମାସ୍ ଗୋଲ୍‍ଡ଼ଙ୍କ ସହିତ ସେ ବିଶ୍ଵର ଏକ ‘ସ୍ଥିର ଅବସ୍ଥା’ ତଥ୍ୟ ପ୍ରକାଶ କରିଥିଲେ । ହୋଏଲ୍ ଓ ଗୋଲଡ଼୍ ଲେମୈତ୍ରି ଓ ଅନ୍ୟମାନଙ୍କ ସହିତ ଏକମତ ହୋଇନଥିଲେ ଯେ ବିଶ୍ଵ ଏକ ବିରାଟ ମୂଳବସ୍ତୁରୁ ବିସ୍ତାର ଲାଭ କରୁଛି । ଏହାଫଳରେ ସେମାନେ ଆଧୁନିକ ଗଣିତ-ଜ୍ୟୋତିଷ-ବିଜ୍ଞାନରେ ଏକ ଅତ୍ୟନ୍ତ ବିତର୍କ ମୂଳକ ବିଷୟର ଅବତାରଣା କରିଥିଲେ ।

 

୧୯୧୪ ମସିହାରେ ଆରିଜୋନାରେ ଅବସ୍ଥିତ ଲେୟେଲ ପର୍ଯ୍ୟବେକ୍ଷଣାଗାରର ଭି. ଏମ୍. ସ୍ଲିପର ଏକ ସ୍ପେକ୍ଟ୍ରୋସ୍ଲେପ ବ୍ୟବହାର କରି“ନେବୁଲ” ବା ନିହାରିକା ବୋଲି କୁହାଯାଉଥିବା ଆକାଶର ଏକ କ୍ଷୀଣ ଆଲୋକିତ ପଦାର୍ଥ ଅଧ୍ୟୟନ କରିଥିଲେ । ନେବୁଲ୍ ଅର୍ଥ “ମେଘମାଳା” । “ଡୋପଲର ଏଫେକ୍ଟ”-ଅର୍ଥାତ୍ ନକ୍ଷତ୍ର ଆମଠାରୁ ଦୂରକୁ ଚାଲିଗଲେ ତା’ର ଆଲୋକ ବିସ୍ତୃତି ଲାଭ କରେ ଏବଂ ଏହା ଯନ୍ତ୍ର ସାହାଯ୍ୟରେ ‘ରେଡ଼ସିପ୍ଟ’ ବା ଲାଲ ଆଲୋକ ପର୍ଯ୍ୟାୟ ପରି ଦେଖାଯାଇଥାଏ-ସାହାଯ୍ୟରେ ସେ ଆବିଷ୍କାର କରିଥିଲେ ଯେ ଏହି ନିହାରିକାମାନେ ଆମଠାରୁ ପ୍ରଚଣ୍ଡ ଗତିରେ ଏପରିକି ପ୍ରତି ସେକେଣ୍ଡରେ ହଜାର ହଜାର ମାଇଲ ଗତିରେ ଦୂରକୁ ଚାଲିଯାଉଛନ୍ତି । ଏମାନେ ଛାୟାପଥର ଏକ ଅଂଶ ହୋଇଥିବାରୁ ଗଣିତ-ଜ୍ୟୋତିଷ-ବିଜ୍ଞାନବିଦ୍‍ମାନେ ଏହି ଗତିବେଗର କାରଣ ବୁଝିପାରୁନଥିଲେ ।

 

ଏହାର ୧୦ ବର୍ଷ ପରେ ଆମେରିକାର ବିଖ୍ୟାତ ଗଣିତ ଜ୍ୟୋତିଷ-ବିଜ୍ଞାନବିଦ୍ ଏଡ୍‍ୱିନ୍‍ ପି. ହବଲ୍‍ ପ୍ରମାଣ କରିଦେଇଥିଲେ ଯେ ନେବୁଲ୍ ଛାୟା ପଥରେ ଆଦୌ ନାହିଁ-ଆମ ନକ୍ଷତ୍ର ଜଗତ ପରି ଅନ୍ୟ ନକ୍ଷତ୍ର ଜଗତମାନ ଅଛି ଏବଂ ସେମାନେ ନିୟୁତ ନିୟୁତ ଆଲୋକବର୍ଷ ଦୂରରେ ରହିଛନ୍ତି । ବିଂଶ ଶତାବ୍ଦୀର ଆବିଷ୍କାର ମଧ୍ୟରୁ ଏହା ଏକ ପ୍ରଧାନ ଆବିଷ୍କାର । ଛାୟାପଥ ନିଜେ ଗୋଟିଏ କ୍ଷୁଦ୍ର ସ୍ଥାନୀୟ ମଣ୍ଡଳୀର ଅନ୍ତର୍ଭୁକ୍ତ । ୧୭ ଜଣ ସଭ୍ୟ ଏହି ମଣ୍ଡଳୀରେ ରହିଛନ୍ତି । ସେଥିଭିତରୁ ଆମ ଛାୟାପଥ ଗୋଟିଏ-ଆଉଗୋଟିଏ ତଥାକଥିତ ଏମୁ-୩୧ ଏବଂ ଆଣ୍ଡ୍ରୋମେଡ଼ାର ବକ୍ର ନୀହାରିକା ସର୍ବାପେକ୍ଷା ବୃହତ୍ ।

 

ସ୍ଳିଫର୍ ଯେଉଁ ନକ୍ଷତ୍ରଜଗତର ସନ୍ଧାନ କରିଥିଲେ ହବଲ୍‍ ତା’ର ଦୂରତ୍ଵ ହିସାବ କରିଥିଲେ ଏବଂ ଯେଉଁ ବେଗରେ ସେମାନେ ଦୂରକୁ ଚାଲିଯାଉଥିଲେ ତା’ ସହିତ ତୁଳନା କରିଥିଲେ । ତା’ପରେ ସେ ଆଉ ଏକ ପ୍ରଧାନ ଆବିଷ୍କାର କରିଥିଲେ । ନକ୍ଷତ୍ର ଜଗତ ଠାରୁ ସେମାନେ ଯେତେ ଅଧିକ ଦୂରକୁ ଚାଲିଯାଉଥାନ୍ତି ସେତେ ଅଧିକ ଦ୍ରୁତବେଗରେ ସେମାନେ ଗତି କରୁଥାନ୍ତି ।

 

ସେ ଜାଣିପାରିଥିଲେ ଯେ ସେମାନଙ୍କ ଦୂରତ୍ଵ ଓ ଗତି ଭିତରେ ପ୍ରତ୍ୟକ୍ଷ ଆନୁପାତିକତା ରହିଛି । ସେମାନେ ସେମାନଙ୍କର ଦୂରତ୍ଵକୁ ଦ୍ଵିଗୁଣିତ କରିଦେବା ବେଳକୁ ଦୁଇଗୁଣ ଅଧିକ ଦ୍ରୁତବେଗରେ ଗତି କରୁଥାନ୍ତି । ହବଲ୍ ଏ ସମ୍ପର୍କରେ ଏହି ଯୁକ୍ତିଯୁକ୍ତ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ ସମଗ୍ର ବିଶ୍ୱ ଏକ ବିରାଟ ପାଣିଫୋଟକା ପରି ବିସ୍ତାର ଲାଭ କରିଚାଲିଛି, ନକ୍ଷତ୍ର ଜଗତମାନ ପରସ୍ପରଠାରୁ ଅଧିକରୁ ଅଧିକ ଦୂରକୁ ଚାଲିଯାଉଛନ୍ତି ।

 

ହବଲ୍‍ଙ୍କ ଉଦ୍ଭାବନ ପରେ ଆଉ ଏକ ପାଦ ଆଗେଇ ଏହି ସିଦ୍ଧାନ୍ତ କରାଯାଇଥିଲା ଯେ ବିଶ୍ୱ ମହାଶୂନ୍ୟର ଗୋଟିଏ ନିର୍ଦ୍ଦିଷ୍ଟ ବିନ୍ଦୁର ବିସ୍ତାରଲାଭ କରିଚାଲିଛି । ୧୯୨୭ରେ ବେଲଜିୟମ୍ବାସୀ ଧର୍ମଯାଜକ ପଦାର୍ଥ-ବିଜ୍ଞାନବିଦ୍ ଆବେ ଲେମୈତ୍ରି ତାଙ୍କ ତଥ୍ୟ ପ୍ରକାଶ କରିଥିଲେ ଯେ ବିଶ୍ଵରେ ଥିବା ସମସ୍ତ ପଦାର୍ଥ ଗୋଟାଏ ପ୍ରକାଣ୍ଡ ଅଣୁରେ ଚାପିହୋଇ ରହିଥିଲା ଏବଂ ଏହା ହଠାତ୍ ଭାଙ୍ଗିଯାଇଥିଲା ।

 

“ପ୍ରସାରଲାଭ କରୁଥିବା ବିଶ୍ଵ” ବା ବିରାଟ ବିସ୍ଫୋରଣ ମତର ସମର୍ଥକମାନଙ୍କ ଭିତରେ ବହୁ ବିଶିଷ୍ଟ ଗଣିତ ଜ୍ୟୋତିଷବିଜ୍ଞାନବିଦ୍ ଓ ପଦାର୍ଥ-ବିଜ୍ଞାନବିଦ୍ ଅଛନ୍ତି । ସେମାନଙ୍କ ଭିତରୁ ଅଧିକାଂଶ ବିଶ୍ୱାସ କରନ୍ତି ଯେ ସମୟ କ୍ରମେ ମହାଶୂନ୍ୟ ଅଧିକରୁ ଅଧିକ ଶୂନ୍ୟ ହୋଇଯିବ । ଶେଷରେ ନକ୍ଷତ୍ର ଆଉ ଆଲୋକ ବିକିରଣ କରିବ ନାହିଁ ଏବଂ ଆମେ ଯେଉଁ ସମୟ ଜାଣୁ ତାହା ଶେଷ ହୋଇଯିବ ।

 

ଅନ୍ୟମାନେ କହନ୍ତି ଯେ ଶେଷରେ ସଂପ୍ରସାରଣ ଶେଷ ହୋଇଯିବ ଏବଂ ଅଭିକର୍ଷଣ କ୍ରିୟା ସାହାଯ୍ୟରେ ନକ୍ଷତ୍ର ଜଗତଗୁଡ଼ିକ ପୁଣି ଏକାଠି ହୋଇଯିବେ । ଶେଷରେ ସେମାନଙ୍କର ପରସ୍ପର ସହିତ ସଂଘର୍ଷ ଘଟିବ ଏବଂ ଆଉ ଏକ ମହାଜାଗତିକ “ଅଣ୍ଡା” ହୋଇଯିବ । ଏକ ସମଗ୍ର ବିବର୍ତ୍ତନ ନୂଆ ହୋଇ ଆରମ୍ଭ ହେବ ।

 

ହୋଏଲ୍ ଓ ଗୋଲ୍‍ଡ଼ଙ୍କର “ସ୍ଥିର ଅବସ୍ଥା” ତଥ୍ୟ ସହିତ “ଅଣ୍ଡା” ତଥ୍ୟର କୌଣସି ସମ୍ବନ୍ଧ ନଥିଲା । ସେମାନେ କହନ୍ତି ଯେ ଆଜି ଯେପରି ବିଶ୍ୱ ରହିଛି ସବୁବେଳେ ବହୁ ପରିମାଣରେ ସେହିପରି ଥିଲା । ନକ୍ଷତ୍ର ଜଗତମାନ ଦୂରକୁ ଚାଲିଗଲାକ୍ଷଣି, ନୂଆ ନୂଆ ନକ୍ଷତ୍ର ଜଗତମାନ ସୃଷ୍ଟି ହୋଇ ଯାଉଛି । ତେଣୁ ମହାଶୂନ୍ୟରେ ପଦାର୍ଥର ସାନ୍ଧ୍ରତା ସବୁବେଳେ ସମାନ ରହିଛି । ସେମାନେ କହନ୍ତି ଯେ କେବେହେଲେ “ବିରାଟ ବିସ୍ଫୋରଣ” ହୋଇନଥିଲା ।

 

ସେମାନଙ୍କ ମତକୁ ସମର୍ଥନ କରିବା ନିମନ୍ତେ ଦୂରକୁ ଚାଲି ଯାଉଥିବା ନକ୍ଷତ୍ର ଜଗତର ଅନ୍ୟ ଏକ କାରଣ ସେମାନେ ପ୍ରତିପାଦନ କରିଥାନ୍ତି । ହୋଏଲ୍ ଓ ଗୋଲ୍‍ଡ଼ କହନ୍ତି ଯେ ହାଇଡ୍ରୋଜେନ୍‍ ଅଣୁ ଆକାରରେ ଯେଉଁ ନୂତନ ପଦାର୍ଥ ସୃଷ୍ଟି ହେଉଛି ତଦ୍ଦ୍ଵାରା ସେମାନେ ଠେଲି ହୋଇ ଦୂରକୁ ଚାଲି ଯାଉଛନ୍ତି ।

 

୧୯୫୯ ମସିହାରେ ବ୍ରିଟିଶ୍ ଗଣିତଜ୍ଞ ରେମଣ୍ଡ ଏ ଲିଟିଲ୍‍ଟନ୍ ଏବଂ ହର୍ମାନ ବଣ୍ଡି ଏହି ମତକୁ ସମର୍ଥନ କରିଥିଲେ । ସେମାନେ ଗବେଷଣା କରି ଜାଣିସାରିଥିଲେ ଯେ ନକ୍ଷତ୍ରଜଗତମାନଙ୍କ ଭିତରେ ଥିବା ହାଇଡ୍ରୋଜେନ୍‍ ଅଣୁର ଧନାତ୍ମକ ଚୁମ୍ବକୀୟ ଶକ୍ତି ରହିଛି, ତେଣୁ ପରସ୍ପରକୁ ଠେଲି ନକ୍ଷତ୍ର ଜଗତମାନଙ୍କୁ ଅଲଗା ଅଲଗା କରିଦେଉଛି । ଯଦି ଓ ନକ୍ଷତ୍ରଜଗତମାନଙ୍କ ଭିତରେ ସେହିଭଳି ଅଣୁପ୍ରତି ଘନ ଗଜରେ ଗୋଟିଏ ବା ଦୁଇଟି ରହିଛି-ଆମ ନକ୍ଷତ୍ର ଜଗତରେ ଆମେ ଯେତେ ଦେଖୁ ତାହା ଅପେକ୍ଷା ଏହା ବହୁପରିମାଣରେ କମ୍-ମାତ୍ର ବିଶ୍ଵ ଏତେ ବିରାଟ ଯେ ସେମାନଙ୍କର ମିଳିତ ଓଜନ ଟନ୍ ହିସାବରେ ୧ ରେ ୪୮ଟି ଶୂନ ଦେଲେ ଯାହା ହେବ ସେତିକି ଟନ୍‍ହେବ । ହୋଏଲ୍ ଓ ଗୋଲ୍‍ଡ଼ ଏକମତ ହୋଇଛନ୍ତି ଯେ ହାଇଡ୍ରୋଜେନ୍‍ ଥିବାରୁ ସଂପ୍ରସାରଣ ଘଟୁଛି କିନ୍ତୁ ସେମାନଙ୍କର ବିଶ୍ୱାସ ଯେ ଅଣୁଗୁଡ଼ିକ ପ୍ରଚଣ୍ଡ ଭାବରେ ଉତ୍ତପ୍ତ ହୋଇଥିବାରୁ ଏହାର ଅଧିକାଂଶ ଭାଗ ବାହାରି ଆସୁଛି । ସେମାନେ କହନ୍ତି ଯେ ମହାଶୂନ୍ୟରେ ପଦାର୍ଥ ନିରବଚ୍ଛିନ୍ନ ଭାବରେ ମୁକ୍ତ ନିଉଟ୍ରନ୍ ଆକାରରେ ଦେଖାଯାନ୍ତି । ଏମାନଙ୍କର ସ୍ଥାୟିତ୍ଵ ନାହିଁ । ତେଣୁ ହାଇଡ୍ରୋଜେନ୍‍ ଅଣୁ ହୋଇ “ଉଡ଼ିଯାଆନ୍ତି “ ଏବଂ ଏପରି ବିରାଟ ପରିମାଣ ଶକ୍ତି ଉତ୍ପାଦନ କରିଥାନ୍ତି ଯେ ହାଇଡ୍ରୋଜେନର ତାପ ୧୦୦ ନିୟୁତ ଡିଗ୍ରୀ ହୋଇଥାଏ । ଆଣୁବିକ ବୋମାର କେନ୍ଦ୍ରଭାଗ ଅପେକ୍ଷା ଏହା ଅଧିକ ଉତ୍ତପ୍ତ ହୋଇଥାଏ । ଏହି ଉତ୍ତପ୍ତ ହାଇଡ଼ୋଜିନ୍‍ ଅଣୁ ନକ୍ଷତ୍ରଜଗତକୁ ଗରମ କରିସେମାନଙ୍କୁ ସ୍ଥାନାନ୍ତରିତ କରାଇଥାଆନ୍ତି । ନକ୍ଷତ୍ରଜଗତଗୁଡ଼ିକ ଚାଲିଯିବାବେଳେ ସେମାନେ ମହାଶୂନ୍ୟରେ ଗୋଟିଏ ଥଣ୍ଡା ଅଞ୍ଚଳ ସୃଷ୍ଟି କରିଦିଅନ୍ତି । ଏହାଫଳରେ ପାଣି କୌଣସି ଶୀତଳ ସ୍ଥାନ ଉପରେ ଯେଭଳି କାମ କରେ ଉତ୍ତପ୍ତ ଅଣୁଗୁଡ଼ିକ ସେହିପରି ଘନୀଭୂତ ହୋଇ ମେଘରେ ପରିଣତ ହୋଇଯାଏ ।

 

ମହାଶୂନ୍ୟରେ ଏହି “ଉତ୍ତପ୍ତ ହାଇଡ୍ରୋଜେନ୍‍” ମତକୁ ସମସ୍ତ ଗଣିତ-ଜ୍ୟୋତିଷ-ବିଜ୍ଞାନବିଦ୍ ଗ୍ରହଣ କରିନାହାନ୍ତି ମାତ୍ର ଅନେକେ ଏକମତ ହେଉଛନ୍ତି ଅନେକଗୁଡ଼ିଏ ରହସ୍ୟ ଯାହାକି ଅନ୍ୟ କୌଣସି ଉପାୟରେ ବୁଝାଇ ହେଉନଥିଲା ଏହାଦ୍ଵାରା ବୁଝାଇ ଦିଆଯାଇ ପାରିବ । ଗୋଟିଏ କଥାରେ ରେଡ଼ିଓ-ଗଣିତ-ଜ୍ୟୋତିଷ ବିଜ୍ଞାନବିଦ୍‍ମାନେ ଠାବ କରିପାରିଛନ୍ତି ଯେ ପ୍ରତ୍ୟେକ ନକ୍ଷତ୍ର ଜଗତ ଚାରିପଟେ ଏକ ଅଦ୍ଭୁତ ରେଡ଼ିଓ ବା “ବେତାର ଶବ୍ଦ” ପରିବେଷ୍ଟିତ ହୋଇଛି-ହାଇଡ୍ରୋଜେନ୍‍ ଅଣୁ ଶୀତଳ ହୋଇଯିବା ପରେ ଏହି ଶବ୍ଦ ବାହାରିଥାଏ ।

 

ଅନେକ ଗଣିତ-ଜ୍ୟୋତିଷ-ବିଜ୍ଞାନବିଦ୍ ହୋଏଲ୍‍ଙ୍କ “ସ୍ଥାୟୀ ଅବସ୍ଥା” ତଥା ବା ନିରବଚ୍ଛିନ୍ନ ସୃଷ୍ଟି ତଥ୍ୟକୁ ଏହି କାରଣ ଯୋଗୁ ସମର୍ଥନ କରନ୍ତି ନାହିଁ ଯେ ଶୂନ୍ୟରୁ ନୂତନ ପଦାର୍ଥ ସୃଷ୍ଟିହୋଇ ପାରିବ ନାହିଁ । ନିଉଟ୍ରନ୍ ଓ ଉତ୍ତପ୍ତ ହାଇଡ୍ରୋଜେନ୍‍ କିପରି ସୃଷ୍ଟି ହେଉଛି ? ହୋଏଲ୍ ଏହାର ଉତ୍ତରରେ କହିଥାନ୍ତି ଯେ ଆମକୁ ପଦାର୍ଥ ବିଶେଷ କରିମେସନ ପରି ମୌଳିକ ପଦାର୍ଥର କଣିକା ଏବଂ ବସ୍ତୁ ଓ ଶକ୍ତି ଭିତରେ ଥିବା ସମ୍ପର୍କ ସମ୍ବନ୍ଧରେ ଆହୁରି ଅନେକ ବିଷୟ ଜାଣିବାକୁ ହେବ ।

 

ବିଶ୍ଵ ପ୍ରଥମେ କିପରି ସୃଷ୍ଟି ହେଲା ତା’ର ସନ୍ଧାନ ବେତାର-ଗଣିତ-ଜ୍ୟୋତିଷ-ବିଜ୍ଞାନ ଦେଇପାରିବ । ମହାଶୂନ୍ୟ ସମ୍ବନ୍ଧରେ ଆମେ ଯେତେ ଅଧିକ ବିଷୟ ଜାଣିପାରିବୁ, ସେତିକି ଦୂର ଅତୀତର କଥା ମଧ୍ୟ ଆମେ ଜାଣିପାରିବୁ । ଆମେ ଯେତେବେଳେ ୧୦ ଆଲୋକ ବର୍ଷ ଦୂରରେ ଥିବା ନକ୍ଷତ୍ରଠାରୁ ଆଲୋକ ପାଉ, ତା ଅର୍ଥ ହେଉଛି ଯେ ୧୦ ଆଲୋକ ବର୍ଷ ପୂର୍ବେ ଯେତେବେଳେ ଆଲୋକ ସେ ନକ୍ଷତ୍ରରୁ ଆସିଥିଲା, ସେତେବେଳେ ସେ ନକ୍ଷତ୍ର ଯେପରି ଥିଲା ଆମେ ବର୍ତ୍ତମାନ ତାହାର ସେହି ଅବସ୍ଥା ଦେଖୁଛୁ । ସହସ୍ର ସହସ୍ର ନିୟୁତ ଆଲୋକ ବର୍ଷ ଦୂରରେ ଥିବା ନକ୍ଷତ୍ର ଜଗତଗୁଡ଼ିକ ଆମେ ଯେତେ ଉଦ୍ଭାବନ କରିବା, ଆମେ ସେତେ ସହସ୍ର ସହସ୍ର ନିୟୁତ ବର୍ଷ ଅତୀତ କାଳ ବିଷୟରେ ଜାଣିପାରିବା । ବେତାର ତରଙ୍ଗ ଠିକ୍ ଆଲୋକ ଗତିରେ ଅର୍ଥାତ୍ ପ୍ରତି ସେକେଣ୍ଡରେ ୧୮୬,୦୦୦ ମାଇଲ ବେଗରେ ଗତି କରିଥାଏ । ଯଦି “ସଂପ୍ରସାରଣ ହେଉଥିବା ବିଶ୍ୱ” ତଥ୍ୟ ସଠିକ୍ ହୋଇଥାଏ ତା ହେଲେ ବେତାର ଦୂରବୀକ୍ଷଣ ଯନ୍ତ୍ର ଅଧିକ ଦୂରବର୍ତ୍ତୀ ନକ୍ଷତ୍ରଜଗତରେ ପହଞ୍ଚିବ ଏବଂ ଏକ ତଦ୍ଦ୍ଵାରା ଦୂର ଅତୀତର ସନ୍ଧାନ ଦେବ ଏବଂ ଆମେ ଦେଖିବା ଯେ ସେ ନକ୍ଷତ୍ରଜଗତ ଅଧିକ ସାନ୍ଧ୍ର ଭାବରେ ଏକାଠି ଜାକିହୋଇ ରହିଛନ୍ତି ।

 

ବର୍ତ୍ତମାନ ବେତାର ଦୂରବୀକ୍ଷଣ ଯନ୍ତ୍ର ୬ ମହାପଦ୍ମ ଆଲୋକବର୍ଷ ଦୂର ପର୍ଯ୍ୟନ୍ତ ପହଞ୍ଚିଲାଣି । ଗ୍ରୀନ୍ ବ୍ୟାଙ୍କରେ ସ୍ଥାପିତ ହେଉ ଥିବା ନୂତନ ପର୍ଯ୍ୟବେକ୍ଷଣାଗାରର ନିର୍ମାଣ ଯେତେବେଳେ ସମ୍ପୂର୍ଣ୍ଣ ହୋଇଯିବ, ସେତେବେଳେ ବିଶ୍ୱ ଆରମ୍ଭ ହେଲା ବେଳେ ଯେଉଁ ସବୁ ଘଟଣା ଘଟିଥିଲା (ଯଦି ଏହା କେବେ ଘଟିଥାଏ) ତାହା ଆମେ ଦେଖିବା ପାଇଁ ସମର୍ଥ ହୋଇପାରିବା ।

 

ପ୍ରେଡ଼୍ ହୋଏଲ୍‍ଙ୍କର ବିଶ୍ୱାସ ଯେ ବିଶ୍ଵ ସମ୍ବନ୍ଧରେ ଯେଉଁସବୁ ପ୍ରଶ୍ନର ଉତ୍ତର ଦେବାକୁ ହେବ ତାହା ଅସୀମ । “ଆମେ ଏବେ ମଧ୍ୟ ଗନ୍ତବ୍ୟ ପଥରେ ପ୍ରାରମ୍ଭରେ ରହିଛୁ । ଏପର୍ଯ୍ୟନ୍ତ ଯାହାସବୁ ଜଣାପଡ଼ିଛି ତାହା ମୋଟ ଜ୍ଞାତବ୍ୟ ବିଷୟରେ ଅତି କ୍ଷୁଦ୍ରଅଂଶ ମାତ୍ର ।”

Image